ଓଡ଼ିଶାର ଓଲିଗାର୍ଚି!

ଓଡ଼ିଶାର ଓଲିଗାର୍ଚି!

Share :

ଦେବେନ୍ଦ୍ର ପୃଷ୍ଟି ହରେକୃଷ୍ଣ ମହତାବ, ବିଜୁ ପଟ୍ଟନାୟକ, ରାଜେନ୍ଦ୍ର ନାରାୟଣ ସିଂହଦେଓ, ନନ୍ଦିନୀ ଶତପଥୀ, ନୀଳମଣି ରାଉତରାୟ ଏବଂ ଜାନକୀ ବଲ୍ଲଭ ପଟ୍ଟନାୟକ । ନିଜନିଜ ସମୟରେ ଏମାନେ ସମସ୍ତେ ଥିଲେ ଓଡ଼ିଶାର ନେତା, ମୁଖ୍ୟମନ୍ତ୍ରୀ । ହରେକୃଷ୍ଣ ମହତାବ ପ୍ରଥମେ ୧୯୪୬ ଏପ୍ରିଲ୨୩ ତାରିଖରୁ ୧୯୫୦ ମେ ୧୨ ତାରିଖ ଯାଏଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଥିଲେ । ପରେ ୧୯୫୬ ଅକ୍ଟୋବର ୧୯ ତାରିଖରୁ ୧୯୬୧ ଫେବୃଆରୀ ୨୫ ତାରିଖ ଯାଏଁ ଏହି ପଦରେ ଥିଲେ । ମଝିରେ ସେ ବମ୍ବେର ରାଜ୍ୟପାଳ ଏବଂ କେନ୍ଦ୍ର ସରକାରରେ ମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ । ଦ୍ୱିତୀୟ ଦଫା ମୁଖ୍ୟମନ୍ତ୍ରୀ ହେବା ପାଇଁ ସେ ତକ୍ରାଳୀନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କ ବିରୋଧରେ ଷଡ଼ଯନ୍ତ୍ର କରିଥିଲେ । ସେଥିରେ ତାଙ୍କର ପ୍ରମୁଖ ସହଯୋଗୀ ଥିଲେ ବିଜୁ ପଟ୍ଟନାୟକ । କିନ୍ତୁ ପରେ କୌଣସି କାରଣରୁ ହରେକୃଷ୍ଣ ମହତାବଙ୍କୁ ହଟେଇ ବିଜୁ ପଟ୍ଟନାୟକ କଂଗ୍ରେସର ରାଜ୍ୟ ନେତୃତ୍ୱ ନେଲେ ଏବଂ ତାଙ୍କ ନେତୃତ୍ୱରେ ପ୍ରଥମ ଥର ପାଇଁ କଂଗ୍ରେସ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ହାସଲ କଲା । ସେ ସେହି ଦଫାରେ ୧୯୬୧ ଜୁନ ୨୩ ତାରିଖରୁ ୧୯୬୩ ଅକ୍ଟୋବର ୨ ତାରିଖ ଯାଏଁ ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ । ତାଙ୍କ ସ୍ଥାନରେ ତାଙ୍କର ଅତ୍ୟନ୍ତ ଅନୁଗତ ବୀରେନ ମିତ୍ରଙ୍କୁ ସେ ହିଁ ମୁଖ୍ୟମନ୍ତ୍ରୀ ଗାଦିରେ ବସାଇଥିଲେ । ଏହାର ଦୀର୍ଘ ବର୍ଷ ପରେ ବିଜୁ ପଟ୍ଟନାୟକ ପୁଣି ଥରେ ୧୯୯୦ ମାର୍ଚ୍ଚ ୫ ତାରିଖରୁ ୧୯୯୫ ମାର୍ଚ୍ଚ ୧୫ ତାରିଖ ପର୍ଯ୍ୟନ୍ତ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହୋଇଥିଲେ । ଏହା ଭିତରେ ସେ କେନ୍ଦ୍ରର ଜନତା ପାର୍ଟି ସରକାରରେ ଖଣି ଓ ଇସ୍ପାତ ମନ୍ତ୍ରୀ ଦାୟିତ୍ୱରେ ଥିଲେ । ତାଙ୍କ ମନୋନୀତ ନୀଳମଣି ରାଉତରାୟ ଜନତା ପାର୍ଟି ସରକାରରେ ୧୯୭୭ ଜୁନ ୨୬ ତାରିଖରୁ ୧୯୮୦ ଫେବୃଆରୀ ୧୭ ତାରିଖ ଯାଏଁ ମୁଖ୍ୟମନ୍ତ୍ରୀ ଥିଲେ । ପରେ ସେ ବିଜୁବାବୁଙ୍କ ମନୋନୀତ ପ୍ରାର୍ଥୀ ଭାବେ ବିଶ୍ୱନାଥ ପ୍ରତାପ ସିଂହ କେନ୍ଦ୍ର ସରକାରରେ ମଧ୍ୟ ମନ୍ତ୍ରୀ ପଦ ଲାଭ କରିଥିଲେ । ରାଜେନ୍ଦ୍ର ନାରାୟଣ ସିଂହଦେଓ ୧୯୬୭ ମାର୍ଚ୍ଚ ୮ ତାରିଖରୁ ୧୯୭୧ ଜାନୁଆରୀ ୯ ତାରିଖ ଯାଏଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ । ସେ ଥିଲେ ସ୍ୱତନ୍ତ୍ର ପାର୍ଟିର ନେତା । ତାଙ୍କର ଅନ୍ୟ ପରିଚୟ ହେଉଛି ସେ ପାଟଣାଗଡ଼ର ମହାରାଜା । ସେହିପରି ନନ୍ଦିନୀ ଶତପଥୀ ୧୯୭୨ ଜୁନ ୧୪ ତାରିଖରୁ ୧୯୭୩ ମାର୍ଚ୍ଚ ୩ ଏବଂ ପରେ ୧୯୭୪ ମାର୍ଚ୍ଚ ୬ ତାରିଖରୁ ୧୯୭୬ ଡିସେମ୍ବର ୧୬ ତାରିଖ ଯାଏଁ ମୁଖ୍ୟମନ୍ତ୍ରୀ ପଦଭାର ସମ୍ଭାଳିଥିଲେ । ସେ ମଧ୍ୟ କିଛି ବର୍ଷ ପାଇଁ କେନ୍ଦ୍ରରେ ଇନ୍ଦିରା ଗାନ୍ଧୀଙ୍କ ମନ୍ତ୍ରିମଣ୍ଡଳର ସଦସ୍ୟ ଥିଲେ । ଜାନକୀ ବଲ୍ଲଭ ପଟ୍ଟନାୟକ ୧୯୮୦ ଜୁନ ୯ ତାରିଖରୁ ଦୁଇ ଦଫାରେ ୧୯୮୯ ଡିସେମ୍ବର ୭ ତାରିଖ ଯାଏଁ ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ । ପରେ ସେ ପୁଣି ତୃତୀୟ ଥର ପାଇଁ ୧୯୯୫ ମାର୍ଚ୍ଚ ୧୫ ତାରିଖରୁ ୧୯୯୯ ଫେବୃଆରୀ ୧୭ ତାରିଖ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଥିଲେ । ଏହି ମୁଖ୍ୟମନ୍ତ୍ରୀମାନେ ମୋଟ ଉପରେ ୩୯ ବର୍ଷ ଓଡ଼ିଶାର