ମାୟାଧର ନାୟକ ସେ ନାଟକର ନାୟକକୁ କେବେ ଭେଟିଛନ୍ତି କେଉଁଠି କି ? ନାୟକ ଗୋଟିଏ ନିହାତି ସରଳ ସଳଖ ଚରିତ୍ର। ତତ୍କାଳୀନ ସମାଜରେ ତାର ଖାତିର୍ ଖୁବ୍। ଏକମାତ୍ର ଉତ୍ତରାଧିକାରୀ ସୂତ୍ରରେ ଅମାପ ବିଷୟ ସମ୍ପତ୍ତିର ଈର୍ଷଣୀୟ ଅଧିକାରୀ ହେଲେ କ’ଣ ହେଲା, ବିଚରାଟି ବିଦ୍ୟାବୁଦ୍ଧି-ବିବର୍ଜିତ। ଅଥଚ ସବୁ ପାଇବାର କପାଳଲିଖନ ନେଇ ତାର ଜନ୍ମ। ପିଲାଦିନୁ ଗରିବଗୁରୁବାଙ୍କ ଛୁଆପିଲା - ସମସ୍ତଙ୍କ ମେଳରେ କଟିଯାଇଚି ତାର ଖିଆଲୀ କୈଶୋର। ଜନ୍ମରୁ ବାପମାଆଙ୍କୁ ହରାଇ ବଢ଼ି ଆସିଥିଲା ଅଜାଆଈଙ୍କ ପାଖେ - ଦୂର କେଉଁ ପଡ଼ାଗାଆଁ ଉଆସରେ। ଠିକ୍ ସାବାଳକ ହେବା ବେଳକୁ ତାକୁ ଜଣାଇ ଦିଆଯାଏ ଯେ ତାର ଅଛି ସାତରାଜାର ସଂପଦ। ମାତ୍ର ଏସବୁ ହାସଲ କରିବାକୁ ହେଲେ ତାକୁ ଯିବାକୁ ପଡ଼ିବ ଏଠୁ ମାଇଲ ମାଇଲ ଦୂର ସେଇ ମହାନଗରୀକୁ - ଯେଉଁଠି ରାତି ନାହିଁ କି ଜାତି ନାହିଁ - ଉଞ୍ଚାଉଞ୍ଚା ତାଳଗଛଗୁଡ଼ାକୁ ହାର୍ ମନାଇଦେବା ଭଂଗୀରେ ସେଠି ଶହେ କୋଠା - ବହେ କମ୍ପାନୀ। ବିଚରା ନାୟକଟିକୁ ମହାନଗରୀରୁ ଆସିଥିବା ବାରିଷ୍ଟର ମହୋଦୟ ଯେତେବେଳେ ତାର ପୂର୍ବପୁରୁଷଙ୍କ େସ୍ୱାପାର୍ଜିତ ଏ ଅଶେଷ ଐଶ୍ୱର୍ଯ୍ୟର ବିବରଣୀ ପ୍ରଦାନ ପୂର୍ବକ ଗୋଟିଏ ଉଇଲ୍ ବଢ଼ାଇଦେଲେ, ସେତେବେଳେ ଧାଡ଼ିଟିଏ ବି ବୁଝିପାରିଲା ନାହିଁ ସେ। ଯେତେବେଳେ ଘଡ଼ିଏ ଦିଘଡ଼ି ନୟାନ୍ତ ଶ୍ରମ କରି ପ୍ରୌଢ଼ ବାରିଷ୍ଟରଙ୍କ ଦେହମୁହଁ ଝାଳନାଳରେ ଗୋଟିପଣେ ଜୁଡ଼ୁବୁଡ଼ୁ, ସେତେବେଳେ ଉତ୍ତୀର୍ଣ୍ଣ-କୈଶୋର ନାୟକ ତାଙ୍କୁ ପଚାରୁଛି - ଆଚ୍ଛା, ସେ ଧନଦୌଲତ ଆମ ଅଜାଙ୍କ ସାତଶଗଡ଼ରେ ଏଠିକି ବୋହିଆଣି ହବନି? ବିଚକ୍ଷଣ ନ୍ୟାୟବାଗୀଶ ମହୋଦୟଙ୍କର ବୁଝିବାକୁ ଆଉ ସୂତାଖିଏ ବି ବାକି ରହିଲା ନାହିଁ। ନାୟକର ଏଇ ଗୋଟିଏ ପ୍ରଶ୍ନରେ ସେ ଠିକ୍ ଠଉରାଇପାରିଲେ ଯେ କାହା ହାବୁଡ଼ରେ ତାଙ୍କୁ ପରିସ୍ଥିତି ଆଣି ପକାଇଦେଇଛି! ନିର୍ବିକାର ନିର୍ବୋଧତାର ଗୋଟାଏ ନିରୀହ ନମୁନା ଆଗରେ ତାଙ୍କ ହିସାବଦୋରସ୍ତ ପେସାଦାର ବୁଦ୍ଧିର ଘୋଡ଼ାଦୌଡ଼ଟା ବିଲକୁଲ୍ ଅକାମୀ! ଅଦାଲତର ଅଡ଼ା ଭିତରେ ତହୁଁ ବଳି ବିରାଟ ବିରାଟ ଆସ୍ଫାଳନକାରୀ ବୌଦ୍ଧିକ ମାଲବାପୁଡ଼ାଙ୍କୁ ଅନାୟାସରେ ହଡ଼ାବଳଦ କରି ହୁରୁଡ଼ାଇଦେଉଥିବା ବରିଷ୍ଠ ନ୍ୟାୟାଳଙ୍କାର ଆପଣେଙ୍କୁ ବୁଦ୍ଧିବାଟ ଦିଶିଲାନି ୟାପରେ। ମାତ୍ର ଭାଗ୍ୟକୁ ତାଙ୍କ ସହିତ ଆସିଥିଲା ତାଙ୍କର ସର୍ବାଙ୍ଗସୁନ୍ଦରୀ ସୁଶିକ୍ଷିତା କନ୍ୟା - ନାୟକଟିର ପ୍ରାୟ ସମବୟସିନୀ। ବାପାଙ୍କୁ ସେଇ ହିଁ ଉଦ୍ଧାର କଲା ଏ ମର୍ମସଂକଟରୁ। ନାୟକକୁ ସେ ଉତ୍ତର ଦେଲା - ହଁ, ତମର ସେ ଧନଦୌଲତ ସବୁ ଏଠିକି ଆଣିହେବନି କାହିଁକି? ଆଣିହେବ ଅଲବତ୍। ହେଲେ ଆଣିବା ଆଗରୁ ଗଣିବା ପାଇଁ ପଡ଼ିବ। କ’ଣ ଗୋଟିଏ ଗୋଟିଏ ହେଇଚି କି? କୋଟିଏ - କୋଟିଏ - ତାଳୁ ଉପରେ ଆଖି ଖୋସି ହେଇଗଲା ପରି ସେ ଦୌଲତ। ନାୟକକୁ ସମବୟସିନୀ ସୁନ୍ଦରୀ ଝିଅଟିର କଥା ଭାରି ଭଲ ଲାଗିଲା। ବଡ଼ ଅସହାୟ ଭାବରେ ସେ ସ୍ୱୀକାରୋକ୍ତି ଦେଲା - ମତେ ତ ଗଣିଆସେନି ...। ଝିଅଟି କହିଲା - ଠିକ୍ ଅଛି, କିଛି ପରବାୟ ନାହିଁ। ତମ ପାଇଁ ମୁଁ ଗଣିଦେବି। ତେବେ ଗୁଡ଼ିଏ ସମୟ ଲାଗିବ ଗଣନା ସାରିବାକୁ। ନାୟକ - କେତେ ସମୟ? ଝିଅଟିକୁ ଏଥର ଆମେ ଏଇଠୁ ନାୟିକା ଭାବରେ ଉଲ୍ଲେଖ କଲେ କ’ଣ ଭୁଲ ହେବ? ହଁ, ନାୟିକା ଏ ପ୍ରଶ୍ନର ଉତ୍ତରରେ ଓଠଟି ନ ଖୋଲି ଆଖି ନଚେଇଲା ଟିକେ। ବାସ୍, ଏହାପରେ ଆଉ କଥା ନ ଥାଏ କିଛି କହିବାକୁ। ଯାହା ବାରିଷ୍ଟର୍ ମହାଶୟ ଗଳା ଝାଡ଼ି ଦି’ଘଡ଼ି ଧରି ବୁଝାଇପାରି ନ ଥିଲେ, ତାହା ବିନା ଶବ୍ଦ ବିନିମୟରେ ମାତ୍ର କେଇଟା ମୁହୂର୍ତ୍ତରେ ତାଙ୍କ ସୁଶିକ୍ଷିତା ସୁନ୍ଦରୀ କନ୍ୟାଟି ଦି’ ଆଖିର ନୀରବ ଭାଷାରେ ବୁଝାଇ ଦେଇପାରିଲା। ଖୋଲିକରି ଆମେ ଆଉ କ’ଣ କହିବା ଦରକାର ଯେ ନାୟକଟି ନାୟିକା ସହିତ ନିର୍ଦ୍ଧାରିତ ମହାନଗରୀ ଆଡେ଼ ମୁହାଇଁବାକୁ ମୌନମୁଦ୍ରାର ସମ୍ମତି ପ୍ରକାଶ କଲା ବୋଲି? ଭାଷା ଯେଉଁଠି ସରିଆସେ, ଭାବ ସେଇଠି ସୁରୁହୁଏ। ଅଥଚ ଏଇ ସୁରୁ ହେବାଟା କେବେ ସରିପାରେ ନାହିଁ। ସେଇଥିପାଇଁ ତ ଇଏ ହେଉଛି ଭାବ। ଭାବ କେବେ ଅଭାବ ପ୍ରକାଶ କରିନଥାଏ, ଅଭାବ ପ୍ରକଟାଇ ଦେଇଥାଏ କେବଳ ଭାଷା। ଭାଷା ମଣିଷକୁ କେତେବେଳେ ଭଙ୍ଗାଥାଳର ଭିକାରି କରିଦେଇଥାଏ ତ କେତେବେଳେ ଇନ୍ଦ୍ରଜାଲ ବିଛାଉଥିବା ଶିକାରୀ! ଭାବ କିନ୍ତୁ ବିନା ଭାଷାରେ ମନର ମନ୍ଥନ, ପ୍ରାଣର ସ୍ପନ୍ଦନ, ଆତ୍ମାର ଆବେଦନ ... ଆଖି ମିଟିକାରେ କରିଦେଇ ପାରେ ହୃଦୟ ହରଣ! ଏଇ ଭାବକୁ କୋବିଦେ ବିଳିବିଳାନ୍ତି ପ୍ରେମ, କବିଏ ବୋଲନ୍ତି କେଳି, କଥକେ କହନ୍ତି ଭଲପାଇବା, ଗାୟକେ ଗୁଣୁଗୁଣାନ୍ତି ପୀରତି। ଲୋକେ ଭାବନ୍ତି - ଇଏ ନିଛକ ବାତୁଳତା, ଥୋକେ ବଖାଣନ୍ତି ବୟସର ଦୋଷ - ବିଜ୍ଞାନୀଏ ଏହାକୁ ଏକ ବିଶେଷ କିସମର ଜୈବରାସାୟନିକ ପ୍ରକ୍ରିୟାର ପରିଣତି ବୋଲି ଚିହ୍ନାଇ ଦେଲାବେଳକୁ ମନୋବିଜ୍ଞାନୀଏ ଚେତାଇ ଦିଅନ୍ତି ଇଏ ଆମ ଦିକଦାର୍ ଦିଗୋଡ଼ିଆଙ୍କ ଲହଲହକା ‘ଲିବିଡୋ’ର ଦୋନାବୁଡ଼ିଆ ଲହଡ଼ି! ଭାବକୁ ଭାଷା ଜରିଆରେ ବୁଝାଇ ଦେଇଛୁଁ ବୋଲି ବିବୁଧେ ଯେତେ ଯାହା ବାହା ପିଟୁଥାନ୍ତୁ ପଛେ, ସବୁ ବାହାନା ଆଉ ବାହୁନା ପଛପଟେ ଖଣ୍ଡେ ଦୂରରେ ଖାଡ଼ା ହୋଇ ଖୋଦ୍ ଭାବ ହସୁଥାଏ ମୁଲାୟମ୍ ମୁର୍କିହସ! କାରଣ ଭାଷାର ସିନା ଭାବମୂର୍ତ୍ତି ହାସଲ ପାଇଁ ଏତେ ଖୋଜାଲୋଡ଼ା କି ଖୋଳାତଡ଼ା - ମାତ୍ର ଭାବର ପ୍ରୟୋଜନ ନାହିଁ ନିଜ ପାଇଁ କୌଣସି ଦୋଭାଷୀ ଭଡ଼ା କି ତ୍ରିଭାଷୀ ପଢ଼ା! ଭାବ ଚିରକାଳ ଭାଷାତୀତ, ଚିରଦିନ ଚିତ୍କାର-ରହିତ! ବର୍ତ୍ତମାନ କୁହାଯାଇପାରେ ଯେ ନାୟକ ଓ ନାୟିକା ଏବେ ଏକ ଭାଷାତୀତ ଅବସ୍ଥାରେ। ସମବେତ ସଜ୍ଜନମଣ୍ଡଳୀ ନାଟକର ଦର୍ଶକ ଭୂମିକାରେ ପ୍ରତୀକ୍ଷାରତ - କେବେ ଚୁମ୍ୱନ, କେବେ ଆଲିଙ୍ଗନ, କେବେ ମାଳାର୍ପଣ, କେବେ ମଧୁମିଳନ? କୌତୂହଳୀ କଳାପ୍ରେମୀଏ କରତାଳିରେ ଗଗନପବନ ପ୍ରକଂପିତ କରିବେ ବୋଲି ଶତ ପ୍ରତିଶତ ସୁପ୍ରସ୍ତୁତ - କେତେବେଳେ ନିରକ୍ଷର ନିରୀହ ନାୟକକୁ ନିଶିନାଶ ହେବା ପୂର୍ବରୁ ଚେତିଚତୁରୀ ଚାହିଁଲାପରି ମୃଦୁମୃଦୁ ମନ୍ଦହାସୀ ନାୟିକାଟି ନିଜ ପଦ୍ମପାଦର ଅଳତାରଙ୍ଗା ନଖରେ ଭୂଇଁରେ ଗାର କାଟି କହିବ ‘ଆଇ ଲଭ୍ ୟୁ’ .. ଏବଂ ବଇନାପ୍ରାପ୍ତ ବାଦ୍ୟକାରବର୍ଗ ମଧ୍ୟ ଚାହିଁରହିଛନ୍ତି ସେହି ଆସନ୍ନ ଲଗ୍ନକୁ - କେବେ ମଞ୍ଚଆଡ଼କୁ ପୁଷ୍ପଶର ଚାଳନ ପୂର୍ବକ ଆବିର୍ଭୂତ ହେବ କାମଧନୁର୍ଦ୍ଧର କନ୍ଦର୍ପ, କେବେ ଗୁଂଜରିଉଠିବ ନାମହୀନ ନାୟକର ନାୟିକା ପ୍ରତି ଆତ୍ମନିବେଦନୀ : ଚାଙ୍ଗୁ ଘାଉଁଘାଉଁ, ଚାଲ୍ ଗୋରୀ, ଚୁପ୍ଚାପ୍ ଛୁ’ ହବା ଏ ଗାଉଁ। ଏହା ପରେ ପରେ ହିଁ ଏକା ସାଙ୍ଗେ ବାଜିଉଠିବା କଥା ବହୁବିଧ ବାଦ୍ୟଯନ୍ତ୍ର ସମେତ କତିପୟ ଯୁବାପୁରୁଷଙ୍କ ଘନଘନ ହୁଇସିଲ୍ ଆଉ ନବବଧୂବୃନ୍ଦଙ୍କର ପୁରାତନ ସ୍ମୃତିର ସାରଙ୍ଗୀସବୁ! ନା। କିଛି ଫୁଟି ଉଠିଲା ନାହିଁ ଏଇସବୁ ନାଟକୀୟ ସମ୍ଭାବନା-ସମ୍ୱଳିତ ସମ୍ମୋହନକାରୀ ଦୃଶ୍ୟପୁଞ୍ଜ। କିଛି ଘଟିଲା ନାହିଁ ଏଇସବୁ ପ୍ରତ୍ୟାଶିତ ଘଟନାବଳୀର ଘନଘଟା। ପରିଚିତ ପଡ଼ାଗାଆଁଟିରୁ ଏକବାରେ ଅଚିହ୍ନା ଅଜଣା ମହାନଗରୀକୁ ଚାଲିଆସିଲା ନାୟକଟି। ଭାବିଥିଲା, ମାସେ ଦେଢ଼ ମାସେ ଭିତରେ ସରିଯିବ ସମ୍ପତ୍ତି ତାଲିକାର ପରିପୂର୍ଣ୍ଣ ଫର୍ଦ୍ଦପାଠ। ହେଲେ ସରିଲାନି ସେ ସୁଦୀର୍ଘ ହିସାବ ଫର୍ଦର କୁେଣ୍ଢମୋଟ ଦସ୍ତାବିଜଗୁଡ଼ାକର ଚୂଡ଼ାନ୍ତ ପ୍ରସ୍ତୁତି - ଆକଳନର ଅଭିଯାନଟା ଆରମ୍ଭ ହେଲା ସିନା, ଏତେ ଶୀଘ୍ର ଶେଷ ହେଉଛି କେଉଁଠି? ନାୟିକା ଗଣୁଚି ତ ଗଣୁଚି - ଗଣାଚାଲିଚି - ଏମିତି ବର୍ଷେ ପୂରିଗଲା। ନାୟକ କିନ୍ତୁ ଏସବୁରେ ନାହିଁ। ଏଇ ଗଣାଗଣିରେ ବଣା ନ ହୋଇ ସେ କାହିଁ ଚାଲୁଛି ତ କୁଆଡେ଼ ବୁଲୁଛି - ତା’ ଚଲାବୁଲା ବି ସରିବାର ନାହିଁ। ଆଜି ଫୁଲବାଗାନ୍ ତ କାଲି ଫଳବଗିଚା - ପହରଦିନ ଫାର୍ମ ହାଉସ୍ – ତା’ପରେ ଅନ୍ଧାରି ଇଲାକାର ଖଣିଖାଦାନ୍ ତ ଆଲୋକିତ ଅଞ୍ଚଳର କଳକାରଖାନା - ଏଠି ଜାଦୁଘର ତ ସେଠି ସିନେମାଘର - କେଉଁଠି କେତେ ଅଫିସ୍, କେତେ ଷ୍ଟଲ୍, କେତେ ହଲ୍, କେତେ ହୋଟେଲ୍ ... ଗୋଟି ଗୋଟି ଗଣୁଗଣୁ ବାଇଆ ହେବା ଛଡ଼ା ବାଟ କାହିଁ? ସେ ଜାଣି ତାଟକା ଯେ ଏଇ ସବୁଗୁଡ଼ାକର ସେଇ ହିଁ ହେଉଛି ଏକମାତ୍ର ମାଲିକ। ସ୍ଥାବର ଅସ୍ଥାବର ଅଚଳାଚଳ ଏସବୁ ସମ୍ପତ୍ତିର ଏକମାତ୍ର ଉତ୍ତରାଧିକାରୀ। ମହାନଗରୀ ଯଦି କେନ୍ଦ୍ରବିନ୍ଦୁ ହୁଏ, ତା’ହେଲେ ପରିଧିସ୍ଥ ବିନ୍ଦୁଗୁଡ଼ିକ ହେଉଛନ୍ତି ବିଭିନ୍ନ ସହର। ଦେଶର ପ୍ରତ୍ୟେକ ନାମୀ ନଗରରେ ତା’ ପୂର୍ବପୁରୁଷଙ୍କର ପ୍ରଚୁର ପେଣ୍ଠସ୍ଥଳୀ, ସୁପ୍ରଚୁର ସୌଧ। ଯୁଆଡେ଼ ଗଲେ ସିଆଡେ଼ ତା’ କର୍ମଚାରୀ - ସବୁଠି ତାକୁ ଶହେ ସଲାମ୍, ସାତଶ ସାଲ୍ୟୁଟ୍ । ସେ ଯିବ କୁଆଡେ଼? ତାକୁ ପିଲାଦିନୁ ମାଲୁମ୍ ନ ଥିଲା ଏସବୁ ଗହନ କଥା। ପ୍ଲେନ୍ କ୍ରାସରେ ବାପାମାଆ ପାଉଁଶ ହୋଇଯିବା ପରେ ଅଜାଆଈ ଆସି ଏଇ ମହାନଗରୀରୁ ନେଇଯାଇଥିଲେ ତାକୁ - କେଉଁ ଏକ ଶାନ୍ତ ସହରତଳି ସେପଟର ତାଙ୍କ ଜମିଦାରୀ ଜାରି ରହିଥିବା ପଡ଼ାଗାଆଁକୁ। ସେ ଷୋଳସତର ବର୍ଷ ତଳର କଥା ତାର କ’ଣ ମନେଅଛି? ତାକୁ ତ ମୋଟେ ଦେଢ଼ବର୍ଷ ସେତେବେଳେ। ହେତୁ ପାଇଲା ପରେ ବି ତାକୁ ଜଣାଇଦିଆଗଲାନି କିଛି। କାଳେ ଦୁଃଖ ତାକୁ ଚାପିଦେବ। ଅଜାଆଈଙ୍କୁ ହିଁ ସେ ତେଣୁ ସ୍ୱାଭାବିକଭାବରେ ଭାବିଆସିଛି ବାପାମାଆ। ପିଲାଟିଦିନରୁ ତାଙ୍କରି କୋଳରେ କାଖରେ ବଢ଼ିଆସିଛି ଭାରି ଗେଲବସରିଆ ହୋଇ। ଏମିତି ଗେଲବସରିଆ ଯେ ପାଠରେ ଡୋର ବନ୍ଧାହେଲା ଚାଟଶାଳୀକୁ ଯିବାର ପହିଲି ଦିନ ହିଁ ପାଠ ତାକୁ ଭଲ ଲାଗିଲାନି ଜମା। ଆକାଶର ଚଢ଼େଇ କ’ଣ ଅଢ଼େଇ ଅକ୍ଷର ଶିଖି ଗୀତ ମୁଖସ୍ଥ କରେ? ପାହାଡ଼ି ଝରଣା ପାଖେ ପାଣି ପିଉଥିବା ହରିଣ କ’ଣ ପଣିକିଆ ପଢ଼ି ପାରୁ ନଥିବାରୁ ଦୁବଘାସର କାନ ମୋଡେ଼? ପଡ଼ାଗାଆଁର ବାଛୁରୀଟି କ’ଣ ଆଗ ସିଲଟରେ ‘ମା’ ଶବ୍ଦ ମଡେ଼ଇ ସାରି ଦେଖେଇଦେଲା ପରେ ହିଁ ଯାଇ ସେ ଗାଈକୁ ‘ହଁମା’ ଡାକେ? ପ୍ରଥମ ଦିନରୁ ଏମିତି ଗୁଡ଼ିଏ ଅଡ଼ୁଆତଡ଼ୁଆ ଅଛିଣ୍ଡା ପ୍ରଶ୍ନମାଳା ଆରମ୍ଭ ହେଲା ଯେ ମାନନୀୟ ମାଷ୍ଟ୍ର ମହାଶୟ ଶେଷରେ ନିଜ ବାପାଙ୍କୁ ବି ମଉସା ଡାକିବାକୁ ମନ କଲେ। ପ୍ରଥମ ଦିନରୁ ହିଁ ଖଡ଼ିସିଲଟ ବଦଳରେ ବାଟୁଳିଖଡ଼ା ଧରି ଚାଟ କେତେବେଳେ କେଜାଣି ଓର ଉଣ୍ଡି ଚାଲିଗଲେ ନଈପନ୍ତାର ପାଖର ଝାଡ଼ବଣଆଡେ଼। ମାଷ୍ଟ୍ର ମହାଶୟ ସେତେବେଳେ ମେଜକୁ ଶେଯ ମଣି ଟିକିଏ ଢୁଳେଇ ପଡ଼ିଥିଲେ ନା କ’ଣ! ଆଖି ମେଲିଲା ପରେ ଅନ୍ଧାର। ଏଡ଼ିକି ବକଟେ ସାନପିଲା ଏକାଏକା କୁଆଡେ଼ କେମିତି ଚାଲିଗଲା, ଖୋଜୁଖୋଜୁ ବେଳବୁଡ଼। ଅଜା ଲୋକବାକ ନେଇ ତାକୁ ଗୋଟାଏ ବାଲୁବନ୍ତ କଡ଼ରୁ ଶୋଇପଡ଼ିଥିବା ଅବସ୍ଥାରେ ଉଦ୍ଧାର କରିଆଣିଲେ। ଆଈ କାନ୍ଦିକାଟି ଏଣେ ଆଖିଦି’ଟାରୁ ଗୋଟାକୁ କରିସାରିଲେଣି କଇଁପୋଖରୀ ତ ଆରଟିକୁ ପଦ୍ମପୋଖରୀ। ଅଜାଆଈ ସେ ଅମଳର ସହଜସରଳ ମଣିଷ। ଆଈ କହିଲେ - ଥାଉ ପାଠ। ଅଜା ତାଳ ମିଳେଇଲେ - ହୁଁ। ଅଜା କହିଲେ - ତା’ ମନ ଯୋଉଦିନ ପାଠର ଘର ଧରିବ, ସେଇଦିନ ସେ ଖଡ଼ି ଛୁଇଁବ। ଆଈ ତହୁଁ ପାଳିଧରିଲେ - ହଉ। ଆଈ କହିଲେ - ସେ ତ ନାତି ନୁହଁ, ଜାଣ ଆମର କୁଳଚନ୍ଦ୍ରମା ପୁଅ। ବିସ୍ତର ସମ୍ପତ୍ତି ଆଗକୁ ଖଂଜାଇ ରଖିଛନ୍ତି ବିଧାତା ତା’ ପାଇଁ। ପଣପଣ ପାତ୍ରମନ୍ତ୍ରୀଙ୍କୁ ନେଇ ରାଜା ରାଜୁତି କଲା ପରି ସିଏ ବଡ଼ ହେଲା ପରେ ତାର ଶହଶହ ପାଠୁଆଶାଠୁଆ କର୍ମଚାରୀ ତା’ ପାଇଁ ଟିକିନିଖି ହିସାବକିତାବ ସମ୍ଭାଳି ରଖିବେନି କି? ଅଜା ଉତ୍ତର ଦେଲେ - ଠିକ୍ ଠିକ୍। ହେଲେ ତାକୁ କିଛି ଜଣାନା। ସେ ଆମ ଚାଷକ୍ଷେତରୁ ବାଡ଼ିବଗିଚାଯାଏଁ ସାଙ୍ଗୋପାଙ୍ଗ ଧରି ବୁଲିବାଲି ଦିନ କାଟୁଥାଉ - ଫୂର୍ତ୍ତି କରୁଥାଉ। ପାଠ ପାଇଁ କ’ଣ ବୟସ ବଳେଇ ଯାଇଚି? ହଁ, ବୟସ ସିନା ବଳେଇଗଲାନି - ପାଠ କିନ୍ତୁ ପଳେଇଗଲା କାହିଁ କେତେଦୂର କଳାପାଣି। ସେଠି କୁହୁଡ଼ି ପହଁରିଲା କି ଲହଡ଼ି ଗଣିଲା, ଏ ଗୁମର ଜଣାଥିଲେ ଜଣାଥିବ ମା ସରସ୍ୱତୀ କି ମହାପ୍ରୁ ଗଣପତି ପାପ୍ପାଙ୍କୁ। ନାୟକର ଶୈଶବ ଅତିକ୍ରାନ୍ତ। କୈଶୋର ଉତ୍ତୀର୍ଣ୍ଣ। ନବଯୁବକ ସେ। ମାତ୍ର ତା’ ଭିତରେ ଥିବା ଶିଶୁଟି ଆଉ ବିଦାୟ କେବେ ନେଇପାରିଲା ନାହିଁ। ସେଇ ସନାତନ ଶିଶୁଆତ୍ମା ତାର ମନପ୍ରାଣକୁ ଆପ୍ଳୁତ କରିରହିଲା ସେ ଯୁବକ ହେବାଯାଏଁ। ଯୁବନାୟକ ଯେଉଁଦିନ ସାହେବୀ ବେଶପୋଷାକ ପିନ୍ଧି ବାରିଷ୍ଟର୍ ମହୋଦୟ ଭୁବନମୋହନବାବୁ ଆଉ ତାଙ୍କ କନ୍ୟା ରଂଜନା ସହିତ ଆସି ମହାନଗରୀରେ ପାଦ ଦେଇଥିଲା, ସେଦିନ ସେ ଜାଣି ନ ଥିଲା ଯେ ସ୍ଥାନ ପରିବର୍ତ୍ତନ ସାଥେସାଥେ ତାର ନାମ ପରିବର୍ତ୍ତନ ବ୍ୟାପାରଟା ମଧ୍ୟ ଘଟିଯାଇପାରେ! ଭୁବନମୋହନବାବୁ ତାକୁ ମହାନଗରୀର ପ୍ରଥମ ସ୍ୱାଗତ ସମ୍ୱର୍ଦ୍ଧନା ସଭାରେ ପରିଚିତ କରାଇ ଦେବାକୁ ଯାଇ କହିଲେ - ଭଦ୍ରମହିଳା ଏବଂ ଭଦ୍ରବ୍ୟକ୍ତିବୃନ୍ଦ, ଆଜି ଆପଣମାନଙ୍କ ଦ୍ୱାରା ଆୟୋଜିତ ଏହି ମହାସମାବେଶରେ ଆମ୍ଭମାନଙ୍କୁ କୃତାର୍ଥ କରିବା ନିମନ୍ତେ ମୁଖ୍ୟଅତିଥି ରୂପେ ଯିଏ ଉଭାହୋଇଛନ୍ତି, ସେ ହେଉଛନ୍ତି ଜୁନିଅର୍ ମିଷ୍ଟର ସାନ୍ତ୍ରା। ନାୟକ କିନ୍ତୁ ଏକଡ଼କୁ ସେକଡ଼କୁ ଆଗକୁ ପଛକୁ ଅନାଇ ମିଷ୍ଟର ସାନ୍ତ୍ରା କାହାକୁ କେଉଁଠି କୃତାର୍ଥ କରିବା ପାଇଁ ଉଭା ହୋଇଛନ୍ତି କିଛି ଟେର୍ ପାଇଲା ନାହିଁ। ହଉ ଦେଖିବା ଏ ମେଲଣଟା ସରୁ - ମନେମନେ ଏତକ ଠିକ୍ କରିସାରି ସେ ନିଜ ନିର୍ଦ୍ଧାରିତ ଆସନରେ ବସି ରହିଲା। ସମାବେଶ ସଂପନ୍ନ ହେଲା। ନାୟକ ଏଥର ଅନୁଭବ କଲା ତା’ ଚାରିପଟର ପବନରେ ଚହଟିଯାଉଛି ଶତକଦମ୍ୱର ବାସ୍ନା। କଥା କ’ଣ? ତାକୁ ଏମିତି ଘେରି ରହିଛନ୍ତି କାହିଁକି ଏ ମହାନାଗରୀ ଅପ୍ସରାଏ? ସେତେବେଳକୁ ସମାଗତ ଭଦ୍ରମହିଳାମାନେ ସ୍ତବକିତ ପୁଷ୍ପଗୁଚ୍ଛର ସଜ୍ଜିତ ସମ୍ଭାର ନେଇ ବିଚରାକୁ ବଳୟିତ କରିସାରିଲେଣି। କିଏ ତାକୁ କରମର୍ଦ୍ଦନ କରି ନିହାତି ନଛୋଡ଼ବନ୍ଧା ତ ଆଉ କିଏ ତା’ ଆଡ଼କୁ ଆଉଜିଆସି ବାସୁଚି ଯେମିତି ରୂପସୀ ରଜନୀଗନ୍ଧା! ତା’ ପଡ଼ାଗାଆଁର ସବୁତକ ଫୁଲବାସ୍ନାକୁ କ’ଣ ପାଛୋଟିଆଣିଚି ଏ ପବନ? ‘ମିଷ୍ଟର ସାନ୍ତ୍ରା’, ‘ହ୍ୟାଲୋ ମିଷ୍ଟର ସାନ୍ତ୍ରା’ କହି କେହି ନିଜକୁ ତା’ ଆଗରେ ଚିଫ୍ ସେକ୍ରେଟାରୀ କହୁଚି ତ କେହି କହୁଚି ଡିଜି ପୁଲିସ୍ - ଆଉ କେହି କେହି ‘ଆଇ ଆମ୍ ଟାଟା’, ‘ଆଇ ଆମ୍ ବିର୍ଲା’, ‘ଆଇ ଆମ୍ ପଲ୍ ଫ୍ରମ୍ ଲଂଡନ୍’ କହି ତାକୁ କୁଣ୍ଢେଇ ଧରିଲେଣି ତ ଆଉଜଣେ ନିଜକୁ ମିନିଷ୍ଟର୍ ଅଫ୍ ଇଣ୍ଡଷ୍ଟ୍ରୀଜ୍ କହି ବେଢ଼େଇ ଧରିଲେଣି। ଏକପ୍ରକାର ଅଣନିଃଶ୍ୱାସୀ ଅବସ୍ଥା। ଏ କୁଶଳ ଜିଜ୍ଞାସାର କୁଣ୍ଡଳୀରେ ତା’ ମୁଣ୍ଡ ଭିତରଟା ପୂରା ଗୋଳମାଳ ହୋଇଯିବାର ଅବ୍ୟବହିତ ପୂର୍ବରୁ ଯୋଗକୁ ତା’ ହାଲ୍ ବୁଝିପାରି ତାକୁ ଆସି ରକ୍ଷାକର୍ତ୍ତ୍ରୀ ପରି ଆସ୍ତେ ହାତ ଧରି ଭିଡ଼ ଭିତରୁ ବାଟ କଢ଼ାଇ ଆଣିଲା ରଂଜନା - ଅର୍ଥାତ୍ ପୂର୍ବୋକ୍ତ ନାୟିକା। ରଂଜନା ମୁହଁରେ ମୃଦୁହସ। ନାୟକ ପଚାରିଲା - ଆଚ୍ଛା, ଏ ଲୋକସବୁ ମତେ ଏମିତି ହସିହସି ଭିଡ଼ି ଧରୁଛନ୍ତି କାହିଁକି? ସେଇ ଗୋଟିଏ କଥା ଏଇ ଘଡ଼ିଏ ହେଲା ମତେ ନୟାନ୍ତ କଲାଣି - ‘ମିଷ୍ଟର ସାନ୍ତ୍ରା’। ମତେ ତ ଆମ ଜମିଦାରିରେ ସମସ୍ତେ ଜାଣନ୍ତି ‘ରାଜୁ’ ବୋଲି - ଅଜା ଚିହ୍ନାଇ ଦେଇ ଅତିଥିମାନଙ୍କୁ କହିଥାନ୍ତି, ଇଏ ଆମ ରାଜକୁମାର - ତା’ହେଲେ ଏଠି କେମିତି ଆଉ କାହାର ନାଆଁଟାକୁ ଧରି ମତେ ଆସି ସଂଖୋଳୁଛନ୍ତି? ରଂଜନା ଉତ୍ତର ଦେଲା - ତମେ ଯେମିତି ସେଠି ଥିଲ ସମସ୍ତଙ୍କ ଡାକରେ ‘ରାଜୁ’, କେତେଜଣଙ୍କ ପାଖରେ ରାଜକୁମାର, ଏଠି ସେମିତି ସବୁ ମ୍ୟାଡାମ୍, ସାର୍ଙ୍କ ତୁଣ୍ଡରେ ମିଷ୍ଟର୍ ସାନ୍ତ୍ରା। ରାଜୁ ଓରଫ୍ ରାଜକୁମାର କିନ୍ତୁ ନିଜକୁ ମିଷ୍ଟର ସାନ୍ତ୍ରା ଭାବରେ ଗ୍ରହଣ କରିବାକୁ ନାମଙ୍ଗ ଏକବାରେ। ଅତଏବ ଆମେ ତାକୁ ଏଣିକି ‘ରାଜୁ’ ବୋଲି କହିବା। ରାଜୁକୁ ଏଥର ରଂଜନା କାର୍ରେ ବସାଇଲା। ନିଜେ ଡ୍ରାଇଭ୍ କରି ନେଇଗଲା ମହାନଗରୀର ଏକ ସୁବିସ୍ତୃତ ପୁଷ୍ପୋଦ୍ୟାନ ଆଡେ଼। ସେଇ ଉଦ୍ୟାନ ମଧ୍ୟରେ ପ୍ରକାଣ୍ଡ ଏକ ପଞ୍ଚତଳ ପ୍ରାସାଦ। ପ୍ରାସାଦ ଆଗରେ ତାଙ୍କ ଗାଁର ସୁନ୍ଦର ପଦ୍ମପୋଖରୀଠାରୁ ଦଶବାରଗୁଣ ବଡ଼ ଗୋଟାଏ ମନୋରମ ଜଳାଶୟ। ତାକୁ ରଂଜନା କହୁଥିଲା ସୁଇମିଂ ପୁଲ୍। ରାଜୁକୁ ଭାରି ଭଲ ଲାଗୁଥିଲା ଏଇ ଭୂଚିତ୍ର। ରଂଜନା କହିଲା - ଚାଲ। - କୁଆଡେ଼? ଅନତିଦୂରରେ ଗୋଟିଏ ନୂତନ ସୌଧ। ରଂଜନା ତର୍ଜନୀ ତୋଳି ଦେଖାଇଦେଲା - ସେଇଠିକି। ସେଇ ସୌଧ ନିକଟରେ ଦୁହେଁ ପହଞ୍ଚିଲେ। ରଂଜନା ଜାଣେ ରାଜୁର ପଢ଼ାଘର ଶୂନ। ତଥାପି ବଡ଼ବଡ଼ ସୁନେଲି ଅକ୍ଷରରେ ଖୋଦିତ ଖଣ୍ଡେ ପ୍ରଶସ୍ତ ସାଇନ୍ବୋର୍ଡ ଆଡ଼କୁ ରାଜୁର ଦୃଷ୍ଟି ଆକର୍ଷଣ କଲା ରଂଜନା। କହିଲା - ହେଇ ଦେଖ, ସେଇଠି ଲେଖା ହେଇଚି ମିଷ୍ଟର୍ ଆଣ୍ଡ୍ ମିସେସ୍ ସାନ୍ତ୍ରା ମେମୋରିଆଲ୍ ହଲ୍। ରାଜୁ ପଚାରିଲା - ଓଃ, ଏଇଠି ତା’ହେଲେ ରହନ୍ତି ମିଷ୍ଟର ସାନ୍ତ୍ରା? ରଂଜନା - ନା, ସେ ଆଉ ତାଙ୍କ ସ୍ତ୍ରୀ ମିସେସ୍ ସାନ୍ତ୍ରା ଅଠର ବର୍ଷ ପୂର୍ବରୁ ଏ ପୃଥିବୀ ଛାଡ଼ି ଅନ୍ୟଲୋକକୁ ଚାଲିଯାଇଛନ୍ତି। ସେ ଉଭୟଙ୍କ ସ୍ମୃତିରେ ଏ ମେମୋରିଆଲ୍ ହଲ୍। ଚାଲ, ସେଇ ହଲ୍ ଭିତରକୁ ଯିବା ଆମେ ଏଇନେ। ରାଜୁର ହାତରେ ହାତ ଛନ୍ଦି ରଂଜନା ତାକୁ ନେଇଆସିଲା ହଲ୍ ଆଗକୁ। ମୁଖ୍ୟଦ୍ୱାରରେ ପହରା ଦେଉଥିବା ଦୁଇଜଣ ଖାକିପୋଷାକୀ ସେମାନଙ୍କୁ ସାଲ୍ୟୁଟ୍ ମାରିଲେ। ରାଜୁ କିଛି କହିବା ଆଗରୁ ରଂଜନା ତା ହାତକୁ ଟାଣି ନେଇଆସିଲା ହଲ୍ର ବାରଣ୍ଡା ଉପରକୁ। ରାଜୁ ଦେଖିଲା, ଅନେକ ନାରୀପୁରୁଷ ମଧ୍ୟ ସେମାନଙ୍କ ପରି ହାତରେ ହାତ ଛନ୍ଦି ବିଭିନ୍ନ ବଖରା ବୁଲୁଛନ୍ତି - ନିବିଷ୍ଟ ଭାବରେ କ’ଣସବୁ ଦେଖୁଛନ୍ତି। ଅଧିକାଂଶ ଯୋଡ଼ି କିନ୍ତୁ ବୟସ୍କ। ରଂଜନା ରାଜୁକୁ ଗୋଟିଏ ବିରାଟ କୋଠରି ଭିତରକୁ ନେଇଗଲା। କାନ୍ଥରେ ଦୁଇଜଣଙ୍କର ପ୍ରକାଣ୍ଡ ତୈଳଚିତ୍ର। ସେଇ ତୈଳଚିତ୍ର ଆଗରେ ମୁଣ୍ଡ ନୁଆଇଁ ପ୍ରଣାମ କଲା ରଂଜନା। - ଏ ଦୁହେଁ ହେଉଛନ୍ତି ମିଷ୍ଟର ଆଣ୍ଡ ମିସେସ୍ ସାନ୍ତ୍ରା। ଦୁହିଁଙ୍କୁ ଆଖି ବୁଜି ପ୍ରଣାମ କର। କିଛି ନ ବୁଝି ରାଜୁ ମଧ୍ୟ ପ୍ରଣାମ କଲା। ଆଖି ଖୋଲି ରଂଜନାକୁ ଅନାଇବାବେଳକୁ ଦେଖିଲା ତାକୁ ଏକ ଲୟରେ ଚାହିଁ ରହିଛି ସେ। ଟିକିଏ ଅଲଗା ଚାହାଣି - ଟିକିଏ ଆଶ୍ଚର୍ଯ୍ୟ ଭାବରେ ଭରା। ନିଜ ଗାଲରେ ହାତ ବୁଲାଇଆଣି ରାଜୁ ପଚାରିଲା - କ’ଣ ହେଲା? ରଂଜନା କହିଲା - ଏତେ ମେଳ? ରାଜୁ ବୁଝିପାରିଲାନି। ସେ କାନ୍ଥର ଠିକ୍ ବିପରୀତ ଦିଗର କାନ୍ଥଟାରେ ଖଂଜାଯାଇଛି ଖଣ୍ଡେ ବିଶାଳ ଦର୍ପଣ। ଏପରି ବିଶେଷ ଶୈଳୀରେ ଖଂଜାଯାଇଛି ଯେ ମନେହେଉଛି ଯେମିତି ସେ କାନ୍ଥଟା ଏ କାନ୍ଥର ଶତପ୍ରତିଶତ ଏକ ପ୍ରତିରୂପ! ରଂଜନା ସେଇ ବିପରୀତ କାନ୍ଥଟାଆଡେ଼ ଚାହିଁବାକୁ ଠାରିଦେଲା ତାକୁ। - ଦେଖୁଛ? - କ’ଣ? - ମିଷ୍ଟର୍ ସାନ୍ତ୍ରାଙ୍କୁ? - ଏ କାନ୍ଥରେ ବି ସେ ତ ଆମକୁ ଅନାଇଛନ୍ତି। - ତାଙ୍କ ମୁହଁକୁ ଭଲଭାବରେ ଅନାଅ। ରଂଜନା କ’ଣ କହିବାକୁ ଚାହେଁ ରାଜୁ ବିନ୍ଦୁବିସର୍ଗ କିଛି ଠଉରାଇପାରିଲାନି। ରଂଜନା ଏଥର ତାକୁ ହାତ ଧରି ନେଇଆସିଲା ବିପରୀତ କାନ୍ଥ ସାମ୍ନାକୁ। ଦାଉଦାଉ ଦର୍ପଣର କାନ୍ଥ। ଦିବ୍ୟସୁନ୍ଦରୀ ମିସେସ୍ ସାନ୍ତ୍ରାଙ୍କ ସହିତ ସଂଲଗ୍ନ ସୌମ୍ୟସ୍ନିଗ୍ଧ ମିଷ୍ଟର ସାନ୍ତ୍ରାଙ୍କ ଆକର୍ଷଣୀୟ ଚେହେରାର ଚିତ୍ରପଟ ସେ ଦର୍ପଣକାନ୍ଥରେ ପୂର୍ଣ୍ଣପ୍ରକଟିତ। ରାଜୁର ଦେହମୁହଁ ସେଇ ଦର୍ପଣକାନ୍ଥରେ ସ୍ପଷ୍ଟ ଫୁଟିଉଠିଥିଲା। ଚମକ ଛୁଇଁଲା ତାକୁ। ଏ କ’ଣ ସେ ଦେଖୁଛି ଆଖି ସାମ୍ନାରେ ତା’ର? ଦର୍ପଣରେ ଏକାବେଳକେ ଦୁଇଦୁଇଟି ମିଷ୍ଟର ସାନ୍ତ୍ରାଙ୍କ ମୁଖମୁଦ୍ରା! ମିଷ୍ଟର ସାନ୍ତ୍ରାଙ୍କ ମୁହଁ ଆଉ ତା’ ମୁହଁର ମେଳ ଏତେ ଅବିକଳ ଏକା! ହଁ, ମହାନଗରୀରେ ଯେଉଁଦିନ ସେ ପ୍ରଥମେ ପାଦ ଦେଇଥିଲା, ସେଇ ପ୍ରଥମ ଦିନଟି ପ୍ରକୃତରେ ତା’ ପାଇଁ ଥିଲା ଏଇଭଳି ଏକ ଆତ୍ମ-ଆବିଷ୍କାରର ଅଦ୍ଭୁତ ମଧ୍ୟାହ୍ନ। ସେଦିନ ରାତ୍ରିଭୋଜନର ପରିସମାପ୍ତି ପରେ ରଂଜନାର ଡାଡି ଭୁବନମୋହନବାବୁ ରାଜୁ ଆଉ ରଂଜନାକୁ ଏକାଠି ବସାଇ ଅତୀତର ଅନେକ କଥା ଗୋଟିଗୋଟି କରି କହିଯାଇଥିଲେ। ଅଜାଆଈ ତାକୁ ଅନାଥ ହେବାର ଅନୁଭବରୁ ଦୂରେଇ ରଖିବା ପାଇଁ କେତେ ଆଦରଯତ୍ନରେ କେମିତି ସେଇ ଅବୋଧ ବାଳୁତ ବୟସରୁ ବଢ଼େଇକୁଢ଼େଇ ଏଡ଼ୁଟିରୁ ଏଡେ଼ଟିଏ କରିଆସିଛନ୍ତି, ସେଇ କଥା ଭାବି ରାଜୁର ନିରୀହ ନିଷ୍ପାପ ଆଖି ଦି’ଟା ଛଳଛଳ ହୋଇଉଠିଥିଲା। ରଂଜନା ରାଜୁର ହାତ ଧରିପକାଇ ତାକୁ ଦମ୍ଭ ଦେଲା। ଭୁବନମୋହନବାବୁ କହିଲେ - ଏଥର ତମେ ତମକୁ ଆଉ ଥରେ ଚିହ୍ନିଲ। କାଲିସକାଳୁ ତମେ ମିଷ୍ଟର ସାନ୍ତ୍ରା ଭାବରେ ତମ ବାପାଙ୍କର ବର୍ଷବର୍ଷର ଶିଳ୍ପସାମ୍ରାଜ୍ୟକୁ ଘୂରିବୁଲି ତାର ବିଶାଳତା ଅନୁଭବ କରିବାକୁ ଦେଶବିଦେଶ ଗସ୍ତ ଆରମ୍ଭ କରିବ। କେଜାଣି କେତେ ଦିନ ପରେ ଏ ଗସ୍ତ ତମର ସରିବ? ତାଙ୍କ କଥାରେ ସେଦିନ କିଛି ଅତ୍ୟୁକ୍ତି ନ ଥିଲା। ସେ ଠିକ୍ କହିଥିଲେ। ଏ ମହାନଗରୀକୁ ଆସିବାର ବର୍ଷେ ପୂରିଯାଇଥିଲେ ବି ରାଜୁର ଗସ୍ତ କାର୍ଯ୍ୟକ୍ରମ ଶେଷ ହୋଇନଥିଲା କି ରାଜୁକୁ ଦେଇଥିବା କଥା ରଖିବାକୁ ଯାଇ ସେଇ ସୁବିଶାଳ ଶିଳ୍ପସାମ୍ରାଜ୍ୟର ଆକଳିତ ସମ୍ପତ୍ତି ତାଲିକାରେ ଶେଷରେଖା ଟାଣିବାକୁ ସକ୍ଷମ ହୋଇପାରିନଥିଲା ବୁଦ୍ଧିମତୀ ରଂଜନା। ଯେତେ ହିସାବ କଲେ ବି ଦିନୁଦିନ ବଢ଼ିଚାଲୁଥିଲା ଅକଳନ୍ତି ଆୟର ଆୟତନ! ଅଜାଆଈ ଆଖି ବୁଜି ସାରିଛନ୍ତି। ସୁଖର ସଚିତ୍ର ସାମ୍ରାଜ୍ୟ ମଧ୍ୟରେ ଶୂନ୍ୟତାର ଗୋଟିଏ କରୁଣ ସ୍ୱର ବାଜିଉଠେ କେଉଁଠି। ରାତିର ନିଭୃତତା ରାଜୁକୁ ଅନେକ ସମୟରେ ଆନମନା କରିଦିଏ। ସେ ଅନୁଭବ କରେ, ସେ ଏକା - ବିଲ୍କୁଲ୍ ଏକା। ଇଚ୍ଛା ହୁଏ, ସବୁ ଛାଡ଼ିଛୁଡ଼ି ସେ ଚାଲିଯିବ କୁଆଡେ଼। ମନେପଡେ଼, ଏଇ ପାଞ୍ଚବର୍ଷ ଭିତରେ ତା’ ପୁରୁଣା ଦୁନିଆଠୁ ସେ ଯେମିତି ନିଜ ଅଜାଣତରେ ଯୋଜନ ଯୋଜନ ଦୂରକୁ ଚାଲିଆସିଛି। ସେ ପାଠଶାଠ ଛାଡ଼ି ଗୋଟାଏ ଫୁଲାଫାଙ୍କିଆ ମୁକୁଳା ଜୀବନଧାରାକୁ ପସନ୍ଦ କରିଆସିଥିଲା ବୋଲି ଅଜାଆଈ ତାକୁ ଆଦୌ ଆକଟ କରିନଥିଲେ। ସେ ଥିଲା ଦୁହିଁଙ୍କର ଅତି ଅଲିଅଳ ନେତ୍ରପିତୁଳା। ଯାହା ତା’ ପିଲାମନକୁ ଭଲ ଲାଗୁଥିଲା, ତାକୁ ସେଇ ପରିବେଶ ଯୋଗାଇଦେବାକୁ ଦୁହିଁଙ୍କ ଯତ୍ନ ଥିଲା ଅପରିସୀମ - ରାଜୁର ନରମନିରୀହ ମନକୁ ସେମିତି ସଜସତେଜ କରିରଖିବାଟା ହିଁ ଥିଲା ସେମାନଙ୍କ ସାରା ଜୀବନବ୍ୟାପୀ ସାଧନା। ବୟସ ବଢ଼ିଲେ ବି ସେ ତେଣୁ ଆଉ ବୟସ୍କ ହୋଇପାରିଲା କେଉଁଠି? ତାର ଅଠର ବର୍ଷର ଦେହ ମଧ୍ୟରେ ଗୋଟାଏ ଆଠବର୍ଷର ପିଲାର ଅସ୍ତିତ୍ୱ ସେ ଅନବରତ ଅନୁଭବ କରୁଥିଲା। ସେ ପିଲା କିନ୍ତୁ ଏ ମହାନଗରୀକୁ ଆସି ପ୍ରଥମେ ଅବାକ୍ ହେବାକୁ ଆରମ୍ଭ କଲା - ତାକୁ ଜୀବନର ବାସ୍ତବତା ବୁଝିବାକୁ ଲାଗିଲା ବର୍ଷେ-ଦେଢ଼ବର୍ଷ-ଦି’ ବର୍ଷ ପର୍ଯ୍ୟନ୍ତ ଲଂବା ଗୋଟାଏ ପର୍ଯ୍ୟାୟ। ଏ ବିସ୍ତର ଧନସଂପଦ, ବିରାଟ ଶିଳ୍ପସାମ୍ରାଜ୍ୟ, ବିଶାଳ ଶସ୍ୟସମୃଦ୍ଧ ଭୂସମ୍ପତ୍ତିର ଏକମାତ୍ର ଉତ୍ତରାଧିକାରୀ ଭାବରେ ତାକୁ ତାର ଭବିଷ୍ୟତର ଯୋଗ୍ୟ କରିବାର ଲକ୍ଷ୍ୟ ନେଇ ଭୁବନମୋହନ ବାବୁ ତା’ ପାଇଁ ପ୍ରାୟ ତିନିବର୍ଷ ଧରି ଖଂଜିରଖିଲେ ବହୁ ପ୍ରଶିକ୍ଷକ। ଦିନରାତି ଏକ୍ କରି ସେମାନେ ତାକୁ ତାଲିମ୍ ଦେଲେ - ଜଙ୍ଗଲର ଜୀବକୁ ଯେମିତି ସର୍କସରେ ଖେଳ ଦେଖାଇବାରେ ସମର୍ଥ କରିବା ପାଇଁ ନିପୁଣ ତାଲିମଦାତାମାନଙ୍କୁ ଅତନ୍ଦ୍ର ଆୟାସ କରିବାକୁ ପଡ଼ିଥାଏ - ଠିକ୍ ସେମିତି ତାକୁ ଆଧୁନିକ ସମାଜ ଆଗରେ ଆଦବକାଏଦା ହାସଲ କରିଥିବା ଜଣେ ଆକର୍ଷଣୀୟ ବ୍ୟକ୍ତିତ୍ୱ ଭାବରେ ଦାଖଲ କରାଇବା ଦିଗରେ ବିଭିନ୍ନ ପ୍ରଶିକ୍ଷକ ନୟାନ୍ତ ହୋଇ ଲାଗିପଡ଼ିଥିଲେ। କେତେଜଣ ତାକୁ ବିଭିନ୍ନ ଭାଷା ଶିଖାଉଥିଲେ ତ ଆଉ କେତେଜଣ ତାକୁ ନାନା ବିଦ୍ୟା ଅଧ୍ୟୟନ ଦିଗରେ ପ୍ରଶିକ୍ଷଣ ଦେଉଥିଲେ। ଜଣେ ତାକୁ ଶବ୍ଦଗୁଡ଼ିକର ସଠିକ୍ ଉଚ୍ଚାରଣ ଶିଖାଉଥିବାବେଳେ ଆଉଜଣେ ତାକୁ ତାଲିମ୍ ଦେଉଥିଲେ ସାମାଜିକ ଶୃଙ୍ଖଳାଜ୍ଞାନ ସହିତ ସୁରୁଚିସଂପନ୍ନ ପୋଷାକ ପିନ୍ଧି କେମିତି ଏ ସମାଜରେ ମନଲାଖି ଭଦ୍ରବ୍ୟକ୍ତିଟିଏ ସେ ପାଲଟି ଯାଇପାରିବ। ଏ କୃଚ୍ଛ୍ରସାଧନାର ପ୍ରକ୍ରିୟା ଥିଲା ଦୀର୍ଘ। ଅତି କମରେ ସାଢ଼େ ତିନିବର୍ଷ ଲାଗିଗଲା - ସେତେବେଳେ ତାକୁ ଏକୋଇଶ ବର୍ଷ ପୂରି