କିଏ ଡାକ୍ତର? ଅର୍ଥ ନା ମେଧା?

କିଏ ଡାକ୍ତର? ଅର୍ଥ ନା ମେଧା?

Share :

ଭାରତୀୟ ସମ୍ବିଧାନରେ ସମସ୍ତ ନାଗରିକଙ୍କୁ ସମାନ ଅଧିକାର ଦିଆଯାଇଛି । ସବୁ ନାଗରିକ ଆଇନ ଆଗରେ ସମାନ । ଜାତି,ଧର୍ମ, ବର୍ଣ୍ଣ ଓ ସାମାଜିକ-ଅର୍ଥନୀତିକ ଷ୍ଟାଟସ୍‍ ନିର୍ବିଶେଷରେ ସମସ୍ତଙ୍କକୁ ସମାନ ସୁଯୋଗ ଦିଆଯାଉଛି । ଏସବୁ କହିବା କଥା । ସମ୍ବିଧାନର ମୌଳିକ ଅଧିକାର ଅନୁଚ୍ଛେଦରେ ରହିଥିବା ବ୍ୟବସ୍ଥା ଅନୁସାରେ ନାଗରିକମାନଙ୍କୁ ସମାନ ଭାବେ ଗ୍ରହଣ କରାଯାଉଥିଲେ ହେଁ ବାସ୍ତବରେ ଏମିତି ହୁଏ ନାହିଁ । ସମ୍ବିଧାନ ସମସ୍ତଙ୍କୁ ସମାନ ଅଧିକାର ପ୍ରଦାନ କରିଥିଲେ ବି ଭାରତ ସରକାରଙ୍କ ନୀତି ଓ ନିଷ୍ପତ୍ତି ଯୋଗୁଁ ସବୁ ନାଗରିକଙ୍କୁ ସମାନ ସୁବିଧା ଓ ସୁଯୋଗ ମିଳୁ ନାହିଁ । ବିଭିନ୍ନ କାରଣରୁ କେତେକ ଲୋକ ଅଧିକ ସୁବିଧା ଓ ସୁଯୋଗ ପାଉଥିବାବେଳେ ଅନ୍ୟମାନେ କମ୍‍ ସୁଯୋଗସୁବିଧା ପାଉଛନ୍ତି । ବର୍ଷ ବର୍ଷ ଧରି ଏହି ପ୍ରକ୍ରିୟା ଚାଲିବା ଫଳରେ ଭାରତୀୟ ଗଣତନ୍ତ୍ରରେ ଅସମାନତାର ଅତ୍ୟାଚାର ବଢ଼ି ବଢ଼ି ଚାଲିଛି । ବିଶେଷ କରି ଶିକ୍ଷା ସୁବିଧା ଓ ସୁଯୋଗ କ୍ଷେତ୍ରରେ ଏହି ଅସମାନତା ଏତେ ଅଧିକ ଯେ ଏଥିଯୋଗୁଁ ପିଢ଼ି ପରେ ପିଢ଼ି ସମାନ ସୁବିଧା ଓ ସୁଯୋଗରୁ ବଞ୍ôଚତ ହୋଇ ସମାନତା ଭିତ୍ତିକ ଏକ ସମାଜ ଗଠନରେ ଅନ୍ତରାୟ ସୃଷ୍ଟି ହୋଇଛି । ଏହି ଅସମାନତାର ବ୍ୟବଧାନ କ୍ରମଶଃ ବୃଦ୍ଧି ପାଇଚାଲିଥିବାରୁ ସାମାଜିକ ସଂହତି ସୁଦୃଢ଼ ହେବା ପରିବର୍ତ୍ତେ ଦୁର୍ବଳ ହୋଇ ଚାଲିଛି । ଧନୀ ଅଧିକ ଧନୀ ହେଉଛି, ଗରିବ ଅଧିକ ଗରିବ ହେଉଛି । ଧନୀକୁ ମିଳୁଛି ଶିକ୍ଷା, ତାଲିମ ଓ ନିଯୁକ୍ତିର ଅଧିକ ସୁଯୋଗ । ଗରିବକୁ ସେହି ଅନୁପାତରେ ଉପଯୁକ୍ତ ସୁବିଧା ସୁଯୋଗ ମିଳୁ ନାହିଁ । ଢେର ଆଗରୁ ଅନେକ ଲୋକ ଏଭଳି ଏକ ଅନୁଭବ କରି ଆସୁଛନ୍ତି । ଏବେ କିନ୍ତୁ ଭାରତର ସର୍ବୋଚ୍ଚ ନ୍ୟାୟାଳୟ ଏହି ଅନୁଭବ ସତ ବୋଲି ସ୍ୱୀକାର କରିଛନ୍ତି । ଭାରତୀୟ ଭେଷଜ ପରିଷଦ ବା ଏମସିଆଇ ତରଫରୁ ହେଉଥିବା ଜାତୀୟ ଯୋଗ୍ୟତା ଓ ପ୍ରବେଶିକା ପରୀକ୍ଷା ବା ଏନ୍‍ଇଇଟି ବ୍ୟବସ୍ଥାକୁ ଅସାମ୍ବିଧାନିକ ଘୋଷଣା କରିବା ଅବସରରେ ସୁପ୍ରିମ କୋର୍ଟ ଏହି କଥା କହିଛନ୍ତି । କୋର୍ଟ ତାଙ୍କ ରାୟରେ କହିଛନ୍ତି, ‘ଦେଶର ସବୁ ଅଞ୍ଚଳରେ ଶିକ୍ଷାର ମାନ ସମାନ ନୁହେଁ, ଏନେଇ କୌଣସି ବିବାଦ ନାହିଁ । ପ୍ରତ୍ୟେକ ରାଜ୍ୟର ଶିକ୍ଷା ବ୍ୟବସ୍ଥା ଓ ପଦ୍ଧତି ଭିନ୍ନ ଭିନ୍ନ । ସେମାନଙ୍କର ଶିକ୍ଷାଦାନର ମାଧ୍ୟମ ଭାଷା ମଧ୍ୟ ଅଲଗା । ଏ କଥାକୁ ମଧ୍ୟ କାଟିଦେଇ ହେବ ନାହିଁ ଯେ ଦେଶର ବଡ଼ ବଡ଼ ସହରରେ ମିଳୁଥିବା ଶିକ୍ଷା ସୁବିଧା ଦେଶର ଅଧିକାଂଶ ଗ୍ରାମାଞ୍ଚଳରେ ମିଳୁ ନାହିଁ । ତେଣୁ ମେରିଟ୍‍ ବା ମେଧାକୁ ବାହାନା କରି ଦେଶ ସାରା ଗୋଟିଏ ପ୍ରକାର ପ୍ରବେଶିକା ପରୀକ୍ଷା କରାଇବା ଏପରି ବ୍ୟବଧାନକୁ ଅଧିକ ପ୍ରଶସ୍ତ କରିବ । ଏକ-ବାତାୟନ ପ୍ରତିଯୋଗିତାରେ ଦେଶର ବିଭିନ୍ନ ଭାଗର ଶିକ୍ଷା ବ୍ୟବସ୍ଥାରେ ରହିଥିବା ତାରତମ୍ୟ କଦାପି ସମାନ ପ୍ରକାର ଭୂମି ଯୋଗାଇବ ନାହିଁ ।’ ସୁପ୍ରିମ କୋର୍ଟଙ୍କର ଏହି ରାୟ ପରେ ଦେଶର ଶିକ୍ଷା ବ୍ୟବସ୍ଥାରେ ଅନେକ ପରିବର୍ତ୍ତନ ଆସିବ ବୋଲି ଆଶା କରାଯାଇ ପାରେ । କିନ୍ତୁ ସରକାର କୋର୍ଟଙ୍କ ରାୟକୁ ପୂର୍ଣ୍ଣ ରୂପେ ବୁଝି ସେହି ଅନୁସାରେ କାର୍ଯ୍ୟ କରିବେ କି ନାହିଁ ତାହା ଅବଶ୍ୟ ନିଶ୍ଚିତ ନୁହେଁ । ସରକାର ଯଦି ମେଧାର ଦ୍ୱାହି ଦେଇ ପୁଣି ଥରେ ଅନ୍ୟ କୌଣି ରୂପରେ ଏନ୍‍ଇଇଟି କରାଇବାକୁ ନିଷ୍ପତ୍ତି ନିଅନ୍ତି ତାହା ପୁଣି ଚାଲିବ । ଏବେ ଚାଲିଥିବା ବ୍ୟବସ୍ଥା ଅନୁସାରେ ଦେଶର ସବୁ ଅଞ୍ଚଳର ଓ ସବୁ ବର୍ଗର ପିଲାମାନେ ଡାକ୍ତରୀ ପାଠ ପଢ଼ିବାକୁ ସମାନ ସୁଯୋଗ ଓ ସୁବିଧା ପାଉ ନାହାନ୍ତି । ଏହା ଆଦୌ ମିଛ ନୁହେଁ । କାରଣ ଏନ୍‍ଇଇଟି ବା ଓଡ଼ିଶା ଜେଇଇ ପରି ପ୍ରବେଶିକା ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପାଇଁ ସବୁ ପିଲାଙ୍କୁ ସମାନ ଶିକ୍ଷା ଓ ତାଲିମ ସୁଯୋଗ ମିଳେ ନାହିଁ । ଦିଲ୍ଲୀ, ମୁମ୍ବାଇ, ଚେନ୍ନାଇ, କୋଲକାତା ବା କଟକ, ଭୁବନେଶ୍ୱର ପରି ସହରର ପିଲାମାନେ ଏ କ୍ଷେତ୍ରରେ ଅଧିକ ସୁବିଧା ପାଇଥାନ୍ତି । ସେମାନଙ୍କ ପାଇଁ ନାନାଦି ତାଲିମ ଓ କୋଚିଂ କେନ୍ଦ୍ର ଉପଲବ୍ଧ ହେଉଥିବାବେଳେ ସେମାନଙ୍କ ବାପାମା’ମାନେ ଏହାର ଖର୍ଚ୍ଚ ତୁଲାଇବାକୁ ମଧ୍ୟ ସକ୍ଷମ ହୋଇଥାନ୍ତି । ସହରରେ ରହୁଥିବା ଲୋକମାନଙ୍କର ଆୟ ଗାଁରେ ରହୁଥିବା ଲୋକଙ୍କ ଆୟର କାହିଁ କେତେ ଗୁଣ ଅଧିକ । ପୁଣି ବଡ଼ ବଡ଼ ଘରୋଇ ଉଦ୍ୟୋଗରେ କାମ କରୁଥିବା ଲୋକଙ୍କ ଆୟ ଛୋଟ ଛୋଟ ଉଦ୍ୟୋଗରେ କାମ କରୁଥିବା ଲୋକଙ୍କ ଆୟଠାରୁ ମଧ୍ୟ ଢେର ବେଶୀ । ସମାନ ଶିକ୍ଷାଗତ ଯୋଗ୍ୟତା ଥିଲେ ମଧ୍ୟ ସରକାରୀ ଓ ବେସରକାରୀ କ୍ଷେତ୍ରର ଦରମା ଓ ସୁବିଧା ସମାନ ନୁହେଁ । ବାପାମା’ଙ୍କର ଆୟଗତ ପାର୍ଥକ୍ୟ ଯୋଗୁଁ ମଧ୍ୟ ଅନେକ ମେଧାବୀ ପିଲା ଉପଯୁକ୍ତ ସୁବିଧାସୁଯୋଗ ନପାଇ ପ୍ରତିଯୋଗିତାରେ ପଛେଇ ଯାଆନ୍ତି ବା ଆଦୌ ଭାଗ ନେଇପାରନ୍ତି ନାହିଁ । ଏବେ ଘରୋଇ କ୍ଷେତ୍ରରେ ମେଡିକାଲ୍‍ ବା ଡାକ୍ତରୀ ପଢ଼ିବା ଖର୍ଚ୍ଚ ଯାହା ତାହା ଦେଶର କୌଣସି ନିମ୍ନ ମଧ୍ୟବିତ୍ତ ଏପରିକି ମଧ୍ୟବିତ୍ତ ଲୋକ ମଧ୍ୟ ସମ୍ଭାଳି ପାରିବେ ନାହିଁ । ଗୋଟେ ଗୋଟେ ଘରୋଇ ମେଡିକାଲ୍‍ କଲେଜ୍‍ରେ ଏ ବାବଦ ଖର୍ଚ୍ଚ ୩୦-୯୦ ଲକ୍ଷ ଟଙ୍କା