୨୦୧୬- ଓଡ଼ିଶା ରାଜନୀତିର ସାରାଂଶ

୨୦୧୬- ଓଡ଼ିଶା ରାଜନୀତିର ସାରାଂଶ

Share :

ଚିଦାନନ୍ଦନ ଜେନା   ପ୍ରଥମାର୍ଦ୍ଧ ପାଜେରୋ ବିବାଦ, ଅଣ୍ଡାମାଡର ପର୍ବ। ପୁଣି ନଗଡ଼ାର ନଗ୍ନ ରୂପ ସାଙ୍ଗକୁ ଜାପାନୀ ଜ୍ୱରର ଶିଶୁହନ୍ତା ରୂପ ଏବଂ କନ୍ଧମାଳର ମିଥ୍ୟା ଏନକାଉଣ୍ଟର। ସବୁଥିରେ ଫସିଥିଲା ନବୀନଙ୍କ ସରକାର। ଜଗନ୍ନାଥଙ୍କ ପରେ ମହାନଦୀ ଓ ହୀରାକୁଦ ଓଡ଼ିଆଙ୍କ ଦୁର୍ବଳତା। ଆଉ ଏହାର ଫାଇଦା ନେଇଥିଲେ ନବୀନ। ରାଜ୍ୟ ହରାଇଲା ଲୁଲୁ ଭାଇଙ୍କୁ। ଗଣତନ୍ତ୍ରର ଅପମାନ ହେଲା ଶୀତ ଅଧିବେଶନରେ। ଚାଷୀ ହକ‌୍‍ ଜାହିର କରିବାକୁ ଯାଇ ସରକାରଙ୍କ ଦମନଲୀଳା ଯୋଗୁଁ ରାଜଧାନୀର ପ୍ରବେଶ ଦ୍ୱାରରୁ ଫେରିଗଲେ। ଏତେସବୁ ବିଷୟ ଥାଇ ବି ଓଡ଼ିଶା ରାଜନୀତି ଆକାଶରେ ବିରୋଧର ସୂର୍ଯ୍ୟ ସଠିକ‌୍‍ ଭାବରେ ଉଇଁଲା ନାହିଁ। ଆଶା କରିବା ୨୦୧୭ରେ ତାହାର ପୁନରାବୃତ୍ତି ନହେଉ।   ୨୦୧୫କୁ ବିଦାୟ ଦେଲା ବେଳେ ୨୦୧୬ ଏକ ସମ୍ଭାବନାର ବର୍ଷ ହେବ ବୋଲି ସମସ୍ତେ ମତ ପ୍ରକାଶ କରିଥିଲେ ବୁଦ୍ଧିଜୀବୀ। ଇତି ମଧ୍ୟରେ ଏହି ବର୍ଷର ୧୨ ମାସ ବିତି ଯାଇଛି, ହେଲେ ସମ୍ଭାବନାର ଉନ୍ମେଷର ପତ୍ର କଅଁଳି ନାହିଁ। ମୋଟ ଉପରେ କହିବାକୁ ଗଲେ ଓଡ଼ିଶା ରାଜନୀତି ପାଇଁ ବର୍ଷଟିକୁ ଭୁଲିଯିବାର ବର୍ଷ।   ପାଜେରୋ ବିବାଦ   ବର୍ଷ ଆରମ୍ଭ ହୋଇଥିଲା ପାଜେରୋ ବିବାଦରୁ ଆଉ ଏହି ବିବାଦରେ ଛନ୍ଦି ହୋଇ ପଡିଥିଲେ ନବୀନଙ୍କ ମନ୍ତ୍ରୀ ପରିଷଦର ଯୋଗାଣ ମନ୍ତ୍ରୀ ସଞ୍ଜୟ ଦାସବର୍ମା। ଅଣ୍ଡାମାଡର ପର୍ବ ବି ଆରମ୍ଭ କରାଯାଇଥିଲା ଜଣେ ଦିବଙ୍ଗତ ଟାଣୁଆ ନେତାଙ୍କ ଦ୍ୱାରା। ସିବିଆଇ ବି ନିଜର ତନାଘନା କରିଥିଲା। ଏହି ବିବାଦକୁ ଥମାଇବା ପାଇଁ ନବୀନ ଢାଲ କରିଥିଲେ କେନ୍ଦ୍ରମନ୍ତ୍ରୀ ଅରୁଣ ଜେଟଲୀଙ୍କ ସହ ଥିବା ବନ୍ଧୁତାକୁ। ରାଜ୍ୟ ବିଜେପି ପାଇଁ ଏହା କିଛିଟା ଖୋରାକ ମଧ୍ୟ ଯୋଗାଇଥିଲ। କେତେକ ନେତାଏ ଚିଟଫଣ୍ଡ ମାମଲାରେ ନବୀନ ପେସେଣ୍ଟ ମାନେ ରୋଗୀ, ପ୍ରଧାନମନ୍ତ୍ରୀଙ୍କୁ ଭେଣ୍ଟିଲେଟର ଆଉ ସିବିଆଇକୁ ଅକ୍ସିଜେନ‌୍‍ ବୋଲି କହିଲେ। ଏହି ସମୟ ଭିତରେ ନବଗଠିତ ନୀତି ଆୟୋଗରେ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ବି ରାଜ୍ୟ ସରକାର ଦୋହରାଇଥିଲେ। ମାତ୍ର ତାହାକୁ ଯୁକ୍ତିହୀନ ବୋଲି କହିଥିଲେ ଅରବିନ୍ଦ ପାନଗରିଆ। ତା’ ପରେ ରାଜ୍ୟ ସରକାରଙ୍କ ଗେହ୍ଲାପୁଅ ବୋଲାଉଥିବା ସୁରେଶ ମହାପାତ୍ରଙ୍କ ଶ୍ରୀମନ୍ଦିର ପ୍ରଶାସନ ସହ ପୁରୀ ପ୍ରଶାସନ ଆସିଥିଲା ଚର୍ଚ୍ଚାକୁ। ଇସ୍କନ ସମାନ୍ତରାଳ ଭାବେ ଆଉ ଏକ ଜଗନ୍ନାଥ ମନ୍ଦିର ତୋଳିବା ଖବର କିଛିଦିନ ଓଡ଼ିଶା ରାଜନୀତିକୁ ସରଗରମ କରିଥିଲା। ହେଲେ ପରେ ଏହି ବିବାଦ ଥମି ଯାଇଥିଲା ରାଜ୍ୟ ସରକାରଙ୍କ ହସ୍ତକ୍ଷେପ ପରେ।   ଦାମ-ବିଷ୍ଣୁ-ଦେବାଶିଷ-ପ୍ରଭାତ କଳି   ଓଡିଶା ରାଜନୀତି ଫେବୃଆରୀ ମାସରେ ଜାତୀୟ ଗଣମାଧ୍ୟମର ଧ୍ୟାନ ଆର୍କଷଣ କରିଥିଲା ପାରଦୀପ ତୈଳ ବିଶୋଧନାଗାର ସମେତ ନାଇଜରର ଉଦ‌୍‍ଘାଟନ ସମୟରେ। ଧର୍ମେନ୍ଦ୍ର ନିଜ ପତିଆରା ଦେଖାଇବା ସହ ଦାମ-ବିଷ୍ଣୁ-ଦେବାଶିଷ-ପ୍ରଭାତ ବିବାଦ ସାମନାକୁ ଆସିଥିଲା। ଅପରାଧ ଜଗତର ଧଳସାମନ୍ତ ଭାତ୍ରାଙ୍କ ଗିରଫଦାରୀ ପରେ ଦେବାଶିଷଙ୍କ ସଂପୃକ୍ତି ରାଜ୍ୟ ରାଜନୀତିକୁ ସରଗରମ‌୍‍ କରିଥିଲା। ତା’ ପରେ ଆସିଥିଲା ନିର୍ବାଚନର କ୍ଷୁଦ୍ର ପର୍ବ। କେନ୍ଦୁଝରର ଏକ ପୌରପରିଷଦରେ ବିଜେଡି କାଉନସିଲରମାନେ ଦଳୀୟ ହୁଇପକୁ ଅବମାନନା କରିଥିଲେ, ଯାହା ଥିଲା ଏକ ବ୍ୟତିକ୍ରମ। ବିଜୁ ଜନ୍ମ ଶତ ବାର୍ଷିକୀ ଉପଲକ୍ଷେ ପଞ୍ଚାୟତରାଜ ଦିବସକୁ ଧୁମ‌୍‍ଧାମରେ ପାଳନ କରାଯିବା ସହ ଜିଲ୍ଲା ପରିଷଦ ସହ ଡିଆରଡିଏର ମିଶ୍ରଣ କରାଯାଇଥିଲା। ଆଗକୁ ପଞ୍ଚାୟତ ନିର୍ବାଚନ ଥିବାରୁ ସମସ୍ତ ତୃଣମୂଳ ନିର୍ବାଚିତ ପ୍ରତିନିଧିମାନଙ୍କ ଦରମା ବୃଦ୍ଧି କରାଯାଇଥିଲା। ଏହାପରେ ଆସିଥିଲା ବଜେଟ ଅଧିବେଶନ। ଶିକ୍ଷା ଓ ଚାଷୀ ଆତହତ୍ୟାକୁ ନେଇ ବେଶ‌୍‍ ସରଗରମ ହୋଇଥିଲା ବିଧାନସଭା। ସବୁବର୍ଷ ଭଳି କାଳିଆ ରଥକୁ ଛୁଇଁବା କଥାକୁ ନେଇ ରାଜନୀତି ହେଲା। ବରଗଡ଼ ଗସ୍ତରେ ଆସିଥିବା କେନ୍ଦ୍ରମନ୍ତ୍ରୀଙ୍କୁ ମାଡ଼ ଘଟଣାରେ ବିଜେପି ଆନ୍ଦୋଳନ କରିଥିଲା ଏହି ବର୍ଷର ମଧ୍ୟଭାଗରେ।   ଦ୍ବିତୀୟାର୍ଦ୍ଧ ୨୦୧୬ର ଦ୍ୱିତୀୟ ଭାଗ ଥିଲା ଗ୍ଲାମର ଆଉ ପଲିଟିକ୍ସର ମିଶ୍ରଣ। କାଷ୍ଟିଂ କାଉଚରେ ଗିରଫ ହୋଇଥିଲେ ବିଜେଡିର ଚମ୍ପୁଆ ବିଧାୟକ ପ୍ରାର୍ଥୀ ତଥା କମେଡିଷ୍ଟାର ପପୁ ପମ‌୍‍ପମ‌୍‍। ଏହି ଭିତରେ ସିଏମ‌୍‍ସି ଉପ ନିର୍ବାଚନରେ ଶାସକ ଦଳ ପ୍ରାର୍ଥୀ ପରାଜିତ ହେବା ମଧ୍ୟ ଏକ ଝଟ‌୍‍କା ଥିଲା। ବସନ୍ତ ପଣ୍ଡା ବିଜେପି ରାଜ୍ୟ ସଭାପତି ଭାବରେ ଦାୟିତ୍ୱ ନେବା ପରେ ବିଜୟ ମହାପାତ୍ର ଏକ ପ୍ରକାର ବିଜେପି ରାଜନୀତିରୁ ଅପସରି ଗଲେ। କନ୍ଧମାଳରେ ମିଥ୍ୟା ଏନକାଉଣ୍ଟର ନାମରେ ଆଦିବାସୀଙ୍କୁ ହତ୍ୟା ସାରା ଦେଶ ଆଗରେ ରାଜ୍ୟକୁ କରିଥିଲା ବଦନାମ। ବିଭାଗୀୟ ମନ୍ତ୍ରୀ ସେ ବିଷୟରେ ନ ଜାଣିବା ଗଣମାଧ୍ୟମରେ ସ୍ୱୀକାର କରିବା ଥିଲା ଆଉ ଏକ ବ୍ୟତିକ୍ରମ। ଶିଳ୍ପ ସମୃଦ୍ଧ ଯାଜପୁର ସହର ନଗଡ଼ାରେ ଶିଶୁ ମଡକ ମଧ୍ୟ ଜାତୀୟ  ଓ ଅର୍ନ୍ତଜାତୀୟ ଗଣମାଧ୍ୟମ ପାଇଁ ମସଲା ଯୋଗାଇଥିଲା ସିନା ରାଜ୍ୟ ପାଇଁ ଆଣିଥିଲା ନିନ୍ଦା।    ମହାନଦୀର ମହାନାଟକ   ଏହାପରେ ଆସିଥିଲା ଦାନ ମାଝୀ ପ୍ରସଙ୍ଗ। ଆଦିବାସୀ ଲୋକଟିଏ ନିଜ ସ୍ତ୍ରୀ ଶବକୁ ୧୦ କି.ମି କାନ୍ଧେଇ ନେଇଯାଇ ନଥିଲା ବରଂ ଓଡ଼ିଶା ସରକାରଙ୍କ ବିକାଶର ଖସଡାକୁ ଯେମିତି ଗଡେଇ ଦେଇଥିଲା। ସରକାର ନିଜ ଦୋଷ ସ୍ୱୀକାର କରିବେ କ’ଣ ବିଦେଶରେ କଳା ତାଲିକାଭୁକ୍ତ ହୋଇଥିବା ବେଦାନ୍ତ କମ୍ପାନୀ ଦ୍ୱାରା ମେଡିକାଲ କଲେଜ ଘୋଷଣା କରି ରାଜନୈତିକ ଲଲିପପ‌୍‍ ଧରାଇ ଦେଇଥିଲେ। ଏକାଧିକ ବିବାଦୀୟ ପ୍ରସଙ୍ଗରେ ନବୀନ ସରକାର