ଶାସନ କ୍ଷମତାରେ ଥିଲେ । ସେମାନଙ୍କ ମଧ୍ୟରୁ ହରେକୃଷ୍ଣ ମହତାବ, ବିଜୁ ପଟ୍ଟନାୟକ, ନନ୍ଦିନୀ ଶତପଥୀ, ଜାନକୀ ବଲ୍ଲଭ ପଟ୍ଟନାୟକ ଏବଂ ନୀଳମଣି ରାଉତରାୟ ମଧ୍ୟ ବିଭିନ୍ନ ସମୟରେ କେନ୍ଦ୍ରରେ ମନ୍ତ୍ରୀପଦ ଭୋଗ କରିଛନ୍ତି । ଏବେ ଗଲା ୧୮ ବର୍ଷ ଧରି ଓଡ଼ିଶାର ଶାସନ କ୍ଷମତାରେ ଅଛନ୍ତି ବିଜୁ ପଟ୍ଟନାୟକଙ୍କ କନିଷ୍ଠ ପୁତ୍ର ନବୀନ ପଟ୍ଟନାୟକ । ତାଙ୍କର ଏଥର କାର୍ଯ୍ୟକାଳ ୨୦୧୯ ମସିହାରେ ଶେଷ ହେବ । ରାଜ୍ୟର ଏବେକାର ରାଜନୀତିକ ପରିସ୍ଥିତି ଯାହା ସେଥିରେ ସେ ପଞ୍ଚ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବେ ବୋଲି ମଧ୍ୟ ରାଜନୀତିକ ବିଶେଷଜ୍ଞମାନେ ଆକଳନ କରୁଛନ୍ତି । ଏହାଙ୍କ ୧୮ ବର୍ଷକୁ ପୂର୍ବରୁ ୩୯ ବର୍ଷରେ ମିଶେଇଲେ ଏହି ୭ ଜଣ ମୁଖ୍ୟମନ୍ତ୍ରୀ ସ୍ୱାଧୀନୋତ୍ତର ଓଡ଼ିଶାର ୭୧ ବର୍ଷରୁ ୫୭ ବର୍ଷ କାଳ ମୁଖ୍ୟମନ୍ତ୍ରୀ ପଦରେ ଥାଇ ରାଜ୍ୟ ଶାସନର ସମସ୍ତ କ୍ଷମତା ଉପଭୋଗ କରିଛନ୍ତି । ଅନ୍ୟ ୭ ଜଣ ମୁଖ୍ୟମନ୍ତ୍ରୀ ମାତ୍ର ୧୪ ବର୍ଷ କ୍ଷମତାରେ ଥିଲେ । ମଜାର କଥା ହେଉଛି, ପୂର୍ବୋକ୍ତ ମୁଖ୍ୟମନ୍ତ୍ରୀମାନେ ଅନେକ ସମୟରେ ପରସ୍ପର ବିରୋଧରେ ଲଢେ଼ଇ କରୁଥିଲେ । ହରେକୃଷ୍ଣଙ୍କ ବିରୋଧରେ ବିଜୁବାବୁ ଯେମିତି ଲଢ଼ିଥିଲେ ବିଜୁବାବୁଙ୍କ ବିରୋଧରେ ନନ୍ଦିନୀ ମଧ୍ୟ ସେହିପରି ଲଢେ଼ଇ କରିଥିଲେ । ବିଜୁଙ୍କ ଯୋଗୁଁ ହରେକୃଷ୍ଣ କଂଗ୍ରେସ ଛାଡ଼ି ଜନ କଂଗ୍ରେସ ଗଠନ କରିଥିଲେ । ପରେ ବିଜୁ ଅବଶ୍ୟ କଂଗ୍ରେସ ଛାଡ଼ି ଉକ୍ରଳ କଂଗ୍ରେସ ଗଠନ କରିଥିଲେ । ସେହିପରି ଜାନକୀବାବୁ ଆସିବା ପରେ ନନ୍ଦିନୀ ଶତପଥୀ କଂଗ୍ରେସ ଛାଡ଼ିବାକୁ ବାଧ୍ୟ ହୋଇଥିଲେ ଓ ଗଢ଼ିଥିଲେ ଜାଗ୍ରତ ଓଡ଼ିଶା । ପରେ ଅବଶ୍ୟ ସେ ପୁଣି ଥରେ କଂଗ୍ରେସକୁ ଫେରିଥିଲେ । ନୀଳମଣି