ପଡ଼ୁଛି । ଏନ୍‍ଇଇଟିରେ ଯୋଗ୍ୟତା ଅର୍ଜନ କରିଥିଲେ ବି ୩୦ ଲକ୍ଷରୁ ଖର୍ଚ୍ଚ କମ୍‍ ହୁଏ ନାହିଁ । ମ୍ୟାନେଜ୍‍ମେଣ୍ଟ ସିଟ୍‍ କିଣିଥିଲେ ଖର୍ଚ୍ଚ ୯୦ ଲକ୍ଷ କ’ଣ ୧ କୋଟି ବି ହୋଇପାରେ । ସରକାରୀ ମେଡିକାଲ୍‍ କଲେଜ କ୍ଷେତ୍ରରେ ବି ଏ ଖର୍ଚ୍ଚ ୨୦-୩୦ ଲକ୍ଷ ହୋଇଯାଏ । ସରକାରୀ କ୍ଷେତ୍ରରେ ଯଥେଷ୍ଟ କଲେଜ୍‍ ନାହିଁ କି ସିଟ୍‍ ନାହିଁ । ପୁଣି ଦେଶ ସାରା ସବୁ ରାଜ୍ୟରେ ମେଡିକାଲ୍‍ ସିଟ୍‍ ସଂଖ୍ୟା ସମାନ ନୁହେଁ । ଦେଶରେ ଏବେ ସରକାରୀ କ୍ଷେତ୍ରରେ ୨୦ ହଜାର ଓ ବେସରକାରୀ କ୍ଷେତ୍ରରେ ୨୫ ହଜାର ମେଡିକାଲ୍‍ ସିଟ୍‍ ରହିଛି । ଏଥିରୁ ଅଧିକାଂଶ ସିଟ୍‍ ରହିଛି କର୍ଣ୍ଣାଟକ, କେରଳ, ତାମିଲନାଡ଼ୁ, ଆନ୍ଧ୍ର ପ୍ରଦେଶ ଓ ମହାରାଷ୍ଟ୍ରରେ । ଏସବୁ ରାଜ୍ୟକୁ ଯାଇ ମେଡିକାଲ୍‍ ପାଠ ପଢ଼ିବା ମଣିପୁର, ନାଗାଲାଣ୍ଡ, ମେଘାଳୟ, ଝାଡ଼ଖଣ୍ଡ କି ଛତିଶଗଡ଼ ପରି ରାଜ୍ୟର ଗରିବ ଓ ନିମ୍ନ ମଧ୍ୟବିତ୍ତ ପିଲାଙ୍କ ପକ୍ଷରେ ସମ୍ଭବ ନୁହେଁ । ଅନେକ ସମୟରେ ଧନୀ ଲୋକମାନେ ଦୁର୍ନୀତି ଉପାୟରେ ମେଡିକାଲ୍‍ ସିଟ୍‍ କିଣି ନେଉଛନ୍ତି । ପ୍ରବେଶିକା ପରୀକ୍ଷା ପୂର୍ବରୁ ଟଙ୍କା ବଳରେ ସିନେମା ଟିକଟ ପରି ସିଟ୍‍ ସଂରକ୍ଷିତ ରଖୁଛନ୍ତି । ଏ ସ୍ଥଳେ ସମ୍ବିଧାନର ସମାନତା ଅଧିକାରର ମାନେ କ’ଣ? ସେହିପରି ସମାନ ପ୍ରବେଶିକା ପରୀକ୍ଷା ନହେଲେ ଘରୋଇ କଲେଜଗୁଡ଼ିକ ଲକ୍ଷଲକ୍ଷ ଟଙ୍କା ନେଇ ଯେଉଁମାନଙ୍କୁ ଡାକ୍ତରୀ ସାର୍ଟିଫିକେଟ ପ୍ରଦାନ କରିବେ ସେମାନଙ୍କ ହାତରେ ରୋଗୀର ଜୀବନ କେତେ ସୁରକ୍ଷିତ? ଲକ୍ଷଲକ୍ଷ ଟଙ୍କା ଖର୍ଚ୍ଚ କରି ଡାକ୍ତର ହେଉଥିବା ଲୋକଠାରୁ ଗରିବ ଲୋକଟିଏ ଶସ୍ତା ଓ ସୁବିଧାରେ ଉପଯୁକ୍ତ ଚିକିତ୍ସା ସେବା ପାଇବ କି? ଇଏ ବି ଏକ ଗୁରୁତର ପ୍ରଶ୍ନ ।

Share :