ନେତାଙ୍କ ପ୍ରେମ ଓ ପ୍ରତାରଣା

ନେତାଙ୍କ ପ୍ରେମ ଓ ପ୍ରତାରଣା

Share :

ଫିଜା ଏବଂ ଗୀତିକା ଶର୍ମା । ଦୁହିଁଙ୍କର ଘଟିଥିଲା ଦୁଃଖଦ ଅନ୍ତ । ଜଣେ ଆତ୍ମହତ୍ୟା କରିଥିଲା, ଆଉ ଜଣଙ୍କର ମୃତ୍ୟୁର କାରଣ ରହସ୍ୟ ଘେରରେ । ଉଭୟଙ୍କର ମୃତ୍ୟୁ ଘଟଣା ସଭିଙ୍କ ମନରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଥିଲା । କିଛିଦିନ ପୂର୍ବକୁ ଫେରିଯାଆନ୍ତୁ । ଭୱଁରୀ ଦେବୀ, ନୈନା ସାହାଣୀ, ମଧୁମିତା ଶୁକ୍ଳା ଓ ଶଶିପ୍ରସାଦଙ୍କ କଥା ମନରୁ ଲିଭି ନଥିବ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଉପରୋକ୍ତ ଘଟଣାର ଅଭିଯୁକ୍ତ ଏବଂ ଦୋଷୀ ସାବ୍ୟସ୍ତ ହୋଇଥିବା ବ୍ୟକ୍ତିଗଣ ଜଣେ ଜଣେ ରାଜନୈତିକ ନେତା । ନିର୍ବାଚନ ଲଢ଼ିବା ସମୟରେ ମହିଳାଙ୍କୁ ମା’ ସମ୍ବୋଧନ ପୂର୍ବକ ଭୋଟ ହାତେଇ ନିଅନ୍ତି । ବିଜୟ ଲାଭ ପରେ ନେତାର ମୋହର ଲାଗିଗଲା ପରେ ପ୍ରତିଶ୍ରୁତି, ଚିନ୍ତାଧାରା, ମନୋବୃତ୍ତି ସବୁକିଇି ବଦଳିଯାଏ । ନାରୀ ସେମାନଙ୍କ ପାଇଁ ପାଲଟିଯାନ୍ତି ଉପଭୋଗ୍ୟ ବସ୍ତୁ । ଯାହାକୁ ପାରୁଛ ଉପଭୋଗ କର ଏବଂ ଆତ୍ମସ୍ୱାର୍ଥ ସାଧନ ପରେ ଅଳିଆ ଗଦାକୁ ଫିଙ୍ଗିଦିଅ । ଏତାଦୃଶ ଘଟଣାବଳୀ ପାଶ୍ଚାତ୍ୟଦେଶର ନିତିଦିନିଆ ଘଟଣାବଳୀ । କିନ୍ତୁ ନାରୀକୁ ଦେବୀର ଆସନ ଦିଆଯାଉଥିବା ଭାରତବର୍ଷରେ ଏସବୁ ଗୋଟିଏ ଗୋଟିଏ କଳଙ୍କିତ ଅଧ୍ୟାୟ ସୃଷ୍ଟି କରିଛି । ଏସବୁ ଘଟଣାର ଅୟମାଆରମ୍ଭ ହୁଏ ପ୍ରେମରୁ । ପ୍ରେମ, ପରେ ପ୍ରତାରଣା, ଆଉ ସର୍ବଶେଷରେ ହତ୍ୟା ଏବଂ ଆତ୍ମହତ୍ୟା । ସୁନ୍ଦରୀ ଲଳନାଙ୍କ ସହ ପ୍ରେମ ସମ୍ପର୍କ ସ୍ଥାପନ କରି ଦେହ ଏବଂ ମନର ଭୋକ ମେଣ୍ଟାଇବା ଅନେକ ନେତାଙ୍କ କୌଶଳ । ସେମାନଙ୍କ ସହ ପ୍ରତାରଣା କରିବା ଆଜିକାଲିର ରାଜନେତାଙ୍କ ଫ୍ୟାଶନ । ତେବେ ଏସବୁ ଘଟଣାକୁ ଏକ ଭିନ୍ନ ଦୃଷ୍ଟିରେ ତର୍ଜମା କଲେ ମନରେ କେବଳ ଗୋଟିଏ ପ୍ରଶ୍ନ ଉଠେ, ରାଜନୀତି ସହ ସଂଶ୍ଳିଷ୍ଟ ହେବା ପରେ ନେତାମାନଙ୍କ ପାଇଁ ଅପରାଧ ସାଧାରଣ କଥାରେ ପରିଣତ ହୁଏ କାହିଁକି? ନିଜ କ୍ଷମତାର ଅପବ୍ୟବହାର କରିବା କ’ଣ ଭାରତୀୟ ରାଜନେତାଙ୍କ ଅଭ୍ୟାସରେ ବଦଳିଗଲାଣି? ସେମାନଙ୍କର ସମ୍ପର୍କ କ’ଣ କେବଳ ‘ଗିଭ୍‍ ଏଣ୍ଡ ଟେକ’ କିମ୍ବା ‘ୟୁଜ୍‍ ଏଣ୍ଡ ଥ୍ରୋ’ ନୀତି ଉପରେ ଆଧାରିତ? ଅନୁରାଧା ବାଲି ଓରଫ୍‍ ଫିଜା: କେଇ ବର୍ଷ ତଳେ ଫିଜା ଓରଫ୍‍ ଅନୁରାଧା ବାଲି ଏକ ଚର୍ଚ୍ଚିତ ନାମ ଥିଲା । ହରିୟାଣାର ଅତିରିକ୍ତ ଆଡଭୋକେଟ ଜେନେରାଲ ଥିଲେ ଫିଜା । ତାଙ୍କୁ ନେଇ ଏତେ ଚର୍ଚ୍ଚାର କାରଣ ଥିଲା ପ୍ରାକ୍ତନ ଉପମୁଖ୍ୟମନ୍ତ୍ରୀ ଚନ୍ଦ୍ରମୋହନ ଓରଫ୍‍ ଚାନ୍ଦ ମହମ୍ମଦଙ୍କ ସହ ତାଙ୍କର ଆଫେଆର୍‍ । ଭିନ୍ନ ସମ୍ପ୍ରଦାୟ ଥିବା ସତ୍ତେ୍ୱ ଚନ୍ଦ୍ରମୋହନ ଧର୍ମ ପରିବର୍ତ୍ତନ କଲେ ଏବଂ ଦୁହେଁ ବିବାହ ବନ୍ଧନରେ ଆବଦ୍ଧ ହେଲେ । ପରିଣତି ମଧ୍ୟ ଶୀଘ୍ର ସମସ୍ତଙ୍କ ସାମନାକୁ ଆସିଲା । ଫିଜା ବହୁତ ଶୀଘ୍ର ସଫଳତାର ସିଡ଼ି ଚଢ଼ିବାକୁ ଚାହୁଁଥିଲେ । ଚନ୍ଦ୍ରମୋହନଙ୍କୁ ବିବାହ କରିବା କେବଳ ତାଙ୍କର ଲକ୍ଷ୍ୟ ନଥିଲା । ସେ ଜଣେ ରାଜନୀତିରେ ସକ୍ରିୟ ଅଂଶ ଗ୍ରହଣ କରିବାକୁ ଚାହୁଁଥିଲେ ଏବଂ ଚନ୍ଦ୍ରମୋହନ ଏଥିପାଇଁ ସିଡ଼ି ସାଜିପାରିଥାନ୍ତେ । ରାଜନୀତି କ୍ଷେତ୍ରରେ ସାମାନ୍ୟ ଧାରଣା ଥିବା ବ୍ୟକ୍ତି ଯେଉଁ କଥା ଜାଣିଥିଲେ, ତାକୁ ଫିଜା ବୁଝିପାରୁ ନଥିଲେ କିମ୍ବା ବୁଝିବାକୁ ଚେଷ୍ଟା ମଧ୍ୟ କରି ନଥିଲେ । ଫଳସ୍ୱରୂପ କିଛି ଦିନ ପରେ ସମ୍ପର୍କରେ ଭଟ୍ଟା ପଡ଼ିଗଲା । ଚନ୍ଦ୍ରମୋହନ ନିଜ ପୁରୁଣା ଦୁନିଆକୁ ଫେରିଗଲେ ଏବଂ ଫିଜା ଏକାକିନୀ ହୋଇଗଲେ । କେବଳ ମା’ ହିଁ ତାଙ୍କର ସାହାରା ଥିଲେ, ସେ ମଧ୍ୟ ଆରପାରିକୁ ଚାଲିଗଲେ । ଏହା ପରେ ଅବସାଦଗ୍ରସ୍ତ ଫିଜା ବଦରାଗୀ, ଝଗଡ଼ାଖୋର ମହିଳା ପାଲଟିଗଲେ । ନିଜର ୩୯ତମ ଜନ୍ମଦିନର ୧୦ ଦିନ ପରେ ଫିଜାଙ୍କ ମୃତଦେହ ଉଦ୍ଧାର କରାଗଲା । ତାଙ୍କ ମୃତ୍ୟୁର କାରଣ ମଧ୍ୟ ରହସ୍ୟ ହୋଇ ରହିଗଲା । ଗୀତିକା ଶର୍ମା: ନେତାମାନେ ସୁନ୍ଦରୀ ଝିଅଙ୍କୁ ସାହାଯ୍ୟ କରନ୍ତି କେବଳ ଦେହସ୍ୱାର୍ଥ ହାସଲ ପାଇଁ । ସାହାଯ୍ୟର କଡ଼ା ଗଣ୍ଡା ହିସାବ କରିନିଅନ୍ତି ଏମାନେ ଯାହାକି ସ୍ପଷ୍ଟ ହୋଇଯାଇଛି ଗୀତିକା ମୃତ୍ୟୁ ଘଟଣାରୁ । ୨୩ ବର୍ଷୀୟା ଏୟାରହଷ୍ଟେସ୍‍ ଗୀତିକାଙ୍କ ଆତ୍ମହତ୍ୟାକୁ ସାଧାରଣ ଘଟଣା ଭଳି ଗ୍ରହଣ କରିହେବ ନାହିଁ । ଆତ୍ମହତ୍ୟା ପୂର୍ବରୁ ଗୀତିକା ଲେଖିଥିବା ଚିଠିରେ ଉଲ୍ଲେଖ ଥିଲା ଯେ ‘ମୋ ମୃତ୍ୟୁ ପାଇଁ ହରିୟାଣାର ତୁଙ୍ଗ ନେତା ଏବଂ ରାଜ୍ୟ ଗୃହମନ୍ତ୍ରୀ ଗୋପାଳ କାଣ୍ଡା ଏବଂ ଅରୁଣା ଚଢ୍ଢା ଦାୟୀ । ସେମାନେ ମୋ ସହ ଏବଂ ମୋ ପରିବାର ସହ ବିଶ୍ୱାସଘାତ କରିଛନ୍ତି । ମୋତେ ଏବଂ ମୋ ପରିବାର ସଦସ୍ୟଙ୍କୁ ବହୁବାର କ୍ଷତି ପହଞ୍ଚାଇଛନ୍ତି । ଗୋପାଳ ମୋ ଜୀବନକୁ ବରବାଦ୍‍ କରିଦେଇଛନ୍ତି’ । ଖାଲି ସେତିକି ନୁହେଁ ‘ଗୋପାଳ ଜଣେ ଲମ୍ପଟ ପୁରୁଷ । ବିଭିନ୍ନ ଆଳରେ ସୁନ୍ଦରୀ ଝିଅଙ୍କୁ ଫସାଇବା ତାର ଅଭ୍ୟାସ । ଅନ୍ୟମାନଙ୍କ ଅସହାୟତାର ସେ ଫାଇଦା ଉଠାଏ । ସେହିପରି ଦିନେ ମୋର ଶୁଭଚିନ୍ତକ ଥିବା ଅରୁଣା ମଧ୍ୟ ନିଜ ଚାକିରିକୁ ବଞ୍ଚାଇବା ପାଇଁ ମୋ ବିରୋଧରେ ଗୋପାଳ ସହ ହାତ ମିଶାଇଲା । ଏମାନଙ୍କ ଉପରେ ବିଶ୍ୱାସ କରିବା ମୋର ସବୁଠାରୁ ବଡ଼ ଭୁଲ୍‍, ଯାହା ପାଇଁ ଆଜି ମୋତେ ଜୀବନ ହାରିବାକୁ ପଡ଼ୁଛି’ । ଶେହଲା ମାସୁଦ୍‍: ମଧ୍ୟ ପ୍ରଦେଶର ରାଜଧାନୀ ଭୋପାଳରେ ସୂଚନାଧିକାର କର୍ମୀ ଶେହଲା ମାସୁଦ୍‍ ହତ୍ୟାକାଣ୍ଡ ଏକ ରୋମାଞ୍ôଚତ ଏବଂ ମର୍ମସ୍ପର୍ଶୀ ଘଟଣା । ରୋମାଣ୍ଟିକ୍‍ ମିଜାଜ କ୍ଷମତାଶାଳୀ ଭାଜପା ନେତା ଧ୍ରୁବ ନାରାୟଣ ସିଂହଙ୍କ ପ୍ରେମ ଫାଶରେ ଗୋଟିଏ ନୁହେଁ ବରଂ ଦୁଇ ଜଣ ମହିଳା ସର୍ବସ୍ୱାନ୍ତ ହୋଇଛନ୍ତି । ହତ୍ୟାକାଣ୍ଡର ଅଭିଯୁକ୍ତ ଜାହିଦା ପରଭେଜ ଚାହୁଁ ନଥିଲେ ଯେ ଧ୍ରୁବନାରାୟଣ ଓ ତାଙ୍କ ମଧ୍ୟରେ ଶେହଲା ପାଚେରୀ ହୋଇ ଛିଡ଼ା ହୁଅନ୍ତୁ ବୋଲି । ନାରୀ ସବୁକିଛି ସହ୍ୟ କରିପାରିବ, କିନ୍ତୁ ନିଜ ପ୍ରେମିକ କିମ୍ବା ସ୍ୱାମୀଙ୍କ ପ୍ରେମର ଆଉ କେହି ଭାଗୀଦାର ହେଉ, ଏକଥା ସେ କେବେ ସହିପାରିବ ନାହିଁ । ପଲିଗ୍ରାଫ ଟେଷ୍ଟରେ ଧ୍ରୁବନାରାୟଣ ସ୍ୱୀକାର କରିଥିଲେ ଯେ ଉଭୟ ଜାହିଦା ଏବଂ ଶେହଲାଙ୍କ ସହିତ ତାଙ୍କର ଦୈହିକ ସମ୍ପର୍କ ଥିଲା । ଭୋପାଳର ଜଣେ ବିତ୍ତଶାଳୀ ଅସଦ ପରଭେଜଙ୍କୁ ଜାହିଦା ବିବାହ କଲେ । ତଥାପି ତାଙ୍କ ମନରେ ଶେହଲାଙ୍କ ପ୍ରତି ପ୍ରତିଶୋଧ ଭାବ ଥମି ନଥିଲା । ଉଭୟ ଉପରକୁ ଉପରକୁ ବହୁତ ଉପରକୁ ଉଠିବାକୁ ଚାହୁଁଥିଲେ । କିନ୍ତୁ କେବେବି ଆଶା କରିନଥିଲେ ଯେ ଏହି ତ୍ରିକୋଣୀୟ ପ୍ରେମର ଅନ୍ତ ଏପରି ଘଟିବ । ଏଠାରେ ପ୍ରଶ୍ନ ଉଠୁନି ଯେ ଶେହଲା ଭୁଲ୍‍ ଥିଲେ କିମ୍ବା ଧ୍ରୁବ କିମ୍ବା ଜାହିଦା । ଏକଥା କିନ୍ତୁ ସ୍ପଷ୍ଟ ଯେ ଯେଉଁ ପ୍ରେମରେ ଛଳନା, ପ୍ରତାରଣା ଭରି ରହିଥାଏ ସେଠାରେ ହତ୍ୟା ଭଳି ନାରକୀୟ କାଣ୍ଡ ଘଟିବା ସୁନିଶ୍ଚିତ । ଏଠି ତିନିଜଣ ଯାକ ପରସ୍ପର ପାଇଁ ଖଳନାୟକ/ଖଳନାୟିକା ଥିଲେ । ଭୱଁରି ଦେବୀ: ପ୍ରେମ, ପ୍ରତାରଣା ଏବଂ ରାଜନୈତିକ କକଟେଲରେ ରାଜସ୍ଥାନ ମଧ୍ୟ ପଛୁଆ ନୁହେଁ । ଏଠାରେ ମଧ୍ୟ ଉପରକୁ ଉଠିବା ପାଇଁ ଅନେକ ଭୱଁରି ନେତାଙ୍କ ସହ ପ୍ରେମ ସମ୍ପର୍କ ରଖନ୍ତି । ଫରକ୍‍ ଏତିକି କିଛି ଭୱଁରି ସାମନାକୁ ଆସନ୍ତି, ଆଉ କିଛି ରହିଯାଆନ୍ତି ପରଦା ଉହାଡ଼ରେ । ତନ୍ମଧ୍ୟରୁ ସବୁଠାରୁ ଚର୍ଚ୍ଚିତ ମାମଲା ଥିଲା ଯୋଧପୁରର ନର୍ସ ଭୱଁରି ଦେବୀଙ୍କ ହତ୍ୟାକାଣ୍ଡ । ଯେଉଁଥିରେ କଂଗ୍ରେସର ବରିଷ୍ଠ ନେତା ମହିପାଲ ମଦେରଣାଙ୍କୁ କ୍ୟାବିନେଟ ମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ପଡ଼ିଥିଲା । ଭୱଁରି ଦେବୀ ହତ୍ୟା ମାମଲାରେ ଅନ୍ୟ ଜଣେ କଂଗ୍ରେସ ବିଧାୟକ ମଲଖାନ ସିଂହ ବିଷ୍ଣୋଇ ମଧ୍ୟ ଜେଲ୍‍ ଯାଇଥିଲେ । ଏହି ଦୁଇ ନେତାଙ୍କ ବିରୋଧରେ ଯୌନ ସମ୍ପର୍କ ରଖିବା ସହ ଭୱଁରି ଦେବୀଙ୍କୁ ହତ୍ୟା କରିବା ଆଦି ଅଭିଯୋଗ ହୋଇଥିଲା । ଯୋଧପୁରର ବୋରୁନ୍ଦା ନିବାସୀ ଅମର ଚନ୍ଦ ନଟଙ୍କ ସ୍ତ୍ରୀ ଭୱଁରି ଦେବୀ ଆଲବମ୍‍ କଳାକାର ଭାବେ କ୍ୟାରିଅର ଆରମ୍ଭ କରିଥିଲେ । ଆଲବମ୍‍ରୁ ପ୍ରସିଦ୍ଧି ଅର୍ଜନ କରିବା ପରେ ସମାଜରେ ସେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ । ଏହି ସୁଯୋଗରେ ରାଜନେତାମାନେ ନିଜ ଚାଲ୍‍ ଚଳାଇବା ଆରମ୍ଭ କରିଦେଲେ । ତାଙ୍କୁ ଭୋଟ୍‍ ବ୍ୟାଙ୍କ ରୂପେ ଦେଖିବାକୁ ଆରମ୍ଭ କଲେ । କାରଣ ନଟ ସମାଜର ଲୋକେ ଭୱଁରିଙ୍କ କଥା ଗ୍ରହଣ କରୁଥିଲେ । ଧୀରେ ଧୀରେ ରାଜନୀତିର ସ୍ୱପ୍ନ ଦେଖାଗଲା । ସେପ୍ଟେମ୍ବର ୧, ୨୦୧୧ ଦିନ ସେ ଘରୁ ବାହାରକୁ ଯାଇଥିଲେ, କିନ୍ତୁ ଆଉ ଫେରିଲେ ନାହିଁ । ସିବିଆଇ ରିପୋର୍ଟ ଅନୁଯାୟୀ ପ୍ରଥମେ ଭୱଁରି ନେତାଙ୍କ ଜାଲରେ ଫସିଲେ । ଏହାପରେ ନେତାମାନଙ୍କୁ ବ୍ଲାକମେଲ କଲେ । ଏହାର ଜବାବରେ ରାଜନେତାମାନେ ଭୱଁରିଙ୍କ ଅଧ୍ୟାୟ ଶେଷ କରିବା ପାଇଁ ରଣନୀତି ପ୍ରସ୍ତୁତ କଲେ । ନେତାଏ ଭୱଁରିଙ୍କୁ ହତ୍ୟା କରି ପୋଡ଼ି ଇନ୍ଦିରା ନଦୀକୁ ଫିଙ୍ଗିଦେଲେ । ସିବିଆଇ ତଦନ୍ତ ପରେ ସମସ୍ତ ରହସ୍ୟ ଉନ୍ମୋଚନ ହେଲା । ମହିପାଲ ମଦେରଣା ଏବଂ ମଲଖାନଙ୍କର ଭୱଁରି ଦେବୀଙ୍କ ସହ ଥିବା ଅବୈଧ ସମ୍ପର୍କ ସାମନାକୁ ଆସିଲା । ନୈନା ସାହାଣୀ: ରାଜନୈତିକ ମହତ୍ୱାକାଂକ୍ଷା ଏବଂ ସମାଜରେ ପରିଚୟ ସୃଷ୍ଟି ପାଇଁ ଆଶା ପୋଷଣ କରିଥିଲେ ନୈନା ସାହାଣୀ । ତାଙ୍କର ଏହି ଇଚ୍ଛାକୁ ସଫଳ କରିବା ପାଇଁ ଯୁବ କଂଗ୍ରେସ ନେତା ସୁଶୀଲ ଶର୍ମା ତାଙ୍କୁ ସହଯୋଗ କରିଥିଲେ । କିନ୍ତୁ ସାହାଯ୍ୟ ପ୍ରତିବଦଳରେ ନୈନାଙ୍କ ପାଇଁ ସେ ନୃଶଂସ ପାଲଟିଗଲେ । ନିଜ ପରିବାର ସଦସ୍ୟଙ୍କ ସହ ନୈନାଙ୍କୁ ସୁଶୀଲ ଭେଟ କରିନଥିଲେ ବି ଚତୁର ନୈନାଙ୍କୁ ଲୁଚାଇପାରେ ବିବାହ କରିଥିଲେ । ରାଜନୀତିରେ ମଧ୍ୟ ନୈନାଙ୍କ ହାତ ଥିଲା, ଯେଉଁମାନେ ସୁଶୀଲଙ୍କ ଉପରେ ଚାପ ପକାଉଥିଲେ । ଏହା ହିଁ ନୈନାଙ୍କ ପାଇଁ କାଳ ହେଲା । ଯୋଜନା ମୁତାବକ ନୈନାଙ୍କ ଉପରେ ନିଜ ରିଭଲଭରରେ ସୁଶୀଲ ତିନି ରାଉଣ୍ଡ ଗୁଳି ଚଳାଇ ହତ୍ୟା କଲେ । ଦିଲ୍ଲୀର ଓପନ୍‍ ରେସ୍ତୋରାଁ ମ୍ୟାନେଜର ହାତ ମିଶାଇ ଶବକୁ ଖଣ୍ଡ ଖଣ୍ଡ କରି କାଟି ତନ୍ଦୁରରେ ଜାଳିଦେଲେ । ଘଟଣାର ତଦନ୍ତ ପରେ ସୁଶୀଲ ଦୋଷୀ ସାବ୍ୟସ୍ତ ହୋଇ ଜେଲ୍‍ ଦଣ୍ଡ ପାଇଲେ । ମଧୁମିତା ଶୁକ୍ଳା: ରାଜନୈତିକ ପ୍ରେମ କାହାଣୀ ଏବଂ ପ୍ରତାରରଣାର ଆଉ ଏକ ଜ୍ୱଳନ୍ତ ନିଦର୍ଶନ ହେଲେ କବୟିତ୍ରୀ ମଧୁମିତା ଶୁକ୍ଳା ହତ୍ୟାକାଣ୍ଡ । ଉତ୍ତର ପ୍ରଦେଶର ପୂର୍ବତନ ମନ୍ତ୍ରୀ ଅମରମଣି ତ୍ରିପାଠୀଙ୍କ ସହ ତାଙ୍କ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ସବୁକିଛି ଠିକ୍‍ ଚାଲିଥିଲା । କିନ୍ତୁ ମଧୁମିତା ଯେବେ ଅମରମଣିଙ୍କୁ ବିବାହ କରିବାକୁ କହିଲେ, ପ୍ରେମ କାହାଣୀ ଭିନ୍ନ ମୋଡ଼ ନେଲା । ତ୍ରିପାଠୀଙ୍କ ପ୍ରେମରେ ପାଗଳପ୍ରାୟ ମଧୁମିତା ତାଙ୍କ ଅବୈଧ ଅଂଶକୁ ଜନ୍ମ ଦେବାକୁ ଚାହୁଁଥିଲେ । ମନ୍ତ୍ରୀ ତ୍ରିପାଠୀ ଏଥିରେ ରାଜି ନଥିଲେ । ୨୦୦୩ ମସିହା ମେ ମାସରେ ଲକ୍ଷେ୍ନø ସ୍ଥିତ ପେପର ମିଲ କଲୋନି ସ୍ଥିତ ତାଙ୍କ ଘରେ ହତ୍ୟା କରାଗଲା । ତଦନ୍ତରୁ ଜଣାପଡ଼ିଲା ଯେ ମଧୁମିତାର ହତ୍ୟା ପଛରେ ଅମରମଣି ଏବଂ ତାଙ୍କ ସ୍ତ୍ରୀ ମଧୁମଣିଙ୍କ ସଂପୃକ୍ତି ଥିଲା । ପ୍ରେମର ପରିଣାମ ସ୍ୱରୂପ ମଧୁମିତାଙ୍କ ଜୀବନ ଗଲା ଏବଂ ଅମରମଣିକୁ ଆଜୀବନ କାରାଦଣ୍ଡ ଭୋଗ କରିବାକୁ ପଡ଼ିଲା । ଶଶି ପ୍ରସାଦ: ଫୈଜାବାଦ ନିବାସୀ ଶଶି ପ୍ରସାଦ ଆଇନ୍‍ ଛାତ୍ରୀ ଥିଲେ । ସେ ରାଜନୀତି ଦୁନିଆରେ ସାମିଲ ହେବାକୁ ଚାହିଁଥିଲେ । ଏଥିପାଇଁ ସର୍ଟକର୍ଟ ରାସ୍ତା ଭାବେ ମାୟାବତୀ ସରକାରର କ୍ୟାବିନେଟ ମନ୍ତ୍ରୀ ଆନନ୍ଦ ସେନଙ୍କୁ ଚୟନ କଲେ । ଆନନ୍ଦ ଶଶି ପ୍ରସାଦର ମାନସିକତା ଭଲ ଭାବେ ଜାଣିଥିଲେ । ଧୀରେ ଧୀରେ ପ୍ରେମ, ପ୍ରେମରୁ ଦୈହିକ ସମ୍ପର୍କ ରଖିଲେ । ଆନନ୍ଦ ସେନଙ୍କ ସହ ବସପା କର୍ମକର୍ତ୍ତା ରାଜେନ୍ଦ୍ର ପ୍ରସାଦଙ୍କ ଝିଅ ଶଶି ପ୍ରସାଦ ସମ୍ପର୍କ ରଖି ରାଜନୀତିରେ ସାମିଲ ତ ହୋଇପାରିଲେ ନାହିଁ, କିନ୍ତୁ ତାଙ୍କ ଜୀବନ ଗଲା ।

Share :