ଶିଳ୍ପପତିଙ୍କ ଜମି ଦଲାଲ ଇଡ଼କୋ!

ଶିଳ୍ପପତିଙ୍କ ଜମି ଦଲାଲ ଇଡ଼କୋ!

Share :

ଯାଜପୁର ପ୍ରତିନିଧି ଶିଳ୍ପ ସଂସ୍ଥାଙ୍କ ପାଇଁ ଇଡ଼କୋ ସାଜିଛି ଜମି ଦଲାଲ । ଆଉ ଏହି ଦଲାଲି ଜରିଆରେ ଲାଭ କମାଉଛି କୋଟିକୋଟି ଟଙ୍କା । ଯାଜପୁର ଜିଲ୍ଲା କଳିଙ୍ଗନଗରରେ ଏହିପରି ଦଲାଲି କରି ଇଡ଼କୋ ପ୍ରାୟ ୯୦ କୋଟି ଟଙ୍କାର ମୁନାଫା ଅର୍ଜନ କରିଥିବାବେଳେ ଜମି ହରାଇଥିବା ଚାଷୀ ଓ ଆଦିବାସୀମାନେ ଏବେ ବି ଏହା ବିରୋଧରେ ଆନ୍ଦୋଳନ କରୁଛନ୍ତି । ଦ୍ୱିତୀୟ ଇସ୍ପାତ କାରଖାନା ନିମନ୍ତେ ୧୯୯୦ ମସିହାରୁ ସୁକିନ୍ଦା ନିର୍ବାଚନ ମଣ୍ଡଳୀର ଚାଷୀଙ୍କଠାରୁ ଅଧିଗ୍ରହଣ କରାଯାଇଥିବା ଜମିକୁ ଶିଳ୍ପସଂସ୍ଥାକୁ ବିକ୍ରି କରି ଓଡ଼ିଶା ଇଣ୍ଡଷ୍ଟ୍ରିଆଲ ଇନଫ୍ରାଷ୍ଟ୍ରକ୍‍ଚର ଡେଭଲମେଣ୍ଟ କର୍ପୋରେସନ ବା ଇଡ଼କୋ ଶହେ କୋଟି ଟଙ୍କାର ମୁନାଫା ଅର୍ଜନ କରିଛି । ଅଧିଗ୍ରହଣ କରିଥିବା ଜମି ବାବଦରେ ଚାଷୀଙ୍କୁ ୫୧ କୋଟି କୋଟି ଟଙ୍କା ଦେଇ ସେଇ ଜମିକୁ ଶିଳ୍ପ ସଂସ୍ଥାକୁ ଇଡ଼କୋ ୧୫୦ କୋଟି ଟଙ୍କାରେ ବିକ୍ରି କରିଛି । ଦାନଗଦୀ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ନିଜର ହକ୍ ପାଇଁ ୨୮ ମାସ ହେଲା ଧାରଣାରେ ବସିଥିବା ଚାଷୀ ସୁରକ୍ଷା ସଂଘ ପକ୍ଷରୁ ଏପରି ଅଭିଯୋଗ କରାଯାଇଛି । ବିସ୍ତୃତ ତଥ୍ୟ ଉପସ୍ଥାପନ କରି ସଂଘର ପ୍ରତିନିଧି ମାନେ କହିଛନ୍ତି ୧୯୯୦ ମସିହା ପରଠୁ ପର୍ଯ୍ୟାୟକ୍ରମେ ଦୈତାରୀଠାରେ ପୂର୍ଣ୍ଣାଙ୍ଗ ଶିଳ୍ପାଂଚଳ ବିକାଶ ସହିତ ଦ୍ୱିତୀୟ ଇସ୍ପାତ କାରଖାନା, ତୈଳ ବିଶୋଧନାଗାର, ତୈଳରସାୟନ ଏବଂ ଆନୁସଙ୍ଗିକ ଶିଳ୍ପ ଇତ୍ୟାଦି ପ୍ରତିଷ୍ଠା ନିମନ୍ତେ ସୁକିନ୍ଦା ନିର୍ବାଚନ ମଣ୍ଡଳୀର ଦାନଗଦୀ ଓ ସୁକିନ୍ଦା ତହସିଲ ଅଞ୍ଚଳରୁ ୯୨୯୨.