‘ପ୍ରାପ୍ତି’ର ପ୍ରାପ୍ତି ପ୍ରିୟାପ୍ରୀତି!

‘ପ୍ରାପ୍ତି’ର ପ୍ରାପ୍ତି ପ୍ରିୟାପ୍ରୀତି!

Share :

  ଭଲ ବହିଟିଏ ପୁରସ୍କାର ପାଇଲା। ଏହା ହେଉଛି ସାହିତ୍ୟ ସହିତ ଜଡ଼ିତ ଅନେକ ଲୋକଙ୍କର ମତ। ତଥାପି ବିବାଦ। ପାରମିତା ଶତପଥୀଙ୍କ ‘ପ୍ରାପ୍ତି’କୁ ୨୦୧୬ ବର୍ଷ ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ମିଳିବାର ଘୋଷଣା ପରେ ବିବାଦ ଆରମ୍ଭ କରିଛନ୍ତି ଲେଖକ ଓ ପ୍ରକାଶକ ଶ୍ରୀଚରଣ ପ୍ରତାପ କନିଷ୍କ।   କନିଷ୍କ ତାଙ୍କର ଫେସବୁକ୍‌ ପୃଷ୍ଠାରେ ଉପସ୍ଥାପନ କରିଥିବା ଅଭିଯୋଗର ସତ୍ୟ କି ଅସତ୍ୟ ତାହା ସ୍ପଷ୍ଟ ନୁହେଁ। ଏକ ପିଡିଏଫ ଫାଇଲକୁ ସେ ନିଜ ପୃଷ୍ଠାରେ ଅପ୍‌ଲୋଡ଼ କରିଛନ୍ତି। ଏହି ପିଡିଏଫ ଫାଇଲରେ ଥିବା ଲେଖା କହେ ଯେ ଚଳିତ ବର୍ଷର ଚୂଡ଼ାନ୍ତ ବିଚାରକ କମିଟିର ସଦସ୍ୟ ଥିବା ରମାକାନ୍ତ ରଥଙ୍କର ଭାଣିଜିବୋହୂ ହେଉଛନ୍ତି ପାରମିତା ଶତପଥୀ। ଜଣେ ବିଚାରକ ନିଜର ଜଣେ ସଂପର୍କୀୟଙ୍କୁ ପୁରସ୍କାର ପାଇଁ ଚୟନ କରିବା ପ୍ରିୟାପ୍ରୀତି ତୋଷଣ।   ସେହିପରି ତାଙ୍କ ଅଭିଯୋଗର ଅନ୍ୟ ଏକ ବିନ୍ଦୁ ହେଲା ଏହି ବହିଟି ପୁରସ୍କାର ପାଇଁ ପ୍ରସ୍ତାବ ପଠାଇଥିବା ଭାଷା ଉପଦେଷ୍ଟା କମିଟର ସଦସ୍ୟ ବନୋଜ ତ୍ରିପାଠୀ ଏହି ବହିର ପ୍ରକାଶକ ହୋଇଥିବାରୁ ଏହା ଅନୈତିକ। ଏ ସଂପର୍କରେ ଫୌଜଦାରୀ ମାମଲା ହେବ ବୋଲି ସେ ସୂଚନା ଦେଇଛନ୍ତି।   ଫେସବୁକ୍‌ରେ ଶ୍ରୀଚରଣ ପ୍ରତାପ କନିଷ୍କକଙ୍କର ଏହି ଅପ୍‌ଡେଟ୍‌କୁ ବରିଷ୍ଠ ସାମ୍ବାଦିକ ତଥା ଆଇନଜୀବୀ ଦେବଦର୍ଶୀ ନାୟକ ଶେୟାର୍‌ କରିବା ପରେ ନଜରକୁ ଆସିଛି। ଏହା ପରେ ସାମାନ୍ୟକଥନ.କମ୍‌ ତରଫରୁ ଏହାର ସତ୍ୟାସତ୍ୟ ଜାଣିବା ପାଇଁ ଓଡ଼ିଶାର କେତେ ଜଣ ପ୍ରଗତିଶୀଳ ତଥା ପ୍ରବୀଣ ସାହିତ୍ୟିକଙ୍କ ସହିତ ଯୋଗାଯୋଗ କରାଯାଇଥିଲା।   