ୱାଲମାର୍ଟ କିଣିଲା ଫ୍ଲିପକାର୍ଟ

ୱାଲମାର୍ଟ କିଣିଲା ଫ୍ଲିପକାର୍ଟ

Share :

ଭାରତର ସର୍ବବୃହତ ଇ-ବାଣିଜ୍ୟ କମ୍ପାନୀ ଫ୍ଲିପକାର୍ଟର ୭୭ ପ୍ରତିଶତ ଅଂଶଧନ କିଣିନେଲା ଆମେରିକାର ଖୁଚୁରା ବେପାର କ୍ଷେତ୍ରରେ ଆଗରେ ଥିବା ୱାଲମାର୍ଟ ସଂସ୍ଥା । ସେଥିପାଇଁ ୱାଲମାର୍ଟ ୧୬୦୦ କୋଟି ଡଲାର ଦେବ । ଭାରତୀୟ ମୁଦ୍ରାରେ ଏହା ହେବ ପ୍ରାୟ ୧୦୪,୦୦୦ କୋଟି ଟଙ୍କା । ଫ୍ଲିପକାର୍ଟ ଓ ୱାଲମାର୍ଟ ପକ୍ଷରୁ ଜାରି ଏକ ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି ଯେ ଫ୍ଲିପକାର୍ଟର ୭୭ ପ୍ରତିଶତ ଅଂଶଧନକୁ ୱାଲମାର୍ଟ ୧୬୦୦ କୋଟି ଡଲାରରେ କିଣିବାକୁ ଚୁକ୍ତି ହୋଇଛି । ଫ୍ଲିପକାର୍ଟର ବାକି ୨୩ ପ୍ରତିଶତ ଅଂଶଧନ ଏହାର ସହ ପ୍ରତିଷ୍ଠାତା ବିନ୍ନି ବଂଶାଲ, ଟେନସେଣ୍ଟ ହୋଲ୍ଡିଂ, ଟାଇଗର ଗ୍ଲୋବାଲ ମ୍ୟାନେଜମେଣ୍ଟ ଏବଂ ମାଇକ୍ରୋସଫ୍ଟ ନିକଟରେ ରହିବ । କମ୍ପାନୀର ଅନ୍ୟତମ ସହ ପ୍ରତିଷ୍ଠାତା ସଚିନ ବଂଶାଲ ତାଙ୍କର ୫.୫ ଅଂଶଧନକୁ ୱାଲମାର୍ଟକୁ ବିକ୍ରି କରି କମ୍ପାନୀରୁ ବାହାରି ଯାଇଛନ୍ତି । ଫ୍ଲିପକାର୍ଟ କିଣିବା ପରେ ୱାଲମାର୍ଟ ଏହି କମ୍ପାନୀରେ ନିଜର ଅଂଶଧନ ସ୍ୱରୂପ ଆଉ ୨୦୦ କୋଟି ଡଲାର ବା ୧୩୦୦୦ କୋଟି ଟଙ୍କାର ପୁଂଜି ନିବେଶ କରିବ । ଏହା ଫଳରେ ଫ୍ଲିପକାର୍ଟରେ ୱାଲମାର୍ଟର କବ୍ଚା ସୁଦୃଢ଼ ହେବ । ୱାଲମାର୍ଟ ସଭାପତି ତଥା ମୁଖ୍ୟ କାର୍ଯ୍ୟ ନିର୍ବାହୀ ଡୋଗ ମ୍ୟାକମିଲନ କହିଛନ୍ତି ଯେ ଆକାର ଓ ଅଭିବୃଦ୍ଧି ଦୃଷ୍ଟିରୁ ଭାରତର ଖୁଚୁରା ବଜାର ବିଶ୍ୱର ସବୁଠାରୁ ଆକର୍ଷଣୀୟ । ଏହି ବଜାରରେ ଅଗ୍ରଣୀ ପରିବର୍ତ୍ତନ ଆଣିଥିବା କମ୍ପାନୀ ସହିତ ଅଂଶୀଦାର ହେବା ଆମ ପାଇଁ ଏକ ସୁଯୋଗ । ଫ୍ଲିପକାର୍ଟର ସହ ପ୍ରତିଷ୍ଠାତା ବିନ୍ନି ବଂଶାଲ କହିଛନ୍ତି ଯେ ୱାଲମାର୍ଟ ସହିତ ଏହି ଚୁକ୍ତି ହେବା ଫଳରେ ଭାରତର ଖୁଚୁରା ବଜାରରେ ପରବର୍ତ୍ତୀ ଜୁଆର ସୃଷ୍ଟି କରିବାକୁ ଆମର ରହିଥିବା ଅଭିଳାଷ ଚରିତାର୍ଥ ହେବ ଏବଂ ଏହି ଦ୍ୱାରା ଆମେ କ୍ରେତା ଓ ବିକ୍ରେତାଙ୍କ ମଧ୍ୟରେ ଅଧିକ ସୁଦୃଢ଼ ସଂପର୍କ ସ୍ଥାପନ କରିପାରିବୁ । ଏହା ପୂର୍ବରୁ ଜାପାନର ସଫ୍ଟବ୍ୟାଙ୍କର ମୁଖ୍ୟ କାଯ୍ୟଁନିର୍ବାହୀ ମାଶାୟୋଶି ସୋନ ଫ୍ଲିପକାର୍ଟ-ୱାଲମାର୍ଟ ଡିଲ୍ ସଂପର୍କରେ ସୂଚନା ଦେଇଥିଲେ । ତାଙ୍କ ସୂଚନା ଅନୁସାରେ ଜାପାନୀ ସମୟ ଅନୁସାରେ ମଙ୍ଗଳବାର ରାତିରେ ଏହି ଚୁକ୍ତି ଚୂଡ଼ାନ୍ତ ହୋଇଥିଲା । ଗତ ବର୍ଷ ଅଗଷ୍ଟ ମାସରେ ସଫ୍ଟବ୍ୟାଙ୍କର ଭିଜନ ଫଣ୍ଡ ଭାରତର ଫ୍ଲିପକାର୍ଟରେ ୨୫୦ କୋଟି ଡଲାରର ପୁଂଜି ଲଗେଇବା ଫଳରେ ଏହାର ମୋଟ ପୁଂଜି ୪୦୦ କୋଟି ଡଲାରକୁ ବୃଦ୍ଧି ପାଇଥିଲା । ଏବେ ସଫ୍ଟବ୍ୟାଙ୍କର ଫ୍ଲିପକାର୍ଟରେ ଥିବା ସମସ୍ତ ଅଂଶଧନ ୱାଲମାର୍ଟକୁ ବିକ୍ରି ହେବ ବୋଲି ସେ ସୂଚନା ଦେଇଛନ୍ତି । ୱାଲମାର୍ଟ ପରି ଆମେରିକାର ଅନ୍ୟତମ ଖୁଚୁରା ବଜାର ସମ୍ରାଟ ଆମାଜନ ମଧ୍ୟ ଫ୍ଲିପକାର୍ଟକୁ କିଣିବାକୁ ଉଦ୍ୟମ ଚଳାଇଥିଲା । କିନ୍ତୁ ଫ୍ଲିପକାର୍ଟର ଭାରତୀୟ ମାଲିକମାନେ ୱାଲମାର୍ଟ ସପକ୍ଷରେ ନିଷ୍ପତ୍ତି ନେଇଛନ୍ତି । ବଜାର ଅନୁଶୀଳକମାନଙ୍କ ମତରେ ଏହା ହେଉଛି ପୃଥିବୀର ସର୍ବବୃହତ ଇ-ବାଣିଜ୍ୟ କମ୍ପାନୀ ଅଧିଗ୍ରହଣ । ଏହି ଅଧିଗ୍ରହଣ ପରେ ବିଶ୍ୱର ଦ୍ରୁତ ଅଭିବୃଦ୍ଧିଶୀଳ ଖୁଚୁରା ବଜାର ଭାରତରେ ୱାଲମାର୍ଟ ଓ ଆମାଜନ ମଧ୍ୟରେ ଉଗ୍ର ପ୍ରତିଯୋଗିତା ଆରମ୍ଭ ହୋଇଯିବ । ଇତିମଧ୍ୟରେ ଆମାଜନ କମ୍ପାନୀ ଏହାର ଭାରତୀୟ ସଂସ୍ଥା ଆମାଜନ ସେଲର ସର୍ଭିସେସରେ ୨୬୦୦ କୋଟି ଟଙ୍କାର ପୁଂଜି ଲଗାଇ ସାରିଛି । ଏହା ଫଳରେ ଏହି ସଂସ୍ଥାରେ ଆମାଜନ ଏଯାଏଁ ୧୦,୭୫୦ କୋଟି ଟଙ୍କାର ପୁଂଜି ଲଗାଇ ସାରିଲାଣି । ଫରେଷ୍ଟର ନାମକ ଏକ ବିଶେଷଜ୍ଞ ସଂସ୍ଥା ଅନୁସାରେ ଭାରତୀୟ ଇ-ବାଣିଜ୍ୟ କାରବାର ଗତବର୍ଷ ସୁଦ୍ଧା ୨୧୦୦ କୋଟି ଡଲାର ଟପିଯାଇଛି । ଆଗକୁ ଏହା ଆହୁରି ବୃଦ୍ଧି ପାଇବାର ସମସ୍ତ ସୁଯୋଗ ରହିଛି । ଫ୍ଲିପକାର୍ଟ ମୋବାଇଲ ଫୋନଠାରୁ ଆରମ୍ଭ କରି ଟେଲିଭିଜନ, ଜୋତା, ସୋଫା, ସୌନ୍ଦର୍ଯ୍ୟ ସାମଗ୍ରୀ ଆଦି ଖୋଲା ବଜାରରେ ମିଳୁଥିବା ପ୍ରାୟ ସବୁ ଦରବ ବିକ୍ରି କରିଥାଏ ।

Share :