୨୬୦ ଏକର ଜମି ଅଧିଗ୍ରହଣ କରାଯାଇଛି । ତନ୍ମଧ୍ୟରେ ୪୧୭୪.୫୪୬ ଏକର ସରକାରୀ ଜମି ଥିବାବେଳେ ଘରୋଇ ଚାଷୀଙ୍କର ୫୧୧୭.୭୧୪ ଏକର ଜମି ରହିଛି । ଜମି ଅଧିଗ୍ରହଣ କରାଯିବା ସମୟରେ ସରକାର ଚାଷୀମାନଙ୍କୁ ଏକର ପ୍ରତି ୧ ଲକ୍ଷ ଟଙ୍କା ଲେଖାଏଁ ଦେଇଥିବା ବେଳେ ସେଇ ଜମିକୁ ଇଡ଼କୋ ୧୦ଟି ଶିଳ୍ପ ଓ ଅନ୍ୟାନ୍ୟ ସଂସ୍ଥାକୁ ଏକର ପିଛା ୧ ଲକ୍ଷରୁ ଆରମ୍ଭ କରି ୩ ଲକ୍ଷ ୩୫ ହଜାର ଟଙ୍କା ଦରରେ ବିକ୍ରି କରିଛି । ବିକ୍ରି ବାବଦରେ ଇଡ଼କୋ ୧୪୦ କୋଟି ଟଙ୍କା ପାଇଥିବା ବେଳେ ଚାଷୀମାନେ ପାଇଛନ୍ତି ମାତ୍ର ୫୧ କୋଟି ଟଙ୍କା । ସଂଘର ଅଭିଯୋଗ ଅନୁସାରେ ଦ୍ୱିତୀୟ ଇସ୍ପାତ କାରଖାନା ନିମନ୍ତେ ଜମି ଅଧିଗ୍ରହଣ ହୋଇଥିଲେ ହେଁ ଏହି ଜମି ଉପରେ ଏକମାତ୍ର ସରକାରୀ ଶିଳ୍ପ ନୀଳାଚଳ ଇସ୍ପାତ କାର୍ଯ୍ୟ କରୁଛି । ବାକି ଜମି ଉପରେ ଅନ୍ୟ ୯ଟି ଘରୋଇ ଶିଳ୍ପ ଗଢିଉଠିଛି । ଦ୍ୱିତୀୟ ଇସ୍ପାତ କାରଖାନା ପାଇଁ ଜମି ଅଧିଗ୍ରହଣ କରି ତାହାକୁ ଘରୋଇ ଶିଳ୍ପସଂସ୍ଥାକୁ ଦିଆଯିବା କେଉଁ ଆଇନ ଅନୁସାରେ ହୋଇଛି ବୋଲି ସଂଘ ପ୍ରଶ୍ନ ଉଠାଇଛି । ସଂଘ ଦେଇଥିବା ତଥ୍ୟ ଅନୁସାରେ ଇଡ଼କୋ ଦୁଇଟି କିସ୍ତିରେ ବିକ୍ରୀ କରିଥିବା ଉପରୋକ୍ତ ସରକାରୀ ଓ ବେସରକାରୀ ଜମି ମଧ୍ୟରୁ ନୀଳାଚଳ ଇସ୍ପାତ ଖୁରୁଣ୍ଟି, ନୂଆଗାଁ, ବାରଗାଡ଼ିଆ, ଗୋବରଘାଟି ଓ ସାରଙ୍ଗପୁରରୁ ୨୫୦୦ ଏକର ନେଇଛି । ସେଥିମଧ୍ୟରେ ବେସରକାରୀ ଜମି ୪୪୭.