ପାରଳାରେ ସୂର୍ଯ୍ୟ-ଚନ୍ଦ୍ର ଯୋଡ଼ି!

ପାରଳାରେ ସୂର୍ଯ୍ୟ-ଚନ୍ଦ୍ର ଯୋଡ଼ି!

Share :

ହେମାଙ୍ଗ ପ୍ରସାଦ ରାଉଳ ସୂର୍ଯ୍ୟ ଓ ଚନ୍ଦ୍ରଙ୍କ ଯୋଡ଼ିକୁ ନେଇ ବର୍ତ୍ତମାନ ବ୍ରହ୍ମପୁର ସଂସଦୀୟ କ୍ଷେତ୍ରର ଲୋକେ ଦ୍ୱନ୍ଦ୍ୱରେ ପଡ଼ିଛନ୍ତି । ବିଶେଷ କରି ପାରଳାଖେମୁଣ୍ଡି ବିଧାନସଭା ନିର୍ବାଚନମଣ୍ଡଳୀର ଲୋକେ ଅଧିକ ଦ୍ୱନ୍ଦ୍ୱରେ ଅଛନ୍ତି । ଆମେ କହୁଛୁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଚନ୍ଦ୍ରଶଖେର ସାହୁ ଏବଂ ପାରଳାଖେମୁଣ୍ଡି ବିଧାୟକ କେ. ସୁରିଆ ରାଓଙ୍କ କଥା । ଏହି ଦୁଇଜଣ ବିଭିନ୍ନ ସ୍ଥାନରେ ଏକାଠି ବସିବା ଏବଂ ଆଲୋଚନା କରିବା ରାଜନୀତିରେ ରୁଚି ରଖୁଥିବା ଲୋକଙ୍କ ପାଇଁ ମୁଖ୍ୟ ଆଲୋଚନାର ବିଷୟ ହୋଇଛି । ଅବଶ୍ୟ ଏମାନେ ଗୋଟିଏ ଦଳରେ ଥିବା ବେଳେ ଏହା ସ୍ୱାଭାବିକ ଥିଲା । କିନ୍ତୁ ଚନ୍ଦ୍ରଶେଖରଙ୍କ ଦଳବଦଳ ପରେ ଏହାକୁ ନେଇ ଅଧିକ ଆଲୋଚନା ହେଉଛି । ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଚନ୍ଦ୍ରଶେଖର ସାହୁ ବର୍ତ୍ତମାନ କଂଗ୍ରେସ ଛାଡ଼ି ହାତରେ ଶଙ୍ଖ ଧରି ଫୁଙ୍ଖୁଛନ୍ତି । ପାରଳାଖେମୁଣ୍ଡି ବିଧାୟକ କେ. ସୂରିଆ ରାଓ ଯଦିଓ କଂଗ୍ରେସରେ ରହିଛନ୍ତି କିନ୍ତୁ ଗତ କିଛି ଦିନ ହେଲା ସେ ତାଙ୍କ ହାତରେ ଶଙ୍ଖ ଧରିବା ପାଇଁ ତତ୍ପର ଥିବା ଚର୍ଚ୍ଚା ହେଉଛି । ଏହି ସମୟରେ ଉଭୟ ନେତା ଏକାଠି ବସିବା, ତାହା ପୁଣି ଗୋଷାଣି ବ୍ଲକ ବିଜେଡି ସଭାପତିଙ୍କ ବ୍ୟବସାୟିକ ପ୍ରତିଷ୍ଠାନ ନିକଟରେ, ସମସ୍ତଙ୍କୁ ଆଲୋଚନା କରିବାକୁ ଏକ ପ୍ରକାର ବାଧ୍ୟ କରିଛି । ସେଠାରେ ସ୍ଥିତି ଏପରି ହୋଇଥିଲା ଯେ, କିଏ ଖୋଲାଖୋଲି ଫଟୋ ଉଠାଇ ଏହାର ମଜା ନେଉଥିଲେ ତ କିଏ ଲୁଚି ଲୁଚି ଫଟୋ ବାହାର କରି ସମୟ ଆସିଲେ ପାନେ ଦେବା ପାଇଁ ଜଗି ରହିଛନ୍ତି । ଘଟଣାଟି ଥିଲା ଏହିପରି । ଗଜପତି ଜିଲ୍ଲା ଗୋଷାଣି ବ୍ଲକ ଗୁରାଣ୍ଡି ଗାଁର ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ବେଳେ ଗୁରୁବାର ଉଭୟ ନେତା ତାଙ୍କ ପରିବାରକୁ ଶଙ୍ଖୁଳିବାକୁ ପହଂଚିଥିଲେ । ପୂର୍ବ ପ୍ରସ୍ତୁତି ହେଉ କି ଅଚାନକ ହେଉ ଉଭୟ ଏକା ସମୟରେ ସେଠାରେ ପହଂଚିବା ସମାଲୋଚକଙ୍କ ପାଇଁ ମୁଖ୍ୟ ବିଷୟ ଥିଲା । ଏହା ପରେ ଉଭୟ ନେତା ଗୋଷାଣି ବ୍ଲକ ବିଜେଡି ସଭାପତି ଉମାଶଙ୍କର ପାତ୍ରଙ୍କ ଦୋକାନ ନିକଟରେ ବସି ବେଶ କିଛି ସମୟ ହସଖୁସିରେ ଗପସପ କରିଥିଲେ । ଏହାକୁ ନେଇ ବର୍ତ୍ତମାନ ପାରଳାଖେମୁଣ୍ଡି କଂଗ୍ରେସ କର୍ମୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ଚନ୍ଦ୍ର ତ ଗଲେ । ତାଙ୍କ ସହ ଗଜପତିର ଗୋଟିଏ ହେଲେ କର୍ମୀ କିମ୍ବା ନେତା ଦଳ ଛାଡି ନଯିବା ହିଁ ସ୍ପଷ୍ଟ କରୁଛି ଯେ, ତାଙ୍କ ପ୍ରତି କଂଗ୍ରେସ ନେତାଙ୍କ ସମର୍ଥନ କ’ଣ । ତେବେ ପୂର୍ବରୁ ଶଙ୍ଖ ଫୁଙ୍କିବା ପାଇଁ ସଜବାଜ ହେଉଥିବା ସୂରିଆ ବର୍ତ୍ତମାନ ସୁଦ୍ଧା ଦଳ ଛାଡି ନଥିବା ବେଳେ କେତେବେଳେ ସେ ଦଳର ହାତ ଛାଡ଼ିବେ ତାହା ଉପରେ ସମସ୍ତେ ନଜର ରଖିଛନ୍ତି । ଏହି ସମୟରେ ଜଣେ ବିଜେଡି ନେତାଙ୍କ ଦୋକାନ ପାଖରେ ଏବଂ ଅଧିକାଂଶ ବିଜେଡି କର୍ମୀଙ୍କ ଗହଣରେ ଉଭୟ ନେତା ଏକାଠି ହୋଇ ଗପିବା ବର୍ତ୍ତମାନ ମୁଖ୍ୟ ଆଲୋଚାର ବିଷୟ । ଚନ୍ଦ୍ରଶେଖର ଦଳ ବଦାଇଥିଲେ ମଧ୍ୟ ପୁରୁଣା ଦଳ କିମ୍ବା ନେତାଙ୍କୁ ଛାଡ଼ି ପାରୁନାହାନ୍ତି ବୋଲି କିଛି କହୁଥିବା ବେଳେ ଆଉ କିଛି ସୂରିଆଙ୍କ ପାଇଁ ବିଜେଡିରେ ସ୍ଥାନ ସୃଷ୍ଟି କରୁଥିବା ଚନ୍ଦ୍ରଙ୍କ ସହ ଭଲ ସଂପର୍କ ରଖିବା ପାଇଁ ପାରଳା ବିଧାୟକ ଉଚିତ ମଉଥିବା କହୁଛନ୍ତି । ତେବେ କିଏ କାହା ପଟକୁ ଢଳୁଛି ତାହା ଏଯାଏଁ ସ୍ପଷ୍ଟ ହୋଇପାରିନାହିଁ ।

Share :