ଲୁହା ଓ କୋଇଲା ପରେ ଥୋରିୟମ!

ଲୁହା ଓ କୋଇଲା ପରେ ଥୋରିୟମ!

Share :

ସ୍ୱତନ୍ତ୍ର ପ୍ରତିନିଧି ଲୁହା, କ୍ରୋମ ଓ କୋଇଲା ପରେ ଏବେ ଥୋରିୟମ । ରାଜ୍ୟର ଦଶର ସମସ୍ତ ମୂଲ୍ୟବାନ ଖଣିଜ ସଂପଦ ବିକି ଦେବା ପାଇଁ ସରକାର ଯେମିତି ବଦ୍ଧ ପରିକର । ଓଡ଼ିଶାର ବିସ୍ତୀର୍ଣ୍ଣ ସମୁଦ୍ର ଉପକୂଳରେ ଭରି ରହିଥିବା ବାଲି ଉପରେ ଆଖି ପକାଇଛନ୍ତି ଅନ୍ତର୍ଜାତୀୟ ଆଣବିକ ଲବି । ପ୍ରଥମେ ଭାରତ ସରକାରଙ୍କ ଅଧୀନସ୍ତ ଭାରତୀୟ ବିରଳ ମୃତ୍ତିକା ସଂସ୍ଥା ଜରିଆରେ ହଜାର ହଜାର କୋଟି ଟଙ୍କା ମୂଲ୍ୟର ମୂଲ୍ୟବାନ ବିରଳ ମୃତ୍ତିକା ବା ବାଲି ରାଜ୍ୟର ଛତ୍ରପୁର ଅଞ୍ଚଳରୁ ବୋହି ନେବା ପରେ ଏବେ ବ୍ରହ୍ମଗିରି ଅଞ୍ଚଳ ଉପରେ ଏପରି ଅନେକ ସଂସ୍ଥାଙ୍କ ନଜର ପଡ଼ିଛି । କେବଳ ଓଡ଼ିଶାରେ ନୁହେଁ, କେରଳ ଓ ତାମିଲନାଡ଼ୁ ଉପକୂଳରେ ମଧ୍ୟ ଏହିପରି ବିରଳ ମୃତ୍ତିକା ବିପୁଳ ପରିମାଣରେ ଗଚ୍ଛିତ ରହିଛି । ତାହାକୁ ଦେଶର ହିତ ପାଇଁ ବ୍ୟବହାର କରିବା ପରିବର୍ତ୍ତେ କେନ୍ଦ୍ର ଓ ରାଜ୍ୟ ସରକାର ଘରୋଇ କମ୍ପାନିଙ୍କ ଜରିଆରେ ବିଦେଶୀ ବଜାରରେ ବିକ୍ରି କରିବାକୁ ମସୁଧା ଚଳାଇଥିବା ନେଇ ଏବେ ବିଭିନ୍ନ କ୍ଷେତ୍ରରେ ସନ୍ଦେହ କରାଯାଉଛି । ବିଶେଷଜ୍ଞ ମହଲରୁ ମିଳିଥିବା ସୂଚନା ଅନୁସାରେ ଓଡ଼ିଶାର ପାରାଦୀପରୁ ଛତ୍ରପୁର ଯାଏଁ ସମୁଦ୍ର ଉପକୂଳରେ ଦେଖାଯାଉଥିବା ବାଲିରେ ଭରି ରହିଛି ବିପୁଳ ପରିମାଣର ମୋନାଜାଇଟ୍‍ । ବିଶୋଧନ ପରେ ମୋନାଜାଇଟରୁ ମିଳେ ଥୋରିୟମ । ଥୋରିୟମ ହେଉଛି ଏକ ପ୍ରକାର ଆଣବିକ ଇନ୍ଧନ । ୟୁରାନିୟମ ପରିବର୍ତ୍ତେ ଥୋରିୟମ ବ୍ୟବହାର କରି ମଧ୍ୟ ଆଣବିକ ଶକ୍ତି ପ୍ରକଳ୍ପ ଚଳାଇ ହେବ । ଏହି କୌଶଳ ବାହାର କରିଛି ଭାବା ଆଣବିକ ଗବେଷଣା କେନ୍ଦ୍ର । ଏବେ ଚେନ୍ନାଇ ନିକଟସ୍ଥ କଳ୍ପକମଠାରେ ଏକ ଆଣବିକ ରିଆକ୍ଟର ଥୋରିୟମ ଇନ୍ଧନରେ ଚାଲିଛି । ଏହା ବ୍ୟତିତ ସେଠାରେ ୫୦୦ ମେଗାୱାଟ୍‍ ଶକ୍ତି ସଂପନ୍ନ ଏକ ଫାଷ୍ଟ ବ୍ରିଡର ରିଆକ୍ଟରରେ ଏହି ଜ୍ଞାନକୌଶଳ ବ୍ୟବହାର କରିବାକୁ ଉଦ୍ୟମ ଜାରି ରହିଛି । ମୋନାଜାଇଟ୍‍ରେ ୮-୧୦ ପ୍ରତିଶତ ଥୋରିୟମ ରହିଛି । ୟୁରାନିୟମ ଏକ ଉନ୍ନତ ମାନର ଆଣବିକ ଇନ୍ଧନ ହୋଇଥିଲାବେଳେ ଥୋରିୟମ ହେଉଛି ଦ୍ୱିତୀୟ ଶ୍ରେଣୀର ଆଣବିକ ଇନ୍ଧନ । ଭାରତ ସରକାର ଏବେ ସୁଦ୍ଧା ୨.୧ ନିୟୁତ ଟନର ମୋନାଜାଇଟ୍‍ ବିଦେଶକୁ ରପ୍ତାନି କରିବାକୁ ଅନୁମତି ଦେଇ ସାରିଛନ୍ତି । ଏକ ରିପୋର୍ଟ ଅନୁସାରେ ଉନ୍ନତ ମାନର ମୋନାଜାଇଟ୍‍ ଦାମ୍‍ ଅନ୍ତର୍ଜାତୀୟ ବଜାରରେ କିଲୋ ପ୍ରତି ୮-୯ ଡଲାର । ସେହି ହିସାବରେ ଏହାର ଟନ୍‍ ପ୍ରତି ଦର ୯ ହଜାର ଡଲାର ବି ହୋଇପାରେ । କିନ୍ତୁ ମୋନାଜାଇଟ୍‍ ବାଲିର ଦାମ ହେଉଇି ଟନ୍‍ ପ୍ରତି ୧୨୦ ଡଲାର ବା ପ୍ରାୟ ୭ ହଜାର ଟଙ୍କା । ପୃଥିବୀରେ କେବଳ ଭାରତ, ମାଡାଗାସ୍କର ଓ ଦକ୍ଷିଣ ଆଫ୍ରିକା ଉପକୂଳରେ ବିପୁଳ ପରିମାଣର ମୋନାଜାଇଟ୍‍ ବାଲି ରହିଛି । ଭାରତର ଓଡ଼ିଶା, ତାମିଲନାଡ଼ୁ ଓ କେରଳ ଉପକୂଳରେ ଏହି ବାଲି ଭରି ରହିଛି । ଓଡ଼ିଶାର ଦୀର୍ଘ ଉପକୂଳରେ ମିଳୁଥିବା ମୋନାଜାଇଟର ମାନ ସବୁଠୁ ଅଧିକ । ସେଥିପାଇଁ ଗଞ୍ଜାମର ଛତ୍ରପୁରଠାରେ ଇଣ୍ଡିଆନ୍‍ ରେଆର୍‍ ଆର୍ଥ ସଂସ୍ଥା ଅନେକ ବର୍ଷ ହେଲା ଏହି ବାଲି ସଂଗ୍ରହ କରି ତାହାକୁ ବିଶୋଧନ କରିବା ପରେ ବିଭିନ୍ନ ସଂସ୍ଥାଙ୍କୁ ବିକ୍ରି କରି ଆସୁଛି । ଏବେ ଏହି ସଂସ୍ଥାର ନଜର ପଡ଼ିଛି ପୁରୀ ବ୍ରହ୍ମଗିରି ଅଞ୍ଚଳରେ । ସେଠାରେ ଉନ୍ନତ ମାନର ମୋନାଜାଇଟ୍‍ ବାଲି ରହିଥିବା ଏହି ସଂସ୍ଥା ତରଫରୁ ହୋଇଥିବା ସର୍ବେକ୍ଷଣରୁ ଜଣାପଡ଼ିଛି । ସେହିପରି ପାରାଦୀପରୁ ଆରମ୍ଭ କରି ପୁରୀ ଯାଏଁ ସମୁଦ୍ର କୂଳରେ ଗଚ୍ଛିତ ଥିବା ବାଲିରେ ମଧ୍ୟ ମୋନାଜାଇଟ୍‍ ଭରି ରହିଇି । ଏହାକୁ ନେବା ପାଇଁ ବହୁ ଘରୋଇ ସଂସ୍ଥା ମଧ୍ୟ ଦରଖାସ୍ତ କରିଛନ୍ତି । ପୁରୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ଏକ ସୂଚନା ଅନୁସାରେ ଏଇ ସରକାରଙ୍କ ଅମଳରେ ପ୍ରାୟ ୨୭ଟି ସଂସ୍ଥା ସମୁଦ୍ର କୂଳ ବାଲି ଖଣି ଲିଜ୍‍ ନେବାକୁ ଦରଖାସ୍ତ କରିଥିଲେ । ଏପରି କେତେକ ସଂସ୍ଥାଙ୍କୁ ସମୁଦ୍ର ବାଲି ଲିଜ୍‍ ଦେବା ବାହାନାରେ ରାଜ୍ୟର କେତେକ ଉଚ୍ଚ ପଦାଧିକାରୀ ନେତା ହଜାର ହଜାର କୋଟି ଟଙ୍କାର ଅନୈତିକ ଅର୍ଥ ଉପାର୍ଜନ କରିବା ମସୁଧାରେ ଥିବା ସନ୍ଦେହ କରାଯାଉଛି । ଏଠାରେ ଉଲ୍ଲେଖଯୋଗ୍ୟ ଯେ ରାଜ୍ୟ ସରକାର ଏହି ବାଲିର ମୂଲ୍ୟ କ’ଣ ବୁଝିଛନ୍ତି କେଜାଣି ପାରାଦୀପ ଉପକୂଳର ବିସ୍ତୃତ ଜମିକୁ ପୋସ୍କୋ ପରେ ଜିନ୍ଦଲ ଓ ଅନ୍ୟ ଘରୋଇ କମ୍ପାନିଙ୍କୁ ଦେଇଥିବାବେଳେ ପୁରୀରେ ବେଦାନ୍ତ କମ୍ପାନିକୁ ୮ ହଜାର ଏକର ଜମି ଦେବା ପାଇଁ ଉଦ୍ୟମ ଅବ୍ୟାହତ ରଖିଛନ୍ତି । ସେହିପରି ବ୍ରହ୍ମଗିରି ଉପକୂଳରେ ମଧ୍ୟ ଶାମୁକା ପ୍ରକଳ୍ପ ନାମରେ ପର୍ଯ୍ୟଟନ ଶିଳ୍ପର ବିକାଶ ଆଳରେ ହଜାର ହଜାର ଏକ ଜମି ଘରୋଇ ହୋଟେଲ୍‍ ମାଲିକଙ୍କୁ ଦେଇ ଚାଲିଇନ୍ତି । ବିଶେଷଜ୍ଞଙ୍କ ସୂଚନା ଅନୁସାରେ ମୋନାଜାଇଟରୁ କେବଳ ଥୋରିୟମ ବାହାରେ ନାହିଁ । ଏହାକୁ ଉତ୍ତପ୍ତ କଲେ ବିପୁଳ ପରିମାଣର ହିଲିୟମ ମଧ୍ୟ ନିର୍ଗତ ହୋଇଥାଏ । ଏହା ବ୍ୟତିତ ଓଡ଼ିଶା ଉପକୂଳର ବାଲିରେ ଜିରକନ୍‍, ଇଲମେନାଇଟ୍‍, ରୁଟାଇଲ୍‍, ସିଲମିନାଇଟ୍‍ ଓ ଗାର୍ନେଟ ଆଦି ମୁଲ୍ୟବାନ ଧାତୁ ମଧ୍ୟ ରହିଛି ।

Share :