ସୂର୍ଯ୍ୟମନ୍ଦିର ଜଗମୋହନରେ ଫାଟ

ସୂର୍ଯ୍ୟମନ୍ଦିର ଜଗମୋହନରେ ଫାଟ

Share :

  ଦୀର୍ଘ ଦିନ ଧରି ଉପଯୁକ୍ତ ସଂରକ୍ଷଣ ଅଭାବରୁ ସଂପ୍ରତି ଜରାଜୀର୍ଣ୍ଣ ଅବସ୍ଥାରେ ପହଞ୍ଚିଥିବା ବିଶ୍ୱ ଐତିହ୍ୟ ସୂର୍ଯ୍ୟମନ୍ଦିରର ମୁଖ୍ୟ ଆକର୍ଷଣ ଜଗମୋହନର ଚୂଡାରେ ଫାଟ ସୃଷ୍ଟି ହୋଇଛି। ଜଗମୋହନର ଗର୍ଭରେ ୧୯୦୨ ମସିହାରେ ଭର୍ତ୍ତି କରାଯାଇଥିବା ବାଲିର ଘନତ୍ୱ ବୃଦ୍ଧିପାଇ ତଳକୁ ଦବିଯିବା ଯୋଗୁଁ ଜଗମୋହନର ବିଭିନ୍ନ ସ୍ଥାନରେ ଫାଟ ସୃଷ୍ଟି ହୋଇ ବିଭିନ୍ନ ସମୟରେ ମନ୍ଦିର ଗାତ୍ରରୁ ପଥର ଖସିବା ଜାରି ରହିଥିବା ବେଳେ ଏବେ ଜଗମୋହନ ଚୂଡାର ବିଭିନ୍ନ ସ୍ଥାନରେ ଫାଟ ସୃଷ୍ଟି ହେବା ଯୋଗୁଁ ମନ୍ଦିରର ସ୍ଥାୟିତ୍ୱ ପ୍ରତି ଆଶଙ୍କା ଦେଖାଦେଇଛି।   ଏହି ଘଟଣା ସଂପର୍କରେ ଅନୁଧ୍ୟାନ ପାଇଁ ଡିସେମ୍ବର ୧୭ ତାରିଖ ଏଏସ‌୍‍ଆଇର ପୂର୍ବାଞ୍ଚଳ ନିର୍ଦ୍ଦେଶକ ନନ୍ଦିନୀ ଭଟ୍ଟାଚାର୍ଯ୍ୟ, ସୂର୍ଯ୍ୟମନ୍ଦିର ବିଶେଷଜ୍ଞ ଦଳ ସଦସ୍ୟ ବିଜୟ କୁମାର ରଥ, ଏଏସଆଇର ଭୁବନେଶ୍ୱର ସର୍କଲ ସୁପରିଟେଣ୍ଡେଣ୍ଟ ଏଚ‌୍‍ ନାୟକ, ପୂର୍ବତନ ସୁପରିଟେଣ୍ଡେଣ୍ଟ ଭୁବନ ବିକ୍ରମ, ସହାକାରୀ ସୁପରିଟେଣ୍ଡେଣ୍ଟ ସୁଶାନ୍ତ କର ଓ ବରିଷ୍ଠ ସଂରକ୍ଷଣ ସହାୟକ ନିର୍ମଳ କୁମାର ମହାପାତ୍ରଙ୍କ ସମେତ ସିବିଆର‌୍‍ଆଇର କେତେକ ବୈଷୟିକ ବିଶେଷଜ୍ଞ ଜଗମୋହନର ପରିସ୍ଥିତି ଅନୁଧ୍ୟାନ ନିମନ୍ତେ ସିଡି ଯୋଗେ ମନ୍ଦିରର ଚୂଡାକୁ ଯାଇଥିଲେ।   ଜଗମୋହନ ଚୂଡ଼ାରେ ଥିବା କେତେକ ପଥରରେ ଫାଟ ସୃଷ୍ଟି ହୋଇଥିବା ନେଇ ସେମାନ ଅନୁଧ୍ୟାନ କରିଥିଲେ। ତାହାକୁ ମରାମତି କରାଯିବ କି ନାହିଁ ଏବଂ ମରାମତି କରାଗଲେ କେଉଁ ପଦ୍ଧତି ବ୍ୟବହାର କରାଯିବ ସେ ସଂପର୍କରେ ନିଷ୍ପତ୍ତି ହୋଇନାହିଁ। ତେବେ ଅଧିକ ଗୁରୁତ୍ବପୂର୍ଣ୍ଣ କଥା ହେଲା ସୂର୍ଯ୍ୟମନ୍ଦିର ଭଗ୍ନାବଶେଷକୁ ବଂଚାଇ ରଖିବା ପାଇ ବ୍ରିଟିଶ ସରକାରଙ୍କ ଅମଳରେ ଭର୍ତ୍ତି ହୋଇଥିବା ବାଲି ତଳକୁ ତଳକୁ ଦବିବା ଜନିତ ବିପଦ। ଏହି ବାଲି ଦବି ଯିବାରୁ ବାଲି ଉପରେ ଥିବା ପଥରରେ ଫାଟ ସୃଷ୍ଟି ହୋଇଛି ବୋଲି ଅନୁମାନ କରାଯାଉଛି।   ବିଶେଷଜ୍ଞ ଦଳ ଜଗମୋହନ ଚୂଡ଼ା ଅନୁଧ୍ୟାନ କରୁଥିବା ସମୟରେ କୋଣାର୍କର ତିନିଜଣ ସାମ୍ୱାଦିକ ସେମାନଙ୍କ ସହିତ ଉପରକୁ ଯିବାରୁ ସେମାନଙ୍କୁ ଏଏସ‌୍‍ଆଇ ଅଧିକାରୀ ସୁଶାନ୍ତ କର ତଳକୁ ଓହ୍ଲାଇ ଯିବାକୁ ଧମକ ଦେଇଥିଲେ। ଜନୈକ ସାମ୍ୱାଦିକ ଜଗମୋହନ ଚୂଡାର ଫଟୋ ଉଠାଇବାକୁ ପ୍ରସ୍ତୁତ ହେଉଥିବା ବେଳେ  ଏଏସ‌୍‍ଆଇ ଅଧିକାରୀ ସୁଶାନ୍ତ କର ତାଙ୍କୁ ତଳକୁ ପେଲି ଦେବାକୁ ଧମକ ଦେଇଥିଲେ। ଏଏସ‌୍‍ଆଇର ଅନ୍ୟ କେତେକ ଅଧିକାରୀ ସୁଶାନ୍ତ କରଙ୍କୁ ସମର୍ଥନ ଜଣାଇ ଫଟୋ ଉଠାଉଥିବା ସାମ୍ୱାଦିକଙ୍କୁ ମିଳିତ ଭାବେ ବଳପୂର୍ବକ ତଳକୁ ଓହ୍ଲାଇବାପାଇଁ  ଧମକ ଦେଇଥିଲେ।   ଏଏସ‌୍‍ଆଇ ଅଧିକାରୀମାନେ ତଳକୁ ଓହ୍ଲାଇବା ପରେ ତଳେ ଏକତ୍ରିତ ହୋଇଥିବା ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଏ ସଂପର୍କରେ କୌଣସି ସୂଚନା ଦେବାକୁ ମନା କରିଦେବାରୁ ଗଣମାଧ୍ୟମ ପ୍ରତିନିଧିଙ୍କ ସହିତ ଏଏସ‌୍‍ଆଇ ଅଧିକାରୀମାନଙ୍କର ଯୁକ୍ତିତର୍କ ହୋଇଥିଲା। ଗଣମାଧ୍ୟମଠାରୁ ଦୂରତ୍ୱ ରକ୍ଷା କରୁଥିବା ଏଏସ‌୍‍ଆଇ ଅଧିକାରୀମାନେ କୋଣାର୍କରୁ ପଳାଇଯାଇ ଭୁବନେଶ୍ୱରରେ ଏ ସଂପର୍କରେ ବୈଠକ କରିଥିଲେ। ଏଏସ‌୍‍ଆଇ ଅଧିକାରୀମାନେ ଗଣମାଧ୍ୟମକୁ ତଥ୍ୟ ଲୁଚାଇବା ଏବଂ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ ଘଟଣାର ତୀବ୍ର ନିନ୍ଦା କରିଛି କୋଣାର୍କ ପ୍ରେସ‌୍‍ କ୍ଳବ ଓ କୋଣାର୍କ ସୁରକ୍ଷା ସମିତି। କୋଣାର୍କ ପ୍ରେସ‌୍‍ କ୍ଲବର ସଂପାଦକ ମାନସରଞ୍ଜନ ପାତ୍ର ଓ  କୋଣାର୍କ ସୁରକ୍ଷା ସମିତିର ସଭାପତି ବାଦଲ ଦାଶ କହିଛନ୍ତି ଯେ ଗଣମାଧ୍ୟମକୁ ଖରାପ ବ୍ୟବହାର ପ୍ରଦର୍ଶନ କରିଥିବା ଏଏସ‌୍‍ଆଇ ଅଧିକାରୀ ସୁଶାନ୍ତ କରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କଲେ ଉଭୟ ସଂଗଠନ ରାଜରାସ୍ତାକୁ ଓହ୍ଲାଇବ ବୋଲି ସୂଚନା ଦେଇଛନ୍ତି।

Share :