ଛନ୍ଦି ହୋଇଯିବା ପରେ ବାଛିଥିଲେ ଏମିତି ଏକ ସମ୍ୱେଦନଶୀଳ ପ୍ରସଙ୍ଗ, ଯାହା ଗଭୀର ଭାବେ ଓଡ଼ିଆଙ୍କ ଭାବାବେଗ ସହ ଜଡିତ, ତାହା ହେଉଛି ମହାନଦୀ। ସବୁ ପ୍ରସଙ୍ଗରୁ ନଜର ହଟାଇବା ପାଇଁ ମହାନଦୀକୁ ନେଇ ଏକ ପ୍ରକାର ମହାନାଟକ ରଚନା କରିଥିଲେ। ଆଉ କିଛି ମାତ୍ରାରେ ସଫଳ ମଧ୍ୟ ହୋଇଥିଲେ। କାରଣ ଜଗନ୍ନାଥଙ୍କ ପରେ ଓଡ଼ିଆଙ୍କ ପ୍ରାଣ ମହାନଦୀ ଓ ହୀରାକୁଦ ପାଇଁ କାନ୍ଦିଥାଏ। ଦକ୍ଷିଣ ଓଡ଼ିଶାରେ ଲୋକଙ୍କୁ ପ୍ରଭାବିତ କରିବା ପାଇଁ ପୋଲାଭରମ‌୍‍ ପ୍ରସଙ୍ଗକୁ ମଧ୍ୟ ପଶାପାଲିକୁ ଆଣିଥିଲେ ନବୀନ ସରକାର। ଉଗ୍ର ଆଞ୍ଚଳିକତାବାଦର ପରିବେଶ ସୃଷ୍ଟି କରାଗଲା ରାଜ୍ୟରେ। ଛତିଶଗଡ଼ ବୁଲିବାକୁ ଗଲେ ଉଭୟ କଂଗ୍ରେସ ଓ ବିଜେଡି ପ୍ରତିନିଧି। ଛତିଶଗଡଡ଼ ଭୁଲ‌୍‍ କରିଛି ସତ ହେଲେ ଏ ପ୍ରସଙ୍ଗରେ ଆଗୁଆ ଜାଣି ରାଜ୍ୟବାସୀଙ୍କୁ ଅନ୍ଧାରରେ ରଖି ଦେବାବି ପରବର୍ତ୍ତୀ ପିଢି ଆଗରେ ନବୀନଙ୍କୁ କାଠଗଢାରେ ଛିଡା କରାଇବାର ଆଶଙ୍କାକୁ ଏଡାଇ ଦିଆଯାଇ ନପାରେ।    ଲୁଲୁ ଭାଇ ଚାଲିଗଲେ   ଏ ବର୍ଷ କଂଗ୍ରେସର ଲୋକପ୍ରିୟ ନେତା ଲୁଲୁ ଭାଇଙ୍କ ମୃତ୍ୟୁ ଯେମିତି ସମସ୍ତଙ୍କୁ ସ୍ତବ୍ଧ କରିଦେଲା। ଲୁଲୁ ଶୂନ୍ୟ ହୋଇଗଲା ରାଜ୍ୟ କଂଗ୍ରେସ। ଏ ସବକୁ ଛାଡିଦେଲେ ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାରେ ଜାପାନୀ ଜ୍ୱରରେ ଶତାଧିକ ଶିଶୁ ମରିଯିବା ପରେ ବି ରାଜ୍ୟ ସରକାରଙ୍କ ନିଦ ଭାଙ୍ଗି ନଥିଲା। ସମ‌୍‍ ଅଗ୍ନିକାଣ୍ଡ ସିନା ଜେପି ନଡ୍ଡାଙ୍କୁ ଓଡ଼ିଶା ଅତିଥି ଭବନ ନେଇ ଆସିଲା, ହେଲେ ମାଲକାନଗିରି ନେଇ ପାରିଲା ନାହିଁ। ଏସବୁ ପରେ ସ୍ୱାସ୍ଥ୍ୟମନ୍ତ୍ରୀ ଅତନୁଙ୍କ ଇସ୍ତଫା କେବଳ ବିରୋଧୀଙ୍କ ପାଇଁ ଥିଲା କନସୋଲେସନ ପ୍ରାଇଜ‌୍‍।   