ଆସିଥିଲେ ବି ତା’ ଭିତରର ସେଇ ଆଠବର୍ଷର ପିଲା ଯେମିତି ନୂଆ ଗୋଟାଏ ଲୁଚକାଳି ଖେଳ ଆରମ୍ଭ କରିଦେଇଥିଲା ତାର ଆତ୍ମସତ୍ତା ସହିତ! ଯେଉଁଦିନ ତାକୁ ତାର ଭାଷାପ୍ରଶିକ୍ଷକ ବ୍ୟାକରଣ ପଢ଼ାଇବାକୁ ଆରମ୍ଭ କରି କହିଥିଲେ - ଆମେ ଦୁଇପ୍ରକାର ଭାଷା ସହିତ ଅଭ୍ୟସ୍ତ, ଗୋଟିଏ ଗଦ୍ୟ ଓ ଆରଟି ପଦ୍ୟ - ସେତେବେଳେ ତା’ ଭିତରୁ ହଠାତ୍ ଶୁଣାଗଲା ସେଇ ଆଠବର୍ଷ ପିଲାଟିର ଅଭୁତ ସ୍ୱର : ଗଦ୍ୟ? ଏଇଟି ପୁଣି ଭାଷା ଭିତରେ କି କିସମର ଚିଜ? ପ୍ରଶିକ୍ଷକ ତାକୁ ସେଦିନ ସରଳ ଉତ୍ତରଟିଏ ଉପହାର ଦେଇଥିଲେ - ଭାଷା ଭିତରର ଏଇ ଗଦ୍ୟ ଚିଜଟା ଆମ ପାଇଁ ବଡ଼ ଗୁରୁତ୍ୱପୂର୍ଣ୍ଣ, ଆମକୁ ବାହାରେ ପରିଚିତ କରାଇବା ଦିଗରେ ଗଦ୍ୟ ହିଁ ହେଉଛି ଏକମାତ୍ର ମାଧ୍ୟମ। ତା’ ଭିତରେ ଛପିଥିବା ଆଠବର୍ଷର ସେଇ ପିଲାଟି ଆଖି ବଡ଼ବଡ଼ କରି ପଚାରିଥିଲା - ଆପଣ ମତେ ଯାହାସବୁ ଏବେ କହୁଛନ୍ତି, ତାହା ଗଦ୍ୟ ନା ପଦ୍ୟ? ଅସୀମ ଧୈର୍ଯ୍ୟର ମୂର୍ତ୍ତିମନ୍ତ ଅବତାର ଭାଷାପ୍ରଶିକ୍ଷକ ମହାଶୟ ହସିହସି କହିଥିଲେ - ଗଦ୍ୟ। ଗଦ୍ୟ। ଗଦ୍ୟ। କେବଳ ହିଁ ଗଦ୍ୟ। ମୁଁ ତମକୁ ଯାହା କହୁଛି, ତମେ ମତେ ଯାହା ଶୁଣାଉଛ, ଏଇ କହୁଥିବା ଆଉ ଶୁଣୁଥିବା ଶବ୍ଦଗୁଡ଼ିକର ମିଶାଣଫଳ ହେଉଛି ଗଦ୍ୟ। ଆମେ ସବୁ ଯେତେବେଳେ କଥାବାର୍ତ୍ତା ହେଉଥାଉ, ସେତେବେଳେ ଆମେ ଏଇ ଗଦ୍ୟଭାଷାର ହିଁ ଆଶ୍ରୟ ନେଉଥାଉ। ରାଜୁ ଧୀରେ ଧୀରେ କଥାଟା ବୁଝିବାକୁ ଆରମ୍ଭ କରୁଥିଲା। ତା’ପରେ ଅଧା ବୁଝିସାରି ପଚାରିଦେଲା - ତା’ ହେଲେ ମୁଁ ଅଜାଆଈ, ମୋ ପିଲାଦିନର ସାଙ୍ଗସବୁ, ଯେତେ ଚିହ୍ନାପରିଚିତ ଲୋକବାକ, ଭୁବନମୋହନବାବୁଙ୍କଠାରୁ ଆରମ୍ଭ କରି ଆପଣଙ୍କ ପର୍ଯ୍ୟନ୍ତ ଯାହା ଯାହା ଏବଯାଏଁ କଥାବାର୍ତ୍ତା କରିଆସିଲିଣି, ସେସବୁ ହେଉଛି ଗଦ୍ୟ? ପ୍ରଶିକ୍ଷକ ବୁଝାଇଲେ - ହଁ, ଯାହାସବୁ ଆମେ କଥାଭାଷା ହେଉ, ସବୁଯାକ ଗଦ୍ୟ। ରାଜୁ - ରଂଜନା ବି ମତେ ଯାହାସବୁ କହେ ଆଉ ମୁଁ ତାକୁ ଯାହା ଶୁଣାଏ, ସେସବୁ ତା’ହେଲେ ଗଦ୍ୟ? - ହଁ, ସେଗୁଡ଼ିକ ବି। - ଓଃ, ଆଜି ଏତେଦିନ ପରେ ହିଁ ଯାଇ ଜାଣିଲି ଯେ ମୁଁ ଏ ପର୍ଯ୍ୟନ୍ତ ମୋ ଜୀବନରେ ଗଦ୍ୟରେ ହିଁ କଥାବାର୍ତ୍ତା କରିଆସିଛି! ଆରେ ବାଃ - କେହି ମତେ ଏତେବଡ଼ ସତ୍ୟଟା ଆଗରୁ ଜଣାଇନାହାନ୍ତି! ତା’ ଭିତରର ଆଠବର୍ଷର ପିଲାଟା ଯେମିତି ଗୋଟାଏ ବଡ଼ ଆଶ୍ଚର୍ଯ୍ୟଜନକ ବସ୍ତୁ ପାଇଯାଇଛି - ତାକୁ ଲୁଚାଇରଖିବା ପାଇଁ ସେ ସେଦିନ ଡିଆଁମାରି ରାଜୁର ଆତ୍ମସତ୍ତା ମଧ୍ୟରୁ ବାହାରିଗଲା ଆଉ ପବନରେ ମିଳାଇଗଲା ଆଖିପିଛୁଳାକେ। ରାଜୁ ତାକୁ କିଛି ଦିନ ଅପେକ୍ଷା କଲା - ସପ୍ତାହ ଗଲା, ପକ୍ଷ ଗଲା, ମାସ ଗଲା, ଋତୁଚକ୍ରର ଘୂର୍ଣ୍ଣନ ମଧ୍ୟରେ ବର୍ଷ ବର୍ଷ ହୋଇ ତିନିଟା ବର୍ଷ ବି ବିତିଗଲା। ସେ ଆଠ ବର୍ଷର ପିଲାଟି ଆଉ ତା’ ଏକୋଇଶ ବର୍ଷ ବୟସର ବଳୟ ମଧ୍ୟକୁ ବାହୁଡ଼ି ଆସିଲାନାହିଁ। ଦେଖୁ ଦେଖୁ ଆଉ ଅଢ଼େଇଟା ବର୍ଷ ବି ପାର୍। ଏବେ ସେ ଚବିଶ ବର୍ଷର ଚମତ୍କାର ଚେହେରା ନେଇ ଚାଲି ଯାଉଥିବାବେଳେ ସମସ୍ତଙ୍କ ଆଖି ଲାଖିରହେ ତାଠି। ଚବିଶ ବର୍ଷ ବୟସର ରାଜୁ ଏବେ ଏ ମହାନଗରୀର ହିରୋ ନମ୍ୱର ୱାନ୍ - ଏବେ ତାକୁ କୌଣସି କୁମାରୀ ଫୁଲତୋଡ଼ା ଦେଇ ‘ହ୍ୟାଲୋ ମିଷ୍ଟର ସାନ୍ତ୍ରା’ କହି ‘ହାଏ’ କଲାବେଳେ ସେ ବିଦାୟ ନେବାର ଅବ୍ୟବହିତ ପୂର୍ବରୁ ଉଚ୍ଚାରଣ କରେ ‘ବାଏ’! ଏଇ ‘ହାୟ-ବାଏ’ର ବାଇସ୍କୋପ୍ ସେ ଦେଖୁଥାଏ ପ୍ରତିଦିନ। ଏ ମହାନଗରୀର ଜୀବନଶୈଳୀ ସହ ସମକାଳର ସମାଜଟା ତାକୁ ବାଇସ୍କୋପ୍ର ଦ୍ରୁତଗତିଶୀଳ ଛାୟାନୃତ୍ୟ ପରି ମନେ ହୋଇଥାଏ। ଅଳ୍ପ ବୋଧ୍ୟ, ଅଧିକ ଅବୋଧ୍ୟ। ଏ ଉଭୟ ମଧ୍ୟରେ ଆଧୁନିକ ଜୀବଗୁଡ଼ିକ ଏବେ ବି ଦୁର୍ବୋଧ୍ୟ। ଏପରିକି ରଂଜନା ବି ଏବେ ରାଜୁ ପାଇଁ ଦୁର୍ବୋଧ୍ୟରୁ ଅବୋଧ୍ୟ ହେବାକୁ ବସିଲାଣି। ନା, ଏବେ ଆଉ ସେ ରଂଜନାକୁ ସହଜରେ ପାଏନା। ଯେଉଁ ରଂଜନା ଉପରେ ନିଜର ସବୁ ଦାୟିତ୍ୱ ଲଦିଦେଇ ସେ ନିଶ୍ଚିନ୍ତରେ ଘୂରିବୁଲୁଥିଲା, ପାଞ୍ଚବର୍ଷ ପରେ ସେ ଯେତେବେଳେ ରାଜୁରୁ ଶତପ୍ରତିଶତ ମିଷ୍ଟର ସାନ୍ତ୍ରାରେ ପରିଣତ ହୋଇ ତାକୁ ଖୋଜେ, ସେତେବେଳେ କେଉଁଠି ରଂଜନା? +++ ଏ ଜୀବନ ଏକ ଉପନ୍ୟାସ ପରି ଆରମ୍ଭ ହେଉହେଉ ହଠାତ୍ ମୋଡ଼ ନେଇ ମନେ ହୁଏ ଏକ ମଞ୍ଚ ବାହାରର ନାଟକ ପରି! ସେତେବେଳେ ମାମୁଲି ଚରିତ୍ରଟିଏ ନାୟକ ପାଲଟିଯାଏ ଏବଂ ଅନ୍ୟ ଚରିତ୍ରମାନେ ପାଲଟିଯାନ୍ତି ଘଟନାର ସାଧାରଣ ଦାସଦାସୀ, ପରିବେଶର ପରାଧୀନ ପ୍ରଜାପାଟକ! ଖାଲି କ’ଣ ତାରିଖ ବଦଳିଯାଏ? ତାରିଖ ବି ବଦଳିଯାଏ ଦିନ ବିତିଯିବା ସହିତ ତାଳ ଦେଇ। ଆଉ ଆଗପରି ରାଜୁ ସହିତ ସହଜସ୍ୱଚ୍ଛନ୍ଦ ହୋଇପାରେନା ରଂଜନା। ଯେଉଁଦିନଠୁ ସେ ଜାଣିବାକୁ ପାଇଲା, ରାଜୁ ହେଉଛି ଜୁନିଅର୍ ମିଷ୍ଟର ସାନ୍ତ୍ରା, ସେଇ ଦିନଠୁ ରାଜୁଠାରୁ ବ୍ୟବଧାନ ବଜାୟ ରଖି ସେ ବାଟ ଚାଲିବାକୁ ଆରମ୍ଭ କଲା। ରୁଚିସଂପନ୍ନା, ଉଚ୍ଚଶିକ୍ଷିତା ରଂଜନାର ଏ ନୀରବ ନିଷ୍ପତ୍ତି ବାବଦରେ ନିରୀହ ରାଜୁର କ’ଣ ବିନ୍ଦୁଏ ବି ଧାରଣା ଥିଲା? ନା, ସବୁ ପ୍ରାପ୍ତି - ସବୁ ପ୍ରାଚୁର୍ଯ୍ୟ - ସବୁ ପ୍ରତିଷ୍ଠା ମଧ୍ୟରେ ରାଜୁ ଦୁଇଟି ବଡ଼ ଉପଲବ୍ଧି ହରାଇବସିଲା। ଗୋଟିଏ ହେଉଛି ତା’ ଭିତରର ସେଇ ସରଳ ବାଳୁତଟିକୁ ଏବଂ ଆଉଗୋଟିଏ ହେଉଛି ତା’ ଅଠର ବର୍ଷ ବୟସ ବେଳେ ସେ ଯେଉଁଦିନ ପ୍ରଥମେ ଭେଟିଥିଲା ସମବୟସିନୀ ଜଣେ ପ୍ରାଣସ୍ଫୂର୍ତ୍ତିମୟୀ ବାନ୍ଧବୀ - ରଂଜନାକୁ। ରଂଜନା ସହିତ ଭେଟ ହେବାର ପାଞ୍ଚବର୍ଷ ପରେ ସମୟର ଚିତ୍ର ତା’ର ରଙ୍ଗ ପରିବର୍ତ୍ତନ କରିଛି। ଯାହା ସେ ଜାଣି ନ ଥିଲା ତାହା ପାଇଛି ସିନା, ଯାହା କିନ୍ତୁ ଜାଣିଥିଲା ସେସବୁ ଗଲା କୁଆଡେ଼? କୁଆଡେ଼ ଗଲା ସେଇ ଚପଳ ଶୈଶବର ଛାୟାନଟ? କୁଆଡେ଼ ଗଲା ତାର ଶେଷକୈଶୋରର ପ୍ରାଣସଂଗିନୀ ରଂଜନା? ଜୁନିଅର୍ ମିଷ୍ଟର ସାନ୍ତ୍ରାର ପୋଷାକୀ ପରିଚୟ ଭିତରେ କୁଆଡେ଼ ବି ହଜିଗଲା ସେଦିନର ରାଜୁ? ଏଇସବୁ ନୀରବ ପ୍ରଶ୍ନ କେବେ କେବେ କୁଣ୍ଡଳୀ କାଟେ ନିଭୃତ ରାତିର ବତାସରେ। ବର୍ଷାରାତିରେ। ନିର୍ଜନ ପ୍ରହରରେ। ଦୂରଦୂରାନ୍ତରର ଅଚିହ୍ନା ସହରରେ। ଯେତେବେଳେ କେହି ନ ଥାନ୍ତି ତା’ ନିକଟରେ, ସେତେବେଳେ ଆଲୋକିତ ଅନ୍ଧକାର ପାଲଟିଯାଏ ହଳଦିଆ ରଂଗର ପାତଳ କୁହୁଡ଼ି ଆଉ ସେଇ କୁହୁଡ଼ିରେ ପହଁରି ପହଁରି ତା’ ପାଖକୁ ଚାଲିଆସିବା ପାଇଁ ଚାହୁଥାଏ ସେଇ ହଜିଲା ବାଳୁତଟି - ଅଳ୍ପଦୂରରେ ଶୂନ୍ୟତାର କୂଳରେ ଛିଡ଼ା ହୋଇ ଯେମିତି ତାକୁ ବିକଳ ହୋଇ ଏକାଲୟରେ ଅନାଇଥାଏ! ରାଜୁର ଆଖି ତା’ ଆଖି ସହିତ ମିଳିଗଲା ମାତ୍ରେ ସେ ହଠାତ୍ କୁଆଡେ଼ ପୁଣି ଉଭାନ୍ ହୋଇଯାଏ! କାହିଁକି? କାହିଁକି ସେଦିନର ରଂଜନା ଆଜି ତାକୁ ଦୂରରୁ ଅନାଉଥିଲେ ବି ଆଉ ଆଗପରି ବନହରିଣୀ ଭଂଗିମାରେ ପାଖକୁ ଛୁଟି ଆସେନା? ଜୁନିଅର୍ ମିଷ୍ଟର ସାନ୍ତ୍ରା ଏ ମହାନଗରୀର ମହାନାୟକ ସତ, ମାତ୍ର ସେ ମହାନାୟକର ସାମାନ୍ୟତମ ସାମର୍ଥ୍ୟ ସୁଦ୍ଧା କାହିଁ ରାଜୁକୁ ନିବିଡ଼ ଭାବରେ ଧରିରଖିବାକୁ? ଏ ମହାନଗରୀରେ କେବଳ ମାୟା ମାୟା ମାୟା - କାଣିଚାଏ ମମତା କିନ୍ତୁ କେଉଁଠି? ଏଇ ମମତା ସେ ଅନୁଭବ କରିଥିଲା ତା’ ଅଜାଆଈ, ଜମିଦାରୀ ପଡ଼ାର ସାଙ୍ଗସାଥୀ, ଗାଆଁର ଗରିବଗୁରୁବା ମଣିଷ ମେଳରେ। ଏପରିକି ଅନେକ ବର୍ଷ ପୂର୍ବେ ତା’ ଡାଡିଙ୍କ ସାଙ୍ଗେ ଏଇ ମହାନଗରୀରୁ ଯାଇ ଯେତେବେଳେ ରଂଜନା ତାକୁ ଦେଖି ହସିହସି କଥାବାର୍ତ୍ତା କରିଥିଲା, ସେତେବେଳେ ରାଜୁକୁ ମନେହୋଇଥିଲା ସିଏ ଯେମିତି ସେଇ ମମତାର ଆଉଗୋଟିଏ ମିଠାମିଠା ମନ୍ଦାକିନୀ ... ପ୍ରାଣମୟୀ, ପ୍ରେରଣାମୟୀ ପ୍ରତିମୂର୍ତ୍ତିଟିଏ! ହଁ, ସେ ସମସ୍ତେ ଆଜି ତା’ଠୁ ଦୂରବର୍ତ୍ତୀ। ପାଖେପାଖେ ଥାଇ ବି ରଂଜନା ଯେମିତି ଆଜି ତା’ ପାଖରୁ କାହିଁ କେତେ ଯୋଜନ ଦୂରତାର ଅସ୍ତିତ୍ୱ! ତାର ମନେପଡେ଼ ଦି’ ବର୍ଷ ତଳେ ଯେଉଁଦିନ ସେ ପ୍ରଥମେ ବିଦେଶ ଗସ୍ତ ପାଇଁ ପ୍ଲେନ୍ ଚଢ଼ିଥିଲା, ସେଦିନ ଅନ୍ୟ ସମସ୍ତ ଔପଚାରିକ ପରିଚିତମାନଙ୍କ ପରି ରଂଜନା ବି ତାକୁ ବିଦାୟକାଳୀନ କରମର୍ଦ୍ଦନର ସ୍ପର୍ଶ ଦେଇ କହିଥିଲା - ‘ବାଏ ମିଷ୍ଟର ସାନ୍ତ୍ରା’! ସେଦିନ ତାକୁ ତାଜୁବ୍ ଲାଗିଥିଲା। ‘ରାଜୁ’ ନୁହେଁ, ରଂଜନା ପାଖରେ ବି ମିଷ୍ଟର ସାନ୍ତ୍ରା ସେ? ଏଇ ରଂଜନା ହିଁ ସେଇ ବାନ୍ଧବୀ, ଯାହା ଓଠରେ ସେ ଶେଷ ପର୍ଯ୍ୟନ୍ତ ‘ରାଜୁ’ ନାଆଁରେ ବଂଚିଆସିଥିଲା। ସେଇ ‘ରାଜୁ’ କ’ଣ ତା’ହେଲେ ମରିଗଲା ଏ ମହାନଗରୀରେ? ରଂଜନା ବି ତାକୁ ସତରେ ବିନା ହତ୍ୟାକାଣ୍ଡରେ ମାରିଦେଇପାରିଲା ଏମିତି? ନିଭୃତ ରାତିର ଅବସର ଏବେ ରାଜୁ ପାଇଁ ଅଶାନ୍ତ ହୋଇଉଠେ। ବହୁତ ଡେରିରେ ନିଦ ଆସେ। ସେଇ ନିଦରେ ସେ ଦୁଇଟି ସ୍ୱପ୍ନ ଦେଖିଥାଏ ଅନେକ ସମୟରେ। ଦୁଇଟିଯାକ ସ୍ୱପ୍ନ ନିଦ ଭାଂଗିଯିବାର ଅବ୍ୟବହିତ ପୂର୍ବରୁ ପାଲଟିଯାଇଥାଏ ଦୁଇଟି ଦୁଃସ୍ୱପ୍ନ। ପ୍ରଥମ ଦୁଃସ୍ୱପ୍ନ - ଏକ ନିକାଞ୍ଚନ ନୀଳପର୍ବତଚୂଡ଼ାରେ ଛୋଟ ତୁଷାରମୂର୍ତ୍ତିଟିଏ ଛିଡ଼ା ହୋଇ ତାକୁ ଡାକୁଚି ... ସେ ତା’ ପାଖରେ ବଡ଼ କଷ୍ଟରେ ଯାଇ ପହଞ୍ଚିବା ବେଳକୁ ସିଏ ମିଳେଇଯାଉଚି ସକାଳର ଲାଲ ଖରାରେ ! ଦ୍ୱିତୀୟ ଦୁଃସ୍ୱପ୍ନ – ଘନ ଅନ୍ଧକାର ରାତ୍ରିରେ ସେ ପଥହରା ହୋଇ ଇତସ୍ତତଃ ହେଉଥିବା ସମୟରେ ଏକ ସୁନ୍ଦର ସୁନେଲି ତାରା ତାକୁ ଧାରେ ଆଲୋକ ବୁଣି ବାଟ ଦେଖାଉଛି - ସେ ସେଇ ଆଲୋକ ରେଖାର ଉତ୍ସ ଖୋଜିଖୋଜି ତାରା ଆଡ଼କୁ ହାତ ବଢ଼ାଇଲାବେଳକୁ କିଟିକିଟି କଳାବଉଦ ଖଣ୍ଡେ କୁଆଡ଼ୁ ହଠାତ୍ ଭାସିଆସି ତାରାଟିକୁ ଘୋଡ଼ାଇ ପକାଉଛି! ରାଜୁର ନିଦ ଭାଂଗିଯାଏ। ନିଭୃତ ରାତିରେ ସେ ଚାରିଆଡ଼କୁ ଚାହେଁ। କେହି କେଉଁଠି ନାହାନ୍ତି। କେବଳ ବିରାଟ ପ୍ରକୋଷ୍ଠର ଶୀତତାପ ନିୟନ୍ତ୍ରିତ କୋଠରି ମଧ୍ୟରେ ସେ ଏକା - ଏକାନ୍ତ । ସୁସଜ୍ଜିତ ଶୂନ୍ୟଶଯ୍ୟା ତାକୁ ଗୋଟାଏ ମୁଲାଏମ୍ ରଙ୍ଗିନ୍ ଅଜଗର ପରି ମନେହୁଏ! +++ ଏ ଅନ୍ତିମ ଅଂଶ ଏବେ ଏକ ଅସମାପ୍ତ ନାଟକର ଅବଶିଷ୍ଟାଂଶ। ଇତିମଧ୍ୟରେ ଅତିକ୍ରାନ୍ତ ଆହୁରି ପାଞ୍ଚଟି ବର୍ଷ। ସାନ୍ତ୍ରା ଇଷ୍ଟେଟର ଲିଗାଲ୍ ହେଡ୍ ଭୁବନମୋହନବାବୁ ରୋଗ ଶଯ୍ୟାରେ। ପଲଙ୍କରେ ଶୋଇଛନ୍ତି, କିନ୍ତୁ ନିଦ ନାହିଁ। ଚାହିଁ ରହିଛନ୍ତି ଶୂନ୍ୟଦୃଷ୍ଟିର ଘୂରିଚାଲିଥିବା ସିଲିଂଫ୍ୟାନ୍ ଆଡେ଼। ଆଖିକୋଣରୁ ଦି’ଧାର ଲୁହ ନିଗିଡ଼ି ଆସୁଛି। ତାଙ୍କର ଗୋଟିଏ ହାତକୁ ନିଜ ପାପୁଲିରେ ଚାପିରଖି ରଂଜନା ବସିରହିଛି ତାଙ୍କ ପାଖେ। ବସିରହିଛି ଅନେକବେଳୁ। ଭୁବନମୋହନବାବୁଙ୍କ ଅର୍ଦ୍ଧଚେତନ ଅବସ୍ଥା ତା’ ମନକୁ ଆନ୍ଦୋଳିତ କରୁଛି। ତା’ ଆଖିରୁ ବି ଝରିଆସୁଛି ଧାରଧାର ଲୁହ। ସାତବର୍ଷ ବୟସ ବେଳୁ ସେ ନିଜର ଜନ୍ମଦାତ୍ରୀକୁ ହରାଇଥିଲା। କେବଳ ତା’ରି ମୁହଁକୁ ଚାହିଁ ଡାଡି ଆଉ ଦ୍ୱିତୀୟ ବିବାହ ନ କରି ତାକୁ ଏ ସଂସାରରେ ବାଟ ଚଲାଇବାକୁ ନିଜର ସବୁ ସ୍ୱାର୍ଥ ଆଉ ସୁଖସ୍ୱାଚ୍ଛନ୍ଦ୍ୟକୁ ଜଳାଂଜଳି ଦେଇଆସିଛନ୍ତି। ତାକୁ ମାମାର ଅଭାବ ଅନୁଭବ କରିବାକୁ ଦେଇନାହାନ୍ତି କେବେ। ସେଇ ସାତବର୍ଷର ସାନ ଝିଅଟି ଏବେ ଅଠେଇଶ ବର୍ଷର ଉଚ୍ଚଶିକ୍ଷିତା ସୁଶ୍ରୀ ମହିଳା। ଡାଡିଙ୍କ ପରି ସିଏ ବି ବିଚକ୍ଷଣା ଜଣେ ଆଇନ ବିଶାରଦା ଭାବରେ ବର୍ତ୍ତମାନର ବିଜ୍ଞ ସମାଜରେ ବେଶ୍ ସୁନାମ ଅର୍ଜନ କଲାଣି। ବଡ଼ବଡ଼ ସହରରୁ ଆସିଥିବା ମହକିଲମାନଙ୍କର ଭିଡ଼ ବରାବର ତା’ ଚାରିପଟେ। ତାକୁ ନିଜ ଗୋଡ଼ରେ ଛିଡ଼ା କରାଇବାର ଦୀକ୍ଷାଦାନରେ ଡାଡି ଇଞ୍ଚେ ବି ପଛାଇନାହାନ୍ତି - ରଂଜନା ତାଙ୍କର ଝିଅ ବୋଲି ସେ ଅନେକଙ୍କ ଆଗରେ ଗର୍ବ ପ୍ରକାଶ କରିଛନ୍ତି ବହୁବାର। ମାତ୍ର କାହିଁକି କେଜାଣି ସବୁ ପ୍ରତିଷ୍ଠା, ଯଶ, ଐଶ୍ୱର୍ଯ୍ୟପ୍ରାପ୍ତି ସତ୍ତ୍ୱେ ରଂଜନାର ମୁହଁରେ ସେ ବରାବର ଲକ୍ଷ୍ୟ କରିଆସୁଛନ୍ତି କେମିତି ଗୋଟାଏ ଚିର ଉଦାସ ଭାବର ମ୍ଳାନମୁଦ୍ରା। ବହୁତ ବଡ଼ବଡ଼ ଘରୁ ଆସୁଥିବା ପ୍ରସ୍ତାବକୁ ରଂଜନା ଯେତେବେଳେ ଅନାସକ୍ତ ଭାବରେ ଆଡେ଼ଇଦିଏ, ଭୁବନମୋହନବାବୁ ଆଶ୍ଚର୍ଯ୍ୟ ହୁଅନ୍ତି ସତ - ମାତ୍ର ଝିଅକୁ କିଛି କହିପାରନ୍ତି ନାହିଁ। ଝିଅର ସ୍ୱାଧୀନତା ଆଉ ଭିନ୍ନ ଦୃଷ୍ଟିଭଂଗୀକୁ ବରାବର ସେ ଅଗ୍ରାଧିକାର ଦେଇ ଆସିଛନ୍ତି। କୌଣସି କଥାରେ କେବେ ସେ ତାକୁ ବାଧ୍ୟ କରିନାହାନ୍ତି। ରଂଜନା ଉପରେ ଆସ୍ଥା ତାଙ୍କର ଅଗାଧ। ଏବେ କିନ୍ତୁ କାହିଁକି କେଜାଣି ତାଙ୍କର ପରମ ସ୍ନେହର ପାତ୍ରୀ ଏଇ ଝିଅଟି ପାଇଁ ସେ ଭିତରେ ଭିତରେ ଭାଙ୍ଗିପଡ଼ୁଛନ୍ତି। ତାଙ୍କ ପରେ ରଂଜନା କ’ଣ ଏମିତି ଏକାଏକା ଜୀବନଟିଏ ବଞ୍ଚି ସଂସାରର ସୁଦୀର୍ଘ ପଥ ପାର ହୋଇପାରିବ? ଆଉ ଭାବିବାକୁ ବେଳ ବି କାହିଁ? ସେ ଅନୁଭବ କରିସାରିଛନ୍ତି ଯେ ତାଙ୍କର ଆଉ ବେଶି ଦିନ ନାହିଁ। ରଂଜନା ହାତକୁ ଦି’ହାତ ହୋଇଯାଇଥିଲେ ଶାନ୍ତିରେ ସେ ଶେଷ ନିଃଶ୍ୱାସ ଛାଡ଼ିପାରିଥାନ୍ତେ। ସିଲିଂ ଫ୍ୟାନ୍ ଆଡୁ ମୁହଁ ଫେରାଇ ସେ କଡ଼ ଲେଉଟାଇଲେ। କାନ୍ଥରେ ଟଙ୍ଗା ହୋଇଥିବା ପତ୍ନୀ ସ୍ମୃତିର ଫ୍ରେମ୍ବନ୍ଧା ଫଟୋଆଡ଼କୁ ଚାହିଁଲେ। ଅର୍ଦ୍ଧଚେତନ ଅବସ୍ଥାରୁ ଅଳ୍ପ କିଛିଟା ସଜାଗତା ଫେରିଆସୁଥିବା ପରି ଅନୁଭବ କଲେ ସେ। କେବଳ କଣ ସେତିକି? ଅନୁଭବ କଲେ - ଫଟୋରେ ଥାଇ ସ୍ମୃତିଙ୍କ ମୁହଁ ଫିକା ଦେଖାଯାଉଛି - ସେ ମୁହଁରେ ନୀରବ ଅଭିଯୋଗ : ଶେଷପର୍ଯ୍ୟନ୍ତ ବି ମୋ ଝିଅର କିଛି ବ୍ୟବସ୍ଥା କରିପାରିଲନି? ଜୀବନଯାକ ଖାଲି ଅନ୍ୟମାନଙ୍କ ପାଇଁ ନ୍ୟାୟର ରାୟ ଆଦାୟ କରିବାରେ ବ୍ୟସ୍ତ ରହିଗଲ? ନିଜ ଝିଅଟି ପ୍ରତି ସେ ନ୍ୟାୟର ନମୁନାଟିଏ କାହିଁ? ରଂଜନାର ପାପୁଲି ଭିତରୁ ହାତ ଉଠାଇ ଭୁବନମୋହନବାବୁ ତା’ ମୁଣ୍ଡ ଉପରେ ରଖିଲେ। ତଳକୁ ମୁହଁ ପୋତି ଲୁହ ଗଡ଼ାଉଥିବା ରଂଜନା ଡାଡିଙ୍କୁ ଚାହିଁଲା। ଦେଖିଲା, ଚେତା ଫେରିଆସିଛି ଟିକିଏ। ତରବରରେ ପାପୁଲିରେ ଲୁହ ପୋଛିବାକୁ ଯାଉଥିବାବେଳେ ତା’ ହାତକୁ ଅଟକାଇଦେଇ ଭୁବନମୋହନବାବୁ ଆଶ୍ଚର୍ଯ୍ୟ ହୋଇ ପଚାରିଲେ - ମା, ତୁ କାନ୍ଦୁଛୁ? ପ୍ରଶ୍ନର ଉତ୍ତର ନ ଦେଇ ରଂଜନା କହିଲା - ରାତି ଦଶଟା ହେଲାଣି ଡାଡି! ପାଟିରେ ଦାନାଟିଏ ବି ଦେଇନ। ତମ ପାଇଁ କିଛି ନେଇଆସେ, ତାପରେ କପେ ଉଷୁମ୍ କ୍ଷୀର ପିଇଦେଇ ଶୋଇପଡ଼ିବ। - ନାଇଁ ମା । ତୁ ଯା’ ଟିକିଏ ବିଶ୍ରାମ ନେବୁ। - ନା। ତମେ ଆଗ କିଛି ପାଟିରେ ଦିଅ। ନିଦ ଆସିଲେ ମୁଁ ଏଇଠି ତମ ପାଖରେ ଶୋଇପଡ଼ିବି। ଏତିକି କହି ରଂଜନା ଚାଲିଗଲା ପାଖ ବଖରାକୁ। ଭୁବନମୋହନବାବୁଙ୍କର ମନେପଡ଼ିଲା, ଅନେକ ବର୍ଷ ତଳର ଅତୀତ। ଯେତେ ରାତିରେ ଘରକୁ ଫେରିଲେ ବି ଟିକି ରଂଜନା ତାଙ୍କୁ ଅପେକ୍ଷା କରି ଚାହିଁ ରହିଥିବ। ସେତେବେଳେ ସେ ସାନଝିଅଟିଏ। ମାମାକୁ ହରାଇସାରିଥିଲା ସବୁଦିନ ପାଇଁ। ତାଙ୍କରି ଭିତରେ ସେ ତା’ ମାମାକୁ ବି ଅନୁଭବ କରୁଥିଲା। ଅନେକ ଦିନ ଯାଏଁ ତାଙ୍କରି ଉପରେ ଟିକିଟିକି ହାତଗୋଡ଼ ନଦିଦେଇ ପରମ ନିଶ୍ଚିନ୍ତରେ ରାତିର ନିଦ ଭିତରେ ଆଶ୍ରୟ ନେଉଥିଲା। ରଂଜନା ଗୋଟାଏ ହାତରେ ଦି’ ପଟ ରୁଟି, ସନ୍ତୁଳା ଆଉ କିଛି କଟାଫଳ ଥିବା ଟ୍ରେ ଏବଂ ଆର ହାତରେ ଗରମ କ୍ଷୀର କପେ ଆଣି ପାଖରେ ଥୋଇଲା। ଭୁବନମୋହନବାବୁ ଚୁପ୍ଚାପ୍ ଅଳ୍ପକିଛି ଖାଇନେଇ କ୍ଷୀର କପ୍କୁ ଫେରେଇ ଦେଲେ। ରଂଜନା ବି ବାଧ୍ୟ କଲାନି ଆଉ। ତାଙ୍କୁ ଧରି ଆସ୍ତେ ଆସ୍ତେ ଗୋଟିଏ ବେସିନ୍ ପାଖକୁ ନେଇଗଲା। ବିଛଣାକୁ ଆସି ଭୁବନମୋହନବାବୁ ସାମାନ୍ୟ ସ୍ୱସ୍ତିର ନିଃଶ୍ୱାସ ନେଲେ। ଆରଦିନ ସକାଳ। ରଂଜନାକୁ ଟିକିଏ ଆଶ୍ୱସ୍ତ ଲାଗୁଥିଲା। ଦି’ ମାସ ପରେ ଡାଡିଙ୍କର ଅସୁସ୍ଥତା ଅନେକଟା କମି ଆସିଛି ବୋଲି ସେ ଅନୁଭବ କରୁଥିଲା। ସେ ଉଠିବା ଆଗରୁ ଡାଡି ଆସି ବାରଣ୍ଡାର ଗୋଟାଏ ଆର୍ମ ଚେୟାର୍ରେ ନିଜକୁ ଲମ୍ୱାଇଦେଇ ସକାଳର ଖବରକାଗଜ ପଢ଼ୁଛନ୍ତି। ସାମ୍ନାର ବିରାଟ ବଗିଚାରେ ମାଳୀ କିଛି ଅନାବନା ଘାସ ଉପାଡ଼ିବାରେ ବ୍ୟସ୍ତ। ସଫେଦ୍ ସକାଳ ପରି ତାର ମନଟା ବି ଏଥର ସଫା ହୋଇ ଆସିଲା। ଅଧଘଣ୍ଟାକ ପରେ ଟ୍ରେ’ରେ ଚା’ କେଟିଲ୍ ସହିତ ତିନିଟା କପ୍ ଆଉ ବିସ୍କୁଟ୍ ଧରି ସେ ଆସି ପାଖରେ ପଡ଼ିଥିବା ଗୋଟାଏ ଛୋଟ ଗୋଲ୍ ଟେବୁଲ୍ ଉପରେ ରଖିଲା। ସେଇଠି ଗୋଟାଏ ଛୋଟ ଚେୟାର ଉପରେ ବସିପଡ଼ିଲା। ଭୁବନମୋହନବାବୁ ପଚାରିଲେ - ତିନି କପ୍ ଚା’ କାହିଁକି? ରଂଜନା କହିଲା - କାଲି ତମେ ଶୋଇପଡ଼ିଥିଲ। ତମକୁ ଉଠାଇବାକୁ ମନ ଡାକିଲାନି। କାଲି ରାତି ପ୍ରାୟ ସାଢ଼େ ବାରଟାରେ ରାଜୁ ଆସି ଏଠି ପହଞ୍ଚିଲେ ହଠାତ୍। ଅନେକ ବାଟ ଏକାଏକା ନିଜେ କାର୍ ଡ୍ରାଇଭ୍ କରି ଏଠିକି ଆସିଛନ୍ତି ସେ। ଭୁବନମୋହନବାବୁ ବିସ୍ମୟବିମୂଢ଼ ହୋଇ ରଂଜନାକୁ ଚାହିଁ ରହିଲେ। ରଂଜନା ତଳକୁ ଆଖି ନୁଆଇଁଆଣି ଡାଡିଙ୍କ ପାଇଁ ଗୋଟିଏ କପରେ କେଟିଲରୁ ଚା’ ଢାଳିଲା। ଭୁବନମୋହନବାବୁ କଣ୍ଠର ଜଡ଼ତା କଟାଇ ମୃଦୁସ୍ୱରରେ ବିସ୍ମୟ ମିଶ୍ରିତ ସ୍ୱରରେ ପ୍ରଶ୍ନ କଲେ - ଏଇ ଚାରିମାସ ହେଲା କୁଆଡେ଼ ସେ ଉଭାନ୍ ହୋଇଯାଇଥିଲା? କିଛି ଖବରଅନ୍ତର ନାହିଁ, ପଚରାଉଚରା ନାହିଁ, କାହାକୁ କିଛି ନଜଣାଇ ଏତେଦିନ ଧରି ଥିଲା କେଉଁଠି? ଉତ୍ତର ଆସିଲା ଅଣତିରିଶ ବର୍ଷର ଜଣେ ଯୁବକର କଣ୍ଠରୁ - ମୁଁ ଟିକିଏ ହିମାଳୟ ଆଡେ଼ ଚାଲିଯାଇଥିଲି ଅଙ୍କଲ୍! ଆପଣ ତ ଅଛନ୍ତି - ରଂଜନା ତ ମିଷ୍ଟର ସାନ୍ତ୍ରାଙ୍କ ବିଷୟ ସମ୍ପତ୍ତିର ଏତେ ଟିକିନିଖି ଯତ୍ନ ନେଇ ଦେଖାଶୁଣା କରୁଛି ଯେ ଆଉ କାହାକୁ ଗୋଟାଏ ମିନିଟ୍ ଚାହିଁବାକୁ ସୁଦ୍ଧା ତାର ତର ନାହିଁ। ମୁଁ ନିୟୁୟର୍କରୁ ଫେରିଆସି ଆଉ ଅଧିକ କ’ଣ ଦେଖିଥାନ୍ତି? କ’ଣ ଇଚ୍ଛା ହେଲା କେଜାଣି ଭାବିଲି ହିମାଳୟଟା କେବେ ଦେଖିନି - ଯାଇ ଦେଖିଆସେ ଟିକେ! ଭୁବନମୋହନବାବୁ ମୁଣ୍ଡ ବୁଲାଇ ଦେଖନ୍ତି ତ ତାଙ୍କ ପଛରେ ଛିଡ଼ା ହୋଇ ମୃଦୁମୃଦୁ ହସୁଚି ରାଜୁ। ତାଙ୍କୁ ଚାହିଁବାର ଦେଖି ରାଜୁ ତାଙ୍କ ସାମ୍ନାକୁ ଆସି ପାଦ ଛୁଇଁଲା। ଭୁବନମୋହନବାବୁ ଲକ୍ଷ୍ୟ କଲେ, ରାଜୁ ସେଇ ପ୍ରଥମ ଦେଖାର ସରଳ ଶୈଶବକୁ ଅତିକ୍ରମ କରି ନଥିବା ଦେବଶିଶୁଟି ପରି ଏବେ ବି ସେମିତି ଦାଉଦାଉ ଦିବ୍ୟ ଦିଶୁଛି! ରଂଜନା ମୁହଁ ଉଠାଇ ଅଳ୍ପ ହସିଲା। କହିଲା - ଡାଡି, ତମ ଦି’ଜଣଙ୍କ କଥାବାର୍ତ୍ତା ଶୁଣିବାକୁ ଏ କେଟିଲର ଚା’ ଆଉ ଉଷୁମ୍ ରହି ଅପେକ୍ଷା କରିପାରିବନି। ଆଗେ ଚା’ ବିସ୍କୁଟ୍ ଖାଇନିଅ। ତାପରେ ଦିନଯାକ ତ ପଡ଼ିଛି। ସେ ତମକୁ ଗୋଟିଗୋଟି କରି ସବୁ କଥା କହିବେ, କୁଆଡେ଼ ଥିଲେ, କାହିଁକି ଥିଲେ, କ’ଣ କରୁଥିଲେ - ସବୁ – ସବୁ। ରଂଜନା କଡ଼ରେ ଥିବା ଗୋଟାଏ ଚେୟାର୍ ପାଖକୁ ଆସି ଭୁବନମୋହନବାବୁଙ୍କ ସାମ୍ନାରେ ବସିପଡ଼ିଲା ରାଜୁ। ତିନି ଜଣ ଯାକଙ୍କର ଚା’ ପର୍ବ ଶେଷ ହେଲା। ଚା’ ପିଉପିଉ ପାଖାପାଖି ବସିଥିବା ରଂଜନା ଆଉ ରାଜୁ - ଉଭୟଙ୍କୁ ଗୋଟିଏ ମିଶାଣଫଳ ପରି ଚୁପ୍ ଚାପ୍ ମନ ଭିତରେ ସରଳ ଅଙ୍କଟିଏ କଷି ଚାଲିଥିଲେ ଭୁବନମୋହନବାବୁ। ଏତେବର୍ଷ ମଧ୍ୟରେ ରାଜୁ ଆଉ ରଂଜନାକୁ ଅନେକଥର ସେ ଏକାଠି ବୁଲୁଥିବା, କଥାବାର୍ତ୍ତା କରୁଥିବା ଅବସ୍ଥାରେ ଦେଖିଛନ୍ତି। କିନ୍ତୁ ଆଜି ଏଇଭଳି ଏକାଠି ଦେଖିବାଟା କାହିଁକି କେଜାଣି ନୂଆନୂଆ ଲାଗୁଥିଲା - କିଛିଟା ନିଆରା। ରଂଜନାର ମୁହଁରେ ବଜାୟ ରହି ଆସିଥିବା ବର୍ଷବର୍ଷର ସେଇ ଉଦାସ ଭାବର ଛାୟା ଉପରେ କିଏ ଯେମିତି ଆଜି ଆଙ୍କିଦେଇଛି ପାଟଳ ରଂଗର ଗୋଟିଏ ସୁନ୍ଦର ପରିସମାପ୍ତି! ଚା’ କପ୍ ଟିକୁ ଥୋଇଦେଇ ରାଜୁ କହିଲା - ଅଙ୍କଲ୍! କାଲି ସଂଧ୍ୟା ଛଅଟାରେ ସାନ୍ତ୍ରା ପ୍ୟାଲେସ୍ରେ ପହଞ୍ଚୁ ପହଞ୍ଚୁ ଆପଣଙ୍କ ଖବର ନେଲି। ରଂଜନାକୁ ଖୋଜିଲି। ଶୁଣିଲି, ଦି’ ମାସ ହେଲା ନିଜ ‘ସ୍ମୃତିସଦନ’ ଘର ଛାଡ଼ିଦେଇ ଚାଲି ଆସିଛନ୍ତି ଆପଣଙ୍କର ଏଇ ହିଲ୍ ଷ୍ଟେସନ୍ରେ ଥିବା ପୁରୁଣା ଦିନର ‘ଶୂନ୍ୟପଂଜୁରି’ ଘରକୁ। ସହରର ଗହଳିଚହଳି ଆଉ କ୍ଲାଏଣ୍ଟମାନଙ୍କର କୋଳାହଳରୁ କିଛିଦିନ ଦୂରେଇ ରଖିବା ଉଦ୍ଦେଶ୍ୟରେ ରଂଜନା ଆପଣଙ୍କୁ ବାଧ୍ୟ କରି ନେଇଆସିଚି ଏଠିକି। କାରଣ ପଚାରିବାରୁ ଜାଣିଲି ଯେ ଆପଣ ଅସୁସ୍ଥ - ଡାକ୍ତର କହିଛନ୍ତି ବିଶ୍ରାମ ଦରକାର - କିଛିଦିନ ପାଇଁ କାମର ଚାପାରୁ ନିସ୍ତାର - ସେଥିପାଇଁ ହସ୍ପିଟାଲ୍ ନୁହେଁ, ହିଲ୍ ଷ୍ଟେସନ୍ ହେଉଛି ଏ ଅସୁସ୍ଥ ସମୟର ଉପଯୁକ୍ତ ବିଶ୍ରାମସ୍ଥଳ। ଡାକ୍ତରଙ୍କ ମୁହଁରୁ ଏ କଥା ଶୁଣିଲା କ୍ଷଣି ରଂଜନା ଜିଦ୍ କରି ଆପଣଙ୍କୁ ସାନ୍ତ୍ରା ପ୍ୟାଲେସ୍ଠୁଁ ସାଢ଼େ ତିନିଶ କିଲୋମିଟର ଦୂର ଏ ‘ଶୂନ୍ୟପଂଜୁରି’କୁ ନେଇଆସିଛି - ଦି’ମାସ ପୂର୍ବରୁ। ଶୁଣିସାରି ମନ ବ୍ୟସ୍ତ ହେଲା। ପ୍ରାଇଭେଟ୍ ସେକ୍ରେଟାରୀକୁ ଡାକି ଏଠାକାର ମ୍ୟାପ୍, ରୁଟ୍ ଚାର୍ଟ୍ ମଗାଇଲି। କ’ଣ କେମିତି ଗୋଟାଏ ଅଜବ୍ ଝୁଙ୍କର ଝଡ଼ ଉଠିଲା ମନରେ। ବାପାଙ୍କର ତିରିଶ ବର୍ଷ ତଳର ସେଇ ପୁରୁଣା କ୍ରାଏସେଲର୍ ଗାଡ଼ିଟାକୁ ଗ୍ୟାରେଜ୍ରୁ ବାହାର କରିବାକୁ ଡ୍ରାଇଭର୍କୁ କହିଲି। ସେ ଗାଡ଼ିଟାକୁ ଆଣି ପ୍ୟାଲେସ୍ର ଫାଟକ ପାଖରେ ଠିଆ କଲା। ବସିବା ଜାଗାରୁ ସେଇ ମୁହୂର୍ତ୍ତରେ ଉଠିଲି ଆଉ ଫାଟକ ପାଖରେ ପହଞ୍ଚିଗଲି। ଡ୍ରାଇଭର୍ ସଲାମ୍ ଠୁଙ୍କି ପଛ ସିଟ୍ର ଦରଜା ଖୋଲିଦେବା ଆଗରୁ ତା’ ଆଡେ଼ ହାତ ବଢ଼ାଇ ଦେଇ କହିଲି - ଥାଉ ସଲିମ୍, ମତେ ଖାଲି ଗାଡ଼ିର ଚାବିଟା ଦେ। ତୁ ଯା ଭିତରକୁ - ମୁଁ ବାହାରୁ ଘେରାଏ ଘୂରିଆସେ। ସଲିମ୍ କୁଣ୍ଠିତ ଭାବରେ ମତେ ଚାବିଟା ବଢ଼େଇଦେବା ମାତ୍ରେ ମୁଁ କାର୍ ଷ୍ଟାର୍ଟ୍ କଲି। କାହାକୁ କିଛି କହିଲିନି। ପିଚୁ ରାସ୍ତା ପରେ କଚା ରାସ୍ତା, ଦି’ ତିନିଟା ସହର ପରେ ପାଞ୍ଚଛଅଟା ପଡ଼ା ଗାଆଁ ପାର ହେଲି - ଶେଷରେ ଏଇ ହିଲ୍ ଷ୍ଟେସନ୍ ଆଡ଼କୁ ପାଇଗଲି ଅଙ୍କାବଙ୍କା ସଡ଼କ। ତା’ପରେ ରାତି ବାରଟା ପରେ ଜୁଟିଲି ଆସି ଏଇ ‘ଶୂନ୍ୟପଂଜୁରି’ ସାମ୍ନାରେ। ଏକା ନିଃଶ୍ୱାସକେ ନିଜର ଦୀର୍ଘବକ୍ତବ୍ୟ ଶେଷ କରିବା ପରେ ରାଜୁ ଟିକିଏ ହସିଲା। ଭୁବନମୋହନବାବୁ ଆଶ୍ଚର୍ଯ୍ୟ ହୋଇ ପଚାରିଲେ - ଜାଣିନ, ଏ ରାସ୍ତାରେ ରାତିଅଧରେ ରାହାଜାନି ହୋଇଥାଏ? ତମେ କଷ୍ଟ କରି ରାତିରେ ଏତେବାଟ ଏକାଏକା ଡ୍ରାଇଭ୍ କରି ଆସିବାଟା କ’ଣ ନିହାତି ଜରୁରୀ ଥିଲା? - ହଁ, ଅଙ୍କଲ୍ ! ଜରୁରୀ ଥିଲା ନିଶ୍ଚୟ। କାହାକୁ କିଛି ନ କହି ଚାରିମାସ ତଳେ ଯେମିତି ହିମାଳୟ ଚାଲିଯାଇଥିଲି, କାହାରିକୁ କିଛି କୈଫିୟତ ନ ଦେଇ ସେମିତି ଆପଣଙ୍କ ପାଖକୁ ଫେରିଆସିଲି। ଏପ୍ରକାର ଉତ୍ତରରେ ଭୁବନମୋହନବାବୁ ନିର୍ବାକ୍। ଦୁଇ ମିନିଟ୍ ପରେ ଧୀରେ ଧୀରେ ସେ ଉତ୍କଣ୍ଠିତ ହୋଇ ପ୍ରଶ୍ନ କଲେ - କିନ୍ତୁ ତମେ ହିମାଳୟ କାହିଁକି ଚାଲିଯାଇଥିଲ ହଠାତ୍? ରାଜୁ କିଛି କହିବା ଆଗରୁ ରଂଜନା ଫିକ୍ କରି ହସିଦେଇ ପ୍ରଶ୍ନର ଉତ୍ତର ଦେଲା - ସେ ସନ୍ନ୍ୟାସୀ ହେବାକୁ ଚାଲିଯାଇଥିଲେ ଡାଡି! ହେଲେ କମଣ୍ଡଳୁଟା ହାତରେ ଧରି ହଟହଟା ହେବାକୁ ଭଲ ଲାଗିଲାନି। ତା’ ଛଡ଼ା ତିନିମାସର କଠିନ କଠୋର ସାଧନା ପରେ ଗେରୁଆ ବସ୍ତ୍ର ଛାଡ଼ି ଅଧିକ ସିଦ୍ଧି ଅର୍ଜିବାକୁ ଯେତେବେଳେ କୌପୀନ୍ ପିନ୍ଧିବା ପାଇଁ ବାବାମହାରାଜଠାରୁ ହୁକୁମ୍ ଆସିଲା, ସେତେବେଳେ ଯାଇ ମୋକ୍ଷପଥରେ ଆଗେଇଯିବାକୁ ମନଟା ପଛେଇ ଆସିଲା। ସବୁ ପରମ ପୁଣ୍ୟ ପ୍ରାପ୍ତିର ଚରମ ଲକ୍ଷ୍ୟକୁ ଭ୍ରଷ୍ଟ କରିଦେଲା କେବଳ କେଇହାତ ଲମ୍ୱ କୋଚଟ କନାର ସେଇ ନାଲିଚିଆ କୌପୀନ୍ଟା! ବାବାମହାରାଜ ଆମର ଏ ବାବୁଙ୍କୁ ସବୁ ତନ୍ତ୍ରମନ୍ତ୍ର ଶିଖାଇଦେଇ ପାରିଲେ ସିନା, କୌପୀନ୍ ପିନ୍ଧାଟା କିନ୍ତୁ ମୋଟେ ବତେଇପାରିଲେନି। ସେଇଟା ହିଁ ହେଲା ଶେଷରେ ସାଧନାପଥର ମହାବାଧା! ବାବା ବିରକ୍ତିରେ ଶେଷ ହିତୋପଦେଶ ଦେଲେ - ବେଟା, ତୋ ଦେଇ ସନ୍ନ୍ୟାସ ସମ୍ଭବ ନୁହେଁ କସ୍ମିନ୍ କାଳେ, ଯା’ ଘରସଂସାର କରି ପରକୁ ଆପଣାର କରିବାରେ ମନପ୍ରାଣ ଢାଳିଦେ ଏଥର! ରାଜୁ ତରଫରୁ ରଂଜନାର ଏଭଳି ଉତ୍ତର ଭୁବନମୋହନବାବୁଙ୍କୁ ହାବୁକାଏ ହସର ତୋଫାନୀ ହାୱାରେ କାହିଁ କେତେଦୂରକୁ ଉଡେ଼ଇନେଲା ଯେମିତି! ରାଜୁ ବି ନ ହସି ରହିପାରିଲାନି। ଏହାର କିଛି ସମୟ ପରେ ରାଜୁ ଭୁବନମୋହନବାବୁଙ୍କ ଉଦ୍ଦେଶ୍ୟରେ ହାତଯୋଡ଼ି ଛିଡ଼ା ହେଲା। କିଛି କହିଲାନି। ଚାହିଁଲା ଖାଲି। ଭୁବନମୋହନବାବୁ ପଚାରିଲେ – କ’ଣ ହେଲା? ରାଜୁ ଏଥର କହିଲା - ଆପଣଙ୍କଠାରୁ ଦୁଇଟି ଜିନିଷ ମାଗିବାକୁ ମୁଁ ଏଠିକି ଚାଲିଆସିଲି ଅଙ୍କଲ୍! - ତମର ପୁଣି କେଉଁଥିରେ କ’ଣ ଊଣା ପଡ଼ିଲା ଯେ ଦି’ଟା ଜିନିଷ ମାଗିବାକୁ ହେଲା? ପୁଣି ମୋ ପରି ଜଣେ ସଂସାରର ଏଇ ଶେଷ ଷ୍ଟେସନ୍ରେ ଠିଆ ହେଇଥିବା ପ୍ରଥମ ଧାଡ଼ିର ଟିକେଟ୍ ପ୍ରାର୍ଥୀ ପାଖରୁ? - ନା, ଅଙ୍କଲ୍! ଆଉ ଏମିତି କହନ୍ତୁନି କିଛି। ମୁଁ ମାଗୁଥିବା ପ୍ରଥମ ଜିନିଷଟି ହେଉଛି ଆପଣଙ୍କ ପାଖରୁ ମୋ ପାଇଁ କ୍ଷମା। - କ୍ଷମା? - ହଁ। କିଛି ଖବରଅନ୍ତର ନଦେଇ ଚାରିମାସ ତଳୁ ମୁଁ ଅନ୍ତର୍ଦ୍ଧାନ ହେଇଗଲି। ମିଷ୍ଟର ସାନ୍ତ୍ରା ପରିଚୟର ଓଜନ ବୋହିବୋହି ମୁଁ ନୟାନ୍ତ ହୋଇପଡ଼ୁଥିଲି ଭିତରେ ଭିତରେ। କେବେ କେବେ କିଏ ମତେ ଦୂରରୁ ଡାକୁଥିଲା, କହୁଥିଲା : ସବୁ ଛାଡ଼ିଛୁଡ଼ି ଚାଲିଆ’ ମୋ ପାଖକୁ। ଗୋଟିଏ ଆଠବର୍ଷର ପିଲାର ସ୍ୱର ପରି ଶୁଭୁଥିଲା ସେ ଡାକ। ଭୁବନମୋହନବାବୁ ବୁଝିପାରିଲେ ରାଜୁ ଭିତରେ ତାର ଅତୀତ ଏବେ ବି ପଥର ତଳର ସବୁଜ ଛନଛନ ଘାସ କେରାକ ପରି ବଂଚିରହିଛି। ବର୍ତ୍ତମାନର ଶିଉଳି ତାକୁ ଢାଙ୍କି ଦେଇପାରିନି। ମୃଦୁ କଣ୍ଠରେ କହିଲେ - ତାପରେ? - ସମସ୍ତଙ୍କୁ ରାତିର ନିଦ ଭିତରେ ରଖିଦେଇ ଦୂରକୁ, ବହୁଦୂରକୁ ଚାଲିଗଲି ଦିନେ। ଭାବିଥିଲି କିଛିଦିନ ପରେ ସବୁ ଆଗପରି ନିୟମିତ ଭାବରେ ଦେହସୁହା ହେଇଯିବ ସମସ୍ତଙ୍କର। ଏତେବଡ଼ ଦୁନିଆରେ ଜଣେ ଯେ ଏ ଭିଡ଼ ଭିତରୁ ମୁକୁଳି କୁଆଡେ଼ ହଜିଗଲା, ତାର ହିସାବ ଆଉ ଖୋଜିବେନି କେହି। - ରାଜୁ! ଛିଡ଼ା ହୁଅନା, ବସିପଡ଼। ରାଜୁ ଭବନମୋହନବାବୁଙ୍କ କଥା ମାନି ପୁଣି ଚେୟାର୍ ଉପରେ ବସିଯାଇ କହିବାର କ୍ରମ ଜାରି ରଖିଲା - ଦୂରରେ ଏଇ କିଛିମାସର ରହଣି ଭିତରେ କ’ଣ ଘଟିଲା ଜାଣନ୍ତି? ଭୁବନମୋହନବାବୁ ଉତ୍ସୁକ ଭାବରେ କେବଳ ଚାହିଁ ରହିଲେ। ସେ ଆଉ କିଛି କହିପାରୁ ନ ଥାନ୍ତି। ରାଜୁ କହିଲା - ହିମାଳୟର ଗୋଟିଏ ଗୁଂଫା ଭିତରେ ମୋର ଅଦ୍ଭୁତ ଉପଲବ୍ଧି ହେଲା ଅଙ୍କଲ୍! ଅନୁଭବ କଲି ଯେଉଁ ଆଠ ବର୍ଷ ପିଲାର ସ୍ୱରକୁ ଶୁଣି ମୁଁ ଏ ଗୁଂଫାଯାଏଁ ଆସିଗଲି, ସେ ସ୍ୱର ଏକ ଶରୀର ପାଲଟିଯାଇଛି! ଆଖି ଆଗରେ ଯେଉଁ ସନ୍ନ୍ୟାସୀ ଯୋଗମୁଦ୍ରାରୁ ଉଠି ମତେ ଚାହିଁ ମୃଦୁମୃଦୁ ହସୁଛନ୍ତି, ସେ ଯେମିତି ମୋର ପୂର୍ବଜନ୍ମ! ମୁଁ ସେଇଠି ବୋଧହୁଏ ବାକ୍ଶକ୍ତି ହରାଇବସିଲି। କେତେ ସମୟ ପରେ ଚେତନା ଫେରିପାଇଲି, ଜାଣେନି। ଦେଖିଲି, ମୋ ମୁହଁ ଉପରେ କେଇଟୋପା ମନ୍ତ୍ରଜଳ ଛାଟି ମତେ ସାଷ୍ଟାମ କରାଉଛନ୍ତି ଯୋଗୀଜଣକ। ତାଙ୍କୁ ଆଖି ମଳି ଅନାଇରହିଲି। ସେ ସେଇପରି ମୃଦୁ ହସୁଛନ୍ତି। ପଚାରିଲି - ସ୍ୱାମୀଜୀ, ମୁଁ କେତେସମୟ ଚେତନା ହରାଇ ଶୋଇପଡ଼ିଥିଲି? ସେ ଉତ୍ତର ଦେଲେ - ଅଣତିରିଶ ବର୍ଷ ତିନିମାସ ସାତଦିନ ଛଅ ରାତି। ମୁଁ କିଛି ବିନ୍ଦୁବିସର୍ଗ ବୁଝିପାରିଲି ନାହିଁ। ସେ ମତେ ଧୀରେ ଧୀରେ ବୁଝାଇଲା ପରି ମୋ ମୁଣ୍ଡରେ ହାତ ରଖି କହିଲେ - ତମେ ଜନ୍ମବେଳୁ ଏଯାବତ ସମୟର ଯେତିକି ପର୍ଯ୍ୟାୟ ପାର ହେଇଆସିଛ, ତାହା ପ୍ରକୃତରେ ତମ ପାଇଁ ଗୋଟିଏ ଚେତନାହତ ଅବସ୍ଥା। ବର୍ତ୍ତମାନ ଆଖି ଖୋଲି ମତେ ଯେଉଁ ମୁହୂର୍ତ୍ତରେ ଚାହିଁବାକୁ ଆରମ୍ଭ କରିଛ, ଧରିନିଅ ସେଇ ମୁହୂର୍ତ୍ତରୁ ହିଁ ତମେ ତମର ଚେତନାର ଆଦ୍ୟବିନ୍ଦୁରୁ ଯାତ୍ରା ଆରମ୍ଭ କରିବାକୁ ଯାଉଛ। ହିମାଳୟ ତମର ସ୍ଥାନ ନୁହେଁ, ତମ ପାଇଁ ଜୀବନର ବହୁ ମହାର୍ଘ କ୍ଷେତ୍ର ଅପେକ୍ଷା କରି ରହିଛି। ଯାଅ, ଫେରିଯାଅ ସେଇ ସଂସାରତୀର୍ଥକୁ - ସେଠି ବରଫ ପାଲଟିବାକୁ ଯାଉଥିବା ମନପ୍ରାଣଆତ୍ମାଦିକୁ ତରଳାଇ ଦିଅ। ରାଜୁ ଟିକିଏ ଦମ୍ ନେଲା। ଭୁବନମୋହନବାବୁ ଆଉ ରଂଜନା କାଷ୍ଠପିତୁଳା ପରି ନୀରବନିସ୍ତବ୍ଧ ଭାବରେ ସବୁ ଶୁଣୁଥାନ୍ତି। ରାଜୁ ପୁଣି କହିଚାଲିଲା - ଅଙ୍କଲ୍! ଫେରି ଆସିଲି ସେଇଠିକୁ, ଯେଉଁଠୁ ଦିନେ ଚାଲିଯାଇଥିଲି। ଆସି ପ୍ରଥମେ ଆପଣଙ୍କୁ ଆଉ ରଂଜନାକୁ ଖୋଜିଲି। ଆପଣ ଅସୁସ୍ଥ ହୋଇ ଦି’ମାସ ହେଲା ରଂଜନା ସହିତ ଦୂରକୁ ଚାଲିଯାଇଛନ୍ତି ଶୁଣି ନିଜକୁ ଦୋଷୀ ମନେକଲି। ଭାବିଲି, ଆପଣଙ୍କର ଏ ଅସୁସ୍ଥତା ପାଇଁ ମୁଁ ଦାୟୀ। ମୋର ହଠାତ୍ ନିଖୋଜ ହେଇଯିବାରେ ଯେଉଁ ଆଶଙ୍କା ଆଉ ଦୁଶ୍ଚିନ୍ତା ଆପଣଙ୍କ ମନରେ ଦାନା ବାନ୍ଧିଲା, ତା’ରି ପରିଣାମ ନିଶ୍ଚୟ ଏ ଅସୁସ୍ଥତା। ଏମିତି ଭାବିଲି ଆଉ ନିଜକୁ ଧିକ୍କାରିଲି। ଗୋଟିଏ ମୁହୂର୍ତ୍ତ ସୁଦ୍ଧା ସାନ୍ତ୍ରା ପ୍ୟାଲେସ୍ରେ ଅଟକି ରହିବା ପାଇଁ ଇଚ୍ଛା ହେଲା ନାହିଁ। କାଲି ସଂଧ୍ୟା ସାଢ଼େ ଛଅରୁ ରାତି ବାର ... ରାସ୍ତାସାରା କାର୍ ଡ୍ରାଇଭ୍ କରୁଥିବା ଅବସ୍ଥାରେ ମୁଁ କେବଳ ଆପଣଙ୍କଠାରୁ ନୀରବ ନିବିଷ୍ଟ ଭାବରେ କ୍ଷମା ମାଗୁଥାଏ। ଭୁବନମୋହନବାବୁ ହସିହସି କହିଲେ - ଠିକ୍ ଅଛି ରାଜୁ। ତମେ ତ ସାରା ଦୁନିଆ ସାମ୍ନାରେ ମିଷ୍ଟର ସାନ୍ତ୍ରା, ମାତ୍ର ମୋ ଆଗରେ ତମେ ସେଇ ଆଠବର୍ଷର କିଶୋର - ଯାହାକୁ ମୁଁ ଗୋଟାଏ ଯୁଗ ପୂର୍ବେ ମାନେ ବାରବର୍ଷ ତଳେ ଗୋଟାଏ ପୁରୁଣା ଜମିଦାରିରୁ ଆଉଗୋଟେ ନାମୀ ମହାନଗରୀକୁ ନେଇଆସିଥିଲି। ଆଜି ଆଉଗୋଟେ କଥା ରଂଜନା ଆଉ ତମ ଆଗରେ ଖୋଲି କହିଦେଉଛି। ଶୁଣ। ତମର ବାପା ମିଷ୍ଟର ସାନ୍ତ୍ରା କେବଳ ମୋର ସହପାଠୀ ନ ଥିଲେ, ଅଭିନ୍ନ ହୃଦୟ ବନ୍ଧୁ ଥିଲେ। ମୁଁ ବାର୍ ଆଟ୍ ଲ’ ସାରି ଯେତେବେଳେ ଦେଶକୁ ଫେରେ, ସେତେବେଳେ ତମର ବାପା ମତେ ସାନ୍ତ୍ରା ଇଷ୍ଟେଟ୍ର ଲିଗାଲ୍ ହେଡ୍ ଦାୟିତ୍ୱ ନେବାକୁ ଅନୁରୋଧ କଲେ। ମୁଁ ଦିଲ୍ଲୀ ଛାଡ଼ି ଚାଲି ଆସିବାକୁ ମଙ୍ଗିନଥିଲି। ସେ ଦି’ ବର୍ଷ ପରେ ପୁଣି ଆସିଥିଲେ, ଯେଉଁଦିନ ରଂଜନାର ପ୍ରଥମ ଜନ୍ମବାର୍ଷିକୀ। ସେଦିନ ସେ ବିଦାୟ ନେବା ଆଗରୁ କ’ଣ ଉପହାର ଦେଇଯାଇଥିଲେ ଜାଣ? ରାଜୁର ଉତ୍ସୁକ ଆଖି ଭୁବନମୋହନବାବୁଙ୍କ ମୁହଁ ଉପରେ ସ୍ଥିର ହୋଇ ରହିଗଲା। ସେ କହିଲେ - ମୋ ପାଇଁ ଖଣ୍ଡିଏ ଚିଠି ଆଉ ରଂଜନା ପାଇଁ ସ୍ୱତନ୍ତ୍ର ଭାବରେ ଗୋଟିଏ ଜଉମୁଦା ଲଫାଫା। ରାଜୁକୁ ଭୁବନମୋହନବାବୁଙ୍କ କଥା ରହସ୍ୟମୟ ମନେ ହେଉଥିଲା। କିନ୍ତୁ ତାକୁ ଅଧିକ ସମସ୍ୟାରେ ନ ପକାଇ ସେ ଧୀରେ ଧୀରେ ରହସ୍ୟ ଉନ୍ମୋଚନ କଲେ - ମୁଁ ଏ କଥା ଆଜି କହିବାକୁ ଗଲାବେଳେ ମୋର ବନ୍ଧୁ ତଥା ତମର ବାପା ମିଷ୍ଟର ସାନ୍ତ୍ରା ମତେ ସମର୍ଥନ ଦେବାକୁ ନାହାନ୍ତି ଆଉ ଏ ସଂସାରରେ। ଖୁବ୍ ଅଳ୍ପରେ ସେ ଅକୁହା କଥା ପ୍ରକାଶ କରୁଛି। ମୋ ପ୍ରତି ଉଦ୍ଦିଷ୍ଟ ଚିଠି ଖଣ୍ଡିକରେ ସେ ଲେଖିଥିଲେ, ସାନ୍ତ୍ରା ଇଷ୍ଟେଟ୍ର ଲିଗାଲ୍ ହେଡ୍ ଭାବରେ ସେ ମୋ ନାମକୁ ସର୍ବୋଚ୍ଚ ସ୍ଥାନରେ ରଖିସାରିଛନ୍ତି, ଏହା ସେ କରିଛନ୍ତି ଆମ ଅଭିନ୍ନ ବନ୍ଧୁତ୍ୱର ଆତ୍ମିକ ଆହ୍ୱାନରେ, ଏଥିରେ କୌଣସି ବାଧ୍ୟବାଧକତା ନାହିଁ ମୋ ପାଇଁ, ମୁଁ ପୃଥିବୀର ଯେକୌଣସି ସ୍ଥାନରେ ଥିଲେ ବି ତାଙ୍କର ସେଇ ବିରଳ ବନ୍ଧୁ ଆଉ ଶ୍ରେଷ୍ଠ ଶୁଭେଚ୍ଛୁ - ଏ ଈଶ୍ୱରଦତ୍ତ ଅଧିକାରରୁ ତାଙ୍କୁ କେହି ବିଚ୍ୟୁତ କରାଇ ପାରିବେ ନାହିଁ। ସେଇ ଅଧିକାରବୋଧରେ ମୋର କୌଣସି ସମ୍ମତି ଅସମ୍ମତିକୁ ଅପେକ୍ଷା ନ କରି ସେ ଏଇ ଏକତରଫା ନିଷ୍ପତ୍ତି ନେଲେ ବୋଲି ଚିଠିଖଣ୍ଡିକରେ ଜଣାଇଦେଇଥିଲେ। ରାଜୁ, ତମର ବାପା ମିଷ୍ଟର ସାନ୍ତ୍ରା ଥିଲେ ଏଇଭଳି ଜଣେ ଅଦ୍ଭୁତ ମିଜାଜ୍ର ମଣିଷ, ଠିକ୍ ତମରି ପରି ତାଙ୍କର ମନ-ହୃଦୟ ଆଉ ଭାବଧାରା ଥିଲା ଅନ୍ୟ ସମସ୍ତଙ୍କଠାରୁ ଏକଦମ୍ ଅଲଗା। ଆମ ସବୁବନ୍ଧୁଙ୍କ ଭିତରେ ସେ ବରାବର ବାରି ହୋଇପଡ଼ୁଥିଲେ। ଆମେ ସବୁ ତାଙ୍କୁ ପରିହାସରେ ଡାକୁଥିଲୁ - ମିଷ୍ଟର ମିଦାସ୍! ସତରେ ସେ ଯେଉଁ କାମରେ ହାତ ଦେଉଥିଲେ ସେଥିରେ ଶତକଡ଼ା ଶହେ ସଫଳତା ତାଙ୍କ ପାଦ ତଳେ ଲୋଟୁଥିଲା। ରାଜା ମିଦାସଙ୍କ ପରି ମାଟିକୁ ଛୁଇଁଲେ ବି ମାଟି ହେଇ ଯାଉଥିଲା ସୁନା! ଭୁବନମୋହନବାବୁ ଟିକିଏ ରହିଗଲେ। ରାଜୁ ଆଉ ରଂଜନା ଲକ୍ଷ୍ୟ କଲେ ତାଙ୍କ ଆଖି ଦି’ଟା ସଜଳ ହୋଇଉଠିଛି। କିଛି ସମୟ ତିନି ଜଣ ଯାକ ଚୁପ୍ ହୋଇ ବସିରହିଲେ। ରଂଜନା ପଚାରିଲା - ଡାଡି, ଆଉ ଅଳ୍ପଟିକେ ଚା’ କରି ନେଇ ଆସିବି କି? ଭୁବନମୋହନବାବୁ କହିଲେ - ନାଇଁ ମା, ବସ୍। ଆଜି ଯେଉଁ କଥା କେବେ କହିବିନି ବୋଲି ଭାବିଥିଲି, ଆଗ କହିଦେଇସାରେଁ। ରାଜୁ ରଂଜନା ମୁହଁକୁ ଚାହିଁଲା। ରଂଜନା ବି ରାଜୁ ମୁହଁକୁ। ଦୁହେଁ ପୁଣି ଭୁବନମୋହନବାବୁଙ୍କୁ ଅନାଇ ଦେଖନ୍ତି ତ ସେ ଆଖି ବୁଜିଦେଇ କଣ ଭାବୁଛନ୍ତି। ସେଇ ଆଖି ବୁଜିଥିବା ଅବସ୍ଥାରେ ଭୁବନମୋହନବାବୁ କହିବାକୁ ଆରମ୍ଭ କଲେ ଆଉଥରେ - ହଁ, ରାଜୁ, ଶୁଣ। ଏମିତି ଅଦ୍ଭୁତ ମଣିଷ ଥିଲେ ମିଷ୍ଟର ସାନ୍ତ୍ରା। ଚିଠିଖଣ୍ଡିକ ସାରିଦେଲା ପରେ ମୋ ପାଖକୁ ଆଉ ଅଧିକ ତିନୋଟି ଧାଡ଼ି ସେ ଦସ୍ତଖତ ତଳେ ଲେଖିଦେଇଥିଲେ - ଭୁବନ, ଜଉମୁଦା ଲଫାଫାଟାକୁ ଏବେ ଖୋଲିବ ନାହିଁ। ରଂଜନାର ବିବାହ ପୂର୍ବରୁ ଖୋଲାଯିବ, ମୋ ଜରିଆରେ ତାକୁ ସେଇଟା ମୋର ସ୍ତ୍ରୀର ଉପହାର। ଆମେ ଦୁହେଁ କିଛିବର୍ଷ ପାଇଁ ଆମର ଦେଢ଼ବର୍ଷର ଶିଶୁପୁତ୍ର ସହିତ ବିଦେଶ ଚାଲି ଯାଉଛୁ, ମୋ ଅନୁପସ୍ଥିତିରେ ସାନ୍ତ୍ରା ଇଷ୍ଟେଟ୍ର ଦାୟିତ୍ୱ ତୁମ ଉପରେ - ଏ ବାବଦରେ ମୁଁ ସବୁ ଲେଖାପଢ଼ା ସାରିଦେଇଛି। ଭୁବନମୋହନବାବୁ ହଠାତ୍ କାନ୍ଦିପକାଇଲେ। ରଂଜନା ଉଠିଯାଇ ତାଙ୍କ କପାଳକୁ ଆଉଁଶିଦେଇ କହିଲା - ଥାଉ ଡାଡି, ପରେ କହିବ। - ନା ମା, ତୁ ଆଉ ରାଜୁ ମୋ ପାଖରେ ଆଉଟିକିଏ ବସ। ମୋର ଆଉ ବେଶିକିଛି କହିବାର ନାହିଁ। ରଂଜନାର ଗୋଟାଏ ହାତକୁ ମୁଠା ଭିତରେ ଚାପିରଖି ସେ କହିଲେ - ରାଜୁ, ହଠାତ୍ ସବୁ ଓଲଟପାଲଟ ହେଇଗଲା। ତମକୁ ସେତେବେଳକୁ ଦେଢ଼ବର୍ଷ। ତମକୁ ନେଇ ବିଦେଶ ଯିବା ଆଗରୁ ମିଷ୍ଟର ସାନ୍ତ୍ରା ସସ୍ତ୍ରୀକ ମୋ ପାଖକୁ ଆସୁଥିବାର ଖବର ପାଇଲି। ତମ ମା’ ଥରେ ରଂଜନା ଆଉ ସ୍ମୃତିକୁ ଦେଖିବାକୁ ଚାହୁଥିଲେ। ତମକୁ ଅଜାଆଈଙ୍କ ପାଖରେ ଗୋଟିଏ ଦିନ ପାଇଁ ଛାଡ଼ି ଦୁହେଁଯାକ ଦିଲ୍ଲୀ ଚାଲିଆସିଥିଲେ। ହେଲେ ତା’ ଆରଦିନ ଗୋଟାଏ କୁହୁଡ଼ିଘେରା ସକାଳେ ଏୟାର୍ପୋର୍ଟରୁ ବିମାନରେ ବିଳମ୍ୱିତ ଯାତ୍ରା ... ଆଉ ସେଇ ଯାତ୍ରା ସେମାନଙ୍କର ଶେଷଯାତ୍ରା ... ପ୍ଲେନ୍କ୍ରାସ୍ରେ ପାଉଁଶ ହେଇଯାଇଥିଲେ ପାଇଲଟ୍ଙ୍କ ସମେତ ସବୁ ଯାତ୍ରୀ! ରାଜୁ ଗୋଟାଏ ଦୀର୍ଘ ନିଃଶ୍ୱାସର ଶବ୍ଦ ଶୁଣିଲା। ରଂଜନାର ଆଖି ଜକେଇ ଆସିଲା। ଭୁବନମୋହନବାବୁ କହିଲେ - ସମସ୍ତେ ଆମେ ସ୍ତବ୍ଧ। ପାଦ ତଳୁ ମାଟି ଧସିଯିବା ପରି ଲାଗିଲା। ମୁଁ ଦିଲ୍ଲୀ ଛାଡ଼ିଦେଲି ସବୁଦିନ ପାଇଁ। ସ୍ମୃତି ଆଉ ରଂଜନାକୁ ସାଙ୍ଗରେ ଧରି ଚାଲିଆସିଲି ସିଧା ସାନ୍ତ୍ରା ଇଷ୍ଟେଟ୍। ବାରିଷ୍ଟରିରେ ବହୁତ ଉପାର୍ଜନ କରିଥିଲି। ହେଲେ ଜୀବନରେ କେବେ କେଉଁ ଦିନ କୌଣସି ମକଦ୍ଦମା ହାରିନଥିବା ବାରିଷ୍ଟରକୁ ହରାଇଦେଲା ତାର ଭାଗ୍ୟ। ଆଗରୁ ବନ୍ଧୁ, ବନ୍ଧୁପତ୍ନୀଙ୍କୁ ହରାଇଥିଲି, ଠିକ୍ ତାର ଛଅବର୍ଷ ପରେ ହରାଇଲି ସ୍ମୃତିକୁ। ସେ ଚାଲିଗଲା କ୍ୟାନ୍ସର୍ରେ। ମୁଁ ପ୍ରଥମେ ଏଇ ହିଲ୍ ଷ୍ଟେସନ୍ ପାଖରେ ବିରାଟ ଫାର୍ମ ହାଉସ୍ କିଣିଲି। ସେଇଠି ତିଆରି କଲି ଏଇ ଦି’ମହଲା ଘର। ହେଲେ ଛାତ ପଡ଼ିଲା ପରେ ଗୃହପ୍ରବେଶ କରିବା ଆଗରୁ ସ୍ମୃତିର ପରଲୋକ। ଏଠି ଆଉ ରହିବାର ଇଚ୍ଛା ହେଲାନି। ଘରଟାର ନାଁ ‘ଶୂନ୍ୟପଞ୍ଜୁରି’ ଦେଇ ଫେରିଗଲି ମହାନଗରୀକୁ - ସାନ୍ତ୍ରା ଇଷ୍ଟେଟ୍ରେ ‘ସ୍ମୃତିସଦନ’ ଠିଆ ହେଲା - ସେଇଠି ସାତବର୍ଷର ରଂଜନାକୁ ସତେଇଶ ବର୍ଷ ପୂରିଲା। ତମକୁ ତମ ଅଜାଆଈଙ୍କ ପାଖରେ କେତେଥର ଏକା ଯାଇ ତମ ଅଲକ୍ଷ୍ୟରେ ଦେଖି ଆସଛି - ଠିକ୍ ମିଷ୍ଟର ସାନ୍ତ୍ରାଙ୍କ ଚେହେରା ଆଉ ମିସେସ୍ ସାନ୍ତ୍ରାଙ୍କ ସୁନାରଙ୍ଗର ମଧୁର ମିଶ୍ରଣ ତମଠି ଲକ୍ଷ୍ୟ କରି ଆଶ୍ଚର୍ଯ୍ୟ ହୋଇଛି। ଯେତେଥର ଯାଇଛି, ଖୁବ୍ ଅଳ୍ପ ସମୟ ପାଇଁ। ତମେ ଖୁବ୍ ଛୋଟ। ତମର ମନେ ନ ଥିବ। କିନ୍ତୁ ତମକୁ ଅଠର ବର୍ଷ ହେଲାବେଳକୁ ରଂଜନାକୁ ସାଙ୍ଗରେ ନେଇ ତମ ଅଜାଆଈଙ୍କୁ ଭେଟିବାକୁ ଯାଇଥିଲି। ତା’ପରର ଘଟଣା ତମେ ଜାଣିଛ। ରାଜୁ ପଚାରିଲା - ଅଙ୍କଲ୍! ବାପା ସେ ଜଉମୁଦା ଲଫାଫାରେ ରଂଜନାକୁ ମୋ ମାଆ ଦେଇଥିବା କି ଉପହାର ପଠାଇଥିଲେ? - ସେଟା ଆଉ ଖୋଲା ହେଲା କେଉଁଠୁ? ସାନ୍ତ୍ରା ଅନୁରୋଧ କରିଯାଇଥିଲେ, ରଂଜନାର ବିବାହ ପୂର୍ବରୁ ଖୋଲାହେବ। ରଂଜନା ତ ସବୁ ପ୍ରସ୍ତାବ ଆଡେ଼ଇଦେଲା। ସେ ଆଉ ବାହା ହେବ ନାହିଁ ବୋଲି ସଂକଳ୍ପ କରିଛି। ଲଫାଫାରୁ ସେ ଜଉମୁଦ ଆଉ ଛଡ଼ାଇବ କିଏ? ମୁଁ ତ ଏବେଠୁ ଅସୁସ୍ଥ ହେବାକୁ ବସିଲିଣି। ରାଜୁ କିଛିଟା ବିସ୍ମିତ ହେଲା। ତା’ପରେ କହିଲା - ଆପଣ ଆଉ ଅସୁସ୍ଥ ହେବେନି ଅଙ୍କଲ୍! ମୁଁ ଫେରିଆସିଛି ଆଉ ନ ମାଗି ବି ଆପଣ ମତେ କ୍ଷମା ଦେଇସାରିଛନ୍ତି ବୋଲି ଜାଣିପାରୁଛି। ହେଲେ ଦ୍ୱିତୀୟ ଜିନିଷଟା ମତେ ମାଗିବାକୁ ପଡ଼ିବ ମୁହଁ ଖୋଲି। ସେ ରଂଜନା ଆଡ଼କୁ ଅନାଇଲା ମୁହୂର୍ତ୍ତେ। ତା’ପରେ କହିଲା - ଆପଣ ମତେ ଦେବେ? - ତମକୁ ମୋର ଅଦେୟ କ’ଣ ଅଛି, ରାଜୁ? - ତା’ହେଲେ ମତେ ରଂଜନାକୁ ଦିଅନ୍ତୁ। ରଂଜନା ତଳକୁ ମୁହଁ ପୋତି ବସିରହିଲା। ଭୁବନମୋହନବାବୁ ଆର୍ମ ଚେୟାର୍ରୁ ଉଠିପଡ଼ିବାର ଉପକ୍ରମ କଲେ। ରାଜୁ ତାଙ୍କୁ ଉଠିଆସି ବସାଇଦେଲା। କହିଲା - ଅଙ୍କଲ୍! ଆପଣଙ୍କୁ ଏ ଅନୁରୋଧ କରିବା ଆଗରୁ ମୁଁ କାଲି ରାତିରେ ରଂଜନା ଆଗରେ ମୋ ମନଟାକୁ ଖୋଲି ଦେଖାଇସାରିଛି। କେବେ ପିଲା ଥିଲି ବୋଲି କହିଦେଇଥିଲି ଅଜାଙ୍କ ସାତଶଗଡ଼ରେ ଏ ମହାନଗରୀର ସମ୍ପତ୍ତିସବୁ ପୁରୁଣା ଜମିଦାରୀ ପଡ଼ାଗାଆଁକୁ ବୁହାଇନେବି ବୋଲି। ରଂଜନା ବି ସମ୍ପତ୍ତିର ତାଲିକାଟା ତିଆରି କରୁକରୁ ତାର ପିଲାଦିନ କୁଆଡେ଼ ହଜିଗଲା। ସେ ମତେ ଚାହିଁବାକୁ ସୁଦ୍ଧା ମୁହୂର୍ତ୍ତେ ଆଉ ଫୁରୁସତ ପାଇପାରିଲା ନାହିଁ। ମତେ ଏକଦମ ଏକୁଟିଆ ଲାଗିଲା। ମୁଁ ଚାଲିଗଲି ଦୂରକୁ। ହେଲେ ସେଇ ଦୂରରେ ଥାଇ ମୁଁ ଜାଣିପାରିଲି ଅସଲ ସମ୍ପତ୍ତିର ଅର୍ଥ। ରଂଜନା ସେତେବେଳକୁ ଲାଜରେ ଭୁବନମୋହନବାବୁଙ୍କ କୋଳରେ ମୁଣ୍ଡ ଗୁଂଜିସାରିଲାଣି। ତାର ଡାଡିଙ୍କ ଭିତରେ ସେ ମାମାର ସ୍ମୃତିସ୍ପନ୍ଦନକୁ କେମିତି ଅନୁଭବ କରେ, ସେଇ ହିଁ ଏକା ଜାଣେ ସେ କଥା। ଆଜି ବି ସେ ସେଇ ସ୍ମୃତିଶୀତଳ ଆଶ୍ରୟ ମଧ୍ୟରେ ନିଜକୁ ଗୋପନ କରିରଖିଲା। ରାଜୁ କହିଲା - ଅଙ୍କଲ! ସେ ଅସଲ ସମ୍ପତ୍ତିକୁ ଶଗଡ଼ରେ ବୁହାଇ ଆଣିହୁଏନା, ଆଣିହୁଏ କେବଳ ସବାରୀରେ। ଆଜିକାଲି ତ ଆଉ ସବାରୀର ଚଳଣି ନାହିଁ। ତେବେ ଆପଣ ଯଦି ରଂଜନାକୁ ମତେ ଦେବେ, ମୁଁ ତାକୁ ବିନା ସବାରୀରେ ମଧ୍ୟ ନେଇଯାଇପାରିବି। ଭୁବନମୋହନବାବୁ ରାଜୁ ଆଡ଼କୁ ହାତ ବଢ଼ାଇଲେ। ରାଜୁ ଉଠିଆସି ତାଙ୍କ ହାତକୁ ଧରିଲା। ସେ ରାଜୁକୁ ରଂଜନା କଡ଼ରେ ବସାଇ ଉଭୟଙ୍କୁ ଆଶୀର୍ବାଦ କଲେ। ତାଙ୍କ ଆଖିଦୁଇଟିରୁ ଧାରଧାର ଅଶ୍ରୁ ଝରୁଥିଲା। ବୋଧହୁଏ ଆରପଟେ ଶୋଇବା ଘରର କାନ୍ଥରେ ଥିବା ଫ୍ରେମ୍ବଧା ଫଟୋଟାରେ ସ୍ମୃତିଙ୍କ ଓଠରେ ସେତେବେଳକୁ ଫୁଟିଉଠିଥିବ ପାଖୁଡ଼ାଏ ଫୁଲଫୁଟା ହସ! +++ ଅନେକ ବର୍ଷ ପରେ - କେତେ ବର୍ଷ ପରେ - ଜଉମୁଦା ଲଫାଫାଟାର ସେ ବର୍ଗବନ୍ଧନୀ ଭିତରୁ ମୁକୁଳି ନିଜ ମୁକ୍ତିର ତାରିଖ ଦେଖିଲା ରାଜୁ ମାଆଙ୍କର ସେ ଉପହାର? ସେ ଉପହାର ଥିଲା ଏକ ଇଚ୍ଛାପତ୍ର। ସେ ଇଚ୍ଛା ଥିଲା କମନୀୟ କଦମ୍ୱଫୁଲଟିଏ! ମିସେସ୍ ସାନ୍ତ୍ରା ଇଚ୍ଛା ପ୍ରକାଶ କରିଥିଲେ, ମୋ ପୁଅ ରାଜୁ ପାଇଁ ରଂଜନାକୁ ବୋହୂ କରିବାକୁ ଭାରି ଲୋଭ ହେଉଛି ମୋର। ମୁଁ ତାକୁ ମନେମନେ ଏବଠୁ ମୋ ବୋହୂ ବୋଲି ଭାବୁଛି। ମନକଥା ମନରେ ଚାପି ନ ରଖି ଲେଖିଦେଲି। ସ୍ମୃତି, ତମେ ଭୁବନବାବୁଙ୍କୁ ମୋର ହେଇ ଟିକିଏ ବୁଝାଇଦେବାକୁ ରାଣ ରହିଲା। ମୁଁ ମୋ ଭାବୀବୋହୂର ପ୍ରଥମ ଜନ୍ମବାର୍ଷିକୀରେ ଗୋଟିଏ ଉପହାର ଦେଉଛି। ଆନ୍ତରିକତାର ସହିତ ରଂଜନା ପାଇଁ ସାଇତି ରଖିଥିବ। ତାକୁ ଏ ବିଷୟରେ କିଛି ସୂଚନା ଦେବନି। ଏଇ କେଇଟି ଧାଡ଼ି ସହିତ ଗୁନ୍ଥା ହୋଇ ରହିଥିଲା ମିଷ୍ଟର ସାନ୍ତ୍ରାଙ୍କ ସ୍ୱାକ୍ଷରିତ ଏକ ଇଚ୍ଛାପତ୍ର। ରଂଜନାକୁ ଅଠର ବର୍ଷ ପୂରିଗଲା ପରେ ସାନ୍ତ୍ରା ଇଷ୍ଟେଟ୍ର ଅର୍ଦ୍ଦେକ ସମ୍ପତ୍ତିର ସେ ହେବ ନିରଙ୍କୁଶ ଉତ୍ତରାଧିକାରୀ। ଏଥିସହିତ ତାଙ୍କ ପୁଅକୁ ବିବାହ କରିବା ନ କରିବା ନେଇ କୌଣସି କଥା ଉଠିବାର ନାହିଁ : ଯଦି ରଂଜନା ଆଉ କାହାରିକୁ ବି ପସନ୍ଦ କରି ବିବାହ କରେ, ତା’ହେଲେ ମଧ୍ୟ ଏଇ ଦତ୍ତସମ୍ପତ୍ତି ତାର ବିବାହ ଉପଲକ୍ଷେ ମିସେସ୍ ସାନ୍ତ୍ରାଙ୍କ ପ୍ରୀତ୍ୟୁପହାର ବୋଲି ବିଚାରିବାକୁ ହେବ। ଇଚ୍ଛାପତ୍ରଟିର ଶେଷରେ ଥିବା ଦସ୍ତଖତଟି ଉପରେ ବୁନ୍ଦାଏ ଲୁହ ଖସିପଡ଼ିଲା। ରାଜୁ ପଛକୁ ଅନେଇ ଦେଖିଲା, ରଂଜନା ତା କାନ୍ଧରେ ଆସ୍ତେ ଆସି ମୁହଁ ଥାପିଛି। ଚୁପ୍ଚାପ୍ କାନ୍ଦୁଛି। ସେ ତାକୁ ଆଗକୁ ନେଇଆସି ଚାପି ଧରିଲା। ଯାଜପୁର ରୋଡ୍, ଯାଜପୁର ମୋ-୯୮୬୧୦୩୪୧୬୩