କଂଗ୍ରେସ ଛାଡ଼ି ବିଜୁଙ୍କ ଦଳରେ ଯୋଗଦେଇଥିଲେ । ରାଜେନ୍ଦ୍ର ନାରାୟଣ ସିଂହଦେଓ କଂଗ୍ରେସ ବିରୋଧୀ ସ୍ୱତନ୍ତ୍ର ପାର୍ଟିର ନେତା ଥିଲେ । ଏବେ ଏ ସମସ୍ତ ମୁଖ୍ୟମନ୍ତ୍ରୀମାନଙ୍କର ଦାୟାଦମାନେ ମଧ୍ୟ ବିଭିନ୍ନ ଭାବରେ ରାଜନୀତିକ କ୍ଷମତା ଉପଭୋଗ କରୁଛନ୍ତି । ବିଜୁପୁତ୍ର ନବୀନ ହେଉଛନ୍ତି ରାଜ୍ୟରେ ସର୍ବାଧିକ କାଳ ମୁଖ୍ୟମନ୍ତ୍ରୀ ପଦରେ ରହିଥିବା ନେତା । ହରେକୃଷ୍ଣଙ୍କ ପୋଷ୍ୟପୁତ୍ର ଭର୍ତ୍ତୃହରି ମହତାବ ନବୀନଙ୍କ ବିଜେଡିର ଜଣେ ଆଗୁଆ ସାଂସଦ । ସେ ଏବେ ବିଜେଡି ସଂସଦୀୟ ଦଳର ନେତା । ରାଜେନ୍ଦ୍ର ନାରାୟଣଙ୍କ ପୁଅ ଅନଙ୍ଗ ଉଦୟ ସିଂହଦେଓ ଅନେକ ବର୍ଷ ରାଜ୍ୟର ମନ୍ତ୍ରୀ ଭାବେ କାର୍ଯ୍ୟ କରିବା ପରେ ବିଜେଡି ସାଂସଦ ଭାବେ ମଧ୍ୟ ପ୍ରାୟ ଦୁଇ ଦଶନ୍ଧି କାର୍ଯ୍ୟ କରିସାରିଛନ୍ତି । ତାଙ୍କ ପୁଅ କଳିକେଶ ନାରାୟଣ ସିଂହଦେଓ ମନ୍ତ୍ରୀ ବିଜେଡିର ଜଣେ ଲୋକସଭା ସଦସ୍ୟ । ନନ୍ଦିନୀଙ୍କ ପୁଅ ତଥାଗତ ସତପଥୀ ମଧ୍ୟ ବିଜେଡିର ଲୋକସଭା ସଦସ୍ୟ ଭାବେ ବହୁ ବର୍ଷ କ୍ଷମତାରେ ଅଛନ୍ତି । ନୀଳମଣିଙ୍କ ପୁଅ ବିଜୟଶ୍ରୀ ରାଉତରାୟ ନବୀନଙ୍କ ମନ୍ତ୍ରିମଣ୍ଡଳରେ ଏକାଧିକ ବାର ବିଭିନ୍ନ ବିଭାଗର ମନ୍ତ୍ରୀ ଅଛନ୍ତି । ଏବେ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଜାମାତା ତଥା ତାଙ୍କର ରାଜନୀତିକ ଉତ୍ତରାଧିକାରୀ ସୌମ୍ୟ ରଂଜନ ପଟ୍ଟନାୟକ କଂଗ୍ରେସ, ବିଜେପି ଓ ଆମ ଓଡ଼ିଶା ପାର୍ଟି ଦେଇ ବିଜେଡିରେ ସାମିଲ ହେବା ପରେ ରାଜ୍ୟସଭାକୁ ଯାଉଛନ୍ତି । ପୂର୍ବରୁ ସେ ଦେଢ଼ ବର୍ଷ ପାଇଁ ଲୋକସଭା ସଦସ୍ୟ ଥିଲେ । ଏହି ସମସ୍ତ ଦାୟାଦ ଏବେ ଗୋଟିଏ ଦଳର ସଦସ୍ୟ । କେବଳ ଏତିକି ନୁହେଁ, ଏହି ସମସ୍ତ ରାଜନୀତିକ ବଂଶ ଓଡ଼ିଶାର ଜନମତକୁ ସଂଗଠିତ, ପ୍ରଭାବିତ ଓ ନିୟନ୍ତ୍ରିତ କରିବା