ଟମାଟୋ ଚାଷୀଙ୍କ ଦୁଃଖ, ଶୀତଳଭଣ୍ଡାର ମିଛ

ଟମାଟୋ ଚାଷୀଙ୍କ ଦୁଃଖ, ଶୀତଳଭଣ୍ଡାର ମିଛ

Share :

ସବ୍ୟସାଚୀ ଅମିତାଭ ଏଇ ଦୁଇ ତିନି ଦିନ ତଳର କଥା। ଟିଭିରେ କିଛି ଟମାଟୋ ଚାଷୀ ନିଜର ଦୁଃଖ ବଖାଣୁଥିଲେ। ଅଭାବୀ ବିକ୍ରି କିପରି ଟମାଟୋ ଚାଷୀଙ୍କ ପାଇଁ କାଳ ହୋଇଛି ତାହା ଜଳଜଳ କରି ଦେଖାଯାଉଥିଲା। ଗଂଜାମ, ବରଗଡ, କେନ୍ଦୁଝର ଜିଲ୍ଲାରେ ପରିସ୍ଥିତି ଏପରି ହୋଇଛି ଯେ, ରାସ୍ତା କଡ଼ରେ କୁଇଂଟାଲ କୁଇଂଟାଲ ଟମାଟୋ ଜମା ହୋଇଥିଲେ ବି କିଣିବାକୁ କେହି ନାହାଁନ୍ତି। ଏପରିକି କିଲୋ ଟଙ୍କାଟେ ଦର ଥିଲେ ବି ଚାଷୀଙ୍କଠାରୁ ଟମାଟୋ କିଣିବାକୁ ବେପାରୀ ଆସୁନାହାଁନ୍ତି। ପ୍ରଶ୍ନ ଉଠୁଛି ଟମାଟୋ ହେଉ କି ଆଳୁ, ଏପରି ପରିସ୍ଥିତି ବାରବାଂର ସୃଷ୍ଟି ହେଉଥିଲେ ବି ଏହାର ସମାଧାନର ବାଟ କାହିଁକି ବାହାରୁନି? ୨୦୧୫-୧୬ରେ ବି ସମାନ ସ୍ଥିତି ଉପୁଜିଥିଲା। ସେତେବେଳେ ବି କ୍ଷେତରେ ସଢିଥିଲା ଟନ୍ ଟନ୍ ଟମାଟୋ ବା ବିଲାତି ବାଇଗଣ। ହେଲେ ବିଗତ ବର୍ଷର ଅଭିଜ୍ଞତାରୁ କେହି କିଛି ଶିଖିଲେନି। ପରିସ୍ଥିତିକୁ ତର୍ଜମା କଲେ ଜଣାପଡେ, ଶୀତଳଭଣ୍ଡାର ଅଭାବ, ଉଦ୍ୟାନ କୃଷି ବିଭାଗର ଉଦାସୀନତା, ବିକ୍ରି ପାଇଁ ବଜାର ନରହିବା, ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପର ପ୍ରତି ଅନାଗ୍ରହ ହିଁ ମୋଟାମୋଟି ବର୍ତ୍ତମାନ ଉପନୀତ ସଙ୍କଟର ମୁଖ୍ୟ କାରଣ। ୨୦୧୫-୧୬ରେ ପଶ୍ଚିମ ଓଡିଶାର ଚାଷୀ କିପରି ନିଜ ଉତ୍ପାଦିତ ଟମାଟୋକୁ ରାସ୍ତା ଉପରେ ଫିଙ୍ଗିଥିଲେ ତାହା ସମସ୍ତେ ଦେଖିଥିଲେ। ଶୀତଳ ଭଣ୍ଡାର ନଥିବାରୁ ଟମାଟୋ ସଂରକ୍ଷଣର ପାଇଁ ବାଟ ନାହିଁ। ଏଥର ବି ପଶ୍ଚିମ ଓଡ଼ିଶା ଓ ଦକ୍ଷିଣ ଓଡିଶାର ଅନେକ ଜିଲ୍ଲାରେ ରେକର୍ଡ ପରିମାଣର ଟମାଟୋ ଉତ୍ପାଦନ ହୋଇଛି। ବେପାରୀ ଚାଷୀଙ୍କୁ ଟମାଟୋ କେଜି ପିଛା ୨ ଟଙ୍କାରୁ ୩ ଟଙ୍କା ଦେଉଛି, ଯାହା ଚାଷୀର ଉତ୍ପାଦନ ଖର୍ଚ୍ଚ ଭରଣା ବି କରିପାରୁନି। କେଜି ପିଛା ୧୦ ଟଙ୍କା ମିଳିଲେ ଚାଷୀଙ୍କୁ ଦି ପଇସା ଲାଭ ହୁଅନ୍ତା। ବର୍ତ୍ତମାନ ଖୋଲା ବଜାରରେ ଦେଢ଼ କିଲୋ ଟମାଟୋ ଦାମ୍ ରହିଛି ୧୦ ଟଙ୍କା। ସିଧାସଳଖ ବୁଝାପଡୁଛି, ବେପାରୀ ଚାଷୀଙ୍କଠାରୁ ଯଥେଷ୍ଟ ଭଲ ରୋଜଗାର କରୁଛନ୍ତି, ଯଦିଓ ପରିବହନ ଖର୍ଚ୍ଚ ଏଥିରେ ସାମିଲ ରହୁଛି। କିଛି ସ୍ଥାନରେ ଶୀତଳ ଭଣ୍ଡାର ଥିଲେ ବି ସାଧାରଣ ଚାଷୀ ଏହାର ଫାଇଦା ପାଉନି। ସରକାରୀ ତଥ୍ୟକୁ ଦେଖିଲେ ଜଣାପଡେ଼, ବରଗଡ଼, କେନ୍ଦୁଝର, ବଲାଙ୍ଗିର, ସୁନ୍ଦରଗଡ଼ ଓ ଗଂଜାମ ଜିଲ୍ଲାରେ ବ୍ୟାପକ ପରିମାଣ ଜମିରେ ଟମାଟୋ ଚାଷ ହୋଇଥାଏ। ହେଲେ ପ୍ରତିବର୍ଷ ଉତ୍ପାଦନ ଅଧିକ ହେଉଥିବା ବେଳେ ଅଭାବୀ ବିକ୍ରିର ଫାଇଦା ନେଇଥାନ୍ତି ବାହାର ରାଜ୍ୟର ବେପାରୀ। ଚାଷୀଠାରୁ ଟମାଟୋକୁ ଖୁବ୍ କମ୍ ଦାମରେ କିଣି ନେଇ ଏମାନେ ମୁନାଫା କମାଇଥାନ୍ତି। ସାଧାରଣ ଭାବେ ଚାଷୀଙ୍କ ଗୋଟିଏ ଅଭିଯୋଗ ତାହା ହେଲା, ଉତ୍ପାଦିତ ଟମାଟୋ ବିକ୍ରି କରିବା ପାଇଁ ବଜାର ନାହିଁ। ତା’ ସହ ଶୀତଳ ଭଣ୍ଡାରର ଅଭାବ କାରଣରୁ ସଂରକ୍ଷିତ କରି ରଖିବା ବି ସମ୍ଭବ ନୁହେଁ ଯାହା ସେମାନଙ୍କ ବୋଝ ଉପରେ ନଳିତା ବିଡ଼ା ସଦୃଶ। ଅଧିକାଂଶ ଚାଷୀ ବିଭିନ୍ନ ବ୍ୟାଙ୍କ୍, ସମବାୟ ସଂସ୍ଥା ଅବା ସ୍ୱଂୟ ସହାୟକ ଗୋଷ୍ଠୀଙ୍କଠାରୁ ଋଣ କରି ଚାଷ କରିଥାନ୍ତି। ଅଭାବୀ ବିକ୍ରି କାରଣରୁ ସେମାନଙ୍କ ଅବସ୍ଥା ଶୋଚନୀୟ ହୋଇପଡୁଛି। ଆଗରୁ ବିଲାତି ଓଡ଼ିଶା ଲିମିଟେଡ୍ ପରି କିଛି ସଂସ୍ଥା ସସ୍ ତିଆରି କରିବା ପାଇଁ ଚାଷୀଙ୍କଠାରୁ ଟମାଟୋ କିଣି ନେଉଥିଲେ। ହେଲେ ଏବେ ସେସବୁ ବନ୍ଦ ହୋଇସାରିଥିବାରୁ ଟନ୍ ଟନ୍ ଟମାଟୋ କ୍ଷେତରେ ସଢ଼ିବା ଛଡ଼ା ଅନ୍ୟ ଗତି ନାହିଁ। ତେବେ ଯେଉଁ ବଡ଼ ସମସ୍ୟାଟିକୁ ଆମ ରାଜ୍ୟରେ ଏଯାବତ୍ ଅବହେଳା କରାଯାଇଆସିଛି ତା ହେଉଛି ଶୀତଳଭଣ୍ଡାର। ୨୦୧୭-୧୮ ସୁଦ୍ଧା ରାଜ୍ୟରେ ବହୁ ସଂଖ୍ୟକ ଶୀତଳଭଣ୍ଡାର ନିର୍ମାଣ କରି ସଂରକ୍ଷଣ କ୍ଷମତାକୁ ୭ ଲକ୍ଷ ଟନକୁ ବୃଦ୍ଧି କରିବା ପାଇଁ ରାଜ୍ୟ ସରକାର ଲକ୍ଷ୍ୟ ଧାର୍ଯ୍ୟ କରିଥିଲେ। ହେଲେ ବର୍ତ୍ତମାନର ବାସ୍ତବ ଚିତ୍ର କିନ୍ତୁ ଠିକ୍ ସେପରି ନାହିଁ। ବର୍ଷ ତମାମ୍ ସାରା ଓଡ଼ିଶାର ସବୁ ଚାଷୀଙ୍କ ଗୋଟିଏ ଅଭିଯୋଗ, ଉତ୍ପାଦନ ଫସଲ ସଂରକ୍ଷଣ କରିବା ପାଇଁ ଶୀତଳ ଭଣ୍ଡାର ନାହିଁ। ସରକାରୀ ତଥ୍ୟକୁ ଅନୁଧ୍ୟାନ କଲେ ଜଣାପଡେ଼, ରାଜ୍ୟରେ ୧୧୨ଟି ଶୀତଳ ଭଣ୍ଡାରକୁ ମାର୍ଚ୍ଚ ୩୧, ୨୦୧୮ ସୁଦ୍ଧା ତିଆରି କରିବାକୁ ଯୋଜନା ଥିଲା। ତେବେ ସରକାର ମାତ୍ର ୬ଟି ଶୀତଳ ଭଣ୍ଡାର ତିଆରି କରିବାକୁ ବର୍ତ୍ତମାନ ସୁଦ୍ଧା ସକ୍ଷମ ହୋଇଛନ୍ତି। ଏହି ୬ଟି ଶୀତଳ ଭଣ୍ଡାରର ସଂରକ୍ଷଣ କ୍ଷମତା ମାତ୍ର ୩୦,୯୦୦ ଟନ୍। ସେହିପରି ରାଜ୍ୟରେ ପୂର୍ବରୁ ଥିବା ଶୀତଳ ଭଣ୍ଡାରଗୁଡିକର ଅବସ୍ଥା ଓ ସ୍ଥିତି ନ କହିବା ଭଲ। ସରକାରୀ ନଥିରେ ଥିବା ରାଜ୍ୟରେ ୧୧୩ଟି କୋଲ୍ଡ ଷ୍ଟୋରେଜ୍ ମଧ୍ୟରୁ ୯୫ଟି କାହିଁ କେବେଠାରୁ ବନ୍ଦ ହୋଇଯାଇଛି। ବାକି ୧୮ଟି ଶୀତଳ ଭଣ୍ଡାର ଯାହା ଚାଲୁ ରହିଛି ବୋଲି କୁହାଯାଉଛି ତାହା ବି ଏକପ୍ରକାର ମିଛ। କାରଣ ସୂଚନା ଅଧିକାର ଆଇନରୁ ମିଳିଥିବା ତଥ୍ୟରୁ ଜଣାପଡେ଼, ୧୮ଟି ଶୀତଳ ଭଣ୍ଡାର ମଧ୍ୟରୁ ମାତ୍ର ୬ଟି ହିଁ କାର୍ଯ୍ୟକ୍ଷମ ଅବସ୍ଥାରେ ରହିଛି। ସେଗୁଡିକ ହେଲା- ପଟିଆ, ଜଗତପୁର, ରାୟଗଡ଼ା, ନିମାପଡ଼ା, ସାତଶଙ୍ଖ ଓ ହିନ୍ଦୋଳ। ଗୁରୁତ୍ୱପୂର୍ଣ୍ଣ କଥାଟି ହେଲା, ଏଇ ୬ଟି ମଧ୍ୟରୁ ଗୋଟିଏ ହେଲେ ବି ସରକାରଙ୍କ ଦ୍ୱାରା ପରିଚାଳିତ ନୁହେଁ। ଯେଉଁ କେତୋଟି କୋଲ୍ଡ ଷ୍ଟୋରେଜ୍ ବା ଶୀତଳ ଭଣ୍ଡାର ସଚଳ ରହିଛି ସେଗୁଡିକର ମୋଟ ସଂରକ୍ଷଣ କ୍ଷମତା ୧.୯୪ ଲକ୍ଷ ଟନ୍ ବୋଲି ସରକାର କହୁଛନ୍ତି। ହେଲେ ରାଜ୍ୟରେ ପ୍ରତିବର୍ଷ ଉତ୍ପାଦିତ ହେଉଥିବା ମୋଟ ପନିପରିବା, ଆଳୁ, ଟମାଟୋ ଆଦି ପାଇଁ ଏହା ସମୁଦ୍ରକୁ ଶବ୍ଦେ ପରି। ଏପରି ସ୍ଥିତିରେ ଚାଷୀ ପାଇଁ ବିକଳ୍ପ କ’ଣ ହେବା ଦରକାର ସେ ନେଇ ଉତ୍ତର ନାଁ ଉଦ୍ୟାନ କୃଷି ବିଭାଗ ପାଖେ ଅଛି ନା ସମବାୟ ବିଭାଗ ପାଖେ? ଟମାଟୋ ଅବା ଆଳୁ ଅଭାବୀ ବିକ୍ରି ଘଟଣାମାନ ସାମନାକୁ ଆସୁଥିବାରୁ ଆମେ ବାସ୍ତବ ଚିତ୍ରଟିକୁ ଅଳ୍ପ ବହୁତେ ଅନୁମାନ କରିପାରୁଛେ। ହେଲେ ଏହା ଛଡ଼ା ଟନ୍ ଟନ୍ ଓଜନର ଅନ୍ୟ ଫଳ ଓ ପନିପରିବା ପ୍ରତିବର୍ଷ ଶୀତଳଭଣ୍ଡାର ଅଭାବରୁ ନଷ୍ଟ ହୋଇଥାଏ। ଗଣମାଧ୍ୟମରେ ଏନେଇ ରିପୋର୍ଟ ଆସୁନଥିବାରୁ ଏହା ଦୃଷ୍ଟି ଆଢୁଆଳରେ ରହିଯାଉଛି। ଯେମିତି- ସପେଟା, କଦଳୀ, ପିଜୁଳୀ ଓ ଆମ୍ୱ। ଗୋଟିଏ ତଥ୍ୟରୁ ଜଣାପଡିଛି, ପ୍ରତିବର୍ଷ ରାଜ୍ୟରେ ପାଖାପାଖି ୧.୪୫ ଟନ୍ ଏହି ଫଳଗୁଡିକ ଶୀତଳ ଭଣ୍ଡାର ଅଭାବରୁ ନଷ୍ଟ ହୋଇଥାଏ। ସେହିପରି ପ୍ରତିବର୍ଷ ସଂରକ୍ଷଣ ହୋଇନପାରିବାରୁ ନଷ୍ଟ ହେଉଥିବା ପନିପରିବାର ମାତ୍ରା ହେଉଛି ପାଖାପାଖି ୪ରୁ ୫ ଟନ୍। ଉପିାଦିତ ଆଳୁର ପାଖାପାଖି ୧୦ ପ୍ରତିଶତ ଅଂଶ ଶୀତଳଭଣ୍ଡାର ଅଭାବରୁ ନଷ୍ଟ ହୋଇଥାଏ। ଭାରତୀୟ କୃଷି ଗବେଷଣା ପରିଷଦ କରିଥିବା ସର୍ଭେ ତଥ୍ୟ ଅନୁସାରେ, ଓଡ଼ିଶାରେ ପ୍ରତିବର୍ଷ ମୋଟ ଉପିାଦିତ ହେଉଥିବା ଫଳର ୭ରୁ ୧୮ ପ୍ରତିଶତ ଓ ପନିପରିବା ଉତ୍ପାଦନର ୧୦ରୁ ୧୫ ପ୍ରତିଶତ ଅଂଶ ଶୀତଳଭଣ୍ଡାର ଅଭାବ କାରଣରୁ ନଷ୍ଟ ହେଉଛି। ଆମ ରାଜ୍ୟରେ ବାର୍ଷିକ ପାଖାପାଖି ୯୦ରୁ ୯୫ ଲକ୍ଷ ଟନ୍ ଫଳ ଓ ପନିପରିବା ଉତ୍ପାଦିତ ହୋଇଥାଏ। ଏଥିରୁ ଅନୁମାନ କରାଯାଇପାରେ ଆମ ହାତଗଣତି ଶୀତଳଭଣ୍ଡାର ଫଳ ଓ ପନିପରିବାକୁ ସଂରକ୍ଷଣ କରିବାରେ କେତେ ସକ୍ଷମ। ଯେତେବେଳେ ବଜାରରେ ଟମାଟୋ ଆଳୁ ପରି ଅତ୍ୟାବଶ୍ୟକ ଜିନିଷର ଦର ଆକାଶ ଛୁଆଁ ହେଉଛି, ସେତେବେଳେ ଆମେ ଚିନ୍ତା କରୁଛେ ଆମ ଉତ୍ପାଦନ ବଢାଇବା। ଆଉ ଯେତେବେଳେ ଉତ୍ପାଦନ ବଢୁଛି ସେତେବେଳେ ସଂରକ୍ଷଣର ବ୍ୟବସ୍ଥା ହେଉନି। ପ୍ରତିବର୍ଷ ଏପରି ସ୍ଥିତି ହେଉଛି, ଚାଷୀ କାନ୍ଦୁଛି। ହେଲେ ସରକାର କିଛି ଶିଖୁନାହାଁନ୍ତି। କାଗଜକଲମରେ ଶୀତଳ ଭଣ୍ଡାର ବଢୁଛି, ସଂରକ୍ଷଣ କ୍ଷମତା ବି ବଢୁଛି। ହେଲେ ବାସ୍ତବ ଚିତ୍ରଟି କଣ ତାହା ଗଂଜାମ ହେଉ କି ବରଗଡ଼ ଅବା କେନ୍ଦୁଝରର ଚାଷୀଙ୍କ ସ୍ଥିତିକୁ ଦେଖିଲେ ଜଣାପଡିଯାଉଛି। ଦ୍ୱିତୀୟ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗଟି ହେଲା, ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପର ଅଭାବ। ଗୋଟିଏ ପଟେ ଚାଷୀ କ୍ଷେତରେ କୁଇଂଟାଲ କୁଇଂଟାଲ ଟମାଟୋ ସଢୁଛି, ଅନ୍ୟପଟେ ବଜାରରୁ ଆମେ କିଣୁଥିବା ଟମାଟୋ ସସ୍ ଦାମ ୫୦୦ ଗ୍ରାମକୁ ୧୦୦ ଟଙ୍କା। ସତରେ ବଡ଼ ବିଚିତ୍ର ଏ ପରିସ୍ଥିତି। ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ କ୍ଷେତ୍ରରେ ଆମେ ପଛୁଆ ରହିଛେ ଏହା ହିଁ ସତ। ଯଦି ଓଡିଶାରେ ଟମାଟୋ ସସ୍ ତିଆରି କଲା ପରି ଶିଳ୍ପସଂସ୍ଥା ଥାନ୍ତା ତେବେ ଆଜି ଚାଷୀ କ୍ଷତି ସହିନଥାନ୍ତେ। ଆମ ରାଜ୍ୟ ପନିପରିବା, ଚାଉଳ, କିଛି ଫଳ ଉତ୍ପାଦନରେ ବେଶ୍ ଆଗୁଆ। ୨୦୧୭ ସୁଦ୍ଧା ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ କ୍ଷେତ୍ରରେ ଅଭିବୃଦ୍ଧି ହାର ୧୦ ପ୍ରତିଶତ ବୃଦ୍ଧି ପାଇଁ ସରକାର ଟାର୍ଗେଟ ରଖିଥିଲେ ବି ଏହା ପୂରଣ ହୋଇପାରିନି। ସରକାର ବିଭିନ୍ନ ସ୍ଥାନରେ ପ୍ରୋସେସିଂ କ୍ଲଷ୍ଟର କଥା କହୁଥିଲେ ବି ବାସ୍ତବତା କିନ୍ତୁ ଓଲଟା। ରାୟଗଡ଼ାରେ ରାଜ୍ୟର ପ୍ରଥମ ମେଗା ଫୁଡ୍ ପାର୍କ ପ୍ରତିଷ୍ଠା ହୋଇଥିଲେ ବି ପନିପରିବା ଓ ଫଳର ଅଭାବୀ ବିକ୍ରି ସାମନା କରୁଥିବା ଚାଷୀ କିପରି ଏହାର ଫାଇଦା ପାଇବେ ସେନେଇ ସରକାରୀ ସ୍ତରରେ ଆନ୍ତରିକତାର ଅଭାବ ରହିଛି। ଚାଷୀଙ୍କୁ ଭଣ୍ଡାଇବାର ମାନସିକତା ବଢ଼ିବଢ଼ି ଚାଲିଛି। ଠିକ୍ ଯେମିତି ଏଇ ଗପଟି.. ଦୂରରେ ରହି ପୁଅ ମାଆ ପାଖକୁ ଟଙ୍କା ପଠାଇଲା। ପ୍ରଥମାଷ୍ଟମୀରେ ଯାଇପାରିବନି ବୋଲି କାନ୍ଦକାନ୍ଦ ହୋଇ ଚିଠି ଲେଖିଥିଲା ପୁଅ। ମାଆର ମନ କୋଉଠୁ ବୁଝୁଛି? କହିଲା, ପୁଅ ତ ଡାକରେ ଟଙ୍କାରେ ପଠାଉଛି, ମୁଁ ଡାକରେ ହଳଦୀ ପତ୍ର ଏଣ୍ଡୁରି ଦି’ ଟା ପଠାଇଦେବି। ଗାଁର ଡାକବାବୁଟା ଭଲ ଲୋକ। ବାସ୍ନା ମହମହ ପିଠାର ଲୋଭି ଡାକବାବୁ ବୁଢୀଠୁ ପିଠା ରଖିଲେ। ଦି ଦିନ କାଳ ତାକୁ ବଉଁଶ କୁଟୁମ୍ୱ ଖାଇ ବୁଢୀ ହାତକୁ ମନମନେ ଢେର ପ୍ରଶଂସା କଲେ। ଦଶ ପନ୍ଦର ଦିନ ପରେ ବୁଢୀ କହିଲା, ‘ଡାକବାବୁ, ପୁଅ ତ ଲେଖିଛି, ସେ ପିଠା ପାଇନି?’ ଡାକବାବୁ କହିଲେ, ଆଲୋ ମାଉସୀ, ମୁଁ କ’ଣ କରିବି? ତୁ ତ ମାଟି ହାଣ୍ଡିଟାରେ ତାକୁ ଦେଇଥିଲୁ। ସେଇଟାକୁ ତାରରେ ପଠାଇଲି, ସିଆଡୁ ଗୋଟେ ଶାବଳ ଜଣେ ଚାଷୀ ପୁଅ ପଠାଇଥିଲା ତା ବା’ ପାଖକୁ। ବାଟରେ ମୁହାଁମୁହିଁ ହୋଇ ହାଣ୍ଡିଟା ଢୋ। ବୁଢୀ ଆଉ କହିବ କ’ଣ? କହିଲା, କେମିତି ନିଆଁଲଗାଟେ ମ, ଶାବଳ ପଠାଉଛି..! ଏ ହେଉଛି ଆମ ରାଜ୍ୟର ଚାଷୀଙ୍କ ଭାଗ୍ୟ। ଯେଉଁମାନଙ୍କୁ ବିଭିନ୍ନ ଆଳରେ ପ୍ରତିଦିନ ଭଣ୍ଡାଇ ଚାଲିଛନ୍ତି ସରକାର। ଭୁବନେଶ୍ୱର, ମୋବାଇଲ୍-୯୪୩୮୨୯୬୫୧୯

Share :