‘ମୁଁ ବାହା ହେବାକୁ ଚାହେଁନି!’

‘ମୁଁ ବାହା ହେବାକୁ ଚାହେଁନି!’

Share :

‘ମୋତେ ଏବେ ମାତ୍ର ୧୩ ବର୍ଷ । ବାହାଘର କଥା ଭାବିବି ପାରୁନି । ହେଲେ ଗାଁ ଲୋକ କହୁଛନ୍ତି ବାହା ହେଲେ ଅଭାବ ଦୂର ହୋଇଯିବ । ମୋ ଭାଇଭଉଣୀଙ୍କ ଭବିଷ୍ୟତ ତିଆରି ହୋଇଯିବ । ମୁଁ କିିନ୍ତୁ ଏବେ ବାହା ହେବାକୁ ଚାହୁଁନି । ପାଠ ପଢ଼ିବାକୁ ଚାହୁଁଛି ।’ ଏମିତି କହିଲା ବେଳେ ଆଖି ଜକେଇ ହୋଇ ଆସିଥିଲା ରେବିକାର । ରାୟଗଡ଼ା ଜିଲ୍ଲା ଗୁଡାରି ବ୍ଲକ୍ ମକାଗୁଡ଼ା ଗାଁର କୁନି ଝିଅ ରେବିକାର ଏ କାହାଣୀ । ଆଜିକୁ ୨ ବର୍ଷ ତଳର ଘଟଣା । ଗୁଡାରି ବ୍ଲକ୍ କର୍ଲାଘଟି ପଂଚାୟତର ଜଳନିଧି ଉଚ୍ଚପ୍ରାଥମିକ ସ୍କୁଲର ଅଷ୍ଟମ ଶ୍ରେଣୀରେ ପଢ଼ୁଥିଲା ରେବିକା । ପରୀକ୍ଷାରେ ଭଲ ନମ୍ବର ବି ରଖୁଥିଲା । ହେଲେ ରେବିକାର ମା’ଦୁଲିକି କିମ୍ବାକାରଙ୍କ ମୃତୁ୍ୟ ହୋଇଯିବାରୁ ପରିବାର ସମ୍ଭାଳିବା ପାଇଁ ତାକୁ ଅଧାରେ ପାଠ ଛାଡ଼ିବାକୁ ପଡ଼ିଲା । ଆଉ ୨୦୧୭ ସେପ୍ଟେମ୍ବର ମାସରେ ବାପା ମିନା କିମ୍ବାକାରଙ୍କର ବି ମୃତୁ୍ୟ ହୋଇ ସାରିଛି । ତେଣୁ ପରିବାର ବୋଝ ସମ୍ପୂର୍ଣ୍ଣ ଭାବେ ରେବିକା ଉପରେ । ରେବିକାର ଭାଇ ଟିଙ୍କୁକୁ ଏବେ ୧୧ ବର୍ଷ ହୋଇଥିବା ବେଳେ ୭ମ ଶ୍ରେଣୀରେ ପଢ଼ୁଛି । ତା ପଛକୁ ଶନ୍ତି (୧୦), ମାରିଆ (୬) ଓ ୪ ବର୍ଷୀୟ ଆଦବ । ଆଜିକୁ ୮ ମାସ ହେବ ଗାଁ ସ୍କୁଲ ବନ୍ଦ ହୋଇଯାଇଥିବାରୁ ଏମାନେ ସବୁ ଅଧାରେ ପାଠ ଛାଡ଼ିଛନ୍ତି । ତେଣୁ ମଧ୍ୟାହ୍ନ ଭୋଜନ ଆକାରରେ ମିଳୁଥିବା ଭାତ ଡାଲି ବି ଆଜି ଏମାନଙ୍କଠାରୁ ଅପହଂଚ । ଗୋଟିଏ ପଟେ କୁନି କୁନି ଭାଇ ଭଉଣୀଙ୍କ ମୁହଁରେ ଭାତମୁଠେ ଦେବାକୁ ରେବିକା ଦିନ ମଜୁରିଆ ଭାବେ କାମ କରୁଥିବା ବେଳେ ବିବାହ କଲେ ଅଭାବ ଦୂର ହୋଇଯିବ ବୋଲି ଲୋକେ ତା’କୁ କହୁଛନ୍ତି । ଏଣେ ଇନ୍ଦିରା ଆବାସ ପାଇଁ ରେବିକା ରାୟଗଡ଼ା କଲେକ୍ଟରଙ୍କଠାରୁ ଆରମ୍ଭ କରି ବିଭିନ୍ନ ବିଭାଗୀୟ ଅଧିକାରୀଙ୍କୁ ଭେଟିଛି । ହେଲେ ଘର ଖଣ୍ଡେ ମିଳି ପାରିନି । ଫଳରେ ଜରି ଟାଣି ୫ ଭାଇ ଭଉଣୀକୁ ସାଙ୍ଗରେ ଧରି ମକାଗୁଡ଼ା ଗାଁରେ ପଡ଼ି ରହିଛି ରେବିକା । କେବଳ ରେବିକା ନୁହେଁ ରାୟଗଡା ଜିଲ୍ଲା କର୍ଲାଘାଟି ପଂଚାୟତ କାଣ୍ଡାକୁଟି ଗାଁରେ ମଧ୍ୟ ସମାନ ପରିସ୍ଥିତି । ଗାଁର ୧୪ ବର୍ଷୀୟ ମିତା ଶ୍ରାମଟୁକାଙ୍କ ବାହାଘର ଏପ୍ରିଲ ୨୫ ତାରିଖରେ । ବିବାହାର କାରଣ ପାରିବାରିକ ସମ୍ମାନ ବୋଲି ମିତାର ବାପା କିଶୋର ଶ୍ରାମଟୁକା ଦାବି କରୁଥିବା ବେଳେ ସରକାରୀ ଅଧିକାରୀ ଏହି ବିବହାକୁ ଆଦିବାସୀ ଓ ଦଳିତଙ୍କ ପରମ୍ପରା କହି ଖସିଯିବାକୁ ପ୍ରୟାସ କରୁଛନ୍ତି । ଝିଅ ମିତାର ବାହାଘର ଅପେକ୍ଷାରେ ଥିବା କିଶୋର ଶ୍ରାମଟୁକାଙ୍କ ପରିବାର କହିଲେ ସ୍ତ୍ରୀ ଟଙ୍ଗରୀ ଓ ୫ ପୁଅ ଝିଅ । ମିତା ସବୁଠାରୁ ବଡ଼ । ମିତାକୁ ଏବେ ୧୫ ବର୍ଷ । ସାନ ପିଲା ଲାମି ଏବେ ମା କୋଳରେ । ସବୁଠାରୁ ଆଶ୍ଚର୍ଯ୍ୟର କଥା, ମିତା ବିବାହ କରୁଥିବା ଆଳିପଦର ଗାଁର ଆପାରାଓ ହିକାୱିଡିକାକୁ ଏବେ ମାତ୍ର ୧୫ ବର୍ଷ । ବିବାହ ପାଇଁ ଉଭୟ ବୟସ ହୋଇ ନଥିବା ବେଳେ ପରିବାର ଲୋକେ କିନ୍ତୁ ଏହା କରାଇଦେବାକୁ ବସିଛନ୍ତି । ମିତାର ପରିବାର ଲୋକେ ଜ୍ୱାଇଁ ଘରୁ ବି ଆକାରରେ ଗାଈ, ଛେଳି ଓ ସଲଫ ଆଣିଥିବାରୁ ଏହା ସେମାନଙ୍କର ସମ୍ମାନ ବୋଲି କହି ବିବାହ ପାଇଁ ଅଡ଼ି ବସିଛନ୍ତି । ଏଣେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ(ଡିସିିପିଓ) ରମେଶ ଚନ୍ଦ୍ର