ପାଇକ-ରାଜନୀତିର ତଥ୍ୟ ଓ ସତ୍ୟ

ପାଇକ-ରାଜନୀତିର ତଥ୍ୟ ଓ ସତ୍ୟ

Share :

ସତ୍ୟବାଦୀ ବଳିଆରସିଂହ ତଥ୍ୟ ଓ ସତ୍ୟକୁ ନେଇ ଇତିହାସ। ଏଥିରେ କାହାକୁ ଅଧିକ, କାହାକୁ କମ୍ ବୋଲି ସ୍ୱଇଚ୍ଛାରେ ଦର୍ଶାଇ ହେବନାହିଁ। ନାନା ମୁନି ନାନା ମତ ହୋଇପାରେ। ତେବେ ସଂଖ୍ୟାଗରିଷ୍ଠ ମତକୁ ଆମକୁ ସମ୍ମାନ ଦେବାକୁ ପଡ଼ିବ। ପ୍ରସଂଗ ପାଇକ ବିଦ୍ରୋହର। ଦୁଇ ଶହ ବର୍ଷ ପୂର୍ତି ଉପଲକ୍ଷେ ଓଡ଼ିଆ ଭାବେ ଏକ ଅଫୁରନ୍ତ ଉଦବେଳନ, ତେବେ ତା’ ସାଂଗକୁ ବିରୋଧାଭାସର ରାଜନୀତି ଏକ ବିଡ଼ମ୍ୱନା। ଏଇ ପରିପ୍ରେକ୍ଷୀରେ ସଂଖ୍ୟାଗରିଷ୍ଠ ମତକୁ ଉପସ୍ଥାପିତ କରିବା ଏବଂ ସେ ନେଇ ଆଗେଇଯିବା ବୁଦ୍ଧିମାନର କାମ ହେବ। ଇତିହାସ ଯାହାକୁହେ, ବକ୍ସି ଜଗବନ୍ଧୁଙ୍କ ନେତୃତ୍ୱରେ ହୋଇଥିିବା ୧୮୧୭ ପାଇକ ବିଦ୍ରୋହ ପୂର୍ବରୁ ୧୮୦୪ରେ ହୋଇଥିଲା ଖୋର୍ଦ୍ଧା ରାଜ ବିଦ୍ରୋହ। ଏହାର ନେତୃତ୍ୱ ନେଇଥିଲେ ନାବାଳକ ରାଜା ମୁକୁନ୍ଦଦେବ-୨ୟଙ୍କ ଅଭିଭାବକ ଜୟୀକୃଷ୍ଣ ରାଜଗୁରୁ ମହାପାତ୍ର(ଜୟୀ ରାଜଗୁରୁ)। ୧୮୦୪ ମସିହାରେ ଖୋର୍ଦ୍ଧା ରାଜାଙ୍କ ବିଦ୍ରୋହ ଓ ୧୮୧୭ ମସିହାରେ ସଂଗଠିତ ବିଦ୍ରୋହ ମଧ୍ୟରେ ମୌଳିକ ପାର୍ଥକ୍ୟ ରହିଛି। ମରହଟ୍ଟାଙ୍କୁ ପୂର୍ବରୁ ହରାଇଥିବା ମାହାଲଗୁଡ଼ିକ ଫେରି ପାଇବା ପାଇଁ ଏବଂ ଇଂରେଜମାନେ ପ୍ରତିଶ୍ରୁତି ଦେଇଥିବା ଏକ ଲକ୍ଷ ଟଙ୍କା ପାଇବା ପାଇଁ ୧୮୦୪ ରାଜ ବିଦ୍ରୋହ ହୋଇଥିଲା। ଏହି ବିଦ୍ରୋହ ରାଜାଙ୍କ ନିର୍ଦ୍ଦେଶରେ ହୋଇଥିବା ବେଳେ ୧୮୧୭ ଗଣ ବିଦ୍ରୋହକୁ ରାଜା ସ୍ୱୀକୃତି ଦେଇ ନଥିଲେ। ଇଂରେଜ କୁଶାସନ, କରବୃଦ୍ଧି, କଉଡ଼ିର ଅବମୂଲ୍ୟାୟନ ଓ ଉଚ୍ଛେଦ ଏକଚାଟିଆ ଲବଣ ଉତ୍ପାଦନ, ଲବଣରେ ମୂଲ୍ୟବୃଦ୍ଧି, ସୂର୍ଯ୍ୟାସ୍ତ ଆଇନ୍, ସର୍ବରାକାର ଓ ଅମଲାମାନଙ୍କ ଅତ୍ୟାଚାର ବିରୋଧରେ ପୁଞ୍ଜିଭୂତ ଅସନ୍ତୋଷ ଫଳରେ ୧୮୧୭ ମସିହାରେ ଏକ ବଡ଼ ଗଣବିପ୍ଳବ ଆରଂଭ ହୋଇଥିଲା। ଇଂରେଜ ସରକାର ନିଜ କୁଶାସନର ଅସଲ ସ୍ୱରୂପକୁ ଲୁଚାଇବା ପାଇଁ ଏହି ବିଦ୍ରୋହକୁ ପାଇକମାନଙ୍କର ବିଦ୍ରୋହ ଅର୍ଥାତ ନୂତନ ଭୂବନ୍ଦୋବସ୍ତ ଫଳରେ ନିଷ୍କର ଭୂମି ହରାଇଥିବା ପାଇକମାନଙ୍କର ବିଦ୍ରୋହ ବୋଲି ଆଖ୍ୟା ଦେଇଥିଲେ। ବାସ୍ତବରେ ୧୮୧୭ ମସିହାର ବିଦ୍ରୋହ ଥିଲା ଏକ ଗଣ ବିପ୍ଳବ। ଏଥିରେ ପାଇକମାନଙ୍କ ବ୍ୟତୀତ ସବୁ ଶ୍ରେଣୀର ଲୋକେ, ଯଥା ଲବଣ ଉତ୍ପାଦନ କରୁଥିବା ମଲାଙ୍ଗୀ, ସୂର୍ଯ୍ୟାସ୍ତ ଆଇନ୍ ଅନୁସାରେ ଜମିଦାରୀ ହରାଇଥିବା ଲୋକେ, ସାଧାରଣ କୃଷକ, ଜଗନ୍ନାଥ ମନ୍ଦିରର ପୂଜକ ଓ ଆଦିବାସୀ କନ୍ଧମାନେ ଯୋଗ ଦେଇଥିଲେ। ୧୮୧୭ ମସିହାରେ ମାର୍ଚ୍ଚ ୨୯ ତାରିଖରୁ ବାଣପୁରରୁ ଆରମ୍ଭ ହୋଇ ସମଗ୍ର ଖୋର୍ଦ୍ଧାରେ ବିପ୍ଲବର ବହ୍ନି ପ୍ରଜ୍ଜ୍ୱଳିତ ହୋଇ ୧୮୧୮ ଡିସେମ୍ୱର ମାସ ବେଳକୁ ବିଦ୍ରୋହ ଦବି ଯାଇଥିଲା। ଏହା ପରେ କେତେକ ବିଦ୍ରୋହୀ ଲୁଚାଛପା ଭାବରେ ପ୍ରଶାସନକୁ ଅଚଳ କରିବା ପାଇଁ କାର୍ଯ୍ୟ କରୁଥିଲେ। ବକ୍ସି ଜଗବନ୍ଧୁ ଘୁମୁସର ଓ ନୟାଗଡ଼ ରାଜାଙ୍କ ସହାୟତାରେ ଗୋପନୀୟ ଭାବେ ବିଦ୍ରୋହାତ୍ମକ କାର୍ଯ୍ୟ ଚଳାଇଥିଲେ। ଶେଷରେ ଇଂରେଜ ସରକାର ବକ୍ସିଙ୍କୁ ସନ୍ତୁଷ୍ଟ କରିବା ପାଇଁ ଆଲୋଚନା ଚଳାଇଲେ ଏବଂ ତାଙ୍କୁ ମାସିକ ଭତ୍ତା ଦେଇ କଟକରେ ରଖାଇଲେ। ଏହା ଥିଲା ୧୮୨୫ ମସିହା ମଇମାସ ୨୭ ତାରିଖର ଘଟଣା। ତାଙ୍କ ସଂଗ୍ରାମର ଅବଧି ଥିଲା ଆଠ ବର୍ଷ ଏକ ମାସ ଅଠେଇଶ ଦିନ। ଭାରତରେ ଇଂରେଜମାନଙ୍କ ବିରୋଧରେ ଯେତେ ବିଦ୍ରୋହ ହୋଇଛି ଏହା ହେଉଛି ସର୍ବାଧିକ ସମୟ। ୧୮୧୭ ଗଣ ବିଦ୍ରୋହରେ ବକ୍ସି ମୁଷ୍ଟିମେୟ ସହଚରମାନଙ୍କ ସାହାଯ୍ୟରେ ଗରିଲା ଯୁଦ୍ଧ କରି କରି ପରିଶେଷରେ ଲୁଚିବୁଲି ଆତ୍ମରକ୍ଷା କରିବାକୁ ବାଧ୍ୟ ହୋଇଥିଲେ। ସେହି ଦୁର୍ଦ୍ଦିନରେ ହୋଇଥିବା ଦୁର୍ଦ୍ଦଶା ସମ୍ୱନ୍ଧରେ ‘ଅଠରଶହ ସତର’ ଉପନ୍ୟାସରେ ଗୋଦାବରୀଶ ମିଶ୍ର ଲେଖିଛନ୍ତି ଯେ, ‘ଏପରି ଗଛମୂଳ ନଥିଲା ଯେଉଁଠି ବକ୍ସି ଦୁଇରାତି ଶୋଇଥିଲେ, ଏପରି ପୋଖରୀ ନଥିଲା ଯେଉଁଠି ସେ ଦୁଇଥର ପାଣି ପିଇଥିଲେ ଏବଂ ଏପରି ଘର ନଥିଲା ଯେଉଁଠି ସେ ଦୁଇଥର ଭୋଜନ କରିଥିଲେ। ବକ୍ସି ଶ୍ୱାପଦ ସଂକୁଳ ବଣ ପାହାଡ଼ରେ ଲୁଚି ବୁଲି ଏକ ପ୍ରକାର ବଣ ମଣିଷ ଜୀବନ ଜିଇଁଥିଲେ।’ ୧୮୦୪ ରାଜ ବିଦ୍ରୋହ ସମୟରେ କେବଳ ରାଜାଙ୍କ ଦରମାପ୍ରାପ୍ତ ପାଇକମାନେ ଲଢ଼ିଥିଲେ। କିନ୍ତୁ ୧୮୧୭ ଗଣ ବିପ୍ଳବ ବେଳେ ପ୍ରତ୍ୟେକ ବର୍ଗର ଜନସାଧାରଣ ସହଯୋଗ, ସମର୍ଥନ ତଥା ସଂଗ୍ରାମରେ ଆଗେଇ ଆସିଥିଲେ। ଫଳରେ ଏହି ଗଣ ବିପ୍ଳବର ନେତା ବକ୍ସିଙ୍କୁ ଥରକୁ ଥର ଚେଷ୍ଟା କରି ମଧ୍ୟ ଇଂରେଜମାନେ ଧରିପାରୁ ନଥିଲେ। ଏହି ବିପ୍ଲବ ସମ୍ପର୍କରେ ଏହାର ବ୍ୟାପକତା ଓ ଭୟାବହତାକୁ ନେଇ ବ୍ରିଟିଶ ଐତିହାସିକ ଜର୍ଜ ଟୟନବି ଲେଖିଛନ୍ତି- It was not long however, before we had to encounter a storm which burst with such fury as to threaten our expulsion, if not from the whole of Orissa at least from the territory of Khurda. This was the rebellion milita to whom the English conquest had brought little, but ruin and expulsion. ଅର୍ଥାତ ବକ୍ସି ଜଗବନ୍ଧୁଙ୍କ ପାଇକ ବିଦ୍ରୋହ ଏପରି ଏକ ଭୟାନକ ରୂପ ଧାରଣ କରିଥିଲା ଯେ ଖୋର୍ଦ୍ଧା ଅଂଚଳରୁ ବ୍ରିଟିଶଙ୍କୁ ବିତାଡ଼ିତ କରିବାକୁ ସେମାନଙ୍କ ସ୍ଥିତିକୁ ଏକ ଶକ୍ତ ଧକ୍କା ଦେଇଥିଲା। ଗଭର୍ଣ୍ଣର ଜେନେରାଲଙ୍କ କମିଶନର ରବର୍ଟ କେର୍‌ ୩୧ ଅଗଷ୍ଟ ୧୮୧୮ରେ ଲେଖିଥିଲେ, For a short period in consequence of the untoward occurrance of April 1817, a belief prevailed in almost incredible degree amongst the natives of Cuttack that the English were about to be expelled. ପୁନଶ୍ଚ ବକ୍ସିଙ୍କ ନେତୃତ୍ୱରେ ପାଇକମାନେ ୧୮୧୭ ଏପ୍ରିଲ ୧୪ ରୁ ୧୮ ପର୍ଯ୍ୟନ୍ତ ପୁରୀକୁ ଇଂରେଜମାନଙ୍କ କବଳରୁ ମୁକ୍ତ କରିବା ବ୍ରିଟିଶ ଇଣ୍ଡିଆର ଏକ ବିଶେଷ ଘଟଣା ଥିଲା। ବକ୍ସି ଜଗବନ୍ଧୁଙ୍କ ନେତୃତ୍ୱରେ ହୋଇଥିବା ପାଇକ ଗଣ ବିପ୍ଲବ ପରେ ୧୮୨୭ରେ ତାପଙ୍ଗ ଯୁଦ୍ଧ ଓ ୧୮୩୬ରେ ବାଣପୁର ବିଦ୍ରୋହ ବା ପଂଚୁଆ - ଫତୁରୀ କନ୍ଧମେଳି ହୋଇଥିଲା। ଇଷ୍ଟ ଇଣ୍ଡିଆ କମ୍ପାନୀ ୧୮୦୩ରେ ଖୋର୍ଦ୍ଧା ଆସିବା ପରେ ୧୮୦୪ରେ ହୋଇଥିଲା ଖୋର୍ଦ୍ଧା ରାଜ ବିଦ୍ରୋହ। ଖୋର୍ଦ୍ଧା ରାଜ ବିଦ୍ରୋହ ପୂର୍ବରୁ ଦକ୍ଷିଣ ଓଡ଼ିଶାରେ ମଧ୍ୟ ରାଜ ବିଦ୍ରୋହମାନ ସଂଘଟିତ ହୋଇଥିଲା। ୧୮୦୧ ମସିହାରେ ଘୁମୁସର ରାଜା ଶ୍ରୀକର ଭଞ୍ଜ, ଖେମୁଣ୍ଡି ରାଜା ଜଗନ୍ନାଥ ଦେଓ, ବିଜୟ ନଗର ରାଜା ମଣିଦେଓ ଏବଂ ଶେରଗଡ଼ ରାଜା ଅଦୈତ ପ୍ରସାଦ ସିଂହଦେଓ ମିଳିତ ଭାବେ ବ୍ରିଟିଶ ବାହିନୀ ସହ ଶେରଗଡ଼ ଠାରେ ଭୟାବହ ଯୁଦ୍ଧ କରିଥିଲେ। ଏଥିରେ ଶେରଗଡ଼ ରାଜା ଅଦ୍ବୈତ ପ୍ରସାଦ ସିଂହଦେଓଙ୍କର ମସ୍ତକ ବ୍ରିଟିଶ ସେନାର କମାଣ ମାଡ଼ରେ ଛିନ୍ନ ବିଚ୍ଛିନ୍ନ ହୋଇଯାଇଥିଲା। ସେ ଶହୀଦ ହେଲେ। ୧୮୦୧ ମସିହା ବେଳକୁ ଏହା ମାଡ୍ରାସ ପ୍ରେସିଡେନ୍ସୀ ମଧ୍ୟରେ ଥିଲା। ୧୯୩୬ ମସିହାରେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ପରେ ଏହା ଓଡ଼ିଶାରେ ଅନ୍ତର୍ଭୁକ୍ତ ହୋଇଛି। ଫଳରେ ପ୍ରଥମ ଓଡ଼ିଆ ଶହୀଦ ଭାବେ ଅଦ୍ବୈତ ପ୍ରସାଦ ସିଂହଦେବ ଚଚ୍ଚାର୍କୁ ଆସିପାରି ନାହାନ୍ତି। ଅନ୍ୟପକ୍ଷରେ କେରଳର ଥିରୁ ଥାମ୍ପି ଭାରତର ପ୍ରଥମ ଶହୀଦ ଭାବେ ଐତିହାସିକମାନେ ମତ ଦେଇଥାନ୍ତି। ସେତେବେଳେ ଖୋର୍ଦ୍ଧା