ରତ୍ନେଶ୍ବର ସାହୁ ଓଡିଶା ରାଜ୍ୟ ବଜେଟ୍ ୨୦୧୮-୧୯କୁ ସାଧାରଣ ଲୋକମାନଂକ ଦୃଷ୍ଟିଭଙ୍ଗିରେ ବିଶ୍ଲେଷଣ କରିବା ଉଦ୍ଦେଶ୍ୟରେ ଉତ୍କଳ ବିଶ୍ବବିଦ୍ୟାଳୟର ବିଶ୍ଲେଷଣାତ୍ମକ ଓ ପ୍ରୟୋଗାତ୍ମକ ଅର୍ଥନୀତି ବିଭାଗର ଗବେଷଣାରତ ଛାତ୍ରଛାତ୍ରୀ ଓ ୟୁଥ୍ ଫର ସୋସିଆଲ ଡେଭଲପମେଣ୍ଟ, ବ୍ରହ୍ମପୁର ମିଳିତ ଭାବେ ଏକ ଅଧ୍ୟୟନ କରିଥିଲେ। ୨୩ ମାର୍ଚ୍ଚ ୨୦୧୮ ତାରିଖ ଦିନ ଓଡିଶାର ଅର୍ଥ ମନ୍ତ୍ରୀ ୨୦୧୮-୧୯ ଆର୍ଥିକ ବର୍ଷ ନିମନ୍ତେ ବଜେଟ୍ ବିଧାନ ସଭାରେ ଉପସ୍ଥାପନ କରିଥିଲେ। ୨୦୧୮-୧୯ ବର୍ଷର ବଜେଟ ଯଦିଓ ୧ ଲକ୍ଷ ୨୦ ହଜାର ୨୮ କୋଟି ଟଙ୍କାର ବଜେଟ୍ ତଥାପି ଏହା ରାଜ୍ୟର ମୋଟ ଘରୋଇ ଉତ୍ପାଦର ମୋଟ ୨୭% ଓ ଯଦି ଆମେ ୨୦୧୩-୧୪ ଆର୍ଥିକ ବର୍ଷର ଆନୁମାନିକ ବଜେଟକୁ ଦେଖିବା ରାଜ୍ୟର ମୋଟ ଘରୋଇ ଉତ୍ପାଦର ପ୍ରାୟ ୨୦% ଥିଲା ମୋଟ ଖର୍ଚ। ମୋଟ ଖର୍ଚ୍ଚର ବୃଦ୍ଧିକୁ ହିସାବକୁ ନେଲେ ୨୦୧୭-୧୮ ସଂଶୋଧିତ ଅଟକଳ ତୁଳନାରେ ୨୦୧୮-୧୯ ବର୍ଷରେ ପ୍ରାୟ ୧୧% ବୃଦ୍ଧି ଘଟିଛି ଓ ଯଦି ୨୦୧୭-୧୮ ଆନୁମାନିକ ଅଟକଳକୁ ହିସାବକୁ ନେବା ତାହାହେଲେ ଗତବର୍ଷ ତୁଳନାରେ ୨୦୧୮-୧୯ ବର୍ଷରେ ପ୍ରାୟ ୧୨.୨୭% ବୃଦ୍ଧି ଘଟିଛି। କିନ୍ତୁ ଯଦି ଆମେ ଆନୁମାନିକ ଅଟକଳ ଓ ପ୍ରକୃତ ଖର୍ଚ୍ଚ ବିଷୟରେ ଆଲୋଚନା କରିବା ତାହାହେଲେ ୨୦୧୩-୧୪ ଆନୁମାନିକ ଅଟକଳ ତୁଳନାରେ ସେହିବର୍ଷର ପ୍ରକୃତ ଖର୍ଚ୍ଚ ହେଉଛି -୬.୯୨%। ଠିକ୍ ସେହିପରି ୨୦୧୪-୧୫ ଆର୍ଥିକ ବର୍ଷରେ ସେମିତି -୧୬.୮% ଓ ୨୦୧୬-୧୭ ଆର୍ଥିକ ବର୍ଷରେ -୭.