ରାଜ୍ୟରେ ପ୍ରାୟ ୩୦ ଲକ୍ଷ ପାଖାପାଖି ଅସହାୟ ବୃଦ୍ଧବୃଦ୍ଧା, ଭିନ୍ନକ୍ଷମ ଓ ବିଧବା ମହିଳା କ୍ରମଶଃ ଅନାହାର ଓ ରୋଗାକ୍ରାନ୍ତ ଅବସ୍ଥାରେ ପଡିଥିଲା ବେଳେ ରାଜ୍ୟ ସରକାରଙ୍କ ବିମୁଖତାକୁ "ଗଣତାନ୍ତ୍ରିକ ଅଧିକାର ସୁରକ୍ଷା ସଂଗଠନ' ଓଡିଶା ଦୃଢ ନିନ୍ଦା କରିଛି । କୌଣସି ସମାଜ ଏହାର ପୂର୍ବ ପିଢ଼ିର ଅବଦାନକୁ ଅସ୍ୱୀକାର କରି ନିଜକୁ ସଭ୍ୟ ପ୍ରତିପାଦିତ କରିପାରିବ ନାହିଁ । ଏହାକୁ ସମ୍ମାନ ଦେଇ ସମ୍ବିଧାନର ଧାରା ୪୭ରେ ପ୍ରାବଧାନ ରହିଲା ଯେ ପ୍ରତ୍ୟେକ ନାଗରିକ ଯେଭଳି ପୁଷ୍ଟିକର ଖାଦ୍ୟ ପାଇପାରିବେ, ଜୀବନର ମାନରେ ବୃଦ୍ଧି ଘଟିବା ସହିତ ସ୍ୱାସ୍ଥ୍ୟର ବିକାଶ ଯେପରି ଘଟିବ ସେଥିଲାଗି ସରକାର ପ୍ରାଥମିକତା ଦେବେ । ମାତ୍ର ରାଜ୍ୟ ସରକାର ଅତି ଅବିଶ୍ୱସନୀୟ ଭାବରେ ସାମାଜିକ ସୁରକ୍ଷା ଯୋଜନା ଅନ୍ତର୍ଗତ ବାର୍ଦ୍ଧକ୍ୟ ଭତ୍ତା, ବିଧବା ଭତ୍ତା ଓ ଭିନ୍ନକ୍ଷମ ଭତ୍ତାକୁ ମାତ୍ର ୩୦୦ ଟଙ୍କା ମଧ୍ୟରେ ଗଲା ୧୦ ବର୍ଷ ହେଲା ସୀମିତ ରଖିଛନ୍ତି । ଅନୁମାନ କରାଯାଉଥିଲା ଯେ କେନ୍ଦ୍ର ସରକାରଙ୍କ ସପ୍ତମ ବେତନ କମିଶନକୁ ରାଜ୍ୟ ସରକାର ଲାଗୁ କରିବା ସମୟରେ ଏପରିକି ବିଧାନସଭାରେ ନିର୍ବାଚିତ ସଦସ୍ୟମାନେ ନିଜର ଦରମାର ବୃଦ୍ଧି ଲାଗି ନିଷ୍ପତ୍ତି ନେବା ସମୟରେ ସାମାଜିକ ସୁରକ୍ଷା ଯୋଜନା ଅନ୍ତର୍ଗତ ସମସ୍ତ ଭତ୍ତାର ବୃଦ୍ଧି କରିବେ । ମାତ୍ର ତାହା ହେଲା ନାହିଁ । ରାଜ୍ୟ ସରକାରଙ୍କ ମଧୁବାବୁ ପେନ୍ସନ ଯୋଜନା ଅନୁସାରେ ପ୍ରତ୍ୟେକ ବୃଦ୍ଧ ବୃଦ୍ଧା ଯେଉଁମାନେ ଦାରିଦ୍ର ସୀମାରେଖା ତଳେ ଅଛନ୍ତି ଅଥବା ଯେଉଁମାନଙ୍କ ବାର୍ଷିକ ଆୟ ୨୪୦୦୦ ଟଙ୍କାରୁ କମ ସେହିମାନେ ଉକ୍ତ ଭତ୍ତା ପାଇବା ପାଇଁ ଯୋଗ୍ୟ ବିବେଚିତ ହେବେ । ଅର୍ଥାତ୍ ମାସକୁ ଦୁଇହଜାର ଟଙ୍କାର ଏକ ସୀମା ରେଖା ରାଜ୍ୟ ସରକାର ନିଜେ ଟାଣିଲା ପରେ ଏହାକୁ ପୁଣି ନିଜେ ୩୦୦ ଟଙ୍କା ମଧ୍ୟରେ ସୀମିତ ରଖିବା ଅତ୍ୟନ୍ତ ଦୁଃଖର କଥା । ଏଠାରେ ସୁଚିତ କରୁଛୁ ଯେ ପଡେ଼ାଶୀ ଆନ୍ଧ୍ର ପ୍ରଦେଶ ଓ ତେଲେଙ୍ଗନାରେ ବାର୍ଦ୍ଧକ୍ୟ ଭତ୍ତା ଓ ବିଧବା ଭତ୍ତା ମାସିକ ୧୦୦୦ ଟଙ୍କା ଓ ଭିନ୍ନକ୍ଷମ ଭତ୍ତା ୧୫୦୦ ଟଙ୍କା, ପଶ୍ଚିମ ବଙ୍ଗରେ ସମସ୍ତ ଭତ୍ତା ମାସିକ ୭୫୦ ଟଙ୍କା, ହରିୟାନାରେ ମାସିକ ୧୨୦୦ ଟଙ୍କା, କର୍ଣ୍ଣାଟକ, ତାମିଲନାଡୁ ଓ କେରଳରେ ୧୦୦୦ ଟଙ୍କା, ଦିଲ୍ଲୀରେ ଏହା ମାସକୁ ୨୦୦୦ ଟଙ୍କା ଇତ୍ୟାଦି ଥିଲାବେଳେ ଓଡ଼ିଶାରେ ଏହା ୩୦୦ ଟଙ୍କା ମଧ୍ୟରେ ସୀମିତ ରହିଛି । ରାଜ୍ୟ ସରକାର ଯେଉଁ ଗରିବ ସୀମାରେଖାରେ ସର୍ତ୍ତ ରଖିଛନ୍ତି ସେହି ରେଖା ଏବେ ଅସ୍ପଷ୍ଟ । ତେନ୍ଦୁଲକର କମିଟି ରିପୋର୍ଟ ଅନୁସାରେ ୨୦୧୧-୧୨ ମସିହାରେ ଗ୍ରାମାଞ୍ଚଳରେ ମାସିକ ୬୯୫ ଟଙ୍କା ଓ ସହରାଞ୍ଚଳରେ ମାସିକ ୮୬୧ ଟଙ୍କାରୁ କମ୍ ବ୍ୟୟ କରୁଥିବା ବ୍ୟକ୍ତିକୁ ଦାରିଦ୍ର୍ୟ ସୀମାରେଖା ତଳେ ଧରାଯାଉଥିଲା । ଏହାକୁ ଏବେ ୨୦୧୬-୧୭ର ମୁଦ୍ରାସ୍ଫୀତି ଅନୁସାରେ ଦେଖିଲେ ଯଥାକ୍ରମେ ହେବ ୮୪୩ ଟଙ୍କା ଓ ୧୦୦୮ ଟଙ୍କା ହେବ । ମାତ୍ର ରାଜ୍ୟ ସରକାର ୩୦୦ ଟଙ୍କା ଦେଇ ଚାଲିଛନ୍ତି । ଏ ସମ୍ପର୍କରେ ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଅନ୍ତର୍ଗତ କୁହି ଗ୍ରାମକୁ କିଡନୀ ଜନିତ ମୃତ୍ୟୁର ତଥ୍ୟାନୁସନ୍ଧାନ ସମୟରେ ଆମର ଦଳ ଦେଖିବାକୁ ପାଇଲା ଯେ ଆଦିବାସୀ ବୃଦ୍ଧ ଅରୁଣ ମିର୍ଦ୍ଧା ବାର୍ଦ୍ଧକ୍ୟ ଭତ୍ତା