ରାଜ୍ୟର ଉଭୟ ଉତ୍ତର ଓ ଦକ୍ଷିଣ ଦିଗରେ ଇଂରେଜ ଶାସନ ଥିଲା। ଯେ କୌଣସି ଦିଗରୁ ଇଂରେଜମାନେ ଓଡ଼ିଶା ଦଖଲ କରିବା ଆଶଙ୍କା ଥିଲା। ସେତେବେଳେ ଖୋର୍ଦ୍ଧାରେ ରାଜା ଥିଲେ ୨ୟ ମୁକୁନ୍ଦଦେବ। ରାଜା ନାବାଳକ ଥିବାରୁ ଜୟୀ ରାଜଗୁରୁ ତାଙ୍କର ଅଭିଭାବକ ଭାବେ ରାଜ୍ୟର ସର୍ବେସର୍ବା ଥିଲେ। ସେ ଦେୱାନ ଓ ବକ୍ସି ଉଭୟଙ୍କୁ ରାଜାଙ୍କ ସହ ମନାନ୍ତରର ଦୁର୍ଯୋଗ ସୃଷ୍ଟି କରାଇ ୧୮୦୨ରେ ରାଜା ଓ ରାଜ ପରିବାରଙ୍କୁ ଖୋର୍ଦ୍ଧା ଗଡ଼ରୁ ନେଇ ପୁରୀ ବାଲିସାହି ନଅରରେ ରଖାଇଲେ ଏବଂ ନିଜେ ରାଜାଙ୍କ ପାଖେ ପାଖେ ରହି, ନାବାଳକ ରାଜାଙ୍କର ଅଭିଭାବକ ଭାବେ ସମସ୍ତ କାର୍ଯ୍ୟ ତୁଲାଇଲେ। ସୁତରାଂ ୧୮୦୩ ଓ ୧୮୦୪ ଖୋର୍ଦ୍ଧା ରାଜ୍ୟ ତଥା ଓଡ଼ିଶାର ଭାଗ୍ୟ ନିୟାମକ ଏହି ଦୁଇଟି ଦୁର୍ଭାଗ୍ୟପୂର୍ଣ୍ଣ ବର୍ଷରେ ଜୟୀ ରାଜଗୁରୁ ନିଜର ରାଜ ପୁରୋହିତଙ୍କ ସହିତ ଖୋର୍ଦ୍ଧା ରାଜ୍ୟର ଦେୱାନ ଓ ସେନାପତିଙ୍କ ଦାୟିତ୍ୱ ନିଜ ହାତକୁ ନେଇଥିଲେ। ଓଡ଼ିଆ ଜାତିର ସେହି ଘଡ଼ିସନ୍ଧି ମୁହୂର୍ତ୍ତରେ ଜୟୀ ରାଜଗୁରୁ, ବକ୍ସି ଜଗବନ୍ଧୁ ଓ ଦେବାନ ହରିହର - ପ୍ରତ୍ୟେକ ନିଜ ନିଜ କର୍ମକ୍ଷେତ୍ରରେ ସକ୍ରୀୟ ରହି ମୁକୁନ୍ଦ ଦେବଙ୍କୁ ସୁଚିନ୍ତିତ ମିଳିତ ପରାମର୍ଶ ଦେଇଥିଲେ ଇତିହାସର ଗତି ହୁଏତ ଭିନ୍ନ ପ୍ରକାର ହୋଇଥାନ୍ତା ! ସ୍ୱୟଂ ଇଂରେଜ ଐତିହାସିକମାନେ ସ୍ୱୀକାର କରିଛନ୍ତି ଯେ ଚିଲିକା ମୁହାଣ ପାରିହେବା ସମୟରେ ଇଂରେଜ ସୈନ୍ୟମାନଙ୍କ ଉପରେ ସାମାନ୍ୟ ଆକ୍ରମଣ ବା ବିରୋଧ କରାଯାଇଥିଲେ ସେମାନେ ଦାରୁଣ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥାନ୍ତେ। ଏ ପ୍ରସଙ୍ଗରେ ପ୍ରଖ୍ୟାତ କଥାକାର ସ୍ୱର୍ଗତ ସୁରେନ୍ଦ୍ର ମହାନ୍ତି ‘ଶତାବ୍ଦୀର ସୂର୍ଯ୍ୟ’ରେ ଲେଖିଛନ୍ତି, ‘ଯେଉଁଦିନ ଚିଲିକା କୂଳପ୍ରୟାଗୀ ଗାଁରୁ ଛ’ ଶହ ୟୁରୋପିୟାନ୍, ତିନିଶହ ତେଲେଙ୍ଗା ସିପାହୀ ଓ ଆଠଶହ ଶଗଡ଼ ରସଦ ସାଙ୍ଗରେ ଧରି ହାରକୋର୍ଟ ଓ ମେଲଭିଲ ଚିଲିକା ପାଣି ବାଟରେ ଆସିଥିଲେ ସେଦିନ ଖୋର୍ଦ୍ଧାରାଜା ମୁକୁନ୍ଦଦେବ ଓ ଜୟୀ ରାଜଗୁରୁ ସେମାନଙ୍କର ସାମାନ୍ୟ ପ୍ରତିରୋଧ କରିଥିଲେ ଓଡିଶା ଇତିହାସ ହୁଏତ ଅନ୍ୟ ଗତି ଧରିଥାନ୍ତା। କିନ୍ତୁ ଗୋଟିଏ ଜାତିର ଇତିହାସରେ ଯେତେବେଳେ ବିଲୟ ଓ ଅଧଃପତନର ବିଡ଼ମ୍ୱିତ ମୁହୂର୍ତ୍ତ ଆସେ ସେତେବେଳେ ତାହାର ପ୍ରଥମ ବିକୃତି ଆରମ୍ଭ ହୁଏ ଜାତିର ଚେତନା ଓ ଭାଗ୍ୟନିୟନ୍ତାମାନଙ୍କର ବିବେକ ଓ ପ୍ରାଣଶକ୍ତିରେ। ବିଲୟର ସେହି ବିକୃତି ସେଦିନ ରାଜା ମୁକୁନ୍ଦଦେବ ଓ ତାଙ୍କ ମନ୍ତ୍ରଣାଦାତା ଜୟୀ ରାଜଗୁରୁଙ୍କ ବିବେକରେ ମଧ୍ୟ ଆରମ୍ଭ ହୋଇଥିଲା। ଗଞ୍ଜାମ ପଟୁ ବାଲୁଗାଁ ଖୋର୍ଦ୍ଧା ଦେଇ କଟକ ଯିବାକୁ ଇଂରେଜ ଇଷ୍ଟ ଇଣ୍ଡିଆ କମ୍ପାନୀ ଚାହିଁଥିଲା। ଇଂରେଜ ସେନାପତି ମେଲ୍ଭିଲ ଖୋର୍ଦ୍ଧାର ବକ୍ସି ଜଗବନ୍ଧୁଙ୍କୁ ପରମଗୁରୁଙ୍କ ହାତରେ ପତ୍ର ଦେଇ ଜଣାଇଥିଲେ। ତା’ର ଉତ୍ତରରେ ବକ୍ସି ବାଲୁଗାଁ ଖୋର୍ଦ୍ଧା ଦେଇ କଟକ ଦେଇ ଯିବାକୁ ମନା କରି ଦେଇଥିଲେ। ମଧୁସୂଦନ ବିପ୍ରଙ୍କ ‘ଫିରିଙ୍ଗିକଳି ଭାରତ’ ୮ମ ଅଧ୍ୟାୟ ପୃ ୧୮୬-୮୭ରେ ଏହା ନିମ୍ନମତେ ବର୍ଣ୍ଣିତ ହୋଇଛି। ‘ବକ୍ସିଙ୍କ ଠାରୁ ଲେଖିଲେକ ପତ୍ର, ବାଣପୁର ସଳଖେ ଆମ୍ଭଙ୍କୁ ଦିଅ ପଥ। ପତ୍ରଘେନି ଦେଶାଭର ବହନ ଚଳିଲା, ବାଣପୁର ଦ୍ୱାରେ ପ୍ରବେଶ ହୋଇଲା। ଦ୍ୱାରିଙ୍କି ବୋଇଲାରେ ଲେଖିଛି ସାହେବ, ଜଗବନ୍ଧୁ ବିଧ୍ୟାଧରଙ୍କୁ ଏ ପତ୍ର ଦେବ। ସେ ଚିଟି ଆଣି ଦ୍ୱାରୀ ବକ୍ସୀଙ୍କୁ ଦେଲା, ସାହେବଙ୍କ ପତ୍ର ବୋଲି ଆଗରେ କହିଲା। ଶୁଣିଣ ବକ୍ସୀ ବୋଲନ୍ତିରେ ବାଇ, ଏ ବାଟେ ଯିବାକୁ ନୃପତି ଆଜ୍ଞା ନାଇଁ। ସେ ସଳଖେ ମୁହଁି କେମନ୍ତେ ଦେବି ବାଟ, ମହା ବଳୀଆର ଯେ ରାଜନ ମୁକୁଟ। ଏତେ ବୋଲି ଚିଟାଉ ଲେଖିଲେ ବକ୍ସି, ଲଘୁମ ପରମଗୁରୁଙ୍କୁ ଦେଲେ ପେଶି। ଚିଟି ଘେନିଣ ଯେ ପରମଗୁରୁ ଗଲା, ମିଲି ମିଲି ସାହେବର ହାତରେ ଲେଖାଦେଲା। ... ମିଲି ମିଲି ସାହେବ ପଚାରେ ଗୁରୁଙ୍କୁ, ନୃପତିର ତେଜ ଲାଗେ କେତେକ ଦୂରକୁ। ... ପରମଗୁରୁ କହେ ଏହା କାହିଁକି ପଚାର, ଯେତେଦୂର ଜଗନ୍ନାଥ ମହିମା ବିକାଶଇ, ତେତେଦୂର ନୃପତିର ତେଜ ପ୍ରକାଶଇ। ... ଶୁଣିଣ ଫିରିଙ୍ଗି ବଡ଼ ଆନନ୍ଦ ହୋଇଲା, ରାଜାର ବ୍ରାହ୍ମଣ ବୋଲି ଶାଲ ଧୋତିଦେଲା। ଅନେକ ପ୍ରକାରେ ବହୁକଲା ପଉରୁଷ, ନୃପତିଙ୍କ ଛାମୁଙ୍କୁ ଲେଖିଲା ଉଦ୍ଦେଶ୍ୟ। ଦେଖା ଦରଶନୀ ଧନ ଅନେକ ସେ ଦେଲା, ଦୁଇ ଜଣଙ୍କୁ ଡାକି ଛାମୁକୁ ପେଶିଲା। ଇଂରେଜମାନଙ୍କ ପକ୍ଷରୁ କଣ୍ଣେର୍ଲ ହାରକୋର୍ଟ ଏକ ଗୁପ୍ତ ଚିଠି ଖୋର୍ଦ୍ଧା ରାଜାଙ୍କ ନାମରେ ପଠାଇଥିଲେ। ଖୋର୍ଦ୍ଧା ରାଜା ତାଙ୍କ ଓକିଲଙ୍କ ଜରିଆରେ ଦୁଇଟି ସର୍ତ୍ତରେ ରାଜି ହେଲେ। ପ୍ରଥମରେ ତାଙ୍କୁ ସହଯୋଗ ପାଇଁ ଏକ ଲକ୍ଷ ଟଙ୍କା ଇଂରେଜମାନେ ଦେବେ। ଦ୍ୱିତୀୟରେ ପଡ଼ୋଶୀ ରାଜ୍ୟ ସଙ୍ଗେ ଯୁଦ୍ଧବେଳେ ପୂର୍ବରୁ ମରହଟ୍ଟାମାନେ ଖୋର୍ଦ୍ଧାକୁ ସହଯୋଗ କରି ତାଙ୍କର ଚାରୋଟି ପ୍ରଗଣା ଲେମ୍ୱାଇ, ସିରାଇ, ରାହଙ୍ଗ, ଚବିଶକୁଦ ନେଇଯାଇଥିଲେ, ସେଗୁଡ଼ିକ ଫେରାଇ ଦେବେ। ସେଥିରେ ଇଂରେଜ ପକ୍ଷ ସମ୍ମତି ଜଣାଇଲେ। ଏହି ଚୁକ୍ତି ଅଲିଖିତ ଥିଲା ଅର୍ଥାତ ଏହା ମୌଖିକ ଚୁକ୍ତି। ରାଜାଙ୍କୁ ଏକ ଲକ୍ଷ ଟଙ୍କାରୁ ଦଶ ହଜାର ଟଙ୍କା ଅଗ୍ରୀମ ଦିଆଯାଇଥିଲା। ଫଳରେ ଇଂରେଜମାନଙ୍କୁ ଚିଲିକା କୂଳ ମାଣିକପାଟଣା ଦେଇ ପୁରୀ ବାଟେ କଟକ ଯିବାକୁ ସୁଯୋଗ ଦିଆଯାଇଥିଲା। ଇଂରେଜ ଐତିହାସିକମାନେ ସ୍ୱୀକାର କରିଛନ୍ତି ଯେ, ଚିଲିକା ମୁହାଣ ସମୟରେ ଇଂରେଜ ସୈନ୍ୟମାନଙ୍କ ଉପରେ ସାମାନ୍ୟ ଆକ୍ରମଣ ବା ବିରୋଧ କରାଯାଇଥିଲେ ସେମାନେ ଦାରୁଣ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥାନ୍ତେ। ସେମାନେ ଆହୁରି ଆଶ୍ଚର୍ଯ୍ୟ ପ୍ରକଟ କରି ଲେଖିଛନ୍ତି ଯେ, ପ୍ରଦିରୋଧ ପରିବର୍ତ୍ତେ ପଞ୍ଝାଏ ଶୁକ୍ଳାମ୍ୱରଧାରୀ ବ୍ରାହ୍ମଣ ସେମାନଙ୍କୁ ମାଣିକପାଟଣା ଠାରେ ସ୍ୱାଗତ ଜଣାଇ ପୁରୀକୁ ପାଛୋଟି ଆଣିଥିଲେ। ଏହି ଶୁକ୍ଳାମ୍ୱରଧାରୀମାନେ ହିଁ ଜଗନ୍ନାଥଙ୍କ ସେବକ ଥିଲେ। ଫଳରେ ବିନାବାଧାରେ ଇଂରେଜ ସୈନ୍ୟ ଆସି ୧୮୦୩ ମସିହା ସେପ୍ଟେମ୍ୱର ୧୮ ତାରିଖ ଦିନ ପୁରୀ ଦଖଲ କଲେ ଓ ଅକ୍ଟୋବର ୧୪ ତାରିଖରେ ବାରବାଟୀ ଦୁର୍ଗ ଅଧିକାର କଲେ। ଇଂରେଜ ସୈନ୍ୟମାନଙ୍କୁ ପୁରୀ ଜଗନ୍ନାଥ ମନ୍ଦିରର ବଡ଼ ପଣ୍ଡା ଓ ପଣ୍ଡାମାନେ ପୁରୀ ବାଟେ ଆସିବାରେ ହାରକୋର୍ଟଙ୍କ ବେକରେ ଫୁଲମାଳ ଦେଇ ଯେଭଳି ସ୍ୱାଗତ ସମ୍ୱର୍ଦ୍ଧନା ଜଣାଇଥିଲେ ତା’ର କାରଣ ଥିଲେ ତ୍ରିବେଣୀ ପଣ୍ଡିତ। ଇଂରେଜମାନେ କଲିକତାର ତ୍ରିବେଣୀ ପଣ୍ଡିତଙ୍କ ଠାରୁ ଏହି ମର୍ମରେ ଚିଠି ଖଣ୍ଡିଏ ପୁରୀ ବଡ଼ପଣ୍ଡାଙ୍କ ପାଖକୁ ଲେଖାଇ ଆଣିଥିଲେ - ଇଂରେଜ ଶାସନ ଭାରି ଭଲ, ତାଙ୍କ ଶାସନରେ ଜଗନ୍ନାଥ ଭଲରେ ରହିବେ। ତୁମେମାନେ ବି ଭଲରେ ରହିବ। ତ୍ରିବେଣୀ ପଣ୍ଡିତଙ୍କୁ ବଡ଼ପଣ୍ଡା ଖୁବ୍ ଖାତିର କରୁଥିଲେ। ତାଙ୍କ ଚିଠି ହାରକୋର୍ଟଙ୍କ ପୁରୀ ଅଭିଯାନ ପାଇଁ ପଥ ପରିଷ୍କାର କରିଦେଲା। ଏହା ଫକୀର ହରିଚନ୍ଦନଙ୍କ ‘ଖୋର୍ଦ୍ଧା ଇତିହାସ ଅନ୍ତରାଳେ’ ପୁସ୍ତକରେ ବିଶଦ ଭାବେ ଉଲ୍ଲେଖ ହେଇଛି। ମରହଟ୍ଟା ଶାସକ ଥିଲେ ଭାରତୀୟ କିନ୍ତୁ ସେମାନଙ୍କୁ ବଦଳରେ ଇଂରେଜ ଶାସନଙ୍କୁ ନିମନ୍ତ୍ରଣ କରିବା ଦୁର୍ଭାଗ୍ୟଜନକ ଥିଲା। ୧୮୦୩ ଅକ୍ଟୋବର ୩ ରେ ଇଂରେଜମାନେ ବାରବାଟୀ ଦୁର୍ଗ ଅଧିକାର କରିବା ପରେ ୧୮୦୪ ଜାନୁୟାରୀ ମାସରେ ମେଜର ବ୍ରାଉଟନଙ୍କ ଦ୍ୱାରା ସମ୍ୱଲପୁର ଜୟ କରିନେଲେ। ବଉଦ ଓ ସୋନପୁରର ରାଜାମାନେ ବଡ଼ମୂଳ ଘାଟିଠାରେ ଇଂରେଜ ସେନାପତି