୬%। ବଜେଟର ଆୟକୁ ନଜର ଦେଲେ ଜଣା ପେ ଯେ, ୨୦୧୩-୧୪ ବର୍ଷରେ ବାସ୍ତବ ଆୟରେ ମୋଟ ରାଜସ୍ବ ଆୟର ୫୧.୬୩% ରାଜ୍ୟ ନିଜସ୍ବ ଆୟରୁ ସମ୍ମୁଖୀନ ହେଉଥିଲା ବେଳେ ୨୦୧୪-୧୫ ବର୍ଷରେ ୪୮.୯୫%, ୨୦୧୫-୧୬ ବର୍ଷରେ ୪୫.୩୧%, ୨୦୧୬-୧୭ ବର୍ଷରେ ୪୧.୫୮ % ନିଜସ୍ବ ଅୟରୁ ସମ୍ମୁଖୀନ ହେଉଥିଲେ। କିନ୍ତୁ ୨୦୧୮-୧୯ ବଜେଟ୍ ଆକଳନ ଅନୁସାରେ ଏହା ଆହୁରି ୩୮.୭୭%କୁ କମିଯାଇଛି। ରାଜ୍ୟ ପାଇଁ ଏହା ଏକ ଆହ୍ବାନ ଯେ ନିଜସ୍ବ ଆୟ ଉପରେ ଯଥେଷ୍ଟ ଧ୍ୟାନ ଦେବାକୁ ପଡିବ। ସାମାଜିକ ସେବା କ୍ଷେତ୍ରକୁ ବିଶ୍ଲେଷଣ କଲେ ଜଣାଯାଏ ଯେ ସାମାଜିକ ସେବା କ୍ଷେତ୍ର ର ଖର୍ଚ୍ଚ ୨୦୧୭-୧୮ ଆର୍ଥିକ ବର୍ଷର ଆନୁମାନିକ ଅଟକଳର ୩୬.୬୪% ଥିଲା ବେଳେ ଓ ୨୦୧୮-୧୯ ଆର୍ଥକ ବର୍ଷର ଆନୁମାନିକ ଅଟକଳର ୩୫.୮୦% ଯାହାକି ପୁର୍ବ ବର୍ଷ ତୁଳନାରେ କମ୍ ରହିଛି। ୨୦୧୪-୧୫, ୨୦୧୫-୧୬ ଓ ୨୦୧୬-୧୭ ଆର୍ଥିକ ବର୍ଷର ସାମାଜିକ ସେବା ବାବଦରେ ଖର୍ଚ୍ଚ ବିଷୟରେ ଆହୁରି ଟିକିଏ ଆଧିକ ଆଲୋଚନା କଲେ ଜଣାପଡେ ଯେ ପ୍ରକୃତ(ବାସ୍ତବ) ଖର୍ଚ୍ଚ, ବଜେଟ୍ ଆକଳନ ତୁଳନାରେ କମ୍ ରହୁଛି। ୨୦୧୪-୧୫ ବର୍ଷରେ -୧୮.୯୫%, ୨୦୧୫-୧୬ ବର୍ଷରେ -୫.୨୩%, ୨୦୧୬-୧୭ ବର୍ଷରେ -୯.୫୩% ଓ ୨୦୧୭-୧୮ ସଂଶୋଧିତ ଅଟକଳର 2017-18 ବଜେଟ୍ ଆକଳନ ଅନୁସାରେ କମ୍ ରହୁଛି। ଯଦି ଶିକ୍ଷା କ୍ଷେତ୍ରର ବଜେଟକୁ ହିସାବକୁ ନେବା ତାହାହେଲେ ଜଣାପଡେ ଯେ, ପ୍ରତିବର୍ଷ ବଜେଟରେ ଶିକ୍ଷା କ୍ଷେତ୍ର ପାଇଁ ବ୍ୟୟ ବରାଦ ବଢି ଚାଲିଛି। କିନ୍ତୁ ବାର୍ଷିକ ଆର୍ଥିକ ବିବରଣୀ ନଥିକୁ ଦେଖିଲେ ଜଣାପଡେ ଯେ ୨୦୧୩-୧୪ ବଜେଟ୍ ଆକଳନ ଅନୁସାରେ ମୋଟ ବ୍ୟୟର ୧୪.