ଉତ୍କଳ କ୍ଷେତ୍ର ନା ଉତ୍କଟ କ୍ଷେତ୍ର?

ଉତ୍କଳ କ୍ଷେତ୍ର ନା ଉତ୍କଟ କ୍ଷେତ୍ର?

Share :

ମାୟାଧର ନାୟକ ଓଡ଼ିଶା ଗୋଟିଏ ମନୁଷ୍ୟକୃତ ମହାମରୁଡ଼ିର ମୁଲକ। ଏ ମହାମରୁଡ଼ି କେବଳ ଖାଦ୍ୟାଭାବ କ୍ଷେତ୍ରରେ ଅନୁଭୂତ ହେଉନାହିଁ, ଅନ୍ୟାନ୍ୟ ଅନେକ ‘ଅଭାବ’ କ୍ଷେତ୍ରରେ ମଧ୍ୟ ଅନୁଭୂତ ହେଉଛି। ସେଥିରୁ ମୁଖ୍ୟ ଅଭାବଟି ହେଉଛି ସାରା ଓଡ଼ିଶାରେ ବ୍ୟାପିସାରିଥିବା ଜନ-ସଚେତନତାର ଅଭାବ। ଏ ମୁଲକରେ ମଣିଷମାନଙ୍କୁ ଶାସନର ସାହେନ୍ସାମାନେ ମୁଣ୍ଡା ଏବଂ ପ୍ରଶାସନର ସାହେବମାନେ ମେଣ୍ଢା ବନାଇଆସିଥିବାର ଅଜବ ଅବସ୍ଥା ବଜାୟ ରହିଲାଣି ବର୍ଷବର୍ଷ। ମୁଣ୍ଡା, ମେଣ୍ଢାମାନଙ୍କ ମେଳିଗୁଡାକୁ ଖତମ୍ କରିଦେଇ ଗୁଣ୍ଡାଗେଣ୍ଡାମାନେ ଏଠି ଅକ୍ତିଆର କରିନିଅନ୍ତି ଦପ୍ତର ଓ ଦରବାର। କଳାଟଙ୍କାର କୁମ୍ଭୀରକୁଳ କେଳି କରନ୍ତି ଧଳାହାତୀମାନଙ୍କ ଧରାବନ୍ଧା ପହରାଦାରି ଭିତରେ କବି ସାଲବେଗ ଯଦି ବଞ୍ଚିଥାନ୍ତେ ଆଜିଯାଏଁ, ତା’ହେଲେ ଏଠାକାର ଏ କୁତ୍ସିତ କୁମ୍ଭୀର ଆଉ ଧୋବ ଧାଉଳିଆ ହାତୀପଲଙ୍କର ଏଭଳି ଅଭେଦ୍ୟ ପ୍ରୀତି ଦେଖିସାରିବା ପରେ ନିଜ ଭଜନରୁ ସେଇ ପ୍ରସିଦ୍ଧ ପଦଟିକୁ ପ୍ରତ୍ୟାହାର କରିନେଇଥାନ୍ତେ ନିଶ୍ଚୟ - ‘ଗଜରାଜ ଡାକଦେଲା ଥାଇ ଘୋର ଜଳେଣ / ଚକ୍ର ପେଷି ନକ୍ର ନାଶି ଉଦ୍ଧରିଲ ଆପଣ !’ ଓଡ଼ିଶା ଗୋଟିଏ ମନୁଷ୍ୟକୃତ ମରୁପ୍ରଦେଶ। ଏ ମରୁପ୍ରଦେଶରେ ବର୍ଷା ବନେ ବତାସ, ଚଷା ହୁଏ ହତାଶ। ଏଠି ଜଗନ୍ନାଥ ନାଆଁରେ ଜଣେ କାଠ ହୋଇଯାଇଥିବା ଦିଅଁଙ୍କର ପୂଜାପାଠ ଚାଲେ ପଣ୍ଡାପଢ଼ିହାରୀଙ୍କ ଜରିଆରେ। ଏ ଦିଅଁଙ୍କ ହାତରେ ଚକ୍ରଟିଏ ମଧ୍ୟ ଅଛି - ସୁଦର୍ଶନ ଚକ୍ର। କିନ୍ତୁ କୁଦର୍ଶନ ନକ୍ର ବା କୁତ୍ସିତ କଳାକୁମ୍ଭୀରକୁଳ ମଧ୍ୟରୁ ଗୋଟିକୁ ବି ତାଙ୍କ ସୁଦର୍ଶନ ଚକ୍ର ନାଶିପାରିଥିବାର ନମୂନା କେହି ପ୍ରତ୍ୟକ୍ଷ କରିପାରିନାହାନ୍ତି ଏଯାବତ୍। ବରଂ କୁମ୍ଭୀର କାନ୍ଦଣା ମଧ୍ୟରେ ବରାବର