ଚାଷୀଙ୍କ ଉପରେ ଅତ୍ୟାଚାର   ଶୀତ ଅଧିବେଶନକୁ ଅଧାରୁ ବନ୍ଦ କରି ଗଣତନ୍ତ୍ରର ଏକ ପ୍ରକାର ଅପମାନ ହୋଇଥିଲା । ଶେଷ ଆଡକୁ ନବୀନ ପ୍ରବଳ ଜନ ଆକ୍ରୋଶର ଶିକାର ହୋଇଥିଲେ। ବିଦ୍ୟାଳୟର ଶିକ୍ଷକମାନେ ରାଜରାସ୍ତାକୁ ଓହ୍ଲାଇଥିଲେ । ପଞ୍ଚାୟତ ନିର୍ବାଚନକୁ ବର୍ଜନ କରିବା ଧମକ ଦେବା ପରେ ମୋଡାଲିଟି କଥା କହି ତାଙ୍କୁ ଶାନ୍ତ କରାଇଥିଲେ ସରକାର । ଓଡ଼ିଶାର ବିଭିନ୍ନସ୍ଥାନରେ ଚାଷୀ ସମାବେଶ କରିବା ପରେ ଡିସେମ୍ୱର ୧୪ ତାରିଖରେ ଆୟୋଜିତ ହେବାକୁ ଥିବା ଚାଷୀ ସମାବେଶକୁ ସରକାର ଭଣ୍ଡୁର କରିବା ପାଇଁ କରିଥିଲେ ନାନା ହୀନ ଚକ୍ରାନ୍ତ । ଆନ୍ଦୋଳନର ଦୁଇ ଦିନ ପୂର୍ବରୁ କୃଷକ ନେତା ଅକ୍ଷୟ କୁମାର ଓ ଶେଷଦେବଙ୍କୁ ଗିରଫ କରିଥିଲା ପୋଲିସ । ଯାଜପୁରଠାରୁ ଆରମ୍ଭକରି ରାଜଧାନୀର ସବୁ ରାସ୍ତାକୁ କରି ଦିଆଯାଇଥିଲା ସିଲ‌୍‍,  ଯାହା ଥିଲା ଆଉ ଏକ ରାଜନୈତିକ କଳା ପର୍ବ ।   ମେୟରଙ୍କ ସେକ୍ସ ସ୍କାଣ୍ଡାଲ ଭୁବନେଶ୍ବର ମହାନଦଗର ନିଗମର ମେୟର  ଅନନ୍ତ ନାରାୟଣ ଜେନାଙ୍କୁ ନେଇ ବି ବେଶ ସରଗରମ ହୋଇଥିଲା ରାଜନୀତି। ଏକ ବିବାଦୀୟ ସେକ୍ସ ଭିଡିଓ ସହ ଏକ ପୁରୁଣା ହତ୍ୟାକାଣ୍ଡ ସହ ଯୋଡି ହୋଇ ଯାଇଥିଲା ତାଙ୍କ ନାମ। ଏହାକୁ ବିରୋଧୀମାନେ ବଡ଼ ଧରଣର ପ୍ରସଙ୍ଗ କରିଛନ୍ତି। ହେଲେ ଏ ଯାଏଁ ଅନନ୍ତଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ । ୨୦୧୯ରେ ମଧ୍ୟ-ଭୁବନେଶ୍ୱର ଆସନରେ ଲଢି ନବୀନଙ୍କ କ୍ୟାବିନେଟ‌୍‍ରେ ମନ୍ତ୍ରୀ ହେବାକୁ ସ୍ୱପ୍ନ ଦେଖୁଥିବା ଜେନା ବାବୁ ଏବେ ହରଡଘଣାରେ। ତାଙ୍କ ପାଇଁ ନୂଆ ବର୍ଷ ଫିକାଫିକା।   ଏସବୁ ଗଲାପରେ ରହିଲା ରାଜନୀତିର କଥା,  ବିଜେଡି ଏବେ ବି ସୁପ୍ରିମୋଙ୍କ ହାତରେ ଥିଲେ ବି ଦଳରେ ଅସନ୍ତୋଷ କୁହୁଳୁଥିବା କଥା ପଦାକୁ ଆସିଛି। ବିଜେପି ବସନ୍ତଙ୍କ ନାଁ ରେ ହୋଇଛି ସିନା ଗାଁ ସଂପୂର୍ଣ୍ଣ ଭାବେ ଧର୍ମେନ୍ଦ୍ରଙ୍କର। କଂଗ୍ରେସରେ ପଟ୍ଟନାୟକ ଲିଗାସି ବୁଡିଯାଉଥିବାବେଳେ ଶ୍ରୀକାନ୍ତଙ୍କ ଆଧିପତ୍ୟ ବଢି ଚାଲିଛି।

Share :