କେଉଁ ବାବୁ ବେଦାନ୍ତ ଏଜେଣ୍ଟ?

କେଉଁ ବାବୁ ବେଦାନ୍ତ ଏଜେଣ୍ଟ?

Share :

ଦେବେନ୍ଦ୍ର ପୃଷ୍ଟି ବିଲକୁଲ ବିଶ୍ୱବିଦ୍ୟାଳୟ ହୋଇନାହିଁ । ହେବ କି ନାହିଁ ବି ସନେ୍ଦହ । ତଥାପି ବିଖ୍ୟାତ ଅନୁଷ୍ଠାନର ପ୍ରମାଣପତ୍ର ପାଇବାକୁ କେନ୍ଦ୍ର ସରକାରଙ୍କୁ ଆବେଦନ କରିଛି ବେଦାନ୍ତ । ଇଏ ଆଉ ଏକ ଜାଲିଆତି ନା ନୁହେଁ? କିନ୍ତୁ କାହା ସାହସରେ ଏପରି ଜାଲିଆତି କରିବାକୁ ଉଦ୍ୟମ କରିଛି ବେଦାନ୍ତ? ରାଜ୍ୟ ସରକାର ନା କେନ୍ଦ୍ର ସରକାର? କେଉଁ ନେତା ଓ କେଉଁ ବାବୁ ସାଜିଛନ୍ତି ବେଦାନ୍ତ ଏଜେଣ୍ଟ? ମୂଳରୁ ପୁରୀ ସମୁଦ୍ର ତଟରେ ବେଦାନ୍ତ ବିଶ୍ୱବିଦ୍ୟାଳୟ ପାଇଁ ଜମି ଅଧିଗ୍ରହଣ ବେଆଇନ ଘୋଷିତ ହୋଇସାରିଛି । ରାଜ୍ୟ ଶାସନ ଓ ପ୍ରଶାସନର ରହିଥିବା କେତେକ ବେଦାନ୍ତ ଏଜେଣ୍ଟଙ୍କ ଯୋଗୁଁ ଏହି କମ୍ପାନୀକୁ ପୁରୀ ବେଳାଭୂମିରେ ଥିବା ଓଡ଼ିଆଙ୍କର ଆରାଧ୍ୟ ଦେବତା ଶ୍ରୀଜଗନ୍ନାଥଙ୍କ ଅମୃତ ମଣୋହି ଜମି ସହିତ ପ୍ରାୟ ୮ ହଜାର ଏକର ଟେକି ଦେବାକୁ ବ୍ୟବସ୍ଥା ହୋଇଥିଲା । ସେଥିପାଇଁ ସରକାରୀ ଫାଇଲପତ୍ରରେ ବି ଜାଲିଆତି ହୋଇଥିଲା । ଏହା ବିରୋଧରେ ସ୍ଥାନୀୟ ଲୋକମାନେ ଆନେ୍ଦାଳନକୁ ଓହ୍ଲାଇଥିଲେ । ତକ୍ରାଳୀନ ଲୋକପାଳଙ୍କ ନିକଟରେ ମଧ୍ୟ ଏ ନେଇ ଏକ ମାମଲା ହୋଇଥିଲା । ୨୦୧୦ ମାର୍ଚ୍ଚ ମାସରେ ତକ୍ରାଳୀନ ଲୋକପାଳ ପିକେ ପାତ୍ର ଏହି ଜମି ଅଧିଗ୍ରହଣକୁ ବେଆଇନ ଘୋଷଣା କରିଥିଲେ । ଏହା ସହିତ ସେ ଏଥିରେ ସନେ୍ଦହଜନକ ଭୂମିକା ଗ୍ରହଣ କରିଥିବା ଆଇଏଏସ ଅଫିସର ବିଜୟ କୁମାର ପଟ୍ଟନାୟକଙ୍କ ବିରୋଧରେ ତଦନ୍ତ ନିଦେ୍ର୍ଧଶ ଦେଇଥିଲେ । ପରେ ହାଇକୋର୍ଟ ମଧ୍ୟ ସମାନ ପ୍ରକାର ରାୟ ଦେଇଥିଲେ । ୨୦୧୦ ନଭେମ୍ବର ୧୬ ତାରିଖରେ ହାଇାକୋର୍ଟ ମୁଖ୍ୟ ବିଚାରପତି ଭି. ଗୋପାଳଗୌଡ଼ା ଏବଂ ବିଚାରପତି ବିପି ଦାସଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ଜମି ଅଧିଗ୍ରହଣକୁ ବେଆଇନ ଓ ଆଇନ ଆଖିରେ ଖରାପ ବୋଲି ମନ୍ତବ୍ୟ ଦେଇଥିଲେ । ଅଧିଗଅହୀତ ଜମି ତୁରନ୍ତ ମୂଳ ଜମି ମାଲିକମାନଙ୍କୁ ଫେରାଇ ଦେବାକୁ ମଧ୍ୟ ହାଇକୋର୍ଟ ନିଦେ୍ର୍ଧଶ ଦେଇଥିଲେ । ଏହା ବିରୋଧରେ ବେଦାନ୍ତ ସୁପ୍ରିମ କୋର୍ଟରେ ଆବେଦନ କରିଛନ୍ତି ଓ ଏହି ମାମଲା ଏବେ ବି ବିଚାରାଧୀନ ରହିଛି । ସୁପ୍ରିମ କୋର୍ଟ ୨୦୧୧ ଜାନୁଆରୀ ୧୯ ତାରିଖରେ ଅଧିଗୃହୀତ ଜମି ଉପରେ ସ୍ଥିତାବସ୍ଥା ଜାରି କରିଛନ୍ତି । ଏହା ଭିତରେ ୨୦୧୦ ମସିହାରେ କେନ୍ଦ୍ର ପରିବେଶ ଓ ଜଙ୍ଗଲ ମନ୍ତ୍ରଣାଳୟ ବେଦାନ୍ତ ବିଶ୍ୱବିଦ୍ୟାଳୟ ପ୍ରକଳ୍ପକୁ ମିଳିଥିôବା ପରିବେଶ ମଂଜୁରୀ ରଦ୍ଧ କରିସାରିଛନ୍ତି । ପୁରୀ-କୋଣାର୍କ ବେଳାଭୂମିରେ ୧୫ ହଜାର କୋଟି ଟଙ୍କା ବ୍ୟୟରେ ଏକ ବିଶ୍ୱ ସ୍ତରୀୟ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରିବାକୁ ରାଜ୍ୟ ସରକାର ବେଦାନ୍ତ ଫାଉଣ୍ଡେସନ ସହିତ ୨୦୦୬ ଜୁଲାଇ ୧୯ ତାରିଖରେ ବୁଝାମଣାପତ୍ର ସ୍ୱାକ୍ଷର କରିଥିଲେ । ପୂର୍ବରୁ ଏହି ଫାଉଣ୍ଡେସନ ଷ୍ଟେର୍ଲାଇଟ ଫାଉଣ୍ଡେସନ ନାମରେ ଖ୍ୟାତ ଥିଲା । ବେଦାନ୍ତ ଫାଉଣ୍ଡେସନ ଏକ ଘରୋଇ କମ୍ପାନୀ ଥିବାରୁ ଜମି ଅଧିଗ୍ରହଣରେ ଅନ୍ୟ ଏକ ଅସୁବିଧା ସୃଷ୍ଟି ହେବ ବୋଲି ଜଣାପଡ଼ିବା ପରେ ୨୦୦୬ ସେପ୍ଟେମ୍ବର ୬ ତାରିଖରେ ବେଦାନ୍ତ ଫାଉଣ୍ଡେସନର ନାମ ବଦଳାଇ ଅନୀଲ ଅଗ୍ରୱାଲ ଫାଉଣ୍ଡେସନ କରାଗଲା ଓ ତାହାକୁ ଏକ ପବ୍ଲିକ ବା ସାଧାରଣ କମ୍ପାନୀର ଦର୍ଜା ଦିଆଗଲା । କେବଳ ଏତିକି ନୁହେଁ, ଏହି ପ୍ରକଳ୍ପ ପାଇଁ ରାଜ୍ୟ ସରକାର କରିଥିବା ଜମି ଅଧିଗ୍ରହଣ ଏତଦ ସଂପର୍କୀତ ଆଇନର ଉଲ୍ଲଙ୍ଘନ ଥିଲା ବୋଲି ଲୋକପାଳ ଓ ହାଇକୋର୍ଟ ରାୟ ଦେଇଛନ୍ତି । ବେଦାନ୍ତ ପ୍ରଥମେ ୧୫୦୦ ଏକର ଜମି ମାଗିଥିଲା । ପରେ ସରକାର କହିଲେ ୬୮୯୨ ଏକର ଜମି ଦିଆଯିବ । ବେଦାନ୍ତ ରାଜି ହେଲା । ଏହା ମଧ୍ୟରେ ଶ୍ରୀଜଗନ୍ନାଥଙ୍କର ୧୩୦୦ ଏକର ଜମି ଅନ୍ତର୍ଭୁକ୍ତ । ଏହି ଜମି ଅଧିଗ୍ରହଣ ଶ୍ରୀଜଗନ୍ନାଥ ମନ୍ଦିର ଆଇନର ମଧ୍ୟ ଉଲ୍ଲଙ୍ଘନ କରୁଛି । ଏବେ ଏପରି ଅବସ୍ଥାରେ ବେଦାନ୍ତ ବିଶ୍ୱବିଦ୍ୟାଳୟ ନିର୍ମାଣ କାମ ଆଦୌ ଆରମ୍ଭ ହୋଇନାହିଁ । ଜମି ଅଧିଗ୍ରହଣ ମାମଲାରେ ବିବାଦୀୟ ଭୂମିକା ତୁଲାଇ ଲୋକପାଳଙ୍କ ଭର୍ତ୍ସନାର ସମ୍ମୁଖୀନ ହୋଇଥିବା ବିଜୟ କୁମାର ପଟ୍ଟନାୟକ ମୁଖ୍ୟ ସଚିବ ପଦରୁ ଅବସର ନେବା ପରେ ବେଦାନ୍ତ ବିଶ୍ୱବିଦ୍ୟାଳୟ ପ୍ରକଳ୍ପର ମୁଖ୍ୟ ପଦରେ ଯୋଗଦେଇ ପୁଣି ସେଥିରୁ ଇସ୍ତଫା ଦେଇସାରିଛନ୍ତି । ସେ ୨୦୦୪ରୁ ୨୦୧୦ ମଧ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସଚିବ ଥିଲାବେଳେ ଏହି ଜମି ଅଧିଗ୍ରହଣ ପାଇଁ ନାନାଦି ବେଆଇନ କାର୍ଯ୍ୟ କରିଥିଲେ ବୋଲି ଲୋକପାଳ ତାଙ୍କ ରାୟରେ ଉଲ୍ଲେଖ କରିଥିଲେ । ଅନୀଲ ଅଗ୍ରୱାଲଙ୍କ ବେଦାନ୍ତ କମ୍ପାନୀ ସହିତ ରାଜ୍ୟ ସରକାରଙ୍କ ସଂପର୍କ ନେଇ ମୂଳରୁ ବିବାଦ ଲାଗି ରହିଛି । ୨୦୦୪ ମସିହାରେ କେହି କିଛି ଜାଣିବା ପୂର୍ବରୁ ଏହି କମ୍ପାନୀ କଳାହାଣ୍ଡିର ଲାଞ୍ଜିଗଡ଼ରେ କାରଖାନା ନିର୍ମାଣ କରିଥିଲା । ତାହା ପୁଣି ଜଙ୍ଗଲ ଜମିରେ । ସେତେବେଳେ ସେଥିପାଇଁ କୌଣସି ବୈଧାନିକ ମଂଜୁରୀ ନଥିଲା । ଚୋରାରେ ଚୋରାରେ ସବୁ ଚାଲିଥିଲା । ୨୦୦୪ ବିଧାନସଭା ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ହଠାତ ଯାଇଁ କାରଖାନା ଉଦଘାଟନ କରିଥିଲେ । ୨୦୦୯ ବିଧାନସଭା ନିର୍ବାଚନ ପୂର୍ବରୁ ୨୦୦୮ ଡିସେମ୍ବର ମାସରେ ବେଦାନ୍ତ ବିଶ୍ୱବିଦ୍ୟାଳୟ ପ୍ରକଳ୍ପକୁ ବୈଧାନିକ ମାନ୍ୟତା ଦେବା ପାଇଁ ରାଜ୍ୟ ବିଧାନସଭାରେ ବେଦାନ୍ତ ବିଶ୍ୱବିଦ୍ୟାଳୟ ବିଲ୍ ଆଗତ କରିଥିଲେ । ନିର୍ବାଚନ ଶେଷ ହେବା ପରେ ପରେ ୨୦୦୯ ଜୁଲାଇ ମାସରେ ବିଧାନସଭାରେ ଏହି ବିଲ୍ ପାଶ୍ ହୋଇଥିଲା । ସେଥିପାଇଁ ରାଜ୍ୟ ସରକାର ବିଧାନସଭା ଅଧିବେଶନକୁ ଗୋଟିଏ ଦିନ ବଢ଼ାଇଥିଲେ । ୨୦୦୯ରୁ ୨୦୧୪ ମଧ୍ୟରେ ବେଦାନ୍ତ କମ୍ପାନୀକୁ ନିୟମଗିରି ବକ୍ସାଇଟ ଖଣି ଦେବା ପାଇଁ ଅନେକ ଉଦ୍ୟମ ହୋଇଥିଲା । ସ୍ଥାନୀୟ ଆଦିବାସୀଙ୍କ ବିରୋଧ ଓ ସୁପ୍ରିମ କୋର୍ଟଙ୍କ ରାୟ ଫଳରେ ସେହି ଉଦ୍ୟମ ଫସରଫାଟି ଯାଇଥିଲା । ତଥାପି ରାଜ୍ୟ ସରକାର ବେଦାନ୍ତ ପାଇଁ ଏହି ଖଣିର ବକ୍ସାଇଟ ଦେବାକୁ ଓଡ଼ିଶା ଖଣି ନିଗମ ଜରିଆରେ ଉଦ୍ୟମ ଅବ୍ୟାହତ ରଖିଛନ୍ତି । ସୁପ୍ରିମ କୋର୍ଟରେ ପୁଣି ଥରେ ନିୟମଗିରି ପାଇଁ ଆବେଦନ କରାଯାଇଛି । ତାହା ଅବଶ୍ୟ ଖାରଜ ହୋଇଯାଇଛି । କୋରାପୁଟର ମାଙ୍କଡ଼ା ପଥର ଖଣି ଦେଇ ବେଦାନ୍ତକୁ ସନ୍ତୁଷ୍ଟ କରିବାକୁ ଚେଷ୍ଟା ହୋଇଛି । କଳାହାଣ୍ଡିର କର୍ଲାପାଟ ବକ୍ସାଇଟ ଖଣି ପାଇଁ ବେଦାନ୍ତ ଓ ଲାର୍ସନ ଓ ଟୁ୍ୟବ୍ରୋ ମଧ୍ୟରେ ହୋଇଥିôବା ବୁଝାମଣାକୁ ରାଜ୍ୟ ସରକାର ସ୍ୱୀକୃତି ଦେଇଛନ୍ତି । ଏବେ ୨୦୧୯ ନିର୍ବାଚନ ପୂର୍ବରୁ ପୁଣି ଥରେ ବେଦାନ୍ତକୁ ଦୀର୍ଘକାଳୀନ ଭିତ୍ତିରେ ବକ୍ସାଇଟ ଯୋଗାଇବା ଉଦେ୍ଧଶ୍ୟରେ କ୍ୟାବିନେଟରେ ପ୍ରସ୍ତାବ ଗ୍ରହଣ କରାଯାଇଛି । ତାହା ପୁଣି ବିଜେପୁର ଉପନିର୍ବାଚନ ପାଇଁ ଭୋଟ ଗ୍ରହଣର ଠିକ ପୂର୍ବରୁ । ଠିକ ଏହି ସମୟରେ ବେଦାନ୍ତ ବିଶ୍ୱବିଦ୍ୟାଳୟ ପ୍ରକଳ୍ପକୁ ବିଖ୍ୟାତ ଅନୁଷ୍ଠାନ ବା ଇନଷ୍ଟିଚୁ୍ୟଟ ଅଫ୍ ଏମିନେନ୍ସ ମାନ୍ୟତା ଦେବାକୁ କେନ୍ଦ୍ର ସରକାରଙ୍କ ନିକଟରେ ଆବେଦନ କରାଯାଇଛି । ଯେଉଁ ଦିନ ରାଜ୍ୟର ଏକ ନିର୍ଦ୍ଧିଷ୍ଟ ଖବରକାଗଜରେ ଏ ଖବର ପ୍ରକାଶ ପାଇଛି ଠିକ ତା’ ପୂର୍ବ ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିଲ୍ଲୀରେ ଥିଲେ ଏବଂ ବିଶ୍ୱାସ କରାଯାଏ ଯେ ସେହି ଦିନ ଅନୀଲ ଅଗ୍ରୱାଲ ମଧ୍ୟ କୌଣସି କାରଣରୁ ଦିଲ୍ଲୀରେ ଡେରା ପକାଇଥିଲେ । ଦିଲ୍ଲୀରେ ସେଦିନ ଅବଶ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟି ବିଜୁ ପଟ୍ଟନାୟକ ସଂଗ୍ରହାଳୟ ଉଦଘାଟନ କରିବାକୁ ନିମନ୍ତ୍ରଣ ଜଣାଇଥିଲେ ।

Share :