ଫୋର୍ବିସଙ୍କୁ ସାକ୍ଷାତ କରି ଇଂରେଜଙ୍କର ବଶ୍ୟତା ସ୍ୱୀକାର କଲେ। ଶେଷରେ ଇଂରେଜ ଓ ମରହଟ୍ଟାମାନଙ୍କର ଦେଓଗାଁ ଚୁକ୍ତି ସ୍ୱାକ୍ଷରିତ ହେଲା। ଏଥିରେ ଇଂରେଜମାନଙ୍କର ଓଡ଼ିଶା ଅଧିକାର ଅନୁମୋଦିତ ହେଲା। ଓଡ଼ିଶାର ଗଡ଼ଜାତ ରାଜାମାନେ ଇଂରେଜଙ୍କର ବଶ୍ୟତା ସ୍ୱୀକାର କଲେ। ଖୋର୍ଦ୍ଧା ରାଜାଙ୍କୁ ବଶ୍ୟତା ସ୍ୱୀକାର ପାଇଁ ୧୮୦୩ ମସିହା ନଭେମ୍ୱର ମାସ ୨୯ ତାରିଖ ରାଜାଙ୍କ ପ୍ରତିନିଧିଙ୍କୁ ଆଲୋଚନା ପାଇଁ ଡକାଇଲେ। ୧୮୦୪ ଫେବ୍ରୁୟାରୀ ୨୦ ତାରିଖ ପତ୍ରରେ ରାଜା କୁପରାମର୍ଶ ଦ୍ୱାରା ପରିଚାଳିତ ହେଉଛନ୍ତି ବୋଲି ପୂର୍ବଭଳି ଅଭିଯୋଗ କଲେ। ଏଣେ ଇଂରେଜମାନେ ପୂର୍ବ ସର୍ତ୍ତ ଅନୁଯାୟୀ ଲେମ୍ୱେଇ, ରାହାଙ୍ଗ, ସିରାଇ ଓ ଚବିଶକୁଦ ପ୍ରଗଣା ଫେରାଇବା ପାଇଁ କୌଣସି ପଦକ୍ଷେପ ନେଲେ ନାହିଁ। ଫଳରେ ନାବାଳକ ରାଜା ୨ୟ ମୁକୁନ୍ଦଦେବଙ୍କ ପକ୍ଷରୁ ଦୁଇଶହ ସୈନ୍ୟ ନେଇ ୧୮୦୪ ମସିହା ମାର୍ଚ୍ଚ ମାସରେ ଜୟୀ ରାଜଗୁରୁ କଟକ ଗଲେ ଓ କର୍ଣ୍ଣେଲ ହାରକୋର୍ଟକୁ ଦେଖାକଲେ ଏବଂ ଚାରୋଟି ପ୍ରଗଣା ଫେରାଇ ଦେବାକୁ ଦାବି କଲେ। ଚୁକ୍ତି ଅନୁଯାୟୀ ପ୍ରାପ୍ୟ ଏକ ଲକ୍ଷ ଟଙ୍କାରୁ ଅବଶିଷ୍ଟ ଫେରାଇ ଦେବାକୁ ଅନୁରୋଧ କଲେ। କର୍ଣ୍ଣେଲ ହାରକୋର୍ଟ ସଙ୍ଗେ ସଙ୍ଗେ ଚାଳିଶ ହଜାର ଟଙ୍କା ଦେଇଦେଲେ ଏବଂ ପୂର୍ବରୁ ଦଶ ହଜାର ଦିଆଯାଇଥିବା ସୂଚନା ଦେଇ ଅବଶିଷ୍ଟ ପଚାଶ ହଜାର ଟଙ୍କା ରାଜା ବଶ୍ୟତା ଚୁକ୍ତିରେ ଦସ୍ତଖତ କଲାପରେ ଦିଆଯିବ ବୋଲି କହିଲେ। କିନ୍ତୁ ୪ଟି ପ୍ରଗଣା ମଧ୍ୟରୁ ଇଂଚେ ମଧ୍ୟ ଜାଗା ଦିଆଯିବାର ପ୍ରଶ୍ନ ଉଠୁନାହିଁ ବୋଲି କହିଲେ। ଜୟୀ ରାଜଗୁରୁ ବ୍ୟର୍ଥ ମନରେ ୪୦ ହଜାର ଟଙ୍କା ଧରି ଖୋର୍ଦ୍ଧା ଫେରିଲେ ଏବଂ ରାଜାଙ୍କୁ କହିଲେ – ‘ମୁଁ ପ୍ରଥମେ ଇଂରେଜମାନଙ୍କ ସହ ବନ୍ଧୁତା କରିବାକୁ ମନା କରୁଥିଲି ଏବଂ ସେମାନଙ୍କ ସୈନ୍ୟମାନଙ୍କୁ ରାସ୍ତା ଦେଖାଇବାର ବିପକ୍ଷରେ ଥିଲି। ତା’ର ପରିମାଣ ଏବେ ଭୋଗିବାକୁ ପଡ଼ୁଛି।’ ରାଜଗୁରୁ ଉକ୍ତ ଟଙ୍କା ରାଜାଙ୍କୁ ନଦେଇ ପାଇକମାନଙ୍କ ବାକିଆ ଟଙ୍କା ଶୁଝିବା ସହିତ ଇଂରେଜମାନଙ୍କ ବିରୋଧରେ ଲଢ଼ିବା ମନୋଭାବ ନେଇ ଆଗେଇ ଚାଲିଲେ। ଏଣେ କର୍ଣ୍ଣେଲ ହାରକୋର୍ଟ ଖୋର୍ଦ୍ଧା ରାଜାଙ୍କୁ ଜବତ୍ କରିବା ପାଇଁ ଗଭର୍ଣ୍ଣର ଜେନେରାଲ ଲର୍ଡ ଉଏଲସଲିଙ୍କ ସହ ଯୋଗାଯୋଗ କଲେ। ଏଥିରେ ଉଏଲସଲି ରାଜି ହୋଇନଥିଲେ। କାରଣ ପୂର୍ବରୁ ହୋଲକାରମାନଙ୍କ ବିରୋଧରେ ଯୁଦ୍ଧ ଘୋଷଣାକୁ ଇଂଲଣ୍ଡରେ ସମସ୍ତେ ନିନ୍ଦା କରିଥିଲେ। ତେଣୁ ଯୁଦ୍ଧ ନକରି ରାଜାଙ୍କୁ ବାଟକୁ ଆଣିବାକୁ ପରାମର୍ଶ ଦେଲେ। ହାରକୋର୍ଟ ଯୁଦ୍ଧ ନକରି ଅନ୍ୟ ସମସ୍ତ ପନ୍ଥା ଗ୍ରହଣ କଲେ। ପ୍ରଥମେ ଖୋର୍ଦ୍ଧା ରାଜା ଓ ମରହଟ୍ଟାଙ୍କ ସଙ୍ଗେ ଚିଠିପତ୍ର ନେବା ଆଣିବାରେ ନିଯୁକ୍ତ ଥିବା ଶମ୍ଭୁ ଭାରତୀଙ୍କୁ ଗିରଫ କରାଗଲା। ଜୟୀ ରାଜଗୁରୁଙ୍କୁ ହଟାଇବା ପାଇଁ ଇଂରେଜ କ୍ୟାପଟେନ ବ୍ଲଂଟଙ୍କୁ ଗ୍ରହଣ କରିବା ପାଇଁ ରାଜାଙ୍କୁ ଅନୁରୋଧ କରାଗଲା। ଅନୁରୋଧ କରାଯିବାର ଦିନକ ପୂର୍ବରୁ ଏକ ପତ୍ରବାହକ ଦୂତ ପଠାଗଲା। ଦୂତ ଖୋର୍ଦ୍ଧାରେ ଦୀର୍ଘ ୧୪ ଦିନ ଅପେକ୍ଷା କରି ଫେରି ଆସିବାକୁ ପଡ଼ିଲା। ଶେଷରେ ଖୋର୍ଦ୍ଧା ରାଜା ଓ ଇଂରେଜଙ୍କ ମଧ୍ୟରେ ଆଲୋଚନା ବାଟ ବନ୍ଦ ହୋଇଗଲା। ଖୋର୍ଦ୍ଧା ରାଜାଙ୍କ ପକ୍ଷରୁ ଇଂରେଜ ବିରୋଧୀ ଯୁଦ୍ଧ ପାଇଁ କେତେକ ମରହଟ୍ଟା ସର୍ଦ୍ଦାରଙ୍କୁ ନିଯୁକ୍ତି ଦିଆଗଲା। ଖୋର୍ଦ୍ଧା ଗଡ଼ ବାହାରେ ଦୁଇଶହ ସୈନ୍ୟ ଓ ଗଡ଼ ଭିତରେ ତିନି ଶହ ସୈନ୍ୟ ସହିତ ଦୁଇଟି ତୋପ ରହିବାର ବ୍ୟବସ୍ଥା କରାଗଲା। ଘାଟି ଜାଗା ଯଥା-ଡେଲାଙ୍ଗ, ବାଣପୁର, ତରତୁଆ, ଗଙ୍ଗପଡ଼ା ପ୍ରଭୃତି ସ୍ଥାନରେ ସୈନ୍ୟ ମୁତୟନ କରାଯାଇଥିଲା। ଖୋର୍ଦ୍ଧା ରାଜାଙ୍କ ନିର୍ଦ୍ଦେଶ ପାଇ କନିକା, କୁଜଙ୍ଗ ଓ ହରିଶପୁର ରାଜାମାନେ ଇଂରେଜ ବିରୋଧୀ ଆନ୍ଦୋଳନ ଚଳାଇଲେ। ଅନ୍ୟପକ୍ଷରେ ବାଙ୍କୀ, ଖଣ୍ଡପଡ଼ା, ଡମପଡ଼ା, ରଣପୁର ଓ ନୟାଗଡ଼ର ରାଜାମାନେ ଇଂରେଜମାନଙ୍କୁ ପରୋକ୍ଷରେ ସମର୍ଥନ ଦେଲେ। ଖୋର୍ଦ୍ଧା ରାଜାଙ୍କ ଇଂରେଜଙ୍କ ବିରୋଧୀ ଯୁଦ୍ଧ ୧୮୦୪ ନଭେମ୍ୱର ୨୨ ରୁ ଡିସେମ୍ୱର ୩ ତାରିଖ ମଧ୍ୟରେ ସମାପ୍ତ ହୋଇଥିଲା। ଏହି ଯୁଦ୍ଧର ଅବଧି ମାତ୍ର ୧୨ ଦିନ ଥିଲା। ଏହା ଥିଲା ଖୋର୍ଦ୍ଧା ରାଜ ବିଦ୍ରୋହ ଯୁଦ୍ଧ। ଇଂରେଜମାନେ ସାମରିକ କାର୍ଯ୍ୟାନୁଷ୍ଠାନ ଅତି ଦକ୍ଷତାର ସହିତ କରିଥିଲେ। ବାରବାଟୀ ଗଡ଼ର ସୁରକ୍ଷା ପାଇଁ ୨୫୦ ଅଶ୍ୱାରୋହୀ ଓ ୯୦୦ ସୈନ୍ୟ ମୁତୟନ କରିବା ପରେ କ୍ୟାପଟେନ୍ ହିକ୍ଲାଣ୍ଡଙ୍କ ନେତୃତ୍ୱରେ ୧୨୦ ଜଣ ସୈନ୍ୟ ପିପିଲି ପଠାଇଲେ। ପିପିଲି ଦୁର୍ଗଠାରେ ରାଜାଙ୍କ ସୈନ୍ୟମାନଙ୍କ ଉପରେ ୧୮୦୪ ନଭେମ୍ୱର ୨୨ ତାରିଖ ଦିନ ଅତର୍କିତ ଆକ୍ରମଣ କଲେ। ପିପିଲି ଦୁର୍ଗ ନିକଟରେ ଖଣ୍ଡଯୁଦ୍ଧ ହେଲା। ଏଥିରେ ରାଜାଙ୍କର ବହୁ ସୈନ୍ୟ ନିହତ ହେଲେ। ଅନ୍ୟ ପକ୍ଷରେ ଇଂରେଜ ପକ୍ଷରୁ ଜଣେ ଲସ୍କର, ଜଣେ ହାବିଲଦାର, ଜଣେ ବାଦ୍ୟକାର ଓ ଛଅ ଜଣ ସିପାହୀ ଯୁଦ୍ଧରେ ଆଘାତପ୍ରାପ୍ତ ହୋଇଥିଲେ। ଯୁଦ୍ଧରେ ପାଇକମାନେ ପରାଜିତ ହେଲେ। କ୍ୟାପଟେନ୍ ଷ୍ଟୋରେଙ୍କ ନେତୃତ୍ୱରେ ଇଂରେଜ ସୈନ୍ୟ ଗଙ୍ଗପଡ଼ା ଠାରେ ପହଁଚିଲେ। ଅନ୍ୟପକ୍ଷରେ ଖୋର୍ଦ୍ଧା ରାଜାଙ୍କ ପକ୍ଷରୁ ପୂର୍ବତନ ମରହଟ୍ଟା ଦୂତ ଶମ୍ଭୁ ଭାରତୀଙ୍କ ନାତି ବୈଷ୍ଣବ ଭାରତୀଙ୍କୁ ପଠାଗଲା। କିନ୍ତୁ ରାଜାଙ୍କ ସୈନ୍ୟ ପରାସ୍ତ ହେଲେ। କର୍ଣ୍ଣେଲ ହାରକୋର୍ଟ ଓ ମେଲଭିଲେ ବହୁ ସୈନ୍ୟ ସହ ବଣ ଜଙ୍ଗଲ ପାରହୋଇ ଖୋର୍ଦ୍ଧା ଅଭିମୁଖେ ଯାତ୍ରାକଲେ। ବାଙ୍କୀ ରାଜା ବ୍ରିଟିଶ ବାହିନୀଙ୍କୁ ତୁଳସୀପୁର ଠାରେ ସାକ୍ଷାତ କରିବା ସହିତ ତାଙ୍କ ଭାଇ ରାମଚନ୍ଦ୍ର ଭ୍ରମରବର ଇଂରେଜ ବାହିନୀଙ୍କୁ ସମସ୍ତ ସାହାଯ୍ୟ କଲେ। ମେଲଭିଲେ ଖୋର୍ଦ୍ଧା ରାଜାଙ୍କ କଥା ପଚାରନ୍ତେ ସେ କହିଲେ ଯେ ରାଜଗୁରୁ ହେଉଛନ୍ତି ସର୍ବେସର୍ବା। ‘ଫିରିଙ୍ଗି କଳି ଭାରତ’ରେ ଲେଖାହୋଇଛି –‘ଶୁଣି ରାମଚନ୍ଦ୍ର ଭ୍ରମରବର କହି, ସର୍ବ ଅଧିକାରୀ ସେ ବ୍ରାହ୍ମଣ ଅଟଇ//ଛାମୁରେ ଖଚ କହି ମୋତେ ଦେଲାକ ଘଉଡ଼ି, ପ୍ରଜାଜନ ଦଳି ଅସୁଲ କରୁଛି କଉଡ଼ି। ... ପ୍ରଦେଶୀ ପାଳିଣ ସେ ପାଇକ ଦଳିଲା, ଅତି ଗର୍ବରେ ଉଗ୍ର ତେଜକୁ କହିଲା।’ ବ୍ରିଟିଶ ବାହିନୀ ଏହାପରେ ଟାଙ୍ଗିଆପଡ଼ା ଓ ତରତୁଆ ଠାରେ ପହଁଚିଲେ। ଉଭୟ ସ୍ଥାନରେ ରାଜାଙ୍କ ପକ୍ଷରୁ କେରଙ୍ଗ ସର୍ଦ୍ଦାର ମୁସ୍ତାଫା ଖାଁ ଦାୟିତ୍ୱ ନେଇଥିଲେ ଏବଂ ରାଜାଙ୍କ ସୈନ୍ୟ ପରାଜିତ ହେଲେ। ଶେଷରେ ମାଡ୍ରାସ ରେଜିମେଂଟ୍ରୁ ୭୦୦୦ ସୈନ୍ୟଙ୍କୁ ଧରି ମେଜର ପ୍ଲେଚର ମୁକୁନ୍ଦ ପ୍ରସାଦ ଠାରେ ପହଁଚିଲେ। ଡ. ଦଣ୍ଡପାଣି ବେହେରା ଲେଖଛନ୍ତି - To achieve the end, the British then arranged garrison of 7,000 troops at the village Mukundprasad some distance from the Rajas fort. The Raja had never comprehended such a military arrangement by the British so sudden. କଟକ ଓ ମାଡ୍ରାସ ଆଡ଼ୁ ଆସିଥିବା ସମସ୍ତ ଇଂରେଜସେନା ମୁକୁନ୍ଦପ୍ରସାଦ ଆମ୍ୱତୋଟାରେ ଛାଉଣୀ ପକାଇ ୨୬ ତାରିଖ ଠାରୁ ରହିଲେ। ଏହା ପୂର୍ବରୁ ଡେଲାଙ୍ଗ ଠାରେ ଥିବା ଜୟୀ ରାଜଗୁରୁ ରାଜାଙ୍କ ଡାକରା ପାଇ ଖୋର୍ଦ୍ଧା ଫେରି ଆସିଥିଲେ। ଏହା ‘ଫିରିଙ୍ଗି କଳି ଭାରତ’ରେ ବର୍ଣ୍ଣିତ: ‘ଶୁଣ ହେ ସୁଜନେ ଅପୂର୍ବ ବିଚାର, ଡେଲାଙ୍ଗରୁ ନୃପତି ପେଶିଲେ ଦେଶୋର। ରାଜଗୁରୁଙ୍କୁ ଘେନି ଆସିବୁ ତୁରିତେ, ଭଲା ପୃଥିବୀ ଭୋଗ କରାଇଲା ମୋତେ।’ ମୁକୁନ୍ଦପ୍ରସାଦ ଆମ୍ୱତୋଟା ତଳେ ୧୮୦୪ ନଭେମ୍ୱର ୨୬ରୁ ଇଂରେଜ ସୈନ୍ୟ ରହିଥିବା ବେଳେ ଖୋର୍ଦ୍ଧା ରାଜାଙ୍କ ସୈନ୍ୟ ଆକ୍ରମଣ କରିପାରିଥାନ୍ତେ। କିନ୍ତୁ ସେମାନଙ୍କ ସୈନ୍ୟ ସଂଖ୍ୟା ଦେଖି କେବଳ ଗଡ଼ ଭିତରେ ଆକ୍ରମଣ ସମ୍ମୁଖୀନ ହେବା ପାଇଁ ରହିଲେ। ଖୋର୍ଦ୍ଧାରେ ପୁରାତନ ଗଡ଼ ଭାଙ୍ଗି ୧୭୯୦-୯୪ ଭିତରେ ୨୦.୭ ଏକର ପରିମିତ ଜାଗା ତଥା ୩୦୦୦-୪୦୦୦ ବର୍ଗଫୁଟ୍ ଆୟତନର ସୁଉଚ୍ଚ ସୁଦୃଢ଼ ନୂତନ ଦୁର୍ଗ ନିର୍ମିତ ହୋଇଥିଲା। ପୂର୍ବରୁ ଖୋର୍ଦ୍ଧା ରାଜା ରଥିପୁର ଗଡ଼ରେ ରହୁଥିଲେ ଏପରିକି ଖୋର୍ଦ୍ଧାର ୨ୟ ରାଜା ପୁରୁଷୋମ ଦେବ ଏବଂ ୩ୟ ରାଜା ନରସିଂହଦେବ ମୋଗଲ ଆକ୍ରମଣରୁ ରକ୍ଷା ପାଇବା ପାଇଁ ମାଣିତ୍ରୀ ଗଡ଼ରେ ଆତ୍ମଗୋପନ କରିଥିଲେ। ଏହି ନୂତନ ଖୋର୍ଦ୍ଧା ଦୁର୍ଗ ସୁଦୃଢ଼ ଥିବାରୁ ଦୁର୍ଗକୁ ଭେଦ କରିବା ସହଜ ହେବ ନାହିଁ ବୋଲି ହୁଏତ ଜୟୀ ରାଜଗୁରୁ ଭାବିଥିବେ। ଏଣୁ ଇଂରେଜଙ୍କ ଆକ୍ରମଣ ସମ୍ମୁଖୀନ ପାଇଁ ଗଡ଼ ମଧ୍ୟରେ ୩୦୦ ପାଇକଙ୍କୁ ନେଇ ଜଗି ରହିଲେ। ଇଂରେଜମାନେ ଖୋର୍ଦ୍ଧା ଦୁର୍ଗକୁ ଚାରି ଦିଗରୁ ଆକ୍ରମଣ କଲେ। ବାହାର ପ୍ରାଚୀର ନିକଟରେ ୧୨ ପାଉଣ୍ଡିଆ ବ୍ୟାଟେରୀ ୪ଟା, ୬ ପାଉଣ୍ଡିଆ ବ୍ୟାଟେରୀ ହାୱାଜର ପ୍ରଭୃତି ଆଧୁନିକ ଅସ୍ତ୍ରଶସ୍ତ୍ରମାନ ଓ ତୋପ ଖଞ୍ଜି ସେଥିରୁ ଅନବରତ ଗୁଳି ବର୍ଷଣ କଲେ। କୁହାଯାଏ ୩ ଦିନଧରି ତୋପମାଡ଼ ଓ ଗୁଳି ବର୍ଷଣ ହୋଇଥିଲା। ଫଳରେ ପ୍ରାଚୀରର ଗୋଟିଏ ପାଖ କଣା ହୋଇଯାଇଥିଲା। ସେହି ବାଟ ଦେଇ ମେଜର ଫ୍ଲେଚର ନିଶୁଣି ସାହାଯ୍ୟରେ ପଶିଲେ ଓ ଅନ୍ୟମାନେ ମଧ୍ୟ ଗଲେ। ସେତେବେଳକୁ ରାଜା ନଅର ଛାଡ଼ି ଗୁପ୍ତବାଟେ ଚାଲି ଯାଇଥିଲେ। ଜୟୀ ରାଜଗୁରୁ ମଧ୍ୟ ଲୁଚି ଚାଲିଗଲେ। ୧୮୦୪ ଡିସେମ୍ୱର ୩ ତାରିଖ ଦିନ ଇଂରେଜମାନଙ୍କ ଦ୍ୱାରା ଗଡ଼ ଦଖଲ ହେଲା। ୪ ଓ ୫ ତାରିଖ ଦିନ ଗଡ଼ ଧ୍ୱଂସ ହେଲା, ଯେପରି ରାଜା କିମ୍ୱା ରାଜଗୁରୁ କେହି ଆଉ ଏଠାରେ ଭବିଷ୍ୟତରେ ରହିପାରିବେ ନାହିଁ। ଇଂରେଜମାନେ ଭାରତରେ ଯେତେ ରାଜ୍ୟ ସଙ୍ଗେ ଯୁଦ୍ଧ କରି ଜୟ କରିଛନ୍ତି କିନ୍ତୁ କୌଣସି ଠାରେ ଗଡ଼ ସମ୍ପୂର୍ଣ୍ଣ ଭାବେ ଧ୍ୱଂସ କରିନାହାନ୍ତି। କିନ୍ତୁ ଖୋର୍ଦ୍ଧା ଗଡ଼ ଧ୍ୱଂସ ହେବା ବ୍ୟତିକ୍ରମ ଥିଲା। କାରଣ ଏଥିରେ ଖୋର୍ଦ୍ଧା ରାଜ୍ୟର ସୀମାନ୍ତବର୍ତ୍ତୀ ରାଜାମାନେ, ରାଜ୍ୟରେ ଥିବା ଗଡ଼ାଧୀଶ ସାମନ୍ତ, ଦଳବେହେରାମାନେ ସହଯୋଗ ଦେଇନଥିଲେ। ପଡ଼ୋଶୀ ରାଜାମାନେ ଇଂରେଜଙ୍କୁ ସାହାଯ୍ୟ ଦେଇଥିଲେ। ଏହାର କାରଣ ହୋଇପାରେ ସେମାନେ ଖୋର୍ଦ୍ଧା ରାଜାଙ୍କ ଠାରୁ ମିଳିତ କାର୍ଯ୍ୟାନୁଷ୍ଠାନ ନିମନ୍ତେ ସହୃଦୟ ଆମନ୍ତ୍ରଣ ପାଇନଥିଲେ। ଅନ୍ୟପକ୍ଷେ, ସେମାନେ ବୋଧହୁଏ ଉପଲବ୍ଧି କରିଥିଲେ ଯେ ଉନ୍ନତ ଅସ୍ତ୍ରଶସ୍ତ୍ର ସହ କୁଟନୀତିରେ ଖୁରୁଧା ପାଇକ ବାହିନୀ ଠାରୁ ବହୁଗୁଣରେ ଅଧିକ ବଳୀୟାନ ଫିରିଙ୍ଗି ଫୌଜ ସହିତ ଯୁଦ୍ଧ କରି ସଫଳତା ପ୍ରାପ୍ତ ହେବା ସମ୍ଭବପର ନୁହେଁ। ଏକଥା ବିଶିଷ୍ଟ ଐତିହାସିକ ପ୍ରଫେସର ବି.ସି. ରାୟ ତାଙ୍କ ଗବେଷଣାତ୍ମକ ବହି Bakshi Jagabandhu - The Path Finderରେ ସ୍ପଷ୍ଟ ଭାବେ ଲେଖଛନ୍ତି - Perhaps for that reason, he (Bakshi) is found to have kept himself aloof from so important an event ! ଏତଦ୍ବ୍ୟତୀତ ପ୍ରଫେସର ଧ୍ରୁବ ଚରଣ ଜୟସିଂହ ପାଇକରାୟ ତାଙ୍କ ପୁସ୍ତକ ‘ଭାରତୀୟ ସ୍ୱାଧୀନତା ସଂଗ୍ରାମକୁ ଖୋର୍ଦ୍ଧାର ଅବଦାନ’ ଶୀର୍ଷକ ପୁସ୍ତକର ପୃ-୪୮ରେ ଲେଖିଛନ୍ତି – ‘ଏହି ଖୋର୍ଦ୍ଧା ରାଜ ବିଦ୍ରୋହରେ ତାପଙ୍ଗ ଗଡ଼ର ଦଳବେହେରା କିମ୍ୱା ରୋଡ଼ଙ୍ଗ ଗଡ଼ର ବକ୍ସି ଜଗବନ୍ଧୁଙ୍କ ସହଯୋଗ ଦେଇନଥିଲେ। ତାପଙ୍ଗ ଦଳବେହେରା ଦକ୍ଷିଣ ଖୋର୍ଦ୍ଧାର ଶାସକ ଥିଲେ। ତେଣୁ ନିଜର ସ୍ୱାଭିମାନ ଓ ପୂର୍ବପୁରୁଷଙ୍କ ଗୌରବ ଗାରିମାମୟ ଐତିହ୍ୟ ଓ ପରମ୍ପରା ଯୋଗୁଁ ସେ ଜୟୀ ରାଜଗୁରୁଙ୍କ ପ୍ରତି ଆନୁଗତ୍ୟ ସ୍ୱୀକାର କରିନଥିଲେ। ଦଳବେହେରା ଜାଣିଥିଲେ ଜୟୀ ରାଜଗୁରୁ ଯୁଦ୍ଧ କରିବା ପାଇଁ ସମ୍ପୂର୍ଣ୍ଣ ଅପାରଗ। ରାଜଗୁରୁ ହେବା ପାଇଁ ଯେଉଁସବୁ ଯୋଗ୍ୟତା ଦରକାର ତାହା ଜୟୀ ରାଜଗୁରୁଙ୍କର ନଥିଲା। ସେ ସର୍ବଦା ରାଜାଙ୍କୁ କୁପରାମର୍ଶ ଦେଉଥିଲେ। ଜୟୀ ରାଜଗୁରୁଙ୍କର ଜେଜେ ଗଦାଧର ଦାଶ, ସେ ମହାପାତ୍ର କିମ୍ୱା ରାଜଗୁରୁ ନଥିଲେ। ସେ ଖୋର୍ଦ୍ଧା ରାଜା ବୀରହରେକୃଷ୍ଣ ଦେବଙ୍କ ଦୟାରୁ ରାଣୀଙ୍କ କୁପରାମର୍ଶରେ ବୀରହରେକୃଷ୍ଣପୁର ଶାସନ ଦାନ ଓ ରାଜଗୁରୁ ପଦବୀ କୂଟ କପଟ କରି ଗ୍ରହଣ କରିଥିଲେ। ତେଣୁ ତାଙ୍କ ପ୍ରତି ତାପଙ୍ଗ ଦଳବେହେରା କିମ୍ୱା ବକ୍ସି ଜଗବନ୍ଧୁଙ୍କର ଶ୍ରଦ୍ଧା ଓ ସମ୍ମାନ ନଥିବାରୁ ସେ ଖୋର୍ଦ୍ଧା ରାଜ ବିଦ୍ରୋହର ସୂତ୍ରଧର ଜୟୀ ରାଜଗୁରୁଙ୍କ ଅମାନୁଷିକ କାର୍ଯ୍ୟାବଳୀ ଯୋଗୁଁ ଯୁଦ୍ଧରେ ଯୋଗ ଦେଇନଥିଲେ ବୋଲି ଅପ୍ରିୟ ମତ ଆସେ। ଇଂରେଜମାନଙ୍କ ଦ୍ୱାରା ଖୋର୍ଦ୍ଧା ଦୁର୍ଗ ଅଧିକାର ପରେ ରାଜାଙ୍କୁ କ୍ଷମତାରୁ ଅନ୍ତର କରାଗଲା ବୋଲି ଏକ ନିର୍ଦ୍ଦେଶନାମା ପୁରୀ ଶ୍ରୀମନ୍ଦିର ପରିଛାଙ୍କୁ ପଠାଯାଇ ରାଜାଙ୍କ ନାମରେ ପ୍ରଶସ୍ତିଗାନକୁ ନିଷିଦ୍ଧ କରାଗଲା। ରାଜା ୧୮୦୫ ଜାନୁଆରୀ ୪ ତାରିଖ ଦିନ ଧରା ଦେଲେ। ଜୟୀ ରାଜଗୁରୁ ମଧ୍ୟ ଧରା ହେଲେ। ରାଜାଙ୍କୁ ବନ୍ଦୀ କରି ରଖାଗଲା ଏବଂ ଜୟୀ ରାଜଗୁରୁଙ୍କୁ ୧୮୦୬ ଡିସେମ୍ୱର ୬ ତାରିଖ ଦିନ ଫାଶୀ ଦିଆଗଲା। ଗଛର ଦୁଇଡାଳରେ ଦୁଇଗୋଡ଼କୁ ବାନ୍ଧି ଡାଳକୁ ଛାଡ଼ିଦେଇ ବୀଭତ୍ସ ଭାବରେ ତାଂକୁ ହତ୍ୟା କରାଯାଇଥିଲା। ଏହା ଅତ୍ୟନ୍ତ ହୃଦୟ ବିଦାରକ ଥିଲା। ରାଜା ରାଜ ବିଦ୍ରୋହ ପାଇଁ ସମସ୍ତ ଦୋଷ ରାଜଗୁରୁଙ୍କ ଉପରେ ଲଦି ଜେଲରୁ ମୁକ୍ତ ହୋଇଥିଲେ। କିନ୍ତୁ ଜୟୀ ରାଜଗୁରୁ ସମସ୍ତ ଦୋଷ ନିଜ ଉପରକୁ ନେଇ ନିର୍ଭୀକ ଭାବରେ ଜବାବ ଦେଇ ବୀରତ୍ୱର ପରିଚୟ ଦେଇଥିଲେ। ଖୋର୍ଦ୍ଧା ରାଜ ବିଦ୍ରୋହ ପାଇଁ ଜୟୀ ରାଜଗୁରୁ ଫାଶୀ ବରଣ କରି ଅମର ଶହୀଦ ହେଲେ। ୧୮୦୪ ଖୋର୍ଦ୍ଧା ରାଜ ବିଦ୍ରୋହର ଦୀର୍ଘ ୧୩ ବର୍ଷ ପରେ ୧୮୧୭ରେ ଖୋର୍ଦ୍ଧା ଗଣ ବିପ୍ଲବ ବା ପାଇକ ବିପ୍ଲବ ବକ୍ସି ଜଗବନ୍ଧୁଙ୍କ ନେତୃତ୍ୱରେ ସଂଘଟିତ ହୋଇ ୧୮୨୫ ମସିହା ପର୍ଯ୍ୟନ୍ତ ଲାଗି ରହିଥିଲା। ସ୍ୱାଧୀନ ଓଡିଶାର ଶେଷ ରାଜଧାନୀ ଖୋର୍ଦ୍ଧାଗଡ଼ ଭାରତୀୟ ସ୍ୱାଧୀନତା ସଗ୍ରାମର ଇତିହାସରେ ଗୌରବର ଟୀକା ବହନ କରିଛି ତଥା ବହୁ ବୀର ପୁଙ୍ଗବମାନଙ୍କ ଏନ୍ତୁଡିଶାଳ ରୂପେ ଖ୍ୟାତିଲାଭ କରିଛି। ଶହୀଦମାନଙ୍କ ଅମର କାହାଣୀରେ ରକ୍ତରଂଜିତ ଖୋର୍ଦ୍ଧା ଏବେ ମଧ୍ୟ ବିପ୍ଳବର ଝଙ୍କାର ତୋଳି ଆହ୍ୱାନକରେ ଉତ୍ତର ପୁରୁଷଙ୍କୁ। ଜାତୀୟତା ଚେତନାର ଆଗ୍ନେୟଗିରି ଖୋର୍ଦ୍ଧାର ମାଟିକୁ ଚିପୁଡିଦେଲେ ମିଳିବ ଶହୀଦ ଓ ସଂଗ୍ରାମୀମାନଙ୍କ ଯନ୍ତ୍ରଣାଦଗ୍ଧ ତ୍ୟାଗପୂତ ଜୀବନର ଅମଳିନ ଗାଥା। ଇଂରେଜମାନଙ୍କ ଆଗମନ ଖ୍ରୀ ୧୮୦୩ରୁ ୧୮୩୬ ପର୍ଯ୍ୟନ୍ତ ଦୀର୍ଘ ୩୩ ବର୍ଷ ଧରି ଓଡ଼ିଶା ମାଟିରେ ଇଂରେଜମାନଙ୍କ ବିରୋଧରେ ସଂଗ୍ରାମ ହୋଇଚି, ତାହା ରାଜ ବିଦ୍ରୋହ ହେଉ କି ଗଣବିପ୍ଳବ ହେଉ, ଏହା ଓଡ଼ିଆ ଜାତୀୟତାବୋଧର ପରାକାଷ୍ଠା ପ୍ରଦର୍ଶନ କରେ। ଏହି ସଂଗ୍ରାମରେ ଭାଗନେଇଥିବା ପ୍ରତ୍ୟେକ ସଂଗ୍ରାମୀ ଓ ଶହୀଦ ଏ ମାଟିର ପୂଜ୍ୟ ଓ ନମସ୍ୟ। ଯୁଗ ଯୁଗ ଧରି କାଳ ବକ୍ଷରେ ସେମାନଙ୍କ ବଳିଦାନ ଅମଳିନ ରହିବ। ଏ ନେଇ ପାଇକ ବିଦ୍ରୋହ ସଂପର୍କିତ ବିବାଦର ଅନ୍ତ ହେବା ଉଚିତ। ଏହାକୁ ନେଇ ଅଯଥାରେ ରାଜନୀତି କରିବା ସେଇ ଶହୀଦ ଓ ସଂଗ୍ରାମୀମାନଙ୍କ ପ୍ରତି ଅସମ୍ମାନ ହେବ, ସେମାନଂକ ଆତ୍ମା କାନ୍ଦିବ, ଏହା ଆମେ ମନେରଖିବା ଆବଶ୍ୟକ। ଗଣବାଣିକିଲୋ, ରାଜ ରଣପୁର ଜି-ନୟାଗଡ଼, ପିନ୍-୭୫୨୦୨୬

Share :