ପଣ୍ଡିତ ଜବାହରଲାଲ ନେହରୁ ଭାରତରେ ମିଶ୍ର ଅର୍ଥନୀତି ଚଳାଇବାକୁ ଚେଷ୍ଟା କରିଥିଲେ । ତାଙ୍କର ବିଶ୍ୱାସ ଥିଲା ଯେ ଉଭୟ ସରକାରୀ ଓ ଘରୋଇ କ୍ଷେତ୍ରରେ ପୁଞ୍ଜିନିବେଶ ବୃଦ୍ଧି ପାଇଲେ ଦେଶର ପ୍ରଗତି ହେବ ଓ ଲୋକମାନଙ୍କର ଆୟ ବୃଦ୍ଧି ପାଇବ । ଦେଶର ସ୍ୱାଧୀନତା ସଂଗ୍ରାମରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ପଣ୍ଡିତ ନେହରୁ ଧନୀ-ଗରିବ ତାରତମ୍ୟ କମାଇବାକୁ ନାନାଦି ସାମାଜିକ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ । କିନ୍ତୁ ସେଥିରେ ସେ ସଫଳ ହୋଇନଥିଲେ । ତାଙ୍କ ଝିଅ ଇନ୍ଦିରା ଗାନ୍ଧୀଙ୍କର ଏ ଅନୁଭବ ହେଲା ପରେ ସେ ଭାରତବର୍ଷରେ ସମାଜବାଦୀ ଅର୍ଥନୀତି ପ୍ରଚଳନ କରିବାକୁ ସାମ୍ବିଧାନିକ ବ୍ୟବସ୍ଥା କରିଥିଲେ । ଭାରତୀୟ ସମ୍ବିଧାନର ୪୨ତମ ସଂଶୋଧନରେ ସେ ଏହାର ମୁଖବନ୍ଧରେ ସମାଜବାଦୀ ଓ ଧର୍ମନିରପେକ୍ଷ ଶବ୍ଦ ଯୋଡ଼ିଥିଲେ । ଏହା ଥିଲା ୧୯୭୬ ମସିହାର କଥା । ତାଙ୍କରି ସମୟରେ ସେ ବ୍ୟାଙ୍କ ଜାତୀୟକରଣ ପରି ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇ ଦେଶରେ ସମାଜବାଦୀ ଅର୍ଥନୀତି ପ୍ରଚଳନ କରିବାକୁ ଉଦ୍ୟମ କରିଥିଲେ । ଏ ଦିଗରେ ତାଙ୍କର ସ୍ଲୋଗାନ୍ ଥିଲା ଗରିବୀ ହଟାଓ । ୧୯୭୧ ନିର୍ବାଚନରେ ସେ ଏହି ସ୍ଲୋଗାନ ଦେଇ ଅତ୍ୟନ୍ତ ଲୋକପ୍ରିୟତା ଅର୍ଜନ କରିଥିଲେ । ଏହି ଲୋକପ୍ରିୟତା ଆଧାରରେ ସେ ଜରୁରୀକାଳୀନ ପରିସ୍ଥିତିର ନିନ୍ଦା ଓ ସମାଲୋଚନା ସତ୍ତେ୍ୱ ୧୯୮୦ ସାଧାରଣ ନିର୍ବାଚନରେ ପୁଣି ଥରେ ବହୁମତରେ ବିଜୟୀ ହୋଇଥିଲେ । କିନ୍ତୁ ତାଙ୍କ ପରଠାରୁ ପରବର୍ତ୍ତୀ ଭାରତ ସରକାରଗୁଡ଼ିକ କ୍ରମେ କ୍ରମେ ସମାଜବାଦୀ ଅର୍ଥନୀତିରୁ ପୁଞ୍ଜିବାଦୀ ଅର୍ଥନୀତି ଆଡ଼କୁ ଢଳି ଚାଲିଲେ । ରାଜୀବ ଗାନ୍ଧୀ, ନରସିଂହ ରାଓ ଏବଂ ଅଟଳ ବିହାରୀ ବାଜପେୟୀ, ମନୋମହନ ସିଂହ, ନରେନ୍ଦ୍ର ମୋଦି କେହି ବି ସମାଜବାଦୀ ଅର୍ଥନୀତି ପ୍ରଚଳନ କରିବା ଦିଗରେ କୌଣସି ଉଦ୍ୟମ କରିନଥିଲେ । ବରଂ ଏହି ଲୋକପ୍ରିୟ ପ୍ରଧାନମନ୍ତ୍ରୀମାନେ ଅର୍ଥନୀତିକ ସଂସ୍କାର ଆଳରେ ଜାତୀୟ ଅର୍ଥନୀତିରେ ଥିବା ସମାଜବାଦୀ ଢାଞ୍ଚାକୁ ସଂପୂର୍ଣ୍ଣ ଧ୍ୱଂସ କରିଦେଇ ତା’ର ସମାଧି ଉପରେ ପୁଞ୍ଜିବାଦୀ ଅର୍ଥନୀତିର ବୀଜ ବପନ କରିଥିଲେ । ସେମାନଙ୍କର ଯୁକ୍ତି ହେଲା ଯେ ଦାରିଦ୍ର୍ୟ ହଟାଇବାରେ ସମାଜବାଦୀ ଅର୍ଥନୀତି ବିଫଳ ହୋଇଥିବାରୁ ଏଣିକି ପୁଞ୍ଜିବାଦୀ ଅର୍ଥନୀତି ଜରିଆରେ ବିକାଶ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାକୁ ହେବ । ବିକାଶ ଓ ଅଭିବୃଦ୍ଧି ହାସଲ ହେଲେ ହିଁ ଗରିବମାନଙ୍କର ଆୟବୃଦ୍ଧି ଘଟିବ । ସୋଭିଏଟ୍ ରଷିଆର ପତନ ପରେ ପୁଞ୍ଜିବାଦୀ ଅର୍ଥନୀତିଜ୍ଞମାନଙ୍କୁ ଏ ଦିଗରେ ଅଧିକ ଯୁକ୍ତି ମିଳି ଯାଇଥିଲା । ବର୍ତ୍ତମାନର ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂହ ହେଲେ ସେହିପରି ଜଣେ ପୁଞ୍ଜିବାଦୀ ଅର୍ଥନୀତିଜ୍ଞ । ଆମେରିକାର ପୁଞ୍ଜିବାଦୀ ଅର୍ଥଶାସ୍ତ୍ର ପଢ଼ି ପଢ଼ି ଓ ପଢ଼ାଇ ପଢ଼ାଇ ଏମିତି ଅଭ୍ୟସ୍ତ ହୋଇଯାଇଛନ୍ତି ଯେ ସମାଜବାଦ କଥା ତାଙ୍କର ଆଉ ମନେ ପଡ଼ୁ ନାହିଁ । ଏମିତି କି ସେ ଯେ ଭାରତର ପ୍ରଧାନମନ୍ତ୍ରୀ ଏବଂ ଭାରତୀୟ ସମ୍ବିଧାନ ଦେଶକୁ ସମାଜବାଦୀ ଢାଞ୍ଚାରେ ଗଢ଼ିବାକୁ ସଂକଳ୍ପ ଗ୍ରହଣ କରିଛି ତାହା ସେ ଭୁଲି ଯାଇଛନ୍ତି । ସମ୍ଭବତଃ ସେ କଥା ମନେ ପକାଇବାକୁ ତାଙ୍କୁ ଥରଟିଏ ହେଲେ ବି ଭାରତର ସମ୍ବିଧାନ ପଢ଼ିବାକୁ ପଡ଼ିବ । ତାଙ୍କ ସରକାରର