ଏ ମୃତ୍ୟୁ ସେ ମୃତ୍ୟୁ ନୁହେଁ!

ଏ ମୃତ୍ୟୁ ସେ ମୃତ୍ୟୁ ନୁହେଁ!

Share :

  ଡିସେମ୍ବର ୧୦ ତାରିଖରେ ଚିଲିକା ଭିତରେ ଡଙ୍ଗାବୁଡ଼ି ୨ ଶିଶୁଙ୍କ ସମେତ ୪ ଜଣଙ୍କର ମୃତ୍ୟୁ ହେଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘଟଣାରେ ଏତେ ଦୁଃଖୀ ହୋଇଗଲେ ଯେ ସେମାନଙ୍କ ପାଇଁ ସେ ଅନୁକମ୍ପାମୂଳକ ସହାୟତା ଘୋଷଣା କଲେ। ପ୍ରାଣ ହରାଇଥିବା ଲୋକଙ୍କ ପାଇଁ ଜଣ ପିଛା ୪ ଲକ୍ଷ ଟଙ୍କାର ସହାୟତା ଘୋଷଣା କରି ମୁଖ୍ୟମନ୍ତ୍ରୀ ନିଶ୍ଚୟ ଆତ୍ମସନ୍ତୋଷ ଲାଭ କରିଥିବେ, ଯା’ ହେଉ କିଛି ଲୋକଙ୍କର ତ ଉପକାର କଲି!   କିନ୍ତୁ ଠିକ ସେହି ଦିନ କୋରାପୁଟ ଜୟପୁର ଅଂଚଳରେ ପୋଖରୀରେ ବୁଡ଼ି ଦୁଇ ଜଣ ଶିଶୁଙ୍କ ମୃତ୍ୟୁ ହେଲା। ମୁଖ୍ୟମନ୍ତ୍ରୀଙ୍କ ହୃଦୟ କିନ୍ତୁ ସେମାନଙ୍କ ପାଇଁ କାନ୍ଦିଲା ନାହିଁ କି ତାଙ୍କ ସରକାରୀ ପଦବୀରୁ ଅନୁକମ୍ପାର ସହାୟତା ଝରିଲା ନାହିଁ।   ଏମିତି କାହିଁକି ବାଛବିଚାର କଲେ ମୁଖ୍ୟମନ୍ତ୍ରୀ? ଚିଲିକାର ମଣିଷ ଜୀବନ କ’ଣ କୋରାପୁଟର ମଣିଷ ଜୀବନଠାରୁ ଅଧିକ ମୂଲ୍ୟବାନ?   ଚିଲିକା ଦୁର୍ଘଟଣା ପଛରେ ଯେପରି ମୁଖ୍ୟମନ୍ତ୍ରୀ ବା ତାଙ୍କ ସରକାରଙ୍କ ହାତ ନଥିଲା କୋରାପୁଟ ଘଟଣାରେ ମଧ୍ୟ ସେହିପରି ସରକାରଙ୍କୁ ଦୋଷ ନଥିଲା। ଦି’ଟା ଯାକ ଦୁର୍ଘଟଣା ପଛର କାରଣ ହେଉଛି ମାନବିକ ତ୍ରୁଟି ଓ ଦୈବ ଦୁର୍ଯୋଗ। ଚିଲିକାରେ ଯଦି ଲୋକମାନେ ଜାଣିଶୁଣି ଏକ ଛୋଟ ଓ ଦଦରା ମାଛଧରା ଡଙ୍ଗାରେ ଯାଇ ନଥାନ୍ତେ ତେବେ ଏପରି ଦୁର୍ଘଟଣା ଘଟି ନଥାନ୍ତା। ଜୟପୁର ଘଟଣାରେ ସେହିପରି ଯଦି ପରିବାର ଲୋକ ପିଲା ଦୁହିଁଙ୍କୁ ଜଗିଥାନ୍ତେ ତେବେ ସେମାନେ ପାଣିରେ ବୁଡ଼ିଯାଇ ନଥାନ୍ତେ। ତଥାପି ମୁଖ୍ୟମନ୍ତ୍ରୀଙ୍କ ଆଚରଣ ଭିନ୍ନଭିନ୍ନ ହେଲା।   କେବଳ ଏଇ ଦୁଇଟି ଘଟଣାରେ ନୁହେଁ, ଏହିପରି ଦୁର୍ଘଟଣାଜନିତ ମୃତ୍ୟୁରେ ଅନୁକମ୍ପା ସହାୟତା ଘୋଷଣା କରିବାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅତ୍ୟନ୍ତ ବାଛବିଚାର ନୀତି ଅବଲମ୍ବନ କରି ଆସୁଛନ୍ତି। ପୂର୍ବରୁ ମଧ୍ୟ ଓଡ଼ିଶାର ବହୁ ଲୋକ ଡଙ୍ଗାବୁଡ଼ିରେ ପ୍ରାଣ ହରାଇଛନ୍ତି। କେତେ ଲୋକଙ୍କୁ ମିଳିଛି ମୁଖ୍ୟମନ୍ତ୍ରୀଙ୍କ ସହାୟତା? ହୀରାକୁଦ ଜଳଭଣ୍ଡାର ଦୁର୍ଘଟଣା ଘଟଣାକୁ ଛାଡ଼ିଦେଲେ ଆଉ ବୋଧେ କୌଣସି ଜଳବୁଡ଼ି ମୃତ୍ୟୁ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଅନୁକମ୍ପା ଭଣ୍ଡାର ଖୋଲି ନାହିଁ। ଖୋଲିଲେ ବି କେତେ ଲୋକଙ୍କ ପାଇଁ ଖୋଲିବ? ଓଡ଼ିଶା ଏକ ଉପକୂଳିଆ ରାଜ୍ୟ। ଏହାର ୪୮୭ କିଲୋମିଟର ବ୍ୟାପୀ ସମୁଦ୍ର କୂଳ। ଆଭ୍ୟନ୍ତରରେ ଅନେକ ନଦୀ ଓ ପୋଖରୀ। ଏଠି ଜଳରେ ବୁଡ଼ି ପ୍ରତିବର୍ଷ ଶହଶହ ଲୋକଙ୍କ ମୃତ୍ୟୁ ଘଟେ। କିଛି ଲୋକଙ୍କ ପାଇଁ ସରକାର ସହାୟତା ଦିଅନ୍ତି, ଅଧିକ ଲୋକ ବାଦ ପଡ଼ନ୍ତି।   ସେହିପରି ସଡ଼କ ଦୁର୍ଘଟଣା ଜନିତ ମୃତ୍ୟୁ ପାଇଁ ସହାୟତା।  ସଡ଼କ ଦୁର୍ଘଟଣାରେ ଓଡ଼ିଶାରେ ପ୍ରତିବର୍ଷ ହାରାହାରି ୫ ହଜାର ଲୋକଙ୍କ ଜୀବନ ଯାଉଛି।  ୨୦୧୫ ମସିହାରେ ରାଜ୍ୟରେ ୪୪୦୦ ଉପରେ ଲୋକ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିବାବେଳେ ୨୦୧୬ ବର୍ଷର ପ୍ରଥମ ୬ ମାସ ଭିତରେ ୨୪୦୦ ଉପରେ ଲୋକ ମୃତ୍ୟୁବରଣ କରିସାରିଥିଲେ। କିନ୍ତୁ ସବୁ ସଡ଼କ ଦୁର୍ଘଟଣା ଜନିତ ମୃତ୍ୟୁ ପାଇଁ ମୁଖ୍ୟମନ୍ତ୍ରୀ କାନ୍ଦି ନଥିଲେ। କେବଳ ବଡ଼ବଡ଼ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଅନୁକମ୍ପା ସହାୟତା ଘୋଷଣା କରିଥିଲେ। ଯେଉଁ ଦୁର୍ଘଟଣାରେ ୮-୧୦ ଉପରେ ଲୋକଙ୍କର ମୃତ୍ୟୁ ହୋଇଛି ସେସବୁ ମୃତ୍ୟୁ ପାଇଁ ମୁଖ୍ୟମନ୍ତ୍ରୀ ଅନୁକମ୍ପା ସହାୟତା ଦେଇଛନ୍ତି। ଯେଉଁ ଦୁର୍ଘଟଣାରେ ୫ରୁ କମ୍‌ ଲୋକ ମୃତ୍ୟୁବରଣ କରିଛନ୍ତି ସେମାନଙ୍କ ପାଇଁ କିଛି ନାହିଁ।   ଜୀବନନାଶ କ୍ଷେତ୍ରରେ ଏ ପାତରଅନ୍ତର ବିଚାରବୋଧ କାହିଁକି? ଏ ପ୍ରଶ୍ନର ଉତ୍ତର ମୁଖ୍ୟମନ୍ତ୍ରୀଙ୍କ ପାଖରେ ଥିବ। ଆମ ଜାଣିବାରେ ଅନୁକମ୍ପା ସହାୟତା ଘୋଷଣା ପାଇଁ ସରକାରୀ ସ୍ତରରେ କୌଣସି ନୀତି ନାହିଁ। ଼ନୀତି ନଥିବାରୁ ହିଁ ମୁଖ୍ୟମନ୍ତ୍ରୀ ତାଙ୍କ ମନଇଚ୍ଛା ସହାୟତା ଘୋଷଣା କରିଥାନ୍ତି। ଯେଉଁ କ୍ଷେତ୍ରରେ ସହାୟତା ଦେଲେ ରାଜନୀତିକ ଫାଇଦା ଓ ଭୋଟ ମିଳିବ ସେଠି ଦିଆଯାଉ, ଯେଉଁଠି ସେପରି ହେବାର ନାହିଁ ସେଠି ଦିଆ ନଯାଉ। ଏଇ ହେଉଛି