ଲୋକେ ବେଶିଦିନ ସହିବେ ନାହିଁ!

ଲୋକେ ବେଶିଦିନ ସହିବେ ନାହିଁ!

Share :

ପ୍ରଫୁଲ୍ଲ ଚନ୍ଦ୍ର ଘଡ଼ାଇ, ପୂର୍ବତନ ମନ୍ତ୍ରୀ   ଦେଶରୁ କଳାଧନ, ଭ୍ରଷ୍ଟାଚାର, ଦୁର୍ନୀତି ଏବଂ ସନ୍ତ୍ରାସବାଦ ଓ ନକ୍ସଲବାଦକୁ ହଟାଇବା ପାଇଁ ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନଭେମ୍ୱର ୮ ତାରିଖ ଦିନ ବିମୁଦ୍ରୀକରଣ ନୀତି ଘୋଷଣା କଲେ ଏବଂ  ସେହିଦିନ ମଧ୍ୟରାତ୍ରରୁ ପାଖାପାଖି ୧୫ ଲକ୍ଷ ୪୪ ହଜାର କୋଟି ମୂଲ୍ୟର ୫୦୦ ଏବଂ ୧୦୦୦ ଟଙ୍କିଆ ନୋଟର ପ୍ରଚଳନକୁ ବନ୍ଦ କଲେ। ସ୍ୱାଧୀନୋତ୍ତର ଭାରତ ବର୍ଷରେ ସ୍ଥାଣୁ ଅର୍ଥନୈତିକ ବ୍ୟବସ୍ଥାକୁ ସଜାଡ଼ିବା ପାଇଁ ଏହା ଏକ ସାହସିକ ପଦକ୍ଷେପ। କିନ୍ତୁ ବିମୁଦ୍ରାକରଣ ପରେ ବର୍ତ୍ତମାନ ସବୁବର୍ଗର ଲୋକ ବିଭିନ୍ନ ପ୍ରକାର ଅସୁବିଧାର ସମ୍ମୁଖୀନ ହେଲେଣି। ବିମୁଦ୍ରାକରଣର ୪୦ ଦିନ ଅତିବାହିତ ହୋଇଥିଲେ ମଧ୍ୟ ୫୦ ପ୍ରତିଶତ ଏଟିଏମ‌୍‍ ଚଳନକ୍ଷମ ହୋଇ ପାରିଲା ନାହିଁ।   ଓଡ଼ିଶାରେ ମୁଦ୍ରା ଯୋଗାଣରେ କିଛି ଉନ୍ନତି ହୋଇଥିଲେ ମଧ୍ୟ ଅନ୍ୟାନ୍ୟ ରାଜ୍ୟରେ ବ୍ୟାଙ୍କ ଏବଂ ଏଟିଏମ‌୍‍ ଗୁଡ଼ିକ ସମ୍ମୁଖରେ ଲମ୍ୱା ଧାଡ଼ି ଲାଗି ରହିଛି। ବ୍ୟାଙ୍କ ଏବଂ ଏଟିଏମ‌୍‍ ଗୁଡ଼ିକରେ ଆବଶ୍ୟକ ପରିମାଣ ନୋଟ୍‌ ନଥିବାରୁ ଘଣ୍ଟା ଘଣ୍ଟା ଧରି ଧାଡ଼ିରେ ଛିଡ଼ା ହୋଇଥିିବା ଲୋକଟି ଟଙ୍କା ଉଠାଇବାରୁ ବଂଚିତ ହେଉଛି। ଚାଷୀ ତା’ର ଉତ୍ପାଦିତ ଦ୍ରବ୍ୟକୁ ବିକ୍ରି କରିପାରୁ ନାହିଁ। ଯଦିବା ବିକ୍ରି କରୁଛି କମ‌୍‍ ଦାମରେ ବିକ୍ରି କରିବାକୁ ବାଧ୍ୟ ହେଉଛି। କେତେକ କ୍ଷେତ୍ରରେ କିଣିବା ଲୋକଠାରୁ ଚେକ‌୍‍ ଆଣିଲେ ତାକୁ ସହଜରେ ବ୍ୟାଙ୍କରୁ ଉଠାଇ ପାରୁନାହିଁ। ବିହନ କିଣିବା ପାଇଁ ମଧ୍ୟ ଚାଷୀ ଅସୁବିଧାର ସମ୍ମୁଖୀନ ହେଉଛି। ନଗଦ ଅର୍ଥ ଅଭାବରୁ ଶ୍ରମିକକୁ କାମ ମିଳିବାରେ ଅସୁବିଧା ହେଉଛି। ଫଳରେ ଶିଳ୍ପ, କାରଖାନା, ଖଣି ଖାଦନରେ ଉତ୍ପାଦନ ହ୍ରାସ ପାଇବାରେ ଲାଗିଛି। ଅର୍ଥ ଅଭାବରୁ ହଜାର ହଜାର ସଂଖ୍ୟାରେ ଟ୍ରକ ଓ ବାଣିଜ୍ୟିକ ଯାନ ଛିଡ଼ା ହୋଇଛନ୍ତି। ସର୍ବୋପରି ବିମୁଦ୍ରାକରଣ ଯୋଗୁଁ ମୋଟ ଘରୋଇ ଉତ୍ପାଦ ବା ଜିଡ଼ିପି ୭.୬ ପ୍ରତିଶତରୁ ୬.୮ ପ୍ରତିଶତକୁ ଖସି ଆସିଲାଣି।    ଅନ୍ୟ ପକ୍ଷରେ କୋଟି କୋଟି ଟଙ୍କାର ନୂଆ ନୋଟ ଦେଶର ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳୁଛି। ବ୍ୟାଙ୍କ କର୍ମଚାରୀ ଏବଂ ଅସାଧୁ ବ୍ୟବସାୟୀ ଧରା ପଡୁଛନ୍ତି। ଏହା କିପରି ସମ୍ଭବ ହେଉଛି। ବୁଝାଯାଉଛି ଯେପରି କିଛି ବ୍ୟାଙ୍କ ପ୍ରଧାନମନ୍ତ୍ରୀଙ୍କ ଏହି ଯୋଜନାକୁ ବିଫଳ କରିବାକୁ ଚାହୁଁଛନ୍ତି? ବିମୁଦ୍ରାକରଣ ଘୋଷଣା ବେଳେ ଯେଉଁମାନେ ଏହାକୁ ସ୍ୱାଗତ କରୁଥିଲେ ବର୍ତ୍ତମାନ ଏହାର ଶିଥିଳ କାର୍ଯ୍ୟକାରୀତା ଦେଖି ଦୁଃଖ ପ୍ରକାଶ କରି କହୁଛନ୍ତି, Demonitisation is laudable, but its implementation is deplorable. ତେଣୁ ବିମୁଦ୍ରା କରଣକୁ ଖାଲି ଘୋଷଣା କରିଦେଲେ ହେବନାହିଁ। ଏଥିପାଇଁ ଉପୁଜୁଥିବା ସମସ୍ୟାର ତ୍ୱରିତ ସମାଧାନ ହେବା ଉଚିତ‌୍‍। ବିମୁଦ୍ରାକରଣ ଯୋଗୁଁ ଯେଭଳି ସାଧାରଣ ଲୋକଟିଏ ବିଶେଷ ଅସୁବିଧାର ସମ୍ମୁଖୀନ ନ ହୋଇପାରିବ ସେଥିପ୍ରତି ଧ୍ୟାନ ଦେବା ଉଚିତ‌୍‍। କାରଣ କଳାଧନ ଜମାକାରୀ, ଭ୍ରଷ୍ଟାଚାରୀ, ଦୁର୍ନିତୀଖୋର, ସନ୍ତ୍ରାସବାଦୀଙ୍କୁ ଶାସନ କରିବା ପାଇଁ କେନ୍ଦ୍ର ସରକାର