ଭୋଟ୍ ବେଉସାରେ ଲାଭ କାହାର?

ଭୋଟ୍ ବେଉସାରେ ଲାଭ କାହାର?

Share :

ଦେବେନ୍ଦ୍ର ପୃଷ୍ଟି ପାନ ଗୁଆ ଖଇର ଗୁଆକାତି, ଭଲ ବ୍ୟବସାୟ ରାଜନୀତି! କେଉଁ ଗୋଟେ ଓଡ଼ିଆ ଫିଲ୍ମର ଏ ଗୀତଟି ସେତେବେଳେ ଭାରି ଲୋକପ୍ରିୟ ହୋଇଥିଲା । ବ୍ୟଙ୍ଗ କଳାକାର ଜୟୀରାମ ସାମଲ କ୍ୟାମେରା ସାମ୍ନାରେ ଗୀତଟିର ନୃତ୍ୟାୟନ କରିଥିଲେ । ସେତେବେଳେ ହୁଏତ ଅନେକେ ଏ ଗୀତଟିକୁ କେବଳ ପରିହାସରେ ନେଉଥିଲେ । ଆଜି କିନ୍ତୁ ଏହା ବାସ୍ତବ ହୋଇଯାଇଛି । ରାଜନୀତି ଏକ ବ୍ୟବସାୟରେ ପରିଣତ ହୋଇଛି । ବିଶେଷ କରି ରାଜନୀତିର ‘ଭୋଟ’ ବିକ୍ରିଯୋଗ୍ୟ ବସ୍ତୁରେ ପରିଣତ ହୋଇଛି । ଅନ୍ତତଃ ଓଡ଼ିଶାର ବିଜେପୁର ବିଧାନସଭା ଉପନିର୍ବାଚନ ପରେ ପରେ ଉଠିଥିବା କେତେକ କଥାରୁ ଏହା ସତ ବୋଲି ହୃଦବୋଧ ହେଉଛି । ଆଜି ମାର୍ଚ୍ଚ ୪ ତାରିଖ ରବିବାର ଓଡ଼ିଶାର ପଂଚାୟତିରାଜ, ପାନୀୟ ଜଳ, କୃଷି, ମତ୍ସ୍ୟ ଓ ପ୍ରାଣୀ ସଂପଦ ମନ୍ତ୍ରୀ ପ୍ରଦୀପ ମହାରଥୀ ଭାରତୀୟ ଜନତା ପାର୍ଟିକୁ ଆକ୍ଷେପ କରିବାକୁ ଯାଇ କହି ପକାଇଛନ୍ତି ଯେ ଆମର ଯଦି ଏସବିଆଇ ତାଙ୍କର ଆରବିଆଇ । ଆମେ ଯେଉଁଠି ୫୦୦ ଦେଇଛୁ ସେଠାରେ ସେମାନେ ୨୦୦୦ ଦେଇଛନ୍ତି । ତାଙ୍କ କହିବାର ନାଟକୀୟ ଅର୍ଥ ହେଲା ବିଜୁ ଜନତା ଦଳ ଭାରତୀୟ ଷ୍ଟେଟ ବ୍ୟାଙ୍କ ଟଙ୍କାରେ ନିର୍ବାଚନ ପରିଚାଳନା କରେ କିନ୍ତୁ ଭାରତୀୟ ଜନତା ପାର୍ଟି ଭାରତୀୟ ରିଜର୍ଭ ବ୍ୟାଙ୍କ ଟଙ୍କାରେ । ବିଜେଡି ଓଡ଼ିଶାରେ ଶାସକ ଦଳ, ବିଜେପି ଭାରତବର୍ଷର । ବିଜେପୁର ଉପନିର୍ବାଚନ ପରିପ୍ରେକ୍ଷୀରେ ପ୍ରଥମେ ଏ କଥା ଉଠେଇଥିଲେ ବିରୋଧୀ ଦଳ ନେତା