ପଲିଥିନ ସ୍ତୁପ ବ୍ରହ୍ମପୁର!

ପଲିଥିନ ସ୍ତୁପ ବ୍ରହ୍ମପୁର!

Share :

ହେମାଙ୍ଗ ପ୍ରସାଦ ରାଉଳ ସୁବିଧାର ସହ ଖସି ପକାଇବାର ବାଟ ତ ଅନେକ କିନ୍ତୁ ଏଇ ସୁବିଧାର ବ୍ୟବସ୍ଥା ଭିତରେ ପରିବେଶ ଓ ପରିପାଶ୍ୱିର୍କ ସ୍ଥିତିରେ ଯେଉଁ ଚିତ୍ର ଉଠି ଆମକୁ ସମସ୍ୟା ଭିତରକୁ ଟାଣିନିଏ ତା’ର ସମାଧାନ କରିବ କିଏ? ଲକ୍ଷଲକ୍ଷ ଲୋକଙ୍କ ସହରର ଗଳି ଭିତରେ ପ୍ରତି ନାଳ ନର୍ଦ୍ଦମା ଡ଼୍ରେନରେ ପଲିଥିନ ଜରିର ରାଜୁତି କିଏ ଅଟକାଇବ? ସହରରେ ମଣିଷମାନେ ନିଜ ନିଜ ଘରକୁ ସଜାଇ ଚାକଚକ୍ୟ ଆଭିଜାତ୍ୟ ସଭ୍ୟ ଶିକ୍ଷିତର ସଂଦେଶ ଦିଅନ୍ତି କିନ୍ତୁ ନିଜର ଦାଣ୍ଡ ତଳର ଡ଼୍ରେନ ଭିତରେ ପୋତି ହୋଇଯାଏ ନାଳନର୍ଦ୍ଦମାର ପାଣି । ଏହାର କାରଣ ମାତ୍ର ପଲିଥିନ ଜରି । ବ୍ରହ୍ମପୁର ମହାନଗର ସବୁଠାରୁ ଭୟାନକ ଚିତ୍ର ଦେଇଛି ସାମାନ୍ୟ ବର୍ଷାରେ ନାଳନର୍ଦ୍ଦମାର ପାଣି ସହର ରାସ୍ତାରେ ବନ୍ୟାଜଳ ପରି ଭାସିବା । ମହାନଗରର ସ୍ୱାସ୍ଥ୍ୟ ବିଭାଗ ଅତୀତରେ ସଂସ୍କାରମୂଳକ ସଂଦେଶ ଦେବାକୁ ଯାଇ ହୋଟେଲ୍, ଦୋକାନ, ମଲ, ଫାଷ୍ଟଫୁଡ଼୍ ସେଣ୍ଟର, କିରାଣୀ ଦୋକାନ, ପରିବା ବ୍ୟବସାୟୀଙ୍କୁ ଆକ୍ରମଣାତ୍ମକ ହେଲା ପରି ଶବଦ କରି ପଲିଥିନ ଜରିମୁକ୍ତ କରିବାକୁ ନିର୍ଦ୍ଦେଶ ଦେବା ସହ ଚଢ଼ାଉ କରିଲା । ମାସେ ଦୁଇମାସର ଏପ୍ରକାର ପ୍ରବାହ ସ୍ରୋତରେ ପ୍ରଶାସନିକ ବିଚାରକୁ ମାନିନେଇ ହଟିଗଲା ପଲିଥିନ ଜରି । କିନ୍ତୁ ପୁନଶ୍ଚ ବିପୁଳ ପଲିଥିନ ଜରିର ରାଜୁତି ଚାଲିଛି ସହରର କୋଣ ଅନୁକୋଣରେ । ସ୍ୱଚ୍ଛତାର ସଂଦେଶ ଦେଇ ଯେଉଁ ସହରରେ ଏକ ରାହାଗିରି କାର୍ଯ୍ୟକ୍ରମ ପ୍ରତି ରବିବାର ଦିନ ଆୟୋଜନ କରି ଲକ୍ଷଲକ୍ଷ ଟଙ୍କା ବିଗତ ଗ୍ରୀଷ୍ମ ଅବକାଶରେ କରାଯାଇଥିଲା ସେଇ ସଂଦେଶ ରୂପକ କାର୍ଯ୍ୟକ୍ରମ ନିଷ୍ପ୍ରଭ । ସହରରେ ସଚେତନତା ପାଇଁ ସ୍ୱାସ୍ଥ୍ୟ ଶିକ୍ଷା, ପରିବେଶକୁ ନେଇ ଅନେକ ଆଲୋଚନା ଚକ୍ର । ଅନେକ ବୁଦ୍ଧିଜୀବୀ, ସମାଜସେବୀ, ସଂଗଠକ ମାଡ଼ି ବସନ୍ତି ପଥରୁ ସଭାକକ୍ଷ ଯାଏଁ ଗଳାଫଟାଇ କହି ଚାଲନ୍ତି ଅନର୍ଗର୍ଳ । ପିଲାଙ୍କ ଭିତରେ ପ୍ରତିଯୋଗିତା ପ୍ରବନ୍ଧ, ରଚନା ଓ ଚିତ୍ରାଙ୍କନ ମଧ୍ୟ ହୁଏ ପଲିଥିନ ଜରିର ଆସନ୍ନ ବିପଦକୁ ନେଇ । ତର୍କହୁଏ । କିନ୍ତୁ ସଂଦେଶର ସକରାତ୍ମକ ବିଚାର କାହିଁକି ବଳି ପଡ଼ିଯାଏ ସହରବାସୀଙ୍କ ମନରେ ଏହା ଏକ ଅସମାହିତ ପ୍ରଶ୍ନ । ସହରରେ ବହୁ ବୁଦ୍ଧିଜୀବୀ, ପ୍ରଶାସନ, ସ୍ୱାସ୍ଥ୍ୟ ବିଭାଗ ତତ୍ପରତା ଦେଖାଇ ଖୋଜିବୁଲନ୍ତି ପଲିଥିନ ଜରିକୁ ବନ୍ଦ କରିବା ପାଇଁ କିନ୍ତୁ ଏହା ପ୍ରଭାବଶୂନ୍ୟ । ଛାତ୍ରଛାତ୍ରୀମାନେ ମଧ୍ୟ ସ୍କୁଲ କଲେଜରେ ତର୍କ କରନ୍ତି ତଥାପି ପଲିଥିନ ବନ୍ଦ ହୁଏନି । ମଣିଷ ଗୋଟିଏ ଜ୍ଞାନୀ ଓ ସଚେତନ ପ୍ରାଣୀ । ସରକାର କେବଳ ଠିକା ନେଇନାହାନ୍ତି ସହରକୁ ସୁନ୍ଦର କରିବାକୁ ଆମକୁ ଆମର ନୈତିକ ଉତ୍ତରଦାୟିତ୍ୱ ମୁଣ୍ଡାଇ ଯେଉଁ ପର୍ଯ୍ୟନ୍ତ ସଚେତନ ନହୋଇବେ ଜରି ବନ୍ଦ ଅସମ୍ଭବ ।

Share :