ଘମଣ୍ଡ ଭାଙ୍ଗିଲା କି?

ଘମଣ୍ଡ ଭାଙ୍ଗିଲା କି?

Share :

  ନମ୍ରନ୍ତି ଫଳିନୋ ବୃକ୍ଷାଃ, ନମ୍ରନ୍ତି ଗୁଣିନୋ ଜନାଃ। ଫଳଭାର ଥିଲେ ଗଛ ନଇଁ ଯାଏ। ନମ୍ରତା ଗୁଣୀ ଲୋକର ସ୍ବଭାବ।   ଏହା ଭାରତୀୟ ଗୁଣଧର୍ମ। ଭାରତୀୟ ସଭ୍ୟତାରେ ନମ୍ରତା ଗୁଣକୁ ଏହିପରି ଉଚ୍ଚାସନ ଦିଆଯାଇଛି। କିନ୍ତୁ ଭାରତକୁ ହିନ୍ଦୁତ୍ବରେ ଉଦଭାସିତ କରିବାକୁ ଦୀକ୍ଷା ନେଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କଠାରେ ଏହି ସୁଗୁଣର ଅଭାବ ପରିଲକ୍ଷିତ ହୁଏ। ବିଭିନ୍ନ ଜନସଭାଗୁଡ଼ିକରେ ସେ ଯେଉଁ ଭାଷା ପ୍ରୟୋଗ କରନ୍ତି, ଯେଉଁ ଅଙ୍ଗଭଙ୍ଗୀ ପ୍ରଦର୍ଶନ କରନ୍ତି ତାହା କଦାଚିତ ଜଣେ ଗୁଣୀ ଲୋକର ସ୍ବଭାବ ନୁହେଁ। ଫଟୋ ଉଠିବା ଉଦ୍ଦେଶ୍ୟରେ ସେ ତାଙ୍କ ମା’ଙ୍କୁ ଜୁହାର ହୋଇପାରନ୍ତି, ସଂସଦ ଭବନକୁ ପ୍ରଥମ ପ୍ରବେଶ ବେଳେ ପାହାଚକୁ ଛୁଇଁ ପ୍ରଣାମ କରିପାରନ୍ତି। କିନ୍ତୁ ଏହା ତାଙ୍କର ପ୍ରକୃତ ସଂସ୍କାର ତାହା ତାଙ୍କର ଅନ୍ୟାନ୍ୟ ଅନେକ ଆଚରଣରୁ ସିଦ୍ଧ ହୁଏ ନାହିଁ।   ବିମୁଦ୍ରୀକରଣ ପ୍ରସଙ୍ଗରେ ସଂସଦର କାର୍ଯ୍ୟ ମାସେ ହେଲା ଅଚଳ। କାରଣ ଏ ପ୍ରସଙ୍ଗରେ ବିରୋଧୀ ଦଳ ପ୍ରଧାନମନ୍ତ୍ରୀଙ୍କଠାରୁ ଜବାବ ମାଗିଛି। ପ୍ରଧାନମନ୍ତ୍ରୀ ଚାହିଁଥିଲେ ପ୍ରଥମ କିମ୍ବା ଦ୍ବିତୀୟ ଦିନ ଜବାବ ରଖିପାରିଥାନ୍ତେ। କିନ୍ତୁ ସେ ତାହା କଲେ ନାହିଁ। ବରଂ ତାଙ୍କର ଜଣେ ମନ୍ତ୍ରୀ ଭେଙ୍କେୟାହ ନାଇଡ଼ୁ କହିଲେ ବିମୁଦ୍ରୀକରଣ ହେଉଛି ଅର୍ଥ ମନ୍ତ୍ରଣାଳୟର କଥା। ଅର୍ଥମନ୍ତ୍ରୀ ଜବାବ ଦେବେ। ବିରୋଧି ପକ୍ଷ ଏଥିରେ ରାଜି ହେଲେ ନାହିଁ। ବାଚସ୍ପତି ନଭେମ୍ବର ୧୬ ତାରିଖରୁ ଏଯାଏଁ ଲୋକସଭାକୁ ଠିକରେ ଚଳାଇ ନାହାନ୍ତି। ଦି’ ଚାରି ଜଣ ବିରୋଧ ସାଂସଦ ଟିକେ ହୋହାଲ୍ଲା କଲେ ଗୃହକୁ ମୁଲତବୀ କରିଦିଆଯାଇଛି। ଠିକ୍‌ ଓଡ଼ିଶା ବିଧାନସଭା ପରି।   ପ୍ରଧାନମନ୍ତ୍ରୀ ଚାହିଁଥିଲେ ସଂସଦ ଚାଲିଥାନ୍ତା। ବିମୁଦ୍ରୀକରଣ ସମେତ ଅନ୍ୟ ସମସ୍ତ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହୋଇଥାନ୍ତା। ଦେଶରେ ଗଣତନ୍ତ୍ର ଅଛି ବୋଲି ଜଣାପଡ଼ିଥାନ୍ତା। ସଂସଦର ଅନୁପସ୍ଥିତିରେ ଯେଉଁ ସରକାର ଚାଲେ ତାହା ପ୍ରଧାନମନ୍ତ୍ରୀୟ ଏକଛତ୍ରବାଦ ହୋଇପାରେ, ପ୍ରଜାଶାସନ ନୁହେଁ।   ଲୋକସଭାରେ ଏକଲା ବିଜେପିର ୨୮୩ ସଦସ୍ୟ ଅଛନ୍ତି। ସରକାର ଚଳାଇବା ପାଇଁ ଏତିକି ଯଥେଷ୍ଟ। ମୋଦିଙ୍କ ନେତୃତ୍ବକୁ ସମର୍ଥନ କରୁଛନ୍ତି ଆଉ ୧୦୦ ସାଂସଦ। ଅନ୍ୟ ପଟେ ବିପକ୍ଷ ଅତ୍ୟନ୍ତ ଦୁର୍ବଳ। ଲୋକସଭାର ୫୪୭ ଆସନରୁ ଏନଡିଏର ୩୮୫ କଟିଗଲେ ବାକି ଯେଉଁମାନେ ରହିଲେ ସେମାନଙ୍କ ଭିତରେ ହଜାରେ ଫାଟ। କଂଗ୍ରେସର ମାତ୍ର ୪୪। ବିରୋଧୀ ତାଲିକାରେ ଥିବା ଅଧେ ସାଂସଦ ବି ଭିତରେ ଭିତରେ ସରକାରଙ୍କ ସହିତ ଅଛନ୍ତି।   ଏଭଳି ସ୍ଥିତିରେ ଲୋକସଭାରେ ମୋଦିକୁ କହିବା ସୁଯୋଗ ଦେଲାନି କିଏ ଯେ ସେ ଯାଇଁ ନିର୍ବାଚନୀ ସଭାରେ ବାଉଳି ହେଉଛନ୍ତି? ପ୍ରଧାନମନ୍ତ୍ରୀ କହିବାକୁ ଚାହିଁବେ ବାଚସ୍ପତି ଅନୁମତି ଦେବେନି! ବିରୋଧୀ କ’ଣ ପ୍ରଧାନମନ୍ତ୍ରୀଙ୍କ ମୁହଁ ସିଲାଇ କରିଦେଇଥାନ୍ତେ କି? ନା ସେମାନଙ୍କ ପାଟିତୁଣ୍ଡରେ ପ୍ରଧାନମନ୍ତ୍ରୀଙ୍କ ଛାତିବାଡ଼ିଆ, ହାତମେଲା ବଡ଼ପାଟିଆ ଭାଷଣ କାହାକୁ ଶୁବି ନଥାନ୍ତା! ସେ କହୁଥିଲାବେଳେ ବିପକ୍ଷ ସାଂସଦମାନେ ଅଶୋଭନୀୟ ଆଚରଣ ପ୍ରଦର୍ଶନ କରିଥିଲେ ବାଚସ୍ପତି ସେମାନଙ୍କୁ ଦଣ୍ଡ ଦେଇପାରିଥାନ୍ତେ। ଲୋକସଭାରୁ ନିଲମ୍ବିତ କରିପାରିଥାନ୍ତେ।   