ପ୍ରଚଳିତ ନୀତି। ଠିକ ସାମ୍ବାଦିକଙ୍କୁ ସରକାରୀ କ୍ବାର୍ଟର ଦେବା ପରି! ଯେଉଁ ସାମ୍ବାଦିକ ବୋଲ ମାନୁଛନ୍ତି, ପ୍ରଚାର କରୁଛନ୍ତି ସେମାନଙ୍କୁ ସରକାର ଘର ଦିଅ, ଅଯୋଗ୍ୟ ହୋଇଥିଲେ ବି! ଯେଉଁମାନେ ବୋଲକରା ନୁହନ୍ତି କି ହାରିଗୁହାରି କରୁନାହାନ୍ତି ସେମାନଙ୍କୁ ଦିଅନା!   ଏଭଳି ଅନୁକମ୍ପା ସହାୟତା ଆଇନସିଦ୍ଧ ନୁହେଁ। ଏଥିପାଇଁ ମଧ୍ୟ ବିଧାନସଭାର ଅନୁମୋଦନ ମିଳି ନଥାଏ। ଏହା ମୁଖ୍ୟମନ୍ତ୍ରୀଙ୍କର ଇଚ୍ଛାଧୀନ ବ୍ୟାପାର। ତାଙ୍କ ରିଲିଫ୍‌ ପାଣ୍ଠିକୁ ବଡ଼ବଡ଼ କମ୍ପାନୀ ଓ ଲୋକମାନେ ଦେଉଥିବା ଦାନକୁ ସେ ଏହିପ୍ରକାରେ ବ୍ୟୟ କରି ନିଜର ଭାବମୂର୍ତ୍ତି ଓ ଭୋଟବ୍ୟାଙ୍କ ବଢ଼ାଇଥାନ୍ତି। ଏହା କେବଳ ଏଇ ମୁଖ୍ୟମନ୍ତ୍ରୀଙ୍କର ଏକକ ଆଚରଣ ନୁହେଁ, ଭାରତବର୍ଷର ପ୍ରାୟ ସମସ୍ତ ମୁଖ୍ୟମନ୍ତ୍ରୀ ଏହିପରି ବାଛବିଚାର କରିଥାନ୍ତି।   ଏବେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମାନ୍ୟର ଭଉଣୀ ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଜୟାଲଳିତାଙ୍କର ଦେହାନ୍ତ ହେଲା। ତାଙ୍କ ମୃତ୍ୟୁ ଖବର ଶୁଣି ସେହି ରାଜ୍ୟର ପ୍ରାୟ ୩୦୦ ଲୋକ ଆତ୍ମହତ୍ୟା କଲେ। ଜୟାଙ୍କ ପରେ ମୁଖ୍ୟମନ୍ତ୍ରୀ ହୋଇଥିବା ତାଙ୍କର ଅତ୍ୟନ୍ତ ଅନୁଗତ ଓ. ପନୀରସେଲଭାମ ସେମାନଙ୍କ ପାଇଁ ୪ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ସହାୟତା ଘୋଷଣା କଲେ। ଏହା କି ପ୍ରକାର ନୀତି? ଆତ୍ମହତ୍ୟାକୁ ପ୍ରୋତ୍ସାହନ? ପୁରସ୍କାର? ଜୟାଙ୍କ ପାଇଁ ଆତ୍ମହତ୍ୟା କଲେ ତାଙ୍କ ଦଳର ସରକାର ପୁରସ୍କାର ଦେଲେ। ହେଲେ କାଲି ଯଦି ତାଙ୍କ ବିରୋଧ କରୁଣାନିଧିଙ୍କର କିଛି ହୋଇଯାଏ (ଭଗବାନ ତାଙ୍କୁ ଦୀର୍ଘଜୀବୀ କରନ୍ତୁ) ଓ ତାଙ୍କୁ ଭଲ ପାଉଥିବା ଲୋକମାନେ ଅତ୍ମହତ୍ୟା କରନ୍ତି ସେମାନଙ୍କ ପାଇଁ ପନୀରସେଲଭାମ ସରକାର ଅନୁକମ୍ପା ସହାୟତା ଘୋଷଣା କରିବେ କି? ଏହା ଭିତରେ ଯେଉଁ ତାମିଲ ଲୋକମାନେ ସେମାନଙ୍କ ପୁଅର ମୃତ୍ୟୁରେ ମ୍ରିୟମାଣ ହୋଇ ଆତ୍ମହତ୍ୟା କରିଛନ୍ତି ସେମାନଙ୍କ ପାଇଁ ସରକାର କେତେ ଅନୁକମ୍ପା ପ୍ରଦର୍ଶନ କରିଛନ୍ତି ତାମିଲ ସରକାର?

Share :