ବାଲି ମାଫିଆଙ୍କୁ ଭୋଟ୍ ଦେବା!

ବାଲି ମାଫିଆଙ୍କୁ ଭୋଟ୍ ଦେବା!

Share :

ମାର୍ଚ୍ଚ ୨୪ ତାରିଖ ଦିନ ଭଣ୍ଡାରିପୋଖରୀ ବ୍ଲକର ନେରେଡା ସୁନାମୁହିଁ ନିକଟରେ ବୈତରଣୀ ନଦୀ ଗର୍ଭରେ ଖୋଳା ଯାଇଥିôବା କୃତ୍ରିମ ବାଲିଖାଲ ଗଣ୍ଡରେ ବୁଡ଼ି ନେରାଡା ବୋଇତାଇ ସାହିର ୩ ଜଣ ଯୁବକ ପ୍ରାଣ ହରାଇଥିବା ଖବର ଅନେକ ପ୍ରଶ୍ନ ଉତ୍ଥାପନ କରିଛି । ଏହି ତିନି ଜଣ ଯୁବକଙ୍କ ମୃତୁ୍ୟ ପାଇଁ ପ୍ରକୃତିରେ କିଏ ଦାୟୀ? ନଈ ନା ମଣିଷ? ଗାଁ ଲୋକ ନା ସରକାର? ବୁଡ଼ି ଯାଇଥିବା ଯୁବକ ତ୍ରୟ ନା ବାଲି ମାଫିଆ? ଗ୍ରାମବାସୀମାନେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଦେଇଥିବା ସୂଚନା ଅନୁସାରେ ନେରଡା-୧ ସୈରାତରୁ ଜେସିବି ଯୋଗେ ବାଲି ଉଠାଯିବା ଦ୍ୱାରା କୃତ୍ରିମ ଭାବେ ସୃଷ୍ଟି ହୋଇଥିବା ଗଣ୍ଡର ଧସାବାଲିରେ ଗୋଡ଼ ତଳକୁ କ୍ରମଶଃ ପୋତି ହୋଇଯିବାରୁ ପହଁରା ଜାଣି ନଥିବା ତିନି ଯୁବକ ବୁଡ଼ିଯାଇଥିଲେ । ବାଲି ଚାଲାଣ କରିବାକୁ ବେଆଇନ ଭାବେ ଜେସିବି ମେସିନ ଦ୍ୱାରା ମାତ୍ରାଧିକ ବାଲି ଉଠାଯିବା ଫଳରେ ଏହି ଗଣ୍ଡ ସୃଷ୍ଟି ହୋଇଛି । ଗ୍ରାମବାସୀଙ୍କଠାରୁ ମିଳିଥିବା ତଥ୍ୟ ଅନୁସାରେ ଗ୍ରାମର ୫ ଜଣ ଯୁବକ ସାଥିହୋଇ ଗାଧୋଇବାକୁ ଯାଇଥିଲେ । ଗଣ୍ଡକୂଳରେ ଦୁଇଜଣ ଯୁବକ ରହିଯାଇଥିବା ବେଳେ ନେରଡା ବୋଇତାଇ ସାହିର କେଦାର ନାଥ ବୋଇତାଇଙ୍କ ପୁଅ ଜଗତ ଜୀବନ ବୋଇତାଇ(୧୮), ରମେଶ ବଳଙ୍କ ପୁଅ କୁନା ଓରଫ ପ୍ରଦୀପ ବଳ(୨୨) ଓ ରାଜେନ୍ଦ୍ର ବୋଇତାଇଙ୍କ ପୁଅ ଦିପ୍ତୀରଞ୍ଜନ ବୋଇତାଇ(୨୧) ବୁଡ଼ିଯାଇଥିଲେ । ଗ୍ରାମବାସୀମାନେ ଖୋଜାଖୋଜି କରି ନପାଇବାରୁ ଦମକଳ କେନ୍ଦ୍ରକୁ ଖବର ଦିଆଯାଇଥିଲା । ଦମକଳ କେନ୍ଦ୍ର କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଖୋଜ ଯୁବକମାନଙ୍କୁ ଉଦ୍ଧାର କରିଥିଲେ । ପରେ ଡାକ୍ତରଖାନାରେ ସେମାନଙ୍କୁ ମୃତ ଘୋଷଣା କରାଯାଇଥିଲା । ବସ୍, ଟ୍ରକ, ଟ୍ରାକ୍ଟର ଇତ୍ୟାଦି ଦୁର୍ଘଟଣାରେ ଏକାଧିକ ଲୋକଙ୍କର ମୃତୁ୍ୟ ହେଲେ ଓଡ଼ିଶାର ତଥାକଥିତ ରାଜା ହରିଶ୍ଚନ୍ଦ୍ର ସରକାର ୨-୩ ଲକ୍ଷ ଟଙ୍କା ଯାଏଁ କ୍ଷତିପୂରଣ ଘୋଷଣା କରୁଛନ୍ତି । ଚତୁର୍ଥ ଶ୍ରେଣୀ ବାଳିକାକୁ ଯଦି କେହି ଧର୍ଷଣ କରି ହତ୍ୟା କରେ ତେବେ ସେଥିପାଇଁ ସରକାର ୫ ଲକ୍ଷ ଟଙ୍କା ଯାଏଁ କ୍ଷତିପୂରଣ ଦେଉଛନ୍ତି । କିନ୍ତୁ ନେରେଡାର ଏହି ମୃତଯୁବକମାନଙ୍କ ପରିବାର ପାଇଁ ସରକାର କ୍ଷତିପୂରଣ ଦେଇନାହାନ୍ତି । କାରଣ ବୋଧହୁଏ ସେଠାକା ଲୋକେ ଆନେ୍ଦାଳନ କରିନାହାନ୍ତି ବା ଏ ଘଟଣା ମୁଖ୍ୟମନ୍ତ୍ରୀଙ୍କ ହୃଦୟକୁ ବାଧିନାହିଁ । ଅଥବା ଏହି ଯୁବକମାନଙ୍କ ମୃତୁ୍ୟ ଯୋଗୁଁ ଶାସକ ଦଳର ଭୋଟବ୍ୟାଙ୍କରେ କିଛି ପ୍ରଭାବ ପଡ଼ିବ ବୋଲି ସେମାନେ ଆକଳନ କରିପାରି ନାହାନ୍ତି । ତେବେ ପ୍ରଶ୍ନ ହେଉଛି, ବୈତରଣୀରୁ ବାଲି ଉଠାଇବାକୁ କେଉଁ ସରକାର ଅନୁମତି ଦେଇଥିଲେ? ଯେଉଁ ସର୍ତ୍ତ ଓ ନିୟମ ଅନୁସାରେ ବାଲି ସୈରାତ ନିଲାମ ଦିଆଯାଇଥିଲା ତାହାକୁ ବାଲି ମାଫିଆମାନେ ପାଳନ କରୁଥିଲେ କି ନାହିଁ? ତାହା ଉପରେ କେଉଁ ସରକାର ତଦାରଖ କରୁଥିଲେ? ସ୍ଥାନୀୟ ଲୋକେ ଜାଣିଥିବେ ସେହି ବାଲି ମାଫିଆମାନେ କେଉଁ ଦଳକୁ ସମର୍ଥନ କରନ୍ତି । ସେହି ଦଳ ମୁଣ୍ଡରେ ଏ ପାପ ହିସାବ ହେବ ନା ନାହିଁ? କେବଳ ବୈତରଣୀ ନୁହେଁ, ରାଜ୍ୟର ପ୍ରାୟ ଅଧିକାଂଶ ନଦୀରୁ ବାଲି ମାଫିଆମାନେ ଏଇ ଭଳି ବେଆଇନ ଭାବରେ ହଜାର ହଜାର କୋଟି ଟଙ୍କାର ବାଲି ଉଠାଇ ଚାଲିଛନ୍ତି । ସେମାନଙ୍କୁ ବାଲି ଉଠାଇବା ଅନୁମତି ଦେବା ସମୟରେ ସରକାରୀ କଳ ଏବଂ ବାଲି ଉଠାଇବା ସମୟରେ ସଂପୃକ୍ତ ବାଲି ମାଫିଆ ଏବଂ ତାଙ୍କର ସ୍ଥାନୀୟ ସହଯୋଗୀମାନେ କେବେ ଚିନ୍ତା କରିଛନ୍ତି କି ଏହାର କି ପ୍ରକାର ପାରିବେଶିକ ପ୍ରଭାବ ପଡ଼ିବ? ନଦୀପଠାରେ କି ପ୍ରକାର