ପାଇଁ ବିଭିନ୍ନ ଗଣମାଧ୍ୟମର ମାଲିକାନା ସ୍ୱତ୍ୱ ହାସଲ କରିଛନ୍ତି । ହରେକୃଷ୍ଣ ମହତାବ ଗୋପବନ୍ଧୁ ଦାଶଙ୍କ ସମାଜ ସହିତ ପ୍ରତିଯୋଗିତା କରିବା ପାଇଁ ପ୍ରତିଷ୍ଠା କରିଥିଲେ ପ୍ରଜାତନ୍ତ୍ର । ଜନ ସାଧାରଣଙ୍କ ଆର୍ଥିକ ଦାନରେ ପ୍ରତିଷ୍ଠା ହୋଇଥିବା ପ୍ରଜାତନ୍ତ୍ର ପ୍ରଚାର ସମିତି ଏବେ ବସ୍ତୁତ ଭର୍ତ୍ତୃହରିଙ୍କ ନିୟନ୍ତ୍ରଣରେ । ପ୍ରଜାତନ୍ତ୍ରର ସଂପତ୍ତିର ସେ ହେଲେ ଏକ ନମ୍ବର ଉପଭୋକ୍ତା । ବିଜୁ ପଟ୍ଟନାୟକ କଂଗ୍ରେସ ଛାଡ଼ିବା ପରେ ଉଭୟ ସମାଜ ଓ ପ୍ରଜାତନ୍ତ୍ର ସହିତ ପ୍ରତିଯୋଗିତା କରିବା ପାଇଁ ପ୍ରତିଷ୍ଠା କରିଥିଲେ କଳିଙ୍ଗ ଖବରକାଗଜ । ତାହା ଅବଶ୍ୟ ବହୁକାଳ ହେଲା ବନ୍ଦ । ବିଜୁଙ୍କ ଅନୁଗତ ବୀରେନ ମିତ୍ର ବି କିଛି ଦିନ ପାଇଁ ବିଜୁଙ୍କଠାରୁ ଦୂରେଇ ଯିବାକୁ ଉଦ୍ୟମ କରିଥିଲେ ଓ ସେହି ଭାବରେ ଜନମତକୁ ପ୍ରଭାବିତ କରିବା ପାଇଁ ପ୍ରତିଷ୍ଠା କରିଥିଲେ ଜନଶକ୍ତି । ସେ କାଗଜ ବି କେଉଁ କାଳୁ ବନ୍ଦ ହୋଇସାରିଛି । ଏସବୁ ଖବରକାଗଜ ତାଙ୍କ ରାଜନୀତିକ ସ୍ୱାର୍ଥ ବିରୋଧରେ କାମ କରିବାର ଆଶଙ୍କା ଥିବାରୁ ନନ୍ଦିନୀ ଶତପଥୀ ପ୍ରତିଷ୍ଠା କରିଥିଲେ ଧରିତ୍ରୀ । ଏବେ ବିଜେଡି ସାଂସଦ ତଥାଗତବାକୁ ଏହି ଖବରକାଗଜର ମାଲିକ ଓ ସଂପାଦକ । ଜାନକୀ ବଲ୍ଲଭ ପଟ୍ଟନାୟକ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହେବା ପରେ ନିଜର ରାଜନୀତିକ ସ୍ୱାର୍ଥ ସୁରକ୍ଷିତ ରଖିବା ଉଦେ୍ଧଶ୍ୟରେ ପ୍ରତିଷ୍ଠା କରିଥିଲେ ସମ୍ବାଦ । ତାହାର ମାଲିକ ହେଉଛନ୍ତି ସୌମ୍ୟ ରଂଜନ ପଟ୍ଟନାୟକ । ଏହି ସମ୍ବାଦ ଖବରକାଗଜ ଜରିଆରେ ସେ ପ୍ରତିଷ୍ଠା କରିଛନ୍ତି ଏକ ବ୍ୟାବସାୟିକ ସାମ୍ରାଜ୍ୟ । କନକଟିଭି, ରେଡିଓ ଚକୋଲେଟ, ଛଅଟି ଯାତ୍ରା ପାର୍ଟି, ସନ ଟାଇମ୍ସ, କଥା, ପୌରୁଷ, କେଏମବିବି