ଏବେ କେନ୍ଦ୍ର ସାହିତ୍ୟ ଏକାଡେମୀର କାର୍ଯ୍ୟକାରୀ ସଦସ୍ୟ ଅଛନ୍ତି ବିଶିଷ୍ଟ ଗାଳ୍ପିକ ଡକ୍ଟର ଗୌରହରି ଦାସ। ତାଙ୍କ ମତ ହେଲା ଗାଳ୍ପିକା ପାରମିତା ଶତପଥୀ କବି ରମାକାନ୍ତ ରଥଙ୍କର ଭାଣିଜୀବୋହୂ କି ନୁହେଁ ତାହା ସେ ଜାଣନ୍ତି ନାହିଁ। ସେ ଖାଲି ଜାଣିଥିଲେ ଯେ ସେ ତାଙ୍କର ଦୂର ସଂପର୍କୀୟ। ଦୂର ସଂପର୍କ ଯେ ଏକ ଭଲ ବହିର ପୁରସ୍କାର ପଥରେ ଅନ୍ତରାୟ ସୃଷ୍ଟି କରିବ ଏକଥା ସେ ଜାଣନ୍ତି ନାହିଁ। ତାଙ୍କ କହିବା କଥା ହେଲା, ‘ପ୍ରାପ୍ତି’ ଏକ ଭଲ ବହି। ଏହା ଏ ବର୍ଷ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇ ନଥିଲେ ମଧ୍ୟ ଆର ବର୍ଷକୁ ପାଇଥାନ୍ତା। ଏକ ଭଲ ଓଡ଼ିଆ ବହି ପୁରସ୍କାର ପାଇଥିବାରୁ ଏହାକୁ ନେଇ ବିବାଦ ସୃଷ୍ଟି କରାଯିବା ଅନୁଚିତ ବୋଲି ଡକ୍ଟର ଦାସ ମତ ଦେଇଛନ୍ତି।   ରାଜ୍ୟର ଅନ୍ୟ ଜଣେ ପ୍ରବୀଣ ସାହିତ୍ୟିକ ତଥା ସାହିତ୍ୟ ସମାଲୋଚକ ଭାବେ ପରିଚିତ ଅସିତ ମହାନ୍ତି କହନ୍ତି, ଭାଷା ଉପଦେଷ୍ଟା କମିଟର ସଦସ୍ୟ ନିଜ ବହି କିମ୍ବା ନିଜ ପ୍ରକାଶିତ ବହିକୁ ପୁରସ୍କାର ପାଇଁ ପ୍ରସ୍ତାବ ଦେବା ଅନୈତିକ ହୋଇପାରେ। କିନ୍ତୁ ଏହା ଏକାଡେମୀ ନିୟମର ଉଲ୍ଲଙ୍ଘନ ନୁହେଁ। ଭାଷା ଉପଦେଷ୍ଟା କମିଟିର ସଦସ୍ୟମାନେ ତାଲିକା ଭିତରୁ କିମ୍ବା ବାହାରୁ ବହି ପୁରସ୍କାର ପାଇଁ ପ୍ରସ୍ତାବ ବି ଦେଇପାରିବେ। ସେହିପରି ଏହି କମିଟି ଯେଉଁ ବହି ପ୍ରସ୍ତାବ ଦେବେ ମଝିରେ ଥିବା ଏକ ଯାଞ୍ଚ କମିଟି ସେଥିରେ ଅଦଳବଦଳ କରିପାରିବ। ସେହି ମଝି କମିଟିର ସଦସ୍ୟମାନେ ମଧ୍ୟ ପ୍ରସ୍ତାବିତ ହୋଇ ନଥିବା ବହି ପୁରସ୍କାର ପାଇଁ ପ୍ରସ୍ତାବ ଦେଇପାରିବେ। ସେମାନଙ୍କ ମଧ୍ୟରୁ ଜଣକ ସହିତ ପରିଚୟ ଥିଲେ ବା ଜଣଙ୍କୁ ପ୍ରଭାବିତ କରିପାରିଲେ କୌଣସି ବହି ଚୂଡ଼ାନ୍ତ ମନୋନୟନ ସ୍ତରକୁ ଉଠିପାରିବ। ତେବେ ଚଳିତ ବର୍ଷ ଚୂଡ଼ାନ୍ତ ବିଚାରକ ମଣ୍ଣଳୀର ସଦସ୍ୟ ଥିବା ବିଶିଷ୍ଟ କବି ରମାକାନ୍ତ ରଥଙ୍କ ସହିତ ଗାଳ୍ପିକା ପାରମିତା ଶତପଥୀଙ୍କର କି ପାରିବାରିକ ବା ରକ୍ତ ସଂପର୍କ ରହିଛି ତାହା ସେ ଜାଣନ୍ତି ନାହିଁ ବୋଲି କହିଛନ୍ତି ଅସିତ ମହାନ୍ତି।   ଏ ସଂପର୍କରେ ପ୍ରଗତିଶୀଳ କବି ତଥା ସ୍ତମ୍ଭକାର କେଦାର ମିଶ୍ରଙ୍କ ମତ ହେଲା, କିଛି ଲୋକ ସବୁ କଥାରେ ବିବାଦ ସୃଷ୍ଟି କରିବାକୁ ଭଲ ପାଆନ୍ତି। ‘ପ୍ରାପ୍ତି’ର ପୁରସ୍କାର ପ୍ରାପ୍ତି ସେହିପରି ଏକ କଥା। କେଦାରଙ୍କ ମତରେ ବହିଟି ଖୁବ ଭଲ। ତା’ଛଡ଼ା ପାରମିତାଙ୍କ ବହିକୁ ପୁରସ୍କାର ଦେବାକୁ ନିଷ୍ପତ୍ତି ନେଇ କେନ୍ଦ୍ର ସାହିତ୍ୟ ଏକାଡେମୀ ଏକ ନୂଆ ଟ୍ରେଣ୍ଡ ଆରମ୍ଭ କଲା। ଏଣିକି ଯୁବ ସାହିତ୍ୟିକମାନେ ପୁରସ୍କାର ପାଇବେ ବୋଲି ଆଶା କରିବା। ପାରମିତାଙ୍କ ସ୍ବାମୀ ସୁବ୍ରତ ତ୍ରିପାଠୀ କବି ରମାକାନ୍ତଙ୍କୁ ଭଣଜା କି ପୁତୁରା ସେ ଜାଣି ନାହାନ୍ତି। ତେବେ ସେ ତାଙ୍କର ବହୁ ଦୂର ସଂପର୍କୀୟ ବୋଲି ସେ ଜାଣିଛନ୍ତି। ଏତେ ଦୂର ସଂପର୍କ ପୁରସ୍କାର କ୍ଷେତ୍ରରେ ବାଧା ସୃଷ୍ଟି କରିବ ବା ନିୟମ ଉଲ୍ଲଙ୍ଘନ କରିବାରେ କୌଣସି ଯଥାର୍ଥତା ନାହିଁ।   ସୂଚନାଯୋଗ୍ୟ ଯେ ଶ୍ରୀରାଧାର କବି ରମାକାନ୍ତ ରଥ ଏକଦା କେନ୍ଦ୍ର ସାହିତ୍ୟ ଏକାଡେମୀର ଉପସଭାପତି ଓ ସଭାପତି ମଧ୍ୟ ଥିଲେ। ସେ ଓଡ଼ିଶା ରାଜ୍ୟର ମୁଖ୍ୟ ଶାସନ ସଚିବ ପଦରେ କାର୍ଯ୍ୟ କରିଛନ୍ତି। ତାଙ୍କର ପ୍ରଶାସକ ଜୀବନରେ ସେ କେତେ ନିୟମ ଉଲ୍ଲଙ୍ଘନ କରିଛନ୍ତି ସେ ନେଇ ବିବାଦ ଉଠି ନାହିଁ। ବରଂ ତାଙ୍କୁ କାହିଁକି ଜ୍ଞାନପୀଠ ପୁରସ୍କାର ମିଳିଲା ନାହିଁ ସେନେଇ କିଛି ଦିନ ବିବାଦ ଥିଲା।

Share :