ଜେନି ପାଇଁ

ଜେନି ପାଇଁ

କାର୍ଲ ମାର୍କ୍ସ/ ଅନୁବାଦ ଜ୍ୟୋତି ନନ୍ଦ ୧ ଶବ୍ଦ ମିଛ, ଛାଇ ଶୂନ୍, ଏହାଠୁ ବେଶି କିଛି ନୁହଁ। ଚାରିଆଡୁ ଘନୀଭୂତ ହୋଇଉଠୁଛି ଜୀବନ, ମଝିରେ ତୁମର ମୃତ୍ୟୁ ଓ ଅବସାଦ, ମୋତେ ଉଠି ଛିଡା ହେବାକୁ ପଡିବ। ମୋର ସତ୍ତା ଯେ ଅସୀମ ଅନନ୍ତ? ଏଇ ପୃଥିବୀର ଯେତେ ଈର୍ଷାକାତର ଈଶ୍ବର, ତନ୍ନତନ୍ନ କରି ଦେଖିଛି ସମସ୍ତଙ୍କୁ, ମାନବିକ ଅଗ୍ନିରେ ଜ୍ବଳନ୍ତ ଓ ଅଫୁରନ୍ତ, ଅନନ୍ତକାଳ ଧରି ରୋଗିଣା ପୃଥିବୀ, ସୁନେଲି ଉଜ୍ଜଳତା ଆଉ ଶବ୍ଦଙ୍କୁ ସାଥିରେ ଧରି ପ୍ରେମିକମାନଙ୍କୁ ଦେଖାକରେ। ଯଦି ବାସନା ତୀବ୍ର ହୁଏ, ବର୍ଣ୍ଣଛଟାରେ ଝଲମଲ, ଦୃଢ, ଆତ୍ମାର ବିଧୁର ବିଚ୍ଛୁରଣରେ ତୁମର ପୃଥିବୀର କବାଟ ଖୋଲିବ, ଅପସରି ଯିବ ମୃତ୍ୟୁଭୟ। ତୁମକୁ ବାଦ୍ ଦେଇ ଜନ୍ମନେବ ଆରେକ ପୃଥିବୀ। ୨ ଜେନି କୁତୁକୁତୁ କଲେ ହୁଏତ ଜାଣିପାର କାହିଁକି ମୋହର ଗୀତ, ଜେନି ଉଦ୍ଦେଶ୍ୟରେ, ଗାଉଛି ମୁଁ? ଯେତେବେଳେ ତୁମ ସଂଗେ ଏକା ଅଛି ମୋର ହୃତସ୍ପନ୍ଦନ ବଢିଯାଏ, ଯେତେବେଳେ ମୋ ଗୀତ ନିଃସଙ୍ଗ ବିଷାଦେ ଭରା, ମୋ ହୃଦୟକୁ ଉଦ୍ଦୀପ୍ତ କର ତୁମେ ସେତେବେଳେ, ଯେତେବେଳେ ତୁମ ନାଆଁର ପ୍ରତିଟି ଅକ୍ଷର ଉଚ୍ଚାରଣ କରେ ଯେତେବେଳେ ତୁମେ ଗୀତର ସ୍ବରଲିପିକୁ କରୁଥାଅ ଅଧିକ ମଧୁର। ତୁମର ନାଆଁଟି ପ୍ରିୟ ବୋଲି ଈଶ୍ବରୀର ନିକଟରୁ ଭାସି ଆସେନାହିଁ ନିଃଶ୍ବାସ ବାୟୁ ଓ ନିକ୍ବଣ, ତୁମ ନାଆଁର ବର୍ଣ୍ଣଛଟା କେତେ କ’ଣ କହେ, ଗଭୀର, ମଧୁର, ଧ୍ବନିମୟ, ସୁଦୂରରେ କଂପମାନ ଆତ୍ମା ଭଳି ସଂଗୀତ ସେ, ଅବାକ୍ କରା ଯାଦୁମୟ ଦୂରତ୍ବରୁ ଶୁଭେ। (କାର୍ଲ ମାର୍କ୍ସ ଭଳି ପୃଥିବୀ ପ୍ରସିଦ୍ଧ ଚିନ୍ତକର ଜନ୍ମର ଦୁଇଶହ ବର୍ଷ ହୋଇଗଲାଣି। କବି ହିସାବରେ ମାର୍କ୍ସଙ୍କୁ କେହି କେବେ ବିଚାର କରିବ ନାହିଁ। ବରଂ ଏହି ଜଟିଳ ଚିନ୍ତକ ଜଣକ ଯେ କବିତା ବି ଲେଖିଛି ସେ କଥା ଅନେକଙ୍କୁ ଆଶ୍ଚର୍ଯ୍ୟ କରିପାରେ। କବି ମାର୍କ୍ସ ନିହାତି ସ୍ବଳ୍ପାୟୁ ହେବେ ସତ। କିନ୍ତୁ ଏଇ କାବ୍ୟିକତାକୁ ବିଚାର କଲେ ଏହି ବିଶ୍ବବିଖ୍ୟାତ ଚିନ୍ତକ ଜଣକ ଗଭୀର ଓ ଯଥେଷ୍ଟ ରୋମାଣ୍ଟିକ। ରୋମାଣ୍ଟିକ ଭାବ ସହ ସେ କବିତାରେ ଏକ ଆଧିଭୌତିକ ବାସ୍ତବତାକୁ ପ୍ରାଧାନ୍ୟ ଦେଇଛନ୍ତି। ଏଇଟି ଏକ ଲଘୁ ମନ୍ତବ୍ୟ। ମାର୍କ୍ସଙ୍କ କବିତାର ଅନୁବାଦ କରିବା ଦ୍ବାରା ମୁଁ ନିଜେ ମୋର ପରାଜୟକୁ ସ୍ବୀକାର କଲା ଭଳି କାମଟି ହେଲା। ମୁଁ ସାଧାରଣତଃ ଟିକିଏ କବି-ବିଦ୍ବେଷୀ। କିନ୍ତୁ ମାର୍କ୍ସଙ୍କ କବିତା ପଢିବା ପରେ ଲାଗୁଛି ରୋମାଣ୍ଟିସିଜମ୍ ଟି ଗଦ୍ୟ ଅପେକ୍ଷା ପଦ୍ୟରେ ବେଶି ପ୍ରକାଶିତ ହୋଇପାରେ। ସେଇଥି ପାଇଁ ସମସ୍ତେ କବି ହୁଅନ୍ତି। ସିଧା କହିଲେ କୌଣସି ପ୍ରେମାସ୍ପଦାର ପ୍ରତ୍ୟାଖ୍ୟାନର ଭୟ ଅଛି ଯେ! କବିତା ତ ବୁଲେଇ ବଂକେଇ କହିବାର ନିରାପଦ ଦୁର୍ଗ ବିଶେଷ। କାର୍ଲ ମାର୍କ୍ସଙ୍କ ଭଳି ଲୋକ ଯଦି କବିତା ଆଶ୍ରା ନେଇଥିଲା ତେବେ ଆମେ କେଉଁ ଗାଈର ଗୋବର ଯେ!)

Share :