ଆର୍ôଥକ ଉଦାରୀକରଣ, ଅର୍ଥନୀତିକ ସଂସ୍କାର, ବ୍ୟାପକ ଜଗତୀକରଣ ଆଦି ପ୍ରକ୍ରିୟା ଫଳରେ ଦେଶରେ ଧନୀ-ଗରିବଙ୍କ ମଧ୍ୟରେ ତାରତମ୍ୟ ଆଶଙ୍କାଜନକ ଭାବେ ବୃଦ୍ଧି ପାଇବାରେ ଲାଗିଛି । ଦ୍ରୁତ ଶିଳ୍ପାୟନ ଓ ସହରାୟନ ଏବଂ ବିଦେଶୀ ତଥା ଘରୋଇ ପୁଞ୍ଜିପତିଙ୍କୁ ସରକାରୀ ପ୍ରୋତ୍ସାହନ ଫଳରେ ଦେଶର ସଂପତ୍ତି ମୁଷ୍ଟିମେୟ ଗୋଷ୍ଠୀର କବ୍ଚାକୁ ଚାଲିଯିବାରେ ଲାଗିଛି । ଯୋଜନା କମିଶନର ଉପାଧ୍ୟକ୍ଷ ମଣ୍ଟେକ ସିଂହ ଆହ୍ଲୁୱାଲିଆ ମଧ୍ୟ ମନମୋହନ ସିଂହଙ୍କ ଅର୍ଥନୀତିକ ଚିନ୍ତାଧାରା ଅନୁସାରେ ଅନୁପ୍ରାଣୀତ । କିନ୍ତୁ କେଇ ବର୍ଷ ତଳେ ରୂପ ବଦଳେଇଥିବା ଯୋଜନା କମିଶନଙ୍କ ତରଫରୁ ପ୍ରକାଶ ପାଇଥିବା ଖର୍ଚ୍ଚ ହିସାବ ଓ ଦାରିଦ୍ର୍ୟ ପରିସଂଖ୍ୟାନରୁ ଏକଥା ପୁଣି ଥରେ ପ୍ରମାଣିତ ହୋଇଯାଇଛି ଯେ ୧୦ ବର୍ଷର ଉପା ଶାସନ କାଳରେ ଧନୀ ଓ ଗରିବଙ୍କ ମଧ୍ୟରେ ଆୟ ଓ ଖର୍ଚ୍ଚର ତାରତମ୍ୟ ୧୦ ଗୁଣରୁ ଅଧିକ ବୃଦ୍ଧି ପାଇଛି । ଏହି ପରିସଂଖ୍ୟାନ ଅନୁସାରେ ୨୦୦୦ ଓ ୨୦୧୨ ମଧ୍ୟରେ ଗ୍ରାମାଞ୍ଚଳର ଧନୀକ ବର୍ଗର ଉପର ୫ ପ୍ରତିଶତଙ୍କ ଖର୍ଚ୍ଚ ୬୦ ଗୁଣ ବୃଦ୍ଧି ପାଇଥିଲାବେଳେ ଗରିବ ବର୍ଗର ନିମ୍ନ ୫ ପ୍ରତିଶତଙ୍କ ଖର୍ଚ୍ଚ ୩୦ ପ୍ରତିଶତ ବୃଦ୍ଧି ପାଇଛି । ସହରାଞ୍ଚଳରେ ଧନୀକ ବର୍ଗର ଖର୍ଚ୍ଚ ଏହି ସମୟ ମଧ୍ୟରେ ୬୩ ପ୍ରତିଶତ ବୃଦ୍ଧି ପାଇଥିଲାବେଳେ ଗରିବଙ୍କ କ୍ଷେତ୍ରରେ ଏହି ଅଭିବୃଦ୍ଧି ହେଉଛି ମାତ୍ର ୩୩ ପ୍ରତିଶତ । ୨୦୦୦ ମସିହାରେ ସହରାଞ୍ଚଳର ଧନୀକ ବର୍ଗର ଲୋକମାନେ ଗରିବଙ୍କଠାରୁ ୧୨ ଗୁଣ ଅଧିକ ଖର୍ଚ୍ଚ କରୁଥିବାବେଳେ ୨୦୧୨ ବେଳକୁ ଏହା ୧୫ ଗୁଣକୁ ବୃଦ୍ଧି ପାଇଛି । ଗ୍ରାମାଞ୍ଚଳରେ ଏହି ତାରତମ୍ୟ ୭ ଗୁଣରୁ ୯ ଗୁଣକୁ ବୃଦ୍ଧି ପାଇଛି । ଯୋଜନା କମିଶନଙ୍କ ତଥ୍ୟ ଅନୁସାରେ ସମାଜର ୧୦ ପ୍ରତିଶତ ଅତିଧନୀଙ୍କ ଆୟ ସର୍ବୋଚ୍ଚ ହାରରେ ବୃଦ୍ଧି ପାଇଥିବାବେଳେ ୧୦ ପ୍ରତିଶତ ଦରିଦ୍ରତମ ଲୋକଙ୍କ ଆୟ ସର୍ବନିମ୍ନ ହାରରେ ବୃଦ୍ଧି ପାଇଛି । ଅନ୍ୟ ଏକ ପରିସଂଖ୍ୟାନ ଅନୁସାରେ ୨୦୧୨ ମସିହାରେ ଗ୍ରାମାଞ୍ଚଳର ଏକ ୪ ଜଣିଆ ପରିବାର ମାସିକ ୨୦୮୪ ଟଙ୍କା ଖର୍ଚ୍ଚ କରୁଥିବାବେଳେ ଧନୀକ ବର୍ଗର ୪ ଜଣିଆ ପରିବାର ୧୭୯୨୫ ଟଙ୍କା । ସହରାଞ୍ଚଳରେ ଏହି ପରିସଂଖ୍ୟାନ ହେଉଛି ଯଥାକ୍ରମେ ୨୮୦୨ ଓ ୪୧୧୨୮ ଟଙ୍କା । ଏହି ପରିସଂଖ୍ୟାନରୁ ଗରିବ ଓ ଧନୀ ଏବଂ ଗ୍ରାମାଞ୍ଚଳ ଓ ସହରାଞ୍ଚଳ ମଧ୍ୟରେ ବୃଦ୍ଧି ପାଉଥିବା ଆର୍ଥିକ ତାରତମ୍ୟ ସ୍ପଷ୍ଟ ବାରି ହେଉଛି । ଲୋକଙ୍କ ମଧ୍ୟରେ ବୃଦ୍ଧି ପାଉଥିବା ଏହି ତାରତମ୍ୟ ହିଁ ଅନେକ ହତାଶା ଜନିତ ବିକୃତି ଓ ଅପରାଧର ମୁଖ୍ୟ କାରଣ । ଏହି ତାରତମ୍ୟ ଯୋଗୁଁ ହିଁ ଗରିବ ବର୍ଗର ଅନେକ ପ୍ରତିଭା ଉପଯୁକ୍ତ ସୁଯୋଗ ଓ ସୁବିଧା ଅଭାବରୁ ମଉଳି ଯାଉଥିବାବେଳେ ଧନୀକ ବର୍ଗର ଅନେକ ଅଯୋଗ୍ୟ ଓ ଅସାଧୁ ବ୍ୟକ୍ତି ସୁବିଧା ଓ ସୁଯୋଗ ଖରିଦ କରି ଅଧିକ ଧନ ଓ କ୍ଷମତା ହାତମୁଠାରେ ରଖିପାରୁଛନ୍ତି । ଖାସ୍ ସେଇଥିପାଇଁ ଏବେ କେତୋଟି ନିର୍ବାଚନରୁ ଦେଖାଯାଉଛି ଯେ ସାଧାରଣତଃ ଧନୀକ ବର୍ଗର ପ୍ରାର୍ଥୀମାନେ ବିଜୟୀ ହେଉଛନ୍ତି । ସେମାନେ ଟଙ୍କା ବଳରେ ଗରିବ ଲୋକଙ୍କ ମତ କିଣି ନେଉଛନ୍ତି । ଗରିବ ଲୋକମାନେ ବି ଧନୀକ ବର୍ଗ ବିରୋଧରେ ସ୍ୱର ଉତ୍ତୋଳନ କରିବାର ସାହସ ଜୁଟାଇପାରୁ ନାହାନ୍ତି । ତେଣୁ ରାଷ୍ଟ୍ରର ସମସ୍ତ କ୍ଷମତା ଧନୀ ଲୋକଙ୍କ ହାତକୁ ଚାଲିଯାଇ ଦେଶରେ ପୁଞ୍ଜିବାଦୀ ଅର୍ଥନୀତିକ ବ୍ୟବସ୍ଥାକୁ ଅଧିକ ଶକ୍ତିଶାଳୀ ଓ ସୁଦୃଢ଼ କରିଚାଲିଥିବାବେଳେ ସମାଜବାଦକୁ ନିଶ୍ଚିହ୍ନ କରିଦେଇଛି ।