ବାଂଲାଦେଶୀ ଅନୁପ୍ରବେଶ ପଛରେ ବିଜେଡି !

ବାଂଲାଦେଶୀ ଅନୁପ୍ରବେଶ ପଛରେ ବିଜେଡି !

Share :

    ଶାସକ ବିଜୁ ଜନତା ଦଳର ପ୍ରତ୍ୟକ୍ଷ ପ୍ରୋତ୍ସାହନରେ ଓଡ଼ିଶା ବାଂଲାଦେଶୀ ଅନୁପ୍ରବେଶକାରୀଙ୍କର ଚରାଭୁଇଁରେ ପରିଣତ ହୋଇଛି ବୋଲି ଅଭିଯୋଗ କରିଛି ଭାରତୀୟ ଜନତା ପାର୍ଟି | ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ରେସନ କାର୍ଡ଼ ଦେବା ଓ ଭୋଟର ତାଲିକାରେ ସେମାନଙ୍କ ନାମ ସଂଯୋଗ କରାଇବାରେ ବିଜୁ ନତା ଦଳର ନେତାମାନେ ସହାୟତା କରୁଛନ୍ତି ବୋଲି ବିଜେପି ଅଭିଯୋଗ କରିଛି | ବାଂଲାଦେଶୀ ଅନୁପ୍ରବେଶକାରୀମାନେ ଓଡ଼ିଶାରେ ରାଜନୀତିକ ପ୍ରୋତ୍ସାହନ ଓ ସୁରକ୍ଷା ପାଉଥିବାରୁ ଓଡଶାରେ ଆତଙ୍କବାଦୀ ଗତିବିଧି ବୃଦ୍ଧି ପାଇଛି ବୋଲି ବିଜେପି ଅଭିଯୋଗ କରିଛି | ରାଜ୍ୟ ସରକାର ତୁରନ୍ତ ଏକ ସ୍ବତନ୍ତ୍ର ଅଭିଯାନ ଜରିଆରେ ସେମାନଙ୍କୁ ଠାବ କରି ଦେଶାନ୍ତର କରନ୍ତୁ ବୋଲି ବିଜେପି ରାଜ୍ୟ ସଂପାଦକ ଡଃ ଯତୀନ ମହାନ୍ତି ଦାବୀ କରିଛନ୍ତି | ଡଃ ମହାନ୍ତି କହିଛନ୍ତି ଯେ ଭୁବନେଶ୍ବରର ପାସପୋର୍ଟ କାର୍ଯ୍ୟାଳୟରେ ଜାଲ ପ୍ରମାଣପତ୍ର ଦେଇ ପାସପୋର୍ଟ ନେବାକୁ ଉଦ୍ୟମ କରୁଥିବା ଜଣେ ବାଂଲାଦେଶୀ ଯୁବକ ୨୦୧୬ ଜାନୁଆର ୧୯ ତାରିଖ ଦିନ ଧରାପଡ଼ିବା ପରେ ଏବେ ଅନେକ ଗୁରୁତ୍ବପୂର୍ଣ୍ଣ ଘଟଣା ପଦାକୁ ଆସିବାରେ ଲାଗିଛି | ଏହି ଘଟଣା ପରେ ଯାଜପୁର ବାଲିଚନ୍ଦ୍ରପୁର ନଳିପୁର ବରଜଙ୍ଗ ଗ୍ରାମ ଉପରେ କମିଶନରେଟ ପୁଲିସର ଏକ ଟିମ ଚଢ଼ଉ କରି ଆଉ ୪ ଜଣ ବାଂଲାଦେଶୀଙ୍କୁ ଅଟକ ରଖିଥିବା ବେଳେ ସେମାନେ ମଧ୍ୟ କୋଲକାତା ଦେଇ ଅନୁପ୍ରବେଶ କରିଥିବା ପୁଲିସ ଆଗରେ ପ୍ରକାଶ କରିଛନ୍ତି | ଏଥିରୁ ସ୍ପଷ୍ଟ ପ୍ରତୀୟମାନ ହେଉଛି ଯେ, ରାଜ୍ୟର ଉପକୂଳବର୍ତ୍ତି ଅଂଚଳରେ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ସଂଖ୍ୟା ଅହେତୁକ ମାତ୍ରାରେ ବୃଦ୍ଧି ପାଉଛି | ଓଡ଼ିଶା ଆତଙ୍କବାଦୀଙ୍କ ଟାର୍ଗେଟରେ ଥିବା ନିକଟ ଅତୀତର ଗୋଟିଏ ପରେ ଗୋଟିଏ ଘଟଣାରୁ ଆଶଙ୍କା ବଢୁଛି | ରାଜ୍ୟ ସରକାରଙ୍କ କୋହଳ ନୀତି ଯୋଗୁଁ ଏହି ଅନୁପ୍ରବେଶକାରୀମାନେ ଫଟୋ ଦାଖଲ କରି ସହଜରେ ଭୋଟ ପରିଚୟପତ୍ର ପାଉଛନ୍ତି ଓ ତାହାକୁ ମାଧ୍ୟମ କରି ଆଧାର କାର୍ଡ଼ଡ ତଥା ଅନ୍ୟାନ୍ୟ ପରିଚୟପତ୍ର ପ୍ରସ୍ତୁତ କରି ନିଜକୁ ଭାରତୀୟ ଭାବେ ପ୍ରମାଣ କରୁଛନ୍ତି | ଏମାନେ ଓଡ଼ିଶା ଆସି ପ୍ରଥମେ ଛୋଟଛୋଟ ବ୍ୟବସାୟ କରି କିଛି ଦିନ ରହିଲା ପରେ ଦଲାଲଙ୍କ ଜରିଆରେ ଜାଲି