ଲକ୍ଷ୍ମୀଛଡ଼ା କାମ

ଲକ୍ଷ୍ମୀଛଡ଼ା କାମ

Share :

ଦେବେନ୍ଦ୍ର ପୃଷ୍ଟି ଏହା ଲକ୍ଷ୍ମୀଛଡ଼ା କାମ ନୁହେଁ ତ ଆଉ କ’ଣ? ଖାଇବାବେଳେ ଗୋଟିଏ ବି ଭାତ ଯଦି ଥାଳିରୁ ତଳେ ପଡ଼ି ଯାଉଛି ମା’ମାନେ ଗାଳି କରନ୍ତି । ଅନ୍ନକୁ ତଳେ ପକେଇଲେ ଅନ୍ନପୂର୍ଣ୍ଣା ରାଗିବେ । ଏହା ଓଡ଼ିଆ ଘରର ସଂସ୍କୃତି । କିନ୍ତୁ ସ୍ୱୟଂ ଅନ୍ନପୂର୍ଣ୍ଣାଙ୍କ ମନ୍ଦିରରେ ଦୁଇ ଦିନରେ ୩୦ ହଜାର ଲୋକଙ୍କ ପାଇଁ ପ୍ରସ୍ତୁତ ହୋଇଥିବା ମହାପ୍ରସାଦକୁ କୋଇଲି ବୈକୁଣ୍ଠରେ ପୋତି ଦିଆଗଲା! ସେଥିରେ ବିଷ ମିଶିଥିଲା କି? ଖାଦ୍ୟ ମାନ ନଷ୍ଟ ହୋଇଯାଇଥିଲା କି? ସେ ଖାଦ୍ୟ ତ’ ଜଗନ୍ନାଥଙ୍କୁ ଦିଆଯାଇଥିଲା । ମଣିଷ ଖାଇଥିଲେ କ’ଣ ହୋଇଥାନ୍ତା? ଯେଉଁ ରାଜ୍ୟର ୮୬ ଲକ୍ଷ ପରିବାର ବଂଚିବା ପାଇଁ ସରକାରଙ୍କ ଚାଉଳ ଦାନ (ଟଙ୍କିକିଆ ଚାଉଳ) ଉପରେ ନିର୍ଭର କରନ୍ତି ଏବଂ ଯେଉଁଠି ସରକାର ଦୈନିକ ପ୍ରାୟ ୨୫ ହଜାର ଲୋକଙ୍କ ପାଇଁ ୫ ଟଙ୍କିଆ ଆହାର ଯୋଗାଇ ଦେଉଛନ୍ତି ସେଠି ଶ୍ରୀମନ୍ଦିରର ୩୦ ହଜାର ଲୋକଙ୍କ ଖାଦ୍ୟ ପୋତି ଦିଆଯିବ! ଏହା କେଉଁ ଲକ୍ଷ୍ମୀବନ୍ତଙ୍କ କାମ? ଓଡ଼ିଶାରେ ଅପପୁଷ୍ଟ ଲୋକଙ୍କ ସଂଖ୍ୟା କମ୍ ନୁହେଁ । ନବୀନ ପଟ୍ଟନାୟକ ହୁଅନ୍ତୁ ବା ଆଉ କେଉଁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶାସନ, ଏମାନେ ଯେତେ ବିକାଶ ଓ ସମୃଦ୍ଧି କଥା କହିଲେ ବି ରାଜ୍ୟରେ ସାଉଁଟି ଆଣିଲେ ଏଣେତେଣେ ଅନେକ ନଗଡ଼ା ଦେଖାଯାଏ । ଦେଖାଯାଆନ୍ତି ଅନେକ ଅପପୁଷ୍ଟ ଶିଶୁ ଓ ରକ୍ତହୀନ ମହିଳା । ସେମାନଙ୍କ ଭିତରୁ କିଛି ଲୋକଙ୍କୁ ହେଲେ ଏହାକୁ ବାଣ୍ଟି ଦିଆଯାଇଥାନ୍ତା! ପୁରୀରେ ଭିକାରୀଙ୍କ ସଂଖ୍ୟା କିଛି କମ ନୁହେଁ । ଭୁବନେଶ୍ୱରରେ ମାଗିଖିଆଙ୍କ ସଂଖ୍ୟା ବି ଅନେକ । ଆଖପାଖରେ ଅନେକ ଜରାଶ୍ରମ । ଅନେକ ଅନାଥାଶ୍ରମ । ସେମାନଙ୍କୁ ବି ଦିଆଯାଇପାରିଥାନ୍ତା ଏ ଖାଦ୍ୟ । ଦୈନିକ ୬୦ ପଉଟି ୫୬ ଭୋଗ ଖାଉଥିବା ଠାକୁରଙ୍କ ଭକ୍ତମାନେ ଅନେକ ସମୟରେ ଅନାହାରରେ ରହନ୍ତି, ଅପପୁଷ୍ଟିର ଶିକାର ହୁଅନ୍ତି- ତାହା ଅବଶ୍ୟ ଅନ୍ୟ ଏକ ପ୍ରସଙ୍ଗ । ଦାରୁ ଦେବତା ଏ ପରମ୍ପରା ସ୍ୱର୍ଗରୁ ଲେଖିକି ଆଣିଛନ୍ତି କି ବିଳାସୀ ଏକ ରାଜତନ୍ତ୍ରର ଏହା ଏକ ସାମନ୍ତବାଦୀ ଛିଟା ତାହା ଅନ୍ୟ ଏକ ଚର୍ଚ୍ଚାର ଅପେକ୍ଷା ରଖେ । କୁହାଯାଏ, ଜଗନ୍ନାଥ ହେଉଛନ୍ତି ମଣିଷମାନଙ୍କର ଦେବତା । ମଣିଷମାନଙ୍କ ପରି ତାଙ୍କ ପାଇଁ ଅନେକ ନୀତି ଖଂଜାଯାଇଛି । ଦାନ୍ତଘଷା, ଗାଧୁଆ, ସକାଳ ଜଳଖିଆ, ମଧ୍ୟାହ୍ନ ଭୋଜନ, ରାତ୍ରୀଭୋଜନ, ପହୁଡ଼- ଏମିତି ଅନେକ ସେବାପୂଜା ସହିତ ମଣିଷ ଚଳଣିର ସାମଞ୍ଜସ୍ୟ ଅଛି । ଆଚ୍ଛା, ରାତି ଅଧରେ କେଉଁ ମଣିଷ ଗାଧାଏ? ବେଳବୁଡେ଼ କିଏ ଦାନ୍ତଘଷେ? ସନ୍ଧ୍ୟାବେଳେ କିଏ ସକାଳ ଜଳଖିଆ ଖାଏ? ଶୋଇଲାବେଳେ କିଏ ଖାଏ? ଲୋକେ ଖାଇକି ଶୁଅନ୍ତି ନା ଶୋଇକି ଖାଆନ୍ତି? ସେବକ, ସେବାୟତ ଓ ଶ୍ରୀମନ୍ଦିର ପ୍ରଶାସନ ସହିତ ଜଡ଼ିତ ଲୋକମାନଙ୍କ ଘରେ ଯଦି ଏପରି ନୀତିବିଭ୍ରାଟ ଘଟନ୍ତା ତେବେ କ’ଣ ହୁଅନ୍ତା? ସ୍ୱାମୀଙ୍କୁ ଯଦି ଭୋକବେଳେ ସ୍ତ୍ରୀ ଖାଦ୍ୟ ବାଢ଼ି ନଦିଅନ୍ତି ତେବେ ସ୍ୱାମୀ କ’ଣ କରନ୍ତି? ସ୍ତ୍ରୀଙ୍କ ଉପରେ ଗାଳି ବର୍ଷଣ ହୁଏ ନା ନାହିଁ? କେହି କେହି ମାଡ଼ ମଧ୍ୟ ମାରନ୍ତି । ସୁଧାର