ବେକାର ହେବି, ଭତ୍ତା ପାଇବି!

ବେକାର ହେବି, ଭତ୍ତା ପାଇବି!

Share :

  ଶାସନ ଗାଦିକୁ ସୁରକ୍ଷିତ ଓ ସୁଦୃଢ଼ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଖୁବଶୀଘ୍ର ବେକାରୀ ଭତ୍ତା ପରି ଏକ ଯୋଜନା ଘୋଷଣା କରିବାକୁ ଯାଉଥିବାର ସମ୍ଭାବ୍ୟ ଖବର ପ୍ରକାଶ ପାଇଛି। ଦୁର୍ନୀତି ଓ କଳାଟଙ୍କା ବିରୋଧରେ ଲଢ଼େଇ କରିବାକୁ ଯାଇଁ ସେ ଯେଉଁ ବିମୁଦ୍ରାକରଣ ଅସ୍ତ୍ର ପ୍ରୟୋଗ କଲେ ସେଥିରେ ଭାରତର ସାଧାରଣ ବର୍ଗ ବିଶେଷ ଭାବେ ଆହତ ଓ ଅପମାନିତ ହୋଇଥିବାରୁ କାଳେ ନିର୍ବାଚନବେଳେ ସେମାନେ ତାଙ୍କଠାରୁ ମୁହଁ ବୁଲାଇନେବେ ଏଇ ଆଶଙ୍କାରେ ମୋଦି ଓ ତାଙ୍କର ସେନାନୀଗଣ ଶଙ୍କିତ ଓ ଚିନ୍ତାଗ୍ରସ୍ତ। ଏଭଳି କ୍ରୁଦ୍ଧ ଭୋଟରଙ୍କୁ ମନେଇବା ପାଇଁ ବେକାରୀ ଭତ୍ତା ଗୋଟେ ଲୋଭନୀୟ ଥୋପ ହୋଇପାରେ ବୋଲି ଭାରତୀୟ ଜନତା ପାର୍ଟିର କୌଶଳନିର୍ଦ୍ଧାରକମାନେ ଚିନ୍ତା କରୁଛନ୍ତି।   ଆଗକୁ ଆସୁଛି ଉତ୍ତର ପ୍ରଦେଶ ଓ ପଞ୍ଜାବ ବିଧାନସଭା ନିର୍ବାଚନ। ପଞ୍ଜାବରେ ଦଳର ସ୍ଥିତି ଆଦୌ ଭଲ ନାହିଁ। ସେଠାରେ ମୋଦିଙ୍କ ଭାରତୀୟ ଜନତା ପାର୍ଟି ଓ ଅକାଳୀ ଦଳର ମେଣ୍ଟ ସରକାର ରହିଛି। ଏବେ ଏହି ମେଣ୍ଟ ସତ୍ତା ବିରୋଧୀ ହାୱାରେ ଉଡ଼ିଯିବ ବୋଲି ବହୁ ସର୍ବେକ୍ଷଣ ରିପୋର୍ଟରେ ଆକଳନ କରାଯାଇଛି। ସେହିପରି ଉତ୍ତର ପ୍ରଦେଶରେ କ୍ଷମତାସୀନ ସମାଜବାଦୀ ପାର୍ଟି ବିରୋଧରେ ଅସନ୍ତୋଷ ଥିଲେ ମଧ୍ୟ ସେଥିରୁ ଭାରତୀୟ ଜନତା ପାର୍ଟି ସର୍ବାଧିକ ଫାଇଦା ପାଇବାର ସମ୍ଭାବନା କ୍ଷୀଣ। ଗତ ଲୋକସଭା ନିର୍ବାଚନରେ ରାଜ୍ୟର ୮୦ ଲୋକସଭା ଆସନରୁ ୭୧ ଆସନ ପୋଛି ନେଇଥିଲା। କିନ୍ତୁ ବିଧାନସଭା ନିର୍ବାଚନରେ ସେ ସ୍ଥିତି ନାହିଁ। ଆଞ୍ଚଳିକ ପ୍ରସଙ୍ଗ ଭିତ୍ତିରେ ରାଜ୍ୟବାସୀ ଭୋଟ ଦେବେ ବୋଲି ସବୁ ଆକଳନରେ ପ୍ରକାଶ ପାଉଛି। ଏହି ନିର୍ବାଚନରେ ଭାରତୀୟ ଜନତା ପାର୍ଟି ପୂର୍ବାପେକ୍ଷା ଖୁବ ଭଲ କରିବ, କିନ୍ତୁ ଏହା ସରକାର ଗଢ଼ିବାକୁ ସମର୍ଥ ହେବ ନାହିଁ ବୋଲି ଆକଳନ ରିପୋର୍ଟଗୁଡ଼ିକ ଆଭାସ ଦେଉଛନ୍ତି।   ଏପରିସ୍ଥଳେ ବିଜେପିକୁ ଜିତାଇବା ପାଇଁ ଦଳୀୟ ସଭାପତି ଅମିତ ଶାହା ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନାନାଦି ଫନ୍ଦିଫିକର ସଂପର୍କରେ ବିଚାର ବିମର୍ଶ ଚଳେଇଛନ୍ତି। ସେଥିରୁ ଗୋଟିଏ ହେଉଛି ଉତ୍ତର ପ୍ରଦେଶ ନିର୍ବାଚନ ନିର୍ଘଣ୍ଟ ଘୋଷଣା ହେବା ପୂର୍ବରୁ ସମଗ୍ର ଦେଶ ପାଇଁ ବେକାରୀ ଭତ୍ତା ଯୋଜନା ଘୋଷଣା। ଉତ୍ତର ପ୍ରଦେଶର ସମାଜବାଦୀ ପାର୍ଟି ସରକାର ସେହି ରାଜ୍ୟର ବେକାରଙ୍କ ପାଇଁ ମାସିକ ୧ ହଜାର ଟଙ୍କା ଲେଖାଏଁ ବେକାରୀ ଭତ୍ତା ପ୍ରଦାନ କରୁଛନ୍ତି। ଯେଉଁ ପରିବାରର ବାର୍ଷିକ ଆୟ ୪୦ ହଜାର ଟଙ୍କାରୁ କମ୍‌ ଏବଂ ଯେଉଁ ୨୫-୪୦ ବର୍ଷର ଯୁବକ କୌଣସି ପ୍ରକାର ରୋଜଗାରଭିତ୍ତିକ ନିଯୁକ୍ତି ପାଇନାହିଁ ତାଙ୍କୁ ରାଜ୍ୟ ସରକାର ମାସିକ ୧୦୦୦ ଟଙ୍କାର ବେକାରୀ ଭତ୍ତା ଯୋଗାଇ ଦେଉଛନ୍ତି। ଏହି ଭତ୍ତା ଯୋଗୁଁ ବେକାର ଯୁବଗୋଷ୍ଠୀ ସମାଜବାଦୀ ପାର୍ଟି ଆଡ଼କୁ ଢଳି ରହିଛନ୍ତି।   ମୋଦି ସରକାର ଯଦି ମାସିକ ୩-୫ ହଜାର ଟଙ୍କାର ବେକାରୀ ଭତ୍ତା ଘୋଷଣା କରନ୍ତି ତେବେ ଦେଶର ଯୁବଛାତ୍ର ଗୋଷ୍ଠୀ ମୋଦିଙ୍କୁ ମହାତ୍ମା ଭାବେ ପୂଜା କରିବାକୁ ପଛେଇବେ ନାହିଁ। ଏମିତି ତ ଏବେ ସାରା ଦେଶେର ମୋଦିଙ୍କ କ୍ରେଜ୍‌। ବିମୁଦ୍ରାକରଣରେ ହନ୍ତସନ୍ତ ହେଉଥିବା ଲୋକଟି ବି କେନ୍ଦ୍ର ସରକାରଙ୍କର ଏହି ବୁଦ୍ଧିହୀନ ନିଷ୍ପତ୍ତିକୁ ତାରିଫ ନକରି ରହିପାରୁ ନାହିଁ। ବିମୁଦ୍ରାକରଣ ଯୋଗୁଁ କଳାଧନ ହଟିବା ପରିବର୍ତ୍ତେ ଧଳା ହୋଇଗଲା। ଲୋକେ ଏହା ଜାଣିଛନ୍ତି। ଏଥିଯୋଗୁଁ ଦୁର୍ନୀତି ମଧ୍ୟ ଦୂର ହେଲା ନାହିଁ। ବରଂ ବ୍ୟାଙ୍କ ଓ ଆୟର ଅଧିକାରୀମାନଙ୍କ ପାଇଁ ଦୁର୍ନୀତିର ବ୍ୟାପକ ସୁଯୋଗ ସୃଷ୍ଟି ହେଲା। ଏହା ମଧ୍ୟ ଲୋକେ ଜାଣିଛନ୍ତି। ଏହି କଥା ଉପରେ ଅଧିକ ଆଲୋଚନା ଲୁଚାଇବାକୁ ଯାଇଁ ମୋଦି ପ୍ରତିଦିନ ନୂଆ ନୂଆ କଥା