ଖିଆଲୀ ରାଜା ଓ ଭାଟ ପାରିଷଦ

ଖିଆଲୀ ରାଜା ଓ ଭାଟ ପାରିଷଦ

Share :

ବିଶ୍ୱଭୂଷଣ ହରିଚନ୍ଦନ, ପୂର୍ବତନ ମନ୍ତ୍ରୀ                 ସେତେବେଳେ ଗୋଟାଏ ବଡ ଅଘଟଣ ଘଟିଥିଲା। ସାରା ରାଜ୍ୟରେ ଚହଳ ପଡିଯାଇଥାଏ। ଆମ ଲୋକପ୍ରିୟ ରାଜାଙ୍କୁ ଗାଦୀ ଛାଡିଦେବାକୁ ବିରୋଧୀ ଦଳିଆ ଖୁବ‌୍‍ ରଡି ଛାଡୁଥାନ୍ତି। କ’ଣ ନା ନୈତିକତା ଦୃଷ୍ଟିରୁ ସେ ତୁରନ୍ତ ଗାଦୀ ଛାଡନ୍ତୁ। ଏ କଥାଟା ଆମ ଶାସକ ଦଳିଆଙ୍କର ମୋଟେ ହଜମ ହେଉ ନଥାଏ। ସେମାନେ ରାଗିଯାଇ ବିରୋଧୀଙ୍କ ଉପରେ ଦାନ୍ତ କଡମଡ କରୁଥାଆନ୍ତି। ଆଚ୍ଛା, ସେ ତ ଗାଦୀ ଛାଡିବେ, ଆଉ ସେ ଗାଦୀରେ ପୁଣି ବସିବ କିଏ? ରାଜ୍ୟସାରା ବୁଲି ଆସିଲ, ତାଙ୍କ ଭଳି ଯୋଗ୍ୟ ଆଉ କରିତ‌୍‍କର୍ମା ମଣିଷଟିଏ କୋଉଠି ପାଇବ?   ହଁ, ଆଉ କ’ଣ ସେଇଟା କହୁଛନ୍ତିଟି, ନୈତିକତା। ଆରେ ବାବୁ ତା ଅର୍ଥ କ’ଣ? କିଏ ନାଇଁ କିଏ ଦୋଷ କରିବେ, ରଜାଙ୍କ ମୁଣ୍ଡରେ ଦୋଷ ବୋଳା ହେବ କାହିଁକି? ତମ ନୈତିକତା ଝୁଙ୍କ ପାଇଁ ପରା ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ବଳି ପକାଗଲା। ସେତିକିରେ କ’ଣ ତମ ମନ ଶାନ୍ତ ହୋଇନି! ଅନ୍ୟ ମନ୍ତ୍ରୀମାନଙ୍କ ଭଳି କ’ଣ ରଜାଙ୍କୁ ନୈତିକତା କଥାଟା ଲାଗୁହେବ! ହସ୍ପିଟାଲଟାରେ ନିଆଁ ଲାଗିଗଲା, ୨୫ ଜଣ ରୋଗୀ ମରିଗଲେ। ଲୋକଗୁଡାକ ବଡ ଛଟପଟ ହୋଇ ମରିଥିବେ। କେତେଗୁଡିଏ ପରିବାର ଉଜୁଡି ଗଲା। ଆମକୁ କ’ଣ କମ‌୍‍ ଦୁଃଖ ଲାଗିଛି! ହେଲେ ଆମ ରଜା ସେଥିପାଇଁ ଦାୟୀ ହେବେ କିପରି? ସେ କ’ଣ ଯାଇ ହସ୍ପିଟାଲରେ ନିଆଁ ଲଗାଇଦେଲେ!   ଆଉ ସେ ପ୍ରଧାନମନ୍ତ୍ରୀଟା, ତାକୁ କ’ଣ ଦିନରାତି ନିଦ ହେଉନାହିଁକି? ସାରା ଦେଶଟା ପଡିଛି, ଆମ ରାଜ୍ୟ ଉପରେ କାହିଁକି ଇମିତି ନଜର ପକାଉଛନ୍ତି! ଆମ ରାଜ୍ୟର ରାଜଧାନୀର ଏତେ ହସ୍ପିଟାଲ ଭିତରୁ ଗୋଟାକରେ ନିଆଁଲାଗିଲା, ତାଙ୍କ ପାଖରେ ଏ ଖବର ପହଞ୍ଚିଲା କିପରି? ଟେଲିଫୋନ‌୍‍ କରିକି ଆମ ରାଜାଙ୍କ ନିଦ ଭାଙ୍ଗିଦେଲେ। କାହାର ନିଦ ଭାଙ୍ଗିବା ମହାପାପ ବୋଲି ସେ କ’ଣ ଜାଣିନାହାନ୍ତି! କହିଲେ କ’ଣ ନା ଆମ ରାଜଧାନୀରେ ଏଡେବଡ ଅଗ୍ନିକାଣ୍ଡ ଘଟିଥିବାରୁ ସେ ଦୁଃଖିତ। ଯେକୌଣସି ସାହାଯ୍ୟ ଦରକାର ପଡିବ, ସେ ତୁରନ୍ତ ଯୋଗାଇଦେବେ। ନିଦ ଜରଜର ହୋଇ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇ, ରଜା ତୁରନ୍ତ ପାଟିକରି ଡାକିଲେ, ରକ୍ଷୀ! ରକ୍ଷୀ! କ’ଣ ହୋଇଛି? କୋଉ ହସ୍ପିଟାଲରେ ନିଆଁ ଲାଗିଗଲା? ମୋତେ କାହିଁକି ଉଠାଇଲ ନାହିଁ? ପ୍ରଧାନମନ୍ତ୍ରୀଙ୍କଠୁ ମୋ ରାଜ୍ୟର ଏ ଭଳି ଦୁର୍ଘଟଣା କଥା ଶୁଣିବା କେଡେ ଖରାପ କଥା!   ବିଚରା ରକ୍ଷୀ ସିପାହୀଟି ଥରି ଥରି କହିଲା, ଛାମୁ ନିଘୋଡ ନିଦରେ ଶୋଇପଡିଥିଲେ। ସେଥିପାଇଁ ମଣିମାଙ୍କୁ ଉଠାଇବାକୁ ମୋର ସାହସ ହେଲାନାହିଁ। ରକ୍ଷୀ ବିଚରା ମନକୁ ମନ କହୁଥାଏ, ରଜାଙ୍କୁ ନିଦରୁ ଉଠାଇଥିଲେ ସେ କ’ଣ ତା ମୁଣ୍ଡ ରଖିଥାନ୍ତେ! ତାକୁ ତୁରନ୍ତ ଚାକିରୀରୁ ବରଖାସ୍ତ କରିବାକୁ ହୁକୁମ‌୍‍ ଦେଇଥାନ୍ତେ। ସେ ଯାହାହେଉ, ପ୍ରଧାନମନ୍ତ୍ରୀଙ୍କ ଆଡୁ ଯେତେବେଳେ ଖବର ଆସିଲାଣି, ରଜା ଆଉ ଶୋଇପାରୁଛନ୍ତି ନା ରହିପାରୁଛନ୍ତି! ଏଡେବଡ ସୁନ୍ଦର ନିଦଟା ଏ ପ୍ରଧାନମନ୍ତ୍ରୀ ଭାଙ୍ଗିଦେଲେ! ପୁଣି ଶୋଇପଡିବାକୁ ଭାରି ଇଚ୍ଛା ହେଉଥିଲେ ବି ଶୋଇ ହେଉନାହିଁ। ଏ କଥା ଯଦି ଏ ଚଣ୍ଡାଳ ବିରୋଧୀ ଦଳିଆ, ଆଉ ଗଣମାଧ୍ୟମବାଲା ଜାଣିଯିବେ, ତୁଚ୍ଛାରେ ହଲାପଟା କରିବେ। ପ୍ରଧାନମନ୍ତ୍ରୀଙ୍କଠାରୁ ଖବର ପାଇ ସୁଦ୍ଧା ମୁଁ କେମିତି ଶୋଇ ପଡିଲି ବୋଲି ମୋ ଉପରକୁ ଝାମ୍ପିପଡିବେ। ନା ସେ ଯାଗାକୁ ଯିବାକୁ ହେବ। ରଜା ତାଙ୍କର ପାତ୍ରମନ୍ତ୍ରୀ ଓ କର୍ମଚାରୀମାନଙ୍କୁ ଖବର ଦେଲେ ଓ ରାତି ଡେରି ହୋଇଯାଇଥିଲେ ସୁଦ୍ଧା ଡାକ୍ତରଖାନାକୁ ଯାଇ ସବୁ ଦେଖି ଫେରିଆସିଲେ। ଅସମୟରେ ନିଦ ଭାଙ୍ଗିଥିବାରୁ ସମସ୍ତଙ୍କ ଉପରେ ଖାଲି ରାଗରେ ବିରିବିରି ହେଉଥାନ୍ତି। ଉଆସକୁ ଫେରି ପଲଙ୍କ ଉପରେ ପଡୁ ପଡୁ ରାଜା ପୁଣି ନିଘୋଡ ନିଦରେ ଶୋଇପଡିଲେ।   ସକାଳୁ ରାଜାଙ୍କ ପହଡ ଭାଙ୍ଗିଲା ବେଳକୁ ବହୁତ ଡେରି ହୋଇଗଲା। ସହଜେ ତ ରଜାଲୋକ, ତା ଛଡା ଏତେ ରାତିରେ ଉଠି ନିଆଁ ଲାଗିଥିବା ହସ୍ପିଟାଲକୁ ପୁଣି ତାଙ୍କୁ ଯିବାକୁ ପଡିଲା। ବାହାରେ କଥାବାର୍ତ୍ତା ଓ ପାଟିତୁଣ୍ଡ ଶୁଣି ରଜା ବିଗିଡିକରି କିଏ ସବୁ ପାଟିକରୁଛନ୍ତି ବୋଲି ପଚାରିଲେ। କର୍ମଚାରୀ ଜଣକ କହିଲା ଯେ ପ୍ରେସବାଲାମାନେ ଆସି ଭିଡ ଜମାଇଛନ୍ତି ଓ ହଜୁର କେତେବେଳେ ବାହାରକୁ ଯିବେ ବୋଲି ବାରମ୍ୱାର ପଚାରୁଛନ୍ତି। ଏ କଥା ଶୁଣି ରଜାଙ୍କର ରାଗ ପଞ୍ଚମକୁ ଉଠିଗଲା। ରାଗିକରି କହିଲେ, ଏଗୁଡାଙ୍କର ଆଉ କିଛି କାମ ନାହିଁକି? ଯାଅ ସେମାନଙ୍କୁ କହିଦିଅ ଏବେ ଦେଖାହୋଇ ପାରିବ ନାହିଁ।   ପୁଣି ମନେ ମନେ ଭାବିଲେ ଏମାନଙ୍କୁ ବିଗାଡିଦେଲେ ଭାରି ଅସୁବିଧା ହୋଇଯିବ। ରାଜ୍ୟରେ କୌଣସି କାମ ହେଉ ବା ନ ହେଉ, ଏଇମାନଙ୍କୁ ଧରି ରାଜ୍ୟର ବିକାଶ ଖୁବ‌୍‍ ଦ୍ରୁତ ଗତିରେ ଚାଲିଛି ବୋଲି ତ ସେ ପ୍ରଚାର କରି ଚାଲିଛନ୍ତି। ତା ପରେ ରଜାଙ୍କର ମୁହଁର ଭାବ ପୁରାପୁରି ଭାବରେ ବଦଳିଗଲା। ସାମ୍ୱାଦିକମାନଙ୍କୁ ଅପେକ୍ଷା କରିବାକୁ ବ୍ୟକ୍ତିଗତ ସହାୟଙ୍କକୁ କହିଲେ। ଦଶ ମିନିଟ‌୍‍ ଭିତରେ ପ୍ରସ୍ତୁତ ହୋଇ ପ୍ରକୋଷ୍ଠରୁ ବାହାରି ଆସିଲେ ରାଜା। ମୁହଁ ଶୁଖାଇ ପ୍ରେସ ଓ କ୍ୟାମେରା ଆଗଲେ କହିଲେ, ପ୍ପଗତକାଲି ହସ୍ପିଟାଲରେ ନିଆଁଲାଗି ଏତେଗୁଡିଏ ନିରୀହ ରୋଗୀଙ୍କ ମୃତ୍ୟୁ ହୋଇଥିବା ବଡ ଦୁଃଖଦାୟକ। ଏଥିପାଇଁ ଯେଉଁମାନେ ଦାୟୀ ସେମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।   