୧୨୦ ଏକର ରହିଛି । ନୀଳାଚଳ ଏକ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ହୋଇଥିବାରୁ ଚାଷୀଙ୍କଠାରୁ ଯେଉଁ ମୂଲ୍ୟରେ ଜମି ଖର୍ଦ୍ଦି କରାଯାଇଥିଲା ସେଇ ମୂଲ୍ୟ ଅର୍ଥାତ ଏକର ପ୍ରତି ୧ ଲକ୍ଷ ଟଙ୍କା ଦରରେ ନୀଳାଚଳକୁ ଜମି ବିକ୍ରୀ କରାଯାଇଛି । କିନ୍ତୁ ମଙ୍ଗଳପୁର, ଯଖପୁରା, କାଚହୁଡ଼ି ପ୍ରଭୂତି ଗ୍ରାମରେ କିଣିଥିବା ଜମି ପାଇଁ ଭିସାଷ୍ଟିଲ ଇଡ଼କୋକୁ ଏକର ପ୍ରତି ୧ ଲକ୍ଷରୁ ୩ ଲକ୍ଷ ୩୫ ହଜାର ଟଙ୍କା ଯାଏଁ ପ୍ରଦାନ କରିଛି । ସେହିପରି ଖୁରୁଣ୍ଟି, ଯଖପୁରା, ମଙ୍ଗଳପୁର, ଗାଡ଼ପୁର, କାଚହୁଡ଼ି, ଚାନ୍ଦିଆ ପ୍ରଭୃତି ମୌଜାରେ ଜିନ୍ଦଲ କମ୍ପାନୀ କାରଖାନା ବସାଇବା ନିମନ୍ତେ ଇଡ଼କୋଠାରୁ କିଣିଥିବା ୨୧୯.୯୮୦ ଏକର ଜମି ପାଇଁ ଏକର ପିଛା ୧ ଲକ୍ଷ ୬୫ ହଜାରରୁ ୩ ଲକ୍ଷ ୩୫ ହଜାର ଟଙ୍କା ଲେଖାଏଁ ପଇଠ କରିଛି । ସେହିପରି କେଜେ ଇସ୍ପାତ ଯଖପୁରା ଓ ମଙ୍ଗଳପୁର ପ୍ରଭୃତି ଅଞ୍ଚଳରେ ୩୩.୦୩୦ ଏକର ଚାଷଜମି ଖର୍ଦ୍ଦି କରିବା ବାବଦରେ ଏକର ପ୍ରତି ୧ ଲକ୍ଷ ୬୫ ହଜାରରୁ ୩ ଲକ୍ଷ ୩୫ ହଜାର ଟଙ୍କା ପ୍ରଦାନ କରିଛି । ଦିନବନ୍ଧୁ ଷ୍ଟିଲ ଓ ରୋହିତ ଫେରୋଟେକ୍ କମ୍ପାନୀ କାଚହୁଡ଼ି, ଦଶମାଣିଆ, ଚାନ୍ଦିଆ ଅଂଚଳରେ ଯଥାକ୍ରମେ ୨୭.୮୯୦ ଓ ୧୫.୦୮୦ ଏକର ଘରୋଇ ଜମି କିଣିବା ବାବଦରେ ଏକର ପ୍ରତି ୨ ଲକ୍ଷ ୩୦ ହଜାରରୁ ୩ ଲକ୍ଷ ୩୫ ହଜାର ଟଙ୍କା ଲେଖାଏଁ ଇଡ଼କୋକୁ ଦେଇଛନ୍ତି । କେବଳ ଦଶମାଣିଆ ଅଂଚଳରୁ ୭୫.୬୬୦ ଏକର ଘରୋଇ ଜମି ନେଇଥିବା ମଇଥାନ୍ ଇସ୍ପାତ ଏକର ପ୍ରତି ୩ ଲକ୍ଷ ୩୫ ହଜାର ଟଙ୍କା ଲେଖାଏଁ ଇଡ଼କୋକୁ ଦେଇଛି । ଏପରିସ୍ଥଳେ ନିର୍ମାଣାଧୀନ ଟାଟା ଷ୍ଟିଲ ନୂଆଗାଁ, ଗାଡ଼ପୁର, ଚାନ୍ଦିଆ, ଗୋବରଘାଟି, ଖୁରୁଣ୍ଟି ପ୍ରଭୃତି ମୌଜାରେ ନେଇଥିବା ମୋଟ ୨୪୯୯.୯୭୨ ଏକର ଘରୋଇ ଜମି ପାଇଁ ଚାଷୀମାନଙ୍କୁ ଏକର ପିଛା ୩ ଲକ୍ଷ ୩୫ ହଜାର ଟଙ୍କା ଲେଖାଏଁ ପ୍ରଦାନ କରିଛି । ଏହା ଉପରେ ଜମିହରାଙ୍କୁ ସନ୍ତୁଷ୍ଟ କରିବା ପାଇଁ ଟାଟା ଏକର ପିଛା ୩ ଲକ୍ଷରୁ ଅଧିକ ଟଙ୍କା ମଧ୍ୟ ପ୍ରଦାନ କରିଛି । ମେସର୍ସ ବ୍ରାହ୍ମଣୀ ରିଭର ପେଲେଟ୍‍, ଉତ୍ତମ ଗାଲ୍‍ଭା ଷ୍ଟିଲ, ଆପାଜୀ ଏୟାର ଲିକୁଡ଼ି, ବକ୍ ଇଣ୍ଡିଆ, ବ୍ରାଡ଼ି ଆଣ୍ଡ ମରିସ୍, ବିନାନୀ ସିମେଣ୍ଟ ଓ ଭିସା ବାୟୋ ଲିମିଟେଡ଼୍ ପ୍ରଭୃତି ଘରୋଇ ଶିଳ୍ପାନୁଷ୍ଠାନ ନେଇଥିବା ମୋଟ ୩୩୯.୯୨ ଏକର ଘରୋଇ ଜମି ବାବଦରେ ଇଡ଼କୋକୁ ୩ ଲକ୍ଷ ୩୫ ହଜାର ଟଙ୍କା ଲେଖାଏଁ ଦେଇଛନ୍ତି । ଏହା ବ୍ୟତିତ ପାଇପଲାଇନ୍, ଟାଉନସିପ୍ ଓ ଆଶପଣ୍ଡ ପ୍ରଭୃତି ନିମନ୍ତେ ଭିସା ଓ ଜିନ୍ଦଲ ନେଇଥିବା ଜମି ବାବଦରେ ଏକର ପିଛା ୧ ଲକ୍ଷରୁ ୩ ଲକ୍ଷ ୩୫ ହଜାର ଟଙ୍କା ଲେଖାଏଁ ଦର ଦେଇଛନ୍ତି । ସୂଚନା ଅଧିକାର ଆଇନ ବଳରେ ଉପରୋକ୍ତ ତଥ୍ୟ ମିଳିଥିବା ନେଇ ସଂଘ ପ୍ରକାଶ କରିବା ସହିତ ଦ୍ୱିତୀୟ ଇସ୍ପାତ କାରଖାନା କ’ଣ ପାଇଁ ହୋଇପାରିଲା ନାହିଁ ବୋଲି ପ୍ରଶ୍ନ ଉଠାଇଛି । ଅଭିଯୋଗ ଅନୁଯାୟୀ ଶିଳ୍ପ ସଂସ୍ଥାଗୁଡ଼ିକ ଏକର ପ୍ରତି ବାର୍ଷିକ ୧୦ ହଜାର ଟଙ୍କା ପାରିପାଶ୍ୱିର୍କ ଉନ୍ନୟନ ନିମନ୍ତେ ପ୍ରଦାନ କରିବେ ବୋଲି ରାଜ୍ୟ ସରକାର ଘୋଷଣା କରିଛନ୍ତି । କିନ୍ତୁ ଇଡ଼କୋ ପାଇଁ ଏପରି କୌଣସି ସର୍ତ୍ତ ରଖାଯାଇ ନାହିଁ ବୋଲି ସଂଘ ପକ୍ଷରୁ କୁହାଯାଇଛି ।

Share :