ରଜୋ ନୁହେଁ ରଜ

ରଜୋ ନୁହେଁ ରଜ

Share :

ଓଡ଼ିଶାର ନିଜସ୍ୱ ପର୍ବ ରଜ ଆସିବାକୁ ଆଉ ଦିନ କେଇଟା ବାକି ଥିଲା ବେଳେ ଏହି ରଜରେ ବେଶ୍ ଦୁଇ ପଇସାର ବ୍ୟବସାୟ କରିବାରୁ ବିଭିନ୍ନ କମ୍ପାନୀ ନିଜ ନିଜର ପ୍ରଚାର ଆରମ୍ଭ କରିଦେଲେଣି । ଏଥିପାଇଁ ଟେଲିଭିଜନ, ଖବରକାଗଜ, ରେଡିଓରେ ନିୟମିତ ବିଜ୍ଞାପନ ପ୍ରକାଶ କରିବା ସହ ହୋର୍ଡିଂ ଲିଫଲେଟ ଇତ୍ୟାଦି ମାଧ୍ୟମରେ ଲୋକଙ୍କ ପାଖରେ ପହଁଚିବା ପାଇଁ ଚେଷ୍ଟା ଜାରୀ ରହିଛି । ମାତ୍ର ଏହି ସବୁ ପ୍ରଚାର ସାମଗ୍ରୀ ଏବଂ ବିଜ୍ଞାପନରେ ବିଜ୍ଞାପନଦାତାମାନେ ରଜ ଶବ୍ଦର ଅପଭ୍ରଂଶ କରି ରାଜୋ ବୋଲି ଲେଖୁଥିବାରୁ ଏହା ବୁଦ୍ଧିଜୀବିମାନଙ୍କ ମଧ୍ୟରେ ଚିନ୍ତାର କାରଣ ହୋଇଛି । ଏଥିରେ ସଂଶୋଧନ କରିବା ପାଇଁ ଦାବୀ ଉଠୁଛି । ଚଳିତ ଥର ସାର୍ଟ ପ୍ରସ୍ତୁତକାରୀ କମ୍ପାନୀ ପିଟର ଇଂଲଣ୍ଡ ପୂଜାକୁ ଅପଭ୍ରଂଶ କରି ପୂଜୋ ଲେଖିଥିବାରୁ ଓଡ଼ିଆଙ୍କ ପାଖରେ କ୍ଷମା ପ୍ରାର୍ଥନା କରି ବିଜ୍ଞାପନରେ ପରିବର୍ତ୍ତନ କରିବାକୁ ରାଜି ହୋଇଥିଲା । ତଥାପି ବି ଏଥିରୁ ଓଡ଼ିଆ ବିଜ୍ଞାପନଦାତାମାନେ କିଛି ଶିଖିଲେ ବୋଲି ଜଣା ପଡୁନାହିଁ । ଏଥର ପୋଷାକପତ୍ର ବିକ୍ରୟ କରୁଥିବା କଳାମନ୍ଦିର ନିଜ ନିଜ ବିଜ୍ଞାପନରେ ରଜ ବଦଳରେ ରଜୋ ଶବ୍ଦ ବ୍ୟବହାର କରୁଥିବାରୁ ଏହା ବେଶ୍ ଦୃଷ୍ଟିକଟୁ ହେଉଛି । ଆଉ ଏଥିପାଇଁ ସାମାଜିକ ଗଣମାଧ୍ୟମ ଫେସବୁକରେ ଏହାକୁ ନେଇ ପ୍ରବଳ ଅସନ୍ତୋଷ ସୃଷ୍ଟି ହେବା ସହ ଏହିପରି ବିଜ୍ଞାପନ କଳାମନ୍ଦିର ହଟାଇନେଇ ତୁରନ୍ତ କ୍ଷମା ପ୍ରାର୍ଥନା କରିବାକୁ ସାଧାରଣରେ ଦାବୀ ହେଉଛି । ସାମାଜିକ ଗଣମାଧ୍ୟମରେ ଏହି ରଜୋ ନୁହେଁ ରଜ ଅଭିଯାନର ନେତୃତ୍ୱ ନେଉଥିବା ରୁଦ୍ର ପ୍ରସନ୍ନ ରଥ ଏ ନେଇ କଳାମନ୍ଦିର କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ଏହି ବିଜ୍ଞାପନ ହଟାଇ ତୁରନ୍ତ କ୍ଷମା ପ୍ରାର୍ଥନା କରିବା ପାଇଁ ଦାବୀ କରିଛନ୍ତି । ପୁଣି ଏହି ପରି ତ୍ରୁଟିପୂର୍ଣ୍ଣ ବିଜ୍ଞାପନ ଛାପି ଓଡ଼ିଆଙ୍କ ଭାବାବେଗକୁ ଆଘାତ ନ ଦେବା ପାଇଁ ସେ ଖବରକାଗଜର ସମ୍ପାଦକମାନଙ୍କୁ ମଧ୍ୟ ପତ୍ର ଲେଖି ଅନୁରୋଧ କରିଛନ୍ତି । କେବଳ କଳାମନ୍ଦିର କାହିଁକି ଆଗକୁ ଯେ କୌଣସି ବ୍ୟବସାୟିକ କର୍ତ୍ତୃପକ୍ଷ ଏଭଳି ରଜ ଜାଗାରେ ରଜୋ ଲେଖିଲେ ତାହାର ପ୍ରତିବାଦ କରାଯିବ ବୋଲି ସେ ସୂଚନାଦେଇଛନ୍ତି । ଦରକାର ପଡ଼ିଲେ ଏଥିପାଇଁ ରଜୋ ଲେଖୁଥିବା ବ୍ୟବସାୟିକ ପ୍ରତିଷ୍ଠାନ ଆଗରେ ଶାନ୍ତିପୂର୍ଣ୍ଣ ଭାବରେ ସେ ପିକେଟିଂ କରିବେ ବୋଲି ସେ ସୂଚନା ଦେଇଛନ୍ତି ।

Share :