ଏତିକି କହି ସାମ୍ୱାଦିକମାନଙ୍କର ଅନ୍ୟ କୌଣସି ପ୍ରଶ୍ନର ଉତ୍ତର ନ ଦେଇ ରଜା ଭିତରକୁ ଚାଲିଗଲେ।   ମନ୍ତ୍ରୀ ଓ ପାରିଷଦମାନେ ଜଣ ଜଣ ହୋଇ ଆସି ପହଞ୍ଚିଗଲେଣି। ହସ୍ପିଟାଲ ପୋଡି ଭଳି ଏତେବଡ ଦର୍ଘଟଣା ଯେତେବେଳେ ଘଟିଛି ରାଜା ନିଶ୍ଚେ ଭାରି ବିଚଳିତ ହୋଇ ପଡିଥିବେ। ଏ ବିପଦ ସମୟରେ ତାଙ୍କ ପାଖରେ ପହଞ୍ଚି ଦି ପଦ ତୋଷାମୋଦିଆ କଥା କହିଦେଲେ ସେ ବହୁତ ଖୁସି ହୋଇଯିବେ ଭାବି ସେମାନେ ଆସିଥିଲେ। ଅନ୍ଦର ମହଲ ଦାଇତ୍ୱରେ ଥିବା ରକ୍ଷୀ ପାଖକୁ ଯାଇ ରାଜା କେତେବେଳେ ପୁଣି ବାହାରକୁ ଆସିବେ ବୋଲି ପଚାରିଲେ। ଜଣେ କୁହାଳିଆ ପାରିଷଦ ଆଗକୁ ମାଡିଆସି,ସେମାନେ ସବୁ ଆସିଛନ୍ତି ବୋଲି ରଜାଙ୍କୁ ଜଣାଇଦେବାକୁ କହିଲେ। ରକ୍ଷୀଜଣଙ୍କ ସାମାନ୍ୟ ହସି କହିଲା, ଆପଣ ତ ମଣିମାଙ୍କର ପାଖ ଲୋକ। ଦରଜା ଠେଲି ଭିତରକୁ ଯାଉନାହାନ୍ତି, ଆପଣଙ୍କୁ ଦେଖି ରଜା ବହୁତ ଖୁସି ହୋଇଯିବେ।   ପାରିଷଦ ମହୋଦୟ କହିଲେ, ଆଚ୍ଛା ଏମିତି କଥା! ଠିକ‌୍‍ଅଛି। ମୁଁ ତେବେ ଚାଲିଲି, କହି ଆଗକୁ ପାଦ ବଢାନ୍ତେ ଅନ୍ୟ ରକ୍ଷୀଜଣକ କହିଲା, ବାବୁ ଆପଣଙ୍କ ବେଳା ଆଜି ଭଲ ନାହିଁ କି? ୟା କଥା ଶୁଣି ଆପଣ ଭିତରକୁ ଯାଉଛନ୍ତି ଯେ ସେଠି ଯୋଉ ବର୍ଷଣ ହେବ ସହି ପାରିବେ ତ! ରାଜା ସାହେବ‌୍‍ଙ୍କ ମୁଡ‌୍‍ ମୋଟେ ଭଲନାହିଁ।   