ଚୋର ଚୋର, ଧର ଧର!

ଚୋର ଚୋର, ଧର ଧର!

Share :

ସେଇ ପୁରୁଣା ଗପ । ଚୋରଟିଏ ଚୋରି କରି ଖସି ପଳାଉଥାଏ । ଯା’ ଘରୁ ଚୋରି ହୋଇଥାଏ ସେ ଜାଣିପାରି ‘ଚୋର ଚୋର’ ବୋଲି ଚିକ୍ରାର କରି ତା’ ପଛେ ଦୌଡ଼ୁଥାଏ । ଚିକ୍ରାର ଶୁଣି ଆଉ କିଛି ଲୋକ ବି ‘ଚୋର ଚୋର’ ବୋଲି ପାଟି କରି କରି ଦୌଡ଼ୁଥାନ୍ତି । ଚୋର ଦେଖିଲା, ତା’ ପଛରେ ଗୁଡ଼ାଏ ଲୋକ ଦୌଡ଼ିଲେଣି । ଧରା ପଡ଼ିବା ଥୟ । ତା’ ମୁଣ୍ଡକୁ ଗୋଟେ ବୁଦ୍ଧି ଜୁଟିଲା । ସେ ବି ବଡ଼ ପାଟିରେ କହିବାକୁ ଲାଗିଲା-ଚୋର ପଳେଇଲା, ଚୋର ପଳେଇଲା । ଏମିତି କହି କହି ସେ ଭିଡ଼ ଭିତରେ ମିଶିଗଲା । ଲୋକେ ଜାଣିଲେ- ସେ ବି ଚୋରକୁ ଗୋଡ଼ାଉଛି । ସମସ୍ତେ କହୁଥାନ୍ତି, ଚୋର ପଳେଇଲା ଚୋର ପଳେଇଲା । ଚୋର କିନ୍ତୁ ତାଙ୍କରି ଭିତରେ ଥାଏ । ଭିଡ଼ ଭିତରୁ ସମବେତ କଣ୍ଠରେ ଶୁବୁଥାଏ, ଚୋର ପଳେଇଲା ଚୋର ପଳେଇଲା ଡାକ । ଆଉ ସମସ୍ତେ ଦୌଡ଼ୁଥାନ୍ତି । ତା’ରି ଭିତରେ ସୁଯୋଗ ଦେଖି ବିଚକ୍ଷଣ ଚୋରଟି ଫେରାର ହୋଇଯାଏ । ଭାରତବର୍ଷରେ ନିତି ପ୍ରତି ଘଟି ଚାଲିଥିବା ଅନେକ ଦୁର୍ନୀତି ଭିତରୁ ଏଇ ନୀରବ ମୋଦିଙ୍କ ପଂଜାବ ନ୍ୟାସନାଲ ବ୍ୟାଙ୍କ ଜାଲିଆତି ବି ଏହିପରି ଅନ୍ୟ ଏକ ଘଟଣା । ହୀରା ବ୍ୟବସାୟୀ ନୀରବ ମୋଦି ଓ ତାଙ୍କ ପରିବାର ବ୍ୟାଙ୍କରୁ ୧୨ ହଜାର କୋଟି ଟଙ୍କା ଜାଲିଆତି କରି ଦେଶଛାଡ଼ି ପଳେଇବା ପରେ ଏବେ ସମସ୍ତେ କହୁଛନ୍ତି ଚୋର ପଳେଇଲା ବୋଲି । କଂଗ୍ରେସ କହୁଛି ଚୋର ପଳେଇଲା, ବିଜେପି ବି କହୁଛି ଚୋର ପଳେଇଲା । ଦେଖିଲା ବେଳକୁ ଚୋର ସେଇମାନଙ୍କ ଭିତରୁ ଜଣେ କେହି! ସୁଯୋଗ ଦେଖି ହଜି ଯାଇଛି! ଗହଣା ବ୍ୟବସାୟୀ ନୀରବ ମୋଦି କେଉଁ ଗାଁ ହାଟର ସୁନାରି ନୁହେଁ । ସେ ଭାରତର ଜଣେ ନାଁ କରା ହୀରା ବ୍ୟବସାୟୀ । ପୃଥିବୀର ହୀରକ ରାଜଧାନୀ ବେଲଜିୟମର ଆଣ୍ଟିୱର୍ପରୁ ଆରମ୍ଭ କରି ଆବୁଧାବି, ଦୁବାଇ, ହଂ କଂ, ସିଙ୍ଗାପୁର ଆଦି ଅନେକ ସହରରେ ତାଙ୍କର ହୀରା ବ୍ୟବସାୟ ରହିଛି । ତାଙ୍କ ସାନ ଭାଇ ନିଶାଳ ମୋଦି ବାହା ହୋଇଛନ୍ତି ଭାରତର ସବୁଠୁ ବଡ଼ ଧନୀ ମୁକେଶ ଅମ୍ବାନୀଙ୍କ ଭଉଣୀ ଝିଅଙ୍କୁ । ତାଙ୍କ ମାମୁଁ ହେଉଛନ୍ତି ଭାରତର ଅନ୍ୟତମ ବିଶାଳ ଗହଣା କମ୍ପାନୀ ଗୀତାଞ୍ଜଳି ଜୁଏଲର ମାଲିକ ମେହୁଲ ଚୋକ୍ସି । ଏମାନେ ନିଜର ବ୍ୟବସାୟ ଓ ସଂପର୍କ ଦୃଷ୍ଟିରୁ ଭାରତର ବଡ଼ବଡ଼ ନେତା ଓ ବାବୁମାନଙ୍କ ଗହଣରେ ଆତଯାତ ହେବା ଏକ ସ୍ୱାଭାବିକ ଘଟଣା । ଏମିତି ତ ଅନେକ ସମୟରେ ଅଭିଯୋଗ ହୋଇଥାଏ, ଭାରତ ସରକାର ଅମ୍ବାନି କଥାରେ ଉଠନ୍ତି ଆଉ ବସନ୍ତି । ଏ ଅଭିଯୋଗ କଂଗ୍ରେସ ସରକାରଙ୍କ ବିରୋଧରେ ଥିଲା । ଏଇ ଅଭିଯୋଗ ବିଜେପି ସରକାର ବିରୋଧରେ ମଧ୍ୟ ରହିଛି । ଏବେ ଚୋରି ଧରା ପଡ଼ିଛି । ଚୋର ଧରା ପଡ଼ିନାହିଁ । କହିବାକୁ ଗଲେ, ଚୋର ସପରିବାରେ ଭାରତରୁ ପଳାୟନ କରିବା ପରେ ହିଁ ବ୍ୟାଙ୍କ କର୍ତ୍ତୃପକ୍ଷ ୧୨ ହଜାର କୋଟି ଟଙ୍କାର ଠକେଇ ବିଷୟରେ ଜାଣିବାକୁ ପାଇଲେ! କଂଗ୍ରେସ କହୁଛି, ଏ ବିଷୟରେ ୨୦୧୬ ଜୁଲାଇ ମାସରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାଣିଥିଲେ । ଜଣେ କେହି ହରି ପ୍ରସାଦ ତାଙ୍କୁ ଏ ବିଷୟରେ ଚିଠି ଲେଖି ସବୁ ଜଣେଇଥିଲେ । କିନ୍ତୁ ସେ କିଛି କଲେ ନାହିଁ । ନୀରବ ମୋଦିଙ୍କ ସାଙ୍ଗରେ ସୁଇଜରଲାଣ୍ଡର ଡାଭୋସରେ ଅନୁଷ୍ଠିତ ବିଶ୍ୱ ଆର୍ଥନୀତିକ ମଂଚରେ ଫଟୋ ଉଠାଇଲେ । ଅବଶ୍ୟ ପ୍ରଧାନମନ୍ତ୍ରୀ ମୋଦି କି ତାଙ୍କ ଅର୍ଥମନ୍ତ୍ରୀ ଜେଟଲି ଏ ନେଇ ଏଯାଏଁ ମୁହଁ ଖୋଲି ନାହାନ୍ତି । କିନ୍ତୁ ଅର୍ଥ ମନ୍ତ୍ରଣାଳୟ ଅନ୍ତର୍ଗତ ଏଇ ବିଷୟଟି ଉପରେ ସରକାରଙ୍କ ତରଫରୁ ସଫେଇ ଦେବାରେ ଲାଗିଛନ୍ତି ଆଇନ ମନ୍ତ୍ରୀ ରବି ଶଙ୍କର ପ୍ରସାଦ, ମାନବ ସମ୍ବଳ ବିକାଶ ମନ୍ତ୍ରୀ ପ୍ରକାଶ ଜାଭଦେକର ଏବଂ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ! ସରକାରଙ୍କ ସଫେଇ ହେଲା, କଂଗ୍ରେସ ନେତୃତ୍ୱାଧୀନ ଉପା ସରକାର ଦାୟିତ୍ୱରେ ଥିଲାବେଳେ ୨୦୧୧ ମସିହାରୁ ଏ ଠକେଇ ଆରମ୍ଭ ହୋଇଥିଲା । ସେମାନେ ହେଉଛନ୍ତି ଅସଲ ପାପୀ! କଂଗ୍ରେସ ଓ ବିଜେପି ନେତାମାନଙ୍କର ଏଭଳି ‘ଚୋର ପଳେଇଲା ଚୋର ପଳେଇଲା’ ଚିକ୍ରାର ଭିତରେ ନୀରବ ମୋଦି ଯାଇଁ ନୁୟର୍କର ଗୋଟେ ହୋଟେଲରେ ବିଳାସପୂର୍ଣ୍ଣ ଜୀବନଯାପନ କରୁଛନ୍ତି । ଦିନକୁ ଭଡ଼ା ୭୫ ହଜାର ଟଙ୍କା । ଭାରତରୁ ହଜାର ହଜାର କୋଟି ଟଙ୍କା ଠକି ନେଇ ବିଦେଶରେ ବିଳାସପୂର୍ଣ୍ଣ ଜୀବନଯାପନ କରୁଥିବା ଲୋକଙ୍କ ଭିତରେ ନୀରବ ମୋଦି ଏକା ନୁହନ୍ତି । ତାଙ୍କ ପରି ଆହୁରି ବହୁତ ଲୋକ ଏଭଳି ଠକେଇ କରି ଫେରାର ହୋଇଯାଇଛନ୍ତି । ମଦ ସମ୍ରାଟ ବିଜୟ ମାଲ୍ୟା ଓ କ୍ରିକେଟ ମାଫିଆ ଲଳିତ ମୋଦି ମଧ୍ୟ ଏଇ କ୍ଲବର ସଦସ୍ୟ । ଏଇମିତି ଦିନେ ୟୁନିଅନ କାର୍ବାଇଡ଼ର ଭାରତ ମୁଖ୍ୟ ଫେରାର ହୋଇଯାଇଥିଲେ । ବୋଫର୍ସ କେଳେଙ୍କାରୀର ଅଟ୍ଟାଭିଓ କ୍ୱାଟ୍ରୋଚି ମଧ୍ୟ ଏଇ ପରି ଚିକ୍ରାର ଭିତରେ ଇଟାଲୀ ଫେରି ଯାଇଥିଲେ । ଏଇପରି ଭାବେ ଏମାନଙ୍କ ସଂଖ୍ୟା ବଢ଼ି ଚାଲିଛି । ଆଉ ଏଠି ଭାରତ ମାଟିରେ କଂଗ୍ରେସ ଓ ବିଜେପି ନେତାମାନେ ପରସ୍ପରକୁ ଆକ୍ଷେପ କରି ‘ଚୋର ଚୋର’ ବୋଲି ଚିକ୍ରାର କରିଚାଲିଛନ୍ତି । ଦେଖିଲାବେଳକୁ କେତେବେଳେ ରାହୁଳ ଗାନ୍ଧୀ ଚୋରଙ୍କ ସହ ଫଟୋ ଉଠାଇଛନ୍ତି ତ କେତେବେଳେ ନରେନ୍ଦ୍ର ମୋଦି । କାହାକୁ କହିବା ଚୋର କିଏ? ଚୋର ତ ହଜି ଯାଇଛି! ଆଗକୁ ଆଉ ଯେ ଏମିତି ଚୋରି ହେବନି, ତା’ ବି କହିପାରିବା ନାହିଁ । କାରଣ ଅନେକ ସମୟରେ ଚୌକିଦାରମାନେ ହିଁ ଚୋରି କରି ‘ଚୋର ପଳେଇଲା’ ବୋଲି ଚିକ୍ରାର କରିଥାନ୍ତି । ଲୋକେ ରାଗିଲେ ଚୌକିଦାର ବଦଳେଇ ଦିଅନ୍ତି । ଦେଖିଲା ବେଳକୁ ଚୋରଟିଏ ହିଁ ଜାଲ୍ ପ୍ରମାଣପତ୍ର ଦେଇ ଚୌକିଦାର ନିଯୁକ୍ତି ପାଇଯାଇଛି!

Share :