ରାଜଧାନୀରେ ୩ ହଜାର କୋଟି ଟଙ୍କାର ଜମି ଦୁର୍ନୀତି

ରାଜଧାନୀରେ ୩ ହଜାର କୋଟି ଟଙ୍କାର ଜମି ଦୁର୍ନୀତି

Share :

ସ୍ୱତନ୍ତ୍ର ପ୍ରତିନିଧି ଓଡ଼ିଶା ଶାସନ ଓ ପ୍ରଶାସନର ଦୁର୍ନୀତିଗ୍ରସ୍ତ ପଦାଧିକାରୀଙ୍କ ସହିତ ଅସାଧୁ ସଂପର୍କ ରଖିଥିବା କେତେକ ସଂସ୍ଥା ଓ କମ୍ପାନୀ ଚନ୍ଦକା ବନ୍ୟପ୍ରାଣୀ ବନଖଣ୍ଡର ହଜାର ହଜାର ଏକର ଜମି ବେଆଇନ ଭାବେ ଦଖଲ କରିଛନ୍ତି । ଏପରିକି ଅନେକ ସରକାରୀ ସଂସ୍ଥା ମଧ୍ୟ ଶହଶହ ଏକର ଜଙ୍ଗଲ ଜମି ଅକ୍ତିଆର କରିଯାଇଛନ୍ତି । ଏସବୁ ଜମିର କିସମ ପରିବର୍ତ୍ତନ ହେବା ପୂର୍ବରୁ ତା’ ଉପରେ ଗଢ଼ି ଉଠିଲାଣି ଅନେକ ବଡ଼ବଡ଼ କୋଠା । ଆଇନ ଅନୁଯାୟୀ ଏସବୁ ବେଆଇନ ହୋଇଥିଲେ ହେଁ ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗ ତରଫରୁ ଏଯାଏଁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ । ରାଜଧାନୀ ଭୁବନେଶ୍ୱରର ଖୁବ୍‍ ନିକଟରେ ଥିବା ଏସବୁ ଜମିର ମୋଟ ମୂଲ୍ୟ ୩୦୦୦ କୋଟି ଟଙ୍କା ଉପରେ ହେବ । ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟ ଅନୁଯାୟୀ ଚନ୍ଦକା ବନ୍ୟପ୍ରାଣୀ ବନଖଣ୍ଡ ଅଧୀନରେ ମୋଟ ୧୯,୩୩୯ ହେକ୍ଟର ସଂରକ୍ଷିତ ଜମି ରହିଛି । ଏଥିରୁ ୧୧୫.୦୩୫ ହେକ୍ଟର ପ୍ରାୟ ୩୦୦ ଏକର ଜମି ବିଭିନ୍ନ ବ୍ୟକ୍ତି ଓ ସଂସ୍ଥାଙ୍କ ଜବରଦଖଲକୁ ଚାଲିଗଲାଣି । ଏସବୁ ଜମି ଉପରେ ନାନାଦି ଅଣଜଙ୍ଗଲ କାର୍ଯ୍ୟ ହୋଇଚାଲିଛି । ହେଲେ ଜଙ୍ଗଲ ଓ ପରିବେଶ ବିଭାଗର ଅଧିକାରୀମାନେ ଏହି ମୂଲ୍ୟବାନ ଜମି ପୁନରୁଦ୍ଧାର କରିବା ଦିଗରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାନ୍ତି । ଚନ୍ଦକା ବନାଞ୍ଚଳ ରାଜଧାନୀର ଅତି ନିକଟରେ ହୋଇଥିବାବେଳେ ଏହି ଜମିର ବଜାର ଦର ଅତିକମ୍‍ରେ ୩୦୦ କୋଟି ଟଙ୍କା ହେବ ବୋଲି ଅନୁମାନ କରାଯାଉଛି । ବାସ୍ତବରେ ବନାଞ୍ଚଳର ବିପୁଳ ସଂରକ୍ଷିତ ଜମି ଭୁବନେଶ୍ୱର ମହାନଗର ନିଗମ ଅଧୀନରେ ଥିବାରୁ ଜବରଦଖଲରେ ଥିବା ଏହି ସଂରକ୍ଷିତ ଜଙ୍ଗଲ ଜମିର ମୂଲ୍ୟ ଏକର ପିଛା ୧୦ କୋଟି ଟେଙ୍କା ହେବ ବୋଲି ଜାଣିବାଶୁଣିବା ମହଲରେ ଆଲୋଚିତ ହୋଇଥାଏ । ଏହା ବ୍ୟତିତ ଅନେକ ବେସରକାରୀ ସଂସ୍ଥା ସରକାରୀ କର୍ମକର୍ତ୍ତାଙ୍କୁ ବିଭିନ୍ନ ଭାବରେ ପ୍ରଭାବିତ କରି ଶହଶହ ହେକ୍ଟର ଜଙ୍ଗଲ ଜମି ଦଖଲକୁ ନେଇଛନ୍ତି । ଏହିସବୁ ସଂସ୍ଥା ମଧ୍ୟରେ କେତେକ ଶିକ୍ଷାନୁଷ୍ଠାନ ଥିବାବେଳେ କେତେକ ବ୍ୟାବସାୟିକ ଓ ବେସରକାରୀ ସ୍ୱେଚ୍ଛାସେବୀ ସଂସ୍ଥା ମଧ୍ୟ ରହିଛନ୍ତି । ଏସବୁ ସଂସ୍ଥା ଦଖଲକୁ ନେଇଥିବା ଜମିର ଏଯାଏଁ କିସମ ପରିବର୍ତ୍ତନ ହୋଇନାହିଁ । ଅର୍ଥାତ ଏଯାଏଁ ଏସବୁ ଜମି ସଂରକ୍ଷିତ ଜଙ୍ଗଲ ଜମି ବର୍ଗରେ ହିସାବ କରାଯାଉଥିଲେ ବି ଏହା ଆଉ ଜଙ୍ଗଲ କାର୍ଯ୍ୟରେ ଲାଗୁ ନାହିଁ । ଆଇନ ଅନୁସାରେ ସଂରକ୍ଷିତ ଜଙ୍ଗଲ ଜମିର ଅଣଜଙ୍ଗଲ ଉଦ୍ଦେଶ୍ୟରେ ବ୍ୟବହାର ଅପରାଧ । ଏଥିପାଇଁ ସଂପୃକ୍ତ ସଂସ୍ଥାଗୁଡ଼ିକରୁ ଜୋରିମାନା ଆଦାୟ କରାଯିବା ସହିତ ସେମାନଙ୍କ ବିରୋଧରେ ଅପରାଧିକ ମୋକଦ୍ଦମା ଦାଏର କରାଯିବାର ବ୍ୟବସ୍ଥା ଆଇନରେ ଥିଲେ ମଧ୍ୟ ଶାସନ ଓ ପ୍ରଶାସନ ସେଥିପ୍ରତି ସଂପୂର୍ଣ୍ଣ ଭାବେ ଆଖିବୁଜି ଦେଇଛନ୍ତି । ଜଙ୍ଗଲ ଜମିର ଏପରି ବେଆଇନ ବ୍ୟବହାର କରିଥିବା କେତେକ ସରକାରୀ ସଂସ୍ଥା ହେଲେ ଇଡ଼କୋ, ବିଏସଏନଏଲ୍‍, ସଫ୍ଟୱେଆର୍‍ ଟେକ୍ନୋଲୋଜି ପାର୍କ ଓ ଓଡ଼ିଶା ହାଉସିଂ ବୋର୍ଡ଼ । ଇଡକୋର ଆଇଟି ଓ କର୍ପୋରେଟ୍‍ ଟାୱାର ଏବଂ ଫର୍ଚୁନ୍‍ ଟାୱାର ପାଇଁ ଯେଉଁ ୪ ହେକ୍ଟର ଉପରେ ଜମି ଦିଆଯାଇଛି ତାହା ସଂରକ୍ଷିତ ଜଙ୍ଗଲ ଜମି ବର୍ଗଭୁକ୍ତ । ଏ ଜମିକୁ ଏଯାଏଁ ଅଣସଂରକ୍ଷିତ କରାଯାଇ ନାହିଁ । ସେହିପରି ପାଇକନଗରରେ ବିଏସଏନଏଲର ଟାୱାର ନିର୍ମାଣ ପାଇଁ ୧ ହେକ୍ଟର ଜଙ୍ଗଲ ଜମି ଦଖଲକୁ ନିଆଯାଇଛି । ସଫ୍ଟୱେଆର୍‍ ଟେକ୍ନୋଲୋଜି ପାର୍କ ପାଇଁ ୦.