ଆଉ ଚାନ୍ଦା ପାଇବେନି ମାଓବାଦୀ!

ଆଉ ଚାନ୍ଦା ପାଇବେନି ମାଓବାଦୀ!

Share :

ପିଆଇବି ଦେଶରେ ବାମପନ୍ଥୀ ଉଗ୍ରବାଦୀ କାର୍ଯ୍ୟକଳାପ ଲାଗି ଏହାର ନେତାମାନଙ୍କ ଦ୍ୱାରା ସନ୍ଦିଗ୍ଦ କାରବାର ଜରିଆରେ ପାଣ୍ଠିଯୋଗାଣ କରାଯାଇଆସୁଛି । ସରକାରୀ କାର୍ଯ୍ୟ ଏବଂ ଯୋଜନା କାର୍ଯ୍ୟକାରୀ କରୁଥିବା ଠିକାଦାର, ଖଣି ଘରୋଇ ଠିକାଦାର, ପରିବହନକାରୀ ଏବଂ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗର ମାଲିକମାନଙ୍କ ଠାରୁ ଚାନ୍ଦା ଆଦାୟ ଭଳି କାର୍ଯ୍ୟ ଏଥିରେ ସାମିଲ ରହିଛି । ସେହିପରି ଅଣ ନିର୍ଦ୍ଧାରିତ କ୍ଷେତ୍ରରେ ଖଣିଜ ଖନନ, ବେଆଇନ ପଥର ଖନନ ଏବଂ ‘ତେନ୍ଦୁ ପଟ୍ଟା’ ମାଧ୍ୟମରେ ଅର୍ଥସଂଗ୍ରହ ମଧ୍ୟ କରାଯାଉଅଛି । ସଂଗ୍ରହ କରାଯାଉଥିବା ଏହି ଅର୍ଥର ସିଂହଭାଗକୁ ବାଟମାରଣା କରାଯାଇ ଏହାର ନେତାମାନଙ୍କ ବ୍ୟକ୍ତିଗତ ସମ୍ପତି ବୃଦ୍ଧିରେ ବିନିଯୋଗ ହେଉଛି । ନେତାଙ୍କ ପରିବାର ବିଳାସପୂର୍ଣ୍ଣ ଜୀବନ ଅତିବାହିତ କରୁଛନ୍ତି ଏବଂ ସେମାନଙ୍କ ପିଲାମାନେ ଶ୍ରେଷ୍ଠ ଶିକ୍ଷା ଲାଭ କରୁଛନ୍ତି । କିନ୍ତୁ ମିଥ୍ୟା ଆଦର୍ଶ ନାଁରେ କ୍ୟାଡର ଓ ସମର୍ଥକଙ୍କୁ ପଥଭ୍ରଷ୍ଟ କରାଯାଇ ସେମାନଙ୍କୁ ଜଙ୍ଗଲରେ ଛାଡ଼ିଦିଆଯାଉଛି । ବାମପନ୍ଥୀ ଉଗ୍ରବାଦୀ ଆନ୍ଦୋଳନର ଆର୍ଥିକ ଜୀବନରେଖାକୁ ବନ୍ଦ କରିବା ଏବଂ ମାଓବାଦୀ ନେତାମାନଙ୍କ ସମ୍ପତି ଜବତ/ବ୍ୟାଜାପ୍ତି ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ କେତେକ ପଦକ୍ଷେପ ନେଇଛନ୍ତି । କେନ୍ଦ୍ରୀୟ ଏଜେନ୍ସି ଏବଂ ରାଜ୍ୟ ପୋଲିସର ଅଧିକାରୀମାନଙ୍କୁ ନେଇ ବହୁମୁଖୀ ଗୋଷ୍ଠୀ ଗଠନ କରାଯିବ । ଏହାର ସଦସ୍ୟ ରହିବେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ, ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟ, ରାଜ୍ୟ ଗୁଇନ୍ଦା ବିଭାଗ ଏବଂ ସିଆଇଡି, ସିବିଡିଟି, ଏନଆଇଏ, ସିବିଆଇର ପ୍ରତିନିଧି । ବ୍ୱପନ୍ଥୀ ଉଗ୍ରବାଦ ସହ ଜଡ଼ିତ ମାମଲାଗୁଡ଼ିକର ତଦନ୍ତ ଲାଗି ଏନଆଇଏରେ ଏକ ଭିନ୍ନ ବିଭାଗ ଗଠନ କରିବା ଲାଗି ପ୍ରକ୍ରିୟା ଆରମ୍ଭ କରାଯାଇଛି । କେନ୍ଦ୍ରୀୟ ସଂସ୍ଥା (ଇଡି, ଏନଆଇଏ, ଆଇବି) ଏବଂ ରାଜ୍ୟ ସଂସ୍ଥାଗୁଡ଼ିକ ନିଜ ଭିତରେ ସମନ୍ୱୟ ରକ୍ଷା କରୁଛନ୍ତି ଏବଂ ନିୟମିତ ବୈଠକ ଆୟୋଜନ କରୁଛନ୍ତି । କାର୍ଯ୍ୟାନୁଷ୍ଠାନ ଯୋଗ୍ୟ ଗୁଇନ୍ଦା ସୂଚନା ଏକତ୍ର କରିବା ଲାଗି ଏସବୁ ସଂସ୍ଥା ଦ୍ୱାରା ନିଆଯାଉଥିବା ବ୍ୟାପକ ପଦକ୍ଷେପ ଫଳରେ ଏ ଦିଗରେ ଆଶାନୁରୂପ ପ୍ରଗତି ହାସଲ ହୋଇପାରିଛି । ତଦନ୍ତରୁ ଜଣାପଡ଼ିଛି ଯେ ବିହାର ଝାଡ଼ଖଣ୍ଡ ସ୍ୱତନ୍ତ୍ର ଏରିଆ କମିଟି (ବିଜେଏସଏସି) ସଦସ୍ୟ ପ୍ରଦ୍ୟୁମ୍ନ ଶର୍ମା ୨୦୧୭ରେ ଏକ ଘରୋଇ କଲେଜରେ ନିଜ ଭାଣିଜୀଙ୍କ ନାମ ଲେଖା ପାଇଁ ୨୨ ଲକ୍ଷ ଟଙ୍କା ଦେଇଛନ୍ତି । ସରକାରଙ୍କ ବିମୁଦ୍ରୀକରଣ ସମୟରେ ବିଜେଏସଏସିର ଅନ୍ୟ ଜଣେ ସଦସ୍ୟ ସନ୍ଦୀପ ଯାଦବ ୧୫ ଲକ୍ଷ ଟଙ୍କା ବଦଳାଇଥିଲେ । ଅଚଳ ହୋଇଯାଇଥିବା ନୋଟ ବିନିମୟ କରିଥିବା ଜଣେ ବ୍ୟବସାୟୀ ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ଏଭଳି ଅନେକ ଖବର ବାମପନ୍ଥୀ ଉଗ୍ରବାଦୀ ନେତାଙ୍କ ଅସଲ ମୁଖା ଖୋଲି ଦେଇଛି । ସନ୍ଦୀପ ଯାଦବଙ୍କ ପୁଅ ଏକ ନାମକରା ଘରୋଇ ସଂସ୍ଥାନ ଏବଂ ଝିଅ ଏକ ନାମକରା ଘରୋଇ ଇଞ୍ଜିନିଅରିଂ କଲେଜରେ ପଢ଼ୁଛନ୍ତି । ସେହିପରି ଆଉ ଜଣେ ବରିଷ୍ଠ ନେତା ଅରବିନ୍ଦ ଯାଦବ ଏକ ଘରୋଇ କଲେଜରେ ନିଜ ଭାଇଙ୍କ ପଢ଼ିବା ପାଇଁ ୧୨ ଲକ୍ଷ ଟଙ୍କାର ଫି’ ଦେଇଛନ୍ତି । ଏହି ତଥ୍ୟକୁ ମଧ୍ୟ ଏଡ଼ାଇ ଦିଆଯାଇପାରିବ ନାହିଁ ଯେ ସିପିଆଇ (ମାଓବାଦୀ) ସଂଗଠନ ବଳପୂର୍ବକ ଶିଶୁ କିଶୋରମାନଙ୍କୁ ସେମାନଙ୍କ ସଂଗଠନରେ ସାମିଲ କରୁଛି । ରାସ୍ତା କାମ ହେଉ କି ମୋବାଇଲ ଟାୱାର ସଂଯୋଗ - ଦୃଢ଼ ଭାବେ ସମସ୍ତ ବିକାଶମୂଳକ କାର୍ଯ୍ୟରେ ବାଧକ ସାଜୁଛି ଏହି ସଂଗଠନ । ତେବେ ସେମାନଙ୍କ ପିଲାଏବଂ ପରିବାରକୁ ଯୋଗାଇ ଦେଉଥିବା ଶିକ୍ଷା ଏବଂ ଅନ୍ୟାନ୍ୟ ସୁବିଧାରୁ ସେମାନଙ୍କ ଦୋମୁହାଁ ନୀତି ପଦାରେ ପଡ଼ିଛି । ବେଆଇନ ଅର୍ଥ କାରବାର ନିଷେଧ ଆଇନ ଅଧୀନରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ସିପିଆଇ (ମାଓବାଦୀ) ବିହାର ଝାଡ଼ଖଣ୍ଡ ସ୍ୱତନ୍ତ୍ର ଏରିଆ କମିଟି (ବିଜେଏସଏସି)ର ସନ୍ଦୀପ ଯାଦବ ଓରଫ ବିଜୟ ଯାଦବ, ପ୍ରଦ୍ୟୁମ୍ନ ଶର୍ମା, ବିନୟ ଯାଦବ ଏବଂ ମୁସାଫିର ସାହାନୀଙ୍କ ବିରୋଧରେ ୪ଟି ମାମଲା ପଞ୍ଜିକରଣ କରାଯାଇଛି । ସନ୍ଦୀପ ଯାଦବ ଓରଫ ବିଜୟ ଯାଦବ ଏବଂ ପ୍ରଦ୍ୟୁମ୍ନ ଶର୍ମାଙ୍କ ୧.୫ କୋଟି ଟଙ୍କା ମୂଲ୍ୟର ସମ୍ପତି ସରକାରଙ୍କ ଅଧୀନକୁ ଅଣାଯାଇଛି । ବେଆଇନ କାରବାର (ନିଷେଧ) ଆଇନର ଧାରା ୨୫ ଅଧୀନରେ ବିହାର ଏବଂ ଝାଡ଼ଖଣ୍ଡରେ ପାଖାପାଖି ୧.୪୫ କୋଟି ଟଙ୍କାର ନଗଦ, ୩୨ ଏକର ଜମି, ବିଭିନ୍ନ କୋଠା, ୨ଟି ବସ, ୧୧ଟି କାର/ଜିପ, ୦୨ଟି ଟ୍ରାକ୍ଟର ଏବଂ ୧ ଜେସିବି ଜବତ କରାଯାଇଛି । ବିମୁଦ୍ରୀକରଣ ସମୟରେ ୧ କୋଟି ଟଙ୍କାର ନଗଦ ଜବତ ହୋଇଥିଲା । ବାମପନ୍ଥୀ ଉଗ୍ରବାଦକୁ ଇନ୍ଧନ ଯୋଗାଉଥିବା ପାଣ୍ଠି ଯୋଗାଣକୁ ବନ୍ଦ କରିବା ଲାଗି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଏବଂ ଅନ୍ୟ ସରକାରୀ ସଂସ୍ଥା ପକ୍ଷରୁ ଆରମ୍ଭ କରାଯାଇଥିବା ଲକ୍ଷ୍ୟବଦ୍ଧ ଅଭିଯାନ ଆଗକୁ ମଧ୍ୟ ଦୀର୍ଘସମୟ ପର୍ଯ୍ୟନ୍ତ ଜାରି ରହିବ ।

Share :