କାଳ କିଏ? କଳିବ କିଏ?

କାଳ କିଏ? କଳିବ କିଏ?

Share :

ଦେବେନ୍ଦ୍ର ପୃଷ୍ଟି ପୃଥିବୀ ବିଭାଣ୍ଡଂ ଗଗନ ପିଧାନଂ, ସୂର୍ଯ୍ୟାଗ୍ନି ରାତ୍ରୀଦିବା ଇନ୍ଧନେନ, ମାସର୍ତୁ ଦର୍ବୀ ପରିଘଟ୍ଟନେନ, ଭୂତାନି କାଳ ପଚତିତି ବାର୍ତ୍ତା । ମହାଭାରତର ଯକ୍ଷପ୍ରଶ୍ନରେ ଏ ଉତ୍ତର ଦେଇଛନ୍ତି ଧର୍ମରାଜ ଯୁଧିଷ୍ଠିର । ଯକ୍ଷ ତାଙ୍କୁ ପ୍ରଶ୍ନ କରିଥିଲେ, ଆଉ ଖବର କ’ଣ? ଏହାର ଉତ୍ତର ଦେବାକୁ ଧର୍ମରାଜ କହିଥିଲେ ଯେ ପୃଥିବୀ ଏକ ହାଣ୍ଡି, ଆକାଶ ହେଉଛି ଘୋଡ଼ଣୀ । ସୂର୍ଯ୍ୟ, ଅଗ୍ନି, ଦିନ ଓ ରାତି ହେଉଛନ୍ତି ଇନ୍ଧନ । ମାସ ଓ ଋତୁର ଚଟୁ ଚଳାଇ ଏହି ହାଣ୍ଡିରେ ପ୍ରାଣୀମାନଙ୍କୁ ରାନ୍ଧି ଚାଲିଛି କାଳ । ଏହା ହିଁ ଖବର । ଯୁଧିଷ୍ଠିରଙ୍କର ଏହି କଥା ପଦକର ଗୁରୁତ୍ୱ ଅନେକ ବେଶୀ । ଧରାପୃଷ୍ଠର ପ୍ରାଣୀ ଜଗତ ଏବେ ପୃଥିବୀ ରୂପକ ହାଣ୍ଡିରେ ସନ୍ତୁଳି ହେଉଛନ୍ତି । ଜଳବାୟୂ ପରିବର୍ତ୍ତନ, ବିଶ୍ୱ ତାପାୟନ, ଆତଙ୍କବାଦ, ପୁଞ୍ଜିବାଦ, ଏକଛତ୍ରବାଦ, ସାମରିକବାଦ, ଶୋଷଣ, ନିର୍ଯାତନା, ପୀଡ଼ନ, ଧର୍ଷଣ ଆଦି ସମସ୍ୟା ଯେପରି ଭାବରେ କାୟା ବିସ୍ତାର କରିଚାଲିଛି ସେଥିରେ ପୃଥିବୀ ପୃଷ୍ଠରେ ବାସ କରୁଥିବା ସମସ୍ତ ପ୍ରାଣୀ ଉକ୍ରଟ ଭାବରେ ପ୍ରଭାବିତ ହୋଇସାରିଛନ୍ତି । କେଉଁଠି ଜଳବାୟୂ ପରିବର୍ତ୍ତନ ଯୋଗୁଁ ମାନବ ଓ ଜନ୍ତୁ ଜଗତ କ୍ଷୟ ପାଉଛନ୍ତି ତ କେଉଁଠି ଆତଙ୍କବାଦରେ ପ୍ରାଣ ହରାଉଛନ୍ତି ଅନେକ ନିରୀହ ମଣିଷ । ପୁଞ୍ଜିବାଦ ପ୍ରଭାବରେ ଅନେକ ଲୋକ ବଂଚିବାର ସମ୍ବଳ ହରାଇ ଉକ୍ରଟ ଦାରିଦ୍ର୍ୟରେ ସନ୍ତୁଳି ହୋଇ ଅକାଳ ମୃତ୍ୟୁବରଣ କରୁଛନ୍ତି ତ କେଉଁଠି ପୁଣି ଜୀବନର ସହାୟକ ଉପାଦାନ ଭାବେ ପରିଗୃହୀତ ଜମି, ଜଳ, ଜଙ୍ଗଲ ଓ ବାୟୁ ଆଦି ବିଷାକ୍ତ ହୋଇଚାଲିଛି । ଏବେ ନଦୀ ସବୁ ପ୍ରଦୂଷିତ । ଜମିର ଉର୍ବରତା ନଷ୍ଟ ହୋଇଚାଲିଛି । ଜଙ୍ଗଲ ଲୋପ ହୋଇଯାଉଛି । ବାୟୂ ପ୍ରଦୂଷଣରୁ ଅନେକ ରୋଗର ଉତ୍ପତି ହେଉଛି । ଏସବୁର ମୁକାବିଲା କରିବାକୁ ସାଧାରଣ ମଣିଷର ଶକ୍ତି ନାହିଁ । ବିକାଶ ଓ ପ୍ରଗତି, ସମୃଦ୍ଧି ଓ ଅଭିବୃଦ୍ଧି ଆଳରେ ପ୍ରଭାବଶାଳୀ ଲୋକମାନେ ଯେଉଁ ଶିକ୍ଷା, ସଭ୍ୟତା ଓ ସଂସ୍କୃତିର ସଂସ୍ଥାପନ କରିଚାଲିଛନ୍ତି ତାହା ସମସ୍ତଙ୍କ ପାଇଁ ମଙ୍ଗଳଦାୟକ ହେବା ପରିବର୍ତ୍ତେ ସାମୂହିକ ବିନାଶ ଆଡ଼କୁ ବାଟ କଢ଼ାଇ ନେଉଛି । ମଣିଷ ସ୍ଥାନ, କାଳ ଓ ପାତ୍ରକୁ ଭୁଲି ଯାଇ ଯେଉଁଠି ପାର୍‍ ସେଠି ଯା’ ଇଚ୍ଛା ତାହା କରୁଥିବାରୁ ତା’ର ଅନେକ ପଦକ୍ଷେପ ବୁମେରାଂ ହେଉଛି । ଆଜିର ଆଧୁନିକ ଜ୍ଞାନ ସଂପନ୍ନ ମଣିଷ ନିଆଁ, ପାଣି ଓ ପବନ ପରି ଶକ୍ତିମାନଙ୍କୁ ନିୟନ୍ତ୍ରଣ କରୁଛି ବୋଲି ଭାବି ଆତ୍ମସନ୍ତୋଷ ଲାଭ କରୁଛି । ସୁନାରୁପା, ହୀରାନୀଳାରୁ ଆରମ୍ଭ କରି ସମସ୍ତ ପ୍ରକାର ମୂଲ୍ୟବାନ ପଥର ଓ ଧାତୁ ଉପରେ ମାଲିକାନା ଜାହିର କରି ଧନୀ ବୋଲି ଗର୍ବ କରୁଛି । ନାନାଦି ଜ୍ଞାନକୌଶଳ ବା ପ୍ରଯୁକ୍ତି ବାହାର କରି କ୍ଷୁଧା, ବ୍ୟାଧି ଓ ନିରକ୍ଷରତା ଦୂର କରିପାରିଛି ବୋଲି ପ୍ରଚାର ଚଳାଇଛି । ଏହା ସତ୍ତେ୍ୱ ମଣିଷ ସମେତ ବିଶ୍ୱର ସମୁଦାୟ ପ୍ରାଣୀ ଜଗତ ଏବେ ବିପନ୍ନ । ପ୍ରାକୃତିକ ବିପର୍ଯ୍ୟୟ ଓ ମାନବିକ ଧ୍ୱଂସଲୀଳାର ପୌନଃପୌନିକତା ବୃଦ୍ଧି ପାଇଛି । ଅନେକ ବିଜ୍ଞାନୀ ଓ ଦାର୍ଶନିକ ଏସବୁ ଦେଖି ପ୍ରାଣୀଜଗତର ଆୟୁସ କଳଣା କରିବାରେ ଲାଗିପଡ଼ିଛନ୍ତି । କିଏ କହୁଛି, ଏମିତି ହେଲେ ୨୦ ବର୍ଷରେ ଅଧେ ପ୍ରାଣୀ ହଜିଯିବେ । କିଏ କହୁଛି, ୫୦ ବର୍ଷରେ ସବୁ ଶେଷ ହୋଇଯିବ । କିଏ କହୁଛି, ଲୋକେ ଆଉ ଖାଇବାକୁ ପାଇବେ ନାହିଁ । ଏସବୁ ଚିନ୍ତାରେ ପଡ଼ି ଲୋଭଗ୍ରସ୍ତ ମଣିଷମାନେ ମଙ୍ଗଳରେ ସଂସାର ଗଢ଼ିବା ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି । ଆଉ ବି କୋଉଠି ଜୀବନ ସମ୍ଭବ ତାହାର ଅନୁସନ୍ଧାନ ତ୍ୱରାନ୍ୱିତ ହୋଇଛି । ତଥାପି, ବିପଦ ଟଳୁ ନାହିଁ । ମୃତ୍ୟୁ ଓ ସନ୍ତାପର ସମାଧାନ ହୋଇପାରୁ ନାହିଁ । ଏହି ପରିପ୍ରେକ୍ଷୀରେ ପୁଣି ଥରେ ଯୁଧିଷ୍ଠିରଙ୍କୁ ସ୍ମରଣ କରାଯାଇ ପାରେ । କାଳ ଯଦି ପ୍ରାଣୀମାନଙ୍କୁ ଏପରି ଭାବେ ରାନ୍ଧି ଚାଲିଛି ତେବେ କାଳ କିଏ? କାଳ କ’ଣ ସୃଷ୍ଟି କରିଥିଲା ବିନାଶ ପାଇଁ? ବିନାଶ ପାଇଁ କାଳ ଦାୟୀ ନା ମଣିଷ? କଳି କିଏ? କଳ୍‍କୀ କିଏ? ବାର ହାତରେ ଖଣ୍ଡା କହିଲେ କ’ଣ ବୁଝାଏ? ଯେଉଁ ସୃଷ୍ଟିରେ ସୃଷ୍ଟିକାରିଣୀ ମାତୃଜାତିରୁ ଆରମ୍ଭ କରି ଜୀବନର ସୁସ୍ଥ ବିକାଶ ପାଇଁ ଅଭିପ୍ରେତ ଉପାଦାନଗୁଡ଼ିକୁ ଧ୍ୱଂସ କରାଯାଉଛି ସେଠି ଏହି ଧ୍ୱଂସ ପ୍ରକ୍ରିୟା ପାଇଁ କାଳ ଦାୟୀ ନା କାଳର ଗଣନା ପାଇଁ କ୍ୟାଲେଣ୍ଡର ବାହାର କରିଥିବା ମଣିଷ? ମଣିଷ ବିନା ଓ କାଳ ସତ୍ତେ୍ୱ ଯଦି ଧରାପୃଷ୍ଠରେ ପ୍ରାଣୀଜଗତ ଲକ୍ଷଲକ୍ଷ ବର୍ଷ ଧରି ଶାରୀରିକ ଓ ମାନସିକ ବିକାଶ ହାସଲ କରିପାରିଲେ ଏବେ କାଳ ବିନା ଓ ମଣିଷ ସତ୍ତେ୍ୱ କାହିଁକି ଏହି ସୃଷ୍ଟି ବିଲୟ ପଥରେ ଆଗେଇ ଚାଲିଛି? ସାରା ପୃଥିବୀରେ ଆଜି ପୃଥିବୀ ଦିବସ ପାଳନ କରାଯାଉଥିବାବେଳେ ବ୍ୟକ୍ତି ଓ ସମଷ୍ଟି ମଧ୍ୟରେ ଥିବା ପାର୍ଥକ୍ୟ, ସ୍ଥାନ ଓ କାଳ ମଧ୍ୟରେ ଥିବା ସଂପର୍କ ଏବଂ କାଳ ଓ ପାତ୍ର ମଧ୍ୟରେ ଥିବା ଯୋଗସୂତ୍ର ଉପରେ ଗବେଷଣା କରିବାର ଗୁରୁତ୍ୱ ଅଧିକ ବୋଧହୁଏ ।

Share :