ପାସପୋର୍ଟ ହାସଲ କରି ଭାରତ ବାହାରକୁ ଯାଇଥାଆନ୍ତି | ଏହି ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ପଛରେ କେଉଁମାନଙ୍କର ପ୍ରଚ୍ଛନ୍ନ ହାତ ରହିଛି ସେ ଦିଗରେ ମଧ୍ୟ ତଦନ୍ତ ଦାବି କରିଛି ବିଜେପି | ଓଡ଼ିଶା ଦେଇ ବିଦେଶ ଯିବା ପାଇଁ ଏମାନଙ୍କୁ କିଏ ସହଯୋଗ କରୁଛି? କିପରି ସେମାନେ ବିଭିନ୍ନ ପ୍ରକାର ପରିଚୟ ପତ୍ର ହାସଲ କରୁଛନ୍ତି? ରାକେଟଙ୍କ ଜରିଆରେ ୫ ହଜାର ଟଙ୍କାରେ ଏଠି କିପରି ପାସପୋର୍ଟ ମିଳୁଛି ? ପାସ୍ପୋର୍ଟ ହାସଲ ପାଇଁ ସ୍ଥାନୀୟ ଥାନା କିପରି କ୍ଲିୟରାନ୍ସ ଦେଉଛି ସେ ବିଷୟରେ ବିଧିବଦ୍ଧ ତଦନ୍ତ କରିବାକୁ ମଧ୍ୟ ବିଜେପି ପକ୍ଷରୁ ଦାବି କରାଯାଇଛି | ଏହି ଅନୁପ୍ରବେଶକାରୀଙ୍କ ସଂଖ୍ୟା ରେକର୍ଡ଼ ମୁତାବକ ୪ ହଜାର ହୋଇଥିବା ବେଳେ ଏହା ୫୦ ହଜାରରୁ ଅଧିକ ଓ ସେମାନେ ସମଗ୍ର ରାଜ୍ୟରେ ଦିନକୁ ଦିନ ଆଧିପତ୍ୟ ବିସ୍ତାର କରି ଚାଲିଥିବା ଜଣାପଡ଼ିଛି | ସେମାନେ ବିଭିନ୍ନ ଅସାମାଜିକ କାର୍ଯ୍ୟ, ଚୋରୀ, ଡକାୟତି, ଲୁଟତରାଜ, ରାହାଜାନୀ ପ୍ରଭୃତିରେ ଲିପ୍ତ ରହି ଆଇନ ଶୃଙ୍ଖଳା ବ୍ୟବସ୍ଥା ପ୍ରତି ବିପଦ ସାଜିଛନ୍ତି | ବର୍ତମାନ କେନ୍ଦ୍ର ସରକାରଙ୍କ ନୂତନ ରେସନ କାର୍ଡ଼ ନିୟମ ଅନୁସାରେ ସାଧାରଣ ଲୋକଟିଏ ରେସନ କାର୍ଡ଼ ପାଇଁ କାଠିକର ବ୍ୟାପାର ହୋଇଥିବା ବେଳେ ଏହି ଅନୁପ୍ରବେଶକାରୀମାନେ ସହଜରେ ରାଜନୈତିକ ସହଯୋଗ ପାଇ ରେସନ କାର୍ଡ଼ ପାଇ ଯାଉଛନ୍ତି | ଓଡ଼ିଶାର ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂପୁର, ଯାଜପୁର, ଖୋର୍ଦ୍ଧା, କଟକ, ପୁରୀ ଜିଲାମାନଙ୍କରେ ବାଂଲାଦେଶୀମାନେ ନିଜ ନିଜର ବସତି ସ୍ଥାପନ କରି ସରକାରୀ ପ୍ରୋତ୍ସାହନ ପାଇବାକୁ ଶାସକ ଦଳର କୁଜିନେତାମାନଙ୍କର ସହଯୋଗ ନେଉଛନ୍ତି  ଓ ଏଥିରେ ସଫଳ ହେଉଛନ୍ତି ବୋଲ ମହାନ୍ତି କହିଛନ୍ତି | ରାଜ୍ୟ ସରକାର ଏ ଦିଗରେ ଆଦୌ ସଚେତନ ନୁହନ୍ତି | ତୁରନ୍ତ ଏହି ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରିବା ସହିତ ସେମାନଙ୍କ ବିରୋଧରେ ଦୃଢ ଆଇନଗତ କାର୍ଯ୍ୟାନୁଷ୍ଠାନ କରିବା ପାଇଁ ବିଜେପି ପକ୍ଷରୁ ଦାବି କରାଯାଇଛି | କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତରଫରୁ ମିଳିତ ଭାବେ ଯେଉଁ ରେସନ କାର୍ଡ଼ ବଂଟନ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି ସେଥିରୁ ସେମାନଙ୍କୁ ବାଦ ଦେବା ପାଇଁ ଡଃ ମହାନ୍ତି ଦାବି କରିଛନ୍ତି |

Share :