୮୬%, ୨୦୧୪-୧୫ ବର୍ଷର ୧୪.୯୦%, ୨୦୧୫-୧୬ ବର୍ଷର ୧୪.୭୫%, ୨୦୧୬-୧୭ ବର୍ଷର ୧୪.୭୧%, ୨୦୧୭-୧୮ ଆର୍ଥିକ ବର୍ଷର ମୋଟ ବ୍ୟୟର ୧୫.୪୪% ଶିକ୍ଷା କ୍ଷେତ୍ର ପାଇଁ ବ୍ୟୟ ବରାଦ ହୋଇଥିଲା ବେଳେ ଏବର୍ଷ ମୋଟ ବଜେଟର ୧୪.୨୯% ଶିକ୍ଷା କ୍ଷେତ୍ର ପାଇଁ ଆକଳନ କରାଯାଇଛି। ଠିକ୍ ସେମିତି ବଜେଟ୍ ଆକଳନ ତୁଳନାରେ ବାସ୍ତବ ଖର୍ଚ୍ଚ କମ୍ ରହୁଛି। ୨୦୧୩-୧୪ ଆର୍ଥିକ ବର୍ଷରେ ବଜେଟ୍ ତୁଳନାରେ ପ୍ରାୟ ୫୨୪ କୋଟି ଟଙ୍କା କମ୍ ଖର୍ଚ୍ଚ ହୋଇଥିଲା ବେଳେ, ୨୦୧୪-୧୫ ବର୍ଷ ରେ ପ୍ରାୟ ୧୭୯୧ କୋଟି, ୨୦୧୫-୧୬ରେ ୯୫୪ କୋଟି, ୨୦୧୬-୧୭ରେ ୧୮୪୦ କୋଟି ଟଙ୍କା କମ୍ ଖର୍ଚ୍ଚ ହୋଇଥିଲା। ଅନୁଦାନ ଦାବୀ ନଥିକୁ ଦେଖି ଉଚ୍ଚତ୍ତର ଶିକ୍ଷା ବାବଦରେ ଖର୍ଚ୍ଚ ବିଷୟରେ ଆଲୋଚନା କଲେ ଜଣାପଡେ ଯେ, ୨୦୧୫-୧୬ ବର୍ଷରେ ପ୍ରକୃତ ଖର୍ଚ୍ଚ ପ୍ରାୟ ୧୯୦୭ କୋଟି ଟଙ୍କା ଥିଲା ବେଳେ ୨୦୧୬-୧୭ ବର୍ଷରେ ପ୍ରକୃତରେ ପ୍ରାୟ ୧୯୩୭ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା। ୨୦୧୮-୧୯ ବର୍ଷରେ ଏଥିପାଇଁ ପ୍ରାୟ ୨୨୪୮ କୋଟି ଟଙ୍କା ଖର୍ଚ୍ଚ ଆକଳନ ହୋଇଛି। କିନ୍ତୁ ଯଦି ରାଜ୍ୟର ମୋଟ ବ୍ୟୟକୁ ହିସାବକୁ ନେବା ତେବେ ଦେଖିବା ଯେ ୨୦୧୫-୧୬ ବର୍ଷରେ ପ୍ରକୃତ ଖର୍ଚ୍ଚର ୨.୪୧% ଉଚ୍ଚତ୍ତର ଶିକ୍ଷା ବାବଦରେ ଖର୍ଚ୍ଚ ହୋଇଥିଲା ବେଳେ ୨୦୧୬-୧୭ ବର୍ଷର ଆନୁମାନିକ ଅଟକଳର ୨.