ଯଥେଷ୍ଟ ହେଉନଥିବା ହେତୁ ନିଜର ଓøଷଧ ଖାଇବା ବନ୍ଦ କରିଦେଇଛନ୍ତି । ଭୁବନେଶ୍ୱର ନିକଟସ୍ଥ ପଥରଗାଡିଆ ଗ୍ରାମର ରାଧୁ ବେହେରାଙ୍କ ମତରେ, ଯେଉଁଠି ମାସକୁ ଅତିକମରେ ୨୦୦୦ ଟଙ୍କା ଦରକାର ସେଠି ମାସକୁ ୩୦୦ ଟଙ୍କା କେଉଁ କୁଳକୁ ହେବ? ଓøଷଧ କିଣାରେ ସବୁ ଖର୍ଚ୍ଚ ହୋଇଯାଉଛି । ଆମର ତଥ୍ୟାନୁସନ୍ଧାନ ସମୟରେ ମାଲକାନାଗିରି ଜିଲ୍ଲାଠାରୁ ଯାଜପୁରର ନଗଡା ପର୍ଯ୍ୟନ୍ତ ସବୁଠାରେ ସ୍ୱଳ୍ପ ବାର୍ଦ୍ଧକ୍ୟ ଭତ୍ତା ଉପରେ ନିର୍ଭର କରୁଥିବା ବୃଦ୍ଧବୃଦ୍ଧାଙ୍କୁ ଆମର ଦଳ ଭେଟିଛି ଓ ସେମାନେ ନିଜର ଅସହାୟତା ପ୍ରକାଶ କରିଛନ୍ତି । ଏବେ ରାଜ୍ୟ ସରକାରଙ୍କ ନିକଟରେ "ଗଣତାନ୍ତ୍ରିକ ଅଧିକାର ସୁରକ୍ଷା ସଂଗଠନ' ଓଡିଶା ଦାବୀ କରେ କି ବାର୍ଦ୍ଧକ୍ୟ ଭତ୍ତା, ବିଧବା ଭତ୍ତା ଓ ଭିନ୍ନକ୍ଷମ ଭତ୍ତା ଭଳି ସାମାଜିକ ସୁରକ୍ଷା ଯୋଜନାରେ ହିତାଧିକାରୀଙ୍କୁ ଅନୁ୍ୟନ ମାସକୁ ୨୦୦୦ ଟଙ୍କା ଦେବାର ପ୍ରାବଧାନ କରାଯିବା ସହିତ ବାର୍ଦ୍ଧକ୍ୟ ଭତ୍ତା ପାଇବାର ବୟସ ସୀମା ୫୫ ବର୍ଷ ରଖାଯାଉ । ସରକାରୀ କର୍ମଚାରୀଙ୍କ ପେନସନ କ୍ଷେତ୍ରରେ ପ୍ରତି ୬ ମାସରେ ସରକାର ଘୋଷଣା କରୁଥିବା ମହଙ୍ଗା ଭତ୍ତା ଭଳି ସାମାଜିକ ସୁରକ୍ଷା ଯୋଜନା ଅନ୍ତର୍ଗତ ସମସ୍ତ ଭତ୍ତାକୁ ମୁଦ୍ରାସ୍ଫୀତି ଅନୁସାରେ ବୃଦ୍ଧି କରାଯାଉ । ସ୍ୱାସ୍ଥ୍ୟ ବିଭାଗର ଘରୋଇକରଣକୁ ବନ୍ଦ କରାଯାଉ ଓ ଅବହେଳିତ ବର୍ଗ ଯେପରି ସ୍ୱାସ୍ଥ୍ୟ ସୁବିଧା ପାଇବେ ସେ ଦିଗରେ ଧ୍ୟାନ ଦିଆଯାଉ । ସମାଜର ବିଭିନ୍ନ କାରଣ ହେତୁ ଅବହେଳିତ ହେଉଥିବା ମହିଳା, ଏକୁଟିଆ ଥିବା ମହିଳା ଓ କିନ୍ନରମାନଙ୍କୁ ଏହି ସାମାଜିକ ସୁରକ୍ଷା ଯୋଜନାରେ ସାମିଲ କରାଯାଉ ।