୨୯୩ ହେକ୍ଟର ଓ ଚନ୍ଦ୍ରଶେଖରପୁରରେ ହାଉସିଂ ବୋର୍ଡ଼ ପ୍ରକଳ୍ପ ପାଇଁ ୨୭.୩୪୧ ହେକ୍ଟର ଜଙ୍ଗଲ ଜମି ଅଧିଗୃହୀତ ହୋଇଛି । ଆଇନତଃ ଏହି ଜମି ଉପରେ ଏବେ ଠିଆ ହୋଇଥିବା ବିଶାଳ ଅଟ୍ଟାଳିକାଗୁଡ଼ିକ ବେଆଇନ । ଏହା ବ୍ୟତିତ ଖ୍ରିଷ୍ଟିଆନ୍‍ ମିଶନାରୀ ସଂସ୍ଥାଙ୍କ ନିୟନ୍ତ୍ରଣରେ ଥିବା ଜାଭିଅର୍‍ ଇନଷ୍ଟିଚ୍ୟୁଟ୍‍ ଅଫ୍‍ ମ୍ୟାନେଜମେଣ୍ଟ ନିୟନ୍ତ୍ରଣରେ ଥିବା ୮.୦୯୪ ହେକ୍ଟର, କଳିଙ୍ଗ ଇନଷ୍ଟିଚ୍ୟୁଟ୍‍ ଅଫ୍‍ ସୋସିଆଲ୍‍ ସାଇନ୍ସେସ୍‍ ଅଧୀନରେ ଥିବା ୪.୦୪୭ ହେକ୍ଟର, ସେଣ୍ଟର ଫର୍‍ ୟୁଥ ଆଣ୍ଡ ସୋସିଆଲ୍‍ ଡେଭଲପମେଣ୍ଟ ଅଧୀନରେ ଥିବା ୦.୧୯୬୬ ହେକ୍ଟର ଜମି ହେଉଛି ସଂରକ୍ଷିତ ଜଙ୍ଗଲ ଜମି । ଭାରତ ସରକାରଙ୍କ ଆଗୁଆ ଅନୁମୋଦନ ବିନା ଏହି ଜମି ଉପରେ କୌଣସି ନିର୍ମାଣ କାର୍ଯ୍ୟ କରାଯିବା ଉଚିତ ନୁହେଁ । ଯଦି ସେପରି ହୁଏ ତେବେ ସରକାରୀ ଆଇନ ଅନୁସାରେ ଦଖଲକାରୀ ସଂସ୍ଥା ବିରୋଧରେ ମୋକଦ୍ଦମା କରାଯାଇପାରେ, ଜୋରିମାନା ଧାର୍ଯ୍ୟ ହୋଇପାରେ କିମ୍ବା ଜମି ଲିଜ୍‍ ବାତିଲ ମଧ୍ୟ କରାଯାଇପାରେ । କିନ୍ତୁ ଏପରି କୌଣସି କାର୍ଯ୍ୟାନୁଷ୍ଠାନ ରାଜ୍ୟ ଜଙ୍ଗଲ ଓ ପରିବେଶ, ସାଧାରଣ ପ୍ରଶାସନ କିମ୍ବା ରାଜସ୍ୱ ବିଭାଗ ତରଫରୁ ଏଯାଏଁ ନିଆଯାଇ ନାହିଁ । କେବଳ ସେତିକି ନୁହେଁ, ବାଲି ପଥର ଉତ୍ତୋଳନ ପାଇଁ ମଧ୍ୟ ଅନେକ ବେସରକାରୀ ସଂସ୍ଥା ଶହଶହ ହେକ୍ଟର ସଂରକ୍ଷିତ ଜଙ୍ଗଲ ଜମି ଦଖଲ କରିଯାଇଛନ୍ତି । ବିସି ସାହୁ ନାମକ ଜଣେ ବ୍ୟକ୍ତିଙ୍କର ୮୩.୨୭୭ ହେକ୍ଟରର ଏପରି ଗୋଟିଏ ଖଣିଲିଜ୍‍ ଜମିର ଡାଇଭର୍ସନ ପ୍ରସ୍ତାବ ପ୍ରତ୍ୟାଖ୍ୟାତ ହୋଇଥିଲେ ମଧ୍ୟ ଏଯାଏଁ ସେହିଜମି ତାଙ୍କ ଦଖଲରେ ଥିବା ଅଭିଯୋଗ ହେଉଛି । ଏହି ବ୍ୟକ୍ତିଙ୍କୁ ଅନ୍ୟ ଏକ ସ୍ଥାନରେ ୪୨୮.