ସ୍ୱାମୀ ହୋଇଥିଲେ ଖାଇବାକୁ ନପାଇ ଶୋଇ ପଡ଼ନ୍ତି । ଖାଦ୍ୟ ଅରୁଚିକର ହୋଇଥିଲେ ଯାହା ମିଳିଲା ଗଣ୍ଡେ ଖାଇଦେଇ ଭୁଲି ଯାଆନ୍ତି । ଅଭିମାନୀ ହୋଇଥିଲେ ରୁଷିକି ଖାଆନ୍ତି ନାହିଁ । ଶ୍ରୀମନ୍ଦିରରେ କିଏ ସ୍ୱାମୀ? କିଏ ସ୍ତ୍ରୀ? କିଏ କାହାକୁ ଦଣ୍ଡ ଦେବ? ଜଗନ୍ନାଥ କେବଳ ଓଡ଼ିଆଙ୍କର ଆରାଧ୍ୟ ଦେବତା ନୁହନ୍ତି । ସେ ଏକ ବିଶ୍ୱ ପ୍ରତିଷ୍ଠାନ । ସମଗ୍ର ବିଶ୍ୱରେ ଜଗନ୍ନାଥ ସଂସ୍କୃତିର ଆଦର ଓ ଆକର୍ଷଣ ରହିଛି । କିନ୍ତୁ ଶ୍ରୀମନ୍ଦିରରେ ଏଭଳି ନାନାଦି ବିଭ୍ରାଟ ଲାଗି ରହିଲେ ବିଶ୍ୱବାସୀ କ’ଣ ଭାବିବେ? ଓଡ଼ିଆଙ୍କ ଜଗନ୍ନାଥ ପ୍ରେମକୁ ସାବାସୀ ଦେବେ ନିଶ୍ଚୟ! ନବ କଳେବର ବିଭ୍ରାଟ । ବ୍ରହ୍ମ ପରିବର୍ତ୍ତନ ବିଭ୍ରାଟ । ରଥଯାତ୍ରା ବିଭ୍ରାଟ । ରତ୍ନ ଭଣ୍ଡାର ଖୋଲା ବିଭ୍ରାଟ । ଜଗମୋହନ ଖୋଲା ବିଭ୍ରାଟ । ପୂର୍ବରୁ ଘଟିଛି ନୀଳାଦ୍ରି ବିଜେ ବିଭ୍ରାଟ । ଏମିତି ଅନେକ ବିଭ୍ରାଟ ଘଟିଚାଲିଛି ଶ୍ରୀମନ୍ଦିର ସେବାପୂଜା ନେଇ । ପ୍ରତି ବିଭ୍ରାଟ ବେଳେ ସରକାର ଓ ପ୍ରଶାସନ କହୁଛନ୍ତି, ଆଉ ହେବନି । କିନ୍ତୁ ପୁଣି ଯେଉଁ କଥାକୁ ସେଇ କଥା । ଏମିତି ବିଭ୍ରାଟ ବନ୍ଦ କରିବାକୁ ସରକାର ବିଚାରପତି ବିପି ଦାସ କମିଶନ ବସାଇଥିଲେ । କମିଶନ ଦି’ ଦି’ଟା ଅନ୍ତରୀଣ ରିପୋର୍ଟ ଦେଲେ । ସେ ରିପୋର୍ଟ କ’ଣ ହେଲା? ସରକାର କି ପଦକ୍ଷେପ ନେଲେ? ତା’ ପୂର୍ବରୁ ଶ୍ରୀମନ୍ଦିର ନେଇ ବସିଥିବା କମିଶନଙ୍କ ରିପୋର୍ଟ ସବୁ କ’ଣ ହେଲା? ଗୋଟେ ରିପୋର୍ଟ ତ କୁଆଡେ଼ ହଜିଗଲା? ଜଗନ୍ନାଥ ତ ଶିବ ନୁହନ୍ତି- ସରକାର ଏମିତି ଭୁଲାମନ କାହିଁକି?

Share :