ଶୁଣିବାକୁ ମିଳିଥାଏ - ‘ଜୟ ଜଗନ୍ନାଥ’ ! ଜଗନ୍ନାଥ ଏଠି ଶବରପଡାରୁ ଚୋରାରେ ଚାଲାଣ ହୋଇଆସିଥିବା ସେଇ ଦାରୁଦେବତା, ଯିଏ ବଡ଼ଦେଉଳ ବୋଲି ଉପକୂଳିଆଙ୍କର ଗୋଟାଏ କାରୁକାର୍ଯ୍ୟର କାରାଗାରରେ କେଉଁକାଳୁ କଇଦୀ ! ଜଗନ୍ନାଥଙ୍କୁ ରାଜନୀତିର ରାସ୍ତାରେ ଶସ୍ତା ସ୍ଲୋଗାନ୍ଟାଏ କରିସାରିଛନ୍ତି କୁଶଳୀ ମୂଷଳୀବର୍ଗ। ନିରୀହ ଆଦିବାସୀର ଧର୍ମଦେବତା ନୀଳମାଧବ ଆଜି କୁଟିଳ କପଟୀର କର୍ମକବଳିତ କଳାଠାକୁର ! ଚକ୍ରୀ ଆଜି କୁଚକ୍ରୀମାନଙ୍କ କର୍ତ୍ତୃତ୍ୱରେ ! ଜଙ୍ଗଲ ଜଳୁଚି - ଜମି ଜବରଦଖଲ ହେଉଛି - ଜଳ ମାଡ଼ିଆସୁଚି ଲୁଣିଜିଭ ଲହଲହ କରି - ଜଗନ୍ନାଥ ଜଣାଣ କିନ୍ତୁ ଜାକଜମକରେ ପାଲଟିଛି ପାର୍ଟି ପଲିଟିକ୍ସ୍ର ପାମ୍ପଲେଟ, କାଏମୀସ୍ୱାର୍ଥର କଟ୍‌ଲେଟ୍‌ ! ଜଗନ୍ନାଥଙ୍କୁ ନେଇ ଏଠି ଗଢ଼ାହୁଏ ଅଜବ ଗୁଜବ - ପଢ଼ାହୁଏ ଗଡବଡ଼ ଗଣତନ୍ତ୍ରର ଗୁପ୍ତଗାଥା ଲଢ଼ାହୁଏ ଲେ’ ଲବୀନା ଇଲେକ୍ସନ - କଢ଼ାହୁଏ କଳିଙ୍ଗ କଳ୍କୀର ପ୍ରସେସନ୍‌ - ଚଢ଼ାହୁଏ ଭୋଗୀଭଗତର ପୂଜାଫୁଲ - ଝଡାହୁଏ ବେଦାନ୍ତ ବିତର୍କର ବତିଶଦାନ୍ତ - ତଡାହୁଏ ବସ୍ତିବାସୀର ମାଟିକାନ୍ଥ ! ଏଠି ଜଗନ୍ନାଥଙ୍କ ନାଆଁରେ ଜାଗୁଆର୍‌ ଜୁଟେ ଜାଗିରି, ଡକାୟତଙ୍କୁ ମିଳେ ଡିଗିରି, ଚାକୁବାଲାଙ୍କୁ ଦିଆଯାଏ ଚାକିରି, ବେଠିଆଙ୍କୁ ବଣ୍ଟାଯାଏ ବେକାରି। ଜଗନ୍ନାଥଙ୍କ ରାଜ୍ୟ ରୂପେ ଚିହ୍ନଟ ହେଉଥିବା ଓଡ଼ିଶା - ଦାରିଦ୍ର୍ୟ ଓ ଦୁର୍ନୀତିର ପ୍ରଖର ପ୍ରତିନିଧିତ୍ୱ କରିଆସିଛି ଏକକାଳୀନ। ଏ ଗରିବ ରାଜ୍ୟରେ ଧର୍ମତନ୍ତ୍ରୀମାନେ ଧନୀ, ମନ୍ତ୍ରୀମାନେ ମହାଜନ, ହାକିମହୁକୁମମାନେ ହର୍ମ୍ୟଧିରାଜ। ଆଖି ଥାଇ ସାକ୍ଷୀ ନୁହଁନ୍ତି ଚକାଆଖିଆ। ଦେବତା ଏଠି ଦାରୁ - ନେତା ଏଠି ମାରୁ - ଭୋଟର୍ମାନେ ଭୀରୁ। ଜୟ ଜଗନ୍ନାଥ - ହିନ୍ଦୁଧର୍ମର ହୁରି ଶୁଭୁଚି ହୁଣ୍ଡି ଭିତରୁ। ଓଡ଼ିଶା ଗୋଟିଏ ମନୁଷ୍ୟକୃତ ମଶାଣିପଦା। ଏଠି ଅନେକ ଶବଦାହ। ଶବଦାହ - ସ୍ୱପ୍ନର, ସଂକଳ୍ପର, ସଂସ୍କୃତିର, ସାହିତ୍ୟର, ସାମ୍ୱାଦିକତାର, ସତ୍ୟତାର, ସଭ୍ୟତାର ! ଶବଦାହ - ବିଦ୍ରୋହର, ବିପ୍ଳବର, ପ୍ରତିବାଦର, ପ୍ରତିଭାଦୀପ୍ତ ନବତାରୁଣ୍ୟର। କଳିଙ୍ଗର ସ୍ଫୁଲିଙ୍ଗ, କଙ୍ଗୋଦର କୌଳିନ୍ୟ, କୋଶଳର କୌମୁଦୀ, ଉତ୍କଳର ଉପିଳ ଏଠି ପାଉଁଶ ପାହାଡ଼ ତଳେ ପ୍ରତ୍ନତତ୍ତ୍ୱଜ୍ଞର ପ୍ରାପ୍ୟ କେବଳ ! ଭୋକର ଭୂଗୋଳ ଏ ଓଡ଼ିଶା - ନିଜ ଇତିହାସର ଇତିକଥା ଲେଖେ ସନନ୍ଦରେ, ଶିଳାଲିପିରେ, ପୋଥିପତ୍ରରେ, ପାଞ୍ଜି ଫର୍ଦ୍ଦରେ, ପୋକରା ପାଇକଖେଦାରେ, ଫିମ୍ପିମରା ପୂର୍ବମାଗଧୀରେ ! ଭୌମ, ସୋମ, କେଶରୀ, ଗଙ୍ଗ, ସୂର୍ଯ୍ୟବଂଶର ଅନେକ ଅବଶିଷ୍ଟାଂଶ ପାଲଟେ ଓଡ଼ିଶାର ଅସଁଷ୍ଟ ଇତିହାସ। ଏ ଓଡ଼ିଆ ହେଉଛି ଏପରି ଏକ ବିଚିତ୍ର ଜାତି - ଯିଏ ନିଜ ଭୂଇଁକୁ ଭଲପାଇ ପାରେନା, ନିଜ ଭାଇକୁ ଭାଗ ପାଇଁ ଭଗାରି ବନାଇଦିଏ। ଯଦି ପାଞ୍ଚବର୍ଷ ଓଡ଼ିଶାଭୂଇଁରୁ ଏ ଓଡ଼ିଆମାନଙ୍କୁ ବିସ୍ଥାପିତ କରି ମରାଠା, ଜାଠ୍, ଶିଖ୍ ବା ବଙ୍ଗୀୟମାନଙ୍କୁ ସୁଦ୍ଧା ଥଇଥାନ କରିଦିଆଯାଏ, ତା’ହେଲେ ଏ ଓଡ଼ିଶାରାଜ୍ୟ ନିଜ ଇଜ୍ଜତ ହରାଇଥିବାର ଲଜ୍ଜାକର ଲାଞ୍ଛନାରୁ ମୁକୁଳିପାରିବ ହୁଏତ। ପ୍ରତିକ୍ରିୟାହୀନ, ପ୍ରତିବାଦହୀନ ଓଡ଼ିଆ ଜାତି ସବୁପ୍ରକାର ଜୁଲୁମ୍କୁ ବରଦାସ୍ତ କରିନେଉଥିବାରୁ ହିଁ ଏଠି ଶାସନ ଲଙ୍ଗଳା, ପ୍ରଶାସନ ହୁଗୁଳା। ଛୋଟଛୋଟ ଖୁଚୁରା ଖେଳରେ ଏଠି ଖବରକାଗଜମାନେ ବ୍ୟସ୍ତ । ନା ସେମାନେ ଜନମତକୁ ଯଥାର୍ଥ ମାର୍ଗଦର୍ଶନ ଦେଇପାରନ୍ତି ନା ନୂତନ ଶକ୍ତିକୁ ମଦତ୍। ଏଠି ସମ୍ୱାଦପତ୍ର ପାଲଟେ ଶାସକ ଦଳର ପ୍ରଶସ୍ତିପତ୍ର ନହେଲେ ବିରୋଧୀଦଳର ବିରଜାପାଞ୍ଜି ! ଓଡ଼ିଶା ପାଇଁ ଆରିସି ନାହିଁ। ଓଡ଼ିଶାର ମୁହଁ ଦିଶେନାହିଁ ଓଡ଼ିଆ ଖବରକାଗଜ ଫର୍ଦ୍ଦରେ । ସାତଆଠଟା ସହରର ସକାଳସବୁ ସମ୍ୱାଦ ହୁଏ ଏଠି, ଅଜଣାଅଶୁଣା ହୋଇ ରହିଯାଏ କିନ୍ତୁ ହଜାର ହଜାର ଗାଆଁଗଣ୍ଡାର ଧୂଳିସଞ୍ଜ ଆଉ ଆଦିବାସୀପଡ଼ାର ଅଧରାତି। ଓଡ଼ିଶା ଗୋଟିଏ ମନୁଷ୍ୟକୃତ ମେରୁପ୍ରଦେଶ। ଏଠି ସବୁ ଶୀତଳ। ସବୁ ଶିଥିଳ। ବରଫଠାରୁ ଆହୁରି ଥଣ୍ଡା ଓଡ଼ିଆମାନଙ୍କର କଲିଜା। ସବୁ ମଜଦୂର ଆନ୍ଦୋଳନ ଶେଷହୁଏ ଶୀତତାପ ନିୟନ୍ତ୍ରିତ ମାଲିକ ମହଲରେ, ସବୁ କୃଷକ ବିପ୍ଳବର ଅନ୍ତ ଘଟେ କୃପଣ ମହାଜନମାନଙ୍କ ବେଙ୍ଗଳା ବୁଲାରେ, ସବୁ କର୍ମଜୀବୀ ଧର୍ମଘଟ ଚର୍ମ ଘଷେ ପଦ୍ମ ଘୁଞ୍ଚିଘୁଞ୍ଚି ଯାଉଥିବା ସରକାରୀ ସରୋବରରେ। ନିୟମିତ ରତିକ୍ରିୟା ଓ ଅନିୟମିତ ପ୍ରତିକ୍ରିୟାକୁ ନେଇ ପ୍ରକୃତରେ ଏକ ଅଦ୍ଭୁତ ମେରୁପ୍ରଦେଶ ଏ ଓଡ଼ିଶା। ଏଠି ଭଲ ସରକାରଟାଏ ନାହିଁଁ; ଭୋଟରମାନଙ୍କୁ ଖରାପ ସରକାର ମଧ୍ୟରୁ କମ୍ ଖରାପ ସରକାର ବାଛିବା ସକାଶେ ଭୁଆଁ ବୁଲିବାକୁ ପଡ଼ିଥାଏ ପ୍ରତିଥର। ଏଠାକାର ମନ୍ତ୍ରୀମଣ୍ଡଳ ଗଢ଼ାହୁଏ କେବଳ କବନ୍ଧମାନଙ୍କୁ ନେଇ। ମୂର୍ଖ ଏଠି ହୋଇପାରେ ମୁଖ୍ୟ; ଗଣତନ୍ତ୍ର ଗୌଣ। ମୂର୍ଖ ହୋଇଥିଲେ ହେଁ ଯିଏ ମୁଖ୍ୟ, ସିଏ ଯାହାପାରି ତା’ କହୁ - ତାହା ବେଦବାକ୍ୟ। ଲୋକେ ତା’ ହସକୁ ଦେଖନ୍ତି, ରହସ୍ୟ ବୁଝନ୍ତି ନାହିଁ। ଲୁଟେରାମାନଙ୍କ ଲଟେରି ଖେଳ ଚାଲିଥାଏ ଅନବରତ। ଗୁଣ୍ଡାମାନଙ୍କ ଗୁଚିତାଣ୍ଡୁ ଉପହାସ କରୁଥାଏ ପୁଲିସବାହିନୀର ଗୁଳିଗୋଳାକୁ। ଛକରେ, ବଜାରରେ, ବ୍ୟାଙ୍କ୍ରେ ଡକାୟତି - ରାସ୍ତାରେ, ରେସ୍ତୋରାଁରେ, ରାଜଧାନୀରେ ରଙ୍ଗବତୀ। ଓଡ଼ିଆମାନଙ୍କ ଏ ଓଡ଼ିଶା ଏମିତି। ଏଠି ଅବିଚାର, ବ୍ୟଭିଚାର, ଭ୍ରଷ୍ଟାଚାର, ନଷ୍ଟାଚାର, ଅନାଚାର ଇତ୍ୟାଦି ଅନେକ ଆଚାର ମିଳୁଥାଏ ମାହାଳିଆ। କରଜର କୋରଡାମାଡରେ ମରୁଥାଏ ଚାଷୀ - ଅନ୍ନ ବିହୁନେ ହଂସହାନି ଦର୍ଶାଉଥାଏ ଉପାସୀ ଆଦିବାସୀ। ଭଣ୍ଡମାନେ ସାଜୁଥାନ୍ତି ସନ୍ନ୍ୟାସୀ - ଭାଣ୍ଡମାନେ ବନୁଥାନ୍ତି ଶିଳାନ୍ୟାସୀ। ଭଣ୍ଡ, ଭାଣ୍ଡ, ଭେରଣ୍ଡମାନଙ୍କୁ ନେଇ ଓଡ଼ିଶା ଶାସନର ଭୋଗମଣ୍ଡପ। ଗାଲୁଆଙ୍କ ଗଣ୍ଢେଇଡ଼ିହ ପରି ଦୂରରୁ ଦିଶୁଥାଏ ପ୍ରଶାସନର ପ୍ରାଚୀରବେଷ୍ଟିତ ପରିସର। ସୌଧଶୀର୍ଷରେ ଉଡୁଥାଏ ଜାତୀୟପତାକା। ଜନଗଣଙ୍କ ପାଇଁ ଜାରି ରହିଥାଏ ଜାତୀୟ ସଂଗୀତ। ଏମିତି ଏଠାକାର ଚିତ୍ର ଓ ଭୂଚିତ୍ର। ପାଳିତ ପାଳଭୂତମାନେ ଚଳାଇଥାନ୍ତି ସରକାର ରାଜ୍ - ପୁଲିସ୍ ପାଲଟୁଥାଏ ସରକାରୀ ବରକନ୍ଦାଜ୍। ଦଳିତଙ୍କୁ ନେଇ ଦଳ, ରଇତକୁ ନେଇ ରାଜନୀତି, ମାଓଙ୍କୁ ନେଇ ମାମଲା, ମାଫିଆକୁ ନେଇ ମୁକାବିଲା -ଏବର ଓଡ଼ିଶା ଆନ୍ଦୋଳନର ଏପାଖସେପାଖ। ଜୁଡୋଜ୍ୟାକ୍ ଫ୍ଲାସ୍ବ୍ୟାକ୍ ପରେ ସ୍କ୍ରାପ ସ୍କାମ୍ ଆଉ ସେକ୍ସ୍ ସ୍କାଣ୍ଡାଲ୍ - ତାପରେ ଖବରକାଗଜର ହଠାତ୍ ମନେପଡିଗଲା ମହିଳା ମାର୍ଶାଲ୍ - ଏମିତି ଖତରା ଖରାରେ ଖଇ ଫୁଟଉଚି ଖତଗଦାର ଓଡ଼ିଶା। ଏଠି ‘ଇସ୍ୟୁ’ ଅଛି, କିନ୍ତୁ ଦସ୍ୟୁ ଦରବାରୀବାହିନୀର ଶୀତଳଭଣ୍ଡାରରେ ଅନେକ ‘ଇସ୍ୟୁ’ ସେମେଟି ସାରିଚି। ଏଠି ତେଣୁ ସବୁ ଶୀତଳ - ଅବତଳ ଓ ସମତଳକୁ ଉପହାସ କରୁଚି ଶତସହସ୍ର ସପ୍ତତଳ ! ଏଇସବୁ ସପ୍ତତଳରେ ଗୁପ୍ତମନ୍ତ୍ରଣାରତ ତୃପ୍ତଘାତକଦଳ। ଓଡ଼ିଶା ଗୋଟିଏ ମନୁଷ୍ୟକୃତ ମୃଗୟାକ୍ଷେତ୍ର। ଏ ମୃଗୟାକ୍ଷେତ୍ରର ମୃଗୁଣୀସ୍ତୁତିକୁ କର୍ଣ୍ଣପାତ କରନ୍ତି ନାହିଁ କେବେ କୌଣସି ଈଶ୍ୱର କି ଠାକୁର। ମାଆଟିଏ ମଥା ନୁଆଉଁଥାଏ କଥାର ବାଟୁଳି ମାରୁଥିବା ପୁଅ ପାଖେ, ଭଉଣୀଟିଏ ଭଉଁରୀ ଖାଉଥାଏ ସହରୀ ଭାଇଙ୍କ ସଡକ ଚଡକ ଚକ୍ରରେ, ଝିଅଟିଏ ଝାଉଁଳି ପଡୁଥାଏ ଝାମଲାର ଝିନ୍ଝଟରେ। ବାଳିକା ପ୍ରତି ବଳାତ୍କାର, ମହିଳାଙ୍କ ପ୍ରତି ଅସଦାଚାର, ବ୍ଲୁ ଫିଲ୍ମ୍ ପାଇଁ ହିରୋଇନ୍ ହରଣ, କ୍ଲବ୍ କ୍ୟାବାରେ ପାଇଁ କଲ୍ଗାର୍ଲ୍ ପ୍ରେରଣ - ଓଡ଼ିଶାର ଖବରକାଗଜମାନଙ୍କରେ ନିତିଦିନିଆ ନଜ୍ରାନା। ଏବେ ଓଡ଼ିଶାରେ ଚାଲିଚି କ୍ୟାଟ୍ କ୍ୟାସେଟ୍ : କଳାଟଙ୍କା କୁହୁକ କଲା - କଳିନେଲେ କମ୍ପାନୀବାଲା- ଭିଣୋଇକୁ ଶଳାର ସଲା - ଫୁସ୍ଫାସ୍ ପୋସ୍କୋ ପାଲା ! ଟଙ୍କାର ଟ୍ରେଜେରୀରେ ଲୁଚିରହିଚି ଟ୍ରକ୍ ଟ୍ରକ୍ ଟ୍ରାଜେଡ଼ି। ନୋଟ୍ ନିର୍ମାଣ କରୁଚି ନେଟ୍ୱାର୍କ୍। ଭୋଟ୍ କିଣାଯିବ କୋର୍ଟ କାନୁନ୍କୁ ଆଖି ମାରି। ଗାଆଁଗାଆଁକୁ ଚାଲିଲେଣି ସହରୀ ଶିକାରୀ। ଓଡ଼ିଶା ଗୋଟିଏ ମନୁଷ୍ୟକୃତ ମହରଗ ମହକୁମା। ତୈଳଦର ଯେତେ ବଢ଼ୁ, ରାଜନୀତିର ତୈଳୀକରଣ ଆଭିମୁଖ୍ୟରେ କିନ୍ତୁ ଆଞ୍ଚ ଆସିବନି ଇଞ୍ଚଟିଏ। ଚେଲାଚାମୁଣ୍ଡା ଚାମ୍ଚାଙ୍କୁ ନେଇ ଗେହ୍ଲାଗୁଣ୍ଡାଙ୍କ ଗୁରୁ ଗୋସାଇଁମାନେ ଶାସନର ଆସନରେ ସାଇଁ, ପ୍ରଶାସନର ପ୍ରାସନରେ ସାଇବ। ଗରିବମାନେ ଗହଳି କଲେ ଏ ଗୁଣ୍ଡାଗୁଡା ଗୁଣ୍ଡ ହେଇଯିବେ ଏକାଦିନକେ - କିନ୍ତୁ ସରକାରୀ ସାଇଁ-ସାଇବମାନଙ୍କ ଗୁପ୍ତ ମର୍ଡର-ଅର୍ଡର୍ ମାନି ଓଡ଼ିଶାର ପୁଲିସ୍ ଗୁଳି ଚଳଉଚି ଓଡ଼ିଶାର ଗରିବମାନଙ୍କୁ ! ୟା’ଠାରୁ ବଳି ବର୍ବରତା ଅଛି କ’ଣ ? ସେଥିପାଇଁ ଜେଲ୍ ଭିତରେ ଜହ୍ଲାଦ ଧରିଚି ମୋବାଇଲ୍ - ଥାନା ଥାକରୁ ଗାଏବ୍ ହେଉଚି ପୁଲିସ୍ ଫାଇଲ୍ ! ଆଇନ୍କୁ ଆଖି ମାରୁଚି ଅସୁମାରି ଅବିଚାର - କାନୁନ୍ର କିତାବରେ କଳାଗାର - ସବୁ ଅଂଗୀକାର ଓଡ଼ିଶା ପାଇଁ ଅଂଗାର ! ଓଡ଼ିଶା ଗୋଟିଏ ମନୁଷ୍ୟକୃତ ଦୁର୍ଭାଗ୍ୟର ଦୃଶ୍ୟପଟ । ଝଡ଼ି-ବଡ଼ି-ମରୁଡ଼ିର ମାନଚିତ୍ର ରୂପେ କୁଖ୍ୟାତ ଏ କଣପଟିଆ ରାଜ୍ୟ ଏଇନେ ଅପରାଧୀଙ୍କ ଅଭୟାରଣ୍ୟ। ଚୋରସର୍ଦ୍ଦାରଙ୍କ ଚରାଭୂଇଁ। ଖୁଲମ୍ଖୁଲା ଖୁଣୀଙ୍କ ଖାସ୍ମାହାଲ୍। ଆତଙ୍କବାଦୀଙ୍କ ଆଖଡା। ଗୁପ୍ତଚରଙ୍କ ଗିରିଗୁଣ୍ଠା। ସଇତାନ ସୁପୁତ୍ରଙ୍କ ସୁଡଙ୍ଗ। ଅଧିକାଂଶ ଅଯୋଗ୍ୟ ଅପାତ୍ର ଓଡ଼ିଆ ଏଠି ଦଖଲ କରନ୍ତି ରାଜନୈତିକ କ୍ଷମତା - ଅବଶିଷ୍ଟ ଓଡ଼ିଆଙ୍କୁ ତଳିତଳାନ୍ତ କରିବାରେ କାଣିଚାଏ କୁଣ୍ଠା ନଥାଏ ଏମାନଙ୍କର। ନିଜ ରାଜ୍ୟର ଦୁରବସ୍ଥା ନିଜେ ଉପୁଜାଇ ଏମାନେ ଦୋଷ ଦିଅନ୍ତି କେନ୍ଦ୍ରକୁ। କେନ୍ଦ୍ରରୁ ଆସୁଥିବା କୋଟିକୋଟି ଟଙ୍କାର ଅନୁଦାନକୁ ଆତ୍ମସାତ୍ କରି ଏମାନେ ଚଉଦପୁରୁଷ ପାଇଁ ସାଇତି ରଖନ୍ତି ବିପୁଳ ବ୍ୟକ୍ତିସମ୍ପତ୍ତି। ଯାହାର ଯେତେବେଶି ସମ୍ପତ୍ତି, ସିଏ ଏଠି ସେତେବଡ଼ ସମାଜପତି। ଧୁରନ୍ଧର ଧନିକ ଏଠି ପୁରନ୍ଦର - ତା’ ରଙ୍ଗସଭାରେ ଅନେକ ରମ୍ଭା, ମେନକା, ଉର୍ବଶୀ। ସିଏ ଏକାଧାରରେ ସର୍ବମୟ କର୍ତ୍ତା- କେତେ କ୍ରିୟା, କେତେ କର୍ମର। ସେ ରାଜନୀତିର ବାଜପକ୍ଷୀ, ସଂସ୍କୃତିର ଶଂଖଚିଲ, ସାହିତ୍ୟର ସାରସ। ସେ ନଟକୂଟ ନାୟକ, ଛଟପଟ ପ୍ରେମିକ, ମଠମଠ ଧାର୍ମିକ। ଏ ହାତରେ ମୁଦ୍ରା, ସେ ହାତରେ ଭଦ୍ରା - ଏ ଆଖିରେ ଇସାରା, ସେ ଆଖିରେ ଉସ୍ମାନ୍ ତାରା - ଏ କାନରେ କିସ୍, ସେ କାନରେ ଫିସ୍ - ଏମିତି ଏମାନଙ୍କ କାରବାରସବୁ। ଭାରି ବଢ଼ିଆ ଭାଷଣ। ପରଦା ପଛରେ କିନ୍ତୁ ଚାଲିଥାଏ ସିଂହାସନ ସକାଶେ ଶହଶହ ଶତ୍ରୁଙ୍କୁ ସଂହାର କରିବାର ସବୁ ସରଗରମ୍ ଆୟୋଜନ। ଏପରିକି ସୁପାରି ସକାଶେ ସୁପାରିଶ୍ - ନହେଲେ ଡନ୍ ଡେପୁଟୀକୁ ଡ଼ିସ୍ମିସ୍। କଳାଟଙ୍କାର କୁବେରତନ୍ତ୍ର ଆଜି କରାୟତ୍ତ କରିସାରିଛି ଗଣତନ୍ତ୍ର। ଏ ଧୂର୍ତ୍ତ ଧନତନ୍ତ୍ରୀ ଦଳ ଅପହରଣ କରିଛନ୍ତି ଗରିବର ଜମି, ଗିରିଜନର ଜଙ୍ଗଲ। ଆଜି ଓଡ଼ିଶାର ବିଲମାଳ ଉପରେ ବି ନଜର୍ ପଡିଲାଣି ଏମାନଙ୍କ ପୃଷ୍ଠପୋଷକତାରେ ମୁଣ୍ଡ ଟେକିଥିବା ବିଲଡର୍ ବଡିର। କମ୍ପାନୀମାନେ ଖଣି କିଣିନେବେ, କୁବେରମାନେ ଓଡ଼ିଶା ମୁଣ୍ଡରୁ ମଣି କାଢ଼ିନେବେ - ଆଦିବାସୀ ଆଉ ଅଧିବାସୀମାନଙ୍କ ଉତ୍ତରପିଢ଼ି ଦାଣ୍ଡର ଭିକାରି ଭଳି ଭୁଆଁ ବୁଲିବା ଛଡା ଆଉ କରିବେ କ’ଣ ? ପୁଲିସ୍, ଓକିଲ, ଡାକ୍ତର ଡାକୁ - ସମସ୍ତଙ୍କୁ ଟଙ୍କା ବଳରେ କବଳିତ କରିପାରିଥିବା ଏଇ ଧନାଢ଼୍ୟ ଧନୁର୍ଦ୍ଧରବର୍ଗ ବିରୋଧରେ ମାତୁଛନ୍ତି ମାଓବାଦୀ। ତଥାପି ଓଡ଼ିଶାକୁ ଓଲୁ ବନାଇ ନିଜ ସୁଦୀର୍ଘ ଶାସନର ଶ୍ୱାସକ୍ରିୟା ଚାଲୁ ରଖିଛନ୍ତି ଏ ସୁରକ୍ଷିତ ସ୍ୱାର୍ଥପର ଶ୍ୱାପଦକୁଳ। ଓଡ଼ିଶା ଗୋଟିଏ ମନୁଷ୍ୟକୃତ ମରୀଚିକାର ମହୀମଣ୍ଡଳ। ସହି ନହେଉଥିବା ଅଧୀନରେ ରହିବାକୁ ବାଧ୍ୟ ହୋଇଥାନ୍ତି ଏଠି ଓଡ଼ିଶାବାସୀ। ଏଠି କୁଜୀନେତାକୁ କୁର୍ଣ୍ଣିସ୍ କରେ କୁଳପତି। ରାଜନେତାକୁ ରାଗିଣୀ ଶୁଣାଏ ରମଣୀମଣି। କାଲିର କୁଳାଙ୍ଗାର। ଯେଉଁଠି ଆଜିର ଅତିଥି ବେଶରେ ମଞ୍ଚ ମଣ୍ଡନ କରେ - ସେଇଠି ହିଁ ଦିଶିଯାଉଥାଏ ଓଡ଼ିଶା। ଅପରାଧୀର ଇଙ୍ଗିତରେ ଅଦଳବଦଳ ହୁଅନ୍ତି ଅଫିସର ଦଳ। କାହିଁକିନା ଶାସନର ସୁନାପୁଅ ହେଉଛି ଆଜିର ମସ୍ତାନ୍। ହାକିମକୁ ହୁକୁମ୍ ଦିଏ ସେ। ନବାବ୍କୁ ଜବାବ୍। ଗରିବ ବାଘମାନେ ନିଜ ଘରେ ଏଇ ସୁନାମିରିଗମାନଙ୍କ ନାଟ ଓ ନାଟକ ନିରେଖି ନିରେଖି ନୟାନ୍ତ। ଅଥଚ ଅଥର୍ବ ଓଡ଼ିଶାବାସୀ। ରକ୍ତରେ ଉତ୍ତାପ ନାହିଁ, ଶିରା ପ୍ରଶିରାରେ ପ୍ରସ୍ତରଯୁଗର ହିମଶୀତଳତା। ସାଢ଼େ ଚାରିକୋଟି ଓଡ଼ିଆଙ୍କୁ କେଇଟା ଦି’ଗୋଡ଼ିଆ ମିଳିମିଶି କେମିତି ଏମିତି ଉଠାପକା ଅପଶାସନରେ ଅଧୀନସ୍ଥ କରିରଖିଛନ୍ତି - ଭାବିଲାମାତ୍ରେ ଭେଳିକି ଭଳି ମନେହେଉଛି। ଏଠି ଆଇ.ଏ.ଏସ୍‌ ଯାକ ବର୍ଗୀକରଣର ବନ୍ଧନୀରେ ଏବଂ ଆଇ.ପି.ଏସ୍. ତକ ଦୁର୍ଗୀକରଣର ବଳୟରେ ବ୍ୟୂହସ୍ଥ ! ବାକି ରହିଲେ ଗୃହସ୍ଥ ଓଡ଼ିଶାବାସୀ ଜନଗଣ, ଯେଉଁମାନେ ଆଜି ଜାତୀୟକରଣର ଜତୁଗୃହରେ ଜର୍ଜରିତ ! କାହାକୁ ଗୁହାରି କରିବେ ଏମାନେ ? ଆଇନ୍ ଅନ୍ଧ, ପୁଲିସ୍ ମୂକ, ପ୍ରଶାସନ ବଧୀର ! ଅତଏବ ଅପଶାସନର ଶକୁନ ଛାୟାରେ ଆତଙ୍କିତ ଓଡ଼ିଶା ଆଉଏକ ତୁମୂଳ ପରିବର୍ତ୍ତନ ଅପେକ୍ଷାରେ ଊର୍ଦ୍ଧ୍ୱଶ୍ୱାସ। ଏ ଅପେକ୍ଷା ଅନେକ ଦିନ ପରେ କ’ଣ ହାସଲ କରିପାରିବ ସୁଦିନର ଶୁଭସକାଳ ? ଏ ପ୍ରଶ୍ନର ପ୍ରତ୍ୟୁତ୍ତରରେ ମୁରୁକିହସୁଚି ଏକ ମନୁଷ୍ୟକୃତ ମରୀଚିକାର ମହୀମଣ୍ଡଳ ! ବିନା ପ୍ରତିକ୍ରିୟା, ପ୍ରତିବାଦ, ପ୍ରତିବଦ୍ଧତାରେ କ’ଣ କୌଣସି ଜାତି ସୁଶାସନ ସକାଶେ ହକ୍ଦାର ହୋଇପାରେ କେବେ ? ଏବଠୁ ହିଁ ସାରା ଓଡ଼ିଶା ନିଜେ ନିଜକୁ ବଦଳାଇବାର ପଣ ନକଲେ, ଗଣତନ୍ତ୍ର ଏଠି ଏମିତି ପଡ଼ିରହିଥିବ ଗୋବରଗଦାରେ ଆଉ ଜନଗଣ ମିଶିଯାଇଥିବେ ମଶାଣିପଦାରେ ! ଯାଜପୁର ରୋଡ୍, ଯାଜପୁର ମୋ-୯୮୬୧୦୩୪୧୬୩

Share :