ନରସିଂହ ମିଶ୍ର । ସେ ଜଣେ କଂଗ୍ରେସ ନେତା । ୟୁନିଭର୍ସିଟି ଲ କଲେଜ ପକ୍ଷରୁ ପୁରୀରେ ଅନୁଷ୍ଠିତ ହୋଇଥିବା ଏକ ଆଲୋଚନା ସଭାରେ ବକ୍ତବ୍ୟ ରଖିବା ଅବସରରେ ସେ କହିଥିଲେ ଯେ ବିଜେପୁରରେ ସେ କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରୁଥିବା ସମୟରେ ଲୋକମାନେ କହୁଥିଲେ, ସେମାନେ ୫ ହଜାର ଦେଇଛନ୍ତି, ଆପଣ କେତେ ଦେବେ? ନରସିଂହବାବୁ ଭାଷଣରେ ହିସାବ ଦେଇଥିଲେ । ବିଜେପୁରର ଭୋଟର ସଂଖ୍ୟା ୨ ଲକ୍ଷ ୨୧ ହଜାର । କୌଣସି ପାର୍ଟି ଯଦି ଭୋଟ ପିଛା ୫ ହଜାର ଦେଇଥାନ୍ତି ତେବେ କେତେ ଟଙ୍କା ଖର୍ଚ୍ଚ କରିଥିବେ? ଯଦି ଲକ୍ଷେ ଭୋଟରଙ୍କୁ ବି କିଣାଯାଇଥିବ ତେବେ କେତେ ଖର୍ଚ୍ଚ ହୋଇଥିବ? (ବିଜେପୁରରେ ବିଜେଡି ପାଇଥିଲା ୧.୨ ଲକ୍ଷ ଭୋଟ୍ ।) ବିଜେପୁର ଭୋଟ ଗଣତି ପୂର୍ବରୁ ନରସିଂହବାବୁ ଏ ହିସାବ ଦେଇଥିଲେ । ସେଇ ଆଲୋଚନା ସଭାର ଅନ୍ୟତମ ବକ୍ତା ଥିଲେ ପୁରୀ ବିଧାୟକ ତଥା ରାଜ୍ୟର ରାଜସ୍ୱ ମନ୍ତ୍ରୀ ମହେଶ୍ୱର ମହାନ୍ତି । ସେ ନରସିଂହ ମିଶ୍ରଙ୍କ ବକ୍ତବ୍ୟର ଜବାବ ଦେବାକୁ ଯାଇ କହିଥିଲେ, ଆଜିକାଲି ଟଙ୍କା ନଥିଲେ କ’ଣ ନିର୍ବାଚନ ଜିତି ହେବ! ଟଙ୍କା ଖର୍ଚ୍ଚ ନକଲେ ମହାତ୍ମା ଗାନ୍ଧୀ ବି ଆଜି ନିର୍ବାଚନରେ ହାରିଯିବେ! ମିଛ ନୁହେଁ । ଆଜିକାଲି ନିର୍ବାଚନ କେବଳ ଭୋଟ ବ୍ୟବସାୟରେ ପରିଣତ ହୋଇଛି । ଲୋକମାନଙ୍କୁ ପ୍ରଚାର ପନ୍ଦର ଦିନ ଭୋଜିଭାତରେ ଆପ୍ୟାୟିତ କରିବା ସାଙ୍ଗକୁ ନାନାଦି ଉପହାର ଏପରିକି ସ୍ଥଳବିଶେଷରେ ନଗଦ ଟଙ୍କା ଦେବାକୁ ପଡ଼ୁଛି । ବିଜେପୁର ଉପନିର୍ବାଚନ ସମୟରେ ନିର୍ବାଚନ କମିଶନଙ୍କ ଯାଞ୍ଚ ଦଳ ବିଭିନ୍ନ ରାଜନୀତିକ ଦଳ ଓ ପ୍ରାର୍ଥୀଙ୍କର ପ୍ରାୟ ୬୦ ଲକ୍ଷ ଟଙ୍କା ଜବତ କରିବାକୁ ସମର୍ଥ ହୋଇଥିଲେ । ସେଥିରୁ ୪୦ ଲକ୍ଷ ଉପରେ ଭାରତୀୟ ଜନତା ପାର୍ଟିର ବୋଲି ବିଜେଡି ଦାବି କରିଥିବାବେଳେ ପ୍ରଥମେ ଧରା ପଡ଼ିଥିବା ୩ ଲକ୍ଷ ବିଜେଡିର ବୋଲି ବିଜେପି ଅଭିଯୋଗ କରିଥିଲା । ଅନ୍ୟ ଟଙ୍କା କାହାର ସେ କଥା କେହି କହି ନଥିଲେ । ଗୋଟିଏ ଉପନିର୍ବାଚନରେ ଏତିକି ଟଙ୍କା ଜବତ ହେଲା, ତାହାର କେହି ଦାବିଦାର ମିଳିଲେ ନାହିଁ । ଆଉ କେତେ ଟଙ୍କା ଜବତ ନହୋଇ ବଣ୍ଟା ହୋଇଥିବ ତାହା କେବଳ କଳଣା କରିବା କଥା । ଏଇ ଉପନିର୍ବାଚନ ପ୍ରଚାର ଚାଲିଥିବାବେଳେ ଏ ଲେଖକ ସୁବର୍ଣ୍ଣପୁରରେ ଆୟୋଜିତ ଇଙ୍କଫେଷ୍ଟ ପୁସ୍ତକ ମେଳାକୁ ଅତିଥି ବକ୍ତା ହୋଇ ଯାଇଥିଲେ । ସେଠାରେ ଦିନଟିଏ ରହଣୀ ମଧ୍ୟରେ ବିଜେପୁର ପ୍ରଚାର ଉପରେ ରିପୋର୍ଟିଂ କରିବାକୁ ଯାଇଥିବା ଜାତୀୟ ସ୍ତରର ଦୁଇଟି ଖବରକାଗଜର ଦୁଇ ଜଣ ପ୍ରତିନିଧିଙ୍କ ସହିତ ମିଶିଥିଲେ । ସେ ଦୁହେଁ ସୁବର୍ଣ୍ଣପୁରରେ ରାତ୍ରୀ ଯାପନ କରି ପୁଣି ପର ଦିନ ବିଜେପୁର ଯାଇଥିଲେ । ସେମାନଙ୍କଠାରୁ ଶୁଣିବାକୁ ମିଳିଲା, ପ୍ରତି ଗାଁରେ ମଦ ଓ ମାଂସର ଭୋଜି ଚାଲିଥିଲା । ଘରେ ଘରେ ଟଙ୍କା ବଣ୍ଟା ଯାଉଥିଲା । ଗୋଟେ ଗୋଟେ ଦଳ ଖଣ୍ଡେ ଖଣ୍ଡେ ଭୋଟ ପାଇଁ ୨-୩ ହଜାର ଟଙ୍କା ପର୍ଯ୍ୟନ୍ତ ନଗଦ ଦେଉଥିଲେ । ଏହା ବାଦ ଭୋଜିଭାତ ଖର୍ଚ୍ଚ, ଗାଁ କୋଠକୁ ଚାନ୍ଦା, ମନ୍ଦିରକୁ ବାସନକୁସନ, ତମ୍ବୁ ସାମଗ୍ରୀ, ଯୁବକ ସଂଘକୁ କ୍ରିକେଟ ସରଂଜାମ ଇତ୍ୟାଦି ବାବଦ ଖର୍ଚ୍ଚ । ଗାଁ ଲୋକଙ୍କ ହାବଭାବରୁ ସାମ୍ବାଦିକ ଦୁହେଁ ବୁଝିଥିଲେ, ଯେଉଁ ଦଳ ଅଧିକ ଦେବ ସେ ଦଳ ଅଧିକ ଭୋଟ ପାଇବ । ବିଜେପୁରରେ ୮୨ ପ୍ରତିଶତ ମତଦାନ ହୋଇଥିଲା । ବିଜୁ ଜନତା ଦଳ ପ୍ରାର୍ଥୀ ପାଇଥିଲେ ୧.