ବେନାମୀ ଚାନ୍ଦା ନିଷିଦ୍ଧ କର!

ବେନାମୀ ଚାନ୍ଦା ନିଷିଦ୍ଧ କର!

Share :

 ରାଜନୀତିକ ଦଳଗୁଡ଼ିକୁ ୨୦୦୦ କିମ୍ୱା ତତୋଧିକ ଟଙ୍କାର ବେନାମୀ ଚାନ୍ଦା ନିଷିଦ୍ଧ କରିବାକୁ ପ୍ରସ୍ତାବ ଦେଇଛନ୍ତି ଭାରତର ମୁଖ୍ୟ ନିର୍ବାଚନ କମିଶନ। ଏ ସଂକ୍ରାନ୍ତ ଆଇନରେ ସଂଶୋଧନ କରିବାକୁ କମିଶନ ସରକାରଙ୍କୁ ଅନୁରୋଧ କରିଛନ୍ତି। ଦୁର୍ନୀତି ବିରୋଧୀ ଲଢ଼େଇରେ ରାଜନୀତିକ ଦଳଗୁଡ଼ିକ ଆଗ ଦୁର୍ନୀତିମୁକ୍ତ ହେବା ଗୁରୁତ୍ୱପୂର୍ଣ୍ଣ ହୋଇଥିବାରୁ କମିଶନଙ୍କର ଏହି ପ୍ରସ୍ତାବ ଉପରେ ମୋଦି ସରକାର କି ପ୍ରକାର ଆଭିମୁଖ୍ୟ ଗ୍ରହଣ କରୁଛନ୍ତି ତା’ ଉପରେ ତାଙ୍କର ନିଷ୍ଠା ଓ ସ୍ୱଚ୍ଛତା ଅସଲି କି ନକଲି ନିର୍ଭର କରେ।   ମୋଦି ସରକାରଙ୍କ ବିମୁଦ୍ରୀକରଣ କଟକଣାରୁ ରାଜନୀତିକ ଦଳଗୁଡ଼ିକୁ ମୁକ୍ତ ରଖାଯାଇଥିବାରୁ ଏହା ବିରୋଧରେ ପ୍ରତିକ୍ରିୟା ପ୍ରକାଶ ପାଇବା ପରେ ରାଜସ୍ୱ ସଚିବ ହସମୁଖ ଆଧିଆ ସ୍ପଷ୍ଟୀକରଣ ଦେଇ କହିଥିଲେ ଯେ ଆଇନ ଅନୁସାରେ ଦଳଗୁଡ଼ିକ ଯଦି ଜଣେ ଜଣେ ବ୍ୟକ୍ତିଙ୍କଠାରୁ ପୁରୁଣା ୫୦୦ ଓ ୧୦୦୦ ଟଙ୍କିଆ ନୋଟ‌୍‍ରେ ୨୦ ହଜାର ଟଙ୍କାରୁ କମ‌୍‍ ଚାନ୍ଦା ଗ୍ରହଣ କରି ବ୍ୟାଙ୍କରେ ଜମା କରିବେ ତେବେ ତା’ ଉପରେ ଆୟକର ଦେବାକୁ ହେବ ନାହିଁ। କାରଣ ବିଧି ଅନୁସାରେ ରାଜନୀତିକ ଦଳଗୁଡ଼ିକୁ ଆୟକର ପରିସର ବାହାରେ ରଖାଯାଇଛି। ତେବେ ୨୦ ହଜାର ଟଙ୍କାରୁ ଅଧିକ ପରିମାଣର ବ୍ୟକ୍ତିଗତ ଚାନ୍ଦା ସଂପର୍କରେ ଦଳଗୁଡ଼ିକ ଆୟକର ରିଟର୍ଣ୍ଣରେ ଉଲ୍ଲେଖ କରିବେ ଓ ନିର୍ବାଚନ କମିଶନଙ୍କୁ ତାହା ଜଣେଇବେ ବୋଲି ଆଇନଗତ ବ୍ୟବସ୍ଥା ରହିଛି।   ତେବେ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ କହିଥିଲେ ଯେ ୫୦୦ ଓ ୧୦୦୦ ଟଙ୍କିଆ ନୋଟ‌୍‍ ଅଚଳ ହୋଇସାରିଥିବାରୁ ରାଜନୀତିକ ଦଳଗୁଡ଼ିକ ଏହି ନୋଟ‌୍‍ରେ ଚାନ୍ଦା ଗ୍ରହଣ କରିବେ ନାହିଁ। ଆୟକର ଆଇନରେ ମଧ୍ୟ ସେମାନଙ୍କୁ ଅଧିକ ଛାଡ଼ ଦିଆଯାଇ ନାହିଁ। ସେ କହିଥିଲେ ଯେ ଯଦି କୌଣସି ଦଳ ଅଚଳ ନୋଟ‌୍‍ରେ ଚାନ୍ଦା ଗ୍ରହଣ କରିବେ ତେବେ ତାହା ବେଆଇନ ସାବ୍ୟସ୍ତ ହେବ। ସେମାନେ ନଭେମ୍ୱର ୮ ତାରିଖ ପୂର୍ବରୁ ପୁରୁଣା ୫୦୦ ଓ ୧୦୦୦ ଟଙ୍କିଆ ନୋଟ‌୍‍ରେ ଚାନ୍ଦା ନେଇଥିଲେ ତାହାକୁ ବ୍ୟାଙ୍କରେ ଜମା ଦେଇପାରିବେ। କିନ୍ତୁ ଏହି ଚାନ୍ଦା ସେମାନଙ୍କ ହିସାବ ଖାତାରେ ଦର୍ଶାଯାଇଥିବା ଦରକାର। ଯଦି ଖାତାରେ କିଛି ତ୍ରୁଟି ପରିଲକ୍ଷିତ ହୁଏ ତେବେ ଆୟକର ବିଭାଗ ଦଳଗୁଡ଼ିକୁ ଏନେଇ ପ୍ରଶ୍ନ ପଚାରିପାରିବେ ବୋଲି ଜେଟଲୀ କହିଥିଲେ। ସରକାରଙ୍କର ଏହି ସ୍ପଷ୍ଟୀକରଣ ପରେ ପରେ ମୁଖ୍ୟ ନିର୍ବାଚନ କମିଶନ ସରକାରଙ୍କୁ ଉପରୋକ୍ତ ପ୍ରସ୍ତାବ ଦେଇଛନ୍ତି। ସରକାରଙ୍କୁ ନିର୍ବାଚନ କମିଶନ ଲେଖିଥିବା ଚିଠିରେ ଉଲ୍ଲେଖ କରିଛନ୍ତି ଯେ ରାଜନୀତିକ ଦଳଗୁଡ଼ିକୁ ୨ ହଜାରରୁ ଅଧିକ ଟଙ୍କାର ବେନାମୀ ଚାନ୍ଦାକୁ ନିଷିଦ୍ଧ କରିବା ପାଇଁ ଆବଶ୍ୟକ ଆଇନରେ ସଂଶୋଧନ କରାଯାଉ। ତା’ ସହିତ ଯେଉଁ ପଂଜୀକୃତ ରାଜନୀତିକ ନିର୍ବାଚନ ଲଢ଼ୁ ନାହାନ୍ତି କିମ୍ୱା ଲୋକସଭା ଓ ବିଧାନସଭାରେ ଯେଉଁ ଦଳଗୁଡ଼ିକର ଉପସ୍ଥିତି ନାହିଁ ସେମାନଙ୍କୁ ଆୟକର ଛାଡ଼ ସୁବିଧାରୁ ବଂଚିତ କରାଯାଉ। ପ୍ରଚଳିତ ଆଇନ ଅନୁସାରେ ଖାସ‌୍‍ ଆୟକର ଛାଡ଼ ପାଇବା ପାଇଁ ଅନେକ ଲୋକ ରାଜନୀତକ ଦଳ ପଂଜୀକରଣ କରିପାରନ୍ତି ବୋଲି କମିଶନ ଆଶଙ୍କା ପ୍ରକାଶ କରିଛନ୍ତି।   ରାଜନୀତିକୁ ଦୁର୍ନୀତିମୁକ୍ତ ରଖିବା ପାଇଁ ୧୯୯୬ ମସିହାରେ ସୁପ୍ରିମ କୋର୍ଟ ଦେଇଥିବା ଏକ ରାୟକୁ ସରକାର କଡ଼ାକଡ଼ି ପାଳନ କରିବାକୁ ମଧ୍ୟ କମିଶନ ପରାମର୍ଶ ଦେଇଛନ୍ତି। ସୁପ୍ରିମ କୋର୍ଟଙ୍କ ଏହି ରାୟ ଅନୁସାରେ ରାଜନୀତିକ ଦଳଗୁଡ଼ିକ ପ୍ରତ୍ୟେକ ଚାନ୍ଦାର ବିବରଣୀ କୁପନ ଆକାରରେ ଲିପିବଦ୍ଧ କରିବା କଥା। ବର୍ତ୍ତମାନ ବ୍ୟବସ୍ଥାରେ ରାଜନୀତିକ ଦଳଗୁଡ଼ିକ ୧୦/୨୦/୫୦/୧୦୦ ଟଙ୍କାର ଛୋଟଛୋଟ ଚାନ୍ଦା ପାଇଁ କୁପନ ବ୍ୟବହାର କରୁନାହାନ୍ତି। ଚାନ୍ଦା କୁପନ ସେମାନେ ନିଜେ ଛାପିଥାନ୍ତି। କିନ୍ତୁ ଏହି ଛୋଟଛୋଟ ପରିମାଣର ଚାନ୍ଦା ମିଶି ବହୁ କୋଟିରେ ପରିଣତ ହୋଇଥାଏ। ତେଣୁ ଦଳଗୁଡ଼ିକ ପ୍ରତି ଚାନ୍ଦାକୁ କୁପନ ଆକାରରେ ଗ୍ରହଣ କରନ୍ତୁ ଓ ତାହାର ହିସାବ ରଖନ୍ତୁ ବୋଲି କମିଶନ ପରାମର୍ଶ ଦେଇଛନ୍ତି। ଏହା ଦଳଗୁଡ଼ିକର ସ୍ୱଚ୍ଛତାର ପ୍ରମାଣ ଦେବ।   ୧୯୬୧ ଆୟକର ଆଇନର ୧୩-କ ଧାରା ଅନୁସାରେ ରାଜନୀତିକ ଦଳଗୁଡ଼ିକର ଘର ସଂପତ୍ତିରୁ ଆୟ, େସ୍ୱଚ୍ଛାକୃତ ଚାନ୍ଦାରୁ ଆୟ ଓ କ୍ୟାପିଟାଲ ଗେନ‌୍‍ ବା ଲାଭ ଓ ଅନ୍ୟାନ୍ୟ ସୂତ୍ରରୁ ଆୟ ଉପରେ ଆୟକର ହିସାବ ହୁଏ ନାହିଁ। କିନ୍ତୁ ଦରମା, ବ୍ୟବସାୟ ଓ ବୃତ୍ତିରୁ ମିଳୁଥିବା ଆୟ ଉପରେ ଆୟକର ହିସାବ ହୁଏ। ସେହିପରି ୧୯୫୧ ଜନ ପ୍ରତିନିଧି ଆଇନର ୨୯-ଗ ଧାରା ଅନୁସାରେ ରାଜନୀତିକ ଦଳଗୁଡ଼ିକ ଚାନ୍ଦା ବିବରଣୀ ଦାଖଲ କରିବେ। କିନ୍ତୁ ଏବେ ଏହାକୁ ୨୦ ହଜାର ଟଙ୍କାରୁ ଅଧିକ ଚାନ୍ଦା କ୍ଷେତ୍ରରେ ଲାଗୁ କରାଯାଉଛି। ତା’ଠାରୁ କମ‌୍‍ ଟଙ୍କାର ଚାନ୍ଦା ନେଲେ ଦଳଗୁଡ଼ିକ ତାହାର ହିସାବ ଦେଉ ନାହାନ୍ତି।

Share :