ମରୁବାଲିର ଇତିକଥା

ମରୁବାଲିର ଇତିକଥା

ଦେବେନ୍ଦ୍ର ପୃଷ୍ଟି   ଏତେ ବଡ଼ ପୃଥିବୀରେ ଏତେ ଲୋକ ଥିଲେ, ଏତେ ପକ୍ଷୀ ଗାଉଥିଲେ, ନଈ ବହୁଥିଲେ ଏତେ ବେଳା, ଏତେ ବି ଲହଡ଼ି, ସୂର୍ଯ୍ୟ, ଚନ୍ଦ୍ର, ତାରା ଓ ଆକାଶ, ଅରଣ୍ୟ ଓ ଦିଗବଳୟ, ଅନ୍ଧାର ଭିତରେ କେତେ ଦୀପର ଦିହୁଡ଼ି। ମୁଁ କିଆଁ ଭେଟିଲି ଖାଲି ନିଃସଙ୍ଗତା, ନିରବ କବିତା ପଢ଼ିଲି କାହିଁକି? ସାଇତି ରଖିଲି କିଆଁ ପାହାଡ଼ର ବ୍ୟଥା?   କେତେ ବର୍ଷା ମଥାପିଟେ ଶିଖରରେ ବର୍ଷିଯାଏ ପ୍ରଶସ୍ତ ଛାତିରେ ନଈମାନେ ବହିଯା’ନ୍ତି ପଥର ଫଟେଇ ସମୁଦ୍ରେ ମିଶିବା ଯାଏ ନଈର ସାନ୍ନିଧ୍ୟ ମାଟି ପାଏ, ଆକାଶ ବି ପାଏ କେହି କ’ଣ ପାହାଡ଼କୁ ଧନ୍ୟବାଦ ଦିଏ?   ଦୁନିଆ ଜାଣିଛି ଖାଲି ମୁଁ ଏକ ମରୁର ବାଲି ଇତିହାସ ଯାହାର ଅଲୋଡ଼ା। ଦିନେ ଏଇ ମରୁବାଲି ଥିଲା ଏକ ପାହାଡ଼ ଗର୍ଭରେ ସହିଥିଲା ପଦାଘାତ ପ୍ରଥମ ବର୍ଷାର ଆଜି ପୁଣି ପଦାଘାତ ମରୁର ଯାତ୍ରୀର।

Share :