ଉତ୍କଳରୁ ଓଡ଼ିଶା ଯାଏଁ

ଉତ୍କଳରୁ ଓଡ଼ିଶା ଯାଏଁ

Share :

ବିମଳ ପ୍ରସାଦ ଗତକାଲି ଥିଲା ଏପ୍ରିଲ ପହିଲା ତାରିଖ। ୧୯୩୬ ମସିହା ଏହି ଦିନରେ ବ୍ରିଟିଶ ସରକାର ଭାଷା ଭିତ୍ତିରେ ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନକୁ ଅନୁମୋଦନ ଦେଇଥିଲେ। ସେବେ କୁହାଯାଉଥିଲା ଉତ୍କଳ ଦିବସ। ଗଡ଼ଜାତ ରାଜ୍ୟଗୁଡିକର ମିଶ୍ରଣ ସମ୍ପନ୍ନ ହେଲା ୧୯୪୯ରେ। ସ୍ବାଧୀନ ଭାରତରେ ରାଜ୍ୟର ନାମ ଓଡ଼ିଶା ରହିବାରୁ ମୂଳ ଉତ୍କଳ ଦିବସକୁ ଓଡ଼ିଶା ଦିବସ କୁହାଗଲା। ତେବେ ଏହା ପ୍ରତି ଲୋକ ସଚେତନ ହୋଇଥିଲେ ୧୯୮୦ ଦଶକରେ। ସେତେ ଦିନ ପର୍ଯ୍ୟନ୍ତ ଜାରି ରହିଥିଲା ଉତ୍କଳ ଦିବସ ପରମ୍ପରା। ଗତକାଲି ଓଡ଼ିଶାକୁ ୮୧ ବର୍ଷ ପୂରି ୮୨ ଚାଲିଲା। ଚଳିତ ବର୍ଷ (୨୦୧୮) ରାଜ୍ୟ ସରକାର ଉତ୍କଳ ଦିବସକୁ ଓଡ଼ିଶା ଦିବସ ଭାବେ ପାଳିଲେ। ଦିନଟିଏ ନୁହେଁ, ବର୍ଷ ସାରା ପାଳିବେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ ଜରିଆରେ। ପ୍ରତି ଓଡ଼ିଆଙ୍କ ଭିତରେ ଓଡ଼ିଆ ପ୍ରେମ ଜାଗ୍ରତ କରିବାକୁ ସବୁ ପ୍ରକାର ପ୍ରୟାସ କରିବେ। ଚାଲନ୍ତୁ ଉତ୍କଳରୁ ଓଡ଼ିଶା ପର୍ଯ୍ୟନ୍ତ ଆମ ରାଜ୍ୟର ଯାତ୍ରା ବିଷୟରେ ଜାଣିବା। ଓଡ଼ିଶାକୁ ଚିହ୍ନିବା। କିଭଳି ସୃଷ୍ଟି ହେଲା ଓଡ଼ିଶା? ୧୮୭୫ରେ ବାଲେଶ୍ବର ରାଜା ଶ୍ୟାମାନନ୍ଦ ଦେ ଏବଂ ଦେଶବ୍ରତୀ ବିଚିତ୍ରାନନ୍ଦ ଦାସ ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ପାଇଁ ବଙ୍ଗର ତତ୍କାଳୀନ ଲେଫଟନାଂଟ ଗଭର୍ନରଙ୍କୁ ସ୍ମାରକପତ୍ର ପ୍ରଦାନ କରିଥିଲେ। ସେହିଦିନଠାରୁ ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ହେବାର ମୂଳଦୁଆ ପଡ଼ିଥିଲା। ୧୮୮୨ରେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଦ୍ବାରା ଓଡ଼ିଶାର ପ୍ରଥମ ରାଜନୈତିକ ମଞ୍ଚ ଉତ୍କଳ ସଭା ବା ଓଡ଼ିଶା ଆସୋସିଏସନ ଗଠିତ ହୋଇଥିଲା। ୧୮୯୫ରେ ସେଣ୍ଟ୍ରାଲ୍ ପ୍ରୋଭିନ୍ସ ଚିଫ୍ କମିଶନରଙ୍କ ପକ୍ଷରୁ ସମ୍ବଲପୁରର କୋର୍ଟ କଚେରିମାନଙ୍କରୁ ଓଡ଼ିଆ ଭାଷା ସଂପୂର୍ଣ୍ଣ ଉଚ୍ଛେଦ ଏବଂ ହିନ୍ଦୀ ଭାଷାର ପ୍ରଚଳନ ଆରମ୍ଭ କରାଯାଇଥିଲା। ସମ୍ବଲପୁରବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଓ ଜନ-ଆନ୍ଦୋଳନ ଦେଖାଦେଇଥିଲା। ୧୯୦୧ରେ ଖଲ୍ଲିକୋଟ ରାଜା ହରିହର ମର୍ଦ୍ଦରାଜ ଦେବଙ୍କ ନେତୃତ୍ବରେ ରମ୍ଭା ପ୍ରାସାଦରେ ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ସମ୍ପର୍କରେ ବିଚାର ଆଲୋଚନା ହୋଇଥିଲା। ପଶ୍ଚିମ ଓଡ଼ିଶା ପରେ ଦକ୍ଷିଣ ଓଡ଼ିଶାରେ ଉତ୍କଳ ପ୍ରଦେଶ ଗଠନ ପାଇଁ ଏହା ଥିଲା ପ୍ରଥମ ଉଦ୍ୟମ। ଜାତିର ସ୍ବାର୍ଥରକ୍ଷା ଉଦ୍ଦେଶ୍ୟରେ ଉତ୍କଳ ହିତୈଷିଣୀ ଗଠନ କରାଗଲା। ୧୯୦୨ରେ ମାନ୍ଦ୍ରାଜରେ ଅନୁଷ୍ଠିତ ଜାତୀୟ କଂଗ୍ରେସ ସମ୍ମିଳନୀରେ ମଧୁସୂଦନ ଓ ଗୌରୀଶଙ୍କର ରାୟ ଯୋଗ ଦେଇଥିଲେ ଏବଂ ଓଡ଼ିଶା ଡିଭିଜନରେ ଗଞ୍ଜାମ ଜିଲ୍ଲାର ମିଶ୍ରଣ ପାଇଁ ଦାବି ଉପସ୍ଥାପନ କଲେ। ୧୯୦୩ରେ ମଧୁସୂଦନଙ୍କ ବଳିଷ୍ଠ ନେତୃତ୍ବରେ ଉତ୍କଳ ସମ୍ମିଳନୀ ଜନ୍ମଲାଭ କଲା। ୧୯୦୫ରେ ସମ୍ବଲପୁର ଜିଲ୍ଲାକୁ ମଧ୍ୟପ୍ରଦେଶରୁ କାଢ଼ି ବଙ୍ଗଳା ପ୍ରେସିଡେନ୍ସି ଅନ୍ତର୍ଗତ ଓଡ଼ିଶା ଡିଭିଜନରେ ମିଶ୍ରଣ କରାଗଲା। ୧୯୧୭ରେ ଉତ୍କଳ ସମ୍ମିଳନୀ ପକ୍ଷରୁ ବିଚ୍ଛିନ୍ନ ଓଡ଼ିଆ ଭାଷାଭାଷୀ ଅଂଚଳକୁ ଗୋଟିଏ ପ୍ରଦେଶ ଅନ୍ତର୍ଗତ କରିବାକୁ ମଣ୍ଟେଗୁ-ଚେମସଫୋର୍ଡ କମିଟି ନିକଟରେ ଦାବି ଉପସ୍ଥାପନ କରାଯାଇଥିଲା। ୧୯୨୭ରେ ସାଇମନ୍ କମିସନଙ୍କ ନିକଟରେ ଉତ୍କଳ ସମ୍ମିଳନୀ ପକ୍ଷରୁ ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ଦାବି ଉପସ୍ଥାପନ କରାଗଲା। ୧୯୩୧ରେ ଇଂଲଣ୍ଡରେ ଅନୁଷ୍ଠିତ ଗୋଲଟେବୁଲ ବୈଠକରେ ରାଜା କୃଷ୍ଣଚନ୍ଦ୍ର ଗଜପତି ଦେବଙ୍କ ଯୋଗ ଦେଇଥିଲେ ଓ ସ୍ବତନ୍ତ୍ର ରାଜ୍ୟ ଗଠନ ଦାବି କରିଥିଲେ। ୧୯୩୩ରେ ପାରଳାଖେମୁଣ୍ଡି, ଜୟପୁର ଜମିଦାରିକୁ ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ପରିକଳ୍ପନାରୁ ବାଦ ଦେଇ ଶ୍ବେତପତ୍ର ବାହାରି ଥିଲା। ଏହା ବିରୋଧରେ ଉତ୍କଳ ସମ୍ମିଳନୀ ମାଧ୍ୟମରେ ବିଶାଳ ଜନ ଆନ୍ଦୋଳନ ସୃଷ୍ଟି ହେଲା। ୧୯୩୫ରେ ଭାରତ ଶାସନ ଆଇନ ମାଧ୍ୟମରେ ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ବିଚାରାଧୀନ ରହିଲା। ୧୯୩୬, ଏପ୍ରିଲ ୧- କଟକ, ପୁରୀ, ବାଲେଶ୍ବର, ସମ୍ବଲପୁର, ଗଞ୍ଜାମ ଓ କୋରାପୁଟ ଛଅଟି ଜିଲ୍ଲାକୁ ନେଇ ଭାଷା ଭିତ୍ତିରେ ସ୍ବତନ୍ତ୍ର ଉତ୍କଳ ପ୍ରଦେଶର ଗଠନ ହୋଇଥିଲା। ୧୮୭୫ରୁ ଆରମ୍ଭ ହୋଇଥିବା ଓଡ଼ିଶା ପ୍ରଦେଶ ଗଠନର ଉଦ୍ୟମ ୧୯୩୬ରେ ଅର୍ଥାତ ୬୧ ବର୍ଷରେ ସାକାର ରୂପ ନେଲା। ହେଲେ, ପ୍ରଦେଶ ଗଠନ ଏଇଠି ସଂପୂର୍ଣ ହୋଇ ନଥିଲା। ବରଂ ଏହାକୁ ସଂପୂର୍ଣ କଲେ ଓଡ଼ିଶାର ପ୍ରଥମ ପ୍ରଧାନମନ୍ତ୍ରୀ (ପରବର୍ତ୍ତୀ ସମୟରେ ରାଜ୍ୟ ମୁଖ୍ୟଙ୍କୁ ମୁଖ୍ୟମନ୍ତ୍ରୀ କୁହାଗଲା) ହରେକୃଷ୍ଣ ମହାତାବ। ଯାହାଙ୍କୁ ସେଇଥିପାଇଁ କୁହାଯାଏ ନବ ଉତ୍କଳର ନିର୍ମାତା। ୧୯୩୮ ମସିହାରେ ଇଂରେଜ ସମର୍ଥିତ କରଦ ରାଜ୍ୟର ରାଜାମାନଙ୍କ କୁଶାସନ ବିରୁଦ୍ଧରେ ପ୍ରଜାମଣ୍ଡଳଗୁଡ଼ିକ ଗଢ଼ି ଉଠିଲା। ଏଥିରେ ସାରଙ୍ଗଧର ଦାସ, ବାଲୁଙ୍କେଶ୍ବର ଆଚାର୍ଯ୍ୟ, ପବିତ୍ରମୋହନ ପ୍ରଧାନ ପ୍ରମୁଖ ବିଶେଷ ଭୂମିକା ଗ୍ରହଣ କରିଥିଲେ। ଡ. ମହତାବ ସେମାନଙ୍କ ଦିଗଦର୍ଶକ ଭାବରେ ଗାନ୍ଧିଜୀଙ୍କ ଅହିଂସା ନୀତିରେ ଅସହଯୋଗ ଆନ୍ଦୋଳନ ଜାରି ରଖିବାକୁ ମନ୍ତ୍ରଣା ଦେଉଥିଲେ। ପ୍ରଥମେ ନୀଳଗିରିରେ ଶାନ୍ତିପୂର୍ଣ୍ଣ ଭାବରେ ପ୍ରଜା ଆନ୍ଦୋଳନ ଆରମ୍ଭ ହୋଇଥିଲା। ପରେ ତାଳଚେର ଓ ଢେଙ୍କାନାଳରେ ମଧ୍ୟ ସେହିଭଳି ଆନ୍ଦୋଳନ ଜୋରଦାର ହେଲା। ଡ. ମହତାବଙ୍କ ପ୍ରତ୍ୟକ୍ଷ ଓ ପରୋକ୍ଷ ପ୍ରେରଣାରେ ଆନ୍ଦୋଳନ ସଫଳ ହେଲା। ଓଡ଼ିଶା ପ୍ରାଦେଶିକ ସରକାର ୧୯୪୭ ମସିହା ନଭେମ୍ବର ୧୪ ତାରିଖରେ ନୀଳଗିରି ରାଜ୍ୟକୁ ନିଜ କବଳକୁ ନେଲେ। ଏହା ହିଁ ଗଡ଼ଜାତ ମିଶ୍ରଣ ପାଇଁ ଭରସା ଜନ୍ମାଇଲା। କାରଣ ସେତେବେଳକୁ ଗଡ଼ଜାତ ରାଜାମାନେ ପ୍ରଦେଶ ସହ ନ ମିଶି ନିଜର ସାର୍ବଭୌମତ୍ବ ବଜାୟ ରଖିବାକୁ ଅଡ଼ି ବସିଥିଲେ। ଏପରିକି ଲିଖିତ ଆକାରରେ କେନ୍ଦ୍ର ସରକାରଙ୍କୁ ମଧ୍ୟ ଦେଇଥିଲେ। ଓଡ଼ିଶାର ପ୍ରଧାନମନ୍ତ୍ରୀ ହରେକୃଷ୍ଣ ମହତାବ ଚାହୁଥିଲେ ସମଗ୍ର ଭୌଗୋଳିକ ଓଡ଼ିଶା ବା ଓଡ଼ିଆ ଭାଷାଭାଷୀ ଅଞ୍ଚଳକୁ ମିଶାଇ ଗୋଟିଏ ରାଜ୍ୟ ଗଢ଼ିବା ପାଇଁ। ତେଣୁ ଭାରତର ତତ୍କାଳୀନ ଉପପ୍ରଧାନମନ୍ତ୍ରୀ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କୁ ନିମନ୍ତ୍ରଣ କଲେ ତୁରନ୍ତ ଓଡ଼ିଶା ଆସିବାକୁ। ନିମନ୍ତ୍ରଣ ରକ୍ଷା କରି ସର୍ଦ୍ଦାର ପଟେଲ ତାଙ୍କ ପ୍ରାଶାସନିକ ଅଧିକାରୀମାନଙ୍କ ସହ ୧୩ ଡିସେମ୍ବର ୧୯୪୭ରେ ଓଡ଼ିଶା ଆସିଲେ। ସେଦିନ ଭୁବନେଶ୍ବର ବିମାନ ବନ୍ଦର ଠାରୁ ରାଜଧାନୀ କଟକ ପର୍ଯ୍ୟନ୍ତ 30 କିଲୋମିଟର ଯାଏଁ ଲୋକେ ବିକ୍ଷୋଭରତ ଥିଲେ। ସମସ୍ତଙ୍କର ଗୋଟିଏ ଦାବି- ଓଡ଼ିଆ ଭାଷାଭାଷୀ ଗଡ଼ଜାତ ରାଜ୍ୟଗୁଡ଼ିକର ଓଡ଼ିଶା ପ୍ରଦେଶ ସହ ଶୀଘ୍ର ମିଶ୍ରଣ। ସେଦିନ ଉପପ୍ରଧାନମନ୍ତ୍ରୀ ସର୍ଦ୍ଦାର ପଟେଲ ଓ ତାଙ୍କ ଅଧିକାରୀଗଣ, ଓଡ଼ିଶାର ପ୍ରଧାନମନ୍ତ୍ରୀ, ଓଡ଼ିଶାର ମାନ୍ୟବର ରାଜ୍ୟପାଳ ଓ ପ୍ରଦେଶର ମନ୍ତ୍ରିମଣ୍ଡଳ ସହ ବୈଠକ କରି ଗଡ଼ଜାତ ମିଶ୍ରଣ ଉପରେ ନିର୍ଧାରଣ କଲେ। ଗଡ଼ଜାତ ରାଜାମାନଙ୍କ ସହ ଭାରତ ସରକାର ସନନ୍ଦ ସ୍ବାକ୍ଷର କଲେ। ୧୯୪୮ ମସିହା ଜାନୁଆରୀ ପହିଲା ତାରିଖରେ ୨୩ଟି ଗଡ଼ଜାତ ଓଡ଼ିଶା ସହିତ ମିଶି ଯାଇଥିଲା; ସେଗୁଡ଼ିକ ହେଉଛି ୧. ଆଠଗଡ଼, ୨. ଆଠମଲ୍ଲିକ, ୩. କଳାହାଣ୍ଡି, ୪. କେନ୍ଦୁଝର, ୫. ଖଣ୍ଡପଡ଼ା, ୬. ଗାଙ୍ଗପୁର, ୭. ଢେଙ୍କାନାଳ, ୮. ତାଳଚେର, ୯. ତିଗିରିଆ, ୧୦. ଦଶପଲ୍ଲା, ୧୧. ନରସିଂହପୁର, ୧୨. ନୟାଗଡ଼, ୧୩. ନୀଳଗିରି, ୧୪. ପାଟନା, ୧୫. ପାଲଲହଡ଼ା, ୧୬. ବୌଦ୍ଧ, ୧୭. ବଡ଼ମ୍ବା, ୧୮. ବଣାଇ, ୧୯. ବାମଣ୍ଡା, ୨୦. ରଣପୁର, ୨୧. ରେଢ଼ାଖୋଲ, ୨୨. ସୋନପୁର ଓ ୨୩. ହିନ୍ଦୋଳ। ପରେ ୧ ଜାନୁଆରି ୧୯୪୯ରେ ଭାରତ ସହ ଶେଷ ଗଡ଼ଜାତ ରାଜ୍ୟ ରୂପେ ମୟୂରଭଞ୍ଜ ମିଶିଲା ଏବଂ ଓଡ଼ିଶାର ଅଂଶ ହୋଇଗଲା। ସେଇଠି ଓଡ଼ିଶାର ଭୌଗୋଳିକ ନିର୍ମାଣର ମୁଣ୍ଡି ମରିଥିଲା। ଏହି ଗଡ଼ଜାତ ମିଶ୍ରଣ ପରେ ଓଡ଼ିଶାର ଲୋକସଂଖ୍ୟା ୧ କୋଟି ୪୬ ଲକ୍ଷକୁ ଟପି ଯାଇଥିଲା। ୧୯୫୦ ଜାନୁଆରୀ ୨୬ ତାରିଖରେ ଓଡ଼ିଶାରେ ଆଉ ୭ଟି ଜିଲ୍ଲା ମିଶି ଓଡ଼ିଶାର ଜିଲ୍ଲା ସଂଖ୍ୟା ୧୩ରେ ପହଞ୍ଚିଲା। ତାହା ହିଁ ଏବେର ଓଡ଼ିଶା। ବିିଭିନ୍ନ ଗଡ଼ଜାତ ମିଶ୍ରଣର ବିଭିନ୍ନ ସର୍ତ୍ତ ମଧ୍ୟ ଥିଲା। କିନ୍ତୁ ତାହା ଉପରେ କେହି ଚର୍ଚା କରୁ ନାହାନ୍ତି। ମୟୂରଭଂଜ ମିଶ୍ରଣ ପରେ ମୟୁରଭଂଜ ଗୋଟିଏ ଜିଲ୍ଲା ହେଲା। ତାହାର ବିକାଶକୁ ତ୍ବରାନ୍ବିତ କରିବାକୁ ଦୁଇ ବର୍ଷ ପରେ ସାନସାନ ବ୍ଲକ୍ ଗଠନ କରାଗଲା। ବିଜୁ ପଟ୍ଟନାୟକଙ୍କ ଦ୍ବିତୀୟ ଥର ମୁଖ୍ୟମନ୍ତ୍ରୀତ୍ବ କାଳରେ ସେ ଓଡ଼ିଶାର ଜିଲ୍ଲା ସଂଖ୍ୟାକୁ ୧୩ରୁ ୩୦ ପହଞ୍ଚାଇଲ ୧୯୯୨ ଓ ୧୯୯୩ ମସିହାରେ ୩ଟି ପର୍ଯ୍ୟାୟରେ। ହେଲେ ସେ ତିନିଟି ଜିଲ୍ଲାର ବିଭାଜନକୁ ଅତି ସ୍ପର୍ଶକାତର ବିବେଚନା କରୁଥିଲେ। ତେଣୁ ସେଥିରେ ହାତ ମାରି ନଥିଲେ। ମହତାବଙ୍କ ପ୍ରତି ବିଜୁ ବାବୁଙ୍କର ପ୍ରଚୁର ସମ୍ମାନ ରହିଥିଲା। ତେଣୁ ଅସଲ କଥାକୁ ବୁଝି ସେ ମୟୁରଭଂଜ, କେନ୍ଦୁଝର ଓ ସୁନ୍ଦରଗଡ଼ ଜିଲ୍ଲା ତ୍ରୟକୁ ପୁନର୍ଗଠନ ନାମରେ ବିଭାଜନ କରି ନଥିଲେ। ଝାଡ଼ଖଣ୍ଡ ସହ ମିଶିବା ପାଇଁ ଏହି ତିନି ଜିଲ୍ଲାରେ ସ୍ବର ସକ୍ରିୟ ଥିବାରୁ ଏପରି ନିଷ୍ପତ୍ତି ହୋଇଥିଲା। ଯାହାକି ଏବେ ସୁଦ୍ଧା କାୟମ ରହିଛି। ତେବେ ପ୍ରଥମ ପର୍ଯ୍ୟାୟରେ ୨ ଅକ୍ଟୋବର ୧୯୯୨ ଗାନ୍ଧୀ ଜୟନ୍ତୀରେ ୪ଟି ଯଥା:- ଗଜପତି(ଗଂଜାମରୁ ବିଭାଜିତ); ରାୟଗଡ଼ା, ନବରଙ୍ଗପୁର ଓ ମାଲକାନଗିରି (ଏ ୩ଟି କୋରାପୁଟରୁ ବିଭାଜିତ) ଜିଲ୍ଲା ସୃଷ୍ଟି ହୋଇ ଜିଲ୍ଲା ସଂଖ୍ୟା ୧୭ ହେଲା। ଦ୍ବିିତୀୟ ପର୍ଯ୍ୟାୟରେ ୧ ଏପ୍ରିଲ୍ ୧୯୯୩, ଉତ୍କଳ ଦିବସରେ ୧୦ଟି ନୂଆ ଜିଲ୍ଲା ସୃଷ୍ଟି ହୋଇ ଜିଲ୍ଲା ସଂଖ୍ୟା ୨୭ ହେଲା; ସେଗୁଡ଼ିକ ହେଲା:- କେନ୍ଦ୍ରାପଡ଼ା, ଯାଜପୁର, ଜଗତସିଂହପୁର (ଏ ୩ଟି କଟକରୁ ବିଭାଜିତ), ଭଦ୍ରକ (ବାଲେଶ୍ବରୁ ବିଭାଜିତ), ଅନୁଗୋଳ (ଢେଙ୍କାନାଳରୁ ବିଭାଜିତ), ଖୋର୍ଦ୍ଧା, ନୟାଗଡ଼ (ଏ ୨ଟି ପୁରୀରୁ ବିଭାଜିତ), ବରଗଡ଼ (ସମ୍ବଲପୁରରୁ ବିଭାଜିତ), ନୂଆପଡ଼ା (କଳାହାଣ୍ଡିରୁ ବିଭାଜିତ), ସୁବର୍ଣ୍ଣପୁର (ବଲାଙ୍ଗୀରରୁ ବିଭାଜିତ)। ତୃତୀୟ ତଥା ଶେଷ ପର୍ଯ୍ୟାୟରେ ୧ ଜାନୁଆରି ୧୯୯୪ରେ ଆଉ ୩ଟି ସାନ ଜିଲ୍ଲା ଯଥା:- ଦେବଗଡ଼, ଝାରସୁଗୁଡ଼ା (ଏ ୨ଟି ସମ୍ବଲପୁରରୁ ବିଭାଜିତ), ବୌଦ୍ଧ (କନ୍ଧମାଳରୁ ବିଭାଜିତ) ସୃଷ୍ଟି ହୋଇ ଜିଲ୍ଲା ସଂଖ୍ୟା ୩୦ ହୋଇଛି। ଅନ୍ୟ ଏକ ଘଟଣାକ୍ରମରେ ଓଡ଼ିଶାର ରାଜଧାନୀ କଟକରେ ସ୍ଥାନାଭାବ କାରଣରୁ ନୂଆ ରାଜଧାନୀ ରୂପେ ଭୁବନେଶ୍ବରକୁ ବଛାଗଲା। ୧୩ ଏପ୍ରିଲ୍ ୧୯୪୮ ମହାବିଷୁବ ସଂକ୍ରାନ୍ତି (ପଣା ସଂକ୍ରାନ୍ତି) ଦିନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ନୂଆ ରାଜଧାନୀର ଶୁଭ ଦେଇଥିଲେ। ସହରର ନକ୍ସା ପ୍ରସ୍ତୁତ କରିଥିଲେ ଜର୍ମାନୀ ସ୍ଥପତି ଅଟୋ କୋନିଙ୍ଗସବର୍ଜର। ୧୯୪୯ରେ କଟକରୁ ଭୁବନେଶ୍ବରକୁ ରାଜଧାନୀ ଉଠି ଆସିଲା। ୧୯୫୧ ମସିହା ବେଳକୁ ଭୁବନେଶ୍ବରର ଜନସଂଖ୍ୟା ଥିଲା ୧୬,୫୧୨। ୧୯୫୧ରୁ ୧୯୭୯ ମସିହା ପର୍ଯ୍ୟନ୍ତ ଭୁବନେଶ୍ବର ଏକ ବିଜ୍ଞାପିତ ଅଞ୍ଚଳ ପରିଷଦ ହୋଇ ରହିଥିଲା। ୧୨ ମାର୍ଚ୍ଚ ୧୯୭୯ରେ ଏହା ପୌରପାଳିକାର ମାନ୍ୟତା ପାଇଲା। କାଳକ୍ରମେ ୧୪ ଅଗଷ୍ଟ ୧୯୯୪ରେ ବିଜୁବାବୁଙ୍କ ମୁଖ୍ୟମନ୍ତ୍ରିତ୍ବ କାଳରେ ଭୁବନେଶ୍ବର ପୌର ନିଗମ ମାନ୍ୟତା ପାଇଲା। ଏବେ ଭୁବନେଶ୍ବର ହେଉଛି ଓଡ଼ିଶାର ବୃହତ୍ତମ ସହର। କଟକ-ଭୁବନେଶ୍ବରକୁ ଦ୍ବୈତ ନଗର ମାନ୍ୟତା ଦେଇ କମିଶନରେଟ୍ ପୁଲିସ୍ ବ୍ୟବସ୍ଥା ଲାଗୁ କରାଯାଇଥିଲେ ବି ଅନ୍ୟ କୌଣସି କ୍ଷେତ୍ରରେ ସମନ୍ବିତ ଯୋଜନା ହେଉ ନାହିଁ। ସମ୍ଭବତଃ ଦୁଇଟି ସହର ଅଲଗା ଅଲଗା ଜିଲ୍ଲାରେ ରହୁଥିବାରୁ ସମନ୍ବିିତ ଯୋଜନା ଓ ବଜେଟ୍ ପ୍ରସ୍ତୁତିକୁ ଏକ ଅଡ଼ୁଆ ସମସ୍ୟା ରୂପେ ରାଜ୍ୟ ପ୍ରଶାସନ ଧରି ନେଇଛି। ବନ୍ଦେ ଉତ୍କଳ ଜନନୀ ୧୯୯୪ ମସିହାରେ ଯୁଧିଷ୍ଠିର ଦାସ ବାଚସ୍ପତି ଥିବା ବେଳେ ବନ୍ଦେ ଉତ୍କଳ ଜନନୀକୁ ବିଧାନସଭା ଅଧିବେଶନ ଶେଷ ଦିନରେ ଗାଇ ସମ୍ମାନ ଦେବା ପାଇଁ ନିଷ୍ପତି ହୋଇଥିଲା। ପରେ ଶରତ କର ଓ ମହେଶ୍ବର ମହାନ୍ତି ବାଚସ୍ପତି ଥିବା ବେଳେ ଏହି ଗୀତକୁ ରାଜ୍ୟ ସଂଗୀତର ମାନ୍ୟତା ପାଇଁ ପ୍ରକ୍ରିୟା ଆରମ୍ଭ ହେଲା। ବୈଠକ ବସିଲା। ପୁଣି ମହେଶ୍ବର ମହାନ୍ତି ସଂସ୍କୃତି ମନ୍ତ୍ରୀ ଥିବା ବେଳେ ବି ବୈଠକ ବସିଲା। ୩ ଥର ବୈଠକ ପରେ ବି ୨୦୧୪ ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ କୌଣସି ସିଦ୍ଧାନ୍ତ ହୋଇ ପାରିଲା ନାହିଁ। କେବଳ ବନ୍ଦେ ଉତ୍କଳ ଜନନୀକୁ କିଭଳି ବୋଲାଯିବ ସେ ସମ୍ପର୍କରେ ୪ଟି ନିଷ୍ପତ୍ତି ହେଲା। ୧- ଏହି ଗୀତର ପ୍ରଥମ, ଚତୁର୍ଥ ଓ ଷଷ୍ଠ ପଦ ରାଜ୍ୟ ସଂଗୀତ ଭାବେ ବୋଲାଯିବ। ୨- ଆକାଶବାଣୀରେ ସଂଗୀତ ସୁଧାକର ବାଳକୃଷ୍ଣ ଦାଶ ଏହାକୁ ଗାଇଥିବା ମୂଳ କଣ୍ଠସ୍ବର ଏହାର ସ୍ବର ହେବ। ୩- ଏହାକୁ ୯୦ ସେକେଣ୍ଡ ମଧ୍ୟରେ ଗାନ କରାଯିବ ଏବଂ ୪- ଗାନ ସମୟରେ ସମସ୍ତେ ଠିଆ ହୋଇ ରହିବେ। ଏହି ଗୀତକୁ ଉତ୍କଳ ସଂସ୍କୃତି ବିଶ୍ବବିଦ୍ୟାଳୟ ପକ୍ଷରୁ ସ୍ବର କରାଯିବା ପରେ ସଂସ୍କୃତି ବିଭାଗ ଏହାର ସ୍ବୀକୃତି ପାଇଁ ଗୃହ ବିଭାଗକୁ ପଠାଇଲା। କିନ୍ତୁ ଗୃହ ବିଭାଗର ଜବାବ ଯେ ସଂସ୍କୃତି ବିଭାଗ ନିକଟରୁ ଏଭଳି କୌଣସି ଚିଠି ଏଯାବତ୍ ପାଇନାହିଁ! ମଧୁବାବୁଙ୍କ ଅବଦାନ ଉତ୍କଳ ଗୌରବ ମଧୁସୂଦନ ଥିଲେ ଓଡ଼ିଆ ଜାତୀୟତାର ପ୍ରମୁଖ ମନ୍ତ୍ରଦାତା। ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନରେ ତାଙ୍କର ଅସୀମ ଜାତିପ୍ରୀତି, ଚରମ ତ୍ୟାଗ, ଗଭୀର ଅଧ୍ୟବସାୟ, ଆନ୍ତରିକ ନିଷ୍ଠା ଓ ବିଚକ୍ଷଣ ଦୂରଦର୍ଶିତା ପ୍ରଣିଧାନଯୋଗ୍ୟ। ଅହିଂସ ଉପାୟରେ ବ୍ରିଟିଶ ସାହାବମାନଙ୍କ ନିକଟବର୍ତ୍ତୀ ହେବା ପାଇଁ ତଥା ସେମାନଙ୍କ ବିଶ୍ବାସ ଜିଣିବା ପାଇଁ ସେ ଧର୍ମାନ୍ତରିତ ହୋଇ ଖ୍ରୀଷ୍ଟିଆନ୍ ହୋଇଥିଲେ। ଉପାଦେୟ ଯୁକ୍ତି କରିପାରିବା ପାଇଁ ଓକିଲାତି ପାଠର ଶୀର୍ଷକୁ ଛୁଇଁ ବାରିଷ୍ଟର ହୋଇଥିଲେ। ସେ ବି ଥିଲେ ଓଡ଼ିଶାର ଅନ୍ୟତମ ପ୍ରଥମ ଶିଳ୍ପପତି। ସତ୍ୟ, ନ୍ୟାୟ ଓ ସାଧୁତା ପ୍ରଦର୍ଶନ କରି ସେ ଓଡ଼ିଆ ଜାତିର ନୈତିକତା ଓ ସଚ୍ଚୋଟତାର ଗୌରବମୟ ପରମ୍ପରା ସୃଷ୍ଟି କରିଥିଲେ। ମହାତ୍ମା ଗାନ୍ଧୀ ଆନୁଷ୍ଠାନିକ ଭାବେ ସ୍ବଦେଶୀ ଆନ୍ଦୋଳନ ଆରମ୍ଭ କରିବାର ବହୁ ପୂର୍ବରୁ ମଧୁସୂଦନ ଓଡ଼ିଶାରେ ଏହା ଆରମ୍ଭ କରିଥିଲେ। ଓଡ଼ିଆ ଜାତୀୟ ଆନ୍ଦୋଳନର ସେ ଥିଲେ ପ୍ରାଣ ପ୍ରତିଷ୍ଠାତା। ବିଚ୍ଛିନ୍ନାଞ୍ଚଳକୁ ଏକତ୍ର କରି ଆଧୁନିକ ଓଡ଼ିଶା ଗଠନ କରିବାରେ ସେ ଥିଲେ ପ୍ରଧାନ ପୁରୋଧା। ୧୮୮୨ରେ ସେ ପ୍ରତିଷ୍ଠା କରିଥିଲେ ଉତ୍କଳ ସଭା ଏବଂ ୧୯୦୩ରେ ଉତ୍କଳ ସମ୍ମିଳନୀ। ଜାତି ଉଦ୍ଦେଶ୍ୟରେ ସେ ଲେଖି ଯାଇଛନ୍ତି:- ଜାତି ନନ୍ଦିଘୋଷ ଚଳିବ କି ଭାଇ, ସ୍ବାର୍ଥକୁ ସାରଥୀ କଲେ? ଚାଲେ କିର ଗାଡ଼ି, ଦାନାର ତୋବଡ଼ା ଘୋଡ଼ା ମୁହେଁ ବନ୍ଧା ଥିଲେ? ଭାରତରେ ମଦର ଓ ସିଷ୍ଟର ମାନ୍ୟତା ପାଇଛନ୍ତି ଏକାଧିକ ବିଦେଶିନୀ। ନିକଟ ଅତୀତରେ ଲୋକପ୍ରିୟ ହୋଇ ସ୍ବର୍ଗୀୟ ହୋଇଥିବା ମଦର ଟେରସାଙ୍କ ଦୁଇ ଦଶନ୍ଧି ପୂର୍ବରୁ ଦ ମଦର ମାନ୍ୟତା ପାଇଥିଲେ ଜଣେ ଫରାସୀ ମହିଳା। ଯିଏକି ଭାରତକୁ ଭଲ ପାଇ ଭାରତରେ ଆଧ୍ୟାତ୍ମିକ ସାଧନା କରି ମହୀୟସୀ ପାଲଟି ଯାଇଥିଲେ। ଓଡ଼ିଶାରେ ତାଙ୍କର ଲକ୍ଷ ଲକ୍ଷ ଭକ୍ତ ଓ ଅନୁଗତ, ସେମାନେ ଶ୍ରଦ୍ଧାରେ କହନ୍ତି ଶ୍ରୀମା। ଓଡ଼ିଶା ସଂକ୍ରାନ୍ତରେ ତାଙ୍କର ଅଭିବ୍ୟକ୍ତି କ’ଣ ଆସନ୍ତୁ ଜାଣିବା ତାଙ୍କର ମୌଳିକ ଶବ୍ଦରେ- ୩ ଜୁନ ୧୯୬୮ I’ve just come from there (the music room where Mother receives visitors). I saw some twenty people.... There was Odisha’s Chief Minister (Odisha is the first province in India to give money for a pavilion in Auroville: they gave a lakh of rupees). He is a nice man. The people from Odisha, they are nice people; of all provinces, they are the ones who seem the most eager to forge ahead, to change something. Q. And Bengal? Isn’t it ahead? The Mother: They’re a bit... fanciful. I mean, they talk a lot - they talk very well! Those from Odisha are more practical - they’re generous, a very generous nature: they give a lot. Bengal... they know, or feel, that they are the country’s intellectual leaders, so they are puffed up with themselves. Me, I like simple people. The response in Odisha is excellent.

Share :