ପାରିଷଦ ଜଣକ ଆଉ ଆଗକୁ ଯିବେ କଣ, ଧଡକରି ସେଠାରେ ଠିଆହୋଇଗଲେ ଓ ରକ୍ଷୀଜଣକୁ ତାଙ୍କୁ ସତର୍କ କରିଦେଇଥିବାରୁ ସାବାସି ଜଣାଇଲେ। ସବୁ ମନ୍ତ୍ରୀ ଓ ପାରିଷଦମାନେ ଆସି ଲନ‌୍‍ରେ ବସି ଗପସପ କରିବାକୁ ଲାଗିଲେ। ଠିକ‌୍‍ ସେହି ସମୟରେ ଭିତର ଦରଜା ଖୋଲିବା ଦେଖି ସମସ୍ତେ ସେଠାକୁ ଦଉଡିଲେ ଓ ଠିଆ ହୋଇଥିବା ରକ୍ଷୀକୁ ଆମେ ଏବେ ଭିତରକୁ ଯିବୁକି ବୋଲି ପଚାରିଲେ। ରକ୍ଷୀ ମୁଣ୍ଡ ଟୁଙ୍ଗାରି ତାର ସମ୍ମତି ଜଣାଇଲା। ଏମାନେ ସବୁ ଅତି ସନ୍ତର୍ପଣରେ ଭିତରକୁ ଯାଇ ରାଜାଙ୍କୁ ଭେଟି ପ୍ରଣାମ କଲେ ଓ ତାଙ୍କ ଇସାରାରେ ସେଠାରେ ପଡିଥିବା ଚଉକିଗୁଡିକରେ ବସିଲେ।   ହସ୍ପିଟାଲରେ ନିଆଁଲାଗି ଏତେବଡ ଦୁର୍ଘଟଣା କେମିତି ଘଟିଗଲା, ମନ୍ତ୍ରୀ ଆଉ ପାରିଷଦମାନେ ସବୁ ସେଠାକୁ ଯାଇଥିଲେ ନା ନାହିଁ ବୋଲି ରାଜା ପଚାରିଲେ। ସେମାନେ ସମସ୍ତେ ଦୁର୍ଘଟଣା ସ୍ଥଳକୁ ଯାଇଥିବା କଥା କହିବାରୁ ରାଜା ସମସ୍ତଙ୍କ ମୁହଁକୁ ନିରିଖିକରି ଚାହିଁଲେ। ରାଜା ସେମାନଙ୍କୁ କାହାକୁ ସେଠାରେ ଦେଖି ନ ଥିବା କଥା କହିବାରେ ସମସ୍ତେ ପ୍ରମାଦ ଗଣିଲେ। ମିଛ କହିଥିବାରୁ, ଧରାପଡିଯିବା ଭୟରେ ସେମାନଙ୍କର ଛାତି ସେତେବେଳକୁ ଧଡ ଧଡ ହେଲାଣି। ଜଣେ ଚତୁର ପାରିଷଦ ଆଗକୁ ବାହାରି ଆସି କାନ କୁଣ୍ଡାଇ କୁଣ୍ଡାଇ କହିଲେ, ଛାମୁ ଆପଣଙ୍କ ଗାଡି ସେତେବେଳକୁ ଫେରୁଥିଲା। ସେଥିପାଇଁ ଆପଣ ଆମମାନଙ୍କୁ ଦେଖିପାରିଲେ ନାହିଁ। ହେଲେ ଆମେ ସେଠାରେ ବହୁତ ସମୟ ରହି ଲୋକଙ୍କର ଭଲମନ୍ଦ ବୁଝିଲୁ। ସେମାନଙ୍କୁ ବୁଝା ଶୁଝା କଲୁ। ଛାମୁଙ୍କ ମନରେ ଲୋକଙ୍କ ପ୍ରତି ସେତିକି ଦରଦ ରହିଛି ବୋଲି ସେ ନିଦରୁ ଉଠି ଦୁର୍ଘଟଣା ସ୍ଥଳକୁ କେମିତି ଏତେ ରାତିରେ ଦଉଡିଆସିଲେ ଓ ସମଗ୍ର ସରକାରୀ କଳକୁ କାମରେ ଲଗାଇଦେଲେ ବୋଲି କହିଲୁ। ଏ କଥା ଶୁଣି ଲୋକେ କେତେ ଯେ ଖୁସି ହୋଇଗଲେ ତାହା କହିହେବ ନାହିଁ। ସେମାନେ ଛାମୁଙ୍କ ପ୍ରଶଂସାରେ ଶତମୁଖ ହୋଇଗଲେ।   