୩ ଲକ୍ଷ ଭୋଟ । ଏହା ଥିଲା ପଡ଼ିଥିବା ମୋଟ ଭୋଟର ୫୬.୬୧% । ବିଜେପି ପ୍ରାର୍ଥୀ ପାଇଥିଲେ ୬୧ ହଜାର ବା ୩୩.୫୩% ଏବଂ କଂଗ୍ରେସ ପ୍ରାର୍ଥୀ ପାଇଥିଲେ ଗାଏମୋଟ ୧୦ ହଜାର ଭୋଟ ବା ୫.୬୫% । ୨୦୧୪ ନିର୍ବାଚନରେ ଏହି ନିର୍ବାଚନ ମଣ୍ଡଳୀରେ ପ୍ରତିଦ୍ୱନ୍ଦ୍ୱିତା କରି କଂଗ୍ରେସ ପାଇଥିଲା ୫୩,୨୯୦ ଭୋଟ ବା ୩୨.୧୫% । ସେଥର ବିଜେଡି ଭାଗରେ ପଡ଼ିଥିଲା ୫୨,୮୩୨ ଖଣ୍ଡ ଭୋଟ ବା ୩୧.୮୮% ଏବଂ ବିଜେପି ପାଇଥିଲା ୩୦ ହଜାର ବା ୧୮.୦୧ ପ୍ରତିଶତ । ହିସାବ କଲେ ଜଣାପଡ଼ୁଛି ୨୦୧୪ ନିର୍ବାଚନରେ କଂଗ୍ରେସ ଯେତେ ଭୋଟ ପାଇଥିଲା ୨୦୧୮ ଉପନିର୍ବାଚନରେ ତା’ଠାରୁ ୪୩ ହଜାର ଭୋଟ କମ ପାଇଛି । ବିଜେଡି ଯେତେ ଭୋଟ ପାଇଥିଲା ତା’ଠାରୁ ୫୦ ହଜାର ଭୋଟ ଅଧିକ ପାଇଛି । ବିଜେପି ମଧ୍ୟ ୩୦ ହଜାର ଅଧିକ ଭୋଟ ପାଇଛି । ୨୦୧୪ ନିର୍ବାଚନ ତୁଳନାରେ ଏହି ଉପନିର୍ବାଚନରେ ୨ ପ୍ରତିଶତ ଅଧିକ ଭୋଟର ମତଦାନ କରିଥିଲେ । ଏଥିରୁ କେଉଁ ଦଳର ଭୋଟ କେଉଁ ଦଳ ଖାତାକୁ ଗଲା ତାହା ସହଜରେ ଅନୁମାନ କରିହେଉଛି । ସେଥିପାଇଁ ଟଙ୍କା ଖର୍ଚ୍ଚ ହୋଇନାହିଁ କହିବା ସତ୍ୟର ଅପଳାପ ବ୍ୟତିତ ଅନ୍ୟ କିଛି ନୁହେଁ । ବିଜେପୁରର ବିଜୟୀ ପ୍ରାର୍ଥୀ ରୀତା ସାହୁ ମାତ୍ର ବର୍ଷଟିଏ ପାଇଁ ବିଧାୟକ ହେବେ । ସେ କ’ଣ ଏତେ ଟଙ୍କା ଖର୍ଚ୍ଚ କରିପାରିଥିବେ? ସେ ତାଙ୍କ ସତ୍ୟପାଠରେ ଦର୍ଶାଇଥିବା ସଂପତ୍ତି