ପରଲୋକରେ ସିନେ ମା’ ଅନୀତା ଦାସ

ପରଲୋକରେ ସିନେ ମା’ ଅନୀତା ଦାସ

Share :

ବିଶିଷ୍ଟ ସିନେ ଅଭିନେତ୍ରୀ ଅନିତା ଦାସଙ୍କର ୫୯ ବର୍ଷ ବୟସରେ ହୃଦ୍ଘାତରେ ପରଲୋକ ହୋଇଯାଇଛି । କଟକ ମିଶନରୋଡ଼ ସ୍ଥିତ ବାସଭବନରେ ସେ ପୂର୍ବାହ୍ନ ୧୧ଟା ୩୦ ମିନିଟ୍ରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ତାଙ୍କ ମୃତ୍ୟୁରେ ସିନେ ଜଗତରେ ଶୋକର ଛାୟା ଖେଳି ଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ବହୁ ନେତା ଓ ବରିଷ୍ଠ କଳାକାର ତାଙ୍କ ପାଇଁ ଶୋକ ପ୍ରକାଶ କରିଛନ୍ତି । କିଛି ଦିନ ହେବ ତାଙ୍କ ବାମ ପଟ ଛାତି ବିନ୍ଧୁଥିଲା । ଡାକ୍ତର ପରାମର୍ଶ କରିବାକୁ ତାଙ୍କୁ ଶୁଭେଚ୍ଛୁମାନେ ପରାମର୍ଶ ଦେଇଥିଲେ । ତେବେ ସେ ସବୁବେଳେ କହୁଥିଲେ ମୁଁ ଯାହା ଭରସାରେ ଅଛି ତାଙ୍କ ଯୋଗୁଁ ମୋର କିଛି ହେବ ନାହିଁ । ମାତ୍ର, ଆଜି ହଠାତ ସେ ଅସୁସ୍ଥ ହୋଇ ଶ୍ୱାସପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରିଥିଲେ । ତୁରନ୍ତ ଡାକ୍ତରଙ୍କୁ ଖବର ଦିଆଯାଇଥିଲା । ଡାକ୍ତର ପହଂଚିବା ପରେ ତାଙ୍କୁ ମୃତ ଘୋଷଣା କରିଥିଲେ । ଅବିଭକ୍ତ କଟକ ଜିଲ୍ଲା ଅନ୍ତର୍ଗତ ଯାଜପୁର ରୋଡ ଅଂଚଳରେ ସେ ଜନ୍ମ ଗ୍ରହଣ କରିଥିଲେ । ବହୁ ଲୋକପ୍ରିୟ ଓଡ଼ିଆ ଫିଲ୍ମରେ ଅନିତା ଅଭିନୟ କରି ଓଡିଆ ଦର୍ଶକଙ୍କ ପାଖରେ ପରିଚୟ ସୃଷ୍ଟି କରିଥିଲେ । ବିଶେଷକରି ସେ ମାଆ ଭୂମିକାରେ ଅଭିନୟ କରି ସମସ୍ତଙ୍କ ମନ ମୋହି ପାରିଥିଲେ । ସେଥିପାଇଁ ତାଙ୍କୁ କେତେକ ଓଡ଼ିଆ ଫିଲ୍ମର ମାଆ ବୋଲି ମଧ୍ୟ କହିଥାନ୍ତି । ୧୯୭୫ରେ ମୁକ୍ତିଲାଭ କରିଥିବା ତାଙ୍କର ପ୍ରଥମ ଚଳଚ୍ଚିତ୍ର ‘ଯାଯାବର’ରେ ଅଭିନୟ କରି ସେ ଓଡ଼ିଆ ଚଳଚ୍ଚିତ୍ରରେ ତାଙ୍କର ଯାତ୍ରା ଆରମ୍ଭ କରିଥିଲେ । ଦେଢ଼ଶହରୁ ଅଧିକ ଓଡ଼ିଆ ଚଳଚ୍ଚିତ୍ରରେ ସେ ଅଭିନୟ କରିଥିବାବେଳେ ହିନ୍ଦୀ ଓ ତେଲୁଗୁ ଚଳଚ୍ଚିତ୍ରରେ ମଧ୍ୟ ବେଶ୍ ଭଲ ଅଭିନୟ କରିଥିଲେ । ତାଙ୍କ ଅଭିନୀତ ସିନେମା ମଧ୍ୟରେ ତପସ୍ୟା, ଭକ୍ତ ସାଲବେଗ, କି ହେବ ଶୁଆ ପୋଷିଲେ, ବନ୍ଧୁ ମହାନ୍ତି, ନାଗଫାଶ, ତଅପୋଈ, ସମର ସଲିମ ସାଇମନ, ଅଗ୍ନି ପରୀକ୍ଷା, ଲକ୍ଷ୍ମୀପ୍ରତିମା. ଋାମ ବଳରାମ, ମଥୁରା ବିଜୟ, ଅକ୍ଷୀ ତୃତୀୟା, ମା ଓ ମମତା, ରାମାୟଣ, କୃଷ୍ଣ ସୁଦାମା, ସଉତୁଣୀ, ଗଢିଜାଣିଲେ ଘର ସୁନ୍ଦର, ବାହୁଡିବେ ମୋ ଜଗାବଳିଆ, ସାଥିରେ, ଓମ ଶାନ୍ତି ଓମ, ଆମ ଭିତରେ କିଛି ଅଛି ଓ ଶପଥ ଆଦି ଅନେକ ହିଟ୍ ଚଳଚ୍ଚିତ୍ର । ନିକଟରେ ସୀତାରାମଙ୍କ ବାହାଘର କଳିଯୁଗରେ ଚଳଚ୍ଚିତ୍ରରେ ମଧ୍ୟ ସେ ଅଭିନୟ କରିଥିଲେ । ପୁଅ ମୋର କଳାଠାକୁର ଚଳଚ୍ଚିତ୍ରରେ ମା’ ଭୂମିକାରେ ଅଭିନୟ କରି ଓଡ଼ିଆ ଚଳଚ୍ଚିତ୍ର ଜଗତର ମା’ର ମାନ୍ୟତା ପାଇଥିଲେ । ତାଙ୍କର ଶେଷ ଦର୍ଶନ ପାଇଁ କଟକସ୍ଥିତ ତାଙ୍କ ବାସଭବନରେ ଓଡ଼ିଆ ସିନେ ଜଗତର ବହୁ ବ୍ୟକ୍ତି ପହଂଚି ମରଶରୀରରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ତାଙ୍କ ମୃତ୍ୟୁଶଯ୍ୟା ନିକଟରେ ଅନିତାଙ୍କ ପୁତୁରା ତଥା ଚଳଚ୍ଚିତ୍ର ଅଭିନେତା ଆକାଶ ଦାସନାୟକ ମଧ୍ୟ ଉପସ୍ଥିତ ଥିଲେ ।

Share :