କିଛି ସମୟ ଗୁମ‌୍‍ମାରି ବସି ରାଜା କହିଲେ, ଯେ ଏ ସବୁ ଦୁର୍ଘଟଣା ସବୁବେଳେ ସରକାର ପାଇଁ ବିପଦ। ବିରୋଧୀଦଳମାନେ ତୁଚ୍ଛାରେ ହୋ ହଲ୍ଲା କରିବେ ଓ ସାଧାରଣ ଲୋକେ କିଛି ନ ବୁଝି ସରକାରକୁ ଦୋଷଦେବେ। ଛୋଟ ମୋଟ ଯୋଜନା କରି କେତେ କଷ୍ଟରେ ଆମେ ଲୋକଙ୍କ ମନକୁ ଜିଣିଛେ ଓ ଭୋଟବ୍ୟାଙ୍କ ତିଆର କରିଛେ। ଏମିତି ଗୋଟିଏ ଗୋଟିଏ ଦୁର୍ଘଟଣା ଘଟିଲେ ଏ ଭୋଟବ୍ୟାଙ୍କ କ୍ରମେ ଭୁଶୁଡି ପଡିବ। ଜଣେ ଚତୁର ମନ୍ତ୍ରୀ ବାହାରିପଡି କହିଲେ, ନାହିଁ ଛାମୁ! ଏ ସବୁ ଦୁର୍ଘଟଣା କିମ୍ୱା ଦୁର୍ବିପାକ ଲୋକଙ୍କ ପାଇଁ ଦୁର୍ଯୋଗ ଆଣିଦେଲେ ହେଁ ଛାମୁଙ୍କ ଲୋକପ୍ରିୟତା ବଢାଇବା ପାଇଁ ଗୋଟିଏ ଲେଖାଁ ବିରାଟ ସୁଯୋଗ। ରାଜା ପ୍ରଶ୍ନବାଚୀ ଦୃଷ୍ଟିରେ ଚାହିଁବାରୁ, ମନ୍ତ୍ରୀ ମହାଶୟ ଖୁବ‌୍‍ ଉତ୍ସାହିତ ହୋଇ କହିଲେ ଯେ ଦୁର୍ଘଟଣା ବା ପ୍ରାକୃତିକ ଦୁର୍ବିପାକ ଯେତେ ଭୟଙ୍କର ହେବ ତାହା ସରକାରଙ୍କ ପାଇଁ ସେତେ ଶୁଭପ୍ରଦ। ଛାମୁ କ’ଣ ଜାଣିନାହାନ୍ତି ବାତ୍ୟା, ବନ୍ୟା କି ମରୁଡି ଯେତେ ଭୟଙ୍କର ହୁଏ, ଲୋକଙ୍କର ଯେତେ ବେଶି କ୍ଷତି ହୁଏ, ଲୋକପ୍ରିୟତା ଅର୍ଜନ କରିବାକୁ ମଣିମାଙ୍କୁ ସେତିକି ଅଧିକ ସୁଯୋଗ ମିଳେ! ଛାମୁ ଯେମିତି ବିମାନରେ ବିଜେହୋଇ ଆକାଶ ମାର୍ଗରେ ଘେରାଏ ଲେଖାଁ ବୁଲି କ୍ଷୟକ୍ଷତି ଦେଖିବା ବାହାନାରେ କିଛି ଯାଗାରେ ଓହ୍ଲାଇ ଲୋକଙ୍କୁ ଚାହିଁ ହାତ ହଲାଇ ଆସୁଛନ୍ତି, ସେଥିରେ ଲୋକେ ଭାବବିହ୍ୱଳ ହୋଇଯାଉଛନ୍ତି। ତା’ ପରେ ରିଲିଫ‌୍‍ ଓ କ୍ଷତିପୂରଣ ଯେ ଭଳି ଦିଆଯାଉଛି, ଆମ ଦଳର ମନ୍ତ୍ରୀ, ବିଧାୟକ ଲୋକଙ୍କ ପାଖରେ ପହଞ୍ଚି ଛାମୁ ଏ ସବୁ ପଠାଇଛନ୍ତି କହିବାରେ ଲୋକଙ୍କର ଆନନ୍ଦର ସୀମା ରହୁନାହିଁ। ଛାମୁଙ୍କର ଲୋକପ୍ରିୟତା ବଢିଚାଲିଛି।   