ସିଜେଆଇଙ୍କ ବହିଷ୍କାର ସଂପର୍କୀତ ପିଟିସନ ପ୍ରତ୍ୟାହାର କଲା କଂଗ୍ରେସ

ସିଜେଆଇଙ୍କ ବହିଷ୍କାର ସଂପର୍କୀତ ପିଟିସନ ପ୍ରତ୍ୟାହାର କଲା କଂଗ୍ରେସ

Share :

ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କ ବହିଷ୍କାର ପ୍ରସ୍ତାବକୁ ଉପରାଷ୍ଟ୍ରପତି ତଥା ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କେୟାହ ନାଇଡ଼ୁ ଖାରଜ କରିବା ବିରୋଧରେ ସୁପ୍ରିମ କୋର୍ଟରେ କଂଗ୍ରେସ ସାଂସଦମାନେ ଦାଖଲ କରିଥିବା ଆବେଦନକୁ ପ୍ରତ୍ୟାହାର କରିନେଇଛନ୍ତି । ଏହା ପରେ ମାମଲାକୁ ଖାରଜ କରିଦେଇଛନ୍ତି ସୁପ୍ରିମ କୋର୍ଟର ୫ ଜଣିଆ ସାମ୍ବିଧାନିକ ଖଣ୍ଡପୀଠ । ପ୍ରଧାନ ବିଚାରପତି ଏହି ସାମ୍ବିଧାନିକ ଖଣ୍ଡପୀଠ ଗଠନ କରିବା ସହିତ ଏହି ଖଣ୍ଡପୀଠକୁ ଏହି ମାମଲା ଆବଣ୍ଟନ କରିଥିବାରୁ ତାହାର ପ୍ରତିବାଦ କରି କଂଗ୍ରେସ ଏହି ଆବେଦନ ପ୍ରତ୍ୟାହାର କରିନେଇଛି । କଂଗ୍ରେସ ସାଂସଦ ପ୍ରତାବ ସିଂହ ବାଜୱା ଓ ଆମି ହର୍ଷଦୟ ଯାଜ୍ଞିକଙ୍କ ତରଫରୁ ଏହି ପିଟିସନ ଦାଏର ହୋଇଥିଲା । ଆଜି ଏହାର ଶୁଣାଣି ହୋଇଥିଲା । ଏହି ମାମଲା ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କ ବହିଷ୍କାର ସଂପର୍କୀତ ହୋଇଥିବାରୁ ସେ ଏହାର ବିଚାର କରିବା ଉଚିତ ନୁହେଁ ବୋଲି କଂଗ୍ରେସ ଯୁକ୍ତି କରିଥିଲା । ତେଣୁ ଏହାକୁ ତାଙ୍କ ଭିନ୍ନ ଅନ୍ୟ କୋର୍ଟରେ ଦାଖଲ କରାଯାଇଥିଲା । କଂଗ୍ରେସ ଓକିଲ କପିଲ ଶିବାଲ ଏହାକୁ ବିଚାରପତି ଚେଲମେଶ୍ୱରଙ୍କ କୋର୍ଟରେ ଦାଖଲ କରିଥିଲେ । ପ୍ରଧାନ ବିଚାରପତି ମିଶ୍ରଙ୍କ ପରେ ବିଚାରପତିି ଚେଲମେଶ୍ୱର ହେଉଛନ୍ତି ସୁପ୍ରିମ କୋର୍ଟର ଦ୍ୱିତୀୟ ବରିଷ୍ଠ ବିଚାରପତି । କିନ୍ତୁ ପ୍ରଧାନ ବିଚାରପତି ନିଜ କ୍ଷମତା ପ୍ରୟୋଗ କରି ବରିଷ୍ଠତା କ୍ରମେ ପରବର୍ତ୍ତୀ ୫ ଜଣ ବିଚାରପତିଙ୍କୁ ନେଇ ସାମ୍ବିଧାନିକ ଖଣ୍ଡପୀଠ ଗଠନ କରିବା ପରିବର୍ତ୍ତେ ପରବର୍ତ୍ତୀ ବରିଷ୍ଠ ବିଚାରପତିଙ୍କୁ ନେଇ ଏହି ଖଣ୍ଡପୀଠ ଗଠନ କରିଥିଲେ । ପ୍ରଧାନ ବିଚାରପତିଙ୍କ ପରେ ଅନ୍ୟ ଚାରି ଜଣ ବରିଷ୍ଠ ବିଚାରପତି ହେଲେ ବିଚାରପତି ଚେଲମେଶ୍ୱର, ରଂଜନ ଗୋଗୋଇ, ମଦନ ବି ଲୋକୁର ଏବଂ କୁରିଆନ ଯୋଶେଫ । କିନ୍ତୁ ପ୍ରଧାନ ବିଚାରପତି ମିଶ୍ର ଯେଉଁ ସାମ୍ବିଧାନିକ ଖଣ୍ଡପୀଠ ଗଠନ କରିଥିଲେ ତାହାର ଅଧ୍ୟକ୍ଷ ହେଉଛନ୍ତି ବରିଷ୍ଠତା କ୍ରମରେ ତାଲିକାର ଷଷ୍ଠ ସ୍ଥାନରେ ଥିବା ବିଚାରପତି ଏକେ ସିକ୍ରି । ଖଣ୍ଡପୀଠର ଅନ୍ୟ ସଦସ୍ୟମାନେ ହେଲେ ବିଚାରପତି ଏସଏ ବୋବଦେ, ଏନଭି ରମଣ, ଅରୁଣ ମିଶ୍ର ଏବଂ ଏକେ ଗୋୟେଲ । ସାମ୍ବିଧାନିକ ଖଣ୍ଡପୀଠ ଗଠନରେ ହୋଇଥିବା ଏହି ଅନିୟମିତତା ପ୍ରତିବାଦରେ କଂଗ୍ରେସ ତରଫରୁ ପିଟିସନ ପ୍ରତ୍ୟାହାର କରିନିଆଯାଇଥିବା ଶିବାଲ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ପ୍ରଧାନ ବିଚାରପତିଙ୍କ ଏତାଦୃଶ କାର୍ଯ୍ୟ ବିରୋଧରେ ମଧ୍ୟ କଂଗ୍ରେସ ସୁପ୍ରିମ କୋର୍ଟରେ ଅନ୍ୟ ଏକ ମାମଲା ଦାଏର କରିବ ବୋଲି ସେ ସୂଚନା ଦେଇଛନ୍ତି ।

Share :