ଏପଟେ ଭିଡ଼, ସେପଟେ ଭ୍ୟାକେନ୍ସି!

ଏପଟେ ଭିଡ଼, ସେପଟେ ଭ୍ୟାକେନ୍ସି!

Share :

ଦେବେନ୍ଦ୍ର ପୃଷ୍ଟି ବିଧାନସଭାରେ ବିରୋଧୀ ଦଳ ନେତା ଥିଲେ ଭୂପିନ୍ଦର ସିଂହ । ଚାରି ଚାରି ଥର ବିଧାୟକ ଭାବେ ଜିତିଥିଲେ । କଂଗ୍ରେସରେ ଥିଲେ । ବିଧାନସଭାରେ ସରକାର ତାଙ୍କ କଥାକୁ ଗୁରୁତ୍ୱ ଦେଉଥିଲେ । ପ୍ରତି ପ୍ରସଙ୍ଗରେ ତାଙ୍କ ବକ୍ତବ୍ୟ ଓ ପ୍ରତିକ୍ରିୟା ଗଣମାଧ୍ୟମରେ ପ୍ରକାଶ ପାଉଥିଲା । ୨୦୧୪ ନିର୍ବାଚନ ପୂର୍ବରୁ ବିଜେଡିରେ ମିଶିଲେ । ଅଧା କାର୍ଯ୍ୟକାଳ ପାଇଁ ରାଜ୍ୟସଭା ସଦସ୍ୟ ହେଲେ । ଏବେ ସେ କେଉଁଠି? ରାଜ୍ୟ ଗୃହ ନିର୍ମାଣ ନିଗମର ଅଧ୍ୟକ୍ଷ ପଦରେ ଥଇଥାନ ହୋଇଛନ୍ତି ସିନା ରାଜ୍ୟ ରାଜନୀତିରେ ହଜିଗଲେଣି । ବିଜେଡିରେ ବି ତାଙ୍କ ଗୁରୁତ୍ୱ କ’ଣ? ଦଳର କେଉଁ ନିଷ୍ପତ୍ତିରେ ତାଙ୍କ ପରାମର୍ଶ ନିଆଯାଉଛି? କଂଗ୍ରେସ ବିଧାୟକ ଦଳର ସଂପାଦକ ଥିଲେ ଅନୁପ ସାଏ । ଦଳରେ ଗୁରୁତ୍ୱ ଥିଲା । ସେତେବେଳେ ଅନ୍ୟ ଦିନମାନଙ୍କରେ ନହେଲେ ବି ବିଧାନସଭା ଅଧିବେଶନ ସମୟରେ ତାଙ୍କୁ ଟିଭି ଓ ଖବରକାଗଜରେ ଦେଖିବାକୁ ମିଳୁଥିଲା । ଏବେ ସେ କେଉଁଠି? ବ୍ରଜରାଜନଗରରୁ ବିଧାନସଭାରେ ଏବେ ପ୍ରତିନିଧିତ୍ୱ କରୁଛନ୍ତି ଭାରତୀୟ ଜନତା ପାର୍ଟିର ରାଧାରାଣୀ ପଣ୍ଡା । ଏହିପରି ଅବସ୍ଥା ଉମେଶ ସ୍ୱାଇଁ ଓ ଆହୁରି କେତେ କଂଗ୍ରେସ ନେତାଙ୍କର । ଏବେ ପୁଣି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଚନ୍ଦ୍ରଶେଖର ସାହୁ ତାଙ୍କ ସମର୍ଥକମାନଙ୍କ ସହିତ କଂଗ୍ରେସ ଛାଡ଼ିଛନ୍ତି । ଏପ୍ରିଲ ୪ ତାରିଖରେ ବିଜେଡିରେ ମିଶିବେ । ବିଧାୟକ ହେବେ କି ସାଂସଦ ତାହା ନବୀନଙ୍କ ନିଷ୍ପତ୍ତି ଉପରେ ନିର୍ଭର କରେ । ହରେଇବାକୁ ବି ବିଜେଡି ଭିତରୁ ଉଦ୍ୟମ ହେବା ଅସମ୍ଭବ ନୁହେଁ । କାରଣ ଏ ଦଳରେ ବିଧାୟକ ଓ ସାଂସଦ ହେବାକୁ ଆଗରୁ ଅନେକ ଲୋକ ଧାଡ଼ିରେ ଅଛନ୍ତି । ସେମାନେ ଚନ୍ଦ୍ରଶେଖରଙ୍କ ମୁଣ୍ଡରେ ଶିରପା ବାନ୍ଧି ନିଜେ ଗାଈ ଚରେଇବାକୁ ଯିବେ କି ନାହିଁ ଏବେଠାରୁ କହିହେବ ନାହିଁ । ବିଜେପିରେ ଥିଲାବେଳେ ରାଜ୍ୟ ସଭାପତି ହୋଇଥିଲେ ବିମ୍ବାଧର କୁଅଁର । କ୍ୟାବିନେଟ ମନ୍ତ୍ରୀ ବି ହୋଇଥିଲେ । ଏବେ ବିଜେଡିରେ ଅଛନ୍ତି । ସେ ଜଣେ ରାଜ୍ୟ ସ୍ତରୀୟ ନେତା ଥିଲେ ବୋଲି ଲୋକଙ୍କୁ ଏବେ ମନେ ପକାଇବାକୁ ପଡ଼ୁଛି । ଏମିତିକି ବିଜେପୁର ନିର୍ବାଚନ ସମୟରେ ବି ତାଙ୍କ ଗୁରୁତ୍ୱ କେହି ଅନୁଭବ କଲେ ନାହିଁ । ସେହିପରି ବିଜେପିରେ ଥାଇ ଉପବାଚସ୍ପତି ହୋଇଥିଲେ ଗଂଜାମର ରାମଚନ୍ଦ୍ର ପଣ୍ଡା । ବିଜେଡିରେ ମିଶି ଏବେ ଯୋଜନା ବୋଡର଼୍ରେ ଥଇଥାନ ହୋଇଛନ୍ତି । ଏ ବୋଡର଼୍ଟିର ବୈଠକ କେଉଁ କାଳୁ ବସି ନାହିଁ । ରାଜ୍ୟର ଯୋଜନା ଯାହା ହେଉଛି ତୃତୀୟ ମହଲାରୁ । ଯୋଜନା ବୋଡର଼୍ର କିଛି ଭୂମିକା ନାହିଁ । ଏହା ପାଲଟିଛି ଏକ ଥଇଥାନ ଓ ସନ୍ତୁଷ୍ଟିକରଣ କେନ୍ଦ୍ର । ଏମିତି ଦେଖିଲେ ବିଜେପିର ଅନ୍ୟ ଜଣେ ନେତା ଥିଲେ ଅରବିନ୍ଦ ଢାଲି । ମନ୍ତ୍ରୀ ହୋଇଥିଲେ । କ’ଣ ହେଲା କେଜାଣି ବିଜେପି ଛାଡ଼ି ବିଜେଡିରେ ମିଶିଲେ । ମାଲକାନଗିରିରୁ ଆସି ଜୟଦେବ ନିର୍ବାଚନ ମଣ୍ଡଳୀର ବିଧାୟକ ହେଲେ । ବାସ୍, ସେଇ ଥରକ । କେତେ ବର୍ଷ ହେଲା ତାଙ୍କୁ ଆଉ ନବୀନ ନିବାସ କି ବିଜେଡି ଅଫିସ ବି ଦେଖିବାକୁ ମିଳୁ ନାହିଁ । ରାଜନୀତିରୁ ଅବସର ନେଇ ମନ୍ତ୍ରୀ ଥିଲାବେଳେ କିଣିଥିବା ପ୍ରାୟ ୨୦ ଏକର ଜମିରେ ଚାଷ କରୁଛନ୍ତି ବୋଧେ! ରାଜ୍ୟରେ ବିଜୁ ଜନତା ଦଳ ଓ ଏହାର ନେତା ନବୀନ ପଟ୍ଟନାୟକ ୧୮ ବର୍ଷ ଧରି କ୍ଷମତାରେ ଅଛନ୍ତି । ସେଥିପାଇଁ ଏ ଦଳରେ ଅନେକ ନେତାଙ୍କ ଭିଡ଼ । ନବୀନଙ୍କ ରାଜନୀତିକ କୌଶଳରେ କଂଗ୍ରେସ ଦଳ ନିଶ୍ଚିହ୍ନ ହେବାକୁ ବସିଛି । ଜଣକ ପରେ ଜଣେ କଂଗ୍ରେସ ନେତା ବିଜେଡିକୁ ଡେଉଁଛନ୍ତି । କିନ୍ତୁ ସମସ୍ତେ ପିନାକୀ ମିଶ୍ର, ରୋହିତ ପୂଜାରୀ, ନୃସିଂହ ସାହୁ, ସୌମ୍ୟ ରଂଜନ ପଟ୍ଟନାୟକଙ୍କ ପରି ଭାଗ୍ୟଶାଳୀ ହୋଇନାହାନ୍ତି । ପିନାକୀ, ରୋହିତ ଓ ନୃସିଂହଙ୍କ କଥା ଅଲଗା । ସେମାନେ କେବେ ରାଜ୍ୟର ନେତା ହେବାକୁ ମନ ବଳାଇ ନାହାନ୍ତି ବା ସେଥିପାଇଁ ସେମାନଙ୍କର ଗ୍ରହଣୀୟତା ନାହିଁ । କିନ୍ତୁ ସୌମ୍ୟ ରଂଜନ ପଟ୍ଟନାୟକ? ସେ ରାଜ୍ୟର ନେତା ହୋଇପାରିଥାନ୍ତେ । ମୁଖ୍ୟମନ୍ତ୍ରୀ ହେବାର ସ୍ୱପ୍ନ ତାଙ୍କର ବି ଥିଲା । ଏବେ ବି ଥାଇପାରେ । କିନ୍ତୁ ବିଜେଡିରେ ଥାଇ ସେ ରାଜ୍ୟର ନେତୃତ୍ୱ ନେଇପାରିବେ କି? ଏବେ ଏକଥା ଲାଗୁ ନାହିଁ । କିଏ ଜାଣେ ଆଗକୁ ସେ ନବୀନଙ୍କ ରାଜନୀତିକ ଉତ୍ତରାଧିକାରୀ ହୋଇପାରନ୍ତି! ପ୍ୟାରୀ ମୋହନ ମହାପାତ୍ର ନବୀନ ପଟ୍ଟନାୟକଙ୍କର ରାଜନୀତିକ ସହାୟକ (ଗଣମାଧ୍ୟମ ତାଙ୍କୁ ମାର୍ଗଦର୍ଶକ ଭାବେ ଉପସ୍ଥାପିତ କରୁଥିଲା) ଥିଲାବେଳେ ତାଙ୍କୁ ନିଷ୍କଣ୍ଟକ କରିବା ପାଇଁ ପ୍ରତି ନିର୍ବାଚନ ମଣ୍ଡଳୀରେ ସମାନ୍ତରାଳ ନେତୃତ୍ୱ ସୃଷ୍ଟି କରିଥିଲେ । ଗୋଟେ ଗୋଟେ ଆସନରୁ ଲଢ଼ିବା ପାଇଁ ତିନି ଚାରି ଜଣ ନେତା ବାହାରୁଥିଲେ । ତାଙ୍କ ତାଙ୍କ ଭିତରେ ପ୍ରତିଯୋଗିତା ହେଉଥିଲା । ଜଣେ ଟିକଟ ପାଉଥିଲେ । ଅନ୍ୟମାନେ ନିରାଶ ହେଉଥିଲେ ବି କିଛି କିଛି ପାଉଣା ପାଇ ଚୁପ୍ ରହୁଥିଲେ । ଏବେ ବି ସେହିପରି ନେତାମାନେ ବିଜେଡିରେ ଅଛନ୍ତି । କଂଗ୍ରେସ ନେତାମାନେ ବିଜେଡ଼ିରେ ମିଶିବା ପରେ ସେମାନଙ୍କ ଭିଡ଼ ବଢ଼ୁଛି । ବ୍ଲକ, ପୌରପାଳିକା ଓ ଜିଲ୍ଲାରେ ପତିଆରା ସୃଷ୍ଟି ପାଇଁ ଏଭଳି ପ୍ରତିଯୋଗିତା ଆଗକୁ ବଢ଼ିବାର ସମ୍ଭାବନା ଯଥେଷ୍ଟ ଅଧିକ । କିଛି ଲୋକ ପସ୍ତେଇବେ, କିଛି ଲୋକ ପ୍ରତିଯୋଗୀଙ୍କ ଚେର କାଟିବା କାମରେ ଲାଗିବେ । ଚୀନର କମୁ୍ୟନିଷ୍ଟ ଶାସନ ପରି ଓଡ଼ିଶାରେ ନବୀନ ପଟ୍ଟନାୟକ ଏକରକମ ଏକଦଳୀୟ ଶାସନ ଚଳାଇବାରେ ଏଯାଏଁ ସଫଳ ରହିଛନ୍ତି । ଏବେ କଂଗ୍ରେସର ଯେଉଁ ଅବସ୍ଥା ଏହି ବ୍ୟବସ୍ଥା ଆହୁରି କେତେ ବର୍ଷ ବଳବତ୍ତର ରହିପାରେ । ତେବେ ଗତ ପଂଚାୟତ ନିର୍ବାଚନରେ ଆଶାତୀତ ଫଳପ୍ରାପ୍ତ କରି ଭାରତୀୟ ଜନତା ପାର୍ଟି ଏହି ଏକଦଳୀୟ ଶାସନ ବ୍ୟବସ୍ଥାକୁ ପ୍ରତିହତ କରିବା ପାଇଁ ଗୋଟେ ବଡ଼ ସମ୍ଭାବନା ସୃଷ୍ଟି କରିଥିଲା । କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରଭାବଶାଳୀ ପ୍ରଚାର ଅଭିଯାନ ଓ ଆକର୍ଷଣ ଫଳରେ କେତେକ ଅଂଚଳର କଂଗ୍ରେସ ନେତା ଏହି ଦଳରେ ଯୋଗଦେଇଥିଲେ । ଏବେ କିନ୍ତୁ ସେ ଧାରା ଆପାତତଃ ବନ୍ଦ ରହିଛି । ଭାରତୀୟ ଜନାତ ପାର୍ଟିରେ ଅନେକ ଭ୍ୟାକେନ୍ସି ଅର୍ଥାତ ଖାଲି ସ୍ଥାନ ରହିଛି । ସେ ଦଳରେ ଯୋଗଦେଲେ ଅନେକ ନିର୍ବାଚନ ମଣ୍ଡଳୀରେ ଟିକଟ ମିଳିବା ନିଶ୍ଚିତ । ତଥାପି କଂଗ୍ରେସ ଛାଡ଼ୁଥିବା ନେତାମାନେ ବିଜେପିକୁ ନଯାଇ ବିଜେଡି ଭିଡ଼ରେ କାହିଁକି କେଜାଣି ହଜିବାକୁ ଚାହୁଁଛନ୍ତି! ସେହିପରି ରାଜ୍ୟରେ ବିଜେଡିକୁ ଟକ୍କର ଦେବା ପାଇଁ ଆଉ ଏକ ଆଂଚଳିକ ଦଳର ଆବଶ୍ୟକତା ରହିଥିବା ଅନେକ ସମୟରେ ରାଜନୀତିକ ପର୍ଯ୍ୟବେକ୍ଷକମାନେ ମତ ଦେଇଥାନ୍ତି । କଂଗ୍ରେସକୁ ହଟେଇବା ପାଇଁ ଯେପରି ବିଜେପି ପ୍ରୋତ୍ସାହନରେ ଜନତା ଦଳକୁ ଭାଙ୍ଗି ବିଜେଡି ଗଢ଼ାଗଲା ଓ ସେହି ଦଳ ବିଜେପି ସହିତ ମେଣ୍ଟ କଲା ସେହିପରି ଏକ ରାଜନୀତିକ କୌଶଳ କଲେ ବିଜେଡିକୁ ମୁକାବିଲା କରିହେବ । ଓଡ଼ିଆଙ୍କ ସ୍ୱାର୍ଥ, ସ୍ୱାଭିମାନ ଓ ସମୃଦ୍ଧି ପରି ଆଂଚଳିକ ପ୍ରସଙ୍ଗରେ ନବୀନଙ୍କ ବିଫଳତାକୁ ଅସ୍ତ୍ର କରିବା ପାଇଁ ଆଉ ଏକ ଆଂଚଳିକ ଦଳ ଦରକାର । କାରଣ ନବୀନଙ୍କର ଦିଲ୍ଲୀରେ ଥିବା କଂଗ୍ରେସ ଓ ବିଜେପି ବନ୍ଧୁମାନେ ଓଡ଼ିଶାରେ ତାଙ୍କ ବିରୋଧରେ ଲଢ଼ିବା ପାଇଁ ସେତେଟା ଗୁରୁତ୍ୱ ଦେଇ ନାହାନ୍ତି । ବରଂ ଅନେକ ସମୟରେ ସେମାନେ ନବନୀଙ୍କ ସ୍ୱାର୍ଥ ପାଇଁ ଓଡ଼ିଶାର ଦଳୀୟ ନେତାମାନଙ୍କୁ ଅକଳରେ ପକାଇଛନ୍ତି । ଏଭଳି ଅବସ୍ଥାରେ ନିଜ ଟେକ ରଖିବାକୁ ଚାହୁଁଥିବା ନେତାମାନେ କୁଆଡେ଼ ଯିବେ? ବିଜେଡିରେ ଯାଇଁ ହଜିବେ, ନିଷ୍ପତ୍ତିରେ ଅଂଶୀଦାର ନହୋଇ ଆଦେଶ ତାଲିମ କରିବେ, ନା ନୂଆ ଦଳ ଗଢ଼ିବେ ନା ବିଜେପିରେ ଯୋଗଦେଇ ଭ୍ୟାକେନ୍ସିର ଫାଇଦା ନେବେ?

Share :