ଚାଷୀର ଆତ୍ମକାହାଣୀ

ଚାଷୀର ଆତ୍ମକାହାଣୀ

Share :

ଚାରୁ ଚନ୍ଦନ ଦାଶ   ମୋର୍ ନାଁ ମାଖୁନୁ ବାଗ। ମୋର୍ ଗାଁ କେନଝିରିଆପାଲି। ଘରେ ମୋର୍ ମାଇଝୀ ଆର୍ 4ଟା ଛୁଆପିଲା। ପୂର୍ବ ପୁରୁଷ ଅମଳରୁ ଥିବା ଚାଷ ଜମି ଭାଇଭାଗ ହେଲା ପରେ ମୋ ଭାଗରେ ପଡ଼ିଥିଲା ଏକରେରୁ କମ୍‌। ଯେଉଁ ଜମି ଅଛି ସେଥିରୁ ଅଧିକାଂଶ ପଥୁରିଆ ହୋଇଥିବାରୁ ଫସଲ ପାଇଁ ଅନୁକୂଳ ନୁହେଁ। ତେଣୁ ଗୋଟିଏ କି ଦିଟା କ୍ଷେତକୁ ଛାଡ଼ିଦେଲେ ବାକି ସବୁ ପଡ଼ିଆ ପଡ଼ିଥାଏ। ସେଗୁଡ଼ିକରେ ଥରେ ଥରେ କାନ୍ଦୁଲ କି ମୁଗ ଚାଷ କରିଥାଏ। ତାହା ପୁଣି କାଣିଏ ହୋଇଥାଏ।   ସରକାରୀ ଯୋଜନା ଆଉ ଦି ଟଙ୍କିଆ ଚାଉଳ ହିଁ ଭରସା। ହେଲେ ସେତକ ବି ମିଳୁନି। ସେଇ ଶଳା ସରପଞ୍ଚ ମୋର ଖଣ୍ଡିଏ ଇନ୍ଦିରା ଆବାସ କରିଦେବି କହି ଏଯାଏ କଲାନି। ପେଟରେ ଓଦାକନା ଦେଇ ମୋର ଝାଳ ବୁହା ଟଙ୍କାରୁ ତାକୁ ହଜାରେ ଟଙ୍କା ଦେଇଥିଲି। ହେଲେ ସେତକ ନେଇ ଆମ ଗାଁ ସେମୁଣ୍ଡରେ ଥିବା ଭାଟିରୁ ମଦ ପିଇ ସାରିଦେଲା ସିନା ମୋର ଘର ଖଣ୍ଡିଏ କରି ଦେଲା ନାହିଁ।   ତେଣେ ମୋ ମାଇକିନାର ଦେହ ଖରାପ। କୋଉ ଜର ହେଉଛି ଯେ କେଜାଣି ତାତି ଜମାରୁ ଉତୁରୁନି। ଡାକ୍ତର ଉଷ ଦେଇଛନ୍ତି ଯେ ଖାଉଛି। ପିଲାମାନେ ପାଠ ପଢ଼ୁଛନ୍ତି। ବଡ଼ ପୁଅ ଶୁକ୍ରୁ ମୋ ସହିତ ବେଳେବେଳେ କ୍ଷେତକୁ ଯାଏ। 14 ବରଷ ହେଉଛି ତାକୁ। ଆଉ ତା’ ତଳେ ଥିବା ତିନିଟି ଛୁଆ ବି ପିଠିଆ ଉଠୁଆ। ସାନ ପିଲାଟି ମୁଁ ଖେତରୁ ଆସିଲେ ମୋ କାନ୍ଧରେ ବସି ଟିକେ ନଖେଳିଲେ ତା’ ମନ ମାନେନି।   ଗଲା ଥର ଆମ ଗାଁ ଅଶୀନ ବେହେରା ରସି ଲଗାଇକି ମରିଗଲା। ବେଙ୍କ୍ ରୁ ୫୦ ହଜାର ଟଙ୍କା ଉଧାରି ଆଣିଥିଲା। ମରୁଡ଼ି ଯୋଗୁଁ ଶୁଝି ପାରିନଥିଲା। ସରକାରୀ ନିୟମ ଅନୁସାରେ ଇନସୁରେନ୍ସ ବି କରିଥିଲା। ହେଲେ କିଛି ଲାଭ ଦେଲାନି। ସରକାରୀ ସହାୟତା ଅର୍ଥ ମିଳିବା ପରିବର୍ତ୍ତେ ଅଶୀନର ଜୀବନ ବଳି ପଡ଼ିଗଲା। ପ୍ରତିବର୍ଷ ଅଶୀନ ଭଳି ହଜାର ହଜାର ଚାଷୀ ଆତ୍ମହତ୍ୟା କରୁଛନ୍ତି। ମୁଁ ବି ଏଥର ଔଷଧ ପିଇବାକୁ ବାହାରିଥିଲି। ମାତ୍ର, ମୋ ସ୍ତ୍ରୀ ଆଉ ଛୁଆଙ୍କ ମୁହଁକୁ ଚାହିଁ ରହିଗଲି।   ଏତେ କଷ୍ଟ ଭିତରେ ସରକାର ଆଉ ପୁରୁଣା ଟଙ୍କା ଚଳିବ ନାହିଁ ବୋଲି କହିଦେଲେ। ଗାଦି ଗାଦି ଟଙ୍କା ନଥିଲେ ବି ମୂଲ ଛାଡ଼ି ବେଙ୍କ୍ ଆଗରେ ନାଇନ୍ ଲଗାଇବା ଟା ଆମ ମଳିମୁଣ୍ଡିଆଙ୍କ ପାଇଁ ଅଡୁଆ ନା। ଯୋଉ ଦିନ ନାଇନରେ ଠିଆ ହେଲି ସେ ଦିନର ମୂଲ କୋଉ ଅମୁକ ସରକାର ଦେଇ ପାରିବେ?   ଶେଷରେ ଆମ ହକ୍ ପାଇଁ ଲଢ଼େଇ କରିବାକୁ ଆମେ ଭୁବନେଶ୍ବର ଆସିଥିଲୁ। ଆଗରୁ କେବେ ଭୁବନେଶ୍ବର ଆସି ନଥିଲି। ଆମ ଗାଁ ଗଉଁତିଆ ଘରେ ଟିଭିରେ ଦେଖିଥିଲି। ଭୁବନେଶ୍ବର ଆସିବା ପରେ ହକ୍ ପାଇଁ ଲଢ଼େଇ କରିବୁ କ’ଣ ପୋଲିସ ମତେ ବାନ୍ଧି ନେଲା। ଆଉ ବାଡ଼େଇଲା ବି। ଏହାପରେ ମୋ ଅବସ୍ଥା ଶୋଚନୀୟ ହୋଇପଡ଼ିଛି।   ଘରେ ମୋ ମାଇକିନା ଆଉ ଛୁଆମାନେ ଅଛନ୍ତି। ମୁଁ ଯଦି ଭଲ ନହେଲି ମୋ ସଂସାର ଭାସିଯିବ। କେଉଁ ସରକାରୀ ବାବୁ କି ପ୍ରଶାସନ କେହି ବି ମୋ ପରିବାର ପୋଷିବେ ନାହିଁ। ତେଣୁ, ପ୍ରଭୁ ଏତିକି କେବଳ ପ୍ରାର୍ଥନା କରୁଛି ଯେ, ଯେତେ ଶୀଘ୍ର ହେବ ମୋତେ ଭଲ କରି ଦିଅ ଆଉ ଏ ହସ୍ପିଟାଲ ବଦଳରେ ମୋ ଘରେ ପହଞ୍ଚାଇ ଦିଅ।   ଫୋନ୍- ୯୬୫୮୨୬୩୨୮୫

Share :