ଇଂଜିନିଅରିଂ କଲେଜ ଆଦି ତାଙ୍କର ଗୋଟିଏ ଗୋଟିଏ ବ୍ୟବସାୟ ପ୍ରତିଷ୍ଠାନ । ରାଜେନ୍ଦ୍ର ନାରାୟଣ ସିଂହଦେଓଙ୍କ ସ୍ୱରାଜ ଖବରକାଗଜ କିନ୍ତୁ ନାନାଦି ବିବାଦ ଭିତରେ ବନ୍ଦ ହୋଇସାରିଛି । ଏବେ ପ୍ରଜାତନ୍ତ୍ର, ଧରିତ୍ରୀ, ସମ୍ବାଦ, କନକଟିଭି ଓ କିଟ୍ ଏବଂ କିସ୍ ପ୍ରତିଷ୍ଠାତା ଅଚୁ୍ୟତ ସାମନ୍ତ ବିଜେଡିରେ ଯୋଗଦେବା ପରେ ତାଙ୍କ କର୍ତ୍ତୃତ୍ୱାଧୀନ କଳିଙ୍ଗଟିଭି ମଧ୍ୟ ବିଜେଡି ସହ ଯୋଡ଼ି ହୋଇଯାଇଛି । ବୁଝିବାର କଥା ହେଉଛି, ଏହି ସମସ୍ତ ମୁଖ୍ୟମନ୍ତ୍ରୀ ଏବଂ ସେମାନଙ୍କର ଦାୟାଦମାନଙ୍କର ଛଅ ଦଶନ୍ଧିର ଶାସନ କ୍ଷମତା ସତ୍ତ୍ୱେ ଓଡ଼ିଶା ତଥାପି କାହିଁକି ପଛରେ? କାହିଁକି ଏବେ ବି ଓଡ଼ିଶାର ୯୦ ପ୍ରତିଶତରୁ ଅଧିକ କୃଷକ ଗରୀବ? କାହିଁକି ଏହାର କାରିଗର ଓ ଶ୍ରମିକ ଶ୍ରେଣୀ ସରକାରୀ ସହାୟତା ବିନା ବଂଚିବାର ସମ୍ବଳ ହାସଲ କରିପାରି ନାହାନ୍ତି? କାହିଁକି ଓଡ଼ିଶା ଏବେ ବି ଖାଦ୍ୟ ପାଇଁ ଅନ୍ୟ ରାଜ୍ୟ ଉପରେ ନିର୍ଭରଶୀଳ? କାହିଁକି ଓଡ଼ିଶାବାସୀ ପୋଷାକ ପାଇଁ ବାହାର ରାଜ୍ୟକୁ ପୋଷୁଛନ୍ତି? କାହିଁକି ଏହାର ୯୦ ପ୍ରତିଶତ ଶିକ୍ଷିତ ଯୁବକଯୁବତୀ ବେକାର ରହୁଛନ୍ତି? କାହିଁକି ଏହି ନେତାପୁଙ୍ଗବମାନେ ରାଜ୍ୟର ଅଧେ ଚାଷଜମିକୁ ବି ଏଯାଏଁ ଜଳସେଚନର ସୁବିଧା ଦେଇପାରି ନାହାନ୍ତି? କାହିଁକି ଏବେ ବି ରାଜ୍ୟର ଅର୍ଦ୍ଧାଧିକ ଗାଁରେ ସ୍ୱଚ୍ଛ ପିଇବା ପାଣି ସ୍ୱପ୍ନ? ଶିକ୍ଷା ଓ ସ୍ୱାସ୍ଥ୍ୟ ସୁବିଧା କାହିଁକି ରାଜ୍ୟରେ ଗ୍ରାମବାସୀଙ୍କଠାରୁ ଅପହଂଚ ଦୂରରେ? ଏହା କ’ଣ ଓଲିଗାର୍ଚି ବା ସମ୍ଭ୍ରାନ୍ତତନ୍ତ୍ର ବା କୁଳୀନତନ୍ତ୍ରର ପରିଣାମ? ଏହା କ’ଣ ଆଧୁନିକ ସାମନ୍ତବାଦର ପରିଣତି? ଏହା କ’ଣ ସରଳ ଓଡ଼ିଆଙ୍କ ବୌଦ୍ଧିକ ଦୁର୍ବଳତାର ରାଜନୀତିକ ଓ ଆର୍ଥନୀତିକ ଫଳାଫଳ?

Share :