ଉଠାଇ ଥିବା ଏହି ପଦକ୍ଷେପ ପାଇଁ ସାଧାରଣ ଜନତା ହୁଏତ କିଛିଦିନ ପାଇଁ କଷ୍ଟ ସ୍ୱୀକାର କରିପାରେ, ମାତ୍ର ବାରମ୍ୱାର କଷ୍ଟ ସହିବାକୁ କେହି ପସନ୍ଦ କରିବେ ନାହିଁ। ତେଣୁ ସରକାର ସାଧାରଣ ଲୋକଙ୍କ ସମସ୍ୟାର ସମାଧାନ କରିବା ପାଇଁ ଅଧିକ ସଂଖ୍ୟକ ବ୍ୟାଙ୍କ, ଏଟିଏମ‌୍‍, ପେଟିଏମ‌୍‍ ବିଶେଷ କରି ଗ୍ରାମାଞ୍ଚଳରେ ଯଥାଶୀଘ୍ର ଖୋଲିବା ଆବଶ୍ୟକ।   ଦେଶର ଦୁର୍ନୀତି ବଢ଼ିବାର ଅନ୍ୟ ଏକ କାରଣ ହେଉଛି ନିର୍ବାଚନ ସମୟରେ ହେଉଥିବା ଅତ୍ୟଧିକ ଖର୍ଚ୍ଚ। ତେଣୁ ନିର୍ବାଚନରେ ହେଉଥିବା ଖର୍ଚ୍ଚରେ ରୋକ ନ ଲଗାଇଲେ ଏବଂ ନିର୍ବାଚନ ପାଣ୍ଠି ଦେବାରେ ରୋକ ନ ଲଗାଇଲେ ଦେଶରୁ ଦୁର୍ନୀତି ହଟିବା ଅସମ୍ଭବ। ଏଥିପାଇଁ ସରକାର ଲୋକ ପ୍ରତିନିଧି ଆଇନରେ ସଂଶୋଧନ ଆଣି ନିର୍ବାଚନ ଖର୍ଚ୍ଚ ହ୍ରାସ ପାଇଁ ପଦେକ୍ଷପ ନେବା ଉଚିତ। ଯାହା ଉପରେ ନିର୍ବାଚନ କମିଶନର ଟିପ୍ପଣୀ ରଖି ସାରିଲେଣି।   ବିମୁଦ୍ରାକରଣ ଯୋଜନା ଫଳରେ ବ୍ୟାଙ୍କିଙ୍ଗ‌୍‍ ବ୍ୟବସ୍ଥାରେ ବାହାରେ ଘୂରି ବୁଲୁଥିବା ୬ ଲକ୍ଷ କୋଟି ଟଙ୍କାର ସମାନ୍ତରାଳ ଅର୍ଥନୀତି କେତେ ଭାଙ୍ଗିବ, କେତେ ପରିମାଣରେ ଦୁର୍ନୀତି ହଟିବ,  ଦେଶର ଅର୍ଥନୀତିରେ କି ପ୍ରକାର ଚମକ ଆସିବ, ସାଧାରଣ ଲୋକର କେଉଁ ପ୍ରକାର ଉପକାର ପାଇବେ ତାହା ତ ସମୟ କହିବ। କିନ୍ତୁ ଏଥିପାଇଁ ଉପୁଜୁଥିବା ସାଂପ୍ରତିକ ପରିସ୍ଥିତିର ତ୍ୱରିତ ସମାଧାନ ନକଲେ ସରକାର ସାଧାରଣ ଜନତାଙ୍କ ରୋଷର ଶିକାର ହେବେ। ଯେଉଁଥିପାଇଁ ଅତିତରେ ଦେଶରେ ପ୍ରଚଳିତ ହୋଇଥିବା ଆଂଶିକ ବିମୁଦ୍ରିକରଣ ବିଫଳ ହୋଇଛି।   ପ୍ଲଟ ନଂ-୪୫୧, ନୟାପଲ୍ଲୀ, ଭୁବନେଶ୍ୱର - ୧୨ ମୋ : ୯୪୩୭୦୨୭୨୨୩

Share :