ନାୟକ ଘଟଣାର ତଦାରଖ କରିବେ ବୋଲି କହିଛନ୍ତି । ନ୍ୟାସନାଲ୍ ଫାଉଣ୍ଡେସନ୍ ଫର ଇଣ୍ଡିଆ ସହାୟତାରେ କରାଯାଇଥିବା ଏକ ସର୍ଭେରୁ ଜଣାଯାଇଛି ଯେ କେବଳ କର୍ଲାଘାଟି ପଂଚାୟତ ସ୍ଥିତ କାଣ୍ଡାକୁଟି ଗାଁରେ ରହୁଥିବା ମୀତା କି ମକାଗୁଡ଼ା ଗାଁର ରେବିକାଙ୍କ ସହ ପାରିବାରିକ ସମ୍ମାନ ପାଇଁ ଏଭଳି ପରିସ୍ଥିତି ଉପୁଜିନି । ବରଂ ଜିଲ୍ଲାର କାଶିପୁର ବ୍ଲକ୍ ଡଙ୍ଗାସିଲ, ମାଇକଞ୍ଜ ଗାଁ, କେଶିଙ୍ଗପୁର ବ୍ଲକ, ପଦ୍ମପୁର ବ୍ଲକର କେମ୍ବାଗୁଡା, ଆଖୁସିଂ ଗାଁ, ଚନ୍ଦ୍ରପୁର ବ୍ଲକର ଚନ୍ଦ୍ରପୁର, ହନୁମନ୍ତପୁର, ଇସକାପାଙ୍ଗା, ଟୁରିଗୁଡା ଓ ଷାରପା ଗାଁରେ ରହୁଥିବା ମିତାଙ୍କ ଭଳି ଅନେକ ଜୀବନ ପାରିବାରିକ ସମ୍ମାନ ଓ ପରମ୍ପରା ନାଁରେ ନଷ୍ଟ ହେବାକୁ ବସିଛି । ଗୋଟିଏ ପଟେ ସରକାର ଆଦିବାସୀ ଅଧ୍ୟୁଷିତ ଗାଁଗୁଡିକରେ ବାଲ୍ୟ ବିବାହ ସେମାନଙ୍କ ପରମ୍ପରାର ଅଂଶ ବୋଲି ଦାବି କରୁଥିବା ବେଳେ ନ୍ୟାସନାଲ୍ ଫାଉଣ୍ଡେସନ୍ ଫର ଇଣ୍ଡିଆ ସହାୟତାରେ କରାଯାଇଥିବା ସର୍ଭେ କିନ୍ତୁ ବାଧ୍ୟତା ମୂଳକ ଶିକ୍ଷାରେ ସରକାରୀ ଅପାରଗତା ଏ ଦିଗରେ ଏକ ବଡ଼ କାରଣ ହୋଇଥାଇ ପାରେ ବୋଲି ଦାବି କରୁଛି । ଓପେପାର ଜଣେ ବରିଷ୍ଠ ଅଧିକାରୀଙ୍କ କହିବା ଅନୁସାରେ ହାଇକୋର୍ଟଙ୍କ ନିଦେ୍ର୍ଧଶକ୍ରମେ ରାଜ୍ୟ ସରକାର ସାରା ରାଜ୍ୟରେ ସ୍କୁଲ ଯାଉନଥିବା ପିଲାଙ୍କ ତଥ୍ୟ ସଂଗ୍ରହ ପାଇଁ ଏକ ସର୍ବେକ୍ଷଣ କରିଥିଲେ । ଯେଉଁଥରୁ ଜଣାଯାଇଛି ଯେ ରାଜ୍ୟରେ ପ୍ରାୟ ୪୧ ହଜାର ପିଲା ୬ରୁ ୧୪ ବର୍ଷ ବୟସରେ ପାଠ ଛାଡୁଛନ୍ତି । ମାତ୍ର ଏହି ତଥ୍ୟକୁ ନେଇ ବିବାଦ ଉପୁଯିବାକୁ ଏହାକୁ ସର୍ବସାଧାରଣରେ ପ୍ରକାଶ କରାଯାଉନି । ଅପରପକ୍ଷେ ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣ ରିପୋର୍ଟ ୨୦୧୫-୧୬ର ତଥ୍ୟ ଅନୁସାରେ ଓଡ଼ିଶାରେ ୭୩.