ପରିବର୍ତ୍ତନ ଆସିବ? ବାଲି ଉଠିଯିବା, ଗଭୀର ଗଣ୍ଡ ସୃଷ୍ଟି ହେବା ଫଳରେ ନଦୀର ଜଳଚର ଜୀବ ଓ ଜଳଜ ଉଦ୍ଭିଦଙ୍କ ଉପରେ ତାହାର କି ପ୍ରକାର ପ୍ରଭାବ ପଡ଼ିବ? ଏସବୁ ପ୍ରଶ୍ନ ଉପରେ ଅନୁଧ୍ୟାନ ପାଇଁ ତହସିଲଦାର, ଉପଜିଲ୍ଲାପାଳ ବା ଜିଲ୍ଲାପାଳ କେତେ ଦକ୍ଷ? ଏନେଇ ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟର ଅନୁମୋଦନ ଦରକାର ନା ନାହିଁ? ସରକାର ସେ ବିଷୟ କେବେ ଚିନ୍ତା କରିଛନ୍ତି? ମାର୍ଚ୍ଚ ୨୬ ତାରିଖ ବିଧାନସଭାରେ ବାଲି ଚୋରି ସଂପର୍କୀତ ଏକ ପ୍ରଶ୍ନର ଉତ୍ତର ଦେଇ ରାଜସ୍ୱ ମନ୍ତ୍ରୀ ମହେଶ୍ୱର ମହାନ୍ତି କହିଛନ୍ତି ଯେ କର୍ମଚାରୀ ଅଭାବରୁ ରାଜ୍ୟର ବିଭିନ୍ନ ନଦୀରୁ ବାଲି ଚୋରି ହେଉଛି । କର୍ମଚାରୀ ନିଯୁକ୍ତ କରିବାକୁ ସରକାରଙ୍କୁ ଲୋକେ ଭୋଟଦେଲା ବେଳେ ମନା କରିଛନ୍ତି କି? ଲୋକମାନେ ସରକାରଙ୍କୁ ଭୋଟ ଓ ଟିକସ ଦେଲା ପରେ ପୁଣି କ’ଣ ନିଜନିଜ ଗାଁରୁ ଚାନ୍ଦା ଆଦାୟ କରି ନଦୀବାଲି ଜଗିବାକୁ କର୍ମଚାରୀ ନିଯୁକ୍ତ କରିବେ? ବାଲି ଓ ମୋରମ ପରି ଅନେକ ଲଘୁ ଖଣିଜ ସଂପଦର ଏବେ ବ୍ୟାପକ ଲୁଟପାଟ ହେଉଛି । ଏହା ରାଜ୍ୟର ୬ ଲକ୍ଷ କୋଟି ଟଙ୍କାର ଖଣି ଦୁର୍ନୀତିଠାରୁ ଅଧିକ ବ୍ୟାପକ ହୋଇପାରେ । ଥାଇପାରେ ମଧ୍ୟ ଏଥିରେ ତୃଣମୂଳ ସ୍ତରର ରାଜନୀତିକ ସଂପୃକ୍ତି । ନେରେଡ଼ା ଭଳି ଅନେକ ଘଟଣା ଘଟୁଥାଇପାରେ । ବାଲି ମାଫିଆଙ୍କ ଲୋଭର ଗଣ୍ଡରେ ବୁଡ଼ି ପ୍ରାଣ ହରାଉଥାଇ ପାରନ୍ତି ଅନେକ ଲୋକ । ଲୋକେ ସବୁ ସହି ଯାଉଛନ୍ତି । ସରକାର ତ ସବୁବେଳେ ନିଦାବିଷ୍ଣୁ । ରାଜ୍ୟର ସଂପଦ ଏମିତି ଲୁଟ୍ ହେଉଥାଉ, ଲୋକେ ମରୁଥାନ୍ତୁ, ସରକାର ଅଧିକରୁ ଅଧିକ ଭୋଟ ପାଉଥାନ୍ତୁ, ଲୁଟେରାଙ୍କ ଲୋକପ୍ରିୟତା ବଢ଼ୁଥାଉ! ଲୋକେ ଭୋଜିଭାତ ଖାଇ ଆରାମ କରନ୍ତୁ ଓ ସୁଖନିଦ୍ରାରେ ଘୁଙ୍ଗୁଡ଼ି ମାରନ୍ତୁ! କା’ର କ୍ଷତି ହେଉଛି କି?

Share :