ଶୀତରାତି, ଲୁହାଖଟ, ଅଚିହ୍ନା ରୋଗୀ

ଶୀତରାତି, ଲୁହାଖଟ, ଅଚିହ୍ନା ରୋଗୀ

Share :

  ଏକବିଂଶ ଶତାବ୍ଦୀର ସଭ୍ୟ ସମାଜ ପାଇଁ ଏହା ନିଶ୍ଚିତ ଭାବେ ଏକ ଦୁଭାର୍ଗ୍ୟଜନକ ଘଟଣା କୁହାଯାଇପାରେ। ଯେ କୌଣସି କଠୋର ଶବ୍ଦରେ ନିନ୍ଦା କଲେ ବି ଏଭଳି ଏକ ମର୍ମସ୍ପର୍ଶୀ ଘଟଣାକୁ ଊଣା ହେବ ନିଶ୍ଚୟ। କୁହାଯାଏ ଡାକ୍ତରମାନେ କୁଆଡେ ଭଗବାନଙ୍କ ପ୍ରତିରୂପ। ମାତ୍ର ଏ କ୍ଷେତ୍ରରେ ଡାକ୍ତରଖାନରେ ଏକାଧିକ ଡାକ୍ତରଙ୍କ ଉପସ୍ଥିତି ସତ୍ତ୍ବେ ସେମାନଙ୍କ ଭିତରେ ହୃଦୟହୀନତା ଓ ନିର୍ଦ୍ଦୟତା କାରଣରୁ ଚାଲିଯାଇଛି ଗୋଟିଏ ଅସହାୟ ଯୁବକର ଜୀବନ। ଫୁଙ୍ଗୁଳା ଦେହରେ ଏକ ଲୁହା ଖଟିଆ ଉପରେ ବିନା ଗଦି ଓ ବେଡସିଟରେ ଏକ ଜାଡୁଆ ଶୀତରାତି ସହିତ ଦୀର୍ଘ ୧୮ ଘଂଟା କାଳ ସଂଘର୍ଷ କରି ବିନା ଚିକିତ୍ସାରେ ଜଣେ ଯୁବକ ମୃତ୍ୟୁ ବରଣ କରିବ ଓ ଏହାକୁ ଆଧୁନିକ ସମାଜ ପ୍ରତିବାଦ ନ କରି ସହଜରେ ଗ୍ରହଣ କରିଯିବା ଘଟଣାଟି ମଧ୍ୟ ଆଉ ଏକ ବିଡମ୍ୱନା। ଏହା କୌଣସି ଅଗମ୍ୟ ପଛୁଆ ଅଂଚଳର ଘଟଣା ନୁହେଁ ବରଂ ଉପକୂଳ ଓଡିଶାର ଅନ୍ୟତମ ସଭ୍ୟ ଓ ସମୁନ୍ନତ ଯାଜପୁର ଜିଲ୍ଲା ଅନ୍ତର୍ଗତ ବଡଚଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଘଟିଛି ଏହି ଅମାନବୀୟ ଘଟଣା।   ଚଣ୍ଡିଖୋଲ ବଜାରର ରାସ୍ତାକଡରେ ଜଣେ ପ୍ରାୟ ୩୫ ବର୍ଷ ବୟସ୍କ ଅଜଣା ଯୁବକ ଅସୁସ୍ଥ ଅବସ୍ଥାରେ ପଡି ରହିଥିବାର ଗତ ୧୯ ତାରିଖ ଅପରାହ୍ନରେ ସ୍ଥାନୀୟ ୨ ଜଣ ଯୁବକଙ୍କ ନଜରକୁ ଆସିଥିଲା। ସେମାନେ ଦୟା ପରବଶ ହୋଇ ତାଙ୍କୁ କିଛି ଖାଇବାକୁ ଓ କମ୍ୱଳ ଖଣ୍ଡେ ଦେଇ ଚଣ୍ଡିଖୋଲ ଦମକଳ କେନ୍ଦ୍ରର ଗାଡି ଯୋଗେ ସେଦିନ ୨ଟା ୪୫ ମିନିଟି ସମୟରେ ବଡଚଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲେ। ଦମକଳ ବାହିନୀ କର୍ମଚାରୀମାନେ ତାଙ୍କୁ ଦିବା ୩ ଘଟିକା ସମୟରେ ଡାକ୍ତରଖାନାରେ ଡାକ୍ତରଙ୍କୁ ହସ୍ତାନ୍ତର କରିଥିଲେ। ତାଙ୍କର କୌଣସି ସଂପର୍କୀୟ ବା କେହି ଦ୍ୱିତୀୟ ବ୍ୟକ୍ତି ଦେଖାରଖା କରିବାକୁ ସାଥୀରେ ନଥିଲେ। ଫଳରେ ସେ ସମୟରେ ଦାୟିତ୍ୱରେ ଥିବା ଡାକ୍ତର ସିଏସ ଦେବୀପ୍ରସାଦ ସାହୁଙ୍କ ନିର୍ଦ୍ଦେଶରେ ସ୍ୱାସ୍ଥ୍ୟକେନ୍ଦ୍ରରେ ଶେଷଭାଗରେ ଥିବା ଡାଇରିଆ ୱାର୍ଡର ଗଦି ଓ ବେଡସିଟ ବିହୀନ ଏକ ଲୁହା ଖଟିଆରେ ତାଙ୍କୁ ଶୁଆଇ ଦିଆ ଯାଇଥିଲା।   ତା’ପରେ ସେଠାରେ ତାଙ୍କୁ କି ପ୍ରକାର ଚିକିତ୍ସା ସେବା ଯୋଗଇ ଦିଆ ଯାଇଥିଲା ତାହା ତ ଡାକ୍ତର ହିଁ କହିପାରିବେ। ମାତ୍ର ୨୦ ତାରିଖ ସକାଳ ସାଢେ ୮ଟା ବେଳେ ଏହି ଲୁହା ଖଟିଆ ଉପରେ ଶରୀରଟି ଥିବା ବେଳେ ଖଟିଆର ଉଭୟ ପାର୍ଶ୍ୱକୁ ତାଙ୍କର ମୁଣ୍ଡ ଓ ଗୋଡ ଓହଳି ପଡିଥିବା ସ୍ଥାନୀୟ ଜଣେ ଯୁବକ ଦେଖି ସେ ସମୟରେ ଦାୟିତ୍ୱରେ ଥିବା ଡାକ୍ତର ଅବଦୁଲ ହମିଦଙ୍କୁ ଜଣାଇଥିଲେ ଓ ଡାକ୍ତର ଆସି ତାଙ୍କୁ ଦେଖିବା ପରେ ମୃତ ଘୋଷଣା କରିଥିଲେ। ପରବର୍ତ୍ତୀ ସମୟରେ କେତେକ ଅନୁସନ୍ଧିତ୍ସୁ ବ୍ୟକ୍ତି ଏହା ଉପରେ ଅନୁସନ୍ଧାନ କରିବା ପରେ ଯେଉଁସବୁ ତଥ୍ୟ ହାସଲ କରିଥିଲେ ସେ ସବୁ ସୃଷ୍ଟି କରିଛି ବହୁତ ବଡ ପ୍ରଶ୍ନବାଚୀ। ସ୍ୱାସ୍ଥ୍ୟ କେନ୍ଦ୍ରରେ ଏହି ଅସୁସ୍ଥ ବ୍ୟକ୍ତି ଦୀର୍ଘ ୧୮ ଘଂଟା ବିତାଇଥିଲେ ବି ଡାକ୍ତର ତାଙ୍କୁ ଆଡ ଆଖିରେ ଚାହିଁ ନାହାନ୍ତି କିମ୍ୱା ତାଙ୍କୁ ସାମନ୍ୟ ଚିକିତ୍ସା ମଧ୍ୟ ଯୋଗାଇ ଦିଆଯାଇ ନ ଥିବା ସେଠାକାର ପାରିପାର୍ଶ୍ବିକ ସ୍ଥିତି, ଡାକ୍ତରଖାନାରେ ମହଜୁଦ ଥିବା କାଗଜାତ‌୍‍ ଏବଂ ଡାକ୍ତରଙ୍କ ବୟାନରୁ ପ୍ରମାଣିତ ହେଉଛି।   ଏବେ ଏହି ଘଟଣା ଉପରେ ଯେଉଁ ସବୁ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ସୃଷ୍ଟି ହୋଇଛି ତାହା ଏହି ଅଭିଯୋଗକୁ ପୂର୍ଣ୍ଣଭାବେ ପୁଷ୍ଟ କରୁଛି।   (୧) ୧୯ ତାରିଖ  ଦିନ ୩ ଘଟିକା ସମୟରେ ଚଣ୍ଡିଖୋଲ ଦମକଳ କେନ୍ଦ୍ର କର୍ମଚାରୀମାନେ ସଂପୃକ୍ତ ଅଜଣା ଅସୁସ୍ଥ ଯୁବକଙ୍କୁ ଗୁରୁତର ଅବସ୍ଥାରେ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିବା ବେଳେ ଦାୟିତ୍ୱରେ ଥିବା ଡାକ୍ତର ତାଙ୍କୁ ଅପରାହ୍ନ ୪ଟା ୫୦ ମିନିଟରେ କାହିଁକି ଆଡମିଶନ ଦର୍ଶାଇଛନ୍ତି?   (୨) ସଂପୃକ୍ତ ଅସୁସ୍ଥ ବ୍ୟକ୍ତି ଯଦି ଡାଇରିଆ ରୋଗରେ ପୀଡିତ ନଥିଲେ ତେବେ ତାଙ୍କୁ ସାଧାରଣ ୱାର୍ଡ ପରିବର୍ତ୍ତେ ଡାଇରିଆ ୱାର୍ଡର ଖଟିଆ ନମ୍ୱର ୨୭ରେ କାହିଁକି ରଖା ଯାଇଥିଲା ଏବଂ କାହିଁକି ଏହି ଲୁହା ଖଟିଆରେ ଗଦି ଓ ବେଡସିଟ ବ୍ୟବସ୍ଥା କରାଯାଇ ନ ଥିଲା?   (୩) ଡାକ୍ତରଖାନାର କାଗଜାତ ଅନୁଯାୟୀ ଯଦି ସଂପୃକ୍ତ ବ୍ୟକ୍ତି ସେପ୍ଟିସେମିଆ ରୋଗରେ ପୀଡିତ ହୋଇଥିବା ନେଇ ଡାକ୍ତର ନିଶ୍ଚିତ ହୋଇଥିଲେ ତେବେ ବଡଚଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଏହି ରୋଗର ଆବଶ୍ୟକ ଚିକିତ୍ସା ପାଇଁ ଆବଶ୍ୟକ ବ୍ୟବସ୍ଥା ଅଛି କି ଏବଂ ଯଦି ନାହିଁ ତେବେ ତାଙ୍କୁ ତୁରନ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କିମ୍ୱା କଟକ ବଡ ଡାକ୍ତରଖାନାକୁ କାହିଁକି ସ୍ଥାନାନ୍ତର କରାଯାଇ ନଥିଲା?   (୪) ବହିର୍ବାସ ରୋଗୀଙ୍କ ପାଇଁ ଉଦ୍ଦିଷ୍ଟ ଟିକେଟରେ ଡାକ୍ତର ତାଙ୍କ ପାଇଁ ଲାକ୍ସିସ, ସେପ୍ଟ୍ରୋନଜୋନ, ପାର୍ଟମାଜୋଲ‌୍‍, ଥିଓଫାଇଡୋନ‌୍‍, ହାଇଡ୍ରୋକୋର୍ଟିଜୋନ ଏବଂ ଆମୋକ୍ସିକ୍ଳାଭ‌୍‍ ଭଳି ଇଣ୍ଢେକ୍ସନଗୁଡିକୁ ଆବଶ୍ୟକୟ ମାତ୍ରାରେ ଓ ନିର୍ଦ୍ଦିଷ୍ଟ ସମୟ ବ୍ୟବଧାନରେ ପ୍ରଦାନ କରିବାକୁ ଯାହା ଉଲ୍ଲେଖ କରିଥିଲେ ତାହା ତାଙ୍କୁ ପ୍ରଦାନ କରାଯାଇଥିଲା କି?   (୫) ଯଦି ପ୍ରଦାନ କରାଯାଇଥିଲା ତେବେ ତାହା ଏଠାରେ ଥିବା ନିରାମୟ ଔଷଧ ବିତରଣ କେନ୍ଦ୍ରରେ ଉପଲବ୍ଧ ହୋଇଥିଲା ନା ବାହାରୁ କ୍ରୟ କରାଯାଇଥିଲା ଏବଂ ଯଦି କ୍ରୟ କରାଯାଇଥିଲା ତେବେ ଏ ବାବଦରେ ହୋଇଥିବା ଖର୍ଚ୍ଚ କିଏ ବହନ କରିଥିଲା?   (୬) ଯଦି ବାସ୍ତବରେ ତାଙ୍କର ଚିକିତ୍ସା ଏଠାରେ କରାଯାଉ ଥିଲା ତେବେ ଅସହ୍ୟ ଜାଡରେ ବେଡସିଟ ଓ ଶୀତବସ୍ତ୍ର ଅଭାବରୁ ସଂପୃକ୍ତ ବ୍ୟକ୍ତି ସେଠାରେ ପଡି ଛଟପଟ ହୋଇଥିବେ ନିଶ୍ଚୟ ଯାହା କେମିତି ଚିକିତ୍ସାରେ ଥିବା ଡାକ୍ତର, ନର୍ସ ଓ ଅନ୍ୟ କର୍ମଚାରିଙ୍କ ନଜରକୁ ଆସିନଥିଲା?   (୭) ଜଣେ ଅସୁସ୍ଥ ଅଜଣା ବ୍ୟକ୍ତିର ଚିକିତ୍ସା କରିବା ପୂର୍ବରୁ ଏଥିନେଇ ଡାକ୍ତର ସ୍ଥାନୀୟ ପୋଲିସକୁ ଜଣାଇଥିଲେ କି ଓ ଠିକ ସେମିତି ସକାଳ ସାଢେ ୮ଟା ବେଳେ ସଂପୃକ୍ତ ବ୍ୟକ୍ତିଙ୍କୁ ଡାକ୍ତର ମୃତ ଘୋଷଣା କରିଥିବା ବେଳେ ଏଠାରୁ ୪୦୦ ମିଟର ଦୂରରେ ଥିବା ଥାନାକୁ ମୃତ୍ୟୁ ସଂପର୍କରେ ୬ ଘଂଟା ପରେ ଦିନ ସାଢେ ୨ଟା ବେଳେ କାହିଁକି ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ଅବଗତ କରାଯାଇଥିଲା?   (୮) ଏହି ୧୮ ଘଂଟାର ସମୟ ମଧ୍ୟରେ ଡାକ୍ତର ସିଏସ ଦେବୀ ପ୍ରସାଦ ସାହୁ, ଡାକ୍ତର ପ୍ରିୟବ୍ରତ ପଣ୍ଡା ଏବଂ ଡାକ୍ତର ଅବଦୁଲ ହମିଦ ଦାୟିତ୍ୱ ନିର୍ବାହ କରିଥିବା ବେଳେ ରୋଗୀଙ୍କ ଶଯ୍ୟା ଟିକେଟରେ ଜଣେ ବ୍ୟକ୍ତିଙ୍କର ହାତଲେଖା ଓ ଗୋଟିଏ କଲମର କାଳି ବ୍ୟବହାର ହେଲା କେମିତି?   (୯) ବଡଚଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଶବ ବ୍ୟବଛେଦ ଗୃହ ଥିବାବେଳେ କେଉଁ ଉଦ୍ଦେଶ୍ୟରେ ପୋଲିସ ମାଧ୍ୟମରେ ଶବଟିକୁ ବ୍ୟବଛେଦ ନିମନ୍ତେ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଚାଲାଣ କରାଗଲା?   ଏ ସମସ୍ତ ପ୍ରଶ୍ନରୁ ସ୍ପଷ୍ଟ ହେଉଛି ଯେ ସଂପୃକ୍ତ ଅଜଣା ମୃତକଙ୍କ ପ୍ରତି ହୋଇଥିବା ଅବହେଳା ଓ ତତ୍ଜନିତ ମୃତ୍ୟୁକୁ ଲୁଚାଇବାକୁ ଡାକ୍ତରଖାନା କର୍ତ୍ତୃପକ୍ଷ ଭରପୂର କସରତ ଆରମ୍ଭ କରି ଦେଇଛନ୍ତି, ଯାହା ଉଚ୍ଚସ୍ତରୀୟ ତଦନ୍ତ କରାଗଲେ ସ୍ପଷ୍ଟ ହୋଇଯାନ୍ତା ବୋଲି ଆଇନଜୀବୀ ଉଦୟନାଥ ସାହୁ ଦାବି କରିଛନ୍ତି। ଏବେ ବଡ ପ୍ରଶ୍ନ ଉଠୁଛି ଯେ, ଏହି ଅଜଣା ଯୁବକର ପରିଚୟଟି କ’ଣ ଏଭଳି ଏକ ଅସ୍ୱଭାବିକ ପରିସ୍ଥିତିରେ ମୃତ୍ୟୁ ହେବା ପରେ ହଜିଯିବ ନାଁ ପୋଲିସ ଓ ପ୍ରଶାସନ ତାଙ୍କ ପରିଚୟ ଓ ଠିକଣା ଖୋଜି ଲୋକଲୋଚନକୁ ଆଣିବାରେ ଉଦ୍ୟମ କରିବେ?   

Share :