ସେନା ହେବ ଯୁଦ୍ଧ-ଫିଟ୍!

ସେନା ହେବ ଯୁଦ୍ଧ-ଫିଟ୍!

Share :

ସେନା ବାହିନୀର ଗୋଳାବାରୁଦ ସଂକଟ ଟାଳିବାକୁ କେନ୍ଦ୍ର ସରକାର ୧୫ ହଜାର କୋଟି ଟଙ୍କାର ଏକ ଯୋଜନା ଚୂଡ଼ାନ୍ତ କରିଛନ୍ତି । ଏହି ଅର୍ଥରେ ଦେଶର ଘରୋଇ ଉଦ୍ୟୋଗ ଜରିଆରେ ୭ ପ୍ରକାର ଗୋଳାବାରୁଦ ଉତ୍ପାଦନ କରାଯିବ । ଏବେ ସେନା ନିକଟରେ ଥିବା ଗୋଳାବାରୁଦ ୧୦ ଦିନର ଘମାଘୋଟ ଯୁଦ୍ଧ ପାଇଁ ନିଅଣ୍ଟ ହେବ ବୋଲି ଜଣାପଡ଼ିବା ପରେ ସରକାର ଏହି ଯୋଜନା ଚୂଡ଼ାନ୍ତ କରିଛନ୍ତି । ୨୦୧୬ ସେପ୍ଟେମ୍ବର ମାସରେ ଉରି ସେନା ଶିବିର ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ସେନା ବାହିନୀ ନିକଟରେ ଆବଶ୍ୟକ ଗୋଳାବାରୁଦ ନଥିବା କଥା ପଦାକୁ ଆସିଥିଲା । ଭାରତୀୟ ସେନା ବାହିନୀରେ ୧୩ ଲକ୍ଷ ସୈନ୍ୟ ଅଛନ୍ତି । ଯଦି କୌଣସି ପରିସ୍ଥିତିରେ କୌଣସି ଶତ୍ରୁ ସହିତ ଘମାଘୋଟ ଯୁଦ୍ଧ ଲାଗିଯାଏ ତେବେ ଏହି ସେନା ବାହିନୀ ପାଇଁ ଆବଶ୍ୟକ ପରିମାଣରେ ଗୋଳାବାରୁଦ ନାହିଁ । ଯେତିକି ଅଛି ତାହା ୧୦ ଯୁଦ୍ଧକୁ ନିଅଣ୍ଟ । ସେହିପରି ବାୟୁ ସେନା ଓ ନୌସେନା ନିକଟରେ ମଧ୍ୟ ଆବଶ୍ୟକ ପରିମାଣର ଗୋଳାବାରୁଦ ନାହିଁ । ପାରମ୍ପାରିକ ଯୁଦ୍ଧବୁଦ୍ଧି ଅନୁସାରେ ସେନା ନିକଟରେ ଅତି କମରେ ୪୦ ଦିନର ଯୁଦ୍ଧ ପାଇଁ ଆବଶ୍ୟକ ଗୋଳାବାରୁଦ ଗଚ୍ଛିତ ରହିବା କଥା । ଏହା ଜଣାପଡ଼ିବା ପରେ କେନ୍ଦ୍ର ସରକାର ଚେତିଛନ୍ତି । ସେଥିପାଇଁ ଦେଶରେ ଗୋଳାବାରୁଦ ଉତ୍ପାଦନ ପାଇଁ ଯୋଜନା ପ୍ରଣୟନ କରିଛନ୍ତି । ତେବେ କେନ୍ଦ୍ର ସରକାରଙ୍କ ଯୋଜନା ଅନୁଯାୟୀ ପ୍ରତିରକ୍ଷା ମନ୍ତ୍ରଣାଳୟ ଅଧୀନରେ ଥିବା ଗୋଳାବାରୁଦ କାରଖାନା ବୋର୍ଡ଼ର ୪୧ଟି ଗୋଳାବାରୁଦ କାରଖାନାର ଉତ୍ପାଦନ କ୍ଷମତା ବୃଦ୍ଧି କରାଯିବ ନାହିଁ । ଗୋଳାବାରୁଦ ଉତ୍ପାଦନ ବୃଦ୍ଧି କରିବା ପାଇଁ ଯେଉଁ ୧୫ ହଜାର କୋଟି ଟଙ୍କା ଖର୍ଚ୍ଚ କରାଯିବ ତାହା ଘରୋଇ ଉଦ୍ୟୋଗଗୁଡ଼ିକୁ ଦିଆଯିବ । ଏହି ଅର୍ଥରେ ଘରୋଇ ଗୋଳାବାରୁଦ କାରଖାନାଗୁଡ଼ିକ ସଶକ୍ତ ହୋଇ ବିଦେଶୀ କମ୍ପାନୀ ସହିତ ମିଶି ନିଜର ଉତ୍ପାଦନ ବୃଦ୍ଧି କରିବେ । ସେମାନଙ୍କର ଉତ୍ପାଦନକୁ ପ୍ରତିରକ୍ଷା ମନ୍ତ୍ରଣାଳୟ କିଣିନେବ । ଉରି ଆକ୍ରମଣ ପରେ ତିନି ସେନାକୁ ଦିଆଯାଇଥିବା ଆର୍ଥିକ କ୍ଷମତା ପ୍ରୟୋଗ କରି ରୁଷିଆ ଓ ଇସ୍ରାଏଲ ସହିତ ପ୍ରାୟ ୨୪ ହଜାର କୋଟି ଟଭ୍କାର ଗୋଳାବାରୁଦ, ଯୁଦ୍ଧାସ୍ତ୍ର ଓ ଯନ୍ତ୍ରାଂଶ ଚୁକ୍ତି ସଂପାଦିତ ହୋଇସାରିଲାଣି । ସ୍ଥଳସେନା ପାଇଁ ହୋଇଥିବା ୧୧,୭୪୦ କୋଟି ଟଙ୍କାର ୧୯ ଚୁକ୍ତି ଜରିଆରେ ସ୍ମେର୍କ ରକେଟ, କୋଙ୍କୁର୍ସ ଟ୍ୟାଙ୍କ ବିଧ୍ୱଂସୀ କ୍ଷେପଣାସ୍ତ୍ର, ୧୨୫ ଏମଏମ ଏପିଏଫଏସଡିଏସ କିଣାଯିବ । ଏସବୁ ସେନାର ଟି-୯୦ ଓ ଟି-୭୨ ଟ୍ୟାଙ୍କର ଆବଶ୍ୟକତା ପୂରଣ କରିବ । ଚୁକ୍ତି ଅନୁସାରେ ୨୦୧୯-୨୦ ମଧ୍ୟରେ ଏସବୁ ଗୋଳାବାରୁଦ ଓ ଯୁଦ୍ଧାସ୍ତ୍ର ଭାରତକୁ ମିଳିଯିବ । ପାକିସ୍ତାନ ସହିତ ଥିବା ଭାରତର ୭୭୮ କିଲୋମିଟର ବ୍ୟାପୀ ନିୟନ୍ତ୍ରଣ ରେଖା ଓ ଚୀନ ସହିତ ଥିବା ୪,୦୫୭ କିଲୋମିଟର ବ୍ୟାପୀ ପ୍ରକୃତ ନିୟନ୍ତ୍ରଣ ରେଖା ନିକଟରେ ସେନା ବାହିନୀକୁ ସଦା ସଜାଗ ରଖିବା ନିମନ୍ତେ ଏସବୁ ନିହାତି ଜରୁରୀ ବୋଲି କେନ୍ଦ୍ର ସରକାର ଅନୁଭବ କରୁଛନ୍ତି । ଏବେ ଚୂଡ଼ାନ୍ତ ହୋଇଥିବା ୧୫ ହଜାର କୋଟି ଟଙ୍କାର ଯୋଜନାରେ ସରକାର ଘରୋଇ ପ୍ରତିରକ୍ଷା ଉଦ୍ୟୋଗ ଜରିଆରେ ସ୍ଥଳ ସେନା ପାଇଁ ୟୁବିଜିଏଲ, ଏଜିଏଲ, ୧୨୨ ଏମଏମ ଗ୍ରାଡ଼ ରକେଟ, ଇଲେକ୍ଟ୍ରୋନିକ ଫ୍ୟୁଜ, ବାଇ ମୋଡୁଲାର ଚାର୍ଜ ସିଷ୍ଟମ ଏବଂ ୩୦ ଏମଏମ ଉଚ୍ଚ ବିସ୍ଫୋରକ ଯୁଦ୍ଧାସ୍ତ୍ର ଉତ୍ପାଦନ କରିବେ ବୋଲି ସ୍ଥିର ହୋଇଛି । ଏଥିପାଇଁ ୧୧ଟି କମ୍ପାନୀଠାରୁ ଟେଣ୍ଡର ଆହ୍ୱାନ କରାଯାଇଥିଲା । ଏବେ ସେମାନଙ୍କର ଟେକ୍ନିକାଲ ବିଡର ସମୀକ୍ଷା କରାଯାଉଛି । ଚିହ୍ନଟ କମ୍ପାନୀଗୁଡ଼ିକ ବିଦେଶୀ କଂପାନୀଙ୍କ ସହାୟତାରେ ସେମାନଙ୍କର ଉତ୍ପାଦନ କ୍ଷମତା ବୃଦ୍ଧି କରିବା ପରେ ସରକାର ସେମାନଙ୍କ ସହିତ ୧୦ ବର୍ଷ ଭିତରେ ୧୫ ହଜାର କୋଟି ଟଙ୍କାର ଗୋଳାବାରୁଦ ଓ ଅନ୍ୟାନ୍ୟ ଯୁଦ୍ଧାସ୍ତ୍ର ଯୋଗାଣ ଚୁକ୍ତି ସଂପାଦନ କରିବେ । ଚଳିତ ବର୍ଷ ପ୍ରାରମ୍ଭରେ ସେନା ବାହିନୀର ଉପମୁଖ୍ୟ ଲେଫ୍ଟନାଣ୍ଟ ଜେନେରାଲ ଶରତ ଚାନ୍ଦ ସଂସଦୀୟ ସ୍ଥାୟୀ କମିଟିକୁ କହିଥିଲେ ଯେ ବଜେଟରେ ସେନା ଆଧୁନିକୀକରଣ ପାଇଁ ୨୧,୩୩୮ କୋଟି ଟଙ୍କା ମଂଜୁର ହେବା ଅତ୍ୟନ୍ତ ନୈରାଶ୍ୟଜନକ । କାରଣ ପ୍ରଚଳିତ କାର୍ଯ୍ୟକ୍ରମ ଓ ଜରୁରୀ ଯୁଦ୍ଧାସ୍ତ୍ର କ୍ରୟ ବାବଦୀୟ ପ୍ରତିଶ୍ରୁତିବଦ୍ଧ ଖର୍ଚ୍ଚ ପାଇଁ ୨୯,୦୩୩ କୋଟି ଦରକାର ଥିବାବେଳେ ତାହା ପୂରଣ ହୋଇନାହିଁ । ଗତବର୍ଷ ସଂସଦରେ ଉପସ୍ଥାପିତ ହୋଇଥିବା ସିଏଜି ରିପୋର୍ଟରେ ମଧ୍ୟ ସେନା ବାହିନୀ ନିକଟରେ ୪୦ ଦିନ ଘମାଘୋଟ ଯୁଦ୍ଧ ପାଇଁ ଆବଶ୍ୟକ ପରିମାଣର ଗୋଳାବାରୁଦ ଓ ଯୁଦ୍ଧାସ୍ତ୍ର ନାହିଁ ବୋଲି ଉଲ୍ଲେଖ ଥିଲା ।

Share :