ଜମିପଟ୍ଟା ଦେବା ନିର୍ବାଚନୀ ନାଟକ: ବିଜେପି

ଜମିପଟ୍ଟା ଦେବା ନିର୍ବାଚନୀ ନାଟକ: ବିଜେପି

Share :

ଆସନ୍ତା ପୌର ନିର୍ବାଚନକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଜମିପଟ୍ଟା ବାଂଟି ହୀନ ରାଜନୀତି କରୁଛନ୍ତି । ଗତକାଲି ମୁଖ୍ୟମନ୍ତ୍ରୀ ଛତ୍ରପୁରରେ ସହର ଅଂଚଳର ବସ୍ତି ବାସିନ୍ଦାମାନଙ୍କୁ ଜମିପଟା ଦେବା ସାଧାରଣଲୋକଙ୍କୁ ଏକ ପ୍ରତାରଣା ସଦୃଶ । ମୁଖ୍ୟମନ୍ତ୍ରୀ କେବଳ ନିର୍ବାଚନ ସର୍ବସ୍ୱ ରାଜନୀତି କରନ୍ତି । ଗରୀବ ଲୋକଙ୍କ ପାଇଁ ତାଙ୍କର ଆଦୌ ସମବେଦନା ନାହିଁ । ନିର୍ବାଚନ ଜିତିବା ପାଇଁ ରଣକୌଶଳ ପ୍ରସ୍ତୁତ କରି ଗରୀବ ଲୋକଙ୍କୁ ଜମିପଟା ଦେବାର ନାଟକ ସଂପୂର୍ଣ୍ଣରୂପେ ନିର୍ବାଚନ ପରିପ୍ରେକ୍ଷୀରେ ହୋଇଛି ବୋଲି ରାଜ୍ୟ ବିଜେପି ଉପସଭାପତି ସମୀର ମହାନ୍ତି କହିଛନ୍ତି । ଦୀର୍ଘ ୧୮ ବର୍ଷ ଶାସନ ଭିତରେ ମୁଖ୍ୟମନ୍ତ୍ରୀ ୧୧୧ ଏନଏସି, ମ୍ୟୁନିସପାଲିଟି, ମ୍ୟୁନିସିପାଲ କର୍ପୋରେସନରେ କୌଣସି ଗୋଟିଏ ପରିବାରକୁ ଜମିପଟ୍ଟା କାହାକୁ ଦେଇନାହାଁନ୍ତି । ଆଉ ୨ ମାସ ପରେ ନିର୍ବାଚନ ତାରିଖ ଘୋଷଣା ହେବା ଜାଣି ଏ ପରିସ୍ଥିତିରେ ଘର ପଟ୍ଟା ବାଂଟି ତାକୁ ଐତିହାସିକ ନିଷ୍ଫତି ବୋଲି କହିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ଶ୍ରୀ ମହାନ୍ତି କହିଛନ୍ତି । ୨୦୦୦ ରୁ ୨୦୦୪ ମସିହା ପର୍ଯ୍ୟନ୍ତ ଏନଡିଏ ସରକାର ସମୟରେ ‘ବାଲ୍ମିକୀ ଆମ୍ବେଦକର ଗରୀବ ଆବାସ ଯୋଜନା’ ମାଧ୍ୟମରେ ବାସଗୃହ ଯୋଗାଇ ଦିଆଯାଇଥିଲା । ୟୁପିଏ ସରକାର ସମୟରେ ‘ରାଜୀବ ଆବାସ ଯୋଜନା’ ପ୍ରଣୟନ ହୋଇଥିଲା । ବିଶେଷ କରି ପୁରୀ ଓ ଭୁବନେଶ୍ୱର ପାଇଁ ‘ଜେଏନଏନୟୁଆରଏମ’ ପ୍ରୋଜେକ୍ଟରେ ଗରୀବ ଲୋକଙ୍କୁ ବାସଗୃହ ଯୋଗାଇବା ପାଇଁ ଯୋଜନା ହୋଇଥିଲା । ଏହି ଯୋଜନାରେ ମଧ୍ୟ ରାଜ୍ୟ ସରକାର ଫେଲ୍ ମାରିଛନ୍ତି । ‘ନ୍ୟାସନାଲ ସ୍ଲମ ଡେଭଲପମେଂଟ ପ୍ରୋଗ୍ରାମ’ରେ ମଧ୍ୟ ଅନେକ କେନ୍ଦ୍ରୀୟ ଯୋଜନାର ଅର୍ଥ ଆସିଛି । ଏହି ଅର୍ଥକୁ ରାଜ୍ୟ ସରକାର ସଠିକ୍ ଭାବେ ବିନିଯୋଗ କରିପାରି ନାହାଁନ୍ତି ବୋଲି ଶ୍ରୀ ମହାନ୍ତି କହିଛନ୍ତି । ୨୦୧୨ ମସିହା ପୌର ନିର୍ବାଚନ ପୂର୍ବରୁ ‘ଦ ଓଡିଶା ପ୍ରପୋର୍ଟି ରାଇଟ୍ସ ଟୁ ସ୍ଲମ ଡୁଏଲର ଏଣ୍ଡ ପ୍ରିଭେନସନ ଅଫ ନିୟୁ ସ୍ଲମ ବିଲ’ ରାଜ୍ୟ ସରକାର ଆଣିଥିଲେ ମଧ୍ୟ ଏପର୍ଯ୍ୟନ୍ତ ତାହା କାର୍ଯ୍ୟକାରୀ କରିପାରିନାହାଁନ୍ତି । ଏବେ ପୁନର୍ବାର ପୌର ନିର୍ବାଚନ ପାଖେଇ ଆସିବାରୁ ମୁଖ୍ୟମନ୍ତ୍ରୀ ପୁଣି ଏକ ଯୋଜନା ମାଧ୍ୟମରେ ରାଜନୀତି ଆରମ୍ଭ କରିଛନ୍ତି । କେନ୍ଦ୍ର ସରକାର ‘ପ୍ରଧାନମନ୍ତ୍ରୀ ଆବାସ ଯୋଜନା’ରେ ପ୍ରତି ପରିବାରକୁ ୨ ଲକ୍ଷ ୬୦ ହଜାର ଟଙ୍କା ଦେଉଛନ୍ତି । ୨୦୧୫ ମସିହାରେ ରାଜ୍ୟ ସରକାର ‘ନଗର ଉନ୍ନୟନ ବିଭାଗ ହାଉସିଂ ପଲିସି’ କରି ଗେଜେଟ ନୋଟିଫିକେସନ କରିଥିଲେ ବି ତାହା କାର୍ଯ୍ୟକାରୀ ହୋଇପାରିନାହିଁ । ବର୍ତ୍ତମାନ ୧୧୧ ଏନଏସି, ମ୍ୟୁନିସପାଲିଟି,ମ୍ୟୁନିସିପାଲ କର୍ପୋରେସନରେ ପାଇଁ ଯେଉଁ ୩ଟି ଏଜେନ୍ସି ଡିମାଣ୍ଡ ସର୍ଭେ କରୁଛି ତାର କାର୍ଯ୍ୟକାରିତା କେତେଦୂର ହେବ ରାଜ୍ୟ ସରକାର ସ୍ପଷ୍ଟ କରନ୍ତୁ । ତେବେ ମୁଖ୍ୟମନ୍ତ୍ରୀ ନିଜ ଜିଲ୍ଲାର ୮ଟି ଏନଏସି ଓ ପୁରୀ ଜିଲ୍ଲାର କୋଣାର୍କ ଏନଏସି ଅଂଚଳର ବସ୍ତିବାସିନ୍ଦାମାନଙ୍କୁ ଜମିପଟା ଦେବା, ରାସନ କାର୍ଡ ଦେବା ଭଳି କେବଳ ଦଳୀୟ କର୍ମୀଙ୍କ ମଧ୍ୟରେ ସୀମିତ ରହିବନି ତ ବୋଲି ଶ୍ରୀ ମହାନ୍ତି ପ୍ରଶ୍ନ ଉଠାଇଛନ୍ତି ।

Share :