ସବୁ ବିକିଦେଲେ ବି ଏତେ ଭୋଟ କିଣିବା ପାଇଁ ସମର୍ଥ ହୋଇ ନଥିବେ । ତାଙ୍କ ପାର୍ଟି ଯଦି ଏ ଖର୍ଚ୍ଚ ବହନ କରିଥିବେ ତେବେ ଅଲଗା କଥା । ଅବଶ୍ୟ ସେ ହେଉଛନ୍ତି ଦିବଙ୍ଗତ କଂଗ୍ରେସ ବିଧାୟକ ସୁବଳ ସାହୁଙ୍କ ବିଧବା ପତ୍ନୀ । ସେଇ ହିସାବରେ କିଛିଟା ଅନୁକମ୍ପା ଭୋଟ ବି ତାଙ୍କ ସପକ୍ଷରେ ଆସିଥିବ । ମାତ୍ର ସେ ତ କଂଗ୍ରେସ ଦଳ ଛାଡ଼ି ବିଜେଡିରୁ ପ୍ରାର୍ଥୀ ହୋଇଥିଲେ! ଅନୁକମ୍ପା ଭୋଟ ବି କ’ଣ ଦଳବଦଳ କରେ? ସେହିପରି ବିଜେଡିରୁ ବିଜେପିକୁ ଡେଇଁ ପଦ୍ମ ଚିହ୍ନରେ ଲଢ଼ିଥିବା ଅଶୋକ ପାଣିଗ୍ରାହୀ ୬୦ ହଜାର ଭୋଟ ପାଇଁ କେତେ ଖର୍ଚ୍ଚ କରିଥିବେ? ନିର୍ବାଚନ କମିଶନଙ୍କ ସୀମା ହେଉଛି ୨୮ ଲକ୍ଷ । ଏତେ ଟଙ୍କା ବି କାହିଁକି ଜଣେ ଖର୍ଚ୍ଚ କରିବ? ନିର୍ବାଚନ କମିଶନ କାହିଁକି ପ୍ରଚାର ଖର୍ଚ୍ଚ ବଢେ଼ଇ ଚାଲିଛନ୍ତି? ପ୍ରଚାରରେ ଅଧିକରୁ ଅଧିକ ଟଙ୍କା ଖର୍ଚ୍ଚ କରିବା ମୁକ୍ତ ଓ ଅବାଧ ନିର୍ବାଚନ? ସ୍ୱଚ୍ଛ ଗଣତନ୍ତ୍ର ପାଇଁ କୋଟିକୋଟି ଟଙ୍କାର ପ୍ରଚାର ଖର୍ଚ୍ଚ କ’ଣ ନିହାତି ଦରକାର? ନା ଏହା ଏକ ପ୍ରତିବନ୍ଧକ? ପଂଚାୟତ ନିର୍ବାଚନରେ ଜଣେ ଜଣେ ପ୍ରାର୍ଥୀ ୫-୧୦ ଲକ୍ଷ ଟଙ୍କା ଖର୍ଚ୍ଚ କଲେଣି । ବିଧାନସଭା ନିର୍ବାଚନରେ ପ୍ରକୃତ ଖର୍ଚ୍ଚ ୩ କୋଟି ଟପିଲାଣି । ଏବେ ଜଣେ ନେତା ବନ୍ଧୁ କହୁଥିଲେ ୫ କୋଟି ଟଙ୍କା ନହେଲେ ସେ ପ୍ରାର୍ଥୀ ହେବେ ନାହିଁ । ଭୋଟରମାନେ ବୁଝିଛନ୍ତି କି ଏ ଟଙ୍କା ପ୍ରାର୍ଥୀମାନେ କେଉଁଠୁ ଆଣନ୍ତି? ଏହା ସେମାନଙ୍କ ଟଙ୍କା ବୋଲି ବୁଝିବା ବେଳକୁ ହୁଏତ ନେଡ଼ି ଗୁଡ଼ କହୁଣୀକୁ ବୋହି ଯାଇଥିବ ।

Share :