ମୋଦି ସରକାରଙ୍କ ବିମୁଦ୍ରାକରଣ ଓ ତତ୍ ପରବର୍ତ୍ତୀ କଟକଣାଗୁଡ଼ିକ ଭାରତବର୍ଷର ସବୁ ଲୋକ/ସଂସ୍ଥାଙ୍କ ପ୍ରତି ଲାଗୁ ହୋଇଥିଲେ ହେଁ ରାଜନୀତିକ ଦଳଗୁଡ଼ିକ ଏଥିରୁ ମୁକ୍ତ ରହିଛନ୍ତି। ପଂଜୀକୃତ ରାଜନୀତିକ ଦଳଗୁଡ଼ିକ ଆୟକର ଆଇନ ଅନୁସାରେ ଟିକସ ପରିସର ବାହାରେ ରହିଛନ୍ତି। ସେମାନେ ନଭେମ୍ୱର ୮ ତାରିଖ ପରେ ଦଳୀୟ ବ୍ୟାଙ୍କ ଖାତାରେ ଶହଶହ କୋଟି ଟଙ୍କା ଜମା କଲେ ବି ତାହାର ଯାଞ୍ଚ ହେବ ବୋଲି ସରକାର ଏଯାଏଁ ନିଦ୍ଦେର୍ଶ ଦେଇ ନାହାନ୍ତି। ଏଇ ଗଳାବାଟେ ଅନେକ ଦୁନୀର୍ତିଗ୍ରସ୍ତ ବ୍ୟବସାୟୀ ଓ ଅଧିକାରୀ ରାଜନୀତିକ ଦଳଗୁଡ଼ିକୁ ପୁରୁଣା ନୋଟ୍ରେ ନଗଦ ଚାନ୍ଦା ଦେଇ କଳାକୁ ଧଳା କରିବାରେ ସକ୍ଷମ ହୋଇଥିବା ଅଭିଯୋଗ ହୋଇଛି। ତେବେ ରାଜନୀତିକ ଦଳଗୁଡ଼ିକୁ ଏପରି ଦୁର୍ନୀତିମୂଳକ ଅନୁକମ୍ପା ନେଇ ସୋସିଆଲ ମିଡିଆରେ ବ୍ୟାପକ ଚର୍ଚ୍ଚା ହେବା ପରେ ସରକାର ଏକ ସ୍ପଷ୍ଟୀକରଣ ଦେଇ କହିଛନ୍ତି ଯେ ଦଳୀୟ ଆୟ ଯାଞ୍ଚ କରିବାକୁ ଆୟକର ଆଇନରେ ଅନେକ ଉପାୟ ରହିଛି। ଡିସେମ୍ୱର ୧୬ ତାରିଖରେ ଅର୍ଥ ମନ୍ତ୍ରଣାଳୟର ସଚିବ ହସମୁଖ ଆଧିଆ କହିଥିଲେ ଯେ ରାଜନୀତିକ ଦଳଗୁଡ଼ିକ ଡିସେମ୍ୱର ୩୦ ତାରିଖ ଭିତରେ ପୁରୁଣା ନୋଟ୍ରେ ଯେତେ ଟଙ୍କା ବ୍ୟାଙ୍କ ଆକାଉଣ୍ଟରେ ଜମା କଲେ ବି ଟିକସ ଦେବେ ନାହିଁ। କାରଣ ଆୟକର ଆଇନ ଅନୁସାରେ ପଂଜୀକୃତ ରାଜନୀତିକ ଦଳଗୁଡ଼ିକ ଆୟକର ପରିସରରୁ ମୁକ୍ତ ରହିଛନ୍ତି। ଆଧିଆ କହିଥିଲେ ଯେ ନେତାମାନେ ଯଦି ନିଜର ବ୍ୟକ୍ତିଗତ ଖାତାରେ ଟଙ୍କା ଜମା କରିବେ ତେବେ ଆୟର ହିସାବ ଦେବେ ଓ ହିସାବକୁ ଆସୁଥିବା ଆୟ ଉପରେ ଆୟକର ଦାଖଲ କରିବେ। କିନ୍ତୁ ସେମାନେ ସେମାନଙ୍କ ପୁରୁଣା ଟଙ୍କାକୁ ଦଳୀୟ ଖାତାରେ ଜମା କଲେ ତାହା ଉପରେ ଆୟକର ହିସାବ ହେବ ନାହିଁ। ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ଓ ସରକାରଙ୍କ ନିୟମ ଅନୁସାରେ ରାଜନୀତିକ ୨୦ ହଜାର ଟଙ୍କାରୁ ଅଧିକ ପରିମାଣର ଚାନ୍ଦାଗୁଡ଼ିକର ହିସାବ ଦାଖଲ କରିବା କଥା। ସେମାନେ ନିର୍ବାଚନ କମିଶନଙ୍କୁ ନିଜର ଚାନ୍ଦା ଓ ଆୟ ହିସାବ ଦେଇଥାନ୍ତି। କିନ୍ତୁ ପ୍ରାୟ ସମସ୍ତ ଦଳ ଜଣେ ଜଣେ ବ୍ୟବସାୟୀ ବା ଗୋଟେ ଗୋଟେ କର୍ପୋରେଟ୍ ସଂସ୍ଥାରୁ ଶହଶହ କୋଟି ଟଙ୍କାର ଚାନ୍ଦା ନେଉଥିଲେ ମଧ୍ୟ ତାହାକୁ ଚାର୍ଟାଡ ଆକାଉଣ୍ଟାଣ୍ଟଙ୍କ ଜରିଆରେ ୨୦ ହଜାର ଟଙ୍କିଆ ଚାନ୍ଦାରେ ଭାଙ୍ଗି ଦିଅନ୍ତି। ସେମାନଙ୍କ ଖାତାରେ ଜାଲ୍ ଚାନ୍ଦାଦାତାଙ୍କ ନାମ ଚଢ଼ିଯାଏ। ଏହି ତାଲିକା ଯାଞ୍ଚ କରିବାକୁ ନିର୍ବାଚନ କମିଶନ ଓ ଆୟକର ବିଭାଗର ଆଗ୍ରହ ଥାଉ ବା ନଥାଉ ଯଥେଷ୍ଟ କର୍ମଚାରୀ ନଥାନ୍ତି। ବିମୁଦ୍ରାକରଣ ନିଷ୍ପତ୍ତି ପରେ ଆଇନର ଏଇ ଫାଙ୍କ ଦେଇ ଅନେକ ରାଜନୀତିକ ଦଳ ଦୁର୍ନୀତିଗ୍ରସ୍ତଙ୍କର ଶହଶହ କୋଟି ଟଙ୍କାର ପୁରୁଣା ନୋଟ୍ ଚାନ୍ଦା ଆକାରରେ ଗ୍ରହଣ କରି ବ୍ୟାଙ୍କରେ ଜମା ଦେଇଛନ୍ତି ବୋଲି ସୋସିଆଲ ମିଡିଆରେ ଅଭିଯୋଗ ହେବା ପରେ ଏହା ଲୋକଲୋଚନକୁ ଆସିଲା ଓ ଏନେଇ ଅଧିକ ଚର୍ଚ୍ଚା ହେଲା। କେନ୍ଦ୍ରରେ କ୍ଷମତାସୀନ ବିଜେପି ଏବଂ ରାଜ୍ୟଗୁଡ଼ିକର ଶାସକ ଦଳମାନେ ଏଇ ଫାଙ୍କରେ ନିଜନିଜ ଲୋକଙ୍କର କଳାଟଙ୍କାକୁ ଧଳା କରିଛନ୍ତି ବୋଲି ଆଲୋଚନା ହେଲା। ଏଭଳି ଫାଙ୍କ ବିଷୟରେ ଅଧିକ ଚର୍ଚ୍ଚା ହେବାରୁ ଆଜି ଅର୍ଥ ମନ୍ତ୍ରଣାଳୟ ଅଧୀନସ୍ତ କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ବୋର୍ଡ଼ ବା ସିବିଡିଟି ଏକ ସ୍ପଷ୍ଟୀକରଣ ଜାରି କରିଛି। ଏଥିରେ କୁହାଯାଉଛି ଯେ ରାଜନୀତିକ ଦଳଗୁଡ଼ିକର ଆୟ ଯାଞ୍ଚ କରିବା ପାଇଁ ଆଇନରେ ବହୁବିଧ ବ୍ୟବସ୍ଥା ରହିଛି। ଆୟକର ଆଇନର ୧୩-କ ଧାରାରେ ଉଲ୍ଲେଖ ଥିବା ସର୍ତ୍ତ ଭିତ୍ତିରେ ପଂଜୀକୃତ ରାଜନୀତିକ ଦଳଗୁଡ଼ିକ ଆୟକର ଛାଡ଼ ପାଇଥାନ୍ତି। ଏହି ସର୍ତ୍ତ ମଧ୍ୟରେ ଗୋଟିଏ ହେଲା ସେମାନେ ୨୦ ହଜାରରୁ ଅଧିକ ଟଙ୍କାର ଚାନ୍ଦାଦାତାଙ୍କର ରେକର୍ଡ଼ ରଖିବେ ଓ ତାହାର ହିସାବ ଦେବେ। ଏହାକୁ ଆୟକର ଅଧିକାରୀମାନେ ଯାଞ୍ଚ କରିପାରିବେ।