‘ଏସସି, ଏସଟି ଓ ଓବିସି ଉପମୁଖ୍ୟମନ୍ତ୍ରୀ ନିଯୁକ୍ତ କରନ୍ତୁ ନବୀନ’

‘ଏସସି, ଏସଟି ଓ ଓବିସି ଉପମୁଖ୍ୟମନ୍ତ୍ରୀ ନିଯୁକ୍ତ କରନ୍ତୁ ନବୀନ’

Share :

ସାମାଜିକ ନ୍ୟାୟ ପ୍ରତିଷ୍ଠା ପାଇଁ ମଣ୍ଡଳ କମିଶନ କରିଥିବା ସୁପାରିଶକୁ ଓଡ଼ିଶା ସରକାର ଏଯାଏଁ ଲାଗୁ କରି ନାହାନ୍ତି । ବୈଷୟିକ ଶିକ୍ଷା କ୍ଷେତ୍ରରେ ଆଦିବାସୀ ଓ ଦଳିତଙ୍କ ପାଇଁ ନ୍ୟାୟୋଚିତ ୩୮.୫ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ମଧ୍ୟ ଏଯାଏଁ ଲାଗୁ ହୋଇନାହିଁ । ରଜ୍ୟାର ୯୫ ପ୍ରତିଶତ ଲୋକଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେବେ ନ୍ୟାୟ ଦେବେ ବୋଲି ପ୍ରଶ୍ନ କରିଛନ୍ତି କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଶ୍ରୀକାନ୍ତ ଜେନା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏକ ଖୋଲାଚିଠି ଲେଖି ଶ୍ରୀ ଜେନା କହିଛନ୍ତି ଯେ ରଘୁରାମ ରାଜନଙ୍କ ରିପୋର୍ଟ ଅନୁସାରେ ଓଡ଼ିଶା ବିକାଶର ସବୁ ମାପଦଣ୍ଡରେ ଦେଶରେ ସବୁଠୁ ତଳେ । ରାଜ୍ୟର ୪୦ ଲକ୍ଷ ଯୁବକଯୁବତୀ ବେକାର । ମଣ୍ଡଳ କମିଶନ ମାମଲାରେ ସୁପ୍ରିମ କୋର୍ଟ ସ୍ପଷ୍ଟ ରାୟ ଦେଇଥିଲେ ଯେ ଯେଉଁ ରାଜ୍ୟରେ ବିଶେଷ ସାମାଜିକ ପରିସ୍ଥିତି ଥିବ ସେଠାରେ ସଂରକ୍ଷଣରେ ୫୦ ପ୍ରତିଶତ କଟକଣା ଲାଗୁ ହେବ ନାହିଁ । ଓଡ଼ିଶାରେ ଦଳିତ ଓ ଆଦିବାସୀଙ୍କ ହାର ହେଉଛି ୩୮.୫ ପ୍ରତିଶତ । ସର୍ବଭାରତୀୟ ସ୍ତରରେ ଏହି ହାର ହେଉଛି ମାତ୍ର ୧୬ ପ୍ରତିଶତ । ତେଣୁ ଓଡ଼ିଶା ସରକାର ୫୦ ପ୍ରତିଶତରୁ ଅଧିକ ସଂରକ୍ଷଣ ସୁବିଧା ଦେଇପାରିବେ । ମଣ୍ଡଳ କମିଶନ ରିପୋର୍ଟ କାର୍ଯ୍ୟକାରୀ ହେଲେ ପଛୁଆ ବର୍ଗ ବା ସାମାଜିକ ଓ ଶୈକ୍ଷିକ ପଛୁଆ ବର୍ଗ ପାଇଁ ୨୭ ପ୍ରତିଶତ ସଂରକ୍ଷଣ ସୁବିଧା ମିଳିବ । ଶ୍ରୀକାନ୍ତ କହିଛନ୍ତି ଯେ ହାଇକୋର୍ଟରେ ଜାଣିଶୁଣି ନବୀନ ସରକାର ସୁପ୍ରିମ କୋର୍ଟଙ୍କ ‘ବିଶେଷ ପରିସ୍ଥିତି’ ସର୍ତ୍ତ ସଂପର୍କରେ ଯୁକ୍ତି ଉପସ୍ଥାନ ନକରି ପଛୁଆ ବର୍ଗର ବେକାର ଯୁବକଯୁବତୀମାନଙ୍କୁ ଠକିଛନ୍ତି । ଏହା ରାଜ୍ୟର ୫୪% ପଛୁଆ ବର୍ଗଙ୍କ ପ୍ରତି ବିଶ୍ୱାସଘାତ ନୁହେଁ କି ବୋଲି ସେ ପ୍ରଶ୍ନ କରିଛନ୍ତି । ରାଜ୍ୟରେ ଏହି ବର୍ଗଙ୍କୁ ଉପଯୁକ୍ତ ସଂରକ୍ଷଣ ସୁବିଧା ନମିଳିବା କାରଣରୁ ଗତ ୧୮ ବର୍ଷ ଭିତରେ ପ୍ରାୟ ୭ ହଜାର ଓବିସି/ଏସଇବିସି ପିଲା ଗେଜେଟେଡ ଓ ଅଣଗେଜେଟେଡ଼ ଚାକିରି ପାଇବାରୁ ବଂଚିତ ହୋଇଛନ୍ତି । ସେହିପରି ବୈଷୟିକ ଶିକ୍ଷା କ୍ଷେତ୍ରରେ ମଣ୍ଡଳ କମିଶନ ରିପୋର୍ଟ ଲାଗୁ ହୋଇନଥିବାରୁ ଗଲା ୧୫ ବର୍ଷ ଭିତରେ ପଛୁଆ ବର୍ଗର ୪ ହଜାର ପିଲା ଡାକ୍ତର ଓ ୨୦ ହଜାର ପିଲା ଇଂଜିନିଅର ହେବାରୁ ବଂଚିତ ହୋଇଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି । ସେହିଭଳି ଏହି ବର୍ଗର ହଜାର ହଜାର ପିଲା ପ୍ରତିବର୍ଷ ଷ୍ଟାଇପେଣ୍ଡ ପାଇବାରୁ ମଧ୍ୟ ବଂଚିତ ହେଉଛନ୍ତି ବୋଲି ସେ ଏହି ଚିଠିରେ ଉଲ୍ଲେଖ କରିଛନ୍ତି । ଏହି କାରଣରୁ ଆଦିବାସୀ ଓ ଦଳିତ ବର୍ଗର ୨ ହଜାର ପିଲା ଡାକ୍ତର ଓ ୧୦ ହଜାର ପିଲା ଇଂଜିନିଅର ହେବାରୁ ବଂଚିତ ହୋଇଛନ୍ତି ବୋଲି ସେ କହିଛନ୍ତି । ରାଜ୍ୟସଭା ସଦସ୍ୟ ଚୟନରେ ଆଦିବାସୀ ଯୁବକ ଦିଲ୍ଲୀପ ତିର୍କି ଏବଂ ଦଳିତ ନେତା ବିଷ୍ଣୁ ଦାସଙ୍କୁ ଅବହେଳା କରିବା ମୁଖ୍ୟମନ୍ତ୍ରୀଙ୍କ ଆଦିବାସୀ ଓ ଦଳିତ ବିରୋଧୀ ଆଭିମୁଖ୍ୟର ପ୍ରମାଣ ବୋଲି ସେ କହିଛନ୍ତି । ଏବେ ବିଜେଡିର ୯ ଜଣ ରାଜ୍ୟସଭା ସଦସ୍ୟଙ୍କ ମଧ୍ୟରୁ ୭ ହେଲ ସାଧାରଣ ବର୍ଗର ଲୋକ । ରାଜ୍ୟସଭାରେ ବିଜେଡିର କୌଣସି ଦଳିତ ପ୍ରତିନିଧି ନାହାନ୍ତି । ଦଳିତ, ଆଦିବାସୀ ଓ ପଛୁଆ ବର୍ଗ ପ୍ରତି କରିଥିବା ଏହି ଅନ୍ୟାୟ ଦୂର କରିବା ପାଇଁ ତାଙ୍କ ସରକାରରେ ଏହି ତିନି ବର୍ଗରୁ ତିନି ଜଣ ନେତାଙ୍କୁ ଉପମୁଖ୍ୟମନ୍ତ୍ରୀ ଭାବେ ଗ୍ରହଣ କରିବା ପାଇଁ ଶ୍ରୀକାନ୍ତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପରାମର୍ଶ ଦେଇଛନ୍ତି । ଏଥିରେ ସରକାରଙ୍କର ଗୋଟିଏ ପଇସା ଖର୍ଚ୍ଚ ହେବ ନାହିଁ । କିନ୍ତୁ ଏହି ତିନି ବର୍ଗର ସମ୍ମାନ ବୃଦ୍ଧି ପାଆନ୍ତା ବୋଲି ସେ ଏହି ଚିଠିରେ ଉଲ୍ଲେଖ କରିଛନ୍ତି ।

Share :