କୋଣାର୍କରେ ବଣଭୋଜି ଋତୁ

କୋଣାର୍କରେ ବଣଭୋଜି ଋତୁ

Share :

  ଦିନ କେଇଟା ପରେ ଆସିବ ଇଂରାଜୀ ନୂଆ ବର୍ଷ। ଏହା ପୂର୍ବରୁ କିନ୍ତୁ କୋଣାର୍କରେ ଆରମ୍ଭ ହୋଇଯାଇଛି ବଣଭୋଜି ଋତୁ। ସାଙ୍ଗସାଥୀଙ୍କ ଗହଣରେ ବଣଭୋଜି କରି ଖୁସି ମନାଇବା ପାଇଁ ଅନ୍ତର୍ଜାତୀୟ ପର୍ଯ୍ୟଟନ କ୍ଷେତ୍ର କୋଣାର୍କରେ ଏବେ ପର୍ଯ୍ୟଟଙ୍କ ଭିଡ।   ପର୍ଯ୍ୟଟନ ଋତୁର ଅବସରରେ ପ୍ରତ୍ୟହ କୋଣାର୍କ ସୂର୍ଯ୍ୟ ମନ୍ଦିରରେ ଲକ୍ଷାଧିକ ପର୍ଯ୍ୟଟକଙ୍କର ଭିଡ଼ ଦେଖିବାକୁ ମିଳୁଛି। ନବ ବର୍ଷର ଅବ୍ୟବହିତ ପୂର୍ବରୁ କୋଣାର୍କ-ପୁରୀ ବେଳାମାର୍ଗ, ମା’ ଭଗବତୀଙ୍କ ପୀଠ, ଚନ୍ଦ୍ରଭାଗା, ମା’ ରାମଚଣ୍ଡୀଙ୍କ ପୀଠ, ପଞ୍ଚମୁଖୀ ହନୁମାନ ମନ୍ଦିର, ବାବା ଗରୁଡେ଼ଶ୍ୱର ମନ୍ଦିର ଓ ବାବା ବାଲିକପିଳେଶ୍ୱରଙ୍କ ପୀଠ ପରିସରରେ ଲକ୍ଷାଧିକ ପର୍ଯ୍ୟଟକ ରାଜ୍ୟର ବିଭିନ୍ନ ସ୍ଥାନରୁ ଆସି ବଣଭୋଜି କରୁଛନ୍ତି।   ମା’ ରାମଚଣ୍ଡୀଙ୍କ ପୀଠସ୍ଥଳିଠାରୁ ପୁରୀ ଆଡ଼କୁ ବେଲେଶ୍ୱରପର୍ଯ୍ୟନ୍ତ ଏବଂ ବିପରୀତ ଦିଗରେ  କୋଣାର୍କର ମା’ ଭଗବତୀଙ୍କ ପୀଠସ୍ଥଳୀ ପର୍ଯ୍ୟନ୍ତ ପ୍ରତ୍ୟହ ଶହଶହ ଛୋଟବଡ଼ ଯାତ୍ରୀବାହୀ ଗାଡ଼ି ରାସ୍ତାକଡ଼ରେ ପାର୍କିଂ କରିଥିବା ଯୋଗୁଁ ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଛି। ଲୋକେ ଦଳ ଦଳ ହୋଇ ରାମଚଣ୍ଡୀ ଓ ମା ଭଗବତୀଙ୍କ ପୀଠସ୍ଥଳୀ ସମେତ ଅଭୟାରଣ୍ୟ ସଂଲଗ୍ନ ରାସ୍ତା କଡ଼ରେ ଦିନତମାମ ବଣଭୋଜିରେ ମାତି ରହୁଛନ୍ତି। ଛୁଟି ଦିନମାନଙ୍କରେ କୋଣାର୍କ-ପୁରୀ ବେଳାମାର୍ଗ, ମା’ ଭଗବତୀ ପୀଠ ଓ ମା’ରାମଚଣ୍ଡୀଙ୍କ ପୀଠରେ ସବୁଠାରୁ ଅଧିକ ବଣଭୋଜୀ କରୁଥିବା ଦଳଙ୍କୁ ଦେଖିବାକୁ ମିଳୁଛି।   ପର୍ଯ୍ୟଟକମାନେ ଝାଉଁଜଙ୍ଗଲ ମଧ୍ୟରେ ରୋଷଇ କରି ଖାଇବା ସହ ମଉଜ ମଜଲିସ କରୁଛନ୍ତି। କୋଣାର୍କ, ରାମଚଣ୍ଡୀ ଓ ଚନ୍ଦ୍ରଭାଗା ସାମୁଦ୍ରିକ ଥାନା ପକ୍ଷରୁ ପର୍ଯ୍ୟଟକମାନଙ୍କ ସୁରକ୍ଷା ନିମନ୍ତେ ବ୍ୟାପକ ବ୍ୟବସ୍ଥା କରାଯାଇଥିବାବେଳେ ଚଳିତ ବର୍ଷ ବଣଭୋଜି କରୁଥିବା ଦଳମାନଙ୍କୁ ମଦ୍ୟପାନ ନ କରିବା ଓ ଶବ୍ଦ ପ୍ରଦୂଷଣ ବା ଉଚ୍ଚ ସ୍ୱରରେ ସାଉଣ୍ଡସିଷ୍ଟମ ନ ବଜାଇବା ପାଇଁ ବାରଣ କରାଯାଇଛି।

Share :