ବିପକ୍ଷର ଦାବି ଥିଲା ପ୍ରଧାନମନ୍ତ୍ରୀ ଜବାବ ଦିଅନ୍ତୁ। ସେ ମୂଳରୁ ଲୁଚିଲେ। ଲୋକସଭା ଆସିଲେ ନାହିଁ। ତାଙ୍କ ସହଯୋଗୀମାନେ କହିଲେ ସେ ଉତ୍ତର ଦେବେନି, ଜେଟଲି ଦେବେ। ବିରୋଧୀ କହିଲେ ଜେଟଲି ତ ବିମୁଦ୍ରୀକରଣ ନିଷ୍ପତ୍ତି ଘୋଷଣା କରିନଥିଲେ, ଘୋଷଣା କରିଥିଲେ ପ୍ରଧାନମନ୍ତ୍ରୀ, ସେ ହିଁ ଜବାବ ଦିଅନ୍ତୁ। ଏମିତି ସପ୍ତାହେ ଚାଲିଲା ପରେ ପ୍ରଧାନମନ୍ତ୍ରୀ ଗୃହକୁ ସକାଳ ଓଳି ଆସିଲେ, ଉପର ଓଳି ଆସିଲେ ନାହିଁ।   ପରେ ସରକାରଙ୍କ ମୁଖପାତ୍ରମାନେ କହିଲେ, ଆଲୋଚନା ଉପରେ ଭୋଟ ବିଭାଜନ ହେବ ନାହିଁ। ଭୋଟ ତ ୨୦୧୪ ମସିହାରେ ହୋଇଛି, ଆଉ ପୁଣ କି ଭୋଟ? କି ଅହଂକାର! କି ବିଭ୍ରାନ୍ତିକର! ସେମାନେ ଭାରତବାସୀଙ୍କୁ ବୋକା ଭାବିଚନ୍ତି ନିଶ୍ଚୟ। ଥୋଡ଼େ ଅବଶ୍ୟ ବୋକା। ଲୋକସଭାରେ କୌଣସି ପ୍ରସଙ୍ଗରେ ଭୋଟ ବିଭାଜନ ହେଲେ ବି କିଏ ଜିତିବ? ଶାସକ ମେଣ୍ଟଟି! ତେବେ ଏଭଳି ଦାବିକୁ ବିରୋଧ କାହିଁକି?   ଏହିପରି ଭାବେ ସଂସଦ ମାସେ ଅଚଳ ରହିବା ପରେ ସରକାର ଏବେ କହୁଛନ୍ତି ପ୍ରଧାନମନ୍ତ୍ରୀ ଆଲୋଚନାରେ ଅଂଶଗ୍ରହଣ କରିବେ ଓ ଉତ୍ତର ଦେବେ। ଏକଥା ମାସ ଆଗରୁ କାହିଁକି କହୁ ନଥିଲେ? ପ୍ରଧାନମନ୍ତ୍ରୀ କାହାକୁ ଡରୁଛନ୍ତି? ନିଜକୁ? ନିଜ ନିଷ୍ପତ୍ତିକୁ? ତାଙ୍କ ଦଳର ସୁବ୍ରମଣ୍ୟମ ସ୍ବାମୀ ବି କହିଲେଣି ଯେ ବିମୁଦ୍ରାକରଣ ନିଷ୍ପତ୍ତି ଯୋଗୁଁ ବହୁତ କ୍ଷତି ହେଲା। ତେବେ ସେ ସେଥିପାଇଁ ଅର୍ଥମନ୍ତ୍ରୀ ଅରୁଣ ଜେଟଲିଙ୍କୁ ଦୋଷ ଦେଇଛନ୍ତି।   ସରକାର ତାହା ବି ମାନନ୍ତେ ଭଲା! ବିମୁଦ୍ରାକରଣର ଯୂପକାଠରେ ଅରୁଣ ଜେଟଲିଙ୍କୁ ଝୁଲାଇ ନରେନ୍ଦ୍ର ମୋଦି ଖସିଯାଆନ୍ତେ, ଆଉ କହନ୍ତେ ମିତ୍ରୋଁ କ୍ୟାସ୍‌ଲେସ କାରବାର କରନ୍ତୁ, ଦେଶ ବଦଳୁଛି, ଦେଶ ଆଗଉଛି! ବିମୁଦ୍ରାକରଣ କୁଆଡ଼େ ଗଲା? ପ୍ରଧାନମନ୍ତ୍ରୀଙ୍କ ପାଟିରେ ଆଉ ସେ କଥା ପଶୁନାହିଁ। ଏବେ ଖାଲି କ୍ୟାସଲେସ୍‌ କାରବାର!

Share :