ନାକ ତଳେ ଖାଦ୍ୟର ବାସ୍ନା!

ନାକ ତଳେ ଖାଦ୍ୟର ବାସ୍ନା!

Share :

ମାନ୍ନା ଟ୍ରଷ୍ଟର ମୁଖ୍ୟ ଲୀନା ଯୋଶେଫ ଜଣେ ଖ୍ରିଷ୍ଟିଆନ । ତାଙ୍କ ଟ୍ରଷ୍ଟର ମୁଖ୍ୟ କାର୍ଯ୍ୟାଳୟ ହାଇଦ୍ରାବାଦରେ । ଏହି ଟ୍ରଷ୍ଟକୁ ବିନା ଟେଣ୍ଡରରେ ଓଡ଼ିଶାର ୧୭ଟି ଜିଲ୍ଲାରେ ଆହାର କେନ୍ଦ୍ର ଓ ୩ ଜିଲ୍ଲାରେ ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମ ପରିଚାଳନା କରିବା ପାଇଁ ଓଡ଼ିଶା ସରକାର ଦାୟିତ୍ୱ ଦେଇଛନ୍ତି । ଏଥିରେ ଦୁର୍ନୀତି ହୋଇଥିବା ଅଭିଯୋଗ କରି ଭାରତ ବିକାଶ ପରିଷଦ ପକ୍ଷରୁ ଓଡ଼ିଶା ଉଚ୍ଚ ନ୍ୟାୟାଳୟରେ ଏକ ଜନସ୍ୱାର୍ଥ ମାମଲା ଦାଏର ହୋଇଛି । ଏ ଦୁର୍ନୀତିର ତଦନ୍ତ ଭାର ସିବିଆଇକୁ ଦେବା ପାଇଁ ଅଭିଯୋଗକାରୀ ଆବେଦନ କରିଛନ୍ତି । ସଂସ୍ଥାର ଅଭିଯୋଗ ଅନୁସାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ଭିକେ ପାଣ୍ଡିଆନ ଗଂଜାମ ଜିଲ୍ଲାପାଳ ଥିଲାବେଳେ ମାନ୍ନା ଟ୍ରଷ୍ଟକୁ ଗଂଜାମରେ ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମ ଦାୟିତ୍ୱ ଦେଇଥିଲେ ବିନା ଟେଣ୍ଡରରେ । ପୁଣି ଏହି ସଂସ୍ଥାକୁ ଏକ ସରକାରୀ କୋଠା ବିନା ଭଡ଼ାରେ ଦିଆଯାଇଥିଲା । ପରେ ଏହି ସଂସ୍ଥାକୁ ଓଡ଼ିଶାର ଅନ୍ୟାନ୍ୟ ଜିଲ୍ଳାର ଦାୟିତ୍ୱ ମିଳିଛି । ଯଦି ପ୍ରକୃତରେ ମାନ୍ନା ଟ୍ରଷ୍ଟକୁ ବିନା ଟେଣ୍ଡରରେ ଏପରି କାର୍ଯ୍ୟକ୍ରମର ଦାୟିତ୍ୱ ଦିଆଯାଇଥାଏ ତେବେ ତାହା ନିଶ୍ଚୟ ଏକ ଅନିୟମିତତା । ଏହା ଉପରେ ତଦନ୍ତ ହେବା ଉଚିତ । ତା’ଛଡ଼ା ଏହାର ଖାଦ୍ୟ ମାନ ମଧ୍ୟ ପରୀକ୍ଷଣୀୟ । ଲୀନା ଯୋଶେଫ ମାନ୍ନା ଟ୍ରଷ୍ଟ ଗଠନ କରିବା ପୂର୍ବରୁ ନାନ୍ଦୀ ଫାଉଣ୍ଡେସନରେ କାର୍ଯ୍ୟ କରୁଥିଲେ । ନାନ୍ଦୀ ଫାଉଣ୍ଡେସନ ମଧ୍ୟ ଓଡ଼ିଶାରେ ଏପରି କାର୍ଯ୍ୟକ୍ରମ ପରିଚାଳନା ଭାର ପାଇଥିଲା । ନାନ୍ଦୀ ଫାଉଣ୍ଡେସନର ମୁଖ୍ୟ ହେଲେ ଶିଳ୍ପପତି ଆନନ୍ଦ ମହୀନ୍ଦ୍ରା । ସେ ମହୀନ୍ଦ୍ରା କମ୍ପାନୀର ଜଣେ ବଡ଼ ଅଂଶୀଦାର । ଆନନ୍ଦ ମହୀନ୍ଦ୍ରାଙ୍କ ସହିତ ଓଡ଼ିଶାର କେଉଁ ନେତାଙ୍କର ପାରିବାରିକ ବା ବ୍ୟକ୍ତିଗତ ସଂପର୍କ ରହିଛି ତାହାର ମଧ୍ୟ ତଦନ୍ତ ହେବା ଦରକାର । କାରଣ ମହୀନ୍ଦ୍ରା କମ୍ପାନୀ ସହିତ ମଧ୍ୟ ଓଡ଼ିଶା ସରକାରଙ୍କର ବ୍ୟାବସାୟିକ ସଂପର୍କ ରହିଛି । ଏ କଂପାନୀ ଅଟୋମୋବାଇଲ କ୍ଷେତ୍ରରେ ପ୍ରତିଷ୍ଠିତ । ତା’ଛଡ଼ା କମ୍ପାନୀ କୃଷି ଓ ଅନ୍ୟାନ୍ୟ କ୍ଷେତ୍ରରେ ମଧ୍ୟ ବ୍ୟବସାୟ କରେ । ଓଡ଼ିଶାରେ ଆହାର ଓ ମଧ୍ୟାହ୍ନ ଭୋଜନ ପରିଚାଳନା ଦାୟିତ୍ୱ ପାଇଥିବା ଅନ୍ୟ ଏକ ଅନୁଷ୍ଠାନ ହେଲା ଦ ଅକ୍ଷୟ ପାତ୍ର ଫାଉଣ୍ଡେସନ । ଏହାର ମୁଖ୍ୟ ହେଲେ ମଧୁ ପଣ୍ଡିତ ଦାସ । ସେ ଜଣେ ଇସ୍କନ ଭକ୍ତ । ସେ ଜଣେ ଦକ୍ଷିଣ ଭାରତୀୟ । ଶିକ୍ଷାରେ ଏମଟେକ୍ । ବିଭିନ୍ନ କମ୍ପାନୀରେ ଚାକିରି କରିବା ପରେ ସେ ଈଶ୍ୱରଙ୍କ ସନ୍ଧାନ ପାଇବା ପାଇଁ ଇସ୍କନରେ ଯୋଗ ଦେଇଥିଲେ । କେବଳସେ ନୁହନ୍ତି ତାଙ୍କ ପରି ଆଉ ତିନି ଜଣ ଇସ୍କନ ଭକ୍ତ ମଧ୍ୟ ଅକ୍ଷୟ ପାତ୍ର ଫାଉଣ୍ଡେସନର ଟ୍ରଷ୍ଟି ଅଛନ୍ତି । ସେମାନେ ସମସ୍ତେ ମଧ୍ୟ ଦକ୍ଷିଣ ଭାରତର ଲୋକ । ଅକ୍ଷୟ ପାତ୍ର ଫାଉଣ୍ଡେସନର ମୁଖ୍ୟ କାର୍ଯ୍ୟାଳୟ ହେଲା ବେଙ୍ଗାଲୁରୁ । ଏଭଳି ସଂସ୍ଥାସବୁ ଗୋଟିଏ ସ୍ଥାନରେ ରୋଷେଇ କରି ବିଭିନ୍ନ ସ୍ଥାନକୁ ପଠାଇଥାନ୍ତି । ଖାଦ୍ୟ ପ୍ରସ୍ତୁତି ପରେ ପରିବହନ ଯୋଗୁଁ ଖାଦ୍ୟମାନ କମେ କି ନାହିଁ ତାହା ଏକ ତଦନ୍ତ ସାପେକ୍ଷ ବିଷୟ । ପୁଣି ଖାଇବା ଓ ଖୁଆଇବାରେ ବିଶ୍ୱ ପ୍ରସିଦ୍ଧି ଅର୍ଜନ କରିଥିବା ଓଡ଼ିଆଙ୍କ ମଧ୍ୟରୁ କେହି କ’ଣ ଏଭଳି ଯୋଜନା ପରିଚାଳନା ପାଇଁ ଯୋଗ୍ୟ ବିବେଚିତ ହେଲେ ନାହିଁ? ସରକାର ଓଡ଼ିଆ ଉଦ୍ୟୋଗୀଙ୍କୁ ପ୍ରୋତ୍ସାହିତ ନକରି ଏଭଳି ଦକ୍ଷିଣୀ ସଂସ୍ଥାଙ୍କୁ କାହିଁକି ଆହାର ଓ ମଧ୍ୟାହ୍ନ ଭୋଜନ ଦାୟିତ୍ୱ ଦେଇଛନ୍ତି? ତେବେ ମାନ୍ନା ଟ୍ରଷ୍ଟକୁ ଅହେତୁକ ଅନୁକମ୍ପା ଦିଆଯାଇଥିବା ଅଭିଯୋଗ ଆସିବା ପରେ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ଉଠିଛି । ତାହା ହେଉଛି ତୃତୀୟ ମହଲା ସଂପୃକ୍ତି । ପୂର୍ବରୁ ଚିଟ ଫଣ୍ଡ ଦୁର୍ନୀତିରେ ନବୀନ ନିବାସର କର୍ମଚାରୀ ତଥା ବିଜୁ ଜନତା ଦଳର ଜଣେ କାର୍ଯ୍ୟକର୍ତ୍ତା ସରୋଜ ସାହୁଙ୍କ ନାମ ଉଠିଥିଲା । ସିବିଆଇ ତାଙ୍କୁ ଜେରା ମଧ୍ୟ କରିଥିଲା । ସେଥିପାଇଁ କିଛି ମାସ ତାଙ୍କୁ ନବୀନ ନିବାସରୁ ବାସନ୍ଦ କରାଯାଇଥିଲା । ପରେ ଅବଶ୍ୟ ବାସନ୍ଦ ଉଠିଯାଇଛି । ସିବିଆଇ ସରୋଜଙ୍କୁ ଡାକିବା ପରେ ବିରୋଧୀ ଦଳଗୁଡ଼ିକ ଅଭିଯୋଗ କରିଥିଲେ ଯେ ନବୀନଙ୍କ ନାକ ତଳେ ଘଟିଛି ଚିଟ୍ ଫଣ୍ଡ ଦୁର୍ନୀତି । ଏବେ ଆହାର ଓ ମଧ୍ୟାହ୍ନ ଭୋଜନ ଅନିୟମିତତାରେ ତୃତୀୟ ମହଲାର ସଂପୃକ୍ତି ନେଇ ଉଚ୍ଚ ନ୍ୟାୟାଳୟରେ ଅଭିଯୋଗ ହୋଇଛି । ତୃତୀୟ ମହଲା ହେଉଛି ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ । ଏହି କାର୍ଯ୍ୟାଳୟର ସବୁଠୁଁ ଅଧିକ ପ୍ରଭାବଶାଳୀ ଅଧିକାରୀ ତଥା ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବଙ୍କ ନାମ ଏହି ଅଭିଯୋଗରେ ରହିଛି । ଅନ୍ୟ ନଅ ଜଣଙ୍କୁ ମଧ୍ୟ ମାମଲାରେ ପକ୍ଷଭୁକ୍ତ କରାଯାଇଛି । ଏବେ ପୁଣି ବିରୋଧୀମାନେ କହିବାକୁ ସୁଯୋଗ ପାଇବେ- ନବୀନଙ୍କ ନାକ ତଳେ ଘଟିଛି ଆହାର ଓ ମଧ୍ୟାହ୍ନ ଭୋଜନ ଦୁର୍ନୀତି । ନବୀନଙ୍କ ସ୍ୱଚ୍ଛତା ପ୍ରମାଣ ପାଇଁ ଅଭିଯୋଗ ଉଠିଛି ମାନେ ତଦନ୍ତ ହେବା ବା‚ନୀୟ । ନହେଲେ ଲୋକେ ବୁଝିବେ ନବୀନଙ୍କ ଅନୁମତିରେ ଏପରି ଦୁର୍ନୀତି ହୋଇଛି । କୁହାଯାଇ ପାରେ ନବୀନଙ୍କ ନାକ ତଳେ ଖାଦ୍ୟର ବାସ୍ନା ମହକୁଛି!

Share :