ମନ୍ତ୍ରୀ ମହୋଦୟଙ୍କ କଥାକୁସମର୍ଥନ କରି ଅନ୍ୟ ମନ୍ତ୍ରୀ ଓ ପାରିଷଦମାନେ କହିଲେ ଯେ ଏହିସବୁ କାରଣରୁ ସେମାନେ ରାଜ୍ୟର ଯୁଆଡେ ଯାଉଛନ୍ତି ସେଠାରେ ଖାଲି ଛାମୁଙ୍କର ପ୍ରଶଂସା ଶୁଣୁଛନ୍ତି। ମନ୍ତ୍ରୀ ଓ ପାରିଷଦମାନଙ୍କ ତୋଷାମଦପୂର୍ଣ୍ଣ କଥାରେ ରାଜା ଉତ‌୍‍ଫୁଲିତ ହୋଇପଡିଲେ ଓ ସେମାନେ ଦେଇଥିବା ପରାମର୍ଶର ସେ ପୂର୍ଣ୍ଣ ଫାଇଦା ଉଠାଇବାକୁ ମନେ ମନେ ସ୍ଥିର କରି ନେଲେ।   ପରଦିନ ରାଜ ଦରବାରରେ ମନ୍ତ୍ରୀ, ପାରିଷଦ, ପ୍ରଶାସନିକ ଅଧିକାରୀମାନଙ୍କ ଗହଣରେ ବିଜେ ହୋଇ ରାଜା ଘୋଷଣା କଲେ ଯେ ହସ୍ପିଟାଲରେ ଅଗ୍ନିକାଣ୍ଡ ଯୋଗୁଁ ଯେଉଁମାନେ ମୃତ୍ୟୁବରଣ କରିଛନ୍ତି, ତାଙ୍କ ପରିବାରକୁ ପାଞ୍ଚ ଲକ୍ଷ ଟଙ୍କା ଲେଖାଁଏ ଦିଆଯିବ ଓ କ୍ଷତବିକ୍ଷତ ହୋଇଥିବା ରୋଗୀମାନଙ୍କର ସମସ୍ତ ଚିକିତ୍ସା ଖର୍ଚ୍ଚ ସରକାର ବହନ କରିବେ। ମଧ୍ୟାଞ୍ଚଳ ଶାସନକର୍ତ୍ତାଙ୍କୁ ତଦନ୍ତ କମିଶନ ଭାବରେ ବସାଇ ଏ ସମସ୍ତ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯିବ ଓ ଦୋଷୀକୁ କଠିନ ଦଣ୍ଡ ଦିଆଯିବ। କେତେଜଣ ଭାଟ ମନ୍ତ୍ରୀ ଓ ପାରିଷଦ ନିଜ ନିଜ ଆସନରେ ଠିଆହୋଇ ଏକ ସ୍ୱରରେ କହିଉଠିଲେ, କି ଚମତ୍କାର ଘୋଷଣା ଛାମୁଙ୍କର! ଏହାପରେ ରାଜ୍ୟସାରା ଛାମୁଙ୍କର ଜୟଗାନ ଚାଲିବ। ଜଣେ ପାରିଷଦ ରାଜାଙ୍କ ପାଖକୁ ଯାଇ ନିମ୍ନସ୍ୱରରେ କହିଲେ ଯେ ଛାମୁଙ୍କର ଭୋଟବ୍ୟାଙ୍କ ଆହୁରି ସୁଦୃଢ ହୋଇଗଲା। ଲୋକଙ୍କର ସର୍ବନାଶ ହେଉ ପଛେ ମଣିମାଙ୍କର ତ ଏ ପୁଷମାସ। ଏ ସବୁ ଶୁଣି ରାଜା ଅତ୍ୟନ୍ତ ପ୍ରସନ୍ନ ହୋଇଉଠିଲେ ଓ ତାଙ୍କ ମୁଖମୁଣ୍ଡଳରେ ସ୍ମିତହାସ୍ୟ ଫୁଟିଉଠିଲା।   ଧନ୍ୟ ହେ ଭୋଟସର୍ବସ୍ୱ, ଖିଆଲୀ ରାଜା ଓ ଭାଟ ପାରିଷଦ!   ନୀଳକଣ୍ଠନଗର, ଭୁବନେଶ୍ୱର, ମୋ- ୯୪୩୭୦୧୨୩୫୭

Share :