କହୁଛନ୍ତି। ବିମୁଦ୍ରାକରଣ ସଂକଟ ଟାଳିବାକୁ ଯାଇଁ ତାଙ୍କ ସରକାର ଇତିମଧ୍ୟରେ ଏତେ ନୂଆ ନିୟମ କଲେଣି ଯେ ତାହା ଓଡ଼ିଶା ସରକାରଙ୍କ ବସ୍‌ଭଡ଼ା ବୃଦ୍ଧିହ୍ରାସ ପରି ହୋଇଗଲାଣି। ପ୍ରକୃତରେ କିଲୋମିଟର ପ୍ରତି ବସ୍‌ଭଡ଼ା କେତେ ତାହା କେହି ମନେ ରଖିବା ସହଜ ହୋଇ ରହିନାହିଁ।   ତଥାପି ବିମୁଦ୍ରାକରଣ ଜନିତ ଅସୁବିଧା ଭୋଟ କରିଥିବା ଲୋକମାନେ କାଳେ ଆଗାମୀ ନିର୍ବାଚନଗୁଡ଼ିକରେ ମୋଦିଙ୍କଠାରୁ ମୁହଁ ବୁଲେଇନେବେ ସେହି ଆଶଙ୍କାରେ ଛାତି ଧଡ଼ଧଡ଼ ହେଉଛି। ଏହି ଧଡ଼କନ ରୋକିବା ପାଇଁ ଘୋଷଣା ହୋଇପାରେ ବେକାରୀ ଭତ୍ତା। ମୋଦି ଦେଖିଲେଣି ଲୋକଙ୍କୁ ମାଗଣାଖିଆ ଶିଖେଇଥିବା ଜୟାଲଳିତଙ୍କ ପାଇଁ ତାମିଲନାଡ଼ୁ ଲୋକଙ୍କର ପ୍ରୀତି କେତେ। ସେ ଓଡ଼ିଶାର ନବୀନ ପଟ୍ଟନାୟକ ସରକାରଙ୍କ ଲୋକପ୍ରିୟତା ମଧ୍ୟ ଦେଖିଲେଣି। ଯେଉଁ ନେତାମାନେ ଲୋକଙ୍କ ପାଇଁ ଶସ୍ତା ଓ ମାଗଣା ଯୋଜନା ସବୁ ଘୋଷଣା କରିଛନ୍ତି ସେମାନଙ୍କୁ ଲୋକେ ଦେବତା ତୁଲ୍ୟ ମନେ କରୁଛନ୍ତି। ମୋଦି ତ ସହଜେ ଦେବାତ! ୨୦୧୪ ନିର୍ବାଚନରେ ହର୍‌ ହର୍‌ ମୋଦି ସ୍ଲୋଗାନ ଅନେକଙ୍କର ମନେ ଥିବ।   ତେବେ ଏହି ବେକାରୀ ଭତ୍ତା ଯୁବଛାତ୍ର ଗୋଷ୍ଠୀକୁ ପଙ୍ଗୁ କରିଦେବ ନାହିଁ ତ! ଅଷ୍ଟ୍ରେଲିଆ, ଆମେରିକା ଆଦି ଉନ୍ନତ ଓ ବିକଶିତ ଦେଶରେ ଏହା ଦିଆଯାଉଛି ସତ। କିନ୍ତୁ ସେଠାକାର ଲୋକମାନେ ପରିଶ୍ରମୀ ଓ ସ୍ବାଭିମାନୀ। ସେମାନେ ବେକାରୀ ଭତ୍ତା ନେଇ ସାରା ଜୀବନ ବେକାର ରହିବାକୁ ପସନ୍ଦ କରନ୍ତି ନାହିଁ। କିନ୍ତୁ ଭାରତର ହୀନମନ୍ୟ ଲୋକମାନେ ଏଭଳି ଭତ୍ତା ପାଇଲେ କାମ କରିବାକୁ ଭଲ ପାଇବେ ନାହିଁ। ଆଉ କିଛି ଲୋକ ବାହାରିବେ ସେମାନେ ନିଜ ବିଲବାଡ଼ିରେ କ୍ଷେତ କରିବେ, ବ୍ୟବସାୟରୁ ଲାଭ ନେବେ, ସରକାରଙ୍କଠାରୁ ବେକାରୀ ଭତ୍ତା ବି ନେବେ। ତାହା ଦୁର୍ନୀତି ହେବ କି ନାହିଁ ମୋଦି ବୁଝିବେ। ତା ଜରିଆରେ କଳାଟଙ୍କା ଠୁଳ ହେବ କି ନାହିଁ ତାହା ବି ସେ କହିପାରିବେ।

Share :