୨୯% ଉଚ୍ଚତ୍ତର ଶିକ୍ଷା ବାବଦରେ ଖର୍ଚ୍ଚ ହୋଇଥିଲା। ୨୦୧୮-୧୯ ଆର୍ଥିକ ବର୍ଷର ରାଜ୍ୟର ମୋଟ ଆନୁମାନିକ ଖର୍ଚ୍ଚର ୧.୮୭% ଉଚ୍ଚତ୍ତର ଶିକ୍ଷା ବାବଦରେ ଖର୍ଚ୍ଚ ହୋଇଛି। ବୈଷୟିକ ଶିକ୍ଷା ବିଷୟରେ ଆଲୋଚନା କଲେ ଜଣାପେ ଯେ, ୨୦୧୫-୧୬ ଆର୍ଥିକ ବର୍ଷରେ ବୈଷୟିକ ଶିକ୍ଷା ବାବଦରେ ୧୩୧.୬୯ କୋଟି ଟଙ୍କା ୨୦୧୬-୧୭ ବର୍ଷରେ ୧୫୧.୯୭ କୋଟି ଟଙ୍କା ବାସ୍ତବରେ ଖର୍ଚ୍ଚ ହୋଇଥିଲା ବେଳେ ଏହିବର୍ଷ ପ୍ରାୟ ୨୧୦ କୋଟି ଟଙ୍କା ଖର୍ଚ୍ଚ କରିବେ ବୋଲି ଆକଳନ ହୋଇଛି। ଏହିବର୍ଷ ବିଶ୍ବବିଦ୍ୟାଳୟମାନଙ୍କୁ ସାହାଯ୍ୟ ବାବଦରେ ୨୮୮ କୋଟି ୧୭ ଲକ୍ଷ ୯୩ ହଜାର ଟଙ୍କା ଖର୍ଚ୍ଚ ହେବ ବୋଲି ଆକଳନ ହୋଇଛି ଯାହା ଭିତରେ ଉତ୍କଳ ବିଶ୍ବବିଦ୍ୟାଳୟ ପାଇଁ ୯୯ କୋଟି, ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ପାଇଁ ୬୧.୬୫ କୋଟି, ସମ୍ବଲପୁର ବିଶ୍ବବିଦ୍ୟାଳୟ ପାଇଁ ୬୧.୬୫ କୋଟି, ରେଭେନ୍ସା ବିଶ୍ବବିଦ୍ୟାଳୟ ପାଇଁ ୧୬.୮୯ କୋଟି, ଖଲ୍ଲୀକୋଟ ବିଶ୍ବବିଦ୍ୟାଳୟ ପାଇଁ ୩ କୋଟି, ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ ପାଇଁ ୬.୦୮ କୋଟି, ଫକୀରମୋହନ ବିଶ୍ବବିଦ୍ୟାଳୟ ପାଇଁ ୧୨.୩୫ କୋଟି, ଉତ୍ତର ଓଡିଶା ବିଶ୍ବବିଦ୍ୟାଳୟ ପାଇଁ ୧୨.୩୫ କୋଟି, ଓଡିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ ପାଇଁ ୫.୬୬ କୋଟି ଟଙ୍କାର ଖର୍ଚ୍ଚ ଆକଳନ ହୋଇଛି। ସ୍ବାସ୍ଥ୍ୟ କ୍ଷେତ୍ରର ବଜେଟକୁ ବିଶ୍ଲେଷଣ କଲେ ଜଣାପଡେ ଯେ, ବଜେଟ୍ ଆକଳନରେ ଗତ ବଜେଟ୍ ତୁଳନାରେ ଅଧିକ ରହୁଛି। ୨୦୧୪-୧୫ ଆର୍ଥିକ ବର୍ଷର ବଜେଟ୍ ଆକଳନ ୨୦୧୩-୧୪ ବଜେଟ୍ ଆକଳନ ତୁଳନାରେ ପ୍ରାୟ ୭୭.୬୮% ବଢିଛି। ଠିକ୍ ସେହିପରି, ୨୦୧୫-୧୬ ବର୍ଷର ଆନୁମାନିକ ଅଟକଳ ତୁଳନାରେ ୨୦୧୬-୧୭ ଆନୁମାନିକ ଅଟକଳ ପ୍ରାୟ ୨୩.୬୪%, ୨୦୧୭-୧୮ ଆନୁମାନିକ ଅଟକଳ ତୁଳନାରେ ୨୦୧୮-୧୯ ବଜେଟ୍ ପ୍ରାୟ ୭.୪୮% ବଢିଛି। କିନ୍ତୁ ଆନୁମାନିକ ଅଟକଳ ଓ ବାସ୍ତବ ଖର୍ଚ୍ଚ ଭିତରେ କେତେ ଫରକ ରହୁଛି ତାହା ଆକଳନ କଲେ ଜଣାପଡେ ଯେ, ୨୦୧୩-୧୪ ବର୍ଷରେ ବାସ୍ତବ ଖର୍ଚ୍ ବଜେଟ୍ ଆକଳନ ତୁଳନାରେ -୯.୮୯%, ୨୦୧୪-୧୫ ବର୍ଷରେ -୧୭.୩୯%, ୨୦୧୫-୧୬ ବର୍ଷରେ -୩.୩୨%, ୨୦୧୬-୧୭ ଆର୍ଥିକ ବର୍ଷରେ ୦.୪୭% ଫରକ ରହୁଛି। ଯଦି ପ୍ରକୃତରେ କେତେ ଟଙ୍କା କମ୍ ଖର୍ଚ୍ଚ ହୋଇଥିଲା ତାହା ହିସାବକୁ ଆଣିବା ତାହାହେଲେ ୨୦୧୩-୧୪ ବର୍ଷରେ ପ୍ରାୟ ୨୧୫ କୋଟି ଟଙ୍କା କମ୍ ଖର୍ଚ୍ଚ ହୋଇଥିଲା, ୨୦୧୪-୧୫ ବର୍ଷରେ ୬୭୧ ଟଙ୍କା କମ୍ ଖର୍ଚ୍ଚ ହୋଇଥିଲା, ୨୦୧୫-୧୬ ଆର୍ଥିକ ବର୍ଷରେ ୧୨୬ କୋଟି ଟଙ୍କା କମ୍ ଖର୍ଚ୍ଚ ହୋଇଥିଲା ବେଳେ ୨୦୧୬-୧୭ ବର୍ଷରେ ପ୍ରାୟ ୨୨ କୋଟି ଟଙ୍କା ଅଧିକ ଖର୍ଚ୍ଚ ହୋଇଥିଲା। ତେଣୁ ମୋଟାମୋଟି ଭାବରେ ଦେଖିଲେ ଯଦିଓ ଗଣମାଧ୍ୟମ ଚଳିତ ବଜେଟକୁ ସ୍ବାଗତ କରିଛନ୍ତି ଏବଂ ଏହାକୁ ନିର୍ବାଚନୀ ବଜେଟର ଆଖ୍ୟା ଦେଇଛନ୍ତି, ସାଧାରଣ ଲୋକଂକ କଲ୍ୟାଣ ଦୃଷ୍ଟିରୁ ଏହା ଉପଯୋଗୀ ହୋଇ ନ ପାରେ। ନିର୍ବାଚନର ପୂର୍ବ ବର୍ଷରେ ବଜେଟରୁ ଅନେକ ଆଶା ରଖିଥିବା ସାଧାରଣ ଲୋକଙ୍କୁ ଓଡିଶା ବଜେଟ୍ ୨୦୧୮-୧୯ ନିରାଶ କରୁଛି।