ଲୁ ସୁନ୍/ ଅନୁବାଦ- ଜ୍ୟୋତି ନନ୍ଦ ୧. ଯେଉଁ ମହୁମାଛିଟି ତାହାର ଶୁଣ୍ଢକୁ କାମରେ ଲଗାଏ ତାହାର ପରମାୟୁ କମିଥାଏ ଆଉ ଯେଉଁ ନିନ୍ଦୁକ ତାହାର ଶୁଣ୍ଢକୁ କାମରେ ଲଗାଏ ତାହାର ପରମାୟୁ ବଢେ। ଏଇ ପରମାୟୁକୁ ନେଇ ଯାହା ତଫାତ। ୨. ଜନ୍ ଷ୍ଟୁଆର୍ଟ ମିଲ୍ ଘୋଷଣା କରିଥିଲେ, ଅତ୍ୟାଚାର ମଣିଷକୁ ନିନ୍ଦୁକ କରି ଗଢି ତୋଳିଥାଏ। ମାତ୍ର ସେ ଜାଣିନଥିଲେ ଯେ ଗୋଟିଏ ପ୍ରଜାତନ୍ତ୍ର ତାହାକୁ ନୀରବ କରି ରଖେ। ୩. ଯୁଦ୍ଧବେଳରେ ଜଣେ ସାମରିକ ଚିକିତ୍ସକର କାମ ସବୁଠୁ ଭଲ। ବିପ୍ଳବରେ ସବୁଠୁ ଭଲ କାମ ଉହାଡରୁ। ହତ୍ୟାକାଣ୍ଡରେ ସବୁଠୁ ଭଲକାମ ହେଉଛି ଜଣେ ଘାତକ ହେବା। ଏଇ ସମସ୍ତ ଭଲକାମ ଗୁଡିକ ଏକାଠି ବୀରତ୍ବପୂର୍ଣ୍ଣ ଓ ନିରାପଦ। ୪. ଯଦି ଆପଣ ଜଣେ ଖ୍ୟାତନାମା ଚିନ୍ତକଙ୍କ ସହ କଥା ହେବେ, ମଝିରେ ମଝିରେ ତାଙ୍କୁ ନବୁଝି ପାରିବାର ବାହାନା କରନ୍ତୁ। ଯଦି ଆପଣ ଖୁବ୍ ଆଗ୍ରହୀ ବୋଲି ଚିନ୍ତକ ମହାଶୟଙ୍କ ମନେ ହୁଏ, ସେ ଆପଣଙ୍କୁ ଅବଜ୍ଞା କରିବେ; ଯଦି ଆପଣ ଖୁବ୍ ଚତୁର ବୋଲି ମନେ କରନ୍ତି ତେବେ ସେ ଆପଣଙ୍କୁ ଅପସନ୍ଦ କରିବେ। ତେଣୁ କୌଣସି କୌଣସି ସମୟ ତାଙ୍କୁ ନବୁଝି ପାରିବା ସବୁଠୁ ଭଲ କଥା। ୫. ଅଧିକାଂଶ ଲୋକ ଜାଣନ୍ତି ଯେ ସେନାପତିର ତରବାରୀଟି ସୈନିକମାନଙ୍କୁ ଖାଲି ନିର୍ଦ୍ଦେଶ ଦେବା ପାଇଁ ବ୍ୟବହୃତ ହୁଏ। ଏହାର ଆଉ ଗୋଟିଏ ବ୍ୟବହାରକୁ ସେମାନେ ବୁଝନ୍ତି ନାହିଁ ଯେଉଁଠି ତାହା ହୁକୁମ ଦେଉଥାଏ ବୁଦ୍ଧିଜୀବୀଙ୍କୁ। ୬. ବକ୍ତୃତାମାଳାର ସଂଗ୍ରହ ଏବଂ ଆହୁରି ଏକ ବକ୍ତୃତାମାଳାର ସଂଗ୍ରହ। କିନ୍ତୁ ଦୁର୍ଭାଗ୍ୟବଶତଃ ଏଇ ସବୁ ବକ୍ତୃତାରେ ଗୋଟିକରେ ସ୍ପଷ୍ଟ କରି କୁହା ହୋଇନାହିଁ ବକ୍ତା ଭିତରେ କେଉଁ କଥାଟି ଏହି ବିରାଟ ପରିବର୍ତ୍ତନ ଘଟାଇପାରିଛି କିଂବା ବକ୍ତା ଜଣକ ଏବେ ଯାହା କହୁଛନ୍ତି ସତରେ ତାହାକୁ ସେ ବିଶ୍ବାସ କରୁଛନ୍ତି କି ନାହିଁ। ୭. ବୁଦ୍ଧିମାନ ଓ କ୍ଷମତାଶାଳୀ ବ୍ୟକ୍ତିମାନେ ଅତୀତକୁ ମୃତ ଓ ନିଃଶେଷିତ ବୋଲି ହିସାବକୁ ନେଇଥାନ୍ତି। କ୍ଷମତାହୀନ ମୂର୍ଖମାନେ ସତକୁ ସତ ମୃତ ଓ ନିଃଶେଷିତ। ୮. ଯେଉଁମାନେ କୌଣସି ସମୟରେ କ୍ଷମତାରେ ଥିଲେ ସେମାନେ ଅତୀତକୁ ଫେରିଯିବାକୁ ଚାହାଁନ୍ତି। ବର୍ତ୍ତମାନ ଯିଏ କ୍ଷମତାରେ ଅଛନ୍ତି ସେମାନେ ଏହିଭଳି ରହିବାକୁ ଚାହାଁନ୍ତି। ଯେଉଁମାନେ ଏଯାଏଁ କ୍ଷମତା ପାଇ ନାହାଁନ୍ତି ସେମାନେ ସବୁବେଳେ ଚାହାଁନ୍ତି ସଂସ୍କାର। ଏଇଟି ଗୋଟିଏ ସାଧାରଣ ନିୟମ। ୯. ଅତୀତକୁ ଫେରିଯିବାର ଅର୍ଥ ସେମାନଙ୍କ ପାଇଁ ସେଇ ସମୟର କେତୋଟି ବର୍ଷ ଯାହାକୁ ସେମାନେ ମନେ ରଖିଛନ୍ତି, କେଉଁ ଶାଂ କି ମିଙ୍ଗ୍ ରାଜବଂଶର ସମୟକୁ ନୁହଁ। ୧୦. ପ୍ରତ୍ୟେକ ନାରୀ ହିଁ ଗୋଟିଏ ମାଆ ଆଉ ଗୋଟିଏ ଝିଅର ସହଜାତ ପ୍ରବୃତ୍ତି ନେଇ ଜନ୍ମଗ୍ରହଣ କରିଥାଏ। କିନ୍ତୁ ପତ୍ନୀସୁଲଭ ପ୍ରବୃତ୍ତି ବୋଲି କେଉଁଠି କିଛି ନାହିଁ। ପତ୍ନୀସୁଲଭ ପ୍ରବୃତ୍ତିଟି ଆସେ ପରିସ୍ଥିତିର ପ୍ରେରଣାରୁ, ଏବଂ ସେଗୁଡିକ ହେଉଛି କେବଳ ମାଆ ଆଉ ଝିଅର ପ୍ରବୃତ୍ତି ସମୂହର ସମନ୍ବୟ। ୧୧. ପ୍ରତାରଣା ପାଇଁ ସାବଧାନ୧ ଯେଉଁମାନେ ନିଜକୁ ଚୋର ବୋଲି କହିଥାନ୍ତି ସେମାନଙ୍କୁ ସତର୍କ ରହିବାର ଦରକାର ନାହିଁ, କାରଣ ପକ୍ଷାନ୍ତରେ ସେମାନେ ଭଲଲୋକ; କିନ୍ତୁ ଆପଣ ସେମାନଙ୍କୁ ସତର୍କ ରହିବେ ଯେଉଁମାନେ ନିଜକୁ ଭଦ୍ରଲୋକ ବୋଲି କହିଥାନ୍ତି। ପକ୍ଷାନ୍ତରେ ସେମାନେ ହିଁ ଚୋର। ୧୨. ତଳ ମହଲାରେ ଜଣେ ପଡିଛି ମୃତ୍ୟୁଶଯ୍ୟାରେ, ପାଖଘରର ଲୋକ ବଜାଉଛି ଗ୍ରାମଫୋନ୍, ଆରପଟ ଘରର ଲୋକେ ଖେଳୁଛନ୍ତି ପିଲାମାନଙ୍କ ସହ। ଉପର ମହଲାରେ ଦି’ ଜଣଙ୍କର ଉଚ୍ଚକଂଠର ହସ, ସେଇଠେ ବସିଛି ଜୁଆଖେଳର ଆଡ୍ଡା। ନଈ ବକ୍ଷରେ ଡଂଗାରେ ବସି ମହିଳା ଜଣେ ତାହାର ମାଆକୁ ମନେପକାଇ କାନ୍ଦୁଛି। ମଣିଷ ତାହାର ଶୋକ ଅବା ଆନନ୍ଦର ଆଦାନପ୍ରଦାନ କରିପାରେନାହିଁ, ଯାହା ଆମେ ଅନୁଭବ କରୁ ତାହା ହେଉଛି ଏଇ ସବୁ ହଇଚଇ, ହଟ୍ଟଗୋଳ। ୧୩. କୌଣସି ଏକ ଦିନ ମଳିନ ପୋଷାକ ପିନ୍ଧିବା ନିଷିଦ୍ଧ ହେବ। ଯଦି ଆପଣ ପିନ୍ଧିଥିବେ ଆପଣଙ୍କୁ କୁହାଯିବ କମ୍ୟୁନିଷ୍ଟ। ୧୪. ଯେତେବେଳେ ଜଣେ ନିଃସଂଗ ବୋଧ କରେ, ସେତେବେଳେ ସେ ସୃଷ୍ଟି କରିବାକୁ ସମର୍ଥ; କିନ୍ତୁ ଯେତେବେଳେ ତାହାର ନିଃସଂଗତା ଦୂର ହୋଇଯାଏ ସେ ଆଉ ସୃଷ୍ଟି କରିପାରେନାହିଁ, କାରଣ ସେ ଆଉ ପ୍ରେମକୁ ଉପଲବ୍ଧି କରି ପାରେନାହିଁ। ସମସ୍ତ ସୃଷ୍ଟିର ଜନ୍ମ ପ୍ରେମରୁ। ୧୫. ଯେଉଁ ଲୋକଟି ସମୁଦ୍ରର ବିସ୍ତୀର୍ଣ୍ଣ ପ୍ରସାରତାରେ ଆତ୍ମହତ୍ୟା କରିବାକୁ ଚାହେଁ, ଗ୍ରୀଷ୍ମକାଳରେ ଯେଉଁ ଦ୍ରୁତତାର ସହ ମଣିଷର ଶବଦେହଟି ପଚିଯାଏ ସେଇ କଥାକୁ ସେ ଭୟ କରିପାରେ। କିନ୍ତୁ ଯେତେବେଳେ ସେ ଥଣ୍ଡା ଶରତର ରାତିରେ ଗୋଟିଏ ସ୍ବଚ୍ଛ ଜଳାଶୟ ଦେଖିବ, ସେ ସାଧାରଣତଃ ନିଜକୁ ହତ୍ୟା କରିଦେବ। ୧୬. ଜଣେ ସ୍ତ୍ରୀଲୋକର ପୋଷାକର ହାତଟି ଛୋଟ ଦେଖିଲେ ସେମାନଙ୍କର ମନକୁ ଆସିବ ଅନାବୃତ ହାତ, ନଗ୍ନ ଦେହ, ସମସ୍ତ ଜନନେନ୍ଦ୍ରୀୟ, ଯୌନସଂଗମ, ନିର୍ବିଚାର ଯୌନସଂଭୋଗ ଏବଂ ଜାରଜ ସଂତାନ। ଏଇଟି ଏକମାତ୍ର ଶ୍ରଦ୍ଧା ନିବେଦନ ଯାହା ମଧ୍ୟରେ ଅନେକ ପୁରୁଷର କଳ୍ପନାମାନ ବେଗମାନ। (ଲୁ ସୁନ୍ (୧୮୮୧-୧୯୩୬) ଆଧୁନିକ ଚୀନା ସାହିତ୍ୟର ଜଣେ ଅଗ୍ରଗଣ୍ୟ ସାଧକ। ତାଙ୍କର କାହାଣୀ ଓ ବିଚାରୋତ୍ତେଜକ ପ୍ରବଂଧମାନ ବିଶ୍ବ ସାହିତ୍ୟରେ ପ୍ରଚୁର ଲୋକପ୍ରିୟତା ଅର୍ଜନ କରିଛି। ଚେକୋଭ, ମୋପାଁସାଙ୍କ ଭଳି ଲୁ ସୁନ୍ଙ୍କ କାହାଣୀର ଲୋକପ୍ରିୟତା ଏଯାଏଁ ଅବ୍ୟାହତ ରହିଛି। କହିବାକୁ ଗଲେ ଏଇ ତ୍ରିମୂର୍ତ୍ତୀ ବିଶ୍ବ କାହାଣୀରେ ଆଧୁନିକତାର ଆଦ୍ୟ ରୂପକାର। ଲୁ ସୁନ୍ଙ୍କ କାହାଣୀ ଉପସ୍ଥିତ ଲେଖକର ଅତ୍ୟନ୍ତ ପ୍ରିୟ। ସୁବିଧା ହେଲେ ଅନୁବାଦ କରିବାର ବାହାନାରେ ଆଉ ଥରେ ଲୁ ସୁନ୍ଙ୍କୁ ପଢିବାର ସୁଯୋଗର ଅପେକ୍ଷାରେ ରହିଛି ଏଇ ଉପସ୍ଥିତ ଲେଖକ।)