୬୧୯ ହେକ୍ଟର ଜମି ଦିଆଯାଇଛି । ଏହ ଜମିକୁ ଅଣସଂରକ୍ଷିତ କରିବା ପାଇଁ ଏଯାଏଁ କୌଣସି ଦରଖାସ୍ତ ଦାଖଲ କରାଯାଇ ନାହିଁ । ତଥାପି ସେହି ଜମିକୁ ସଂପୃକ୍ତ ବ୍ୟକ୍ତି ଉପଭୋଗ କରିଚାଲିଛନ୍ତି । ସେହିପରି ମଣିଶ୍ରୀ ରିଫ୍ରାକ୍ଟୋରିଜ୍‍ ଲିମିଟେଡ଼୍‍, ନୀଳାଚଳ ରିଫ୍ରାକ୍ଟୋରିଜ୍‍ ଲିମିଟେଡ଼ ଓ ଶ୍ରୀମତୀ ପ୍ରଫୁଲ୍ଲି ପ୍ରଧାନ ପ୍ରମୁଖ ଘରୋଇ କମ୍ପାନୀ ଓ ବ୍ୟକ୍ତିଙ୍କ ଅଧୀନରେ ମଧ୍ୟ ୪୦୦ ହେକ୍ଟର ବା ୧୦୦୦ ଏକର ଉପରେ ସଂରକ୍ଷିତ ଜଙ୍ଗଲ ଜମି ରହିଛି । ଏହା ବାଦ ଟାଟା ରିଫ୍ରାକ୍ଟୋରିଜ୍‍ ଲିମିଟେଡ଼୍‍, ଲ୍ୟାଣ୍ଡମାର୍କ ପ୍ରପର୍ଟି ଡେଭଲପମେଣ୍ଟ କୋ. ଲିମିଟେଡ଼୍‍,କେପି ଝୁନଝୁନୱାଲା ଓ କେସି ପ୍ରଧାନଙ୍କ ଅଧୀନରେ ରହିଛି ପ୍ରାୟ ୬୦୦ ଏକର ଜମି । ଏ ଜମିସବୁ ଖଣି ପାଇଁ ନିଆଯାଇଥିଲା । ସେତେବେଳେ ସରକାରୀ କଳକୁ ପ୍ରଭାବିତ କରି ଏ ଜମିର ଡାଇଭର୍ସନ ପ୍ରସ୍ତାବ ମଂଜୁର କରାଇ ନିଆଯାଇଥିଲା । ମାତ୍ର, ଖଣିଗୁଡ଼ିକ ବର୍ଷବର୍ଷ ଧରି ଅଚଳ ଥିବାରୁ ଆଇନ ଅନୁଯାୟୀ ଏସବୁ ଲିଜ୍‍ ବାତିଲ କରି ଜଙ୍ଗଲ ବିଭାଗ ଜମି ଫେରାଇ ନେବା କଥା । ତାହା କରାଯାଉ ନାହିଁ । ଚନ୍ଦକା ବନ୍ୟପ୍ରାଣୀ ବନଖଣ୍ଡର ଏହିସବୁ ଜମିର ବଜାର ଦର ମୋଟ ଉପରେ ୩୦୦୦ କୋଟି ଟଙ୍କା ହେବ ବୋଲି ରିୟଲ୍‍ ଇଷ୍ଟେଟ୍‍ କ୍ଷେତ୍ରରେ କାର୍ଯ୍ୟ କରୁଥିବା ବିଶେଷଜ୍ଞମାନେ ଦାବି କରନ୍ତି । ରାଜ୍ୟ ସରକାର ଏପରି ଏକ ବଡ଼ଧରଣର ବେଆଇନ ଓ ଦୁର୍ନୀତି ପ୍ରତି ସଂପୂର୍ଣ୍ଣ ଆଖିବୁଜି ଦେବା ଶାସନ ଓ ପ୍ରଶାସନରେ ପୂରି ରହିଥିବା କେତେକ ଅସାଧୁ ବ୍ୟକ୍ତିଙ୍କ ପାଇଁ ଅନୈତିକ ଅର୍ଥ ଉପାର୍ଜନ କରିବାକୁ ସୁଯୋଗ ଓ ସୁବିଧା ଯୋଗାଇ ଦେବା ସହିତ ସମାନ ବୋଲି ଅଭିଯୋଗ ହେଉଛି ।

Share :