୩% ଝିଅ ୧୦ମ ଶ୍ରେଣୀରୁ ପଢ଼ା ଛାଡୁଛନ୍ତି । ଗ୍ରାମାଂଚଳରେ ଏହି ସଂଖ୍ୟା ୭୭% । କମ୍ ବୟସରେ ପଢ଼ା ଛାଡୁଥିବାରୁ ଝିଅମାନେ ଘର କାମରେ ଅଥବା ବିଲବାଡ଼ିରେ କାମ କରୁଛନ୍ତି । ଫଳରେ ପରିବାର ଲୋକେ ତାଙ୍କୁ ବୋଝ ବୋଲି ଭାବି ତାଙ୍କର ବିବାହ କରାଇ ଦେଉଛନ୍ତି । ରାଜ୍ୟରେ ବାଲ୍ୟବିବାହ ପ୍ରବଣ ଜିଲ୍ଲା ତାଲିକାରେ ମାଲକାନଗିରି, ରାୟଗଡା, କୋରାପୁଟ, ମୟୂରଭଞ୍ଜ, କେନ୍ଦୁଝର ଓ ନବରଙ୍ଗପୁର ଥିବା ବେଳେ ମାଲକାନଗିରିରେ ୮୮.୨%, ରାୟଗଡ଼ାରେ ୮୭.୩%, କୋରାପୁଟରେ ୮୫.୨%, ମୟୂରଭଞ୍ଜରେ ୭୬.୪%, କେନ୍ଦୁଝରରେ ୭୧.୯% ଓ ନବରଙ୍ଗପୁରରେ ୮୯.୩% ଝିଅ ପିଲା ୧୦ ଶ୍ରେଣୀ ବା ତା ଆଗରୁ ପାଠ ଛାଡ଼ÿୁଛନ୍ତି । ୨୦୧୧ ଜନଗଣନା ଅନୁସାରେ ଯେଉଁ ଝିଅମାନେ ପଂଚମ ଶ୍ରେଣୀ ପାଠ ପଢ଼ିବା ପରେ ଛାଡ଼ି ଦେଇଛନ୍ତି ସେମାନଙ୍କ ଭିତରେ ୫୨.୧% ୧୮ ବର୍ଷରୁ ତଳେ ବିବାହ କରିଥିବା ବେଳେ ଯେଉଁମାନେ ୫ମରୁ ୯ମ ପର୍ଯ୍ୟନ୍ତ ପଢ଼ିଛନ୍ତି ସେମାନଙ୍କ ମଧ୍ୟରୁ ୨୯.୮% ୧୮ ବର୍ଷରୁ କମରେ ବିବାହ କରିଛନ୍ତି । ଅପରପକ୍ଷରେ ୧୦ମ ଶ୍ରେଣୀ ପଢ଼ା ଛାଡ଼ିଥିବା ଝିଅଙ୍କ ଭିତରୁ ମାତ୍ର ୯.୩% ୧୮ ବର୍ଷରୁ କମ୍ରେ ବିବାହ କରିଛନ୍ତି । ତେଣୁ ସରକାର ଯଦି ବାସ୍ତବରେ ବାଲ୍ୟ ବିବାହ ରୋକିବା ଦିଗରେ ପଦକ୍ଷେପ ନେବାକୁ ଚାହୁଁଛନ୍ତି ତେବେ ପ୍ରଥମେ ବାଧ୍ୟତାମୂଳକ ଶିକ୍ଷାକୁ ସଜାଡ଼ିବା ଓ ଏହାକୁ ପ୍ରୟୋଗାତ୍ମକ ଢଙ୍ଗରେ ଉପଯୋଗ କରିବା ଦିଗରେ ପଦକ୍ଷେପ ନେବା ଉଚିତ ବୋଲି ଶିଶୁ ସୁରକ୍ଷା କମିଶନର ଉପଦେଷ୍ଟା ଘାସିରାମ ପଣ୍ଡା ସୂଚନା ଦେଇଛନ୍ତି ।

Share :